କଟକ: ବାରଙ୍ଗ ନିକଟ ଚୁଡ଼ଙ୍ଗ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ବାରଙ୍ଗ ଥାନା ପଛ କନକଦୁର୍ଗା ଆଦିବାସୀ ସାହିର ସୁଶାନ୍ତ ଟୁଡୁ । ମୃତକଙ୍କ ଶରୀରରେ କ୍ଷତ ଚିହ୍ନ ରହିଥିବାବେଳେ ତାଙ୍କୁ ହତ୍ଯା କରାଯାଇଥିବା ସନ୍ଦେହ କରାଯାଉଛି । ଅଭିଯୋଗ ଅନୁସାରେ ମଙ୍ଗଳବାର ପୂର୍ବାହ୍ନରେ ମୃତ ସୁଶାନ୍ତ ଦୁଇଜଣ ସହଯୋଗୀଙ୍କ ସହ ସ୍କୁଟର ଯୋଗେ ଜଙ୍ଗଲକୁ ମଦ୍ୟପାନ କରିବାକୁ ଯାଇଥିଲେ। ସେଠାରେ ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ସୁଶାନ୍ତଙ୍କ ଦୁଇ ସହଯୋଗୀ ସେଠାରୁ ଚାଲି ଆସିଥିଲେ । ହେଲେ ରାତି ସୁଦ୍ଧା ସୁଶାନ୍ତ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ବି ସୁଶାନ୍ତଙ୍କ ଖୋଜଖବର ପାଇନଥିଲେ । ଏହାପରେ ଥାନାରେ ଅଭିଯୋଗ କରିଥିଲେ । ଗତକାଲି ସନ୍ଧ୍ଯାରେ ଜଙ୍ଗଲ ଭିତରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ବାରଙ୍ଗ ଓ ଚନ୍ଦକା ପୋଲିସ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରୁଛି। ଦୁଇ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସୁଶାନ୍ତଙ୍କୁ ହତ୍ଯା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ରାଜ୍ଯରେ ଆକାଶ ଛୁଆଁ ପରିବା ଦର
ନନ୍ଦିଘୋଷ ବ୍ୟୁରୋ: ରାଜ୍ଯରେ ଆକାଶ ଛୁଆଁ ପରିବା ଦର । ନିୟମିତ ବଢୁଛି ଦରଦାମ। କଞ୍ଚା ପରିବାରେ ହାତ ମାରିବାକୁ ବି ଡର ଲାଗୁଛି। ଓଡିଶାର ଅଧିକାଂଶ ସ୍ଥାନରେ ଚିନ୍ତା ବଢାଇଲାଣି ପରିବା ଦର । ଆଳୁ ସହ ଟମାଟୋ ଦର ଆକାଶ ଛୁଇଁଲାଣି । ତାସହ ଖାଉଟିଙ୍କୁ ମହଙ୍ଗା ପଡୁଛି କଞ୍ଚା ପନିପରିବା କିଣିବା । ସବୁ ପରିବା ଦାମ ୫୦ ଟଙ୍କା ଉପରେ ରହିଛି । ଆଗରୁ ୩୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଏବେ ଦୁଇଗୁଣା। ଟମାଟୋ କିଲୋପ୍ରତି ୬୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଫୁଲକୋବି, ପୋଟଳ, ବାଇଗଣ, କାଙ୍କଡ ଆଦି ପରିବା ୫୦ ଟଙ୍କା ଉପରେ ରହିଛି। ଦରଦାମକୁ ନେଇ ଲୋକଙ୍କ ମଧ୍ଯରେ ଅସନ୍ତୋଷ ଦେଖିବାକୁ ମିଳିଛି।
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଗାଁ ବୁଲିଲେ ମୁଖ୍ଯମନ୍ତ୍ରୀ
ପୁରୀ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଗାଁ ବୁଲିଲେ ମୁଖ୍ଯମନ୍ତ୍ରୀ। ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ସକାଳୁ ମୁଖ୍ୟମନ୍ତ୍ରୀ ଅନ୍ୟ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ପିପିଲି ଓ ସତ୍ୟବାଦୀର ବିଧାୟକ ଏବଂ ବାଲେଶ୍ବର, ପୁରୀର ସାଂସଦ ସୁଆଣ୍ଡୋରେ ପହଞ୍ଚିଥିଲେ। ପ୍ରଥମେ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଷଠିଘର ପରିଦର୍ଶନ କରି ସେଠାରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହାପରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।
ଗୋପବନ୍ଧୁଙ୍କ ଗାଁ ବୁଲିବା ପରେ ଅଞ୍ଚଳର ବିକାଶ ନେଇ ଲୋକଙ୍କ ସହ କଥା ହୋଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ ସୁଆଣ୍ଡୋର ବିକାଶ ପାଇଁ କାର୍ଯ୍ୟ କରିବାକୁ ସରକାର ପ୍ରତିଶୃତିବଦ୍ଧ ।
ରଜ ପାଇଁ ସଜବାଜ ହେଲାଣି ପରିବେଶ
ନନ୍ଦିଘୋଷ ବ୍ୟୁରୋ: ରଜ ପାଇଁ ଆରମ୍ଭ ହୋଇଗଲାଣି ସଜବାଜ। ଗାଁ ଠାରୁ ସହର ପର୍ଯ୍ୟନ୍ତ ରଜ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । କୁଆଁରୀ ମାନେ ରଜ ୩ ଦିନ କିପରି ଖେଳକୁଦ ଓ ମଉଜ ମଜଲିସରେ କାଟିବେ ସେଥିପାଇଁ ସମସ୍ତେ ପ୍ରସ୍ତୁତ ଚାଲିଛି। କୁଆଁରୀଙ୍କ ଦୋଳି ବନ୍ଧା ଆରମ୍ଭ ହୋଇଗଲାଣି। ହାତଠାରି ଡାକିଲାଣି ଅଳତା, ମେହେନ୍ଦୀ, ପିଠା, ମିଠାପାନ। ପିଠା ମିଠାର ୧୨ ସୁଆଦ ନେବାକୁ କୁଆଁରୀ ମାନେ ଅପେକ୍ଷା କରିବସିଲେଣି। ଆଜି ଘରେ ଘରେ ରଜ ସଜବାଜ ସହ ପିଠା ମିଠାର ପ୍ରସ୍ତୁତି ଚାଲିଛି।
ଏପଟେ ରଜ କିଣାବିକା ପାଇଁ ବଜାରରେ ଭିଡ ଜମିଛି । ରଜରେ ସହରରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ରଜ ପାଇଁ ଅନେକ ତେଜରାତି ଦୋକାନୀ ଚାଉଳ ଚୂନା ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ଅନ୍ୟପଟେ ପାର୍ଲରରେ ଝିଅଙ୍କ ଭିଡ । ବଡ ବଡ ରେଷ୍ଟୁରାଣ୍ଟରେ ମଧ୍ଯ ପିଠାକୁ ମେନ୍ଯୁର ସାମିଲ କରିଛନ୍ତି ମାଲିକ । ପୋଡପିଠା , କରଞ୍ଜିପିଠା, ଚନ୍ଦ୍ରକଳା, କାକରା, ମଣ୍ଡା, ଲବଙ୍ଗୀ ପରି ଭଳିକି ଭଳି ଖାଦ୍ଯ ମେନ୍ଯୁରେ ସାମିଲ ହୋଇଛି । ଛୋଟ ପିଲାଙ୍କ ପାଇଁ ସହର ଗଳିକନ୍ଦିରେ ଦୋଳିର ପସରା ମେଲି ବସିଥିବା ବ୍ଯବସାୟୀ ବି ଭଲ ରୋଜଗାର ନେଇ ଆଶାବାଦୀ ।
ରାଜ୍ୟରେ ଆଗକୁ ବଢ଼ିବ ମୌସୁମୀ, ୩ରୁ ୪ଦିନ ମଧ୍ୟରେ ଓଡ଼ିଶାକୁ ପ୍ରବେଶ କରିବ ମୌସୁମୀ
ଭୁବନେଶ୍ୱର: ଆଗକୁ ବଢିବ ମୌସୁମୀ । ଆସନ୍ତା ୧୫ ତାରିଖ ପରେ ମୌସୁମୀ ଆଗକୁ ବଢିବା ପାଇଁ ପାଗ ଅନୁକୂଳ ରହିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତ ୮ ତାରିଖରେ ଓଡ଼ିଶାର ମାଲକାନଗିରି ଜିଲ୍ଲାକୁ ଛୁଇଁଥିବା ବେଳେ ଆଉ ଆଗକୁ ବଢିପାରିନି । କାରଣ କାଳବୈଶାଖୀ ପ୍ରଭାବ କମିବା ସହ ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଉତ୍ତର ଉପକୂଳ ଓଡିଶାରେ ମଧ୍ୟ ଗରମ ଗୁଳୁଗୁଳି ଲଗାତାର ଜାରି ରହିଛି। ଫଳରେ ମୌସୁମୀ ମାଲକାନଗିରି ଜିଲ୍ଲାରୁ ଆଗକୁ ବଢିବା ପାଇଁ ବଳ ପାଉନି । ତେବେ ଗତକାଲି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମହାରାଷ୍ଟ୍ର ଓ ଛତିଶଗଡ଼ର କିଛି ଅଞ୍ଚଳ, ସମ୍ପୂର୍ଣ୍ଣ ତେଲେଙ୍ଗାନାକୁ ସ୍ପର୍ଶ କରିଛି । ଆଗାମୀ ୩ରୁ ୪ଦିନ ମଧ୍ୟରେ ଓଡ଼ିଶାର କିଛି ଅଞ୍ଚଳ ସମେତ ଆନ୍ଧ୍ର ଉପକୂଳ ଓ ବଙ୍ଗୋପସାଗରର ଉତ୍ତର ପଶ୍ଚିମ ଅଞ୍ଚଳକୁ ସ୍ପର୍ଶ କରିବା ନେଇ ପାଗ ଅନୁକୂଳ ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମୌସୁମୀ ସ୍ପର୍ଶ କରିବା ପର୍ଯ୍ୟନ୍ତ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଓ ଉପକୂଳ ଓଡ଼ିଶାରେ ଗରମ ସହ ଗୁଳୁଗୁଳି ଅନୁଭୂତ ହେବ । ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ଜନିତ ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ । ୧୫ ତାରିଖଠାରୁ ପାଗରେ ପରିବର୍ତ୍ତନ ହୋଇପାରେ। ଗ୍ରୀଷ୍ମ ପ୍ରବାହ ସାମାନ୍ୟ କମିବା ସହ କାଳବୈଶାଖୀ ବର୍ଷାର ପ୍ରଭାବ ବଢିବ। ୧୬ ତାରିଖରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୧୭ ତାରିଖଠାରୁ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।
ଡୋଡା ଆକ୍ରମଣ ଘଟଣା: ୪ ଆତଙ୍କବାଦୀଙ୍କ ସ୍କେଚ୍ ଜାରି, ସୂଚନା ଦେବା ବ୍ୟକ୍ତିଙ୍କୁ ମିଳିବ ପୁରସ୍କାର ରାଶି
ନନ୍ଦିଘୋଷ ବ୍ୟୁରୋ: ଡୋଡା ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଜମ୍ମୁ-କାଶ୍ମୀର ପୋଲିସ ୪ ଜଣ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି। ଏହି ଆତଙ୍କବାଦୀମାନେ ଡୋଡା ଜିଲ୍ଲାର ଭଦ୍ରଓ୍ୱାହ, ଥାଥରି, ଏବଂ ଗଣ୍ଡୋହର ଉପର ଅଞ୍ଚଳରେ ସକ୍ରିୟ ଥିବା ଜଣାପଡିଛି। ଏହି ଆତଙ୍କବାଦୀଙ୍କ ବିଷୟରେ ସୂଚନା ପାଇଁ ଜମ୍ମୁ କଶ୍ମୀର ପୋଲିସ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି। ଆତଙ୍କବାଦୀଙ୍କ ସୂଚନା ଦେବା ବ୍ୟକ୍ତିଙ୍କ ପରିଚୟ ଗୁପ୍ତ ରଖାଯିବ ବୋଲି ପୋଲିସ କହିଛି।
ପୁରସ୍କାର ରାଶି ୨୦ ଲକ୍ଷ ଟଙ୍କା
ଜମ୍ମୁ କଶ୍ମୀର ପୋଲିସ ଏହି ଆତଙ୍କବାଦୀଙ୍କ ସ୍କେଚ୍ ସୋଶାଲ ମିଡିଆ X ଆକାଉଣ୍ଟରେ ଜାରି କରିଛି। ପ୍ରତ୍ୟେକ ଆତଙ୍କବାଦୀଙ୍କ ବିଷୟରେ ସୂଚନା ପ୍ରଦାନ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ଏହାର ଅର୍ଥ, ଯଦି କେହି ଚାରି ଆତଙ୍କବାଦୀ ବିଷୟରେ ପୋଲିସକୁ ସୂଚନା ଦିଅନ୍ତି, ତେବେ ତାଙ୍କୁ ୨୦ ଲକ୍ଷ ଟଙ୍କା ପୁରସ୍କାର ମିଳିବ।
ସୂଚନା ଅନୁୟାୟୀ, ଗତ ୪ ଦିନ ଭିତରେ ଜମ୍ମୁର ସମ୍ଭାବର ଭିନ୍ନ ଭିନ୍ନ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଏନ୍କାଉଣ୍ଟର ମାମଲା ସାମ୍ନାକୁ ଆସିଛି। ଆତଙ୍କବାଦୀମାନେ କାଠୁଆର ହୀରାନଗରରେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ । ବୁଧବାର ସନ୍ଧ୍ୟାରେ ଜମ୍ମୁର ଡୋଡା ଜିଲ୍ଲାର କୋଟା ଟପ୍ ଠାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ କନଷ୍ଟେବଳ ଫରିଦ ଅହମ୍ମଦ ଆହତ ହୋଇଥିଲେ।
କହିରଖୁ ଯେ, ରେସି ଆକ୍ରମଣ ପରେ ଆତଙ୍କବାଦୀ ଘଟଣା ବୃଦ୍ଧି ପାଇଛି। ଜୁନ୍ 9, ରବିବାର ଦିନ ଜାମ୍ମୁର ରେସିର ଶିବଖୋଡିରୁ ଫେରୁଥିବା ଏକ ବସ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୯ ଭକ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ୪୧ ରୁ ଅଧିକ ଆହତ ହୋଇଥିଲେ। ଏହି ଆକ୍ରମଣ ପରେ ଆତଙ୍କବାଦୀ ଘଟଣା କ୍ରମାଗତ ଭାବେ ସାମ୍ନାକୁ ଆସୁଛି। କାଠୁଆ ଏବଂ ଡୋଡାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଥିଲା।
ପାରିବାରିକ କଳହର କରୁଣ ପରିଣତି; ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ
ବାଲେଶ୍ବର : ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ । ବାଲେଶ୍ବର ଜିଲ୍ଲା ଖଇରା ଥାନା ଅସୁରିଆ ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତକ ହେଲେ କାଞ୍ଚନ ପରିଡ଼ା । ଅଭିଯୁକ୍ତ ସ୍ବାମୀ ରମାକାନ୍ତ ପରିଡ଼ାକୁ ପୋଲିସ ଅଟକ ରଖି ତଦନ୍ତ କରୁଛି । ଅଭିଯୋଗ ଅନୁସାରେ ରମାକାନ୍ତ ବେଆଇନ ମଦ ବିକ୍ରି କରିବା ସହ ନିଶାରେ ସ୍ତ୍ରୀଙ୍କୁ ମାରପିଟ କରୁଥିଲା । ଏପରିକି ଗାଁରେ ବିଭିନ୍ନ ସମୟରେ ଗଣ୍ଡଗୋଳ ମଧ୍ଯ କରୁଥିଲା । ୭ ବର୍ଷ ତଳେ ଜଣେ ଯୁବକଙ୍କୁ ଭୁଜାଲିରେ ହାଣି ହତ୍ଯା କରି ଜେଲ ଯାଇଥିଲା ଅଭିଯୁକ୍ତ। ପରେ ଜାମିନରେ ଆସି ମଧ୍ଯ ଅନେକ ସମୟରେ ମାରପିଟ କରୁଥିଲା ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ଯରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ହତ୍ଯା କରିଥିଲା ସ୍ବାମୀ । ଗ୍ରାମବାସୀଙ୍କ ସୂଚନା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିୁଯୁକ୍ତକୁ ଅଟକ ରଖି ତଦନ୍ତ କରୁଛି ।
ଗାଜିଆବାଦରେ ଭୟାବହ ଅଗ୍ନିକାଣ୍ଡ, ୨ ଶିଶୁ ସମେତ ୫ ମୃତ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଗାଜିଆବାଦରେ ଭୟାବହ ଅଗ୍ନିକାଣ୍ଡ । ଗାଜିଆବାଦର ଲୋନି ସୀମା ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ତିନି ମହଲା ବିଶିଷ୍ଟ ଏକ କୋଠାରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ୨ ଜଣ ଶିଶୁ ରହିଥିବା ସୂଚନା ମିଳିଛି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହା ପୂର୍ବରୁ ୭ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । କୁହାଯାଉଛି ଯେ, ମହଲାରେ ଫୋମ ବିଜନେସ ଚାଲୁଥିଲା ।
ଏହି ଘଟଣା ସାମ୍ନାକୁ ଆସିବା ମାତ୍ରେ ସିଏମ୍ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏ ବାବଦରେ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶାବଳୀ ଦିଆଯାଇଛି ।
ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଗାଜିଆବାଦର ହାଜିପୁର ଗାଁରେ ଇସ୍ତିୟାକ ଅଲି ନିଜ ପରିବାରକୁ ଧରି ତୃତୀୟ ମହଲାରେ ରହୁଥିଲେ । ପରିବାରରେ ତାଙ୍କ ପୁଅ ସାରିକ, ସାରିକଙ୍କ ସ୍ତ୍ରୀ, ସାତ ମାସର ଶିଶୁ ଏବଂ ଭଉଣୀ ଥିଲେ । ସାରିକଙ୍କ ଅନ୍ୟ ଭଉଣୀ ନିଜ ତିନୋଟି ଶିଶୁଙ୍କୁ ଧରି ତାଙ୍କ ଘରକୁ ଆସିଥିଲେ । ଏହି ଭୟାବହ ଅଗ୍ନିକାଣ୍ଡରେ ଏମାନେ ସବୁ ଫସିଯାଇଥିଲେ । କୁହାଯାଉଛି ଯେ ବୁଧବାର ରାତି ପ୍ରାୟ ୮ ଟା ସମୟରେ ସର୍ଟ ସର୍କିଟ ଯୋଗୁଁ ଘରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିଲା।

