କଳାହାଣ୍ଡି: ମୁହାଁମୁହିଁ ବାଇକ ଧକ୍କାରେ ବାପ ମୃତ, ପୁଅ ଗୁରୁତର । କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ନିକଟସ୍ଥ କେନ୍ଦୁ ବନ୍ଧ ଛକଠାରେ ଗୁରୁବାର ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, କୋମନା ବ୍ଲକର ଜେଠୁ ପାଲି ଗାଁର ଯଉବନ ତାଣ୍ଡି ଓ ପୁଅ ରାଜୀବ ତାଣ୍ଡି ଓ ଭାଗିରଥି ଜାଲ ନିଜ ଗାଁ ଅଭିମୁଖେ ଏକ ବାଇକରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ଘଟଣା ସ୍ଥଳରେ ଯଉବନଙ୍କ ମୃତ୍ୟୁ ହେଇଥିବା ବେଳେ ପୁଅ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏମ୍ ରାମପୁର ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ବିଷାକ୍ତ ସାପ କାମୁଡାରେ ଭାଇ ମୃତ ଭଉଣୀ ଗୁରୁତର
ସୁନ୍ଦରଗଡ: ବଣାଇଁ ଥାନା ଅନ୍ତର୍ଗତ କଟୁରିଧୁଆ ଗ୍ରାମରେ ଗତରାତିରେ ଘରେ ଶୋଇଥିବା ଅବସ୍ଥାରେ ଭାଇ ଭଉଣୀକୁ କାମୁଡିଲା ବିଷାକ୍ତ ସାପ। ସାପ କାମୁଡ଼ିବାରେ ୪ ବର୍ଷୀୟ ଭାଇ ସନ୍ଦୀପ ଓରାମଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ୧୨ ବର୍ଷୀୟ ଭଉଣୀ ଅଲିଶା ଓରାମ ଗୁରୁତର ହୋଇ ରାଉରକେଲା ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି। ଏବେ ଝଅର ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି।
ଝିଅକୁ ସାବିତ୍ରୀ ଭାର ଦେଇ ଫେରୁଥିବା ବେଳେ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ
ବାଲେଶ୍ୱର: ଝିଅକୁ ସାବିତ୍ରୀ ଭାର ଦେଇ ଫେରୁଥିବା ବେଳେ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ। ବାସୁଦେବପୁର ଅନନ୍ତପୁର ବାଲିଛନ୍ଦା ଘାଟ ନିକଟରେ ଘଟିଛି ଅଘଟଣ । ବାଲିମେଣ୍ଢ ଅଞ୍ଚଳର ସୁନୀଲ ବାରିକ ଝିଅର ସାବତ୍ରୀ ଭାର ଦେଇ ଘରକୁ ଫେରୁଥିବା ବେଳେ କୌଣସି ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସୁନୀଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅନନ୍ତପୁର ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।
ଦିଲ୍ଲୀରେ ଉତ୍କଟ ଜଳସଙ୍କଟ, ଦିନକୁ ଗୋଟିଏ ଥର ମିଳୁଛି ପାଣି
ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଉତ୍କଟ ଜଳସଂକଟ। ତାତି ବଢିବା ସାଙ୍ଗକୁ ଦିଲ୍ଲୀର ବିଭିନ୍ନ ଅଂଚଳରେ ଦେଖାଦେଇଛି ଜଳ ସମସ୍ଯା। ଯୋଗାଣ ପାଇପରେ ଆସୁନି ପାଣି। ପାନୀୟ ଜଳ ପାଇଁ ସନ୍ତୁଳି ହେଉଛନ୍ତି ଲୋକେ। ଅନେକ ଅଂଚଳରେ ଟ୍ଯାଙ୍କର ଯୋଗେ ପାଣି ଯୋଗାଉଛନ୍ତି ଦିଲ୍ଲୀ ସରକାର। ଟ୍ଯାଙ୍କର ଆସିବାରେ ବିଳମ୍ବ ହେବା ମଧ୍ୟ କହୁଛନ୍ତି ଲୋକେ। ଅନେକ ସ୍ଥାନରେ ପ୍ରଦୂଷିତ ପାଣି ଆସୁଥିବାରୁ ସମସ୍ଯା ବଢିଛି। କେବଳ ଦିନକୁ ଗୋଟିଏ ଥର ପାଣି ଆସୁଥିବା ଲୋକେ କହିଛନ୍ତି। ଟ୍ଯାଙ୍କରରେ ଦିଆଯାଉଥିବା ପାଣି ମଇଳା ଥିବା କହିଛନ୍ତି। ପାଣି ନେବାକୁ ଶହ ଶହ ସଂଖ୍ଯାରେ ଲୋକେ ଭିଡ଼ ଲଗାଉଛନ୍ତି। ଗୋଟିଏ ଟ୍ଯାଙ୍କରେ ପାଣି ନେବାକୁ ଶହ ଶହ ସଂଖ୍ଯାରେ ପାଇପ ଲାଗିଛି। ପାଣି ସମସ୍ଯାର ସମାଧାନ କରିବାକୁ ଲୋକେ ଦାବି କରିଛନ୍ତି। ଦିଲ୍ଲୀରେ ପାରଦ ମଧ୍ୟ ଉପରେ ରହିଛି। ମୁଙ୍ଗେଶପୁର ଅଂଚଳରେ ପାରଦ ୪୯ ଡିଗ୍ରୀ ଉପରେ ରେକର୍ଡ ହୋଇଥିଲା।
ଉତ୍ତରାଖଣ୍ଡରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଘାଟିକୁ ଖସିଲା ଯାତ୍ରୀବାହୀ ଗାଡ଼ି ୬ ମୃତ
ଉତ୍ତରାଖଣ୍ଡ: ଦେବଭୂମି ଉତ୍ତରାଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ପାହାଡ଼ରୁ ଖାଲକୁ ଖସିଲା ଯାତ୍ରୀବାହୀ ଗାଡ଼ି। ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହାତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। କିଛି ଆହତଙ୍କୁ ହଲଦ୍ଵାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନୈନିତାଲ ଜିଲ୍ଲା ଓଖଲକାଣ୍ଡା ନିକଟରେ ଘଟିଛି ଏ ଦୁର୍ଘଟଣା।
ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାର ୩ ସଦସ୍ୟ ଅଛନ୍ତି। ଏନେଇ ପୋଲିସର ତଦନ୍ତ ଜାରି ରହିଛି ।
ଇମ୍ରାନ ଖାଁଙ୍କ ଲାଗି ବଢିପାରେ ଅଡୁଆ, ଦଳୀୟ ନିର୍ବାଚନ ପ୍ରସଙ୍ଗରେ ଆଜି ଶୁଣାଣି କରିବେ ନିର୍ବାଚନ କମିଶନ
ନନ୍ଦିଘୋଷ ବ୍ୟୁରୋ: ପୁଣି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଲାଗି ବଢିପାରେ ଅଡୁଆ। ଦଳୀୟ ନିର୍ବାଚନ ପ୍ରସଙ୍ଗରେ ଶୁଣାଣି କରିବେ ପାକିସ୍ତାନ ନିର୍ବାଚନ କମିଶନ। ଏନେଇ ପାକିସ୍ତାନ ତେହରିକ-ଏ-ଇନସାଫ ଅଧ୍ଯକ୍ଷ ବାରିଷ୍ଟର ଗୌହର ଅଲ୍ଲୀ ଖାଁ ଓ ମୁଖପାତ୍ର ରାଉଫ ହାସନଙ୍କୁ ନୋଟିସ ଜାରି କରିଥିଲେ ନିର୍ବାଚନ କମିଶନ। ଗତ ମେ’ ୩୦ ତାରିଖରେ ଏହି ମାମଲାର ଶୁଣାଣି ହେବାର ଥିଲା । ମାତ୍ର କୋର୍ଟରେ ଖଣ୍ଡପୀଠଙ୍କ ସମୟାନୁସାରେ ଏହାକୁ ଜୁନ ୬କୁ ପରିବର୍ତ୍ତିତ କରାଯାଇଥିଲା । ଦଳ ଭିତରେ ହୋଇଥିବା ନିର୍ବାଚନ ପ୍ରସଙ୍ଗରେ ସବିଶେଷ ତଥ୍ଯ ଦାଖଲ କରିବା ଲାଗି ଇସି ନିର୍ଦ୍ଦେଶ ଦେଇଥିଲେ। ସାଂଗଠନିକ ସ୍ଥିତି ହରାଇବା ପରେ ଦଳର ବାସ୍ତବ ତଥ୍ଯଗୁଡିକୁ ଦାଖଲ କରିବାକୁ ପିଟିଆଇକୁ ନିର୍ଦ୍ଦେଶ ଦେଇଥିଲେ ଇସିପି। ଗତ ୨୦୨୩ ଡିସେମ୍ବର ୨୨ରେ ପିଟିଆଇର ନିର୍ବାଚନ ସଙ୍କେତ ବ୍ଯାଟକୁ ରଦ୍ଦ କରିଥିଲେ ନିର୍ବାଚନ କମିଶନ। ପରେ ସୁପ୍ରିମକୋର୍ଟ ପିଟିଆଇକୁ ନିର୍ବାଚନରେ ସାମିଲ ହେବା ଲାଗି ସବୁଜ ସଙ୍କେତ ଦେବା ସହ ସ୍ବାଧୀନ ଭାବେ ଲଢିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଗତ ମାର୍ଚ୍ଚ ୩ରେ ଅନୁଷ୍ଠିତ ହୋଇଥିଲା ପିଟିଆଇର ଦଳୀୟ ନିର୍ବାଚନ।
ଆଜି ସରିବ ଜେଡିଏସର ପୂର୍ବତନ ସାଂସଦ ପ୍ରଜ୍ବଳ ରେବନ୍ନାଙ୍କ ରିମାଣ୍ଡ ଅବଧି
କର୍ଣ୍ଣାଟକ: ଆଜି ସରିବ କର୍ଣ୍ଣାଟକ ଜେଡିଏସର ପୂର୍ବତନ ସାଂସଦ ପ୍ରଜ୍ବଳ ରେବନ୍ନାଙ୍କ ଏସଆଇଟି ହେପାଜତ ଅବଧି। ସେକ୍ସ ଭିଡିଓ ମାମଲାରେ ଜର୍ମାନୀରୁ ଫେରିବା ପରେ ତାଙ୍କୁ ଗିରଫ କରିଥିଲା ଏସଆଇଟି। ବିଦେଶକୁ ଯିବାର ୩୩ ଦିନ ପରେ ତାଙ୍କୁ ଏସଆଇଟି ଗିରଫ କରିଥିଲା। ଗତ ଶୁକ୍ରବାର ଗିରଫ କରାଯିବା ପରେ ତାଙ୍କୁ ୬ ଦିନ ଲାଗି ଏସିଆଇଟି ହେପାଜତକୁ ପଠାଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବେଗୌଡାଙ୍କ ନାତି ପ୍ରଜ୍ବଳ ।
ସୂଚନା ଅନୁଯାୟୀ, ପ୍ରଜ୍ବଳ ରେବନ୍ନା ସେକ୍ସ ଭିଡିଓ ମାମଲାରେ ଛନ୍ଦି ହେବା ପରେ କର୍ଣ୍ଣାଟକ ରାଜନୀତିରେ ହୋଇଥିଲା କମ୍ପନ। ଗତ ଏପ୍ରିଲ ୨୮ରେ ପ୍ରାୟ ୩ ହଜାର ସେକ୍ସକ୍ଲିପ ଥିବା ଭିଡିଓ ଲିକ୍ ହେବା ପରେ ଅସୁବିଧାରେ ପଡିଥିଲେ ପ୍ରଜ୍ବଳ। ଏହି ଘଟଣାରେ ମେ’ ୪ ତାରିଖରେ ପ୍ରଜ୍ବଳଙ୍କ ବାପା ଏଚଡି ରେବନ୍ନାଙ୍କୁ ଗିରଫ କରିଥିଲା ଏସଆଇଟି। ସେ ମେ’ ୨୬ରେ ଦେଶ ଛାଡି ଜର୍ମାନୀ ପଳାୟନ କରିଥିଲେ। ଶେଷରେ ମେ’ ୩୧ ତାରିଖରେ ତାଙ୍କୁ ଗିରଫ କରିଥିଲା ଏସଆଇଟି।
ଆଜି ସାବିତ୍ରୀ ଅମାବାସ୍ୟା: ସ୍ବାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳୁଛନ୍ତି ସଧବା
ଭୁବନେଶ୍ୱର: ଆଜି ସାବିତ୍ରୀ ଅମାବାସ୍ୟା। ସ୍ବାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳୁଛନ୍ତି ସଧବା। ସ୍ୱାମୀଙ୍କ ଦୀର୍ଘାୟୁ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ମହିଳା ମାନେ ଏହି ବ୍ରତ ପାଳନ କରିଥାନ୍ତି । ସାବିତ୍ରୀ ପୂଜା ପାଇଁ ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା ।
ଜ୍ୟେଷ୍ଠ ଅମାବାସ୍ୟା ‘ସାବିତ୍ରୀ ଅମାବାସ୍ୟା’ ଭାବରେ ଖ୍ୟାତ ଏବଂ ପ୍ରତି ଓଡ଼ିଆ ଘରେ ଏହା ସଧବା ସ୍ତ୍ରୀମାନଙ୍କର ଏକ ପବିତ୍ର ବ୍ରତ ରୂପେ ପାଳିତ ହୁଏ।ଯମରାଜଙ୍କ ପଛରେ ଯାଇ ସ୍ବାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ ସାବିତ୍ରୀ । ହିନ୍ଦୁ ଶାସ୍ତ୍ରର ସେହି ପୌରାଣିକ କଥାକୁ ମନେ ପକାଇ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ପୂଜା କରୁଛନ୍ତି ବିବାହିତା ମହିଳାମାନେ। ହାତରେ ଭୋଗ, ମନରେ ଉତ୍ସାହ ନେଇ ଦେବାଳୟକୁ ଯାଇଛନ୍ତି ସଧବା। ନୂଆ ଶାଢୀ, ସଙ୍ଖା, ସିନ୍ଦୂର ଓ ଅଳତା ନେଇ ପୂଜାର୍ଚ୍ଚନା କରୁଛନ୍ତି । ଘରେ ଘରେ ବି ସାବିତ୍ରୀଙ୍କ ପ୍ରତିମା ଗଢି ବ୍ରତ କଥା ଗାଇ ପୂଜା କରୁଛନ୍ତି ସଧବା ନାରୀ । ବିଶେଷ କରି ଆମ୍ବ, ପଣସ, ନଡିଆ, ଫୁଟି କାକୁଡି, ତାଳ, ଖଜୁରୀ ଆଦି ଦେଶୀ ଫଳରେ ପୂଜା କରୁଛନ୍ତି।
ଏ ବ୍ରତକଥାର ବାର୍ତ୍ତା ହେଉଛି, ଜ୍ୟେଷ୍ଠ ଅମାବାସ୍ୟା ଦିନ ଯିଏ ସାବିତ୍ରୀଙ୍କ ନାମ ସ୍ମରଣ କରି ବ୍ରତ କରିବ, ସେ ଜନ୍ମେ ଜନ୍ମେ ସଧବା ରହିବ। ପତିପରାୟଣା ଓ ପୁତ୍ରବତୀ ହୋଇ ଅନ୍ତିମକାଳରେ ବୈକୁଣ୍ଠ ପୁରକୁ ଯିବ।

