ଭୁବନେଶ୍ବର: ବସିଲା ବିଜେଡିର ପ୍ରଥମ ଇସ୍ତାହାର କମିଟି ବୈଠକ। କଣ ରହିବ ଇସ୍ତାହାର ରୂପରେଖ ସେନେଇ ଶଙ୍ଖ ଭବନରେ କମିଟିର ପ୍ରଥମ ବୈଠକ ଆରମ୍ଭ ହୋଇଛି। ଗତ ବୁଧବାର ୩୮ ଜଣିଆ ଇସ୍ତାହାର କମିଟି ଗଠନ କରିଥିଲା ବିଜେଡି। ସାଂସଦ ଚନ୍ଦ୍ରଶେଖର ସାହୁ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ଉପସଭାପତି ଦେବୀ ମିଶ୍ରଙ୍କ ସମେତ ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ମଙ୍ଗଳା କିଷାନ, ପଦ୍ମନାଭ ବେହେରାଙ୍କ ସହ ମୋଟ ୭ ଜଣ ସହ-ଅଧ୍ୟକ୍ଷ ରହିଛନ୍ତି । ଅମର ପଟ୍ଟନାୟକଙ୍କୁ ଆବାହକ ଭାବେ ଦାୟିତ୍ଵ ଦିଆଯାଇଛି । ୨୫ ଜଣ ସଦସ୍ୟ ରହିଛନ୍ତି । ସରକାରକୁ ଆସିଲେ ବିଜେଡି ଲୋକଙ୍କ ପାଇଁ କଣ କରିବ ସେ ନେଇ ପ୍ରସ୍ତୁତ ହେବ ଇସ୍ତାହାର। ଏହି କମିଟିର ପରାମର୍ଶ ଆଧାରରେ ପ୍ରସ୍ତୁତ ହେବ ଇସ୍ତାହାର।
କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ଆନ୍ଦୋଳନ
ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ଆନ୍ଦୋଳନ। ସଠିକ୍ ସମୟରେ ଠିକା ସଂସ୍ଥା ଦରମା ଦେଉନଥିବାରୁ ଆନ୍ଦୋଳନ କୁ ଓହ୍ଲାଇଛନ୍ତି ସୁରକ୍ଷା କର୍ମଚାରୀ। ସକାଳୁ ସଫେଇ ବନ୍ଦରଖିଛି ସଂଘ। ସେହିପରି ସୁରକ୍ଷାକର୍ମୀଙ୍କୁ ରୋଗୀଙ୍କ ସମ୍ପର୍କୀୟ ମାଡ ମାରିଥିବା ନେଇ ମଧ୍ଯ ଅଭିଯୋଗ ହୋଇଛି। ଦରମା ମିଳିବାରେ ବିଳମ୍ବ ଅଭିଯୋଗ ନେଇ ଆନ୍ଦୋଳନ କୁ ଓହ୍ଲାଇଛନ୍ତି ସଂଘ। ଅନ୍ୟପଟେ ବର୍ଦ୍ଧିତ ଦରମା ବି ଠିକା ସଂସ୍ଥା କର୍ମଚାରୀମାନଙ୍କୁ କାହିଁକି ଦେଉ ନାହିଁ ବୋଲି ସୁରକ୍ଷା କର୍ମୀମାନେ ପ୍ରଶ୍ନ କରିଛନ୍ତି। ଦୀର୍ଘ ୫ ଘଣ୍ଟା ଧରି ଆନ୍ଦୋଳନ ପରେ ସୁରକ୍ଷାକର୍ମୀ ଓ ସଫେଇ କର୍ମଚାରୀଙ୍କ ସହ କ୍ୟାପିଟାଲ ଥାନା ଅଧୀକାରୀ ଓ ଜୋନ୍ ଏସିପି ଆଲୋଚନା କରିଛନ୍ତି। ଠିକା ସଂସ୍ଥାକୁ ସମସ୍ତ ଟଙ୍କା ପ୍ରଦାନ କରାଯାଇଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସଫେଇ ଓ ସୁରକ୍ଷା କର୍ମଚାରୀ ଦରମା ପାଇନଥିବା ଅଭିଯୋଗ କରି ପ୍ରତିବାଦ କରୁଛନ୍ତି ବୋଲି କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକ କହିଛନ୍ତି। ଠିକା ସଂସ୍ଥାର ଅଧିକାରୀଙ୍କ ସହ ଆଲୋଚନା ହେଉଛି ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକ ଡ଼ା ଦିଲ୍ଲୀପ କୁମାର ପଣ୍ଡା କହିଛନ୍ତି।
ମହାରାଷ୍ଟ୍ରରେ ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ଯମନ୍ତ୍ରୀ ଅଜିତ ପାୱାରଙ୍କୁ ଝଟକା
ମୁମ୍ୱାଇ: ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନ ଲାଗି ବିଜେପି ପକ୍ଷରୁ ପ୍ରକାଶିତ ତାରକା ପ୍ରଚାରକ ତାଲିକାରୁ ବାଦ୍ ପଡିଲେ ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ଯମନ୍ତ୍ରୀ ଅଜିତ ପାୱାର। କେବଳ ନିଜ ଦଳର ନେତା ହିଁ ପ୍ରଚାରକ ତାଲିକାରେ ରହିବେ। ଅନ୍ଯ ଦଳର ନେତା ଏହି ତାଲିକାରେ ରହିପାରିବେ ନାହିଁ ବୋଲି ରାଜ୍ଯ ନିର୍ବାଚନ ଅଧିକାରୀ ଏକ ପତ୍ର ଦେବା ପରେ ଦୁଇ ନେତାଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି। ମହାରାଷ୍ଟ୍ରର ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟକୁ ପତ୍ର ଲେଖି ସିଇଓ କହିଛନ୍ତି-ଜନ ପ୍ରତିନିଧି ଆଇନ ଅନୁସାରେ କୌଣସି ଦଳର ତାରକା ପ୍ରଚାରକ ତାଲିକାରେ କେବଳ ସେହି ଦଳର ନେତା ହିଁ ସ୍ଥାନ ପାଇବେ।
ସେପଟେ ବିଜେପି ପକ୍ଷରୁ ସଂଶୋଧିତ ୪୦ ଜଣିଆ ତାରକା ପ୍ରଚାରକ ତାଲିକା ପ୍ରସ୍ତୁତ କରାଯାଇଛି। ମହାରାଷ୍ଟ୍ରର ଅବଶିଷ୍ଟ ଆସନ ଲାଗି ପ୍ରଚାର କ୍ଷେତ୍ରରେ ଏହି ସଂଶୋଧିତ ତାଲିକା କାର୍ଯ୍ୟକାରୀ ହେବ ବୋଲି ମୁଖ୍ଯ ନିର୍ବାଚନ ଅଧିକାରୀ ରାଜୀବ କୁମାରଙ୍କ ନିକଟକୁ ପତ୍ର ଲେଖିଛନ୍ତି ବିଜେପି ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂ। ଏହି ପ୍ରଚାର ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ ରହିଛନ୍ତି।
ଏପ୍ରିଲ ୧୫ ତାରିଖରେ ତିହାର ଜେଲରେ କେଜ୍ରିଓ୍ବାଲଙ୍କୁ ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ !
ନୂଆଦିଲ୍ଲୀ: ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ। କେଜରିଓ୍ବାଲଙ୍କ ସହ ସାକ୍ଷାତକାର କରିବା ପାଇଁ ଅନୁମତି ମିଳିଛି। ଏହି ଅନୁମତି ଜେଲ୍ କର୍ତ୍ତୃପକ୍ଷ ଦେଇଛନ୍ତି । ଆସନ୍ତା ୧୫ ତାରିଖରେ ଦୁଇ ମୁଖ୍ଯମନ୍ତ୍ରୀ ପରସ୍ପରକୁ ଭେଟିବେ ବୋଲି ସୂଚନା ମିଳିଛି। ଭଗଓ୍ବନ୍ତଙ୍କ ଗସ୍ତ ଲାଗି ତିହାର ଜେଲ କର୍ତ୍ତୃପକ୍ଷ, ଦିଲ୍ଲୀ ପୋଲିସ ଓ ପଞ୍ଜାବ ପୋଲିସ ନିରାପତ୍ତା ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି। ଦିଲ୍ଲୀ କାରାଗାର ନିୟମାବଳୀ ଅନୁସାରେ ଏହି ସାକ୍ଷାତ ଆଲୋଚନା ହେବ।
ଅନ୍ୟପଟେ ଯେଉଁ ୬ ଜଣଙ୍କ ସହ ସାକ୍ଷାତ କରିବା ଲାଗି କେଜ୍ରିଓ୍ବାଲ ଅନୁମତି ମାଗିଥିଲେ ସେମାନଙ୍କ ମଧ୍ୟରେ ଭଗଓ୍ବନ୍ତ ଥିବା ଜଣାପଡିଛି। ସୂଚନା ଯୋଗ୍ୟ ଯେ, ଦିଲ୍ଲୀ ମଦନୀତି ମାମଲାରେ ଗତ ମାର୍ଚ୍ଚ ୨୧ରେ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେ ଆସନ୍ତା ଏପ୍ରିଲ ୧୫ ଯାଏଁ ବିଚାର ବିଭାଗୀୟ ହେପାଜତରେ ରହିବେ।
କେଜ୍ରିୱାଲଙ୍କ ସହ ପତ୍ନୀ ସୁନୀତାଙ୍କ ସାକ୍ଷାତକୁ ଅଗ୍ରାହ୍ଯ କଲେ ତିହାର ଜେଲ କର୍ତ୍ତୃପକ୍ଷ, ଏନେଇ ବର୍ଷିଲେ ଆପ ନେତା ସଞ୍ଜୟ ସିଂ
ନୂଆଦିଲ୍ଲୀ: ପତ୍ନୀ ସୁନୀତାଙ୍କ ସହ ସାକ୍ଷାତ କରିବା ଆବେଦନକୁ ଅଗ୍ରାହ୍ଯ କଲେ ତିହାର ଜେଲ କର୍ତ୍ତୃପକ୍ଷ। ଏନେଇ ବର୍ଷିଛନ୍ତି ଆପନେତା ସଞ୍ଜୟ ସିଂ। ସେ କହିଛନ୍ତି, ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ତାଙ୍କ ପତ୍ନୀଙ୍କୁ ବ୍ୟକ୍ତିଗତ ସାକ୍ଷାତ କରିବାକୁ ଅନୁମତି ଦିଆଗଲା ନାହିଁ। ହତ୍ୟା ଅପରାଧୀଙ୍କୁ ବାରାକ୍ ପାଖରୁ ଭେଟିବାକୁ ସୁଯୋଗ ଦିଆଯାଉଛି, କିନ୍ତୁ ତିନି ଥରର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏପରି ଆଇନ କଣ ପାଇଁ ବୋଲି ସଞ୍ଜୟ ପ୍ରଶ୍ନ କରିଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀରେ ସଞ୍ଜୟ ସିଂ କହିଛନ୍ତି- ସେ କହିଛନ୍ତି ଯେ, ସୁନୀତା କେଜ୍ରିୱାଲ ତାଙ୍କ ସ୍ୱାମୀଙ୍କ ସହ ସାକ୍ଷାତ ପାଇଁ ଆବେଦନ କରିଥିଲେ, କିନ୍ତୁ ତାଙ୍କୁ ବ୍ୟକ୍ତିଗତ ଭାବେ ଭେଟିବାକୁ ଅନୁମତି ଦିଆଗଲା ନାହିଁ। ନିଜ ନିଜ ବାରାକରେ କୁଖ୍ଯାତ ଅପରାଧୀମାନେ ସେମାନେ ଚାହୁଁଥିବା ବ୍ଯକ୍ତିଙ୍କୁ ସାକ୍ଷାତ କରିପାରୁଥିବା ବେଳେ କେଜ୍ରିୱାଲଙ୍କୁ ଏହି ଅନୁମତି ନଦେବା ଅମାନବିକତାର ପରିଚୟ।
ଚିଲିକାରେ ଲାଗିଲା ଭୟଙ୍କର ନିଆଁ, ଜଳୁଛି ନଳବଣ
ଚିଲିକା: ହୁତୁହୁତୁ ହୋଇ ଜଳିଲା ନଳବଣ । ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ। ଏକର ଏକର ନଳବଣ ନିଆଁରେ ପୋଡି ପାଉଁଶ। ଜୋରରେ ପବନ ହେଉଥିବାରୁ ନିଆଁ ବ୍ୟାପିବାରେ ଲାଗିଛି। ଚିଲିକା ବ୍ଳକ କାଳୁପଡା ଘାଟ ଜେଟି ନିକଟରେ ଲାଗିଛି ନିଆଁ। ବହୁ ବିରଳ ଫିସିଂ କ୍ୟାଟ ସହ ଜଳଚର ଜୀବ ପୋଡି ଯାଇଥିବା ସୂଚନା। ମତ୍ସ୍ଯଜୀବୀଙ୍କ ଜାଲ ଓ ଡ଼ଙ୍ଗା ମଧ୍ୟ ପୋଡି ପାଉଁଶ ହୋଇଛି। ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛି।
ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ବିଜେଡି ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର
ପୁରୀ: ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜୁ ଜନତା ଦଳର ବାଲେଶ୍ୱର ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର। ତାଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସାଂସଦ ଟିକେଟ ପ୍ରଦାନ କରିବା ପରେ ଆଜି ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଛନ୍ତି ଲେଖାଶ୍ରୀ। ଦର୍ଶନ ପରେ ସେ ଅରୁଣ ସ୍ତମ୍ଭ ନିକଟରେ ଭୂମିଷ୍ଠ ପ୍ରଣାମ କରିଥିଲେ।
ଲେଖାଶ୍ରୀ କହିଛନ୍ତି, ବିଜୁ ଜନତା ଦଳ ପୁନର୍ବାର ସରକାର ଗଢ଼ିବ। ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ ଚିନ୍ତାଧାରାକୁ ଦେଖି ବିଜୁ ଜନତା ଦଳରେ ଯୋଗଦାନ କରିଛି। ମୁଖ୍ୟମନ୍ତ୍ରୀ ମୋ ଉପରେ ଆଶା ପ୍ରକଟ କରି ସାଂସଦ ଟିକେଟ ପ୍ରଦାନ କରିଛନ୍ତି। ଆଜି ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

