spot_img
Home Blog Page 1837

ଭାରତ-ଇରାନ ମଧ୍ୟରେ ବଡ଼ ବ୍ଯାବସାୟିକ ଡିଲ୍, ଇରାନର ଚବାହାର ପୋର୍ଟ ଦାୟିତ୍ଵ ନେଲା ଭାରତ

ନନ୍ଦିଘୋଷ ବ୍ୟୁରୋ : ଇରାନ ସହିତ ଭାରତର ବଡ୍ ଡିଲ। ପାକିସ୍ତାନ ଓ ଚୀନକୁ ଲାଗିଛି ଜବରଦସ୍ତ ଝଟକା। ଭାରତ ଓ ଇରାନ ମଧ୍ୟରେ ଚବାହାର ବନ୍ଦରକୁ ନେଇ ବଡ଼ ଚୁକ୍ତି ସ୍ଵାକ୍ଷରିତ ହୋଇଛି। ଏହି ବୁଝାମଣା ଅନୁସାରେ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ଚବାହାର ପୋର୍ଟର ପରିଚାଳନା ଦାୟିତ୍ଵ ସମ୍ପାଦନ କରିବ ଭାରତ। ପ୍ରଥମଥର ଲାଗି ଭାରତ ବିଦେଶରେ କୌଣସି ବନ୍ଦରର ପରିଚାଳନା ଦାୟିତ୍ଵ ସମ୍ପାଦନ କରିବ।  ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ଭାରତ ଏହି ବନ୍ଦରର ଉନ୍ନତୀକରଣ ସହ ପରିଚାଳନା କରିବ। ଭାରତ-ଇରାନ ମଧ୍ୟରେ ସମ୍ପରରେ ଏହା ଏକ ଗୁରୁତ୍ଵପୂର୍ଣ୍ଣ ଚୁକ୍ତି ବୋଲି କୁହାଯାଉଛି।

ଭାରତ ଇରାନର ଏହି ଡିଲରେ ପଡୋଶୀ ଦେଶ ପାକିସ୍ତାନ ଓ ଚୀନକୁ ଲାଗିଛି ବଡ଼ ଝଟକା। ଚବାହାରରେ ଦୁଇଟି ବନ୍ଦର ରହିଛି। ସେଥିମଧ୍ୟରୁ ଶାହିଦ ବହିସ୍ତୀ ବନ୍ଦର ଦାୟିତ୍ଵ ବୁଝିବ ଭାରତ। ବର୍ତ୍ତମାନ ମଧ୍ୟ ଏହି ବନ୍ଦର ପରିଚାଳନା ଦାୟିତ୍ଵ ସମ୍ପାଦନ କରୁଛି ଭାରତ। ତେବେ ଏହା ସ୍ଵଳ୍ପକାଳୀନ ଚୁକ୍ତି ଥିଲା। ସମୟ ବ୍ୟବଧାନରେ ଏହାକୁ ନବୀନକରଣ କରିବାକୁ ପଡୁଥିଲା। ବର୍ତ୍ତମାନ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ଵ ଭାରତକୁ ମିଳିଛି। ଏହି ଚୁକ୍ତି ଜରିଆରେ ଭାରତ ଏହି ବନ୍ଦରରେ ୧୨ କୋଟି ଆମେରିକୀୟ ଡଲାର ନିବେଶ କରିବ। ଏହି ବନ୍ଦରର ଉନ୍ନତୀକରଣ କରୁଛି ଭାରତ। ଏହାଦ୍ବାରା ଆଫଗାନିସ୍ଥାନ, ଇରାନ ଏବଂ ମଧ୍ୟ ଏସୀୟ ରାଷ୍ଟ୍ରଗୁଡିକ ସହ ଭାରତର ବ୍ୟବସାୟିକ କାରବାରର ରାସ୍ତା ଖୋଲିବ।

ଧୂଳିଝଡ଼ରେ ଭାଙ୍ଗିଲା ବିଜ୍ଞାପନ ହୋର୍ଡିଂ; ୧୪ ମୃତ ଓ ୭୪ ଆହତ

ମୁମ୍ବାଇ : ମୁମ୍ବାଇରେ ଧୂଳିଧଡ଼ରେ ଭାଙ୍ଗିଲା ବିଜ୍ଞାପନ ହୋର୍ଡିଂ। ହୋର୍ଡିଂ ପଡି ୧୪ ଜଣଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ମୁମ୍ବାଇ ପୂର୍ବ ଘାଟକୋପର ଅଂଚଳରେ ଘଟିଥିଲା ଏହି ଅଘଟଣ । ସୋମବାର ମୁମ୍ବାଇରେ ଅପରାହ୍ନରେ ପ୍ରବଳ ଧୂଳିଝଡ଼ ଦେଖାଦେଇଥିଲା। ପ୍ରବଳ ଧୂଳି ସହ ପବନରେ ଭାଙ୍ଗି ପଡ଼ିଥିଲା ଏହି ହୋର୍ଡିଂ। ସେତେବେଳେ ଏହି ହୋର୍ଡିଂ ନିକଟରେ ପ୍ରାୟ ୮୦ରୁ ଅଧିକ ଲୋକ ଥିଲେ। ଲୁହାରେ ନିର୍ମିତ ହୋର୍ଡିଂ ପଡିଯିବାରୁ ୧୪ ଜଣଙ୍କ ମୃତ୍ଯୁ ହୋଇଥିବାବେଳେ ୭୪ ଜଣ ଆହତ ହୋଇଛନ୍ତି।

ଏକ ପେଟ୍ରୋଲ ପମ୍ପ ସାମନାରେ ଏହି ହୋର୍ଡିଂ ଲାଗିଥିଲା। ଅପରାହ୍ନ ସାଢେ ୪ଟା ସମୟରେ ଘଟିଥିଲା ଏ ଦୁର୍ଘଟଣ।  ଦୁର୍ଘଟଣାର ଖବର ପାଇ ତୁରନ୍ତ ସେଠାରେ ପହଞ୍ଚିଥିଲେ ଉଦ୍ଧାରକାରୀ ଦଳ। ଭୟଙ୍କର ଝଡ଼ ତୋଫାନରେ ଘାଟକୋପର, ବାନ୍ଦ୍ରା, କୁର୍ଲା ଓ ଧାରାବୀ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡ଼ିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ହୋର୍ଡିଂ ଭାଙ୍ଗି ପଡ଼ିବାରୁ ଏହା ତଳେ ବହୁ ଲୋକ ଚାପି ହୋଇ ରହିଥିଲେ। ଏନଡିଆରଏଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ରେସକ୍ୟୁ ଅପରେସନ କରାଯାଇଥିଲା। ଏହି ଘଟଣାରେ ପେଟ୍ରୋଲ ପମ୍ପ ମାଲିକଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ସରକାର। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି।

ପ୍ରଦୀପ ପାଣିଗ୍ରାହୀ- ଶିବଶଙ୍କର ଦାସ ମୁହାଁମୁହିଁ

ନନ୍ଦିଘୋଷ ବ୍ୟୁରୋ: ବ୍ରହ୍ମପୁରରେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଓ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ବ୍ରହ୍ମପୁରରେ ଅଭାବନୀୟ ପରିସ୍ଥିତି ଉପୁଜିଛି। ଗୋଷାଣୀ ନୂଆଗାଁରେ ଶତାଧିକ ଲୋକ ରୁଣ୍ଡ ହୋଇଛନ୍ତି। ଜଣାପଡିଛି ଯେ, ଆଜି ଅପରାହ୍ନରେ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଗୋଷାଣୀ ନୂଆଗାଁର ଏକ ବୁଥକୁ ଯାଇଥିଲେ। ପ୍ରଦୀପ ବୁଥ୍ ରିଗିଂ କରୁଥିବା ଆଶଙ୍କା କରି ସ୍ବାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫଳରେ ସେଠାରେ ଉଭୟଙ୍କ ମଧ୍ୟରେ ବଚସା ଓ ହାତାହାତି ହୋଇଥିଲା। ଏହି ଘଟଣା ସମ୍ପର୍କରେ ଗୋଷାଣୀ ନୂଆଗାଁ ଥାନାରେ ପ୍ରଦୀପଙ୍କ ଅଭିଯୋଗକ୍ରମେ ଶିବଶଙ୍କର ଦାସଙ୍କୁ ପୋଲିସ ଅଟକ ରଖିଛି। ଶିବଶଙ୍କରଙ୍କୁ ତୁରନ୍ତ ଥାନାରୁ ଛାଡିବା ଦାବିରେ ଗୋଷାଣୀ ନୂଆଗାଁର ଶତାଧିକ ଲୋକ ଥାନା ଆଗରେ ଅଡି ବସିଛନ୍ତି।

କୋରେଇରେ ବିଜେଡିର ଜୋରଦାର ପ୍ରଚାର

ନନ୍ଦିଘୋଷ ବ୍ୟୁରୋ: କୋରେଇରେ ବିଜେଡି ପ୍ରାର୍ଥିନୀ ସନ୍ଧ୍ୟାରାଣୀ ଦାସଙ୍କ ଜୋରଦାର ପ୍ରଚାର। ନିର୍ବାଚନ ମଣ୍ଡଳୀର ତାହାରପୁର, ତୁଳତୀ ଓ କାଚରାସାହି ଗ୍ରାମ ପଞ୍ଚାୟତରେ କରିଛନ୍ତି ମାରାଥନ ପ୍ରଚାର । ବିଭିନ୍ନ ପଞ୍ଚାୟତରେ ସ୍ଥାନୀୟ ବିଜେଡି ନେତା ଓ କର୍ମୀଙ୍କ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ଓ ଧନ୍ୟବାଦ ସଭାରେ ଯୋଗଦେଇ ନିଜ ସପକ୍ଷରେ ଭୋଟ ଅପିଲ କରିଛନ୍ତି । ଏହି ଅବସରରେ ସମର୍ଥକ ଓ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କାର୍ଯ୍ଯକ୍ରମରେ ସନ୍ଧ୍ୟାରାଣୀଙ୍କ ସହ କୋରେଇ ନିର୍ବାଚନ ମଣ୍ଡଳୀର ବହୁ ଆଗଧାଡିର ବିଜେଡି ନେତା ସାମିଲ ହୋଇଥିଲେ । ସ୍ବର୍ଗତ ଅଶୋକ ଦାସଙ୍କ ଗଡ଼ରେ ତାଙ୍କ ପତ୍ନୀ ସନ୍ଧ୍ୟାରାଣୀ ଚଳିତ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହେବେ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି । କୋରେଇରୁ ସନ୍ଧ୍ୟାରାଣୀ ଦାସଙ୍କୁ ପ୍ରାର୍ଥୀ କରିଥିବାରୁ ବିଜେଡିର ନେତା ଓ କର୍ମୀମାନେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

 

ମହୁମାଛି ଆକ୍ରମଣରେ ୧୦ରୁ ଉର୍ଦ୍ଧ୍ବ ଆହତ

ନନ୍ଦିଘୋଷ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ବାରିଆ ଥାନା ଫୁଲକଅଁଳେଇ ଗ୍ରାମରେ ଅଘଟଣ । ମହୁମାଛି ଆକ୍ରମଣରେ ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଭଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି । ଫୁଲକଅଁଳେଇ ଗ୍ରାମରେ ୪ ଦିନ ଧରି ଚବିଶ ପ୍ରହର ନାମଯଜ୍ଞ ଚାଲୁ ରହିଥିଲା । ଆଜି ଶେଷଦିନରେ ଗାଁ ମୁଣ୍ଡରେ ରାଧାକୃଷ୍ଣଙ୍କ ମେଳଣ ସମୟରେ ପାଖରେ ଥିବା ଏକ ଗଛରୁ ମହୁମାଛି ଅତର୍କିତ ଆକ୍ରମଣ କରିଥିଲେ । ଗୁରୁତର ମଧ୍ୟରୁ ୨ ଜଣ ଙ୍କ ଅବସ୍ଥା ଶଙ୍କଟାପନ୍ନ ରହିଛି

ଭୁବନେଶ୍ବର ପଳାଶୁଣୀ ଛକରେ ଭୟଙ୍କର ସିରିଜ ଦୁର୍ଘଟଣା

ଭୁବନେଶ୍ବର: ପଳାଶୁଣୀ ଛକରେ ଭୟଙ୍କର ସିରିଜ ଦୁର୍ଘଟଣା । ବୋଲେରୋ, କାର ଏବଂ ପିକଅପ ଗାଡି କୁ ପଛରୁ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ୩ ରୁ ଅଧିକ ଲୋକ ଆହତ । ସମସ୍ତଙ୍କୁ ମେଡିକାଲ ରେ ଭର୍ତ୍ତି କରିଛି ପୋଲିସ । ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରି ତଦନ୍ତ କରୁଛି ମଞ୍ଚେଶ୍ୱର ଥାନା ପୋଲିସ । ଦୁର୍ଘଟଣା ହେତୁ ପଳାଶୁଣୀ ଛକରେ ଦୀର୍ଘ ସମୟ ଟ୍ରାଫିକ ଜାମ ହୋଇଛି ।

ଅନୁଗୁଳରେ କାର୍ତ୍ତିକ ପାଣ୍ଡିଆନଙ୍କ ମେଗା ରୋଡ୍ ଶୋ’

ନନ୍ଦିଘୋଷ ବ୍ୟୁରୋ: ଅନୁଗୁଳରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ମେଗା ରୋଡ୍ ଶୋ’ । ରୋଡ୍ ଶୋ’ରେ ଯୋଗ ଦେଇଛନ୍ତି ଶତାଧିକ ଜନତା । ଜନସମୁଦ୍ର ପାଲଟିଛି ଅନୁଗୁଳ ସହର । କାର୍ତ୍ତିକ ପାଣ୍ଡିଆନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବା ସହ ଫୁଲ ପକାଇ ସ୍ବାଗତ କରିଥିଲେ । ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ସେ ଅପିଲ କରିଛନ୍ତି ।

ଆନ୍ଧ୍ରପ୍ରଦେଶର ସମୁଦାୟ ୨୫ ଲୋକସଭା ଆସନ ଓ ସମସ୍ତ  ୧୭୫ ବିଧାନସଭା ଆସନରେ ସରିଲା ଭୋଟ୍

ନନ୍ଦିଘୋଷ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ସମୁଦାୟ ୨୫ ଲୋକସଭା ଆସନ ଓ ସମସ୍ତ  ୧୭୫ ବିଧାନସଭା ଆସନରେ ସରିଲା ଭୋଟ। ୨୫ ଲୋକସଭା ଆସନ ଲାଗି ପ୍ରାର୍ଥୀ ୫୦୩ ଜଣ ଥିବାବେଳେ ୧୭୫ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଅଛନ୍ତି ୨, ୭୦୫ ଜଣ। ମଇଦାନରେ YSRCP ନେତା ଜଗନ ମୋହନ ରେଡ୍ଡୀ ଥିବାବେଳେ ସେ ଲଢୁଛନ୍ତି ପୁଲିବେନ୍ଦୁଲା ଆସନରୁ। ଟିଡିପି ନେତା ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କୁପ୍ପମ ଆସନରୁ ଲଢୁଛନ୍ତି। ପିଠାପୁରମ ବିଧାନସଭା ଆସନରୁ ଲଢୁଛନ୍ତି ଜନସେନା ମୁଖ୍ଯ ପୱନ କଲ୍ଯାଣ।  କେବଳ ଓ୍ବାଇଏସଆରସିପି ପୁଣି ସରକାର କରିବ ନା ହେବ ଏନଡିଏ ସରକାର ନା ଇଣ୍ଡିଆ ମେଣ୍ଟ ସରକାର । ୧୭୫ ଆସନ ବିଶିଷ୍ଟ ବିଧାନସଭାରେ ବର୍ତ୍ତମାନ ଓ୍ବାଇଏସଆରସିପିର ସଦସ୍ଯ ସଂଖ୍ଯା ରହିଛି ୧୩୫ । ଏନଡିଏ ସଦସ୍ଯ ସଂଖ୍ଯା ରହିଛି ୨୬ । ସେଥିରେ ଟିଡିପିର ୨୩, ବିଜେପିର ୨, ଜନସେନାର ଜଣେ ବିଧାୟକ ରହିଛନ୍ତି । ତେଣେ ଇଣ୍ଡିଆ ମେଣ୍ଟରେ ଅଛନ୍ତି କଂଗ୍ରେସର ମାତ୍ର ୪ ସଦସ୍ଯ । ୨୦୧୪ରୁ ୨୦୧୯ ରାଜ୍ଯରେ ତେଲଗୁ ଦେଶମ ପାର୍ଟି ସରକାର କରିଥିଲା ଏବଂ ମୁଖ୍ଯମନ୍ତ୍ରୀ ଥିଲେ ଏନ. ଚନ୍ଦ୍ରବାବୁ ନାଇଡୁ ।

୨୦୧୯ରେ ପୂର୍ବତନ ମୁଖ୍ଯମନ୍ତ୍ରୀ ଓ୍ବାଇଏସ ରାଜଶେଖର ରେଡ୍ଡୀଙ୍କ ପୁଅ ଜଗନ ମୋହନଙ୍କ ନେତୃତ୍ବାଧୀନ ଓ୍ବାଇଏସଆରସିପି ରାଜ୍ଯରେ ସରକାରରେ ରହିଛି । ଚଳିତ ନିର୍ବାଚନରେ ଓ୍ବାଇଏସଆରସିପି ଏକାକୀ ନିର୍ବାନନ ଲଢୁଥିବାବେଳେ ଟିଡିପି-ବିଜେପି-ଜନସେନା କରିଥିଲେ ମେଣ୍ଟ । କଂଗ୍ରେସ ଓ ବାମପନ୍ଥୀ ଦଳଙ୍କ ମଧ୍ଯରେ ହୋଇଥିଲା ମେଣ୍ଟ । ଲୋକସଭା କ୍ଷେତ୍ରରେ ବିଜେପି ୬, ଟିଡିପି ୧୭, ଜନସେନା-୨ ଆସନରେ ଲଢିଛନ୍ତି । ବିଧାନସଭା କ୍ଷେତ୍ରରେ  ବିଜେପି ୧୦, ଟିଡିପି ୧୪୪, ଜନସେନା ୨୧ ଆସନରେ ଲଢିଛନ୍ତି । ପୁଲିବେନ୍ଦୁଲା ଆସନରୁ ଲଢୁଛନ୍ତି ମୁଖ୍ଯମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ବିଧାନସଭା ମଇଦାନରେ ୬ ପୂର୍ବତନ ମୁଖ୍ଯମନ୍ତ୍ରୀଙ୍କ ପୁଅ ଅବତୀର୍ଣ୍ଣ ହୋଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାର୍ତ୍ତିକ ପାଣ୍ଡିଆନଙ୍କ ଜବାବ

ନନ୍ଦିଘୋଷ ବ୍ୟୁରୋ: କୋଇଲା ରୟାଲ୍ଟି ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ବିବୃତିର ଜବାବ ଦେଇଛନ୍ତି 5T ଅଧ୍ୟକ୍ଷ ତଥା ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ତାଳଚେରରେ ଥିବା ମହାନଦୀ କୋଲ ଫିଲ୍ଡ ଗତବର୍ଷ ୨୭ହଜାର ୪୫୦ କୋଟି ଟଙ୍କା ଲାଭ କରିଛି। ସେଥିରୁ ଓଡିଶାର ରୟାଲ୍ଟି ଭାଗ ୩୫୦୦ କୋଟି ଓ ଡିଏମଏଫ ପାଣ୍ଠିରୁ ହଜାରେ କୋଟି ଏମତି ଓଡିଶା ପାଇଛି ୪୫୦୦ କୋଟି। ତାଳଚେର ପ୍ରଚାର ସଭାରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ସେ କହିଥିଲେ ଯେ, ଓଡିଶାର ପାଣି, ପବନ ଓ ମାଟିରୁ ଏମସିଏଲ ୨୭ହଜାର ୪୫୦ କୋଟି ଲାଭ କରୁଛି । କିନ୍ତୁ ରାଜ୍ୟକୁ ମିଳୁଥିବା ଭାଗ ସନ୍ତୋଷଜନକ ନୁହେଁ। ଏ ଟଙ୍କା କୁଆଡେ ଯାଉଛି, କିଏ ନେଉଛି ସେ କଥା ସମସ୍ତେ ଜାଣନ୍ତି। ତେଣୁ ଏବାବଦରେ ପଚାରିଲେ ଧର୍ମେନ୍ଦ୍ର ପ୍ରଧାନ ରାଗିଯାଇ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି ଓ ଅଶାଳୀନ କଥା କହୁଛନ୍ତି। ବିଜେଡି କିନ୍ତୁ ତାଳଚେର ଓ ଅନୁଗୁଳର ହକ ପାଇଁ ଲଢେଇ କରିବ। ୨୦୦୪ରୁ କୋଇଲା ରୟାଲ୍ଟି ବଢିଥିଲେ ଓଡିଶା ଏଭିତରେ ୧୦ କୋଟି ରୟାଲ୍ଟି ଓ ଡିଏମଏମ ପାଣ୍ଠିରୁ ଆଉ ୨ହଜାର କୋଟି ମିଳିଥନ୍ତା।ବିଜେପି ନେତାମାନେ ଖାଲି ଦିନରେ ଲଣ୍ଠନ ଦେଖାଉଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ବି ସେହି ଲଣ୍ଠନ ନେତାଙ୍କ ସହ ସାମିଲ। ତାଙ୍କ ବଡବାବୁମାନେ ଯାହା କହିବେ ମୁଣ୍ଡିଆ ମାରି ଗ୍ରହଣ କରିବେ ବୋଲି ସେ କହିଛନ୍ତି।

ନିୟମଗିରି ଅଞ୍ଚଳରେ ସୁରୁଖୁରୁରେ ମତଦାନ ସାବ୍ଯସ୍ତ କଲେ ଭୋଟର

ନନ୍ଦିଘୋଷ ବ୍ୟୁରୋ: ଚଳିତ ନିର୍ବାଚନରେ ମାଓ ଅଞ୍ଚଳ ଉପରେ ଥିଲା ସମସ୍ତଙ୍କ ନଜର । ତେବେ ମାଓଗଡ଼ ନିୟମଗିରି ଅଞ୍ଚଳରେ ସୁରୁଖୁରୁରେ ମତଦାନ ସାବ୍ଯସ୍ତ କରିଛନ୍ତି ଭୋଟର । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତର ୩୪ଟି ଗାଁ ପାଇଁ ଦୁଇଟି ବୁଥ ହୋଇଥିଲା । ବୁଡୁଣି ୧୬ଟି ଗାଁର ଓ ପାର୍ସାଲିରେ ୧୮ଟି ଗାଁର ଡଙ୍ଗରିଆ ମହିଳା ଓ  ପୁରୁଷ ଦେଇଛନ୍ତି ଭୋଟ । ମାଓବାଦୀ ଅଞ୍ଚଳ ହୋଇଥିବାରୁ ପାହାଡ଼ ଚାରିପଟେ ଯବାନମାନେ କମ୍ବିଂ ଅପରେସନ ଜୋରଦାର କରିଥିଲେ । ପ୍ରଥମ ଥର ଭୋଟ୍ ଦେଇଛନ୍ତି ତୁଳସୀଘାଟି ଭୋଟର । ମାଓବାଦୀଙ୍କ ନାଲିଆଖି ଯୋଗୁ ଗଣତନ୍ତ୍ରର ପର୍ବରେ ସାମିଲ ହୋଇପାରୁ ନଥିଲେ । ଏବେ କିନ୍ତୁ ମାଓ ଭୟ ନଥିବାରୁ ନିଶ୍ଚିନ୍ତରେ ଭୋଟ୍ ଦେଇଛନ୍ତି । ସେପଟେ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ହନୁମାଳ ମାଓ ଅଞ୍ଚଳରେ ପ୍ରଥମଥର ପାଇଁ ଭୋଟ ଦେଇଛନ୍ତି ଅଞ୍ଚଳବାସୀ । ଲମତାପୁଟ ବ୍ଲକର ୫୩ଟି ପୋଲିଙ୍ଗ ବୁଥରେ ଭୋଟ ଦେବାପାଇଁ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ସାହ । ସେହିପରି କୋରାପୁଟ ଜିଲ୍ଲାର କୋଟିଆରେ ଶାନ୍ତି ଶୃଙ୍ଖଳାର ସହ ସରିଛି ଭୋଟିଂ । କୋଟିଆ ,ତଳକାଣ୍ଟି, ଫଗୁଣସିନେରି, ମାଡକାର୍, ଗଞ୍ଜେଇପଦର, ଗୁମେଲପଦର, ଥୁରିଆ, ଟାଉପଦର, ରଣାସିଂ ଠାରେ ଭୋଟ ଗ୍ରହଣ ପାଇଁ ୯ଟି ବୁଥ କରାଯାଇଥିଲା । ତେବେ ସବୁଠାରୁ ଉତ୍ସାହ ଦେଖିବାକୁ ମିଳିଥିଲା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ । ପ୍ରଥମଥର ପାଇଁ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇ ନିଜ ଅଞ୍ଚଳରେ ଭୋଟ ଦେଇଥିଲେ ସ୍ବାଭିମାନ ଅଞ୍ଚଳବାସୀ । ମାଓବାଦୀଙ୍କ ଭୟରେ ନିର୍ବାଚନରୁ ଅନେକ ସମୟରେ ବଞ୍ଚିତ ଥିବା ଭୋଟର ନିଜ ଅଞ୍ଚଳରେ ଭୋଟ ଦେଇ ଖୁସି ପ୍ରକାଶ କରିଛନ୍ତି । ନୂଆ ଭୋଟରଙ୍କଠାରୁ ଆରମ୍ଭ କରି ବୃଦ୍ଧ ଓ ମହିଳା ସଭିଏଁ ଲମ୍ବା ଧାଡ଼ିରେ ଯାଇ ମତାଧିକାର ସାବ୍ଯସ୍ତ କରିଥିଲେ ।