spot_img
Home Blog Page 1841

କଲେଜ ଛାତ୍ରଛାତ୍ରୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଉ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ହଳଦିଆ କଲେଜର ଛାତ୍ରଛାତ୍ରୀ । କଲେଜ ଅଧ୍ୟକ୍ଷଙ୍କୁ କାର୍ଯ୍ୟାଳୟରେ ପଶି ଆକ୍ରମଣ ଘଟଣାରେ ପ୍ରତିବାଦ କରିଛନ୍ତି। ଗତ ୩ ତାରିଖରେ କଲେଜ ଅଧ୍ୟକ୍ଷ ଉମାକାନ୍ତ ପାତ୍ରଙ୍କୁ କାର୍ଯ୍ୟାଳୟରେ ପଶି ଆକ୍ରମଣ କରିଥିଲେ କିଛି ଅସାମାଜିକ ବ୍ୟକ୍ତି। କଲେଜ ଅଧ୍ୟାପକ, ପରିଚାଳନା ବୋର୍ଡ ସଭାପତି ମଧ୍ୟ ଏଥିରେ ସଂପୃକ୍ତ ଥିଲେ। ଏ ସଂପର୍କରେ ଥାନାରେ ଆକ୍ରମଣକାରୀଙ୍କ ବିରୋଧରେ ଏତଲା ଦିଆଯାଇଥିଲା। ଘଟଣାର ୪ଦିନ ବିତିଯାଇଥିଲେ ସୁଦ୍ଧା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ରାଜ ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଜାରି ।

ଘୁଞ୍ଚିଲା ନିଟ୍ ୟୁଜି ନାମଲେଖା କାଉନସେଲିଂ

ନନ୍ଦିଘୋଷ ବ୍ୟୁରୋ: ସ୍ଥଗିତ ରଖାଯାଇଛି ନିଟ୍ କାଉନସେଲିଂ। ଆଜିଠାରୁ ଏହି କାଉନସେଲିଂ ହେବାର ଥିଲା। କିନ୍ତୁ ତାକୁ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ଯନ୍ତ ଏହି କାଉନସେଲିଂକୁ ଘୁଞ୍ଚାଇ ଦିଆଯାଇଥିବା ଏନଟିଏ ତରଫରୁ ସୂଚନା ମିଳିଛି। ଗତ ମେ’ ୫ ତାରିଖରେ ହୋଇଥିଲା ମେଡିକାଲ ଏଣ୍ଟ୍ରାନ୍ସ ନିଟ୍ । ପ୍ରଶ୍ନପତ୍ର ଲିକ୍‌, ଅନିୟମିତତା ଅଭିଯୋଗ ଓ ଗ୍ରେସ୍ ମାର୍କ ବିବାଦ ପରେ ଜୁନ୍ ୨୩ରେ ୧୫୬୩ ପିଲାଙ୍କୁ ପୁଣି ଥରେ ପରୀକ୍ଷା ଦେବାର ସୁଯୋଗ ଦିଆଯାଇଥିଲା। ତାର ରେଜଲ୍ଟ ବାହାରିଥିଲା ଜୁଲାଇ ୧ରେ । ଏହା ପରେ ଆଜି କାଉନସେଲିଂ ହେବାର ଥିଲା। କିନ୍ତୁ ତାକୁ ଏବେ ଘୁଞ୍ଚାଇ ଦିଆଯାଇଛି। ଏହା ଦ୍ବାରା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପୁଣି ଅନିଶ୍ଚିତତାରେ ରହିଛନ୍ତି।

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ମଙ୍ଗଳ ଗ୍ରହରେ ହେବ ଯୁଦ୍ଧ, ଶେଷ ହେବ ବିଶ୍ୱ !

ନନ୍ଦିଘୋଷ ବ୍ୟୁରୋ: ସଠିକ ଭବିଷ୍ୟବାଣୀ କହୁଥିବା ପ୍ରସିଦ୍ଧ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସବୁବେଳେ ଚର୍ଚ୍ଚାରେ ରହିଥାଏ । ବାବା ଭେଙ୍ଗା ଜଣେ ନେତ୍ରହୀନ ଭବିଷ୍ୟବକ୍ତା। ତାଙ୍କର ମୃତ୍ୟୁ ୮୫ ବର୍ଷ ବୟସରେ ୧୯୯୬ ମସିହାରେ ହୋଇଥିଲା । ସେ କରିଯାଇଥିବା ଭବିଷ୍ୟବାଣୀକୁ ଲୋକମାନେ ଆଜି ମଧ୍ୟ ମନେପକାନ୍ତି । ସେ କରିଯାଇଥିବା ଭବିଷ୍ୟବାଣୀ ପ୍ରାୟତଃ ସତ୍ୟ ପ୍ରମାଣିତ ହୋଇଛି ।

୨୦୨୩ ମସିହାକୁ ନେଇ ସେ କରିଯାଇଥିବା କିଛି ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି । ଠିକ ସେମିତି ଆସୁଥିବା ସମୟ ପାଇଁ ମଧ୍ୟ ସେ ଅନେକ କିଛି ଭବିଷ୍ୟବାଣୀ ଉଲ୍ଲେଖ କରି ଯାଇଛନ୍ତି । ୨୦୨୫ ମସିହାରେ ଆଗକୁ କଣ ବଡ ଘଟଣା ଘଟିବ ତାକୁ ନେଇ ଭବିଷ୍ୟବାଣୀ ହୋଇଛି । ଏହା ଶୁଣିବା ମାତ୍ରେ  ଆପଣମାନେ ମଧ୍ୟ ବିଚଳିତ ହେବେ ।

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ ୨୦୨୫ ମସିହାରେ ୟୁରୋପରେ ଏକ ବଡ ସଂଘର୍ଷ କାରଣରୁ ମହାଦ୍ବୀପରେ ଭାରି ମାତ୍ରାରେ ଜନସଂଖ୍ୟା କମିଯିବ । ୨୦୨୮ ମସିହାରେ ମାନବ ସମାଜ ନୂତନ ଉର୍ଜାର ସ୍ରୋତ ଖୋଜିବା ସନ୍ଧାନରେ ଶୁକ୍ର ଗ୍ରହକୁ ଯାଇ ପହଞ୍ଚିବ। ୨୦୩୩ ମସିହାରେ ଧ୍ରୁବୀୟ ବରଫ ତରଳିବା କାରଣରୁ ସମୁଦ୍ର ସ୍ତରରେ ଉଲ୍ଲେଖନୀୟ ବୃଦ୍ଧି ହେବ । ୨୦୭୬ ମସିହାରେ ବୈଶିକ ସ୍ତରରେ ସାମ୍ୟବାଦ ସ୍ତର ପୁଣି ଫେରିବ । ୨୧୩୦ ମସିହାରେ ଅଲୌକିକି ସଭ୍ୟତା ସହିତ ମାନବ ସମାଜର ସମ୍ପର୍କ ଗଢିଉଠିବ । ୨୧୭୦ ମସିହାରେ ବିଶ୍ବରେ ଭୟଙ୍କର ମରୁଡି ଦେଖାଯାଇପାରେ । ୩୦୦୫ ମସିହାରେ ମଙ୍ଗଳ ଗ୍ରହରେ ଯୁଦ୍ଧ ହେବାର ସମ୍ଭାବନା ରହିଛି ଓ ୩୭୯୭ ମସିହାରେ  ପୃଥିବୀର ବିନାସ ଘଟିବ ଓ ମାନବ ସମାଜ ସୌର ମଣ୍ଡଳ ମଧ୍ୟରେ ଅନ୍ୟ ଗ୍ରହକୁ ଯିବାରେ ସକ୍ଷମ ହେବ । ଶେଷରେ ୫୦୭୯ ମସିହାରେ ଦୁନିଆର ଅନ୍ତ ଘଟିବ । ଆସୁଥିବା ସମୟ ପାଇଁ ବାବା ଭେଙ୍ଗାଙ୍କ ଏହା ହେଉଛି ଭବିଷ୍ୟବାଣୀ ।

ବିପୁଳ ପରିମାଣର କଫ ସିରଫ ଓ ନିଶା ଇଞ୍ଜେକ୍ସନ ଜବତ କଲା ବରଗଡ଼ ପୋଲିସ

ବରଗଡ଼: ବରଗଡ଼ ପୋଲିସ ଦ୍ୱାରା ବିପୁଳ ପରିମାଣର କଫ ସିରଫ ଓ ନିଶା ଇଞ୍ଜେକ୍ସନ ଜବତ ହୋଇଛି। ନିଶା ବଟିକା ସହ ନଗଦ ଟଙ୍କା ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି। ଶନିବାର ଟାଉନ ଥାନା ପୋଲିସ ସହରର ୱାର୍ଡ ନମ୍ବର ୧ ମାଲପଡ଼ାର ଏକ ଘରେ ଚଢ଼ାଉ କରି ବିପୁଳ ପରିମାଣର କଫ ସିରଫ, ନିଶା ଇଂଜେକସନ, ନିଶା ବଟିକା ଜବତ କରିଛି। ଏହି ଘଟଣାରେ ଘର ମାଲିକ ବୁଲୁ ସାହୁଙ୍କୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିଛି ।

ବରଗଡ଼ ସହରରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ହେବା ସହ ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି । ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ବରଗଡ଼ ପୁଲିସ ପ୍ରଶାସନ ଚଢ଼ାଉ ଜାରି ରଖିଛି।

ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର

ନବରଙ୍ଗପୁର: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ମହେନ୍ଦ୍ରୀ ଛକ ନିକଟରେ ଘଟିଛି ଦୁର୍ଘଟଣା। ମହେନ୍ଦ୍ରୀ ଗାଁର ଗଣେଶ ମହାନ୍ତି ତାଙ୍କ ଆଠ ବର୍ଷୀୟ ପୁଅ ନିଖିଲ ସାଇକେଲରେ ଯାଉଥିବା ବେଳେ ପଛପଟୁ ଧକ୍କା ଦେଇଥିଲା ଆମ୍ବୁଲାନ୍ସ। ଫଳରେ ଘଟଣା ସ୍ଥଳରେ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି । ତାଙ୍କୁ ତୁରନ୍ତ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସ ସହିତ ଡାବୁଗାଁ ଥାନାରେ ଆତ୍ମସମର୍ପଣ କରିଛନ୍ତି ଡ୍ରାଇଭର । ମୃତଦେହ ରଖି ଉତ୍ୟକ୍ତ ଲୋକ ମହେନ୍ଦ୍ରୀ ନିକଟରେ ଉମରକୋଟ- ନବରଙ୍ଗପୁର ରାସ୍ତା ଅବରୋଧ କରିଛନ୍ତି । ଘଟଣା ସ୍ଥଳରେ ଡାବୁଗାଁ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ରାସ୍ତା ଅବରୋଧ ହଟାଇବା ପାଇଁ ଚେଷ୍ଟା ଜାରି ରଖିଛି । ରାସ୍ତା ଅବରୋଧ ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଛି।

ଔପଦା ଟ୍ରିପିଲ ମର୍ଡର ଘଟଣା: ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ଔପଦା ପୋଲିସ

ବାଲେଶ୍ୱର: ଔପଦା ଟ୍ରିପିଲ ମର୍ଡର ଘଟଣାରେ ଅଟକ ୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ଔପଦା ପୋଲିସ। ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ମାଧ ସିଂ ତାର ଭାଇ ହରି ସିଂ, ଛେଲିଆ ସିଂ, ବାପି ସିଂ, ଚନ୍ଦ୍ରମଣୀ ସିଂ ଓ ବୁଦ୍ଧିଆ ସିଂଙ୍କୁ ଔପଦା ପୋଲିସ ନୀଳଗିରି କୋର୍ଟ ଚାଲାଣ କରିଛି। ଗତ ଗୁରୁବାର ସକାଳେ ବରପଦା ଗାଁ ଠାରୁ ୫ କିଲୋମିଟର ଦୂର ଦଲଦଲିଆ ପାହାଡ଼ରୁ ତିନି ମୃତଦେହ ଉଦ୍ଧାର କରିଥିଲା ଔପଦା ପୋଲିସ। ସମ୍ବାରି ସିଂ, ଦମ୍ପା ସିଂ ତାଙ୍କ ସ୍ତ୍ରୀ ପାଗିଳିର ମୃତଦେହକୁ ଉଦ୍ଧାର କରାଯାଇଥିଲା। ଗଳିତ ଶବ ଗୁଡିକ ଅତି ବିଭତ୍ସ ଭାବେ ହତ୍ୟା କରାଯାଇ ଦଲଦଲିଆ ପାହାଡ଼ରେ ଫୋପାଡ଼ି ଦେଇଥିଲେ ଅଭିଯୁକ୍ତ। ବରପଦା ଗାଁର ମୁଖ୍ୟ ଅଭିଯୁକ୍ତ ମାଧ ସିଂ ଓ ତାର ଭାଇ ହରି ସିଂ ନିଜ ଘର ପଛ ପଟେ ୩ ଜଣଙ୍କୁ ପ୍ରଥମେ ପିଟିପିଟି ମାରିବା ପରେ ବିଭତ୍ସ ଭାବେ ବେକ କାଟି ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ପରେ ଗାଁ ଠାରୁ ୫ କିଲୋମିଟର ଦୂର ଦଲଦଲି ପାହାଡ଼ରେ ଫୋପାଡ଼ି ଦେଇଥିବା ପୋଲିସ ଆଗରେ ମାନିଛନ୍ତି।

ସୂଚନା ଅନୁଯାୟୀ, ଗୁଣିଗାରେଡି କରି ମାଧ ପରିବାର ସମେତ ଅନ୍ୟ ପରିବାରକୁ ହଇରାଣ ହରକତ କରୁଥିବ ଯୋଗୁ ଯୋଜନା ବଦ୍ଧଭାବେ ହତ୍ୟା କରିଥିବା ଔପଦା ପୋଲିସ ଠାରେ ସ୍ବିକାର କରିଛନ୍ତି ଅଭିଯୁକ୍ତ । ଗତ ୩୦ ତାରିଖ ଦିନ ଗାଁର ଆଠରୁ ନଅ ଜଣ ମିଶି ପିଟିପିଟି ମାରିଦେଇଥିଲେ। ଘଟଣାରେ ଔପଦା ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଆଜି ନୀଳଗିରି କୋର୍ଟ ଚାଲାଣ କରିଛି ।  ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରାଯିବ କହିଛି ପୋଲିସ  ।

ଯେଉଁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛ ତାକୁ ପୂରଣ କର : ବିଜେଡି

ଭୁବନେଶ୍ୱର: ଲକ୍ଷ୍ମୀ ବସର ନାଁ ଏବଂ ରଙ୍ଗ ପରିବର୍ତ୍ତନ କରାଯାଉଥିବାରୁ ଏହାକୁ କଡ଼ା ସମାଲୋଚନା କରିଛି ବିିଜେଡି। ଏକ ସାମ୍ବାଦିକ ସମ୍ମିଳନୀ କରି ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଓ ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି, ବିଜେପି ସରକାର ରଙ୍ଗ ବଦଳାଇବା ନୀତି ଛାଡନ୍ତୁ। କମ୍ ଖର୍ଚ୍ଚରେ ଲୋକେ ଯିବା ଆସିବା କରିବେ ବୋଲି ଲକ୍ଷ୍ମୀ ବସ୍ ଯୋଜନା କରିଥିଲେ ନବୀନ ପଟ୍ଟନାୟକ ସରକାର। କିନ୍ତୁ କ୍ଷମତାକୁ ଆସିବା ପରେ ବିଜେପି ତାର ନାଁ ଓ ରଙ୍ଗ ପରିବର୍ତ୍ତନ କରୁଛି। ଏଥିରୁ ଜଣାପଡୁଛି, ଏହି ସରକାର ନୂଆ ଯୋଜନା କରିବେ ନାହିଁ। କିଛି ନୂଆ କରିବେ ନାହିଁ। ନବୀନ ସରକାର କରିଥିବା କାମରେ ରଙ୍ଗ ଦେଇ, ନାଁ ବଦଳାଇ ନିଜ ଫଟୋ ଛାପି କେବଳ ପ୍ରଚାର କରିବେ। କାହା ନିର୍ଦ୍ଦେଶରେ ଲକ୍ଷ୍ମୀ ବସର ନାଁ ଓ ରଙ୍ଗ ବଦଳା ଯାଉଛି, ଏହି ନିଷ୍ପତ୍ତି କିଏ ନେଇଛି, ତାହା ଜଣାପଡୁନି।କେବଳ ବିଜେଡି ସରକାର କରିଥିବା କାମର ରଙ୍ଗ ବଦଳାଇ, ନାଁ ବଦଳାଇ ଏପରି ୫ ବର୍ଷ ବିଜେପି ସରକାର ବିତେଇ ଦେବ କି ବୋଲି କଟାକ୍ଷ କରିଛନ୍ତି ପ୍ରମିଳା ମଲ୍ଲିକ। ଯଦି ଏପରି କରିବାର ଅଛି, ତେବେ ସିଧା ସିଧା ଲୋକଙ୍କୁ ସେହି କଥା କହି ଦିଅନ୍ତୁ। ନିର୍ବାଚନ ସମୟରେ ଲୋକଙ୍କୁ ବିଜେପି ଯେଉଁ ପ୍ରତିଶୃତି ଦେଇଥିଲା, ତାହା ପୂରଣ କରୁ ବିଜେପି। ବଜେଟର କଣ କରୁଛନ୍ତି ସରକାର, ତାହା ଦେଖିବୁ। ପ୍ରତିଶ୍ରୁତି ପୂରଣ ନ ହେଲେ ବିଜେଡି ରାଜରାସ୍ତାକୁ ଆସିବ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ।

ଏହା ସହିତ ସେ କହିଛନ୍ତି, ରତ୍ନଭଣ୍ଡାରକୁ ନେଇ, ଜଗନ୍ନାଥଙ୍କୁ ନେଇ  କାହିଁକି ରାଜନୀତି କରୁଛନ୍ତି ସରକାର । ଯଦି ରତ୍ନଭଣ୍ଡାର ଖୋଲିବାର ଅଛି, ଖୋଲନ୍ତୁ। କେହି ମନା କରୁନାହାନ୍ତି। କିନ୍ତୁ ଏହାକୁ ନେଇ ରାଜନୀତି କରନ୍ତୁ ନାହିଁ। ସେହିପରି ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି, ବିଜେପି ଶାସନକୁ ଆସିବାର ମାସେ ହେଲାଣି। କିନ୍ତୁ ଇସ୍ତାହାରର ଗୋଟିଏ ପ୍ରତିଶୃତି ପୂରଣ ପାଇଁ କାମ ଆରମ୍ଭ ହୋଇନି। କେବଳ ରଙ୍ଗ ଓ ନାଁ ପରିବର୍ତ୍ତନ କରାଗଲେ, ଜୋର ବିରୋଧ କରାଯିବ ବୋଲି କହିଛନ୍ତି ଲୋପାମୁଦ୍ରା ବକ୍ସିପାତ୍ର।

ଭୋଲେ ବାବା ଉପରେ ଜୋରଦାର ବର୍ଷିଲେ ବିଏସପି ମୁଖ୍ୟ ମାୟାବତୀ

ନନ୍ଦିଘୋଷ ବ୍ୟୁରୋ: ହାଥରସ ଦୁର୍ଘଟଣା ପରେ ଭୋଲେ ବାବା ଉପରେ ଜୋରଦାର ବର୍ଷିଛନ୍ତି ବିଏସପି ମୁଖ୍ୟ ମାୟାବତୀ । ସେ କହିଛନ୍ତି, ଲୋକମାନେ ଭଣ୍ଡ ବାବାଙ୍କ ମିଛ ପାଲରେ ପଡନ୍ତୁ ନାହିଁ।  ନିଜର ଭାଗ୍ୟ ନଜେ ପରିବର୍ତ୍ତନ କରନ୍ତୁ । ବାବା ସାହେବଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରନ୍ତୁ । ରାଜନୈତିକ ସ୍ୱାର୍ଥରେ ଦୁର୍ବଳ ପଡନ୍ତୁ ନାହିଁ । ଦେଶର ଗରିବ, ଦଳିତ ଲୋକଙ୍କ ଦାରିଦ୍ର୍ୟ ଦୂର କରିବାକୁ ହେଲେ ସେମାନେ ହାଥରସ ଭୋଲେ ବାବାଙ୍କ ପରି ଅନ୍ଧବିଶ୍ୱାସୀ ଏବଂ କପଟୀର ଶିକାର ହେଉଛନ୍ତି ।

ମାୟାବତୀ ଲୋକଙ୍କୁ ପରାମର୍ଶ ଦେଇ କହିଛନ୍ତି, ଭଣ୍ଡ ବାବାଙ୍କ କଥାରେ ଆସି ନିଜ ଦୁଃଖ ଏବଂ କଷ୍ଟକୁ ଆହୁରୀ ବଢାନ୍ତୁ ନାହିଁ । ହାଥରସ ଘଟଣାରେ ଭୋଲେ ବାବା ଏବଂ ଦୋଷୀ ଥିବା ଅନ୍ୟମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହିପରି, ଅନ୍ୟ ବାବାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ । ମାୟାବତୀ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ଯାହା ଦ୍ୱାରା ଭବିଷ୍ୟତରେ ଲୋକଙ୍କୁ ଜୀବନ ହରାଇବାକୁ ପଡିବ ନାହିଁ। ମାୟାବତୀ ହେଉଛନ୍ତି ଏକମାତ୍ର ନେତ୍ରୀ ଯିଏ ବାବା ସୁରଜପାଲଙ୍କ ବିରୋଧରେ ଖୋଲାଖୋଲି ଭାବେ କହିଛନ୍ତି। ବାବା ସୁରଜପାଲଙ୍କ ବିବୃତ୍ତି ପରେ ମାୟାବତୀଙ୍କ ବିବୃତ୍ତି ଆସିଛି। ଦୁର୍ଘଟଣାର ଚାରି ଦିନ ପରେ ବାବା ସୁରଜପାଲ ବା ଭୋଲେ ବାବା ପ୍ରଥମ ଥର ପାଇଁ ଆସି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ।

ବାବା ସୁରଜପାଲ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଜୁଲାଇ ୨ରେ ଘଟିଥିବା ଘଟଣାକୁ ନେଇ ସେ ଅତ୍ୟନ୍ତ ଦୁଃଖିତ । ଲୋକମାନେ ସରକାର ଏବଂ ପ୍ରଶାସନ ଉପରେ ବିଶ୍ୱାସ ବଜାୟୀ ରଖନ୍ତୁ । କୌଣସି ଦୋଷୀଙ୍କୁ ଛଡାଯିବ ନାହିଁ । ଏଭଳି ଦୁଃଖ ସମୟରେ ଭଗବାନ ଆମକୁ ଏହି ଯନ୍ତ୍ରଣା ସହିବାକୁ ଶକ୍ତି ଦିଅନ୍ତୁ ।  ବାବା ଆହୁରୀ ମଧ୍ୟ କହିଛନ୍ତି ଶୋକସନ୍ତପ୍ତ ପରିବାର ଏବଂ ଆହାତମାନଙ୍କ ସହିତ ଜୀବନ ସାରା ରଖି ତାଙ୍କୁ ସାହାର୍ଯ୍ୟ କରିବି ବୋଲି ବାବା କହିଛନ୍ତି ।

ରତ୍ନଭଣ୍ଡାର ଖୋଲିବା ନେଇ ଶଙ୍କରାଚାର୍ଯ୍ୟଙ୍କ ବଡ଼ ବୟାନ

ପୁରୀ: ରତ୍ନଭଣ୍ଡାର ଖୋଲିବା ନେଇ ଶଙ୍କରାଚାର୍ଯ୍ୟଙ୍କ ବଡ଼ ବୟାନ। ରତ୍ନଭଣ୍ଡାର ବୈଠକ ବିଷୟରେ ତାଙ୍କୁ ଜଣାନାହିଁ, କି ତାଙ୍କ ଉପସ୍ଥିତିରେ ହେଉନି ବୈଠକ। ଏପରିକି ତାଙ୍କୁ କୌଣସି ସୂଚନା ଦିଆଯାଇନାହିଁ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ। ତେଣୁ ଏ ପ୍ରସଙ୍ଗରେ ମୁଁ କେମିତି ପ୍ରତିକ୍ରିୟା ଦେବି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ।

ତେବେ ଯେକୌଣସି ପଦକ୍ଷେପ ନେବା ପୂର୍ବରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା ଦରକାର ବୋଲି ସୁପ୍ରିମକୋର୍ଟଙ୍କ ଆଦେଶ ରହିଛି। ହେଲେ ଏହି କମିଟି କାହିଁକି ଗଠନ ହୋଇଛି ସେ ବିଷୟରେ ମୋତେ କିଛି ଜଣା ନାହିଁ ବୋଲି କହିଛନ୍ତି ଶଙ୍କାରାଚାର୍ଯ୍ୟ।

ମିର୍ଜାପୁର-୩ର ନିର୍ମାତା ଦର୍ଶକଙ୍କୁ ଧୋକା ଦେବା ସହ ପ୍ରତିଶୃତି ପାଳନ କରିନାହାନ୍ତି

ନନ୍ଦିଘୋଷ ବ୍ୟୁରୋ: ଜୁଲାଇ ୫ରେ ୱେବ ସିରିଜରେ ମିର୍ଜାପୁର-୩ ପ୍ରାଇମ ଭିଡିଓ ରିଲିଜ ହୋଇଛି । ୨୦୧୮ ମସିହାରେ ଆରମ୍ଭ ହୋଇଥିବା ଏହି କାହାଣୀକୁ ଲୋକେ ଆଜି ଯାଏଁ ମନେ ରଖିଛନ୍ତି । ଏବେ ଏହାର ତୃତୀୟ ସିଜନ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହୋଇଛି । ରିଲିଜ ପୂର୍ବରୁ ଏହି ସିରିଜକୁ ସିନେ ପ୍ରେମି ଖୁବ ଦିନରୁ ଅପେକ୍ଷା କରି ରହିଥିଲେ । ଦ୍ବିତୀୟ ସିଜନରେ ଦର୍ଶକେ ଦେଖିଥିବା କାହାଣୀ ପରେ କଣ ଘଟଣା ଘଟିବ ତାହା ଜାଣିବାକୁ ସମସ୍ତେ ଇଚ୍ଛା ରଖିଥିଲେ ।

ଜୁଲାଇ ୫ ତାରିଖରେ ପ୍ରାଇମ ଭିଡିଓରେ ରିଲିଜ ହୋଇଥିବା ଏହି ସିରିଜ କିନ୍ତୁ ଆଶାନୁସାରେ ଲୋକଙ୍କୁ ମନୋରଞ୍ଜନ କରିପାରିନାହିଁ  । କହିରଖୁଛୁ ଯେ, କିଛି ଦିନ ପୁର୍ବରୁ ମିର୍ଜାପୁରର ମୁଖ୍ୟ ଚରିତ୍ର ଅଲୀ ଫଜଲ ନିଜ ଏକ୍ସ ହ୍ୟାଣ୍ଡେଲରେ ପ୍ରକାଶ କରିଥିଲେ ଯେ ପଞ୍ଚାୟତ ସିରିଜ ସହିତ ମିର୍ଜାପୁରର କିଛି ଲିଙ୍କ ଜଡି ରହିଛି । ଯାହାକୁ ଶୁଣିବାପରେ ଫ୍ୟାନ୍ସ  ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ଦୁଇଗୁଣ ବଢିଯାଇଥିଲା ଏବଂ ଏହାକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିଲେ ପ୍ରସଂଶକ । ଅଲୀ ଏକ ସାକ୍ଷାତକାରରେ କହିଥିଲେ ଯେ, ମିର୍ଜାପୁରର ପ୍ରଥମ ଦୁଇଟି ଏପିସୋଡରେ ପଞ୍ଚାୟତର  ଜିତେନ୍ଦ୍ର କୁମାର ନଜର ଆସିବେ। କିନ୍ତୁ ମିର୍ଜାପୁର ରିଲିଜ ପରେ ଅଲୀ ଫଜଲଙ୍କ ଏହି କଥାର କିଛି ମୂଲ୍ୟ ରହିନଥିଲା । ମିର୍ଜାପୁର ସିରିଜରେ କୌଣସି ସ୍ଥାନରେ ପଞ୍ଚାୟତ ସିରିଜକୁ ନେଇ କିଛି ଦେଖାଯାଇନଥିବା ବେଳେ ଜିତେନ୍ଦ୍ର କୁମାର ମଧ୍ୟ ସିରିଜରେ ନଜର ଆସିନାହାନ୍ତି । ତେବେ ଅଲୀ ଫଜଲ ଫ୍ୟାନ୍ସଙ୍କୁ ମିଛ କହିଥିବା ସାଧାରଣରେ ଚର୍ଚ୍ଚା ଲାଗିରହିଛି ।

ଏହି ଖବର ଭାଇରାଲ ହେବାପରେ ଏହାକୁ ନେଇ ଖୋଦ ଜିତେନ୍ଦ୍ର କୁମାର ମତ ରଖି କହିଥିଲେ ଯେ, ତାଙ୍କୁ ଏ ବିଷୟରେ କୌଣସି ସୂଚନା ନାହିଁ ବା ସେ କିଛି ଜାଣିନାହାନ୍ତି । ବା ମିର୍ଜାପୁରରେ ଏପର୍ଯ୍ୟନ୍ତ କୌଣସି ତାଙ୍କର ଚରିତ୍ର ନାହିଁ । ତେବେ ଦର୍ଶକଙ୍କ କହିବା ଅନୁଯାୟୀ,  ମିର୍ଜାପୁର-୩ର ନିର୍ମାତା ଦର୍ଶକଙ୍କୁ ମିଛ କହି ଧୋକା ଦେବା ସହ ପ୍ରତିଶୃତି ପାଳନ କରିନାହାନ୍ତି ।