ବାସୁଦେବପୁର : ଫୁଡ୍ ପଏଜିଂ ନେଲା କି ପୁଅର ଜୀବନ। ଗତକାଲି ମାଛ ତରକାରୀ ଖାଇବା ପରେ ପରିବାରର ସମସ୍ତଙ୍କୁ ବାନ୍ତି। ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ୪ ବର୍ଷର ପୁଅର ମୃତ୍ୟୁ। ଏହା ସହିତ ପରିବାରର ଅନ୍ୟ ୩ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି। ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଅଘଟଣ ଘଟିଛି ବାସୁଦେବପୁର ବ୍ଲକ ଅରଣ୍ଡୁଆ ପଞ୍ଚାୟତର କନକଲତା ବନ୍ଧ ଗାଁର। ଗାଁକୁ ଆସିଥିବା ମାଛ ବିକାଳିରୁ ଗତକାଲି ମାଛ କିଣି ଖାଇଥିଲେ ଗୋଟିଏ ପରିବାର। ଏହା ପରେ ସମସ୍ତଙ୍କର ବାନ୍ତି ହୋଇଥିଲା ରାତିରେ। ଡାକ୍ତରଖାନା ନେବା ବାଟରେ ୪ ବର୍ଷର ପୁଅର ମୃତ୍ୟୁ ହୋଇଛି। ଅନ୍ୟ ତିନି ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ଜିଲ୍ଲା ଡାକ୍ତରଖାନାକୁ ରେଫର କରାଯାଇଛି । ମାଛ ତରକାରୀରେ ଝିଟିପିଟି ପଡ଼ି ଖାଦ୍ୟ ବିଷାକ୍ତ ହୋଇଥିବା ସନ୍ଦେହ କରାଯାଉଛି।
ରାଜା ଭାଇଙ୍କ ପତ୍ନୀ ଜୋତା ମାରିବା ଭିଡିଓ ଭାଇରାଲ, ପୁଅ କଲା ଖୁଲାସା
ନନ୍ଦିଘୋଷ ବ୍ୟୁରୋ ; ଉତ୍ତର ପ୍ରଦେଶ ପ୍ରତାପ ଗଡ ଜିଲ୍ଲା କୁଣ୍ଡା ନିର୍ବାଚନ ମଣ୍ଡଳୀ ବିଧାୟକ ରଘୁରାଜ ପ୍ରସାଦ ସିଂହ ଓରଫ ରାଜା ଭାଇଙ୍କ ପରିବାର ବିବାଦକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପଟେ ରାଜା ଭାଇଙ୍କ ପତ୍ନୀ ଭାନବୀ ସିଂହ ଓ ତାଙ୍କ ଝିଅ ନିୟମିତ ଭାବରେ ତାଙ୍କ ବିରୋଧରେ ସୋସିଆଲ ମଡିଆରେ ପୋଷ୍ଟ କରୁଛନ୍ତି । ଏବେ ତାଙ୍କ ପୁଅ ଶିବରାଜ ପ୍ରସାଦ ସିଂହ ସୋସିଆଲ ମିଡିଆରେ ଯୁଦ୍ଧ ଆରମ୍ଭ କରିଛନ୍ତି । ସେ ତାଙ୍କ ମାଆ ଉପରେ ଅଭିଯୋଗ ଆଣି ଏକ ଭିଡିଓ ପୋଷ୍ଟ କରିଛନ୍ତି ।
ଶିବରାଜ ଟ୍ୱିଟ୍ କରିଛନ୍ତି, ‘ମୁଁ ପୂର୍ବରୁ କହିଥିଲି, ମୁଁ ଆଶା କରୁଛି ଯେ ଏହି ବିଷୟରେ ପୁଣି ପୋଷ୍ଟ କରିବାକୁ ନପଡ଼ିଲେ ଭଲ ହେବ, କିନ୍ତୁ ଯେତେବେଳେ ସହିବାର ସମସ୍ତ ସୀମା ଟପିଯାଏ, ସେତେବେଳେ ଜବାବ ଦେବା ଆବଶ୍ୟକ ପଡିଥାଏ। ସାଧାରଣତଃ ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ଗାଳି ଦେଇସାରିଛନ୍ତି। ସେ କେବଳ ଦରମାପ୍ରାପ୍ତ ‘ଟ୍ରୋଲ୍ ଆର୍ମି’ ଉପରେ ବିଶ୍ୱାସ କରନ୍ତି। ସେ କୋର୍ଟରେ ମଧ୍ୟ ଅନେକ ଥର ନିଜକୁ ଅପମାନର ସମ୍ମୁଖୀନ କରାଇଛନ୍ତି। ଅନେକ ଥର ମାନ୍ୟବର ବିଚାରପତିଙ୍କୁ ତାଙ୍କ ଓକିଲଙ୍କୁ ଭର୍ତ୍ସନା କରିବାକୁ ପଡିଥିଲା ଓ କହିବାକୁ ପଡିଥିଲା, ‘ତୁମର କ୍ଲାଇଣ୍ଟକୁ ଚୁପ୍ କର, ତାଙ୍କୁ କୋର୍ଟରେ କିପରି ଆଚରଣ କରିବାକୁ ପଡିବ ଓ କୋର୍ଟରେ କଥା ହେବାର ପଦ୍ଧତି ଶିଖାଅ।’ ଏହି ଘଟଣାଗୁଡ଼ିକ ଯୋଗୁଁ ଉନ୍ନତି ହେବା ତ ଦୂରର କଥା, ସେ ଅଧିକ ହତାଶ ହୋଇଯାଇଛନ୍ତି।
ସେ ଆଗକୁ କହିଲେ, ତାଙ୍କର କର୍ମର ଆଉ ଏକ ଉଦାହରଣ ଦେଖନ୍ତୁ। ମୋ ଜେଜେବାପାଙ୍କର ଚାରି ଝିଅ ଅଛନ୍ତି ଓ ସେ ତାଙ୍କ ସମ୍ପତ୍ତିକୁ ସେମାନଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିବାକୁ ଚାହୁଁଛନ୍ତି । ଯାହା ନ୍ୟାୟସଙ୍ଗତ। ତଥାପି, ସେ ମୋ ଜେଜେବାପାଙ୍କ ସମ୍ପୂର୍ଣ୍ଣ ସମ୍ପତ୍ତିକୁ ହଡ଼ପ କରିବାକୁ ଚାହୁଁଛନ୍ତି ଓ ମାମଲା ଚାଲିଛି। କିନ୍ତୁ ମୋ ମାଆ କେବଳ ମାମଲା ଉପରେ ସନ୍ତୁଷ୍ଟ ନୁହଁନ୍ତି। ତେଣୁ, ସେ ହିଂସାତ୍ମକ ହୋଇ ଅନେକ ଥର ସେମାନଙ୍କୁ ଆକ୍ରମଣ କରିଛନ୍ତି। ହଁ, ଏହା ସତ୍ୟ ଯେ ମୋ ଜେଜେବାପାଙ୍କର ବେଣ୍ଟି-ଭାଦ୍ରୀରେ ଯେତିକି ସମ୍ପତ୍ତି ଅଛି, ସେତେ ନାହିଁ, କିନ୍ତୁ ଆମର ସମ୍ପର୍କୀୟ ଓ ପରିବାର ମଧ୍ୟରେ ଏହା ଜଣାଶୁଣା ଯେ ମୋ ବାପାମାଙ୍କ ବିବାହର ଉଭୟ ପକ୍ଷର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିଥିଲେ। ଏହା ସତ୍ତ୍ୱେ, ସେ ବାବାଙ୍କୁ ମଧ୍ୟ ଛାଡି ନଥିଲେ। କୋର୍ଟରେ ଲିଖିତ ବୟାନରେ, ସେ ତାଙ୍କୁ ଯୌତୁକ ଖୋଜୁଥିବା ଲୋକ ବୋଲି କହିଥିଲେ ଏବଂ ସେ ଏହା ମଧ୍ୟ କହିଥିଲେ ଯେ ସେ ଜଣେ ସମ୍ମାନନୀୟ ବ୍ୟକ୍ତି ନୁହଁନ୍ତି।
ସମୟ ଆସିଲେ ମୁଁ କୋର୍ଟରେ ଦାଖଲ କରିଥିବା ସମସ୍ତ ଦସ୍ତାବିଜ ପୋଷ୍ଟ କରିବି। କେବଳ ଏତିକି ନୁହେଁ, ଆପଣମାନେ ସମସ୍ତେ ଜାଣିଛନ୍ତି କି ମାଆ ବଡ଼ ଭାଇଙ୍କ ବିରୁଦ୍ଧରେ ଦାୟର କରିଥିବା ମିଥ୍ୟା ଏଫଆଇଆରରେ ସେ ଜେଜେ ମାଆଙ୍କୁ ମଧ୍ୟ ଦୋଷୀ କରିଛନ୍ତି? ଆମେ ସମସ୍ତେ ଜାଣୁ ଯେ ଏହି ବୟାନବାଜି ସୋସିଆଲ ମିଡିଆରେ ମସଲାଯୁକ୍ତ ଖବର ହୋଇପାରେ, କିନ୍ତୁ ଏହା ମାମଲାର ମୂଲ୍ୟକୁ ପ୍ରଭାବିତ କରେ ନାହିଁ। ଆମର ପୂର୍ବ ପୋଷ୍ଟର କୌଣସି ଉତ୍ତର ଆମେ ପାଇନାହୁଁ: ୧୦୦ କୋଟି ଟଙ୍କା ଏକକାଳୀନ ଓ ମାସିକ ୨୫ ଲକ୍ଷ ଟଙ୍କା, ଏହା କ’ଣ ଚାନ୍ଦା ନା ଚାନ୍ଦା? ମୁଁ ପୂର୍ବରୁ ଯାହା କହିଥିଲି ତାହା ଏକ ପ୍ରମାଣିତ ସତ୍ୟ, କିନ୍ତୁ ମୁଁ ଏବେ ଆପଣଙ୍କ ପାଇଁ ଯେଉଁ ଭିଡିଓ ଆଣୁଛି ତାହା ଆପଣଙ୍କୁ ସ୍ତବ୍ଧ କରିଦେବ।
ଆମର ମାଆ ଭାନବୀ କୁମାରୀଙ୍କୁ ସମ୍ପତ୍ତି ପାଇଁ ତାଙ୍କ ବୃଦ୍ଧା ଏବଂ ଅସୁସ୍ଥ ମାଆଙ୍କ ଉପରେ ଜୋତା ବର୍ଷା କରୁଥିବା ଦେଖନ୍ତୁ ଓ ମନେ ମନେ ଭାବନ୍ତୁ, ଏହା କ’ଣ ମହିଳା ସଶକ୍ତିକରଣ? ଏହା ନିଶ୍ଚିତ ଯେ ମାତା ଜୀଙ୍କ ଭଡାଟିଆ ‘ଟ୍ରୋଲ୍ ଆର୍ମି’ ଆମକୁ ‘ଦୁଗ୍ଧର ଋଣ’ ମନେ ପକାଇବାକୁ ଚେଷ୍ଟା କରିବେ, କିନ୍ତୁ ସେମାନଙ୍କ ପାଇଁ ଆମର ‘ଜୋତା ଫିଙ୍ଗାଳି’ ମାଆଙ୍କୁ ଏହି ‘ଋଣ’ ମନେ ପକାଇବା ଅଧିକ ଗୁରୁତ୍ୱପୂର୍ଣ୍ଣ।
ମିଳୁନି ଦରମା, ଗଣଧାରଣା ଦେଇଛନ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫ
କୋଣାର୍କ : ମିଳୁନି ଦରମା, ଶୁଣୁନାହାନ୍ତି ସରକାର। ପ୍ରତିବାଦରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ବ୍ଲକ ପରିସରରେ ଗଣଧାରଣା ଦେଇଛନ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫ। ସେମାନଙ୍କର ପେଟରେ ଭୋକ, ମନରେ କୋହ। ୬ମାସ ହେଲା ଦରମା ମିଳିନି। ଦୁର୍ଦ୍ଦିନ ଭିତରେ ପରିବାର। ପାର୍ବଣରେ ଦରମା ମିଳିନି। ତେଣୁ ୪ ଦିନ ହେଲା ବ୍ଲକ ପରିସରରେ ଧାରଣା ଦେଇଛନ୍ତି ଜିପିଏଲଏଫ କର୍ମୀ ସଂଘ । ଜୀବିକା ମିଶନ ଓ ବିଡ଼ିଓ ଙ୍କ ଅଫିସ ଆଗରେ ଶତାଧିକ କମ୍ଯୁନିଟି ସପୋର୍ଟ ଷ୍ଟାଫ ଆନ୍ଦୋଳନ କରୁଛନ୍ତି। ଠିକ୍ ସମୟରେ ଦରମା ସହିତ ଦକ୍ଷତା ଅନୁସାରେ ନୁହେଁ, ବରଂ ଫିକ୍ସ ଦରମା ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି। ୨୦୦୯ ମସିହାରୁ ଏମାନେ ବିଭିନ୍ନ ଜିଲ୍ଲାରୁ ପଞ୍ଚାୟତ ଅଫିସ ପର୍ଯ୍ୟନ୍ତ କାମ କରୁଛନ୍ତି। ଏବେ ଅଣଦେଖା କରାଯାଉଥିବା ଅଭିଯୋଗ କରିଛି ସଂଘ। MBK, CRP, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର, LSP ର ସମସ୍ତ ୬ କମ୍ୟୁନିଟି ସପୋର୍ଟ ଷ୍ଟାଫ ୬ ମାସ ହେଲା ପାଇ ନାହାନ୍ତି ଦରମା। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ୨ ଶହ କର୍ମୀ, କାକଟପୁର ବ୍ଲକର ୭୦ରୁ ଅଧିକ କର୍ମୀ ଧାରଣାରେ ବସିଛନ୍ତି।
ମେଡିକାଲ କଲେଜରେ ଡାକ୍ତରଙ୍କୁ ମାଡ଼ ଅଭିଯୋଗ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ମେଡିକାଲ କଲେଜରେ ଡାକ୍ତରଙ୍କୁ ମାଡ଼ ଅଭିଯୋଗ । କାଜୁଏଲ୍ଟି ଡ୍ୟୁଟିରେ ଥିବା ଜଣେ ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଫଳରେ ଡାକ୍ତରମାନେ ରାତିରେ ସାମୁହିକ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଓପିଡ଼ି ଓ ଏମରଜେନ୍ସି ସେବା ବନ୍ଦ କରିଦେଇଥିଲେ ଡାକ୍ତର ଓ ଛାତ୍ର । କିଞ୍ଜିରକେଲା ଅଞ୍ଚଳର ଦୁଇଜଣ ଯୁବକ ଜଣେ ରୋଗୀଙ୍କୁ ମେଡିକାଲକୁ ଆଣିଥିଲେ । ସେଠାରେ ଅସ୍ଥିଶଲ୍ୟ ଚିକିତ୍ସକ ନଥିବାରୁ ଡ୍ୟୁଟିରେ ଥିବା ଅନ୍ୟଜଣେ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଫଳରେ ମେଡିକାଲରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ସେଠାରେ ଅତିରିକ୍ତ ଏସପି ଏବଂ ପୁଲିସ ପହଞ୍ଚି ଆଗକୁ ଡାକ୍ତର ମାନଙ୍କ ସୁରକ୍ଷା ଦାୟିତ୍ବ ନିଆଯିବ ବୋଲି ପ୍ରତିଶୃତି ଦେଲା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା ।
ସାନ ଭାଇର ବେକ କାଟିଲା ବଡ ଭାଇ
ମହାକାଳପଡା : ସାନ ଭାଇର ବେକ କାଟିଲା ବଡ ଭାଇ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ବବକରପୁର ଗାଁରେ । ଗତକାଲି ରାତିରେ ଏହି ଗାଁର ଗଗନ ସାହୁଙ୍କର ବଡଭାଇ ବେକ କାଟିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ସାନ ଭାଇ ଗଗନଙ୍କୁ ଗ୍ରାମବାସୀ ମାନେ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପରିବାର ଲୋକଙ୍କ ପକ୍ଷରୁ ମହାକାଳପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଗଳା କାଟିବାର କାରଣ ଅସ୍ପଷ୍ଟ ଥିବା ବେଳେ ବଡ ଭାଈକୁ ଅଟକ ରଖି ପଚରାଉଚରା କରୁଛି ମହାକାଳପଡ଼ା ପୋଲିସ । ଏନେଇ ମହାକାଳପଡ଼ା ପୋଲିସ କିମ୍ବା ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

