spot_img
Home Blog Page 1859

ଓଡ଼ିଶାର ପୋଷ୍ଟାଲ୍ ଦୁର୍ନୀତି ନେଇ ସିବିଆଇର ତନାଘନା, ୬୭ଟି ସ୍ଥାନରେ ରେଡ୍

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାର ପୋଷ୍ଟାଲ୍ ଦୁର୍ନୀତି ନେଇ ସିବିଆଇର ତନାଘନା। ଏହି ଘଟଣାରେ ୬୭ଟି ସ୍ଥାନରେ ରେଡ୍ କରିଛି ସିବିଆଇ। ଗ୍ରାମୀଣ ଡାକ ସେବକ ପରୀକ୍ଷାର ୬୩ ଜଣ ପରୀକ୍ଷାର୍ଥୀ ଏବଂ ଡାକ ବିଭାଗର ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି ସିବିଆଇ। ପୋଷ୍ଟାଲ ସେବାର ନିର୍ଦ୍ଦେଶକଙ୍କ ଅଭିଯୋଗ ପରେ କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ମଯୂରଭଞ୍ଜ, ବାଲେଶ୍ବର, ଭଦ୍ରକର ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍ ।

ସୂଚନା ଅନୁଯାୟୀ, ୨୦୨୩ରେ ୧ ହଜାର ୩୮୨ଟି ଗ୍ରାମୀଣ ଡାକ ସେବକ ପାଇଁ ନିଯୁକ୍ତି ପ୍ରକ୍ରିୟା ହୋଇଥିଲା। କେବଳ ଦଶମ ମାର୍କ ଆଧାରରେ ଚାକିରି ମିଳିବାର ନିୟମ ଥିଲା। ଜାଲ୍ ସାର୍ଟିଫିକେଟ ଦେଇ ଅନେକ ପିଲା ଏହି ଚାକିରି ପାଇଥିବାର ହୋଇଥିଲା ଅଭିଯୋଗ। ଅନେକ ପିଲା ରାଜ୍ଯ ବାହାରୁ ଜାଲ୍ ସାର୍ଟିଫିକେଟ ଆଣି ଏହି ଚାକିରି ପାଇଛନ୍ତି। ୨୦୨୩ ମେ’ ୯ ତାରିଖରେ ସିବିଆଇ ମାମଲା ରୁଜୁ କରିଥିଲା। ସାର୍ଟିଫିକେଟ ଯାଞ୍ଚ ବେଳେ ଦେଖା ଯାଇଥିଲା, ଅନେକ ପିଲା ରାଜ୍ଯ ବାହାରର ବିଭିନ୍ନ ବୋର୍ଡରୁ ଜାଲ୍ ସାର୍ଟିଫିକେଟ ଆଣିଛନ୍ତି। ପଶ୍ଚିମବଙ୍ଗ, କୋଲକାତା, ଝାଡ଼ଖଣ୍ଡ, ରାଞ୍ଚି, ଆଲାହାବାଦ ଏପରି ଅନେକ ସ୍ଥାନରୁ ସେମାନେ ଜାଲ୍ ସାର୍ଟିଫିକେଟ ଆଣି ଧରା ପଡ଼ିଥିଲେ।

ନିଟ୍ ରେଜଲ୍ଟ ବଡ଼ ସ୍କାମ୍; ଏଭଳି ସାଂଘାତିକ ଅଭିଯୋଗ ଆଣିଛି ରାଜ୍ୟ ଛାତ୍ର କଂଗ୍ରେସ

ଭୁବନେଶ୍ୱର:  ନିଟ୍ ରେଜଲ୍ଟ ବଡ଼ ସ୍କାମ୍ । ଏଭଳି ସାଂଘାତିକ ଅଭିଯୋଗ ଆଣିଛି ରାଜ୍ୟ ଛାତ୍ର କଂଗ୍ରେସ। ଛାତ୍ରଛାତ୍ରୀ ଦିନରାତି ଏକ କରି କଠିନ ପରିଶ୍ରମ କରୁଛନ୍ତି। ହେଲେ ପିଲାଙ୍କ ଜୀବନ ସହ ଖେଳୁଛନ୍ତି କର୍ତ୍ତୃପକ୍ଷ। ନିର୍ବାଚନ ପରେ ରେଜଲ୍ଟ ବାହାରିବାର ଥିଲା। ତରବରିଆ ଭାବରେ ୧୦ ଦିନ ପୂର୍ବରୁ ରେଜଲ୍ଟ ବାହାର କରାଗଲା। ଆୟୋଜକ ସଂସ୍ଥା NTAକୁ ଦୁର୍ନୀତିଗ୍ରସ୍ତ ବୋଲି କହିଛି ଛାତ୍ର କଂଗ୍ରେସ। ମାମଲାରେ ନ୍ୟାୟପାଳିକା ତଦନ୍ତ କରିବାକୁ ଦାବି କରିଛି କଂଗ୍ରେସ। ଯେଉଁମାନେ ଏଥିରେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ପରୀକ୍ଷାରେ ସ୍ଵଛତା ଅବଲମ୍ବନ ହୋଇନାହିଁ। କେନ୍ଦ୍ର ସରକାର ଏ ବାବଦରେ କାହିଁକି ମୁଁହ ଖୋଲୁ ନାହାନ୍ତି, ବୋଲି ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ । ବିଭିନ୍ନ ରାଜ୍ୟରେ ପରୀକ୍ଷା ପ୍ରଶ୍ନପତ୍ର ଲିକ ସହ ପରୀକ୍ଷାର୍ଥୀ ପ୍ରଶ୍ନପତ୍ର ପୂର୍ବରୁ ପାଇଥିବା ଅଭିଯୋଗ ହୋଇଛି। ତେଣୁ ୨୫ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳା ନଯାଉ। ପୁଣିଥରେ ସରକାର ପରୀକ୍ଷା ପାଇଁ ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛି ଛାତ୍ର କଂଗ୍ରେସ।

ବାରଙ୍ଗ ନିକଟ ଚୁଡ଼ଙ୍ଗ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ: ବାରଙ୍ଗ ନିକଟ ଚୁଡ଼ଙ୍ଗ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ବାରଙ୍ଗ ଥାନା ପଛ କନକଦୁର୍ଗା ଆଦିବାସୀ ସାହିର ସୁଶାନ୍ତ ଟୁଡୁ । ମୃତକଙ୍କ ଶରୀରରେ କ୍ଷତ ଚିହ୍ନ ରହିଥିବାବେଳେ ତାଙ୍କୁ ହତ୍ଯା କରାଯାଇଥିବା ସନ୍ଦେହ କରାଯାଉଛି । ଅଭିଯୋଗ ଅନୁସାରେ ମଙ୍ଗଳବାର ପୂର୍ବାହ୍ନରେ ମୃତ ସୁଶାନ୍ତ ଦୁଇଜଣ ସହଯୋଗୀଙ୍କ ସହ ସ୍କୁଟର ଯୋଗେ ଜଙ୍ଗଲକୁ ମଦ୍ୟପାନ କରିବାକୁ ଯାଇଥିଲେ। ସେଠାରେ ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ସୁଶାନ୍ତଙ୍କ ଦୁଇ ସହଯୋଗୀ ସେଠାରୁ ଚାଲି ଆସିଥିଲେ । ହେଲେ ରାତି ସୁଦ୍ଧା ସୁଶାନ୍ତ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ବି ସୁଶାନ୍ତଙ୍କ ଖୋଜଖବର ପାଇନଥିଲେ । ଏହାପରେ ଥାନାରେ ଅଭିଯୋଗ କରିଥିଲେ । ଗତକାଲି ସନ୍ଧ୍ଯାରେ ଜଙ୍ଗଲ ଭିତରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ବାରଙ୍ଗ ଓ ଚନ୍ଦକା ପୋଲିସ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରୁଛି। ଦୁଇ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସୁଶାନ୍ତଙ୍କୁ ହତ୍ଯା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ରାଜ୍ଯରେ ଆକାଶ ଛୁଆଁ ପରିବା ଦର

ନନ୍ଦିଘୋଷ ବ୍ୟୁରୋ: ରାଜ୍ଯରେ ଆକାଶ ଛୁଆଁ ପରିବା ଦର । ନିୟମିତ ବଢୁଛି ଦରଦାମ। କଞ୍ଚା ପରିବାରେ ହାତ ମାରିବାକୁ ବି ଡର ଲାଗୁଛି। ଓଡିଶାର ଅଧିକାଂଶ ସ୍ଥାନରେ ଚିନ୍ତା ବଢାଇଲାଣି ପରିବା ଦର । ଆଳୁ ସହ ଟମାଟୋ ଦର ଆକାଶ ଛୁଇଁଲାଣି । ତାସହ ଖାଉଟିଙ୍କୁ ମହଙ୍ଗା ପଡୁଛି କଞ୍ଚା ପନିପରିବା କିଣିବା । ସବୁ ପରିବା ଦାମ ୫୦ ଟଙ୍କା ଉପରେ ରହିଛି । ଆଗରୁ ୩୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଏବେ ଦୁଇଗୁଣା। ଟମାଟୋ କିଲୋପ୍ରତି ୬୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଫୁଲକୋବି, ପୋଟଳ, ବାଇଗଣ, କାଙ୍କଡ ଆଦି ପରିବା ୫୦ ଟଙ୍କା ଉପରେ ରହିଛି। ଦରଦାମକୁ ନେଇ ଲୋକଙ୍କ ମଧ୍ଯରେ ଅସନ୍ତୋଷ ଦେଖିବାକୁ ମିଳିଛି।

 

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଗାଁ ବୁଲିଲେ ମୁଖ୍ଯମନ୍ତ୍ରୀ

ପୁରୀ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଗାଁ ବୁଲିଲେ ମୁଖ୍ଯମନ୍ତ୍ରୀ। ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ସକାଳୁ ମୁଖ୍ୟମନ୍ତ୍ରୀ ଅନ୍ୟ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ପିପିଲି ଓ ସତ୍ୟବାଦୀର ବିଧାୟକ ଏବଂ ବାଲେଶ୍ବର, ପୁରୀର ସାଂସଦ ସୁଆଣ୍ଡୋରେ ପହଞ୍ଚିଥିଲେ। ପ୍ରଥମେ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଷଠିଘର ପରିଦର୍ଶନ କରି ସେଠାରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହାପରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।

ଗୋପବନ୍ଧୁଙ୍କ ଗାଁ ବୁଲିବା ପରେ ଅଞ୍ଚଳର ବିକାଶ ନେଇ ଲୋକଙ୍କ ସହ କଥା ହୋଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ ସୁଆଣ୍ଡୋର ବିକାଶ ପାଇଁ କାର୍ଯ୍ୟ କରିବାକୁ ସରକାର ପ୍ରତିଶୃତିବଦ୍ଧ ।


                

ରଜ ପାଇଁ ସଜବାଜ ହେଲାଣି ପରିବେଶ

ନନ୍ଦିଘୋଷ ବ୍ୟୁରୋ: ରଜ ପାଇଁ ଆରମ୍ଭ ହୋଇଗଲାଣି ସଜବାଜ। ଗାଁ ଠାରୁ  ସହର ପର୍ଯ୍ୟନ୍ତ ରଜ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । କୁଆଁରୀ ମାନେ ରଜ ୩ ଦିନ କିପରି ଖେଳକୁଦ ଓ ମଉଜ ମଜଲିସରେ କାଟିବେ ସେଥିପାଇଁ ସମସ୍ତେ ପ୍ରସ୍ତୁତ ଚାଲିଛି। କୁଆଁରୀଙ୍କ ଦୋଳି ବନ୍ଧା ଆରମ୍ଭ ହୋଇଗଲାଣି। ହାତଠାରି ଡାକିଲାଣି ଅଳତା, ମେହେନ୍ଦୀ, ପିଠା, ମିଠାପାନ। ପିଠା ମିଠାର ୧୨ ସୁଆଦ ନେବାକୁ କୁଆଁରୀ ମାନେ ଅପେକ୍ଷା କରିବସିଲେଣି। ଆଜି ଘରେ ଘରେ ରଜ ସଜବାଜ ସହ ପିଠା ମିଠାର ପ୍ରସ୍ତୁତି ଚାଲିଛି।

ଏପଟେ ରଜ କିଣାବିକା ପାଇଁ ବଜାରରେ ଭିଡ ଜମିଛି । ରଜରେ ସହରରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ରଜ ପାଇଁ ଅନେକ ତେଜରାତି ଦୋକାନୀ ଚାଉଳ ଚୂନା ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ଅନ୍ୟପଟେ ପାର୍ଲରରେ ଝିଅଙ୍କ ଭିଡ । ବଡ ବଡ ରେଷ୍ଟୁରାଣ୍ଟରେ ମଧ୍ଯ ପିଠାକୁ ମେନ୍ଯୁର ସାମିଲ କରିଛନ୍ତି ମାଲିକ । ପୋଡପିଠା , କରଞ୍ଜିପିଠା, ଚନ୍ଦ୍ରକଳା, କାକରା, ମଣ୍ଡା, ଲବଙ୍ଗୀ ପରି ଭଳିକି ଭଳି ଖାଦ୍ଯ ମେନ୍ଯୁରେ ସାମିଲ ହୋଇଛି । ଛୋଟ ପିଲାଙ୍କ ପାଇଁ ସହର ଗଳିକନ୍ଦିରେ ଦୋଳିର ପସରା ମେଲି ବସିଥିବା ବ୍ଯବସାୟୀ ବି ଭଲ ରୋଜଗାର ନେଇ ଆଶାବାଦୀ ।

NEET: ପୁଣି ପରୀକ୍ଷା ଦେବେ ୧୫୬୩ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ରେଜଲ୍ଟ ବିବାଦରେ ସୁପ୍ରମକୋର୍ଟଙ୍କ ବଡ଼ ରାୟ। ରଦ୍ଦ ହେଲା ୧୫୬୩ ଜଣ ପରୀକ୍ଷାର୍ଥୀଙ୍କ ଗ୍ରେସମାର୍କ। ପୁଣି ପରୀକ୍ଷା ଦେଇପାରିବେ ଗ୍ରେସ ମାର୍କ ପାଇଥିବା ୧୫୬୩ ଜଣ ଛାତ୍ରଛାତ୍ରୀ। ଏହାସହ ଗ୍ରେସ ମାର୍କ ପାଇଥିବା ୧୫୬୩ ଜଣ ପରୀକ୍ଷାର୍ଥୀଙ୍କ ସ୍କୋରକାର୍ଡ ରଦ୍ଦ ହୋଇଛି। ରେଜଲ୍ଟ ବିବାଦରେ ଏନଟିଏର ଜବାବ ପରେ ଏହି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ଛାତ୍ରଙ୍କ ଲାଗି ଦୁଇଟି ବିକଳ୍ପ ରହିଛି। ଗ୍ରେସମାର୍କ ପାଇଥିବା ୧୫୬୩ ପରୀକ୍ଷାର୍ଥୀ ପୁଣି ପରୀକ୍ଷା ଦେଇପାରିବେ କିମ୍ବା ସେମାନଙ୍କୁ ଗ୍ରେସମାର୍କ ବିନା ସ୍କୋରକାର୍ଡକୁ ଗ୍ରହଣ କରିବାକୁ ପଡିବ। ଆସନ୍ତା ୨୩ ଜୁନରେ ଗ୍ରେସମାର୍କ ପାଇଥିବା ଛାତ୍ରଛାତ୍ରୀଙ୍କ ଲାଗି ପୁନଃ ପରୀକ୍ଷା ହେବ। ଜୁନ ୩୦ ପୂର୍ବରୁ ରେଜଲ୍ଟ ପ୍ରକାଶ ପାଇବ।

ତେବେ ନିଟ୍ ପରୀକ୍ଷା ସମ୍ପୂର୍ଣ୍ଣ ରଦ୍ଦ କରାଯାଇନଥିବା ନେଇ ଜବାବ ଦାଖଲ ରଖିଥିଲା ଏନଟିଏ। ସୁପ୍ରିମକୋର୍ଟରେ ଏହି ଜବାବ ରଖିଛନ୍ତି ମେଡିକାଲ ପ୍ରବେଶିକା ପରୀକ୍ଷା ଆୟୋଜନ କରିଥିବା ନ୍ଯାସନାଲ ଟେଷ୍ଟିଂ ଏଜନସି NTA। ତେବେ ମେଡିକାଲ ନାମଲେଖା ଲାଗି କାଉନସେଲିଂ ପ୍ରକ୍ରିୟାରେ ରୋକ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ନାମଲେଖା ପ୍ରକ୍ରିୟା ଜାରି ରହିବ। ମେଡିକାଲ ପ୍ରବେଶିକା ପରୀକ୍ଷା ରେଜଲ୍ଟ , ପରୀକ୍ଷାରେ ଅନିୟମିତତା ଏବଂ ପରୀକ୍ଷା ରଦ୍ଦ କରିବା ନେଇ ଆବେଦନ ହୋଇଥିଲା। ଏହି ମାମଲାରେ ଜବାବ ଦାଖଲ ଲାଗି ସୁପ୍ରିମକୋର୍ଟରେ ଏନଟିଏକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟରେ ଏନଟିଏର ଜବାବ ପରେ ଏହି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ଜୁଲାଇ ୮ ତାରିଖରେ ମାମଲାରେ ପରବର୍ତ୍ତୀ ଶୁଣାଣି ହେବ।

ରାଜ୍ୟରେ ଆଗକୁ ବଢ଼ିବ ମୌସୁମୀ, ୩ରୁ ୪ଦିନ ମଧ୍ୟରେ ଓଡ଼ିଶାକୁ ପ୍ରବେଶ କରିବ ମୌସୁମୀ

ଭୁବନେଶ୍ୱର: ଆଗକୁ ବଢିବ ମୌସୁମୀ । ଆସନ୍ତା ୧୫ ତାରିଖ ପରେ ମୌସୁମୀ ଆଗକୁ ବଢିବା ପାଇଁ ପାଗ ଅନୁକୂଳ ରହିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତ ୮ ତାରିଖରେ ଓଡ଼ିଶାର ମାଲକାନଗିରି ଜିଲ୍ଲାକୁ ଛୁଇଁଥିବା ବେଳେ ଆଉ ଆଗକୁ ବଢିପାରିନି । କାରଣ କାଳବୈଶାଖୀ ପ୍ରଭାବ କମିବା ସହ ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଉତ୍ତର ଉପକୂଳ ଓଡିଶାରେ ମଧ୍ୟ ଗରମ ଗୁଳୁଗୁଳି ଲଗାତାର ଜାରି ରହିଛି। ଫଳରେ ମୌସୁମୀ ମାଲକାନଗିରି ଜିଲ୍ଲାରୁ ଆଗକୁ ବଢିବା ପାଇଁ ବଳ ପାଉନି । ତେବେ ଗତକାଲି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମହାରାଷ୍ଟ୍ର ଓ ଛତିଶଗଡ଼ର କିଛି ଅଞ୍ଚଳ, ସମ୍ପୂର୍ଣ୍ଣ ତେଲେଙ୍ଗାନାକୁ ସ୍ପର୍ଶ କରିଛି । ଆଗାମୀ ୩ରୁ ୪ଦିନ ମଧ୍ୟରେ ଓଡ଼ିଶାର କିଛି ଅଞ୍ଚଳ ସମେତ ଆନ୍ଧ୍ର ଉପକୂଳ ଓ ବଙ୍ଗୋପସାଗରର ଉତ୍ତର ପଶ୍ଚିମ ଅଞ୍ଚଳକୁ ସ୍ପର୍ଶ କରିବା ନେଇ ପାଗ ଅନୁକୂଳ ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମୌସୁମୀ ସ୍ପର୍ଶ କରିବା ପର୍ଯ୍ୟନ୍ତ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଓ ଉପକୂଳ ଓଡ଼ିଶାରେ ଗରମ ସହ ଗୁଳୁଗୁଳି ଅନୁଭୂତ ହେବ । ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ଜନିତ ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ । ୧୫ ତାରିଖଠାରୁ ପାଗରେ ପରିବର୍ତ୍ତନ ହୋଇପାରେ। ଗ୍ରୀଷ୍ମ ପ୍ରବାହ ସାମାନ୍ୟ କମିବା ସହ କାଳବୈଶାଖୀ ବର୍ଷାର ପ୍ରଭାବ ବଢିବ। ୧୬ ତାରିଖରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୧୭ ତାରିଖଠାରୁ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।

ରାୟଗଡ କାଶୀପୁର ମନୁଷପଦର ଗାଁରେ ଅଜଣା ରୋଗ ଆକ୍ରାନ୍ତ, ୫ ମୃତ

ରାୟଗଡା: ରାୟଗଡା କାଶୀପୁର ମନୁଷପଦର ଗାଁରେ ଅଜଣା ରୋଗ ଘଟଣା। ଏହି ଅଜଣା ରୋଗରେ ୫ ଜଣଙ୍କର ମୃତ୍ଯୁ ହୋଇଛି। ଗାଁକୁ ସାତ ଜଣିଆ ଟିମ ସ୍ଥିତି ଅନୁଧ୍ୟାନ ପାଇଁ ଯାଇଛନ୍ତି । ଟିମରେ ଭୁବନେଶ୍ୱରରୁ ଆଡିସନାଲ ଡାଇରେକ୍ଟର ଡ଼ାକ୍ତର ଆଦିତ୍ୟ ମହାପାତ୍ର, ଜଏଣ୍ଟ ଡାଇରେକ୍ଟର, କୋରାପୁଟ SLN ମେଡିକାଲ କଲେଜର ୫ ଜଣଙ୍କ ସହ ରାୟଗଡର ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ସାମିଲ ହୋଇଛନ୍ତି। ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ରୋଗୀଙ୍କୁ ଅନୁଧ୍ୟାନ ପରେ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ।

ସୂଚନା ଅନୁଯାୟୀ, ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ୪ ଜଣ ଶିଶୁ ଓ ଜଣେ ବୃଦ୍ଧା ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ବିଶେଷ କରି ଏହି ରୋଗରେ ଶିଶୁ ଏବଂ ବୃଦ୍ଧା ଆକ୍ରାନ୍ତ ହେଉଛନ୍ତି। ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ବର ଆରଏମଆରସିକୁ ପଠାଯାଇଥିବା ସୂଚନା ମିଳିଛି। ଗତକାଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ, କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଟିମ୍ ଏବଂ ବିଶ୍ବ ସ୍ବାସ୍ଥ୍ୟ ବିଭାଗ ଟିମ୍ ଯାଇ ଆକ୍ରାନ୍ତଙ୍କୁ ଚିକିତ୍ସା କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଟିମ ପକ୍ଷରୁ ଡିପଥେରିଆ ରୋଗ ବ୍ୟାପିଥିବା ସନ୍ଦେହ କରାଯାଉଛି। ପୋଡଶୀ ଗାଁକୁ ରୋଗ ବ୍ୟାପୁଥିବା ସୂଚନା ମିଳିଛି।

ଡୋଡା ଆକ୍ରମଣ ଘଟଣା: ୪ ଆତଙ୍କବାଦୀଙ୍କ ସ୍କେଚ୍ ଜାରି, ସୂଚନା ଦେବା ବ୍ୟକ୍ତିଙ୍କୁ ମିଳିବ ପୁରସ୍କାର ରାଶି

ନନ୍ଦିଘୋଷ ବ୍ୟୁରୋ: ଡୋଡା ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଜମ୍ମୁ-କାଶ୍ମୀର ପୋଲିସ ୪ ଜଣ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି। ଏହି ଆତଙ୍କବାଦୀମାନେ ଡୋଡା ଜିଲ୍ଲାର ଭଦ୍ରଓ୍ୱାହ, ଥାଥରି, ଏବଂ ଗଣ୍ଡୋହର ଉପର ଅଞ୍ଚଳରେ ସକ୍ରିୟ ଥିବା ଜଣାପଡିଛି। ଏହି ଆତଙ୍କବାଦୀଙ୍କ ବିଷୟରେ ସୂଚନା ପାଇଁ ଜମ୍ମୁ କଶ୍ମୀର ପୋଲିସ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି। ଆତଙ୍କବାଦୀଙ୍କ ସୂଚନା ଦେବା ବ୍ୟକ୍ତିଙ୍କ ପରିଚୟ ଗୁପ୍ତ ରଖାଯିବ ବୋଲି ପୋଲିସ କହିଛି।

ପୁରସ୍କାର ରାଶି ୨୦ ଲକ୍ଷ ଟଙ୍କା

ଜମ୍ମୁ କଶ୍ମୀର ପୋଲିସ ଏହି ଆତଙ୍କବାଦୀଙ୍କ ସ୍କେଚ୍ ସୋଶାଲ ମିଡିଆ X ଆକାଉଣ୍ଟରେ ଜାରି କରିଛି। ପ୍ରତ୍ୟେକ ଆତଙ୍କବାଦୀଙ୍କ ବିଷୟରେ ସୂଚନା ପ୍ରଦାନ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ଏହାର ଅର୍ଥ, ଯଦି କେହି ଚାରି ଆତଙ୍କବାଦୀ ବିଷୟରେ ପୋଲିସକୁ ସୂଚନା ଦିଅନ୍ତି, ତେବେ ତାଙ୍କୁ ୨୦ ଲକ୍ଷ ଟଙ୍କା ପୁରସ୍କାର ମିଳିବ।

ସୂଚନା ଅନୁୟାୟୀ, ଗତ ୪ ଦିନ ଭିତରେ ଜମ୍ମୁର ସମ୍ଭାବର ଭିନ୍ନ ଭିନ୍ନ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଏନ୍‌କାଉଣ୍ଟର ମାମଲା ସାମ୍ନାକୁ ଆସିଛି। ଆତଙ୍କବାଦୀମାନେ କାଠୁଆର ହୀରାନଗରରେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ । ବୁଧବାର ସନ୍ଧ୍ୟାରେ ଜମ୍ମୁର ଡୋଡା ଜିଲ୍ଲାର କୋଟା ଟପ୍ ଠାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ କନଷ୍ଟେବଳ ଫରିଦ ଅହମ୍ମଦ ଆହତ ହୋଇଥିଲେ।

କହିରଖୁ ଯେ, ରେସି ଆକ୍ରମଣ ପରେ ଆତଙ୍କବାଦୀ ଘଟଣା ବୃଦ୍ଧି ପାଇଛି। ଜୁନ୍ 9, ରବିବାର ଦିନ ଜାମ୍ମୁର ରେସିର ଶିବଖୋଡିରୁ ଫେରୁଥିବା ଏକ ବସ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୯ ଭକ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ୪୧ ରୁ ଅଧିକ ଆହତ ହୋଇଥିଲେ। ଏହି ଆକ୍ରମଣ ପରେ ଆତଙ୍କବାଦୀ ଘଟଣା କ୍ରମାଗତ ଭାବେ ସାମ୍ନାକୁ ଆସୁଛି। କାଠୁଆ ଏବଂ ଡୋଡାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଥିଲା।