କଟକ: ମଞ୍ଚ ଉପରେ କେନ୍ଦ୍ରମନ୍ତ୍ରୀ ତଳେ ଖଣ୍ଡଯୁଦ୍ଧ । ମଙ୍ଗୁଆଳଙ୍କ ଆଗରେ ବିଜେପିର ରକ୍ତାକ୍ତ ସଂଘର୍ଷ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଲିରେ ହାତାହାତି କର୍ମୀ । କଟକ-ଚୌଦ୍ବାରରେ ପ୍ରଚାର ବେଳେ ପଦାରେ ପଡ଼ିଲା ବିଜେପିର ତୀବ୍ର ଗୋଷ୍ଠୀକନ୍ଦଳ । କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ନୟନ କିଶୋର ମହାନ୍ତିଙ୍କ ସମର୍ଥକ ଓ ବିପକ୍ଷବାଦୀ ମୁହାମୁହିଁ । ନୟନ କିଶୋରଙ୍କୁ ଦଳ ଟିକେଟ ଦେବା ପରଠୁ କୁହୁଳୁଥିବା ଅସନ୍ତୋଷ ଆଜି ବିସ୍ଫୋରଣ ହୋଇଛି । ପ୍ରଚାର କରିବାକୁ ଯାଇଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଗରେ ହାତାହାତି ସ୍ଥିତି ଉପୁଜିଛି । ଶହ ଶହ ନେତା ଓ କର୍ମୀ ଏକାଠି ହୋଇ ନୟନ ମହାନ୍ତିଙ୍କ ପ୍ରାର୍ଥିତ୍ବକୁ ତୀବ୍ର ବିରୋଧ କରୁଥିବାବେଳେ ନୟନଙ୍କ ସମର୍ଥକମାନେ ଆକ୍ରମଣ କରିଥିଲେ । ଫଳରେ ଦୁଇ ଗୋଷ୍ଠୀ ମଧ୍ଯରେ ହାତାହାତି ପରିସ୍ଥିତି ସହ ବିବାଦ ଉଗ୍ର ହୋଇଥିଲା । ଏପରିକି ସଭା ମଞ୍ଚରେ ବି କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ହଟ୍ଟଗୋଳ କରିଥିଲେ ଅସନ୍ତୁଷ୍ଟ ଗୋଷ୍ଠୀ । ୫ ଥର ନିର୍ବାଚନ ହାରିଥିବା ନେତାଙ୍କୁ କିଭଳି ଓ କାହିଁକି ପ୍ରାର୍ଥୀ କରାଗଲା ବୋଲି ବିଜେପି କର୍ମୀମାନେ ଦଳର ଶୀର୍ଷ ନେତୃତ୍ବଙ୍କୁ ପ୍ରଶ୍ନ କରିଛନ୍ତି । ତୁରନ୍ତ ନିଷ୍ପତ୍ତି ବଦଳାଇବାକୁ ଦାବି କରିଛନ୍ତି କର୍ମୀ । ଟିକେଟ ନିଷ୍ପତ୍ତି ନବଦଳିଲେ କୌଣସି ଜାଗାରେ ବିଜେପିର ପୋଷ୍ଟର ମାରିବାକୁ ଦିଆଯିବନି । ଏପରିକି ସମୂହ ଭାବେ ଦଳ ଛାଡ଼ିବାକୁ କର୍ମୀମାନେ ନେତୃତ୍ବଙ୍କୁ ଶୁଣାଇଦେଇଛନ୍ତି । ଦଳର ଶୀର୍ଷ ନେତୃତ୍ବଙ୍କ ପ୍ରଚାର ବେଳେ ଦଳୀୟ କର୍ମୀଙ୍କ ଫେରାଦ ହେବା ଓ ପ୍ରାର୍ଥିତ୍ବ ପରିବର୍ତ୍ତନ ପାଇଁ ଦାବି କରିବା ଏବଂ ପରିଶେଷରେ ହାତାହାତି ହେବା ସୂଚାଇ ଦେଉଛନ୍ତି ବିଜେପିରେ ଟିକେଟ ବିଦ୍ରୋହ ନିଆଁ ଶୀର୍ଷ ସ୍ତରରେ ପହଞ୍ଚିସାରିଲାଣି ।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସକୁ ନେଇ ପ୍ରଶ୍ନ ଉଠାଇଲେ ଏହି ଖେଳାଳି, ହାର୍ଦ୍ଦିକ ଲୁଚାଉଛନ୍ତି
ନନ୍ଦିଘୋଷ ବ୍ୟୁରୋ: ରବିବାର ୫ଥର ଲେଖାଏଁ ଚାମ୍ପିୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ । ପ୍ରଥମରୁ ପରାଜୟ ବରଣ କରୁଥିବା ମୁମ୍ବାଇ ଏବେ ଫର୍ମକୁ ଫେରିଥିବାବେଳେ ଚେନ୍ନାଇ ବିପକ୍ଷ ମ୍ୟାଚରେ କିଭଳି ପ୍ରଦର୍ଶନ କରିବ ତାକୁ ନେଇ ପ୍ରଂଶସକଙ୍କ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକଙ୍କୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଖବର । ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟର ତଥା ଭାଷ୍ୟକାର ସାଇମନ ଡୁଲ୍ କହିଛନ୍ତି କି, ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଆହତ ଅଛନ୍ତି । ସେ ନିଜର ଆହତକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । କାହିଁକି ନାଁ ସେ ନିଜର ପ୍ରଥମ ମ୍ୟାଚରେ ପ୍ରଥମ ଓଭର ବୋଲିଂ କରିଥିଲେ । ପରେ ଦ୍ବିତୀୟ ଓଭର ବୋଲିଂ କରିଥିଲେ । ମାତ୍ର ଶେଷ ମ୍ୟାଚ ଗୁଡ଼ିକରେ ବୋଲିଂ କରୁନାହାନ୍ତି ପାଣ୍ଡ୍ୟା । ଆହତ ଥିବାକାରଣରୁ ସେ ଏହାକୁ ଲୁଚାଇବା ପାଇଁ ପ୍ରୟାସ କରୁଛନ୍ତି । ସେପଟେ ହାର୍ଦ୍ଦିକ ପାଣ୍ଡ୍ୟା ଏହାକୁ ନେଇ କହିଛନ୍ତି କି, ମୁଁ ଫିଟ୍ ଅଛି । ତେବେ ବୋଲିଂ କରିବା ପାଇଁ ମୋର ଆବଶ୍ୟକ ପଡ଼ିନାହିଁ । ଏଣୁ ମୁଁ ବୋଲିଂ କରିନାହିଁ । ଆବଶ୍ୟକ ପଡ଼ିଲେ ମୁଁ ବୋଲିଂ କରିବି ।
ପଣା ସଂକ୍ରାନ୍ତି ପାଇଁ ବଢିବାରେ ଲାଗିଛି ମାଟି ଘୋଡା ଓ ଠେକିର ଚାହିଦା
ବାସୁଦେବପୁର: ରୋଜଗାର ଦେଉଛି ମାଟି ଘୋଡା । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଗଦି ଗାଁର ଶହ ଶହ କାରିଗର ପ୍ରସ୍ତୁତ କରୁଛନ୍ତି ମାଟି ଘୋଡା । ପଣା ସଂକ୍ରାନ୍ତି ପାଇଁ ବଢିବାରେ ଲାଗିଛି ମାଟି ଘୋଡା ଓ ଠେକିର ଚାହିଦା । ମାଟି ଘୋଡା ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ଲୋକ ।
ରବିବାର ପଣା ସଂକ୍ରାନ୍ତି ।ଏହିଦିନ ମାଟି ଠେକି ଓ ମାଟି ଘୋଡାର ଚାହିଦା ଅଧିକ । ଆଧୁନିକତାର ଛାପ ମଧ୍ଯରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଗଦି ଗାଁରେ ଏବେବି ବଞ୍ଚିଛି ମାଟି କାରିଗରୀ । ଦେଖନ୍ତୁ ଘରେ ଘରେ ତିଆରି କରୁଛନ୍ତି ମାଟି ଘୋଡା ଓ ଠେକି । ସକାଳ ଠାରୁ ସନ୍ଧ୍ଯା ପର୍ଯ୍ଯନ୍ତ ଲାଗି ପଡିଛନ୍ତି ସଭିଏଁ । ମାଟି ଘୋଡା ଆମ ସଂସ୍କୃତି ଓ ପରମ୍ପରା ସହିତ ନିବିଡ ଭାବେ ଜଡିତ । ପଣା ସଂକ୍ରାନ୍ତିରେ ସମସ୍ତେ ପିତୃପୁରୁଷଙ୍କ ଉଦ୍ଦେଶ୍ଯରେ ଠେକିରେ ପଣା ଅର୍ପଣ କରିଥାନ୍ତି । କିଏ ପିଲା ଛୁଆଙ୍କ ଭଲ ପାଇଁ ମାଆଙ୍କ ପାଖରେ ସମର୍ପଣ କରିଥାନ୍ତି ମାଟିଘୋଡା । ବର୍ଷକୁ ଥରେ ପଣାସଂକ୍ରାନ୍ତି ସମୟରେ ମାଟି ଘୋଡା ଓ ଠେକି ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି କୁମ୍ଭକାର ପରିବାର।
ଗଦି ଗାଁରେ ଅଛନ୍ତି ୨୫ଟି କୁମ୍ଭାର ପରିବାର । ସେହିପରି ବଂଶୀପାଟଣା, ବିନାୟକପୁର, ପାରା ଆଦି ଗାଁରେ ଶହ ଶହ କୁମ୍ଭକାର ପରିବାର ବସବାସ କରୁଛନ୍ତି । ମାଟି ସାମଗ୍ରୀ ତିଆରି କରି ଜୀବିକା ନିର୍ବାହ କରୁଛନ୍ତି । ମାଟିରେ ଦୀପ, ଠେକି, ଆଟିକା, କଳସ, ଘୋଡା ଆଦି ନିର୍ମାଣ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। କୁମ୍ଭାର ପରିବାରକୁ ଚକ ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଲୋଡିଛନ୍ତି ଲୋକ ।
କେବେ ସରିବ ଏନଏଚ-୫୫ ଜାତୀୟ ରାଜପଥ କାମ ?
ଢେଙ୍କାନାଳ: ରାଜ୍ଯରେ ବଢିବାରେ ଲାଗିଛି ନିର୍ବାଚନୀ ତାତି । ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି, ସେତିକ ସରଗରମ ହୋଇଉଠୁଛି ରାଜନୀତିକ ମାହୋଲ । ଜୋରଦାର ଚାଲିଛି କ୍ଯମ୍ପେନ। ବିଭିନ୍ନ ଜାଗାରେ ବିଭିନ୍ନ ମୁଦ୍ଦା ନେଇ ଜନତାଙ୍କ ପାଖରେ ପହଞ୍ଚୁଛନ୍ତି ପ୍ରାର୍ଥୀ । ଏହାରି ଭିତରେ କଟକ, ଢେଙ୍କାନାଳ ଓ ସମ୍ବଲପୁର ଏହି ତିନି ଲୋକସଭା କ୍ଷେତ୍ରରେ ଜାତୀୟ ରାଜପଥ NH- ୫୫ ଏବେ ପାଲଟିଛି ପ୍ରମୁଖ ରାଜନୈତିକ ମୁଦ୍ଦା ।
କେବେ ସରିବ ଏନଏଚ-୫୫ ଜାତୀୟ ରାଜପଥ କାମ ? ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ । କିଏ ହେବ ଉତ୍ତରଦାୟୀ ? ଏମିତି ଅନେକ ପ୍ରଶ୍ନ ବାଣରେ ଏବେ ଛନ୍ଦି ହେଉଛନ୍ତି ବିଜେପିର ୩ ଲୋକସଭା ସଂସଦୀୟ ପ୍ରାର୍ଥୀ । କଟକରେ ଭର୍ତୁହରି ମହତାବ, ଢେଙ୍କାନାଳରେ ରୁଦ୍ର ନାରାୟଣ ପାଣି, ସମ୍ବଲପୁରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ତିନି ପ୍ରାର୍ଥୀଙ୍କୁ ଏବେ ଭୋଟରଙ୍କ ଚିରାଚରିତ ପ୍ରଶ୍ନ କେବେ ସରିବ ଜାତୀୟ ରାଜପଥ କାମ । ବିଶେଷ କରି ସମ୍ବଲପୁର ଓ ଢ଼େଙ୍କାନାଳ ଲୋକସଭା କ୍ଷେତ୍ରରେ ଏପରି ସ୍ଥିତି ବେଶୀ ଦେଖିବାକୁ ମିଳିଛି। ଏହି ଦୁଇ ସଂସଦୀୟ କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘର ହୋଇଥିବାରୁ ପ୍ରତ୍ଯେକ ଦିନ ଦୁର୍ଘଟଣା ଘଟିବା ତାଙ୍କୁ ଅଡୁଆରେ ପକାଉଛି । ତେବେ ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି ସଫା ସଫା କହି ଦେଇଛନ୍ତି ସମ୍ବଲପୁର ଓ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ଭୋଟର ।
ତେବେ ଚାଲନ୍ତୁ ଏନଏଚ-୫୫ ଉପରେ ଟିକେ ନଜର ପକାଇବା । କଟକ ମଙ୍ଗୁଳି ଛକ ଠାରୁ ଢେ଼ଙ୍କାନାଳ ଅନୁଗୁଳ ଦେଇ ସମ୍ବଲପୁରକୁ ଯାଇଛି ଏନଏଚ-୫୫ ଜାତୀୟ ରାଜପଥ । ବିଶେଷ କରି କଟକ, ଢେ଼ଙ୍କାନାଳ, ଅନୁଗୁଳ ଓ ସମ୍ବଲପୁରର ଲାଇଫ ଲାଇନ୍ ଏହି ରାସ୍ତା । ୨୦୧୮ ମସିହାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଦୁଇ ବର୍ଷ ଭିତରେ ଶେଷ ହେବା କଥା ହେଲେ ପୂରିବାକୁ ଯାଉଛି ୭ ବର୍ଷ । ଏନଏଚଆଇ କର୍ତ୍ତୃପକ୍ଷଙ୍କ ପ୍ରତିଶୃତି ଅନୁଯାୟୀ ରାସ୍ତା କାମ ମାର୍ଚ୍ଚ ୩୦ରେ ସରିବା କଥା ହେଲେ ଆଜି ପର୍ଯ୍ଯନ୍ତ କାର୍ଯ୍ଯ ସରିପାରିନାହିଁ । ବାରମ୍ବାର ଦୁର୍ଘଟଣା ଘଟୁଥିଲେ ବି ସଡ଼କ ସୁରକ୍ଷା କମିଟିକୁ ଖାତିର କରୁନାହାଁନ୍ତି ଏନଏଚ କର୍ତ୍ତୃପକ୍ଷ।
କିଏ ଜିତିବ ? ସରଗରମ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ
ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ପାଇଁ ସରଗରମ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ । ଏଠାରେ ଏଥର ତ୍ରିମୁଖୀ ଲଢ଼େଇ ହେଉଛି । ୨ ହଜାର ମସିହାରୁ ବିଜେଡିର ଗଡ଼ ରହିଆସିଥିବା ଧର୍ମଗଡ଼ରେ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି । ତେବେ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ? ଭୋଟରଙ୍କ ମତ- ବିକାଶ ଯେଉଁଠି, ଭୋଟ୍ ସେଇଠି।
ଜମୁଛି ପ୍ରଚାର। ଧର୍ମଗଡ଼ରେ ତିନି ପ୍ରମୁଖ ରାଜନୈତିକ ଦଳ ଜୋରଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି । ଧର୍ମଗଡ଼ ବ୍ଲକର ୨୪ଟି ପଞ୍ଚାୟତ, କୋକସରା ବ୍ଲକର ୨୨, କଲମପୁର ବ୍ଲକର ୧୧, ଜୟପାଟଣା ବ୍ଲକର ୪ଟି ପଞ୍ଚାୟତ ଏବଂ ଧର୍ମଗଡ଼ ଏନଏସିକୁ ନେଇ ଧର୍ମଗଡ଼ ନିର୍ବାଚନମଣ୍ଡଳୀ ଗଠିତ । ଏଠାରେ ଭୋଟର ସଂଖ୍ୟା ୨ ଲକ୍ଷ ୫୬ ହଜାର ୭୭ । ଏମାନଙ୍କ ମଧ୍ଯରେ ପରୁଷ ୧ ଲକ୍ଷ ୩୧ ହଜାର ୫୮୭, ମହିଳା ୧ ଲକ୍ଷ ୨୪ ହଜାର ୪୮୪ ଓ ତୃତୀୟ ଲିଙ୍ଗୀ ଭୋଟର ମାତ୍ର ୬ ଜଣ ଅଛନ୍ତି । ଧର୍ମଗଡ଼ରେ ବିଜେଡି ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତି ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ । ବିଜେପି ପକ୍ଷରୁ ସୁଧୀର ପାାଟ୍ଟଯୋଶୀ ଓ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ରଶ୍ମିରେଖା ରାଉତ । ସମସ୍ତେ ଜୋରଦାର ପ୍ରଚାର କରୁଛନ୍ତି।
୨୦୦୦ ମସିହାରେ ବିଜେଡି- ବିଜେପି ମେଣ୍ଟ ସମୟରେ ବିଜେଡି ପ୍ରାର୍ଥୀ ବୀର ସିପ୍ପକା ୨୯ ହଜାର ୨୭୬ ଭୋଟ ପାଇ ବିଜୟୀ ହୋଇଥିଲେ । ୨୦୦୪ରେ ୫୨ ହଜାର ୨୭୬ ଭୋଟ ପାଇ ପୁଣି ଜିତିଥିଲେ ବିଜେଡି ପ୍ରାର୍ଥୀ ବୀର ସିପ୍ପକା । ୨୦୦୯ ମସିହାରେ ମେଣ୍ଟ ଭାଙ୍ଗିବା ପରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ପୁଷ୍ପେନ୍ଦ୍ର ସିଂହଦେଓ, କଂଗ୍ରେସରୁ ରାହାସ ବିହାରୀ ବେହେରା ଓ ବିଜେପିରୁ ଜନାର୍ଦ୍ଦନ ପଣ୍ଡା । ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ୫୬ ହଜାର ୪୭୦ ଭୋଟ ପାଇ ବିଜୟୀ ହୋଇଥିଲେ । ୨୦୧୪ ମସିହାରେ ୫୯ ହଜାର ୯୩୧ ଖଣ୍ଡ ପାଇ ପୁଣି ଜିତିଥିଲେ ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ।
କଂଗ୍ରେସ ପ୍ରାର୍ଥୀ ତୁଷାର ରଞ୍ଜନ ପଟ୍ଟଯୋଶୀ ପାଇଥିଲେ ୩୫ ହଜାର ୫୭୯ ଭୋଟ୍ ଓ ବିଜେପି ପ୍ରାର୍ଥୀ ରବୀନ୍ଦ୍ର ପଟ୍ଟଯୋଶୀଙ୍କୁ ୪୩ ହଜାର ୭୭୩ ଭୋଟ ମିଳିଥିଲା । ୨୦୧୯ରେ ବିଜେଡି ପ୍ରାର୍ଥୀ ମୌଷଧି ବାଗ ୬୮ ହଜାର ୨୯୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ବିଜେପି ପ୍ରାର୍ଥୀ ଅନନ୍ତ ପ୍ରତାପ ଦେଓ ୫୨ ହଜାର ୧୯୩ ଓ କଂଗ୍ରେସ ପ୍ରାର୍ଥୀ ଦିଗମ୍ବର ଦୁରିଆ ୪୨ ହଜାର ୫୯୩ ଖଣ୍ଡ ଭୋଟ ପାଇଥିଲେ । ୨ ହଜାର ମସିହାରୁ ଧର୍ମଗଡ଼ ବିଜେଡିର ଗଡ଼ ଭାବେ ପରିଚିତ । ରାଜ୍ଯ ସରକାରଙ୍କ ପକ୍ଷରୁ ଧର୍ମଗଡ଼ରେ ବହୁ ବିକାଶ ହୋଇଛି । ବଡ଼ ପାନୀୟଜଳ ପ୍ରକଳ୍ପ ସହ ଆଇଟିଆଇ, ଇନଡୋର ଷ୍ଟାଡିୟମ ଓ ସ୍କୁଲ ଓ କଲେଜର ହୋଇଛି ରୂପାନ୍ତରଣ । ବିଭିନ୍ନ ପର୍ଯ୍ଯଟନସ୍ଥଳୀର ହୋଇଛି ବିକାଶ । ବିକାଶକୁ ଭୋଟର ଗୁରୁତ୍ବ ଦେଉଛନ୍ତି।
ସରିଲା ମା ଦଣ୍ଡ କାଳୀଙ୍କ ୧୩ ଦିନାତ୍ମକ ଦଣ୍ଡ ଯାତ୍ରା
ବାଲିଗୁଡ଼ା: ସରିଲା ମା ଦଣ୍ଡ କାଳୀଙ୍କ ୧୩ ଦିନାତ୍ମକ ଦଣ୍ଡ ଯାତ୍ରା । ଶନିବାର ମା’ଙ୍କ ମେରୁ ଯାତ୍ରା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ମା ଦକ୍ଷିଣ କାଳୀଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି ମେରୁ ଯାତ୍ରା । ଏପ୍ରିଲ ୧ ତାରିଖରୁ ମା’ଙ୍କ ଦଣ୍ଡଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି ମେରୁ ଯାତ୍ରାରେ ଉଦଯାପିତ ହୋଇଛି। ୧୩ ଦିନ ଧରି ଦଣ୍ଡୁଆମାନେ ନିଷ୍ଠାର ସହ ମା’ଙ୍କ ସେବା କରିଥାନ୍ତି । ଏହି ମେରୁ ଯାତ୍ରାରେ ୧୬ ଦଣ୍ଡ ଭାଙ୍ଗିବା ପରେ ଶିବ ଓ ଶକ୍ତିଙ୍କୁ ନେଇ ପାଣି ଦଣ୍ଡକୁ ଯାଆନ୍ତି ଦଣ୍ଡୁଆ । ସେଠାରୁ ଫେରିବା ପରେ ମା ଦକ୍ଷିଣ କାଳୀଙ୍କ ମନ୍ଦିର ପରିସରରେ ଯଥା ନିତି ଅନୁଯାୟୀ ପୂଜାର୍ଚ୍ଚନା ଓ ହୋମ କାର୍ଯ୍ୟ ଅନୁଷ୍ଠିତ ହୁଏ । ଶେଷରେ ପାଟ ଭୋକ୍ତା ଖିରରେ ଗାଧୋଇବା ପରେ ଯଜ୍ଞ କୁଣ୍ତର ବ୍ରହ୍ମ ଅଗ୍ନିରେ ଝାସ ଦିଅନ୍ତି । ହଜାର ହଜାର ଭକ୍ତ ଶ୍ରଦ୍ଧାଳୁମାନେ ମାଆଙ୍କ ମେରୁ ଯାତ୍ରାରେ ଯୋଗଦେଇ ମାଆଙ୍କ କୃପା ଲାଭ କରିଛନ୍ତି । ଏହି ମେରୁ ଯାତ୍ରାରେ ବର୍ଷର ନୁଆ ଆମ୍ବ, ଖଜୁରୀ କୋଳି ପୂଜା ହୋଇଥାଏ। ନୂଆ ଫଳ ପୂଜା ହେବାପରେ ଅଞ୍ଚଳବାସୀ ଏହାକୁ ସେବନ କରିଥାନ୍ତି ।
ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲା ବିଜେଡି, `ବିଫଳତା ଲୁଚାଇବାକୁ ମିଛ କହୁଛନ୍ତି କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ବର: ନିଜ ବିଫଳତାକୁ ଲୁଚାଇବାକୁ ମିଛ କହୁଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁରର ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରେସମିଟରେ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିବା ସହ କଡ଼ା ସମାଲୋଚନା କରିଛି ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଗତ ୧୦ ବର୍ଷ ହେଲାଣି ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ହେଲେ ଓଡ଼ିଶା ପ୍ରତି ତାଙ୍କର କିଛି ବି ଅବଦାନ ନାହିଁ । ୧୦ ବର୍ଷରେ ଓଡ଼ିଶା ପ୍ରତି ଧର୍ମେନ୍ଦ୍ରଙ୍କ ଅବଦାନ ଶୂନ । ନିଜ ଅଞ୍ଚଳ ପାଇଁ ବି ୧୦ ବର୍ଷରେ କିଛି କରିନାହାନ୍ତି ଧର୍ମେନ୍ଦ୍ର । ନିଜ ମୁହଁ ଲୁଚାଇବାକୁ ଯାଇ ସେ ମିଛ କହିବାକୁ ବି ପଛାଉନାହାନ୍ତି । ସମସ୍ତେ ଜାଣିଛନ୍ତି ସାରା ଦେଶରେ ବିଏସକେୱାଇ ସର୍ବଶ୍ରେଷ୍ଠ ଯୋଜନା । ଏହି ପ୍ରକାର ଯୋଜନା ଆଣିବାରେ ଓଡ଼ିଶା ଏକମାତ୍ର ରାଜ୍ଯ । ବିଏସକେୱାଇ ମାଧ୍ଯମରେ ଲୋକଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉଛି । ମହିଳାଙ୍କୁ ବାର୍ଷିକ ୧୦ ଲକ୍ଷ ଓ ପୁରୁଷଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି ।
କିନ୍ତୁ ଦୁର୍ଭାଗ୍ଯର ବିଷୟ ଧର୍ମେନ୍ଦ୍ର ପ୍ରଧାନ ବିଏସକେୱାଇ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି । ବିଏସକେୱାଇ ଉପକାରିତା ଅଟକାଇବାକୁ ଧର୍ମେନ୍ଦ୍ର ଚକ୍ରାନ୍ତ କରୁଛନ୍ତି । ବିଏସକେୱାଇରେ ଚିକିତ୍ସା ପାଇ ଯଦି ସାଧାରଣ ଲୋକ ଉପକୃତ ହେଉଛନ୍ତି ତେବେ ଧର୍ମେନ୍ଦ୍ରଙ୍କୁ କାହିଁକି କଷ୍ଟ ହେଉଛି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି । ବିଏସକେୱାଇ ଯଦି ଏତେ ଖରାପ ଲାଗୁଛି ତାହେଲେ ବିଜେପି ନିର୍ବାଚନୀ ଇସ୍ତାହାରରେ ଏହାକୁ ବନ୍ଦ କରିବାକୁ ଘୋଷଣା କରୁ । ଓଡ଼ିଶା ବିଜେପି ନିର୍ବାଚନ ଇସ୍ତାହାରର ଏକ ନମ୍ବରରେ ବିଏସକେୱାଇ ବନ୍ଦ କରିବାକୁ ଘୋଷଣା କରୁ ବୋଲି ଆହ୍ବାନ ଦେଇଛନ୍ତି ସସ୍ମିତ । ୧୦ ବର୍ଷ କେନ୍ଦ୍ରମନ୍ତ୍ରୀ ଥାଇ ଧର୍ମେନ୍ଦ୍ର ଏନଏଚ ୫୫ କାମ ସାରିପାରିଲେନି । ପ୍ରତିଦିନ ଏନଏଚ ୫୫ରେ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଛି ।
ଏନଏଚ ୫୫ ହିଁ ଧର୍ମେନ୍ଦ୍ରଙ୍କ ବିଫଳତାର ପ୍ରତିମୂର୍ତ୍ତି । ଯିଏ ନିଜେ ରାସ୍ତାଟିଏ ତିଆରି କରିପାରିଲେନି ସେ ଆଜି ଅପରାଗତାକୁ ବଞ୍ଚାଇବାକୁ ବଡ଼ ବଡ଼ ଭାଷଣ ମାରୁଛନ୍ତି । ଲୋକଲଜ୍ଜାରୁ ବିଫଳତାକୁ ଲୁଚାଇବାକୁ ଧର୍ମେନ୍ଦ୍ର ଖ୍ଯାନ୍ତ ରୁହନ୍ତୁ ବୋଲି ସସ୍ମିତ କହିଛନ୍ତି । ଢେଙ୍କାନାଳରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନଏଚ ୫୫ କାମ ବିଳମ୍ବ ହେବା ପ୍ରସଙ୍ଗରେ ରାଜ୍ଯ ସରକାରଙ୍କୁ ଦାୟୀ କରିଥିଲେ । ଏପରିକି ଜାତୀୟ ରାଜପଥରେ ହେଉଥିବା ଦୁର୍ଘଟଣା ପାଇଁ ଟ୍ରାଫିକ ପୋଲିସର ବିଫଳତାକୁ ଅଙ୍ଗୁଳି ଉଠାଇଥିଲେ । ଯାହାର ଜବାବ ରଖିଛି ବିଜେଡି ।
ଭୋଟରଙ୍କୁ ପୁରୀ ଲୋକସଭା ଆସନ ବିଜେପି ପ୍ରାର୍ଥୀଙ୍କ ଘଣ୍ଟା ବାଣ୍ଟିବା ପ୍ରସଙ୍ଗ, ସମ୍ବିତ ପାତ୍ରଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି
ଭୁବନେଶ୍ବର: ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେଡି । ପୁରୀ ଅଞ୍ଚଳରେ ଘରେ ଘରେ ସମ୍ବିତ ପାତ୍ର ଘଣ୍ଟା ବାଣ୍ଟୁଛନ୍ତି । ଦୋକାନୀ ମାନଙ୍କୁ ମଧ୍ୟ ଘଣ୍ଟା ଦେଇଛନ୍ତି । ନିର୍ବାଚନ ରାଲି କରି ବୁଲୁଥିବା ବେଳେ ସମ୍ବିତ ଘଣ୍ଟା ବାଣ୍ଟୁଛନ୍ତି ଏବଂ ଘଣ୍ଟାରେ ନିଜ ଫଟୋ ସହ ଭାରତୀୟ ଜନତା ପାର୍ଟିର ଲୋଗୋ ରହିଛି । ଯାହାକି ନିର୍ବାଚନ ଆଚରଣବିଧି କୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ କରିଛି ବିଜେଡି। ଅତୀତରେ ମଧ୍ୟ ଉଜ୍ବଳା ଯୋଜନାରେ ସେ ଲୋକଙ୍କୁ ଭ୍ରମିତ କରିଛନ୍ତି । ତେଣୁ ଏହି ଖର୍ଚ୍ଚକୁ ନିର୍ବାଚନୀ ଖର୍ଚ୍ଚରେ ସାମିଲ କରିବାକୁ ଦାବି କରିଛି ବିଜେଡ଼ି। ଏହା ଛଡ଼ା ଏହି ଘଟଣା ଉପରେ ଗୁରୁତ୍ବ ଦେଇ ମୁଖ୍ୟାନିର୍ବଚନ ଅଧିକାରୀଙ୍କ ପାଖରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି ।
ରାଜ୍ୟରେ ପୁଣି ୪୦ ଡିଗ୍ରୀ ମୁହାଁ ପାରଦ
ଭୁବନେଶ୍ବର: ରାଜ୍ଯରେ ବଢିଲା ତାପମାତ୍ରା । କିଛିଦିନର ବ୍ଯବଧାନ ପରେ ପୁଣି ୪୦ ଡିଗ୍ରୀ ମୁହାଁ ପାରଦ । ଆଜି ଦିନ ସାଢେ ଦୁଇଟା ସୁଦ୍ଧା ଚାନ୍ଦବାଲି ହୋଇଛି ରାଜ୍ଯର ସବୁଠୁ ଉତ୍ତପ୍ତ ସହର ଚାନ୍ଦବାଲିରେ ୩୮.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ୩୮.୨ ଡିଗ୍ରୀ ସହ ଦ୍ବିତୀୟ ଉତ୍ତପ୍ତ ସହର ହୋଇଛି ଭୁବନେଶ୍ବର । ସେହିପରି ବାଲେଶ୍ୱରରେ ୩୭.୨, ଝାରସୁଗୁଡାରେ ୩୬.୬, ରାଉରକେଲାରେ ୩୬.୧, ସମ୍ବଲପୁର ଓ ହୀରାକୁଦରେ ୩୫.୨, ପାରାଦ୍ୱୀପରେ ୩୪.୯, ପୁରୀ ଓ ଗୋପାଳପୁରରେ ୩୪.୬ ଏବଂ କେନ୍ଦୁଝରରେ ୩୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ବାଡ଼ଘେରାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ, ସ୍ଵାମୀ ଓ ସ୍ତ୍ରୀକୁ ସଂଘବଦ୍ଧ ଆକ୍ରମଣ
ବାଲେଶ୍ବର: ବାଲେଶ୍ଵର ନୀଳଗିରିରେ ଗୋଷ୍ଠୀ ସଂଘର୍ଷ। ନୀଳଗିରି ଥାନା ଅନ୍ତର୍ଗତ ବାବନ୍ଧ ଗାଁରେ ବାଡ଼ଘେରାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ହୋଇଛି। ବୁଲିଲା ଠେଙ୍ଗା ଓ ଭୁଜାଲି। ଗୋଟିଏ ପରିବାରର ସ୍ଵାମୀ ଓ ସ୍ତ୍ରୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଜି ସକାଳେ ଗାଁର କିଛି ଯୁବକ କ୍ରିକେଟ ଖେଳିବାକୁ ଯାଉଥିବାବେଳେ ସିଂହସାହି ଛକରେ ହୋଇଥିଲା ବଚସା। ଘଟଣାକୁ କେନ୍ଦ୍ରକରି ସୁକୁରା ବେହେରା ଓ ତାଙ୍କ ପତ୍ନୀ ଆଶାମଣି ବେହେରାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ଉଭୟ ଗୁରୁତର ହୋଇ ପଡିଥିଲେ। ନୀଳଗିରି ପୋଲିସ ଘଟଣାର ତନାଘନା ଆରମ୍ଭ କରିଛି।

