ନନ୍ଦିଘୋଷ ବ୍ୟୁରୋ: ପୁରୀ ଉପକୂଳ ଅତିକ୍ରମ କଲା ଗଭୀର ଅବପାତ । ଦିନ ସାଢେ ୧୦ରୁ ସାଢେ ୧୧ଟା ମଧ୍ୟରେ ଉପକୂଳ ଅତିକ୍ରମ କରିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗଭୀର ଅବପାତ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଛି । ବିଶେଷ କରି ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଭୀଷଣ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଭୀଷଣ ବର୍ଷା ନେଇ ୧୦ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି। ସେହିଭଳି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୨ଟି ଜିଲ୍ଲାକୁ ଅରେଞ୍ଜ ଏବଂ ପ୍ରବଳ ବର୍ଷା ନେଇ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ରେଡ ଆଲର୍ଟରେ ଥିବା ଜିଲ୍ଲା ଗୁଡିକ ହେଲା ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର । ସେହିଭଳି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବରଗଡ, ସୋନପୁର, ନୂଆପଡା, କଳାହାଣ୍ଡି, ରାୟଗଡା ଏବଂ ଗଜପତି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଏବଂ ଦେବଗଡକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର।କାଲି ସକାଳ ପର୍ଯ୍ୟନ୍ତ ସର୍ବାଧିକ ବର୍ଷାର ପ୍ରଭାବ ରହିବ । କାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଝାରସୁଗୁଡା, ବରଗଡ ଏବଂ ନୂଆପଡାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୪ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଗଭୀର ଅବପାତଟି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତା ଦୁଇ ଦିନ ମଧ୍ୟରେ ଉତ୍ତର ଓଡ଼ିଶା, ଗାଙ୍ଗେଟି ପଶ୍ଚିମବଙ୍ଗ, ଝାଡଖଣ୍ଡ ଦେଇ ଛତିଶଗଡ ମୁହାଁ ହେବ।
ଭାରତରେ ମଙ୍କିପକ୍ସ ରୋଗୀ, ସଜାଗ ଓଡିଶା; ସତର୍କ ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ
ଭୁବନେଶ୍ୱର: ଭାରତରେ ମଙ୍କିପକ୍ସ ରୋଗୀ ଚିହ୍ନଟ ପରେ ସଜାଗ ଓଡିଶା । ସତର୍କ ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ। ମଙ୍କିପକ୍ସକୁ ନେଇ ଜଳ, ସ୍ଥଳ, ଆକାଶ ସମସ୍ତ ଅନ୍ତର୍ଜାତୀୟ ଏଣ୍ଟ୍ରି ପଏଣ୍ଟରେ ଆଲର୍ଟ ଜାରି।
ମଙ୍କିପକ୍ସ ଉଚ୍ଚ ସଂକ୍ରମିତ । ପ୍ରଭାବିତ ଦେଶରୁ ଆସିଥିବା ଯୋଗୁଁ ସନ୍ଦିଗ୍ଧ ରୋଗୀଙ୍କୁ ଇଣ୍ଟରନ୍ୟାସନାଲ କ୍ୱାରେଣ୍ଟାଇନରେ ରଖାଯାଇଛି । ଆଇସୋଲେଟ କରିକି ରଖାଯାଇଛି। ପରୀକ୍ଷା ନିରୀକ୍ଷା କରାଯାଉଛି । ଓଡ଼ିଶାରେ ଯଦି କିଏ ଲକ୍ଷଣ ଆସିଲା ତେବେ ସଙ୍ଗରୋଧ କରାଯିବ। କଣ୍ଟାକ୍ଟ ଆଭଏଡ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଏଭଳି କେସ ଆସିଲେ ବୁଲିବାକୁ ଦିଆଯିବ ନାହିଁ । ଏହା ସିଧା ଭାରତ ସରକାର ଦ୍ୱାରା ତଦାରଖ କରାଯାଉଛି । ଯଦି କେହି ସ୍ଲିପ ହୋଇକି ରାଜ୍ୟକୁ ଆସିଲେ ତାଙ୍କୁ ଆଇସୋଲେସନ କରାଯିବ। ଅନବୋର୍ଡିଂ ଇଣ୍ଟରନ୍ୟାସନାଲ କ୍ୱାରେଣ୍ଟାଇନରେ ଫିଲଟରେସନ ହେଉଛି । ଫ୍ଲାଇଟ ଏଣ୍ଟ୍ରି ପଏଣ୍ଟରେ ଭାରତ ସରକାରଙ୍କ ହେଲଥ ଟିମ ଅଛି। ସେହି ଟିମ ସହ ସ୍ୱାସ୍ଥ୍ୟ ବିଭାଗର ସମନ୍ଵୟ ରହିଛି।
ଦେଶରେ ଏହି କେସ ଛଡା ଆଉ କିଛି ନୂଆ ମାମଲା ନାହିଁ । ତେଣୁ କେହି ଆତଙ୍କିତ ନ ହେବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଜ୍ୱର ସହ ରାସେସ ଏହାର ଲକ୍ଷଣ। ଘିମିରି ଭଳି ରାସେସ ହୋଇ ସେଥିରେ ପାଣି ହୋଇଯିବ । ଏଭଳି ହେଲେ ଆଇସୋଲେଟ ହେବେ ଓ ଭାରତ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଚିକିତ୍ସିତ ହେବେ । କୋଭିଡ ଭଳି ଚିକିତ୍ସା ହେବ। ପାରାସିଟାମଲ ସହ କୋଭିଡ ଭଳି ଆଣ୍ଟି ଭାଇରାଲ ଦିଆଯିବ। କୋଭିଡରେ ବି ଆଇସୋଲେସନ ହେଉଥିଲା । ଘିମିରି ଭଳି ଫୋଟକା ପାଣିରୁ ଅଧିକ ଇନଫେକସନ ହୁଏ । ମଙ୍କିପକ୍ସରେ ଲୋକାଲ ଇନଫେକ୍ସନ ହୋଇପାରେ । ନିମୋନିଆ ଓ ବ୍ରେନକୁ ବି ଧରିପାରେ । ଏବେ ସମସ୍ତ ଅନ୍ତର୍ଜାତୀୟ ପ୍ରବେଶ ପଥ ଉପରେ ନଜର ରହିଛି । ଭାରତ ସରକାରଙ୍କ ଏକ ୟୁନିଟ ଏହାକୁ ନିୟନ୍ତ୍ରଣ କରୁଛି ବୋଲି ସ୍ବାସ୍ଥ୍ଯ ବିଭାଗ କହିଛି ।
କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ଯା ଘଟଣା; ବିକ୍ଷୋଭ ବେଳେ ସୁପ୍ରିମକୋର୍ଟ ଶୁଣାଣି ବସି ଦେଖିଲେ ଡାକ୍ତର
କୋଲକାତା: ସୁପ୍ରିମକୋର୍ଟରେ ଆରଜି କର ମେଡିକାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣାରେ ଶୁଣାଣି ଚାଲିଥିବାବେଳେ କୋଲକାତା ଆରଜି ଜି କର ହସ୍ପିଟାଲ ଗେଟ ବାହାରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଜୁନିଅର୍ ଡାକ୍ତରମାନେ ସୁପ୍ରିମକୋର୍ଟ ରାୟକୁ ଦେଖିଛନ୍ତି। ଟିଭି ପରଦାରେ ସୁପ୍ରିମକୋର୍ଟ ଶୁଣାଣିକୁ ଦେଖିଥିଲେ ଆନ୍ଦୋଳନରତ ଡାକ୍ତର। ପୀଡ଼ିତା ମହିଳା ଡାକ୍ତର ହତ୍ୟା ଘଟଣାକୁ ଏକ ମାସ ପୁରିଥିବାବେଳେ ତାଙ୍କ ଫଟୋ ଆଗରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଉଇ ୱାଣ୍ଟ ଜଷ୍ଟିସ ସ୍ଳୋଗାନ ଦେଇ ନ୍ୟାୟ ମାଗିଛନ୍ତି ଆନ୍ଦୋଳନରତ ଡାକ୍ତର।
ଲଘୁଚାପଜନିତ ବର୍ଷାର ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ଲଘୁଚାପଜନିତ ବର୍ଷାର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା। ରାଜୀବ ଭବନରେ ଏସଆରସି ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସ୍ଥିତିର ସମୀକ୍ଷା କରିବା ସହ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି। ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡରେ ମୁତୟନ ହୋଇଛନ୍ତି ୬ ଏନଡିଆରଏଫ ଟିମ।
ସେପଟେ ବର୍ଷା ପ୍ରଭାବିତ ଅଞ୍ଚଳକୁ ୧୮ଟି ଓଡ୍ରାଫ ଟିମ୍ ପଠାଯିବ। ମାଲକାନଗିରିକୁ ୬, କୋରାପୁଟ, ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, ବୌଦ୍ଧ ଓ ବଲାଙ୍ଗୀରକୁ ୨ଟି ଲେଖାଏଁ ଟିମ ପଠାଯିବ। ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ଏସଆରସିଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। କୋରାପୁଟର ୬ ବ୍ଲକ ପ୍ରଭାବିତ ହୋଇଥିବାବେଳେ ୩୬ଟି ଗାଁ ପ୍ରଭାବିତ ହୋଇଛି। ୧୫୦ ଘର ଆଂଶିକ ପ୍ରଭାବିତ ହୋଇଛି। ମାଲକାନଗିରି ଜିଲ୍ଲାର ସବୁ ବ୍ଲକରେ ଗୋଟିଏ ଲେଖାଏଁ ଅଗ୍ନିଶମ ବାହିନୀ ଟିମ ନିୟୋଜିତ ହୋଇଛନ୍ତି। ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତି। ସମସ୍ତ ଫିଲ୍ଡ଼ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନୀୟ ଲୋକାଲ ବଡି ପ୍ରଶାସନକୁ ଜଳ ନିଷ୍କାସନ ତୁରନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଭୁବନେଶ୍ୱରରେ ୩୦ ପମ୍ପ, କଟକ ଓ ପୁରୀରେ ୧୦ଟି ଲେଖାଏଁ ପମ୍ପ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥିତି ଉପରେ ନଜର ରଖିବାକୁ ଇଂଜିନିୟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରମୁଖ ସଚିବ ସାମାଜିକ ସୁରକ୍ଷା ବିଷ୍ଣୁପଦ ସେଠୀ ଓ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କୁ ମାଲକାନଗିରି ପଠାଯିବ। ସେହିପରି ପୋଲିସ ଡିଆଇଜି ଚରଣ ସିଂ ମୀନା ଯିବେ କୋରାପୁଟ ।


