ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ଜୁଲାଇ ୪ରେ ବ୍ରିଟେନ ସାଧାରଣ ନିର୍ବାଚନ। ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ଋଷି ସୁନକ। ପ୍ରମୁଖ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ରିଷି ସୁନକ। ଅକ୍ଟୋବର ୨୦୨୨ରେ ପ୍ରଧାନମନ୍ତ୍ରୀ ଋଷି ସୁନକ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ଲାଗି ସେ ସାଧାରଣ ନିର୍ବାଚନର ସମ୍ମୁଖୀନ ହେବେ। ୨୦୨୨ରେ ଦେଶରେ ମୁଦ୍ରାସ୍ଫୀତି ହାର ୧୧ ପ୍ରତିଶତ ଥିବାବେଳେ ଏହାକୁ ଅଧା କରିବା ଲାଗି ଯେଉଁ ପ୍ରତିଶୃତି ସେ ଦେଇଥିଲେ ତାହା ପୂରଣ କରିବାରେ ସୁନକ ସଫଳ ହୋଇଛନ୍ତି। କୋଭିଡ ପରେ ଦେଶର ଅର୍ଥନୀତିକୁ ସଜାଡ଼ିବା, ଶିକ୍ଷାକ୍ଷେତ୍ର ଓ ସ୍ବାସ୍ଥ୍ୟ କ୍ଷେତ୍ରକୁ ସଜାଡିବା ଆଦି ସଫଳତାକୁ ସୁନକ ପାଥେୟ କରିଛନ୍ତି।
ନବୀନଙ୍କ ରୋଡ୍ ଶୋ’ରେ ନାହିଁ ନଥିବା ଭିଡ଼,ମୁଖ୍ୟମନ୍ତ୍ରୀ ପଚାରିଲେ ’ଆପଣ ମାନେ ଖୁସି ତ ?
ଭୁବନେଶ୍ୱର : ଉତ୍ତର ଭୁବନେଶ୍ୱରରେ ବୁଧବାର ରୋଡ୍ ଶୋ’ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଉତ୍ତର ବିଧାନସଭା ସୁଶାନ୍ତ ରାଉତ ଓ ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ କରିଥିବା ରୋଡ୍ ଶୋ’ରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ସାଲିଆ ସାହି ହେଉ କି ରେଣ୍ଟାଲ କଲୋନି ରାସ୍ତା ସବୁଠାରେ ଦେଖିବାକୁ ମିଳିଥିବା ଭିଡ଼ ।
ରୋଡ୍ ଶୋ’ ମଧ୍ୟରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ସମ୍ବୋଧନ କରିଥିଲା । ସମ୍ବୋଧନ କାଳରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣ ମାନେ ଭଲ ଅଛନ୍ତି ତ ? ଜୁଲାଇ ମାସରୁ ବିଲ୍ ଆସିବ ନାହିଁ । ବିଏସକେୱାଇ କାର୍ଡ୍ ସମସ୍ତଙ୍କୁ ମିଳିବ । ଆପଣ ମାନେ ଖୁସି ତ ? ବୋଲି ମୁଖ୍ୟମନ୍ତ୍ରୀ ପଚାରିଥିଲେ ।
ଏହା ସହିତ ମୁଖ୍ୟମନ୍ତ୍ରୀ ବିଜେଡିର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ । ୨୦୧୯ରେ ଯେଉଁଭଳି ମୁଖ୍ୟମନ୍ତ୍ରୀଙ୍କ ଚିର ପରିଚିତ ଆପଣ ମାନେ ଖୁସି ତ ଭୋଟରଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଥିଲା,୨୦୨୪ରେ ମଧ୍ୟ ତାହା ସେହିଭଳି ଥିବା ଲାଗୁଛି ।
ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ହେବ ବଡ଼ ଲଢ଼େଇ
ନନ୍ଦିଘୋଷ ବ୍ୟୁରୋ: ଆଠମଲ୍ଲିକ ନିର୍ବାଚନ ମଣ୍ଡଳିରେ ବିଗ୍ ଫାଇଟ୍ । କିଏ ହାତେଇବ ଆଠମଲ୍ଲିକ ଆସନ ? କାହା ମୁଣ୍ଡରେ ହାତୀ ସୁନାକଳସ ଢାଳିବ ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା । ଆସନ୍ତା ୨୫ରେ ଏଠାରେ ପଡିବ ଭୋଟ । ଚଳିତ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ଯରେ କଡା ଟକ୍କର ହୋଇପାରେ। ତେବେ ଜନତାଙ୍କ ମତ ହେଲା-ବିକାଶ ଯେଉଁଠି,ଭୋଟ ସେଇଠି ।
ସଭା, ସମିତି ଶୋଭାଯାତ୍ରା । ବିଶାଳ ବାଇକ ରାଲି ସାଙ୍ଗକୁ ଜିନ୍ଦାବାଦ ନାରାରେ କମ୍ପୁଛି ଗାଁ ଦାଣ୍ଡ । ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳିରେ ବଢିବାରେ ଲାଗିଛି ନିର୍ବାଚନୀ ପାରଦ । ୨୦୦୦ ମସିହାରୁ ବିଜେଡିର ଅଭେଦ୍ଯ ଗଡ ରହିଛି ଏହି ଆସନ । ଏଥର ମୁଖ୍ଯତଃ ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ଯରେ ହେଉଛି ଲଢେଇ । ବିଜେଡିରୁ ନଳିନୀ କାନ୍ତ ପ୍ରଧାନ, ବିଜେପିରୁ ସଂଜୀବ ସାହୁ, କଂଗ୍ରେସରୁ ହିଂମାଶୁ ଚାଉଳିଆ ପ୍ରାର୍ଥୀ ହୋଇଛନ୍ତି । ସମସ୍ତ ପ୍ରାର୍ଥୀ ବିକାଶକୁ ମୁଦ୍ଦା କରି ଲୋକଙ୍କ ପାଖକୁ ଯାଇ କରୁଛନ୍ତି ଆଶୀର୍ବାଦ ଭିକ୍ଷା ।
୨୦୦୯ ମସିହାରେ ବିଜେଡି ପ୍ରାର୍ଥୀ ସଂଜୀବ ସାହୁ ୬୧ ହଜାର ୩୮୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପିର ଭାଗିରଥି ପ୍ରଧାନ ୧୨ ହଜାର ୬୭୪, କଂଗ୍ରେସର ମୌସୁମୀ ପ୍ରଧାନ ୪୨ ହଜାର ୪୦୭ ଭୋଟ ପାଇଥିଲେ । ୨୦୧୪ ମସିହାରେ ପୁଣି ବିଜେଡି କବଜାକୁ ଯାଇଥିଲା ଏହି ଆସନ । ବିଜେଡିରୁ ସଂଜୀବ ସାହୁ ୬୩ ହଜାର ୨୨୬ ଖଣ୍ଡ ଭୋଟ ପାଇ ବିଜେତା ହୋଇଥିଲେ । ବିଜେପିରୁ ଭାଗିରଥି ପ୍ରଧାନ ୨୨ ହଜାର ୪୬୩, କଂଗ୍ରେସର ସୁରେନ୍ଦ୍ର ପ୍ରଧାନ ୪୩ ହଜାର ୬୮୯ ଭୋଟ ପାଇଥିଲେ । ୨୦୧୯ରେ ବିଜେଡି ସଂଜୀବ ସାହୁଙ୍କ ବଦଳରେ ରମେଶ ସାଏଙ୍କୁ ପ୍ରାର୍ଥୀ କରିଥିଲା । ରମେଶ ସାଏ ୮୬ ହଜାର ୨୫୪ ଭୋଟ ପାଇ ବିଜେତା ହୋଇଥିଲେ । ବିଜେପିର ଭାଗିରଥି ପ୍ରଧାନ ୩୯ ହଜାର ୭୦, କଂଗ୍ରେସର ବିଜୟାନନ୍ଦ ଚାଉଳିଆ ୩୦ ହଜାର ୯୨୫ ଭୋଟ ପାଇଥିଲେ ।
ଚଳିତ ନିର୍ବାଚନରେ ୨ ଲକ୍ଷ ୮ ହଜାର ୭୭୧ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ଯସ୍ତ କରିବେ । ପୁରୁଷ ଭୋଟର ହେଲେ ୧ ଲକ୍ଷ ୫ ହଜାର ୯୨୦, ମହିଳା ୧ ଲକ୍ଷ ୨ ହଜାର ୮୪୩ ଏବଂ ତୃତୀୟ ଲିଙ୍ଗୀ ଭୋଟର ମାତ୍ର ୮ ଜଣ ଅଛନ୍ତି । ରାଜ୍ଯ ସରକାରଙ୍କ ପ୍ରଚେଷ୍ଟାରେ ଅଞ୍ଚଳରେ ରାସ୍ତାଘାଟ, ସ୍କୁଲ, କଲେଜ ସମେତ ଷ୍ଟାଡିୟମ ଓ ପାର୍କ ଆଦିର ହୋଇଛି ଉନ୍ନତିକରଣ । ତେଣୁ ବିକାଶ ହିଁ ପ୍ରମୁଖ ପ୍ରସଙ୍ଗ ହେବ ବୋଲି ଆଶା କରାଯାଉଛି ।

