spot_img
Home Blog Page 1815

ଖୋଲିଲା ହୀରାକୁଦର ଆଉ ୬ଟି ଗେଟ୍, ମୋଟ ୧୨ଟି ଗେଟ୍ ଦେଇ ବନ୍ଯାଜଳ ନିଷ୍କାସନ

ସମ୍ୱଲପୁର: ଖୋଲିଲା ହୀରାକୁଦର ଆଉ ୬ଟି ଗେଟ୍ । ଏବେ ମୋଟ ୧୨ଟି ଗେଟ୍ ଦେଇ ବନ୍ଯାଜଳ ନିଷ୍କାସନ ହେଉଛି। ବାମ ପାଖରୁ ୮ଟି ଗେଟ୍ ଖୋଲିଥିବା ବେଳେ ଡାହାଣ ପାଖରୁ ୪ଟି ଗେଟ୍ ଖୋଲିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳଭଣ୍ଡାର ମଧ୍ଯରେ ବନ୍ଯାଜଳ ପ୍ରବେଶ ବଢିବାରେ ଲାଗିଛି । ଏବେ ଜଳଭଣ୍ଡାରର ଜଳସ୍ତର ୬୨୭ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୮୯ ହଜାର ୩୪୧ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୧ ଲକ୍ଷ ୩୬ ହଜାର ଘନଫୁଟ ପାଣି । ଆଗକୁ ଅଧିକ ପାଣି ଆସିବା ସମ୍ଭାବନା ଥିବାରୁ ହୀରାକୁଦର ଅଧିକ ଗେଟ୍ ଖୋଲିପାରେ ।

ରୁଷିଆ-ୟୁକ୍ରେନ ଯୁଦ୍ଧର ଅନ୍ତ ଲାଗି ଭାରତର ଉଦ୍ୟମ

ନନ୍ଦିଘୋଷ ବ୍ୟୁରୋ : ରୁଷିଆ-ୟୁକ୍ରେନ ଯୁଦ୍ଧର ଅନ୍ତ ଲାଗି ଭାରତର ଉଦ୍ୟମ ଆରମ୍ଭ । ମସ୍କୋରେ ପିସ୍ ପ୍ଲାନ ପ୍ରସଙ୍ଗରେ ରୁଷିଆର ନିରାପତ୍ତା ପରିଷଦ ସଚିବ ସର୍ଜେଇ ସୋଇଗୁଙ୍କ ସହ ଆଲୋଚନା କରିଛନ୍ତି ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ । ଯୁଦ୍ଧର ପରିସମାପ୍ତି ଲାଗି ସେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବେ।

ବୈଦେଶିକ ବ୍ଯାପାର ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି, ରୁଷିଆ ଓ ୟୁକ୍ରେନ ଯୁଦ୍ଧ କ୍ଷେତ୍ରରୁ ବାହାରି ଶାନ୍ତିପୂର୍ଣ୍ଣ ଆଲୋଚନା କରନ୍ତୁ। ଦୁଇ ଦେଶ ମଧ୍ଯରେ ଶାନ୍ତି ପ୍ରତିଷ୍ଠା ଲାଗି ଭାରତ ଉଦ୍ଯମ କରିବ । ଭାରତର ପ୍ରସ୍ତାବକୁ ଦୁଇ ଦେଶ ଗ୍ରହଣ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ତଥାପି ଯୁଦ୍ଧର ଅବସାନ ଦିଗରେ ଭାରତ ପଦକ୍ଷେପ ନେବ ବୋଲି କୁହାଯାଇଛି। ସେପଟେ ବର୍ଲିନରେ ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଜେଇ ଲାଭରୋଭଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଜୟଶଙ୍କର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷିଆ ଓ ୟୁକ୍ରେନ ଗସ୍ତ ସମୟରେ ଭାରତର ଭୂମିକା ସ୍ପଷ୍ଟ ହୋଇଥିଲା ।

ପୁଟିନ ବି କହିଛନ୍ତି, ଯୁଦ୍ଧର ପରିସମାପ୍ତି ଲାଗି ଯେଉଁ ତିନିଟି ରାଷ୍ଟ୍ର ଲଗାତାର ଉଦ୍ଯମ କରିଆସୁଛନ୍ତି ସେମାନଙ୍କ ମଧ୍ଯରେ ଭାରତ ଅନ୍ୟତମ। ଦୁଇ ବର୍ଷ ଛଅ ମାସରୁ ଅଧିକ କାଳ ଧରି ଚାଲିଥିବା ଯୁଦ୍ଧରେ ଗଲାଣି ହଜାର ହଜାର ଲୋକଙ୍କ ଜୀବନ ।

ରାଜ୍ଯ କ୍ଯାବିନେଟରେ ୩ଟି ପ୍ରସ୍ତାବରେ ମୋହର

ଭୁବନେଶ୍ୱର: ରାଜ୍ଯ କ୍ଯାବିନେଟରେ ୩ଟି ପ୍ରସ୍ତାବରେ ବାଜିଛି ମୋହର। ଏଣିକି ସରକାରୀ କର୍ମଚାରୀଙ୍କର ମୃତ୍ଯୁ ହେଲେ ବିବାହିତ ଝିଅଙ୍କୁ ମିଳିବ ଚାକିରି । ଓଡ଼ିଶା ବେସାମରିକ ପୁନର୍ବାସ ସହାୟତା ନିୟମାବଳୀ ୨୦୨୦ର ସଂଶୋଧନ କରାଯାଇଛି । ଏହି ନିୟମ ଅନୁସାରେ ସରକାରୀ କର୍ମଚାରୀଙ୍କର ମୃତ୍ଯୁ କ୍ଷେତ୍ରରେ ତାଙ୍କ ବିବାହିତ ଝିଅ ଓ ସାବତ ଝିଅଙ୍କୁ ଅନୁକମ୍ପା ନିଯୁକ୍ତି ମିଳିବ। ବାପାମାଆଙ୍କ ଉପରେ ନିର୍ଭରଶୀଳ ଝିଅ ଓ ସାବତ ଝିଅଙ୍କୁ ଥଇଥାନ ଭିତ୍ତିରେ ଚାକିରି ଦେବାକୁ ନିଷ୍ପତ୍ତି ହୋଇଛି। ସେହିପରି ଅଗ୍ନିବୀରଙ୍କ ପାଇଁ ରାଜ୍ଯରେ ରହିବ ୧୦ ପ୍ରତିଶତ ସଂରକ୍ଷଣ । ଅବସରପ୍ରାପ୍ତ ଅଗ୍ନିବୀରଙ୍କ ପାଇଁ ଆନୁଭୂମିକ ସଂରକ୍ଷଣ ପ୍ରସ୍ତାବକୁ କ୍ଯାବିନେଟ ମଞ୍ଜୁରୀ ମିଳିଛି । ସେମାନଙ୍କୁ ବୟସ ସୀମା ୩ ବର୍ଷ କୋହଳ ସହ ଶାରିରୀକ ଦକ୍ଷତା ପରୀକ୍ଷା ଦେବାକୁ ପଡ଼ିବନି।

ଅନ୍ଯପଟେ ଗୋପାଳପୁର ବନ୍ଦରର ୯୫ ପ୍ରତିଶତ ଆଦାନୀ ଗୃପକୁ ଦିଆଯିବ। ସାପୁରଜି ପାଲୋନଜି ପୋର୍ଟ ମେଣ୍ଟେନାନ୍ସ ପ୍ରାଇଭେଟ ଲିମିଟେଡ ଓ ଓଡିଶା ଷ୍ଟିଭେଡର୍ସ ଲମିଟେଡରୁ ଆଦାନୀ ବନ୍ଦର ଓ ସ୍ବତନ୍ତ୍ର ଅର୍ଥନୈତିକ ଜୋନ ଲିମିଟେଡକୁ ଅଂଶଧନ ହସ୍ତାନ୍ତର ପ୍ରସ୍ତାବକୁ ମିଳିଛି କ୍ଯାବିନେଟ ମଞ୍ଜୁରୀ। ଏହାସହ ବନ୍ଦର ଓ ଅନ୍ତର୍ଦ୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶାଳୟ, ବାଣିଜ୍ଯ ଓ ପରିବହନ ବିଭାଗ ଓ ଗୋପାଳପୁର ପୋର୍ଟ୍ସ ଲିମିଟେଡ ମଧ୍ଯରେ ସଂଶୋଧିତ ରିହାତି ଚୁକ୍ତିନାମା ସ୍ବାକ୍ଷର ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

 

ବିଦ୍ୟୁତ୍ ଆଘାତରେ ଗଲା ହାତୀର ଜୀବନ

ମୟୂରଭଞ୍ଜ: ପୁଣି ବିଦ୍ଯୁତ୍ ଆଘାତରେ ହାତୀର ଗଲା ଜୀବନ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଜାମଶୂଳି ଗାଁରେ ବିଦ୍ୟୁତ୍ ଆଘାତରେ ମାଈ ହାତୀର ମୃତ୍ୟୁ ହୋଇଛି । ଫସଲକୁ ସୁରକ୍ଷା ଦେବାକୁ ବିଛାଯାଇଥିବା ବିଦ୍ଯୁତ୍ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ଯୁ ହୋଇଥିବା ସୂଚନା ମିଳିଛି ।

ବନ ବିଭାଗର ସୂଚନା ଅନୁସାରେ, ଭୋର ସମୟରେ ଗୋଠରୁ ଅଲଗାହୋଇ ମାଈ ହାତୀଟି ଜାମଶୂଳିଠାରେ ଜନବସତି ମୁହାଁ ହୋଇଥିଲା l ଗାଁ ପାଖରେ ଧାନଚାଷକୁ ସୁରକ୍ଷା ଦେବାକୁ ବିଛାଯାଇଥିବା ବିଦ୍ୟୁତତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ଘଟିଛି l ହାତୀଟିର ଶୁଣ୍ଢରେ ବିଦ୍ୟୁତ ତାର ଲାଗି ରହିଥିଲା । ବେତନଟୀ ବନବିଭାଗ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ।

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଅଧ୍ଯକ୍ଷ ସନ୍ଦୀପ ଘୋଷଙ୍କ ପୈତୃକ ଘରେ ରେଡ

ନନ୍ଦିଘୋଷ ବ୍ୟୁରୋ : ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ଯା ଘଟଣା। କୋଲକାତାର ବିଭିନ୍ନ ସ୍ଥାନରେ ଛାନବିନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ମେଡିକାଲ କଲେଜ ଓ ହସ୍ପିଟାଲରେ ହୋଇଥିବା ଆର୍ଥିକ ଅନିୟମିତତାର ତଦନ୍ତ କରୁଛି ଇଡି । ମେଡିକାଲର ପୂର୍ବତନ ଅଧ୍ଯକ୍ଷ ସନ୍ଦୀପ ଘୋଷଙ୍କ ବାପା ସତ୍ଯ ପ୍ରକାଶ ଘୋଷଙ୍କ ଘରେ ଏହି ରେଡ୍ ହୋଇଛି । ଉତ୍ତର ୨୪ ପରଗଣା ଜିଲ୍ଲାସ୍ଥିତ ଚିନାର ପାର୍କ ଅଞ୍ଚଳର ମଲ୍ଲିକ ବାଗାନ ହାତୀଆରାରେ ଥିବା ସନ୍ଦୀପଙ୍କ ପୈତୃକ ଘରେ ଇଡି ଅଧିକାରୀ ରେଡ୍ କରିଛନ୍ତି। ରେଡ ବେଳେ ସେ ଘରେ ନଥିବାରୁ ତାଲା କାରିଗରଙ୍କୁ ଡାକି ନକଲି ଚାବି ତିଆରି କରି ଘର ଖୋଲାଯାଇଛି। ଗତ ଅଗଷ୍ଟ ୯ ତାରିଖରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣାର ଏକମାସ ପରେ ଉଭୟ ସିବିଆଇ ଓ ଇଡି ପକ୍ଷରୁ ଛାନବିନ ଜାରି ରହିଛି ।

ଗତ ସେପ୍ଟେମ୍ବର ୬ରେ ସନ୍ଦୀପ ଘୋଷ ଓ ଅନ୍ଯ ତିନି ସହଯୋଗୀଙ୍କ ଘରେ ବି ରେଡ କରିଥିଲା ଇଡି । ଏହି ରେଡ ବେଳେ ଅନେକ ଡିଜିଟାଲ ତଥ୍ଯ ସଂଗ୍ରହ କରାଯାଇଥିଲା। ସେପଟେ ଆସନ୍ତା ୨୩ ଯାଏ ବିଚାର ବିଭାଗୀୟ ହେପାଜତକୁ ଯାଇଛନ୍ତି ସନ୍ଦୀପ । ସେହିପରି ସନ୍ଦୀପଙ୍କ ସିକ୍ଯୁରିଟି ଅଫିସର ଅଫସର ଅଲ୍ଲୀ, ମେଡିକାଲ ଯନ୍ତ୍ରପାତି ଭେଣ୍ଡର ବିପ୍ଳବ ସିଂଗା ଓ ଫାର୍ମାସୀ ଦୋକାନୀ ମାଲିକ ସୁମନ ହାଜରାଙ୍କୁ ବି ୨୩ ଯାଏ ବିଚାର ବିଭାଗୀୟ ହେପାଜତକୁ ପଠାଇଛି ସ୍ବତନ୍ତ୍ର ସିବିଆଇ କୋର୍ଟ । ଗତ ସେପ୍ଟେମ୍ବର ୨ରେ ସନ୍ଦୀପଙ୍କୁ ଗିରଫ କରିଥିଲା ସିବିଆଇ । ଆର୍ଥିକ ଅନିୟମିତତା ମାମଲାର ତଦନ୍ତ ଭାର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସଆଇଟି ହାତରୁ କାଢି ସିବିଆଇକୁ ଦେବା ଲାଗି ରାଜ୍ଯ ସରକାରଙ୍କୁ ଗତ ଅଗଷ୍ଟ ୨୩ରେ ନିର୍ଦ୍ଦେଶ ଦେଇଥିଲେ କଲିକତା ହାଇକୋର୍ଟ ।

ଦେବଗଡ଼ରେ ଗଣେଶ ପୂଜା କମିଟି ଓ ସଫେଇ କର୍ମଚାରୀ ମୁହାଁମୁହିଁ

ଦେବଗଡ଼: ଦେବଗଡ଼ରେ ଗଣେଶ ପୂଜା କମିଟି ଓ ସଫେଇ କର୍ମଚାରୀ ମୁହାଁମୁହିଁ । ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ସହରରେ କୁଢକୁଢ ଅଳିଆ ପଡ଼ିଥିବା ବେଳେ ପୂଜା କମିଟି କର୍ମକର୍ତ୍ତା ସଫା କରିବାରୁ ଉତ୍ତେଜନା ଦେଖାଦେଇଛି।

ଅଭିଯୋଗ ଅନୁସାରେ, ପୌର ପରିଷଦ ସଫେଇ କର୍ମଚାରୀମାନେ ପାରମ୍ପରିକ କରମା ପୂଜା ପାଇଁ ପୌରପରିଷଦଠାରୁ ଅଗ୍ରିମ ଦରମା ଦାବି କରୁଛନ୍ତି । ହେଲେ ନିର୍ବାହୀ ଅଧିକାରୀ ନଥିବାରୁ ସେମାନଙ୍କ ଦରମା ହୋଇପାରିନାହିଁ । ଫଳରେ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଥିଲେ । ସଫେଇ କାର୍ଯ୍ଯ ହୋଇପାରୁନଥିବାରୁ ସହରରେ କୁଢକୁଢ ଅଳିଆ ପଡ଼ିରହିଛି। ଏଣୁ ଗଣେଶ ପୂଜା କମିଟି କର୍ମକର୍ତ୍ତା ନିଜେ ଏବଂ ଶ୍ରମିକଙ୍କ ଦ୍ୱାରା ସଫେଇ କରିବାରୁ ସଫେଇ କର୍ମଚାରୀ ଏହାକୁ ବିରୋଧ କରିଥିଲେ। ପ୍ରାପ୍ଯ ନମିଳିବା ପର୍ଯ୍ଯନ୍ତ ସହରରେ ସଫେଇ କରାଯିବ ନାହିଁ ବୋଲି ଯିଦ ଧରି ବସିଥିଲେ। ପୂଜା କମିଟି କର୍ମକର୍ତ୍ତା ସଫା କରିଥିବା ଅଳିଆକୁ ପୁଣିଥରେ ରାସ୍ତାରେ ପକାଇଥିଲେ। ଯାହାକୁ ନେଇ ପୂଜା କମିଟି ଓ ସଫେଇ କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି। ସଫେଇ ନହେବା ଯାଏ ପୂଜା ବନ୍ଦ ରହିବ ବୋଲି କହି ଧାରଣା ବସିଛନ୍ତି ପୂଜା କମିଟି ସଭାପତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରୁଛି।

ଉତ୍ତରପ୍ରଦେଶରେ ପୁଣି ଗଧିଆ ଆତଙ୍କ; ଦୁଇ ଦିନରେ ତିନି ଜଣଙ୍କୁ ମରାଣତ୍ମକ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ : ଉତ୍ତରପ୍ରଦେଶ ବାହରାଇଚରେ ପୁଣି ଗଧିଆ ଆତଙ୍କ। ଥମିବାରେ ନାଁ ନେଉନାହିଁ ଗଧିଆ ଆକ୍ରମଣ। ଗତ ଦୁଇ ଦିନରେ ତିନି ଜଣଙ୍କୁ ମରାଣତ୍ମକ ଆକ୍ରମଣ। ସେମାନଙ୍କ ମଧ୍ୟରୁ ୨ ଜଣ ନାବାଳିକା ଥିବାବେଳେ ଜଣେ ମହିଳା ରହିଛନ୍ତି। ଏପର୍ଯ୍ୟନ୍ତ ବନ ବିଭାଗ ୫ଟି ଗଧିଆଙ୍କୁ କାବୁ କରିସାରିଥିବା ବେଳେ ଆଉ ଏକମାତ୍ର ଗଧିଆ ଭୟଙ୍କର ହୋଇଉଠିଛି।

ବାହରାଇଚର ମହସୀ ଅଞ୍ଚଳରେ ଗଧିଆଟିର ଆତଙ୍କ ଜାରି ରହିଛି । ବୁଧବାର ବିଳମ୍ୱିତ ରାତିରେ ଗଧିଆଟି ୫୦ ବର୍ଷୀୟ ମହିଳାଙ୍କୁ ଆକ୍ରମଣ କରି ଗୁରୁତର କରିଛି । ମହିଳା ଜଣଙ୍କ ଘର ବାରଣ୍ଡାରେ ଶୋଇଥିବା ବେଳେ ଗଧିଆଟି ଆକ୍ରମଣ କରିଥିଲା । ମହିଳାଙ୍କ ଚିତ୍କାର ଶୁଣି ଘରଲୋକ ଦୌଡିଆସି ମହିଳାଙ୍କ ଜୀବନ ବଞ୍ଚାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପୂର୍ବରୁ ୨ ନାବାଳିକାଙ୍କୁ ଆକ୍ରମଣ କରିଥିଲା ଏହି ଗଧିଆ।

ଗତ ୧୦ ତାରିଖରେ ବନ ବିଭାଗ ପଞ୍ଚମ ଗଧିଆକୁ ଧରିଥିଲେ। ଏହାପରେ ବାହାରେ ରହି ଯାଇଥିବା ଏକମାତ୍ର ଗଧିଆ ଉତ୍ତ୍ୟକ୍ତ ହେବା ସହ ଭୟଙ୍କର ହୋଇ ଉଠିଛି। ସ୍ଥାନୀୟ ଲୋକଙ୍କୁ ସତର୍କ ରହିବା ପାଇଁ ବନ ବିଭାଗ କହିଛି ।

ଗଞ୍ଜାମ ସୋରଳ ଗାଁରେ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ

ଗଞ୍ଜାମ: ଗଣେଶ ପୂଜା ବିସର୍ଜନ ବେଳେ ଅଘଟଣ । ଭସାଣି ବେଳେ ଅନେକ ସ୍ଥାନରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ସୋରଳ ଗାଁରେ ଭସାଣି ବେଳେ ହିଂସା । ଗଣେଶ ମେଢ଼ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷରେ ଅନେକ ଯୁବକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନା ମୁତାବକ, ସୋରଳ ବସଷ୍ଟାଣ୍ଡ ସାହି ଓ କେଉଟ କଇଠା ସାହି ମଧ୍ଯରେ ଡିଜେ ଏବଂ ନାଚକୁ ନେଇ ପ୍ରଥମେ ବଚସା ହୋଇଥିଲା। ଏହାପରେ କିଛି ଅସାମାଜିକ ଯୁବକ ସର୍ଜରୀ ବ୍ଲେଡରେ ଅତର୍କିତ ଆକ୍ରମଣ କରିଥିଲେ। ସଂଘବଦ୍ଧ ଆକ୍ରମଣରେ ବସଷ୍ଟାଣ୍ଡ ସାହିର ଅନେକ ଯୁବକ ଲହୁଲୁହାଣ ହୋଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ଅନ୍ୟପଟେ ଭଦ୍ରକ ଜିଲ୍ଲା ତିହିଡି ଥାନା ପାଳିଆବିନ୍ଧାରେ ଗଣେଶ ମୂର୍ତ୍ତି ଭସାଣ ବେଳେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଉଭୟ ପକ୍ଷରୁ ୨ ଜଣ ଗୁରୁତର ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ବୁଧବାର ରାତିରେ ଭସାଣ ବେଳେ ଘଟିଥିଲା ଗୋଷ୍ଠୀ ସଂଘର୍ଷ। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି। ଜଣେ ମାଜିଷ୍ଟ୍ରେଟଙ୍କ ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ଚାନ୍ଦିପୁରରୁ ପରୀକ୍ଷଣ ହେବ ସ୍ବଳ୍ପ ଦୂରଗାମୀ ମିସାଇଲ; ୩୧ଶହ ଜନସାଧାରଣଙ୍କୁ ସ୍ଥାନାନ୍ତର

ବାଲେଶ୍ୱର: ଆଜି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପରୀକ୍ଷଣ ହେବ ସ୍ବଳ୍ପ ଦୂରଗାମୀ ମିସାଇଲ। ପୂର୍ବାହ୍ନରେ ତିନି ନମ୍ବର ଲଞ୍ଚପ୍ୟାଡରୁ ଏହାକୁ ପରୀକ୍ଷଣ କରିବାକୁ ଧାର୍ଯ୍ଯ କରାଯାଇଛି। ଏଥିପାଇଁ ଲଞ୍ଚପ୍ଯାଡର ଅଢେଇ କିଲୋମିଟର ପରିଧି ଅଞ୍ଚଳର ୩୧ଶହ ଜନସାଧାରଣଙ୍କୁ ସ୍ଥାନାନ୍ତର କରାଯିବା ସହ ସେମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେଇଛି ପ୍ରଶାସନ। ଜୟଦେବକସବା ପାହି ଓ ସାହାଜାନଗର ପାହି ଅଞ୍ଚଳର ୧ ହଜାର ୯୩, ଭୀମପୁର ପାହି ଓ ତୁଣ୍ଡରା ପାହି ଅଞ୍ଚଳରୁ ୮୯୫ ଏବଂ ଖଡ଼ୁପାହି ଓ କୁସୁମୁଳୀ ଅଞ୍ଚଳରୁ ୧୧ଶହ ୧୨ଙ୍କୁ ମିଶାଇ ମୋଟ ୬ଟି ଗାଁର ୩୧ ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ସମସ୍ତଙ୍କ ପାଇଁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ ଓ ଅସ୍ଥାୟୀ ଟେଣ୍ଟରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ପରୀକ୍ଷଣ ସରିବା ପର୍ଯ୍ଯନ୍ତ ସମସ୍ତେ ଅସ୍ଥାୟୀ ଶିବିରରେ ରହିବେ। ସ୍ଥାନାନ୍ତରିତ ଲୋକଙ୍କ ପାଇଁ ଜଳଖିଆ ଓ ମଧ୍ଯାହ୍ନ ଭୋଜନ ଯୋଗାଇ ଦିଆଯିବ। ଏଥିସହିତ କ୍ଷତିପୂରଣ ବାବଦକୁ ସହାୟତା ରାଶି ମଧ୍ଯ ପ୍ରଦାନ କରାଯିବ।

ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ

କେନ୍ଦୁଝର: ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ। ସମାକୋଇ ଚକଦର ଜଳସେଚନ ପ୍ରକଳ୍ପକୁ ବିରୋଧ କରି  ଚକଦର ସମନ୍ବୟ ସମିତି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ସ୍କୁଲ କଲେଜ ସମେତ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ବନ୍ଦକୁ ସମର୍ଥନ କରିଛନ୍ତି ବିଭିନ୍ନ ସଂଗଠନ ଓ ସାଧାରଣ ଲୋକ। ବନ୍ଦ ଯୋଗୁଁ ଗାଡ଼ି ମୋଟର ଚଳାଚଳ ସହିତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ୪୯ ନମ୍ବର ଜାତୀୟ ରାଜପଥକୁ ଜଗମୋହନପୁର ଛକ ଠାରେ ବିକ୍ଷୋଭକାରୀ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଦୁଇ ପାର୍ଶ୍ୱରେ ଶହ ଶହ ଗାଡି ମୋଟର ଅଟକି ରହିଛି।

ତେଲକୋଇ ବଜାର ସହ ଜଗମୋହନପୁର ବଜାର ମଧ୍ୟ ବନ୍ଦ ରହିଛି। ଫଳରେ ଲୋକେ ନାହିଁଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ଆମ୍ବୁଲାନ୍ସ ଓ ଅନ୍ୟ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି। ସମାକୋଇ ନଦୀ ଉପରେ ହେବାକୁ ଥିବା ଚକଦର ଜଳ ପ୍ରକଳ୍ପକୁ ସମ୍ପୁର୍ଣ୍ଣ ବନ୍ଦ ପାଇଁ ବିକ୍ଷୋଭକାରୀ ଦାବି କରିଛନ୍ତି।