spot_img
Home Blog Page 1841

ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶା ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ: ଡିଜିପି ଅରୁଣ ଷଡ଼ଙ୍ଗୀ

ଭୁବନେଶ୍ବର: ଓଡ଼ିଶାରେ ନିର୍ବାଚନ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ।

ସେ କହିଛନ୍ତି, ‘ଆସନ୍ତାକାଲି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଭୋଟ ଗ୍ରହଣ । ପ୍ରଥମ ପର୍ଯ୍ୟାୟରେ ୪ ଲୋକସଭା ଓ ୨୮ ବିଧାନସଭା ପାଇଁ ଭୋଟ ହେବ । ୯ ଜିଲ୍ଲାରେ ଥିବା ୭ ହଜାର ୨୯୮ ପୋଲିଂ ବୁଥରେ ମତଦାନ ହେବ । ୫୩୭ ମାଓବାଦୀ ଅଧ୍ୟୁଷିତ ଇଲାକା ଭିତରେ ସମ୍ବେଦନଶୀଳ ବୁଥ ରହିଛି । ୧୭ ହଜାର ପୋଲିସ ଫୋର୍ସ ଏହି ନିର୍ବାଚନରେ ନିୟୋଜିତ ହୋଇଛନ୍ତି । ୧୦୪ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ମୁତୟନ କରାଯାଇଛି । ୯ ଜିଲ୍ଲାରେ ୬ ଶହ ମୋବାଇଲ ପାଟ୍ରୋଲିଂ ପାର୍ଟି କାମ କରୁଛି । ଜିପିଏସ ଜରିଆରେ କଣ୍ଟ୍ରୋଲ ରୁମକୁ ମନିଟର କରିବ ପାଟ୍ରୋଲିଂ ପାର୍ଟି ।’

ଆଗକୁ ସେ କହିଛନ୍ତି, ‘ଆଇନ ଶୃଙ୍ଖଳା ରକ୍ଷା ଓ ନିର୍ବାଚନ ପରିଚାଳନା ପାଇଁ ୯ ଜିଲ୍ଲାରେ ୫୧ ଚେକପୋଷ୍ଟରେ ଯାଞ୍ଚ କଡାକଡି ଚାଲିଛି । ସୀମାବର୍ତ୍ତି ଚେକ ପୋଷ୍ଟରେ ସମସ୍ତ ଯାନବାହନକୁ ଯାଞ୍ଚ କରାଯାଉଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ୨୧୦ଟି ଫ୍ଲାଇଁ ସ୍କ୍ୱାଡ୍ ମୁତୟନ ହୋଇଛନ୍ତି । ଏହାବାଦ ୧୫୫ ଷ୍ଟାଟିକ ସର୍ଭେଲାନ୍ସ ଟିମ ରହିଛନ୍ତି । ଏହି ୯ ଜିଲ୍ଲାରେ ୧୫ଟି ଇଭିଏମ ଷ୍ଟ୍ରଙ୍ଗରୁମ ରହିଛି । ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ସ୍ଵତନ୍ତ୍ର ଅଭିଯାନ ଚଳାଯାଉଛି । ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ପୋଲିସ ସହ ଓଡିଶା ପୋଲିସ ଆଲୋଚନା କରିଛି । ଅତିରିକ୍ତ ଡିଜି-ଅପରେଶନ ଦେବଦତ୍ତ ସିଂ ଏ ସବୁକୁ ମନିଟର କରୁଛନ୍ତି । ଏକ ଏୟାର ଆମ୍ବୁଲାନ୍ସ ଓ ହେଲିକ୍ୟାପ୍ଟର ପ୍ରସ୍ତୁତ ରହିଛି । ଜାନୁଆରୀ ପ୍ରଥମ ସପ୍ତାହରୁ ଏପର୍ଯ୍ୟନ୍ତ ୩୩ ହଜାର ଗିରଫ ପରୱାନା ଜାରି କରାକରାଯାଇଛି ।

ମୁରିବାହାଲରୁ ବିଜେଡି ସାଂସଦ ପ୍ରାର୍ଥୀ ଓ ନିଜ ପାଇଁ ଭୋଟ ମାଗିଲେ ନବୀନ

ମୁରିବାହାଲ: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁରିବାହାଲରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଚାର । ପଚାରିଲେ- ମୁଁ ଆପଣଙ୍କ ବିଧାୟକ ପ୍ରାର୍ଥୀ ହୋଇଛି ଆପଣମାନେ ଖୁସି ତ ।

ଜନତାଙ୍କୁ ସମ୍ବୋଧିତ କରି ବିଜେଡି ସରକାର ଲାଗୁ କରିଥିବା ବିଭିନ୍ନ ଯୋଜନା, ଯେପରି କି ବିଏସକେୱାଇ, ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ, 5T ସ୍କୁଲ, ପିଲାଙ୍କ ସ୍କଲାରସିପ ଭଳି ଅନେକ ଯୋଜନା ଭଲ କି ବୋଲି ପଚାରିଥିଲେ ମୁଖ୍ୟମନ୍ତ୍ରୀ । ନିଜ ପାଇଁ ଓ ଲୋକସଭା ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ମଞ୍ଚରୁ ଆହ୍ଵାନ କରିଥିଲେ ନବୀନ ।

ଏହି ଅବସରରେ ମୁରିବାହାଲ ଜନତାଙ୍କୁ ସମ୍ବୋଧିତ କରିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । କଣ୍ଟାବାଞ୍ଜିର ଉନ୍ନତି, ବିକାଶ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏଠାରୁ ଛିଡା ହୋଇଛନ୍ତି । ଅଞ୍ଚଳର ରୂପାନ୍ତରଣ,  ପିଲାମାନଙ୍କ ଭବିଷ୍ୟତ ଉଜ୍ଜଳ କରିବାକୁ  ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଆଶୀର୍ବାଦ କରନ୍ତୁ । ଏତେ ଖରାରେ ଆସିଥିବାରୁ ଜନତାଙ୍କୁ ଧନ୍ୟବାଦ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ରେକର୍ଡ ମାର୍ଜିନରେ ଜିତାଇବାକୁ ଅପିଲ୍ କରିଛନ୍ତି । ନବୀନ ବାବୁ ରେକର୍ଡ ମାର୍ଜିନରେ ଜିତି ଇତିହାସ ରଚିବେ। ଏଥିଲାଗି ସମସ୍ତେ ସହଯୋଗ କରିବାକୁ ନିବେଦନ କରିଥିଲେ କାର୍ତ୍ତିକ ।

ସେ ଆଗକୁ କହିଥିଲେ, ‘ମୁଖ୍ୟମନ୍ତ୍ରୀ କଥା କମ, କାମରେ ବିଶ୍ଵାସ କରନ୍ତି । ବିରୋଧୀ କଥା କହି କାମ ବିଲକୁଲ କରନ୍ତି ନାହିଁ । ୫ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ଆସିଥିଲେ, ଗତକାଲି ବଲାଙ୍ଗୀର ଆସିଥିଲେ । ଧାନର ଏମଏସପି, ପେଟ୍ରୋଲ ଓ ଡିଜେଲ ଦର କମାଇବା ସହ ରୋଜଗାର ସୃଷ୍ଟି କରିବୁ କହିଥିଲେ । କୁଆଡ଼େ ଗଲା ସବୁ ପ୍ରତିଶ୍ରୁତି । ମୁଖ୍ୟମନ୍ତ୍ରୀ ଦିନରାତି ଆପଣଙ୍କ ପାଇଁ ଖଟୁଛନ୍ତି । ଜୁଲାଇ ମାସରୁ ବିଜୁଳି ବିଲ ଆସିବ ନାହିଁ । ଚାଷୀଙ୍କ ଜଳସେଚନ ବିଲ୍ ମଧ୍ୟ ଆସିବ ନାହିଁ । ଯୋଡ଼ି ଶଙ୍ଖରେ ଭୋଟ ଦେଇ ବିପୁଳ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀଙ୍କୁ ଜିତାନ୍ତୁ ।’

ହାରିବା ଭୟରେ ଢେଙ୍କାନାଳ ଛାଡ଼ି ସମ୍ବଲପୁର ଆସିଛନ୍ତି ଧର୍ମେନ୍ଦ୍ର: କାର୍ତ୍ତିକ ପାଣ୍ଡିଆନ

କଣ୍ଟାବାଞ୍ଜି: ବଙ୍ଗୋମୁଣ୍ଡା ନିର୍ବାଚନୀ ସଭାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ କଡା ଭାଷାରେ ସମାଲୋଚନା । କହିଲେ ହାରିବା ଭୟରେ ଢେଙ୍କାନାଳ ଛାଡି ସମ୍ବଲପୁର ଚାଲି ଆସିଛନ୍ତି ।

ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ‘କେନ୍ଦ୍ରମନ୍ତ୍ରୀ ଢେଙ୍କାନାଳରେ ୧୦ ବର୍ଷ କାଟିଲେ । ହେଲେ ହାରିଯିବା ଭୟରେ ଏବେ ସମ୍ବଲପୁର ପଳାଇଛନ୍ତି । ସେ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ଭାଷା ବ୍ୟବହାର କରୁଛନ୍ତି । ଆପଣ ସରପଞ୍ଚ, ଜିଲ୍ଲା ପରିଷଦରେ ବି ଜିତି ପାରିବେ ନାହିଁ । ଜନ୍ମମାଟିକୁ ଛାଡି ସମ୍ବଲପୁରକୁ ଆସିଛ । ଆପଣଙ୍କର ଔକାତ କ’ଣ ଅଛି, ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେବାକୁ । ଏମିତି ଅପମାନିତ କରିବାକୁ ଆପଣଙ୍କୁ କିଏ ସାହସ ଦେଇଛି ।’

ଆଗକୁ ସେ କହିଛନ୍ତି, ‘ଆପଣ ପ୍ରଧାନମନ୍ତ୍ରୀଙ୍କ କାନ୍ଧ ଉପରେ ବସି ନିର୍ବାଚନ ଲଢୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାନ୍ଧରୁ ଓହ୍ଲାଇ ପଡିଲେ, ଓଡ଼ିଶାବାସୀ ଆପଣଙ୍କୁ ଉଚିତ ପାଠ ପଢ଼ାଇବେ । ଓଡ଼ିଶାବାସୀ ଆପଣଙ୍କୁ ଶିଖାଇବେ ନବୀନ ବାବୁ କିଏ ଓ ଆପଣଙ୍କ ସ୍ଥାନ କେଉଁଠି । ଦମ ଅଛି ତ କୁହନ୍ତୁ ଆସନ୍ତାକାଲି ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟରେ ବିଜେପି ୯୦ ପ୍ରତିଶତ ଆସନରେ ଜିତିବ ।’

ବଙ୍ଗୋମୁଣ୍ଡାରେ ବିଜେପି ନେତାଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ, କହିଲେ- ସୋଲାର ଲାଇଟ୍ କଥା କହି ଦିନରେ ଲଣ୍ଠନ ଦେଖାଉଛନ୍ତି

ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ବଙ୍ଗୋମୁଣ୍ଡା ନିର୍ବାଚନୀ ସଭାରୁ ବିଜେପି ନେତା ଓ ପ୍ରଧାନମନ୍ତ୍ରୀଙ୍କୁ 5T ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଟାର୍ଗେଟ । ପ୍ରଧାନମନ୍ତ୍ରୀ ଚାଷୀଙ୍କୁ ମନେ ପକାଇବାକୁ ନେଇ କଲେ ସମାଲୋଚନା ।

ସଭାରେ ମୁଖ୍ୟମନ୍ତ୍ରୀ ବିଜେପି ନେତାଙ୍କୁ ସମାଲୋଚନା କରିବା ପରେ କାର୍ତ୍ତିକ ପାଣ୍ଡିଆନ ବିଜେପି ନେତାଙ୍କୁ ଟାର୍ଗେଟ କରିଥିଲେ । କହିଲେ- ଓଡ଼ିଶାରୁ ବିଜେପି ହାରୁଛି । ତେଣୁ ପ୍ରଧାନମନ୍ତ୍ରୀଙ୍କର ଚାଷୀଙ୍କ କଥା ମନେ ପଡୁଛି । ସୋଲାର ବିଜୁଳି ନାମରେ ବିଜେପି ନେତା ଦିନରେ ଆପଣଙ୍କୁ ଲଣ୍ଠନ ଦେଖାଯାଉଛନ୍ତି । ୫୦ ହଜାର ଟଙ୍କା ଡିପୋଜିଟ୍ କଲେ ଯାଇ ମିଳିବ ସୋଲାର ପାୱାର । ଡବଲ ଇଞ୍ଜିନ ସରକାର ଦିନରେ ଲଣ୍ଠନ ଦେଖାଉଛନ୍ତି । ରାଜ୍ୟବାସୀଙ୍କୁ ବିଜେଡି ସରକାର ମାଗଣା ବିଜୁଳି ଦେବାକୁ ଯାଉଛି । ଓଡ଼ିଶାର ୯୦ ପ୍ରତିଶତ ପରିବାର ମାଗଣାରେ ବିଜୁଳି ପାଇବେ । ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ । ଆୟୁଷ୍ମାନ ଯୋଜନାରେ ମା’ମାନଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ ନାହିଁ । ଏଥିରେ ବୀମା କମ୍ପାନୀ ଟଙ୍କା ପାଉଛନ୍ତି । ବିଏସକେୱାଇ ଏଟିଏମ୍ କାର୍ଡ୍ ଭଳି କାମ କରୁଛି ।

୨୦୧୪ ଓ ୨୦୧୯ରେ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଆସି ଯାହା କହିଥିଲେ, ଏବେ ପୁଣି ସେଇଆ କହୁଛନ୍ତି । ସେତେବେଳେ ଧାନର ଏମଏସପି ଦୁଇଗୁଣା କରିବା କଥା କହିଥିଲେ । ହେଲେ ଆଜିଯାଏଁ ହୋଇ ପାରିଲାନାହିଁ । ଏବେ ଧାନ କିଣା ଦର ୩ ହଜାର କରିବେ ବୋଲି କହୁଛନ୍ତି । ୧୦ ବର୍ଷ କ୍ଷମତାରେ ରହିବା ପରେ ଓଡ଼ିଶାର ଚାଷୀ, ଏମଏସପି ଓ ଶୀତଳ ଭଣ୍ଡାର କଥା ମନେ ପଡିଲା । ଏହାର ଜବାବ ଭୋଟରେ ଆପଣମାନେ ଦେବେ ।

ସେ ଆଗକୁ କହିଥିଲେ, ରାଜନୈତିକ ଉଦ୍ଦେଶ୍ୟ ରଖି ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢୁନାହାନ୍ତି । କଣ୍ଟାବାଞ୍ଜିର ବିକାଶ ତାଙ୍କର ପ୍ରମୁଖ ଲକ୍ଷ୍ୟ । ସେ କଣ୍ଟାବାଞ୍ଜିର ରୂପାନ୍ତରଣ କରିବାକୁ ଚାହୁଁଛନ୍ତି । ଆପଣମାନେ ମୁଖ୍ୟମନ୍ତ୍ରୀଙ୍କୁ ରେକର୍ଡ ମାର୍ଜିନରେ ଜିତାଇ ଓଡ଼ିଶାରେ ଇତିହାସ ରଚିବେ । ଏହାସହ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ପରିମାଣରେ ଜିତାଇବାକୁ ଆହ୍ବାନ ଦେଇଛନ୍ତି ।

ମିଛ କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେପି ନେତା: ନବୀନ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ବିଜେପିକୁ କଲେ ଟାର୍ଗେଟ । ବିରୋଧୀ ମିଛ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଥିବା ନବୀନ କହିଛନ୍ତି ।

ଉଦବୋଧନ ଆରମ୍ଭ କରି ରାଜ୍ୟ ସକାରଙ୍କ ବିଭିନ୍ନ ଯୋଜନାର ନାଁ ନେଇଥିଲେ ମୁଖ୍ୟମନ୍ତ୍ରୀ । ଯାହାକୁ ଶୁଣି, ମଞ୍ଚ ସ୍ଥଳ ଗୁଞ୍ଜରିତ ହୋଇଉଠିଥିଲା । ଏସବୁ ଯୋଜନା ଭଲ କି ବୋଲି ମୁଖ୍ୟମନ୍ତ୍ରୀ ଜନତାଙ୍କୁ ପଚାରିଥିଲେ । ଉତ୍ତରରେ ବଙ୍ଗୋମୁଣ୍ଡା ସଭା ସ୍ଥଳ ଡର୍ରେ ପ୍ରକମ୍ପିତ ହୋଇଥିଲା । ଏହାପରେ ନବୀନ ପଟ୍ଟନାୟକ ଭଲ କି ଓ ବିଜେଡି ଭଲ କି ବୋଲି ନବୀନ ପଚାରିଥିଲେ ।

ଏହି ସମୟରେ ଅଳ୍ପ ଭାଷଣରେ ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପି ଓ ଏହି ଦଳର ନେତାଙ୍କୁ ଟାର୍ଗେଟ କରିଥିଲେ ନବୀନ । ବିଜେପି ନେତା ମଛ କହୁଥିବା କହିଛନ୍ତି ନବୀନ । ସେମାନେ ଜନତାଙ୍କ ଆଗରେ କୁମ୍ଭୀର କାନ୍ଦଣା କାନ୍ଦୁ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତି କଥା ମନେ ପକାଇ ଦେଇଥିଲେ ନବୀନ । ଲୋକଙ୍କୁ ମାଗଣାରେ ବିଜୁଳି ମିଳିବା ନେଇ ଖୁସି ତ ବୋଲି ଜନତାଙ୍କୁ ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଜୁଲାଇ ମାସରୁ ବିଜୁଳି ମାଫ୍ ବୋଲି କହିଥିଲେ ।

ବ୍ରଜରାଜନଗରରେ ଅଳକାଙ୍କ ଡୋର ଟୁ ଡୋର କ୍ୟାମ୍ପେନ

ବ୍ରଜରାଜନଗର: ଜୋର ଧରିବାରେ ଲାଗିଛି ନିର୍ବାଚନ ପ୍ରଚାର । ବିଭିନ୍ନ ଦଳର ପ୍ରାର୍ଥୀ ରୋଡ ଶୋ’ ସଭା ସମିତ ସହ ପ୍ରଚାର ପାଇଁ ବିଭିନ୍ନ ପନ୍ଥା ଆପଣାଉଛନ୍ତି । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡି ଚଲାଇଛି ଡୋର ଟୁ ଡୋର କ୍ୟାମ୍ପେନ୍ ।  ବିଜେଡି ବିଧାୟିକା ପ୍ରାର୍ଥୀ ଅଳକା ମହାନ୍ତି ଆରମ୍ଭ କରିଛନ୍ତି ପ୍ରଚାର । କର୍ମୀଙ୍କ ସହ ମିଶି ଲଖନପୁର ବ୍ଲକ ଜୋନ-୧ ରେ କରିଛନ୍ତି ପ୍ରଚାର l

ପ୍ରବଳ ଖରାକୁ ଖାତିର ନକରି ଚାଲି ଚାଲି ପହଞ୍ଚୁଛନ୍ତି ଭୋଟରଙ୍କ ପାଖକୁ l ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତା ବିଷୟରେ ଅବଗତ କରାଇ ବିଜେଡିରେ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୁଖୀ କାର୍ଯ୍ୟ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଛନ୍ତି । ତେଣୁ ବିଜେଡିକୁ ଲୋକ ଆଶୀର୍ବାଦ କରି ବିଜୟୀ କରିବେ ବୋଲି ଅଳକା କହିଛନ୍ତି l

ବିଜେଡିରେ ସାମିଲ ହେଲେ ଦୁଇ ପଞ୍ଚାୟତର ଶହେରୁ ଊର୍ଦ୍ଧ୍ବ ବିଜେପି କର୍ମୀ

ସାଲେପୁର: ନିର୍ବାଚନ ତାତି ଯେତେ ବଢୁଛି, ବିଜେଡି ସେତେ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି । ବିଜେଡିରେ ସାମିଲ ହୋଇ ନିଜକୁ ଗର୍ବିତ କରୁଛନ୍ତି ସାଧାରଣ ଜନତା । ଏହି କ୍ରମରେ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକର ଦୁଇ ପଞ୍ଚାରୁ ଶତାଧିକ ବିଜେପି କର୍ମୀ ବିଜେଡିରେ ହୋଇଛନ୍ତି ସାମିଲ ।

ନିଶ୍ଚିତକୋଇଲ ବ୍ଲକର କଟିକଟା ଓ ବଡଖିରି ପଞ୍ଚାୟତର ୧୦୦ରୁ ଅଧିକ ବିଜେପି କର୍ମୀ ଦଳ ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଛନ୍ତି । ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉପସ୍ଥିତିରେ ନିଶ୍ଚିନ୍ତକୋଇଲି ବିଜେଡ଼ି କାର୍ଯ୍ୟାଳୟରେ ସେମାନେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ମିଶ୍ରଣ ପର୍ବରେ ସମସ୍ତ କର୍ମୀମାନଙ୍କୁ ଭବ୍ୟ ସ୍ବାଗତ କରି ବିଜେଡ଼ିରେ ସାମିଲ କରିଥିଲେ ପ୍ରତାପ ଜେନା । ବିଜେପିରେ ରହି କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ । ଆଗାମୀ ଦିନରେ ସେମାନେ ନିଜ ପଞ୍ଚାୟତ ସହ ମାହାଙ୍ଗାର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

ମହାନଦୀ କୋଲ୍ ଫିଲଡ୍ସ ଲିମିଟେଡର ଜେନେରାଲ ମ୍ୟାନେଜରଙ୍କ ବ୍ୟକ୍ତିଗତ ସହାୟକଙ୍କ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ଭୁବନେଶ୍ବର: ଆଜି ଏକ ଅତି ଗୁରୁତ୍ୱପୂର୍ଣ୍ଣ ଓ ସ୍ପର୍ଶକାତର ପ୍ରସଙ୍ଗ ନେଇ ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ବିଜେଡି । ମହାନଦୀ କୋଲ୍ ଫିଲଡ୍ସ ଲିମିଟେଡର ଜେନେରାଲ ମ୍ୟାନେଜରଙ୍କ ବ୍ୟକ୍ତିଗତ ସହାୟକ ବୈଦ୍ୟନାଥ ସାହୁ ନିର୍ବାଚନ ଆଚରଣ ବିଧି ଓ ସର୍ଭିସ ରୁଲ ଉଲ୍ଲଂଘନ କରିଥିବା ବିଜେଡି ଅଭିଯୋଗ କରିଛି ।

ସେ ଏକ ଘରୋଇ ୱେବ ଚ୍ୟାନେଲକୁ ବିଜେଡି ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ସାକ୍ଷାତକାର ଦେଇଛନ୍ତି । ମହାନଦୀ କୋଲ୍ ଫିଲଡ୍ସ ଲିମିଟେଡ କେନ୍ଦ୍ର ସରକାରଙ୍କ ଅଧୀନରେ ରହିଛି । କୌଣସି ସରକାରୀ କର୍ମଚାରୀ ନିର୍ବାଚନ ନେଇ ଟିପ୍ପଣୀ ଦେବା ଆଚରଣ ବିଧିର ଉଲ୍ଲଂଘନ । ସମସ୍ତେ ନିଜ ଲକ୍ଷ୍ମଣରେଖା ମଧ୍ଯରେ ରହନ୍ତୁ । ଏହି ଘଟଣାରେ ତ୍ୱରିତ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି ବିଜେଡି । କାରଣ ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି ।

ଆତଙ୍କବାଦୀ ନିଜ୍ଜର ହତ୍ୟାକାଣ୍ଡ,କାନାଡ଼ାରେ ଆଉ ଜଣେ ଭାରତୀୟ ଗିରଫ

ଟରଣ୍ଟୋ: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ମାମଲାରେ କାନାଡା ପୋଲିସ ଆଉ ଜଣେ ଭାରତୀୟଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଅମନଦୀପ ସିଂ (୨୨) । ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ପୂର୍ବରୁ ଅମନଦୀପ ପୋଲିସ ହେପାଜତରେ ଥିଲା । ଏବେ ଆତଙ୍କବାଦୀ ନିଜ୍ଜର ହତ୍ୟା ମାମଲାରେ ସଂପୃକ୍ତି ଥିବା ଅଭିଯୋଗରେ ଗିରଫ କରାଯାଇଛି । ଅମନଦୀପଙ୍କୁ ମିଶାଇ ନିଜ୍ଜର ହତ୍ୟାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ଗିରଫ କରି ସାରିଲାଣି କାନାଡା ପୋଲିସ ।

ସୂଚନାଯୋଗ୍ୟ, ନିଜ୍ଜର ହତ୍ୟା ମାମଲାକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ମନ୍ତବ୍ୟକୁ ନେଇ ଭାରତ ସହ ସମ୍ପର୍କ ବହୁ ମାତ୍ରାରେ ଖରାପ ହୋଇଛି । ଏହି ମାମଲାରେ ଭାରତର ହାତ ଥିବା ଟ୍ରୁଡୋ ଅଭିଯୋଗ ଲଗାଇଥିଲେ ।

ଅମନଦୀପ ପୂର୍ବରୁ ଏହି ମାମଲାରେ କାନାଡା ପୋଲିସ କମଲପ୍ରୀତ ସିଂ ଏବଂ କରଣପ୍ରିତ ସିଂଙ୍କୁ ଗିରଫ କରିଥିଲା । ଏହି ମାମଲାରେ ପୋଲିସ ଏମେଣ୍ଟନରୁ ଚଳିତ ମାସ ଆରମ୍ଭରୁ ତିନି ଜଣଙ୍କୁ ଗିରଫ କରିଥିଲା । ଭାରତ ସରକାରଙ୍କ ସହ ଏମାନଙ୍କର କୌଣସି ସମ୍ପର୍କ ଅଛି କି ନାହିଁ ତାହାର ମଧ୍ୟ ଯାଞ୍ଚ କରୁଛି ତଦନ୍ତକାରୀ ସଂସ୍ଥା । ଅମନଦୀପ ଉପରେ ଫର୍ଟ୍ସ ଡିଗ୍ରୀ ହତ୍ୟା ଓ ନିଜ୍ଜର ହତ୍ୟାରେ ଷଡଯନ୍ତ୍ର ରଚିତା ଅଭିଯୋଗ ଲାଗିଥିବା ତଦନ୍ତକାରୀ ସଂସ୍ଥା ଇଣ୍ଟିଗଅେଟେଡ ହୋମିସାଇଡ ଟିମ୍ କହିଛି ।

ପାକ୍ ଅଧିକୃତ କାଶ୍ମୀରରେ ବିଦ୍ରୋହ, ରାଷ୍ଟ୍ରପତି ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ମୁଜାଫରାବାଦ: ପାକିସ୍ତାନ ଅଧିକୃତ କାଶ୍ମୀର ପିଓକେରେ ଯୁଦ୍ଧ ପରି ପରିସ୍ଥିତି । କାଶ୍ମୀରବାସୀ ପାକିସ୍ତାନ ଅତ୍ୟାଚାର ବିରୋଧରେ ବିଦ୍ରୋହ ଆରମ୍ଭ କରି ଦେଇଛନ୍ତି । ରାସ୍ତାକୁ ଓହ୍ଲାଇ ଲୋକେ ପାକିସ୍ତାନ ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଅସନ୍ତୋଷର ନିଆଁରେ ଜଳୁଥିବା ପିଓକେବାସୀ ପାକିସ୍ତାନୀ ସେନାକୁ ବି ଡରୁ ନାହାନ୍ତି । ଏକାଧିକ ସ୍ଥାନରେ ଆନ୍ଦୋଳନକାରୀ ଓ ପାକିସ୍ତାନୀ ସେନା ମୁହାଁମୁହିଁ ହୋଇଛନ୍ତି । ଏପରିକି ଜଣେ ସବ ଇନ୍ସପେକ୍ଟରର ମୃତ୍ୟୁ ଘଟିଥିବା ଓ ଏକାଧିକ ଆନ୍ଦୋଳନକାରୀ ଆହତ ହୋଇଥିବା ପାକିସ୍ତାନୀ ମିଡିଆ ରିପୋର୍ଟ କରିଛି । ଏମିତି ବିଦ୍ରୋହ ପାକିସ୍ତାନ ସରକାରଙ୍କ ନିଦ ହଜାଇ ଦେଇଛି । ପିଓକେ ସ୍ଥିତିକୁ ନେଇ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦାରୀ ରାଷ୍ଟ୍ରପତି ଭବନରେ ଜରୁରୀକାଳୀନ ବୈଠକ ଡକାଇଛନ୍ତି । ପିଓକେରେ ଶାନ୍ତି ଫେରାଇ ଆଣିବାର ବାଟ ବାହାର କରିବାରେ ସହଯୋଗ କରିବାକୁ ରାଷ୍ଟ୍ରପତି ସବୁ ଅଧିକାରୀଙ୍କୁ କହିଛନ୍ତି ।

ସୂଚନାଯୋଗ୍ୟ ଶୁକ୍ରବାର ପରି ଶନିବାର ମଧ୍ୟ ପିଓକେରେ ଜୋରଦାର ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଜମ୍ମୁ କାଶ୍ମୀର ସଂଯୁକ୍ତ ଆଓ୍ବାମୀ ଆକ୍ସନ କମିଟି ଡାକରାରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ଆସିଥିଲେ । ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଏକାଧିକ ସ୍ଥାନରେ ଆନ୍ଦୋଳନ ହିଂସାର ରୂପ ନେଇଥିଲା ।

ଆନ୍ଦୋଳନକୁ ସମର୍ଥନ ଦେଲା ଟିଟିପି

ପିଓକେବାସୀଙ୍କ ଏହି ଆନ୍ଦୋଳନକୁ ଚରମପନ୍ଥି ସଂଗଠନ ଟିଟିପି ସମର୍ଥନ ଜଣାଇଛି । ସଂଗଠନ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଟିଟିପି ପିଓକେରେ ମାଗଣା ବିଜୁଳି ଓ ଗହମରେ ସବସିଡ ଦାବି କରୁଥିବା ପ୍ରଦର୍ଶନକାରୀଙ୍କୁ ସମର୍ଥନ କରୁଛି । ଏହାସହ ପାକିସ୍ତାନ ସେନା ବିପକ୍ଷରେ ସଶସ୍ତ୍ର ସଂଗ୍ରାମ କରିବାକୁ ପିଓକେବାସୀଙ୍କୁ ଅପିଲ କରିଛି ଟିଟିପି । ଆଉ କହିଛି, ପାକିସ୍ତାନୀ ସେନା କେବଳ ସଂଘର୍ଷର ଭାଷା ବୁଝିଥାଏ, ତାକୁ ସେହି ଭାଷାରେ ଜବାବ ଦିଅ ।