spot_img
Home Blog Page 1860

ପାରିବାରିକ କଳହର କରୁଣ ପରିଣତି; ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ

ବାଲେଶ୍ବର : ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ । ବାଲେଶ୍ବର ଜିଲ୍ଲା ଖଇରା ଥାନା ଅସୁରିଆ ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତକ ହେଲେ କାଞ୍ଚନ ପରିଡ଼ା । ଅଭିଯୁକ୍ତ ସ୍ବାମୀ ରମାକାନ୍ତ ପରିଡ଼ାକୁ ପୋଲିସ ଅଟକ ରଖି ତଦନ୍ତ କରୁଛି । ଅଭିଯୋଗ ଅନୁସାରେ ରମାକାନ୍ତ ବେଆଇନ ମଦ ବିକ୍ରି କରିବା ସହ ନିଶାରେ ସ୍ତ୍ରୀଙ୍କୁ ମାରପିଟ କରୁଥିଲା । ଏପରିକି ଗାଁରେ ବିଭିନ୍ନ ସମୟରେ ଗଣ୍ଡଗୋଳ ମଧ୍ଯ କରୁଥିଲା । ୭ ବର୍ଷ ତଳେ ଜଣେ ଯୁବକଙ୍କୁ ଭୁଜାଲିରେ ହାଣି ହତ୍ଯା କରି ଜେଲ ଯାଇଥିଲା ଅଭିଯୁକ୍ତ। ପରେ ଜାମିନରେ ଆସି ମଧ୍ଯ ଅନେକ ସମୟରେ ମାରପିଟ କରୁଥିଲା ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ଯରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ହତ୍ଯା କରିଥିଲା ସ୍ବାମୀ । ଗ୍ରାମବାସୀଙ୍କ ସୂଚନା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିୁଯୁକ୍ତକୁ ଅଟକ ରଖି ତଦନ୍ତ କରୁଛି ।

ଗାଜିଆବାଦରେ ଭୟାବହ ଅଗ୍ନିକାଣ୍ଡ, ୨ ଶିଶୁ ସମେତ ୫ ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଗାଜିଆବାଦରେ ଭୟାବହ ଅଗ୍ନିକାଣ୍ଡ । ଗାଜିଆବାଦର ଲୋନି ସୀମା ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ତିନି ମହଲା ବିଶିଷ୍ଟ ଏକ କୋଠାରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ୨ ଜଣ ଶିଶୁ ରହିଥିବା ସୂଚନା ମିଳିଛି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହା ପୂର୍ବରୁ ୭ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । କୁହାଯାଉଛି ଯେ, ମହଲାରେ ଫୋମ ବିଜନେସ ଚାଲୁଥିଲା ।

ଏହି ଘଟଣା ସାମ୍ନାକୁ ଆସିବା ମାତ୍ରେ ସିଏମ୍ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏ ବାବଦରେ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶାବଳୀ ଦିଆଯାଇଛି ।

ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଗାଜିଆବାଦର ହାଜିପୁର ଗାଁରେ ଇସ୍ତିୟାକ ଅଲି ନିଜ ପରିବାରକୁ ଧରି ତୃତୀୟ ମହଲାରେ ରହୁଥିଲେ । ପରିବାରରେ ତାଙ୍କ ପୁଅ ସାରିକ, ସାରିକଙ୍କ ସ୍ତ୍ରୀ, ସାତ ମାସର ଶିଶୁ ଏବଂ ଭଉଣୀ ଥିଲେ । ସାରିକଙ୍କ ଅନ୍ୟ ଭଉଣୀ ନିଜ ତିନୋଟି ଶିଶୁଙ୍କୁ ଧରି ତାଙ୍କ ଘରକୁ ଆସିଥିଲେ । ଏହି ଭୟାବହ ଅଗ୍ନିକାଣ୍ଡରେ ଏମାନେ ସବୁ ଫସିଯାଇଥିଲେ । କୁହାଯାଉଛି ଯେ ବୁଧବାର ରାତି ପ୍ରାୟ ୮ ଟା ସମୟରେ ସର୍ଟ ସର୍କିଟ ଯୋଗୁଁ ଘରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିଲା।

ୟୁପିରେ ଏନଡିଏର ନୈରାଶ୍ଯଜନକ ପ୍ରଦର୍ଶନ ନେଇ ତେଜୁଛି ରାଜନୀତି

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶରେ ଏନଡିଏ ମେଣ୍ଟର ନୈରାଶଜନକ ପ୍ରଦର୍ଶନକୁ ନେଇ ତେଜୁଛି ରାଜନୀତି । ରାଜ୍ଯରେ ମନ୍ଦିର ରାଜନୀତିକୁ ଲୋକେ ଉଚିତ ଜବାବ ଦେଇଛନ୍ତି ବୋଲି କହିଛନ୍ତି ଏନସିପି ସୁପ୍ରିମୋ ଶରଦ ପାଓ୍ବାର । ଖୋଦ ଅଯୋଧ୍ଯାରେ ବିଜେପି ପ୍ରାର୍ଥୀଙ୍କ ପରାଜୟକୁ ନେଇ ଏହା କହିଛନ୍ତି ପାଓ୍ବାର । ଅଯୋଧ୍ଯା ଅନ୍ତର୍ଭୁକ୍ତ ଥିବା ଫୈଜାବାଦ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଲାଲୁ ସିଂଙ୍କୁ ପ୍ରାୟ ୫୫ ହଜାର ଭୋଟରେ ପରାସ୍ତ କରିଥିଲେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅବଧେଶ ପ୍ରସାଦ। ମହାରାଷ୍ଟ୍ର ବାରମତିରେ ଆୟୋଜିତ ସଭାରେ ଶରଦ ଏହି ବୟାନ ଦେଇଛନ୍ତି । ସେ କହିଛନ୍ତି- ବିଜେପି ଯେଉଁ ନାରା ଦେଉଥିଲା ସେଥିରେ ଦଳ ବିଫଳ ହୋଇଛି ଏବଂ ସାରା ଦେଶରେ ଦଳ ନୈରାଶ୍ଯଜନକ ପ୍ରଦର୍ଶନ କରିଛି । ଉତ୍ତରପ୍ରଦେଶବାସୀ ବିଜେପି ପ୍ରତି ବିମୁଖ ହୋଇଛନ୍ତି । ମନ୍ଦିର ନାମରେ ଭୋଟ ହାସଲ କରିବାର ପ୍ରକ୍ରିୟାକୁ ରାଜ୍ଯବାସୀ ପ୍ରତ୍ୟାଖ୍ଯାନ କରିଛନ୍ତି ବୋଲି ସେ କହିଛନ୍ତି ।

ସେପଟେ ବାରାଣସୀ ଆସନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସେ କହିଛନ୍ତି ଯଦି ବାରାଣସୀ ଆସନରେ ପ୍ରିୟଙ୍କା ଗାନ୍ଧୀ ଲଢିଥାନ୍ତେ ତେବେ ତାଙ୍କର ବିଜୟ ନିଶ୍ଚୟ ହୋଇଥାନ୍ତା । ରାଏବରେଲିରେ ଆୟୋଜିତ ସଭାରେ ସେ କହିଛନ୍ତି- ରାଏବରେଲି ଓ ଆମେଥିରେ ଇଣ୍ଡିଆ ମେଣ୍ଟ ସମ୍ପୂର୍ଣ୍ଣ ଏକତା ରକ୍ଷା କରି ନିର୍ବାଚନ ଲଢିଥିବାରୁ ଦୁଇଟି ଆସନରେ ମେଣ୍ଟର ବିଜୟ ସମ୍ଭବ ହୋଇଥିଲା ।

ଆଜିଠୁ ଇଟାଲୀରେ ଗ୍ରୁପ-୭ ସମ୍ମିଳନୀ, ଭାରତ ଓ ଇଟାଲୀ ମଧ୍ଯରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ରୋଡମ୍ଯାପ

ନନ୍ଦିଘୋଷ ବ୍ୟୁରୋ : ଆଜିଠାରୁ ଇଟାଲୀରେ ଆରମ୍ଭ ହେଉଛି ଗ୍ରୁପ-୭ ବୈଠକ। ଦୁଇ ଦିନଆ ଗ୍ରୁପ-୭ ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗରେ ହେବ ଗୁରୁତ୍ବପୂର୍ଣ୍ଣ ଆଲୋଚନା। ଭାରତ ଓ ଇଟାଲୀ ମଧ୍ଯରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ କେତେକ ପ୍ରସଙ୍ଗରେ ଆଲୋଚନା ସମ୍ଭାବନା ରହିଛି। ଗ୍ରୁପ-୭ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ମଧ୍ଯରେ ଆଲୋଚନା ହେବ। ଇଟାଲୀର ବୋର୍ଗୋ ଏଗନାଜିଆରେ ଆୟୋଜିତ ହେବାକୁ ଥିବା ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଫ୍ରାନସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା, ଜର୍ମାନୀ ଚାନସେଲର ଓଲାଫ ସ୍କଜ ପ୍ରମୁଖ ଯୋଗଦେବେ।

ଏହି ସମ୍ମିଳନୀ ଲାଗି ପ୍ରଧାନମନ୍ତ୍ରୀଙ୍କ ସହ ଯିବେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ବୈଦେଶିକ ସଚିବ ପ୍ରମୁଖ। ଗ୍ରୁପ-୭ର ସଦସ୍ଯ ରହିଛନ୍ତି ଇଟାଲୀ, କାନାଡା, ଫ୍ରାନ୍ସ, ଜର୍ମାନୀ, ଜାପାନ, ବ୍ରିଟେନ ଓ ଆମେରିକା। ଇଟାଲୀର ଅନୁରୋଧ କ୍ରମେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ମଙ୍ଗଳ ଆଳତୀ ପରେ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିରର ଚାରି ଦ୍ବାର

ପୁରୀ: ଖୋଲିଲା ଶ୍ରୀମନ୍ଦିରର ଚାରି ଦ୍ବାର । ମଙ୍ଗଳ ଆଳତୀ ପରେ ଭକ୍ତଙ୍କ ପାଇଁ ଚାରି ଦ୍ବାର ଖୋଲାଯାଇଛି । ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଦୁଇ ଉପମୁଖ୍ଯମନ୍ତ୍ରୀ କେଭି ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେବାପରେ ପ୍ରଥମ କରି ମୋହନ ମାଝୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିଛନ୍ତି ।

ନୂଆ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ଯ ମଧ୍ଯ ପୁରୀ ଯାଇଛନ୍ତି । ଶ୍ରୀମନ୍ଦିରରେ ମୁଖ୍ଯ ଶାସନ ସଚିବଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି । ଶ୍ରଦ୍ଧାଳୁମାନେ ଚାରି ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି ।

ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରି ଚାରି ଦ୍ଵାର ପ୍ରଦକ୍ଷିଣ କରିଥିଲେ। ଏହା ସହିତ ସବୁ ଦ୍ଵାର ଖୋଲା ଯାଇଥିଲା। ମୁଖ୍ୟମନ୍ତ୍ରୀ କହିଛନ୍ତି ଚାରିଦ୍ବାର ଖୋଲିବା ନେଇ ଗତକାଲି ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଥିଲା । ଏହି ସମୟରେ ମୁଖ୍ଯ ଶାସନ ସଚିବଙ୍କ ସମେତ ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ଏବେ ଶ୍ରଦ୍ଧାଳୁମାନେ ଚାରି ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି ।

ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଭୟଙ୍କର ଅଗ୍ନିକାଣ୍ଡ ,ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ

କୋଲକାତା : ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଭୟଙ୍କର ଅଗ୍ନିକାଣ୍ଡ । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପଶ୍ଚିମବଙ୍ଗର ପଶ୍ଚିମ ମିନାପୁରର ପାଲସାଣ୍ଡପୁର ଅଞ୍ଚଳରେ ଜଣେ ବ୍ୟକ୍ତି ରୋଷେଇ କରୁଥିବା ସମୟରେ ହଠାତ ଗ୍ୟାସ ସିଲିଣ୍ଡରଟି ଜଳିଉଠିଥିଲା । ନିଆଁ ଲିଭାଇବା ପୂର୍ବରୁ ସିଲିଣ୍ତରଟି ବିସ୍ଫୋରଣ ହୋଇଥିଲା । ଚାହୁଁ ଚାହୁଁ ଘର ସମେତ ଦୋକାନ ଘରେ ମଧ୍ୟ ନିଆଁ ବ୍ୟାପିଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । ଅଗ୍ନିକାଣ୍ଡରେ ଦୁଇଜଣ ଗୁରୁତର ଆହତ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁସ ହୋଇଯାଇଛି । ଆହତ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମୀଣ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପ୍ରଥମ କ୍ଯାବିନେଟ ବୈଠକରେ ୪ଟି ନିଷ୍ପତ୍ତି ଉପରେ ମୋହର; ଆସନ୍ତାକାଲିଠୁ ଖୋଲିବ ଶ୍ରୀମନ୍ଦିରର ୪ ଦ୍ବାର

ଭୁବନେଶ୍ୱର : ନୂଆ ସରକାରର ପ୍ରଥମ କ୍ଯାବିନେଟ ବୈଠକରେ ନିଆଯାଇଛି ୪ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ଯକ୍ଷତାରେ ବସିଥିବା ପ୍ରଥମ କ୍ଯାବିନେଟ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଆସନ୍ତାକାଲିଠୁ ଶ୍ରୀମନ୍ଦିରର ୪ ଦ୍ବାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ମଙ୍ଗଳଆଳତି ସମୟରେ ମନ୍ତ୍ରିମଣ୍ଡଳର ସଦସ୍ଯଙ୍କ ଉପସ୍ଥିତିରେ ୪ ଦ୍ବାର ଖୋଲାଯିବ । ଏହାସହ ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର ଏକ କର୍ପସ ଫଣ୍ଡ ଗଠନ କରାଯିବ । ଏନେଇ ବଜେଟରେ ବ୍ଯବସ୍ଥା ରହିବ ।

ଅନ୍ଯପଟେ ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ନୀତି ଆଣିବେ ସରକାର । ପ୍ରତିଶୃତି ଅନୁସାରେ ଧାନର ଏମଏସପି ୩୧ଶହ ଟଙ୍କା କରିବାକୁ କମିଟି ଗଠନ ହେବ । ଅନ୍ଯପଟେ ୧୦୦ ଦିନ ଭିତରେ କାର୍ଯ୍ୟକାରୀ ହେବ ଶୁଭଦ୍ରା ଯୋଜନା । ଏହି ଯୋଜନାରେ ୫୦ ହଜାର ଟଙ୍କାର ନଗଦ ଭାଉଚର ଦେବାକୁ ନିଷ୍ପତ୍ତି ହୋଇଛି ।

ସେପଟେ ଆସନ୍ତାକାଲିଠାରୁ ଶ୍ରୀମନ୍ଦିର ଖୋଲିବା ନେଇ ରାଜ୍ୟ କ୍ଯାବିନେଟର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଛି। ଭର୍ଚ୍ଚୁଆଲ ମୋଡରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। କିପରି ଶ୍ରୀମନ୍ଦିର ୪ ଦ୍ଵାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରିବେ ସେଥିପ୍ରତି ଗୁରୁତ୍ଵ ଦିଆଯାଇଛି।

ଶ୍ରଦ୍ଧାଳୁଙ୍କ ଲାଗି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସହ ୪ ଦ୍ଵାରରେ ଯୋତା ଓ ମୋବାଇଲ ଷ୍ଟାଣ୍ଡ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି। ଏହାସହ ଗ୍ରୀଷ୍ଣରୁ ରକ୍ଷା ପାଇବାକୁ ଭକ୍ତଙ୍କ ଲାଗି ସ୍ଵତନ୍ତ୍ର ସେଡ୍ ବ୍ୟବସ୍ଥା କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ଭକ୍ତଙ୍କ ଦର୍ଶନ ଲାଗି ଆବଶ୍ୟକ ବ୍ୟବସ୍ଥା କରିବାକୁ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଆସନ୍ତା ଜୁନ ୨୪ରୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ

ନୂଆଦିଲ୍ଲୀ : ଆସନ୍ତା ଜୁନ ୨୪ରୁ ବସିବ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ । ଜୁଲାଇ ୩ ଯାଏ ଚାଲିବାକୁ ଥିବା ଅଧିବେଶନରେ ନୂଆ ସାଂସଦମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ । ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ଯାପାର ମନ୍ତ୍ରୀ କିରଣ ରିଜିଜୁ । ପ୍ରଥମ ତିନି ଦିନ ଶପଥ ଗ୍ରହଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହେବା ସହ ବାଚସ୍ପତି ନିର୍ବାଚନ ହେବ ।

ଜୁନ ୨୭ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଲୋକସଭା ଓ ରାଜ୍ଯସଭାର ମିଳିତ ଅଧିବେଶେନରେ ଉଦବୋଧନ ଦେବେ । ଏହା ସହ ଆସନ୍ତା ପାଞ୍ଚ ବର୍ଷ ଲାଗି ନୂଆ ସରକାରର ରୋଡମ୍ଯାପ ସମ୍ପର୍କରେ ସୂଚନା ଦେବେ । ସେ କହିଛନ୍ତି ରାଜ୍ଯସଭାର ୨୬୪ତମ ଅଧିବେଶନ ଜୁନ ୨୭ରୁ ବସିବ ଏବଂ ଏହା ଜୁଲାଇ ୩ ଯାଏ ଚାଲିବ । ଜୁନ ୨୭ରେ ରାଷ୍ଟ୍ରପତିଙ୍କ ଉଦବୋଧନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ୍ତ୍ରିମଣ୍ଡଳର ସଦସ୍ଯଙ୍କୁ ପରିଚିତ କରାଇବେ । ସେପଟେ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଇଣ୍ଡିଆ ମେଣ୍ଟ ପ୍ରସ୍ତୁତ ହେବ ।

ଏଣିକି ଉଚ୍ଚଶିକ୍ଷା ପାଇଁ ବର୍ଷକୁ ୨ ଥର ନାମଲେଖା

ଭୁବନେଶ୍ୱର : ଏଣିକି ଉଚ୍ଚଶିକ୍ଷା ପାଇଁ ବର୍ଷକୁ ୨ ଥର ନାମଲେଖା ହେବ। ଜୁଲାଇ- ଅଗଷ୍ଟ ଓ ଜାନୁଆରୀ-ଫେବ୍ରୁ ଆରୀ ମାସରେ ହେବ ନାମଲେଖା। ଏଭଳି ନିଷ୍ପଭି ନେବାକୁ ଯାଉଛି ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି। ଆସନ୍ତା ୨୫ ତାରିଖରେ ହେବାକୁ ଥିବା ୟୁଜିସିର ୫୭୧ତମ କମିଶନ ବୈଠକରେ ଏନେଇ ୟୁଜିସି ପକ୍ଷରୁ ଅନୁମୋଦନ ଦିଆଯିବ। ଛାତ୍ରଛାତ୍ରୀଙ୍କୁ ଏହା ଅଧିକ ମାତ୍ରାରେ ସୁବିଧା ଯୋଗାଇବ। ଯେଉଁମାନେ କୌଣସି କାରଣରୁ ନାମଲେଖାରୁ ବଞ୍ଚିତ ହୋଇଥିବେ ସେମାନଙ୍କୁ ନାମଲେଖାଇବା ପାଇଁ ସୁଯୋଗ ମିଳିବ।

ଉଚ୍ଚ ଶିକ୍ଷା ପାଇଁ ନାମଲେଖାରୁ ବଞ୍ଚିତ କରିବାକୁ ପଡ଼ିବ ନାହିଁ। ବର୍ଷକୁ ୨ ଥର ନାମଲେଖା ସୁଯୋଗ ମିଳିବ। ଚଳିତ ଶିକ୍ଷା ବର୍ଷରୁ ଏହାକୁ ଲାଗୁ କରାଯିବ। ୟୁଜିସି ନିୟମ ଅନୁଯାୟୀ, ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନମାନେ ଗୋଟିଏ ଶିକ୍ଷା ବର୍ଷରେ ୨ଥର ନାମଲେଖାଇ ପାରିବେ । ଯେଉଁ ଏକାଡେମିକ୍ ନାମଲେଖା ଯଦି ଜୁଲାଇ / ଅଗଷ୍ଟରେ ଆରମ୍ଭ ହୁଏ ଏହାର ପାଠପଢ଼ା ମେ କିମ୍ବା ଜୁନ୍ ମାସରେ ସାରିବାକୁ ପଡ଼ିବ। ମୁକ୍ତ, ଦୂରନିରନ୍ତର ଶିକ୍ଷା ଏବଂ ଅନ୍ଲାଇନ୍ ମୋଡ୍ ଶିକ୍ଷାରେ ନାମଲେଖା ପାଇଁ ଏହାକୁ ଲାଗୁ କରାଯିବ। ଯେଉଁ ଶିକ୍ଷାନୁଷ୍ଠାନର ଭିଭିଭୂମି ଓ ଶିକ୍ଷକ ତଥା ଅଧ୍ୟାପକ ବ୍ୟବସ୍ଥା ଥିବ, ସେମାନେ ବର୍ଷକୁ ଦୁଇ ଥର ନାମଲେଖାଇ ପାରିବେ। ଏହା ବାଧ୍ୟତାମୂଳକ ନୁହେଁ । ଏହା କେବଳ ଉଚ୍ଚ ଶିକ୍ଷାନୁଷ୍ଠାନମାନେ ନିଜର ସକ୍ଷମ ଅନୁସାରେ କରିବେ। ନିଜର ସମସ୍ତ ସୁବିଧା ଓ ନିୟମ ଅନୁସାରେ କରିପାରିବେ।

ମେ’ ୧୫ରେ ଏନେଇ ୟୁଜିସି ବୈଠକରେ ଆଲୋଚନା ହୋଇଥିଲା। ବାର୍ଷିକ ୨ ଥର ନାମଲେଖା ନେଇ ନୀତି ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏପରିକି ନିୟମିତ କୋର୍ସ ପାଇଁ ମଧ୍ୟ ୨ ଥର ନାମଲେଖା ହେବ। ଆସନ୍ତା ଶିକ୍ଷା ବର୍ଷରୁ ଏହାକୁ ଲାଗୁ କରାଯିବ । ସେପଟେ ଶିକ୍ଷାବିତ ମାନେ ଏହି ନୂଆ ନିୟମକୁ ନେଇ ଅକଳରେ ପଡିଛନ୍ତି। ଆଲୋଚନା ପରେ ନିଷ୍ପତ୍ତି ଉପରେ ସେମାନେ ଗୁରୁତ୍ୱ ଦେଇଛନ୍ତି

ସମ୍ବିଧାନରେ ନାହିଁ ପଦ କିନ୍ତୁ ୧୪ ରାଜ୍ୟରେ ୨୩ ଉପ-ମୁଖ୍ୟମନ୍ତ୍ରୀ !

ନୂଆଦିଲ୍ଲୀ : ସାରା ଦେଶ ମଧ୍ୟରୁ ୧୪ ରାଜ୍ୟରେ ୨୩ ଉପ-ମୁଖ୍ୟମନ୍ତ୍ରୀ ଅଛନ୍ତି । ନିକଟରେ ଯେତିକି ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଛି , ସେଥିମଧ୍ୟରୁ ଅନେକ ରାଜ୍ୟରେ ଉପ ମୁଖ୍ୟମନ୍ତ୍ରୀ ଚୟନ କରାଯାଇଛି । ତାହା ମଧ୍ୟରୁ ଓଡ଼ିଶାରେ ୨ ଏବଂ ଆନ୍ଧ୍ରପ୍ରଦେଶରେ ଜଣେ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । କିନ୍ତୁ ସମ୍ବିଧାନରେ ଉପ ମୁଖ୍ୟମନ୍ତ୍ରୀ ପରି କୌଣସି ପଦବୀ ବିଷୟରେ ଉଲ୍ଲେଖ କରାଯାଇ ନାହିଁ ।

ମଧ୍ୟ ପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ପରେ ଓଡ଼ିଶାରେ ମଧ୍ୟ ବିଜେପି ସରକାର ତିଆରି ଫର୍ମୁଲା ରିପିଟ୍ କରିଛି । ୩ ରାଜ୍ୟ ପରେ ଏବେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପ–ମୁଖ୍ୟମନ୍ତ୍ରୀ ଚୟନ କରାଯାଇଛି  । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ  ଏବଂ ଉପ-ମୁଖ୍ୟମନ୍ତ୍ରୀ ଭାବେ କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡା ଶପଥ ଗ୍ରହଣ କରିଛନ୍ତି ।

ବର୍ତ୍ତମାନ ଦେଶରେ ୧୪ ରାଜ୍ୟରେ ୨୩ ଉପ–ମୁଖ୍ୟମନ୍ତ୍ରୀ ରହିଛନ୍ତି ।  କିନ୍ତୁ ସମ୍ୱିଧାନ ଅନୁଯାୟୀ ଧାରା ୧୬୩ ଏବଂ ୧୬୪ରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମଣ୍ଡଳ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି ।  ଧାରା ୧୬୩ (୧)ରେ ଲେଖାଯାଇଛି କି, ରାଜ୍ୟପାଳଙ୍କୁ ପରାମର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ କ୍ୟାବିନେଟ୍ ରହିବ । କିନ୍ତୁ ଏଥିରେ ଉପ-ମୁଖ୍ୟମନ୍ତ୍ରୀ ପଦ ବିଷୟରେ କୌଣସି ଉଲ୍ଲେଖ କରାଯାଇ ନାହିଁ ।

ଉପ-ମୁଖ୍ୟମନ୍ତ୍ରୀ  ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ସମାନ ବୋଲି ବିବେଚନା କରାଯାଏ । ଉପ-ମୁଖ୍ୟମନ୍ତ୍ରୀ  ସମାନ ଦରମା ସହ  କ୍ୟାବିନେଟ୍ ମନ୍ତ୍ରୀଙ୍କୁ ମିଳୁଥିବା ସମସ୍ତ ସୁବିଧା ପାଇଥାନ୍ତି । କିନ୍ତୁ ଚଳିତ ବର୍ଷ ଫେବୃଆରୀ ୧୨ରେ ଉପ-ମୁଖ୍ୟମନ୍ତ୍ରୀ ନିଯୁକ୍ତି ନେଇ ସୁପ୍ରିମକୋର୍ଟ ଏକ ରାୟ ଦେଇଛନ୍ତି । ଚିଫ୍ ଜଷ୍ଟିସ୍ ଡି ଇ ଚନ୍ଦ୍ରଚୂଡ ,ଜଷ୍ଟିସ ଜେବୀ ପାରଦୀବାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ର ଉପ-ମୁଖ୍ୟମନ୍ତ୍ରୀ  ପଦକୁ ଅସମ୍ୱିଧାନିକ ନୁହେଁ ବୋଲି କହିଥିଲେ ।  ଏହାକୁ ନେଇ ଏକ ଯାଚିକା ମଧ୍ୟ ପ୍ରସ୍ତୁତ ହୋଇଥିଲା  ।  ହେଲେ ଯାଚିକାରେ ସମ୍ୱିଧାନରେ ଉପ-ମୁଖ୍ୟମନ୍ତ୍ରୀ  ପରି କୌଣସି ପଦ ନାହିଁ  ଏବଂ ଏହା ସମ୍ୱିଧାନର ଧାରା ୧୪ (ସମାନତା ଅଧିକାର) କୁ ଉଲଘଂନ ଏହା କରେ ବୋଲି ବୋଲି ଲେଖାଯାଇଥିଲା ।