spot_img
Home Blog Page 1867

ଦିଲ୍ଲୀ ସ୍କୁଲରେ ବୋମା ଆତଙ୍କ: ପୋଲିସର ଛାନଭିନ ଜାରି

ନୂଆଦିଲ୍ଲୀ: ଦିଲ୍ଲୀ ସ୍କୁଲରେ ବୋମା ଆତଙ୍କ। ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଥିବା ଧମକ ମିଳିଛି। ବୋମା ଧମକ ପରେ ଦିଲ୍ଲୀ ଓ ନୋଏଡାର ୫୦ରୁ ଅଧିକ ସ୍କୁଲରେ ଆତଙ୍କ। ସନ୍ଦିଗ୍ଧ ବୋମା ଧମକ ନେଇ ଇମେଲରେ ଖବର ଆସିବା ପରେ ବିଭିନ୍ନ ସ୍କୁଲରେ ହୋଇଛି ଖାନତଲାସି। ଦିଲ୍ଲୀ ଓ ନୋଏଡାରେ ଜାରି ରହିଛି ସର୍ଚ୍ଚ ଅପରେସନ। ସ୍କୁଲକୁ ଏପରି ଇ-ମେଲ୍‌ ଆସିବା ପରେ କର୍ତ୍ତୃପକ୍ଷ ପୋଲିସକୁ ସଙ୍ଗେ ସଙ୍ଗେ ଜଣାଇଛନ୍ତି । ସକାଳୁ ସକାଳୁ ସ୍କୁଲ ପରିସରକୁ ଖାଲି କରି ପୁଲିସ ବୋମା ନିଷ୍କ୍ରିୟକାରୀ ଦଳ ଖୋଜିବାରେ ଲାଗି ପଡ଼ିଛନ୍ତି। ମାତ୍ର ବମ୍‌ର କୌଣସି ସନ୍ଧାନ ମିଳିପାରି ନାହିଁ।

ଦିଲ୍ଲୀର ହାଇ ପ୍ରୋଫାଇଲ ସ୍କୁଲକୁ ଧମକ ଯିଆଯାଇଥିବା ସୂଚନା ମିଳିଛି। ଏଥିରେ ଦ୍ୱାରକାସ୍ଥିତ DPS, ମୟୂରବିହାରସ୍ଥିତ ମଦର ମ୍ୟାରି ସ୍କୁଲ, ଓ ନୂଆଦିଲ୍ଲୀର ସଂସ୍କୃତି ସ୍କୁଲ, ବସନ୍ତକୁଞ୍ଜସ୍ଥିତ DPS ସ୍କୁଲ, ଦକ୍ଷିଣ ପଶ୍ଚିମ ଜିଲ୍ଲାରେ ଥିବା DAV ସ୍କୁଲ, ପୁଷ୍ପବିହାରସ୍ଥିତ AMITY ସ୍କୁଲ ଭଳି ଅନେକ ବିଦ୍ୟାଳୟକୁ ଧମକପୂର୍ଣ୍ଣ ମେଲ ଆସିଛି। ଏହା ପରେ ପୋଲିସ ଏବଂ ସ୍କୁଲ କର୍ତ୍ତୁପକ୍ଷ ସତର୍କ ହୋଇଛନ୍ତି। ପିଲାମାନଙ୍କୁ ସତର୍କତା ଅବଲମ୍ବନ କରାଯାଇଥିଲା।

ସୂଚନା ଅନୁଯାୟୀ, ଆଜି ସକାଳୁ ଏକ ଅଜଣା ସୂତ୍ରରୁ ଏହି ଇମେଲ ଆସିବା ପରେ ଆତଙ୍କ ଖେଳିଥିଲା। କ୍ଯାମ୍ପସ ଭିତରେ ବିସ୍ଫୋରଣ ରହିଛି ବୋଲି ଇମେଲରେ ସୂଚନା ଦିଆଯାଇଥିଲା। ମଦର ମ୍ଯାରି ସ୍କୁଲରେ ପରୀକ୍ଷା ଚାଲିଥିବାବେଳେ ଏହି ସୂଚନା ଆସିବାରୁ ପରୀକ୍ଷା ବାତିଲ କରାଯାଇଛି। ଯେଉଁ ସ୍କୁଲରେ ଧମକ ଆସିଛି ସେଠାରେ ସ୍କୁଲ ଛୁଟି କରାଯାଇଛି। ଘଟଣାସ୍ଥଳରେ ପୁଲିସ୍‌, ଅଗ୍ନିଶମ କର୍ମଚାରୀ ଓ ବମ୍‌ ନିଷ୍କ୍ରିୟକାରୀ ଦଳ ପହଞ୍ଚି ଯାଞ୍ଚ କରୁଛନ୍ତି।

 

ରାଜଧାନୀରେ ଭୋର ପର୍ଯ୍ୟନ୍ତ ଖୋଲୁଛି ଡ୍ୟାନ୍ସ ବାର ଓ ପବ

ଭୁବନେଶ୍ୱର: ନିର୍ବାଚନ ସମୟରେ ଅବକାରୀ ନିୟମ ଉଲ୍ଲଘଂନ। ସହିଦନଗରରେ ଭୋର ପର୍ଯ୍ୟନ୍ତ ଖୋଲା ରହୁଛି ଡ୍ୟାନ୍ସ ବାର ଓ ପବ।  ସହିଦନଗରରେ ଥିବା ସାଇନ ଏକ୍ସ ନାମକ ଡ୍ୟାନ୍ସ ପବ ଖୋଲିଥିବା ଦେଖିବାକୁ ମିଳିଛି। ପବ୍ ଭିତରର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି। ଯୁବପୀଢ଼ିମାନେ ନିଶାରେ ଚୁର ହୋଇ ମସଗୁଲ ଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି। ନାଁ ଅଛି ପୋଲିସକୁ ଡର, ନାଁ ଅଛି ଅବକାରୀ ବିଭାଗର ଭୟ ।

ଗୋଟିଏ ପଟେ ଆଚରଣ ବିଧି ଲାଗୁ ହୋଇଛି। ଛକ ବଜାରରେ ନାକାବନ୍ଦି ହେଉଛି। କିନ୍ତୁ ଏହାରି ଭିତରେ ସବୁ ନିୟମର ଜଳାଞ୍ଜଳି ଦେଇ ଖୁଲମଖୁଲା ଚାଲିଛି ଡ୍ୟାନ୍ସ ପବ। ବାହାର ପଟ ଗେଟ ବନ୍ଦ କରି ଭିତର ପଟେ ଚାଲିଛି ଏଭଳି ଧନ୍ଦା। ସେପଟେ ଖିଲାପକାରୀଙ୍କ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛି ଅବକାରୀ ବିଭାଗ।

ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି, ଆଗାମୀ ୩ ଦିନ ଯାଏଁ ତାତିରୁ ନାହିଁ ତ୍ରାହି

ଭୁବନେଶ୍ୱର: କମିବାର ନାଁ ଧରୁନି ଗ୍ରୀଷ୍ମପ୍ରବାହ। ଆହୁରି ୩ ଦିନ ପ୍ରବଳ ଖରା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ଜାରି କରାଯାଇଛି। ୧୨ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି। ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଝାରସୁଗୁଡା, ବୌଦ୍ଧକୁ ରେଡ ଆଲର୍ଟ ଜାରି କରାଯାଇଛି। ୩ ଓ ୪ ତାରଖ ବେଳକୁ ପାଗରେ ସାମାନ୍ଯ ପରିବର୍ତ୍ତନ ହେବାକୁ ଥିଲେ ସୁଦ୍ଧା ଅରେଞ୍ଜ ଆଲର୍ଟରେ ରହିବ ଆଭ୍ଯନ୍ତରୀଣ ଓଡ଼ିଶା। ଉପକୂଳ ଅଞ୍ଚଳରେ ୩ ରୁ ୪ ଡିଗ୍ରୀ କମିପାରେ ତାପମାତ୍ରା ।

ଗତକାଲି ବାରିପଦାରେ ସର୍ବକାଳୀନ ତାପମାତ୍ରା ରେକର୍ଡ ହୋଇଥିଲା। ଚଳିତ ସିଜିନରେ ପ୍ରଥମ ଥର ୪୬ ଡିଗ୍ରୀ ପାର କରିଥିଲା ତାପମାତ୍ରା। ୪୬.୪ ଡିଗ୍ରୀ ସହ ବାରିପଦା ସବୁଠାରୁ ଉତ୍ତପ୍ତ ଥିବାବେଳେ ବାଲେଶ୍ବରରେ ମଧ୍ଯ ୪୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ବାରିପଦା ଓ ବାଲେଶ୍ବର ବିଶ୍ବର ଦ୍ବିତୀୟ ଓ ତୃତୀୟ ଉତ୍ତପ୍ତ ସହରର ହୋଇଥିବାବେଳେ ଭୁବନେଶ୍ବର ଦଶ ନମ୍ବର ସ୍ଥାନରେ ରହିଥିଲା ।

କୁମ୍ଭୀର ପ୍ରଜନନ ପାଇଁ ଆଜିଠୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

ଭୁବନେଶ୍ୱର: ଆଜିଠାରୁ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିବ। କୁମ୍ଭୀର ପ୍ରଜନନ ପାଇଁ ମେ’ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ବନ୍ଦ ରହିବ ଜାତୀୟ ଉଦ୍ୟାନ। ଏହି ସମୟରେ ବଉଳା କୁମ୍ଭୀର ମାନେ ହିଂସ୍ର ହେଉଥିବାରୁ ପର୍ଯ୍ୟଟକ ମାନଙ୍କୁ ଆକ୍ରମଣ କରିବାର ସମ୍ଭାବନା ଥିବାରୁ ବନବିଭାଗ ଭିତରକନିକାକୁ ପର୍ଯ୍ୟଟକ ମାନଙ୍କୁ ବାରଣ କରିଥାଏ।

କୁମ୍ଭୀର ମାନଙ୍କ ମିଳନ ପ୍ରକିୟା ପରେ ମା’ କୁମ୍ଭୀର ନଦୀ ଜୁଆର ମାଡୁ ନଥିବା ଉଚ୍ଚ ସ୍ଥାନ ଦେଖି ହେନ୍ତାଳ ଓ ଖରଖରି ପତ୍ରରେ ବସା ବାନ୍ଧି ଅଣ୍ଡାଦାନ କରିଥାଏ। ଅଣ୍ଡାରୁ ଛୁଆ ଫୁଟିବା ପରେ ମା’ କୁମ୍ଭୀର ଛୁଆକୁ ନେଇ ନଦୀରେ ଛାଡିଥାଏ। ଏହି ସମୟରେ କୁମ୍ଭୀର ଆକ୍ରମଣର ସମ୍ଭାବନା ଥିବାରୁ ନଦୀକୂଳିଆ ଗ୍ରାମବାସୀମାନଙ୍କୁ ନଦୀକୁ ଯିବାକୁ ବାରଣ କରିଛି ରାଜନଗର ବନବିଭାଗ।

ଭୁଶୁଡୁଛି ଲାଲଗଡ, ଛତିଶଗଡ଼ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୧୬ ମାଓବାଦୀ

ବ୍ୟୁରୋ ରିପୋର୍ଟ: ଭୁଶୁଡୁଛି ଲାଲଗଡ। ଛତିଶଗଡ଼ ପୋଲିସ ନିକଟରେ ୧୬ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବିଜାପୁର ପୋଲିସ ନିକଟରେ ପିଏଲଜିଏ ସଂଗଠନର ୧୬ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସରେଣ୍ଡର କରିଥିବା ନକ୍ସଲଙ୍କ ମଧ୍ୟରେ ଅଛନ୍ତି ଅରୁନ କାଡତି, ରମେଶ ହେମଲା। ଆତ୍ମସମର୍ପଣକାରୀ ୪ ନକ୍ସଲଙ୍କ ଉପରେ ମୋଟ ୧୮ ଲକ୍ଷ ଟଙ୍କାର ପୁରସ୍କାର ଥିଲା।

ସୁକମା ଆକ୍ରମଣ ଘଟଣାରେ ସାମିଲ ଥିଲେ କାଡତି। ଆତ୍ମସମର୍ପଣ କରିଥିବା ହେମଲା ଜଣେ କ୍ୟାଡରଭୁକ୍ତ ମାଓବାଦୀ ଥିଲେ। ଆତ୍ମସମର୍ପଣ ପରେ  ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ପ୍ରଦାନ କରାଯାଇଛି।

ଗାଜାର ରାଫା ସହରରେ ହେବ ଜୋରଦାର ହମଲା, ଇସ୍ରାଏଲର ରଣନୀତି ପ୍ରସ୍ତୁତ

ବ୍ୟୁରୋ ରିପୋର୍ଟ: ଗାଜା ଉପରେ ପୁଣି ଆକ୍ରମଣ ଜୋରଦାର କରିବାକୁ ଇସ୍ରାଏଲର ରଣନୀତି। ଗାଜାର ରାଫା ସହର ଉପରେ ହେବ ଜୋରଦାର ହମଲା। ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଏହି ଚରଣବାଣୀ ଶୁଣାଇଛନ୍ତି। ଆତଙ୍କବାଦୀ ସଂଗଠନ ହମାସ ସହ ଆଲୋଚନା ବିଫଳ ପରେ ସମୂଳେ ନିପାତ କରିବାକୁ ଯୋଜନା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ। ଦକ୍ଷିଣ ଗାଜାର ରାଫା ସହରକୁ କବାଜ କରିବାକୁ ଯୋଜନା କରିଛି ଇସ୍ରାଏଲ। ଆତଙ୍କବାଦୀ ସଂଗଠନ ହମାସ ଯୁଦ୍ଧ ବିରତି ନେଇ ଆଲୋଚନା ବିଫଳ ହେବା ପରେ ଏହି ଚରମବାଣୀ ଶୁଣାଇଛନ୍ତି ନେତନ୍ୟାହୁ।

ରାଫାରେ ଏବେବି ସକ୍ରିୟ ଥିବା ହମାସ ଆତଙ୍କୀଙ୍କୁ ସମୂଳେ ନିପାତ କରିବାକୁ ଯୋଜନା କରିଛି ଇସ୍ରାଏଲ। ଯୁଦ୍ଧରେ ସମ୍ପୂର୍ଣ୍ଣ ବିଜୟ ହାସଲ କରିବାକୁ ଏହି ଆକ୍ରମଣ କରିବାକୁ ଯୋଜନା କରିଛି ଇସ୍ରାଏଲ।

ଆଜି ଆନ୍ତର୍ଜାତୀୟ ଶ୍ରମିକ ଦିବସ, କାହିଁକି ପାଳନ କରାଯାଏ ଶ୍ରମିକ ଦିବସ ?

ବ୍ୟୁରୋ ରିପୋର୍ଟ: ଆଜି ଆନ୍ତର୍ଜାତୀୟ ଶ୍ରମିକ ଦିବସ। ମେ’ ୧ ତାରଖକୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଏ। ଆଜି ସାରା ବିଶ୍ୱରେ ଶ୍ରମିକ ଦିବସ ପାଳନ କରାଯାଉଛି। ଶ୍ରମିକମାନଙ୍କୁ ସମ୍ମାନ ଦେବା ସହିତ ଶ୍ରମିକମାନଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ଏହି ଦିନଟିକୁ ପାଳନ କରାଯାଇଥାଏ। ଯାହାଦ୍ୱାରା ସମାଜରେ ଶ୍ରମିକମାନଙ୍କର ସ୍ଥିତି ମଜବୁତ ହୋଇପାରିବ। ସମାଜ ପ୍ରତି ଶ୍ରମିକମାନଙ୍କର ଅବଦାନ ଅତୁଳନୀୟ।

ପ୍ରତିବର୍ଷ ୧ ମଇରେ ଆନ୍ତର୍ଜାତୀୟ ଶ୍ରମ ଦିବସ ପାଳନ କରାଯାଏ। ପ୍ରଥମ ଥର ପାଇଁ ୧୮୮୯ରେ ଶ୍ରମ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ଦିନ ପାଳନ କରିବାର ଢାଞ୍ଚା ଆମେରିକାର ଚିକାଗୋ ସହରରୁ ଆରମ୍ଭ ହୋଇଥିଲା ଯେତେବେଳେ ଶ୍ରମିକମାନେ ଏକଜୁଟ ହୋଇ ରାସ୍ତାକୁ ବାହାରିଥିଲେ।

କାହିଁକି ପାଳନ କରାଯାଇଥାଏ ଶ୍ରମିକ ଦିବସ?
୧୮୮୬ ପୂର୍ବରୁ ଆମେରିକାରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହି ଆନ୍ଦୋଳନରେ ଆମେରିକାର ଶ୍ରମିକମାନେ ରାସ୍ତାକୁ ଚାଲିଆସି ଆନ୍ଦୋଳନ କରିଥିଲେ। ଶ୍ରମିକମାନେ ସେମାନଙ୍କର ଅଧିକାର ପାଇଁ ଧର୍ମଘଟରେ ବସିଥିଲେ। ଏହି ଆନ୍ଦୋଳନର କାରଣ ଥିଲା ଶ୍ରମିକମାନଙ୍କର କାର୍ଯ୍ୟ ସମୟ। ସେହି ସମୟ ମଧ୍ୟରେ ଶ୍ରମିକମାନେ ଦିନରେ ୧୫ରୁ ଅଧିକ ଘଣ୍ଟା ଧରି କାମ କରୁଥିଲେ। ଆନ୍ଦୋଳନ ସମୟରେ ପୋଲିସ କର୍ମଚାରୀ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଏହି ସମୟରେ ଅନେକ ଶ୍ରମିକ ପ୍ରାଣ ହରାଇଥିଲେ। ଏଥିରେ ଶତାଧିକ କର୍ମଚାରୀ ଆହତ ମଧ୍ୟ ହୋଇଥିଲେ  ।

ଏହି ଘଟଣାର ତିନି ବର୍ଷ ପରେ, ଆନ୍ତର୍ଜାତୀୟ ସମାଜବାଦୀ ସମ୍ମିଳନୀ ୧୮୮୯ରେ ଭେଟିଲା। ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ପ୍ରତ୍ୟେକ ଶ୍ରମିକଙ୍କୁ ଦିନକୁ ମାତ୍ର ୮ ଘଣ୍ଟା କାମ କରିବାକୁ ପଡିବ। ଏଥି ସହିତ ସମ୍ମିଳନୀ ପରେ ୧ ମଇରେ ଶ୍ରମ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା। ଏହି ଦିନ ଶ୍ରମିକମାନଙ୍କୁ ପ୍ରତିବର୍ଷ ଛୁଟି ଦେବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ପରେ ଆମେରିକାର ଶ୍ରମିକମାନଙ୍କ ପରି ଅନ୍ୟ ଦେଶରେ ମଧ୍ୟ ୮ ଘଣ୍ଟା କାମ କରିବାର ନିୟମ ଲାଗୁ ହେଲା। ବର୍ତ୍ତମାନ ସମସ୍ତ ଦେଶ ଆଜିର ଦିନକୁ ଶ୍ରମିକ ଦିବସ ରୂପେ ପାଳନ କରିଆସୁଛନ୍ତି।

ବଦଳିଲା ରଜୌରୀ-ଅନନ୍ତନାଗ ଲୋକସଭା ଆସନ ପାଇଁ ଭୋଟଦାନ ତାରିଖ, ୨୫ରେ ହେବ ଭୋଟଗ୍ରହଣ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ରଜୌରୀ-ଅନନ୍ତନାଗ ଲୋକସଭା ଆସନରେ ବଦଳିଲା ଭୋଟଦାନ ତାରିଖ। ଆସନ୍ତା ମେ’ ୭ ତାରିଖ ପରିବର୍ତ୍ତେ ମେ’ ୨୫ରେ ଷଷ୍ଠ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ। ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି। ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା ପରେ ଭୋଟଗ୍ରହଣ ତାରିଖ ପରିବର୍ତ୍ତନ ନେଇ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ନିର୍ବାଚନ କମିଶନ। ଜାମ୍ମୁ କାଶ୍ମୀରରେ ଥିବା ୫ ଲୋକସଭା ଆସନ ମଧ୍ୟରୁ ଅନନ୍ତନାଗ-ରାଜୌରୀ ହେଉଛି ଗୋଟିଏ ଲୋକସଭା ଆସନ। ପୂର୍ବରୁ ଅନନ୍ତନାଗ-ରାଜୌରୀ ଆସନରେ ତୃତୀୟ ପର୍ଯ୍ୟାୟରେ ଭୋଟଗ୍ରହଣ ହେବାର ଥିଲା। ତେବେ ଆସନ୍ତା ୨୫ ତାରିଖ ଦିନ ଏଠାରେ ଭୋଟଗ୍ରହଣ ହେବ।

ତେବେ ଆଗାମୀ ୨୫ ତାରିଖରେ ନିର୍ବାଚନ ପ୍ରସ୍ତୁତି ନେଇ ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ଜାମ୍ମୁ କାଶ୍ମୀର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ। ଗମନାଗମନ ବ୍ୟବସ୍ଥା, ପାଣିପାଗ ଏବଂ ଯୋଗାଯୋଗକୁ ନେଇ ରିପୋର୍ଟ ପ୍ରଦାନ କରିବାକୁ କହିଛନ୍ତି। ଦକ୍ଷିଣ କାଶ୍ମୀର ସହ ପୁଞ୍ଚ, ରାଜୌରୀ ଏବଂ ଜାମ୍ମୁ ଅଂଚଳରେ ପ୍ରସ୍ତୁତି ନେଇ ରିପୋର୍ଟ ଦେବାକୁ କହିଛନ୍ତି। ତେବେ ନିର୍ବାଚନକୁ ନଘୁଞ୍ଚାଇବାକୁ ଭାରତୀୟ ନିର୍ବାଚନକୁ ଭେଟି ନିବେଦନ କରିଥିଲେ ନ୍ଯାସନାଲ କନଫରେନ୍ସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଏବଂ ପିଡିପି ନେତ୍ରୀ ମେହବୁବା ମୁଫତି।

 

ନଜର ପକାନ୍ତୁ ଏଯାବତ କେଉଁ ଦଳ କେତେ ଆସନ ପାଇଁ ଘୋଷଣା କଲେଣି ପ୍ରାର୍ଥୀ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ବଢୁଛି ତାତି । ସଭିଙ୍କ ନଜର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀଙ୍କ ଉପରେ । ଆସନ୍ତୁ ନଜର ପକାଇବା କେଉଁ ଦଳ କେତେ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବିଜେଡି ୧୪୪ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ  । ଏବେ ଆଉ ୩ ଜଣ ପ୍ରାର୍ଥୀ ଘୋଷଣା ବାକି ରହିଛି । ସେହିପରି କଂଗ୍ରେସ ଏଯାଏଁ ୧୪୬ ଜଣଙ୍କ ନାଁ ଘୋଷଣା କଲାଣି । ବିଜେପି ଏଯାଏଁ ୧୪୦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବିଜେପି ଆଉ ୭ଟି ଆସନରେ ଏବଂ କଂଗ୍ରେସ ୧ ଆସନରେ ପ୍ରାର୍ଥୀ ଦେବାକୁ ବାକି ଅଛି । ସେହିପରେ ଲୋକସଭାରେ ଉଭୟ ବିଜେଡି ଓ ବିଜେପି ସମସ୍ତ ୨୧ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ କଂଗ୍ରେସ ୨୦ଟି ଆସନରେ ପ୍ରାର୍ଥୀ ଦେଇଛି । କେବଳ ମୟୂରଭଞ୍ଜ ଲୋକସଭା ଆସନ ପାଇଁ କଂଗ୍ରେସ ଏଯାଏ ପ୍ରାର୍ଥୀ ଘୋଷଣା କରିନି ।

ନିର୍ବାଚନ ପୂର୍ବରୁ କାହିଁକି ଜେଲ ଗଲେ କେଜ୍ରିଓ୍ବାଲ, ଇଡିକୁ ୫ ପ୍ରଶ୍ନ ପଚାରିଲେ ସୁପ୍ରିମକୋର୍ଟ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗିରଫଦାରୀ ମାମଲାରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିବାବେଳେ ମଙ୍ଗଳବାର ଏହାର ଶୁଣାଣି କରାଯାଇଛି । ତେବେ ଇଡି କେଜ୍ରିଓ୍ବାଲଙ୍କୁ ଗିରଫ କରିଥିବାବେଳେ ଏହି ମାମଲାରେ ଇଡିକୁ ୫ ପ୍ରଶ୍ନ ପଚାରିଛନ୍ତି ସୁପ୍ରିମକୋର୍ଟ । ତେବେ ଶୁକ୍ରବାର ମଧ୍ୟରେ ଏହି ୫ ପ୍ରଶ୍ନର ଉତ୍ତର ରଖିବା ପାଇଁ ଶୁକ୍ରବାର ପର୍ଯ୍ୟନ୍ତ ସମୟ ଦିଆଯାଇଛି ।

୧- ନିର୍ବାଚନ ପୂର୍ବରୁ କେଜ୍ରିଓ୍ବାଲଙ୍କୁ କାହିଁକି ଗିରଫ କଲ?

୨- କେଜ୍ରିଓ୍ବାଲଙ୍କୁ ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ସଂଲଗ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏଣୁ ସେ ଏହି ଘଟଣାରେ କିପରି ସେ କିପରି ଭାବେ ଜଡ଼ିତ ।

୩- ସର୍ବୋଚ୍ଚ ଅଦାଲତ ପ୍ରଶ୍ନ ଉଠାଇ କହିଛନ୍ତି ଯେ ମନୀଷ ସିସୋଡିଆ ସହ ଜଡିତ ମାମଲା ଯେତେ ଦୂର, ସେଠାରେ ମଧ୍ୟ ଏହାର ଅନୁସନ୍ଧାନ ରହିଛି, ତେବେ କେଜ୍ରିୱାଲ ମାମଲା କେଉଁଠାରେ ଅଛି ଆମକୁ କୁହନ୍ତୁ?

୪- ସୁପ୍ରିମକୋର୍ଟ କହିଛନ୍ତି, “ଏହି ଦୃଷ୍ଟିକୋଣରୁ ଧାରା ୧୯ର ସୀମା ଅଭିଯୁକ୍ତଙ୍କ ଉପରେ ନୁହେଁ ବରଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଉପରେ ନିର୍ଭର କରେ। ତେଣୁ ନିୟମିତ ଜାମିନ ପାଇଁ କୌଣସି ଦାବି ନାହିଁ | କାରଣ ସେମାନେ ଧାରା ୪୫ର ସମ୍ମୁଖୀନ ହେଉଛନ୍ତି ଏବଂ ଦାୟିତ୍ବ ସେମାନଙ୍କ ଉପରେ ପଡିଛି, ତେବେ ଆମେ ଏହାକୁ କିପରି ବ୍ୟାଖ୍ୟା କରିବୁ | ଆମେ ଦଣ୍ଡକୁ ବହୁତ ଉଚ୍ଚ ସେଟ୍ କରିବା ଉଚିତ ଏବଂ ଦୋଷୀ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ମାନକ ସମାନ ବୋଲି ନିଶ୍ଚିତ କରିବା ଉଚିତ କି?

୫- କୋର୍ଟ କହିଛନ୍ତି ଯେ ପ୍ରକ୍ରିୟା ଆରମ୍ଭ ହେବା ଏବଂ ଗିରଫ ଇତ୍ୟାଦି ମଧ୍ୟରେ କାହିଁକି ସମୟ ବ୍ୟବଧାନ ରହିଛି?