ବାଲେଶ୍ବର: ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ପିଲା ଚୋରି। ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ ୭ ଦିନର ଶିଶୁ ପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ବାଲିଆପାଳ ଆଠବାଟିଆ ଅଞ୍ଚଳର ଶୁସାନ୍ତ ବାରିକଙ୍କ ସ୍ତ୍ରୀ ଜିଲ୍ଲା ମେଡିକାଲରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଜଣ୍ଡିସ ଚିକିତ୍ସା ଚାଲିଥିବା ବେଳେ ପ୍ରସୂତୀ ବିଭାଗର ବେଡରୁ ଏକ ନବଜାତ ଶିଶୁ ପୁତ୍ରକୁ କେହି ଚୋରି କରିନେଇଥିବା ଅଭିଯୋଗ ହୋଇଛି । ମେଡିକାଲର ମୁଖ୍ୟ ଚିକିତ୍ସାଳୟରେ ସଦର ଏସଡିପିଓ ଗାୟତ୍ରୀ ନାୟକ ପହଁଚି ତଦନ୍ତ କରୁଥିବା ବେଳେ ନବଜାତ ଶିଶୁ ପୁତ୍ରର କୌଣସି ସନ୍ଧାନ ମିଳିପାରି ନାହିଁ ।
ବିଧାୟକ ପ୍ରାର୍ଥୀ ଘୋଷଣା ପରେ ବିଜେପି ଦଳରେ ଅସନ୍ତୋଷ
ନନ୍ଦିଘୋଷ ବ୍ୟୁରୋ: ବିଧାୟକ ପ୍ରାର୍ଥୀ ଘୋଷଣା ପରେ ବିଜେପି ଦଳରେ ଅସନ୍ତୋଷ। ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଦେଖାଦେଇଛି ବିଜେପି କର୍ମୀ ଅସନ୍ତୋଷ। ବିଧାୟକ ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନଙ୍କ ନାମରେ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ଆଣିଲେ ବିଜେପି କର୍ମୀ । କେନ୍ଦ୍ର ସରକାରଙ୍କ ଦିନ୍ ଦୟାଲ୍ ଉପାଧ୍ୟାୟ ଯୋଜନାରେ ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରି ବିଦ୍ୟୁତ ଡିଜିଟାଲ ମିଟର ଟେଣ୍ଡର ଦେବା ନାଁରେ ସାଧାରଣ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । କନ୍ଧମାଳ ଦଙ୍ଗାରେ ଗିରଫ ହୋଇଥିବା ଲୋକମାନଙ୍କୁ ମଧ୍ୟ ବେଲ୍ କରିଦେବା ନାରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ଏବଂ ଡିପ୍ଲୋମା ଇଞ୍ଜିନୟରିଙ୍ଗ୍ କଲେଜରେ ମାଗଣାରେ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢିବା ପାଇଁ ଆଶା ଦେଖାଇ ଟଙ୍କା ଆଦାୟ କରାଯାଇଥିବା ଅଭିଯୋଗ ଆଣିଛନ୍ତି ବିଜେପି କର୍ମୀ। । ଯଦି ମାନଗୋବିନ୍ଦ ପ୍ରଧାନଙ୍କ ଟିକେଟ ଖାରଜ ନ କରାଯାଏ ତେବେ ଆମେ ଦଳ ଛାଡ଼ିବୁ ବୋଲି ଚତାବନୀ ଦେଇଛନ୍ତି ବିଜେପି କର୍ମୀ ଓ କୃଷକ ମୋର୍ଚା ସଦସ୍ୟ ।
କେନ୍ଦ୍ର ସରକାରଙ୍କୁ ଘାରିଛି ଟିକସ ଆଦାୟ ନିଶା
ଭୁବନେଶ୍ବର: କେତେବେଳେ ଖାଦ୍ୟସାମଗ୍ରୀ ଦର ତ କେତେବେଳେ ପେଟ୍ରୋଲ, ଡିଜେଲ । ଦର ବଢିବା ଛଡ଼ା କମୁନି । ମହଙ୍ଗା ବଜାରରେ ନିଜ ସଂସାର ଚଳାଇବାକୁ ଲୋକେ ବାଧ୍ୟ ହେଉଛନ୍ତି । ଲୋକଙ୍କୁ କ୍ରୟଶକ୍ତି କମୁଥିଲେ ବି ଦେଶ ଆଗଉଛି ବୋଲି କେନ୍ଦ୍ର ସରକାର ସ୍ଲୋଗାନ୍ ମାଧ୍ଯମରେ ଦେଖାଉଛନ୍ତି ଗୋଲାପୀ ଚିତ୍ର। ବିଗତ ୧୦ ବର୍ଷ ଭିତରେ ଦେଶରେ ମହଙ୍ଗା ସ୍ଥିତି ଏପରି ରେକର୍ଡ ସ୍ତରକୁ ଯାଇଛି ଯାହା ବିଶ୍ବର ଅନ୍ୟ କୌଣସି ରାଷ୍ଟ୍ରରେ ଦେଖିବାକୁ ମିଳେନି ।
ଥିଲା କଣ ? ହୋଇଛି କଣ ? ମହରଗରେ ସନ୍ତୁଳି ହେଉଛନ୍ତି ଲୋକେ । କେନ୍ଦ୍ର ସରକାରଙ୍କୁ ଘାରିଛି ଟିକସ ଆଦାୟ ନିଶା । ସେପଟେ ମହଙ୍ଗା ବଜାରରେ ବଢିଛି ଲୋକଙ୍କ ଦୁର୍ଦ୍ଦଶା । ଯେତେ ରୋଜଗାର କଲେ ବି ଲୋକଙ୍କୁ ଅଣ୍ଟୁନି । କେନ୍ଦ୍ର ସରକାରଙ୍କ ବିଗତ ୧୦ ବର୍ଷର ଏପରି ହିସାବ ଆଙ୍କିଛନ୍ତି ସମୀକ୍ଷକ । ପେଟ୍ରୋଲ ଓ ଡିଜେଲ ଦର ଲଗାତାର ଉଚ୍ଚା ରହିଛି । ୨୦୧୪ ମସିହା ଏପ୍ରିଲ ୨ ତାରିଖରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୦୫ ଡଲାର ଥିବାବେଳେ ଭାରତରେ ପେଟ୍ରୋଲ ଓ ଡିଜେଲର ଖୁଚୁରା ଦର ଯଥାକ୍ରମେ ୭୨ ଓ ୫୫ ଟଙ୍କା ଥିଲା । ୨୦୨୪ ଏପ୍ରିଲ ୩ ବେଳକୁ ଅଶୋଧିତ ତୈଳ ଦର ୮୯ ଡଲାର ରହିଛି । ହେଲେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ରହିଛି ୧୦୧ ଟଙ୍କା ୦୬ ପଇସା ଓ ଡିଜେଲ ରହିଛି ୯୨ ଟଙ୍କା ୬୪ ପଇସା । ୨୦୧୪ରେ ପେଟ୍ରୋଲ ୯ ଟଙ୍କା ୪୮ ଓ ଡିଜେଲ ଉପରେ ୩ ଟଙ୍କା ୫୬ ପଇସା ଉତ୍ପାଦ ଶୁଳ୍କ ଲାଗୁଥିଲା । ସେହିବର୍ଷ ନୂଆ ସରକାର ଆସିବା ପରେ ଉତ୍ପାଦ ଶୁଳ୍କ ୪ଗୁଣି ବଢାଇଲେ । ୨୦୨୧ ପର୍ଯ୍ୟନ୍ତ ପେଟ୍ରୋଲ ୩୨ ଟଙ୍କା ୯୦ ଓ ଡିଜେଲ ଉପରେ ୩୧ ଟଙ୍କା ୮୦ ପଇସା ଉତ୍ପାଦ ଶୁଳ୍କ ଲାଗୁଥିଲା । ଏବେ ତାହା କମିଲେ ବି କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୧୯ ଟଙ୍କା ୯୦ ପଇସା ଓ ଡିଜେଲ ଉପରେ ୧୫ ଟଙ୍କା ୮୦ ପଇସା ଉତ୍ପାଦ ଶୁଳ୍କ ନେଉଛନ୍ତି ।
ଅଭିଯୋଗ ହୋଇଛି ଦେଶରେ ଖାଦ୍ୟ ଦର ଏତେ ମହଙ୍ଗା ଯେ ସବୁ ବର୍ଗର ଲୋକେ ପ୍ରଭାବିତ ହେଉଛନ୍ତି । ମହଙ୍ଗା ସ୍ଥିତି ବିଶ୍ବର ଅନ୍ୟ ରାଷ୍ଟ୍ରରେ ବି ଦେଖିବାକୁ ମିଳୁଛି । କିନ୍ତୁ ଭାରତ ପରି ନୁହେଁ । ଅନ୍ୟରାଷ୍ଟ୍ରରେ ମହଙ୍ଗା ହାର ମାତ୍ର ୨ ପ୍ରତିଶତ ରହିଥିବାବେଳେ ଦେଶର ମୁଦ୍ରାସ୍ଫୀତି ୭ ପ୍ରତିଶତ । ବିଗତ ୧୦ ବର୍ଷରେ ଲୋକଙ୍କ ଅବସ୍ଥା ହୋଇଛି ଶୋଚନୀୟ । ଭାରତ ଏଲପିଜି ଗ୍ୟାସ ଦର ବିଶ୍ବର ସବୁଠୁ ଉଚ୍ଚାରେ ରହିଛି । ଉଚ୍ଚା ପେଟ୍ରୋଲ ଦର ଯୋଗୁ ଭାରତ ତୃତୀୟ ସ୍ଥାନରେ ଥିବାବେଳେ ଡିଜେଲ ଦର ପାଇଁ ଅଷ୍ଟମ ସ୍ଥାନରେ ରହିଛି ।
ତୈଲ ଦରବୃଦ୍ଧି ପ୍ରଭାବରେ ପରିବହନ ଖର୍ଚ୍ଚ ବଢିଛି । ଯେଉଁଥିପାଇଁ ବଜାର ସ୍ଥିତି ସଂଗୀନ । ଏହାସହିତ କେନ୍ଦ୍ର ସରକାର କର୍ପୋରେଟ୍ ସଂସ୍ଥାଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହେବାରୁ ବଜାର ସ୍ଥିତି ଆହୁରି ବିଗିଡିବାରେ ଲାଗିଛି । କେବଳ ସରକାରୀ ରାଜକୋଷ ଭରିବା ଯଦି ଉଦ୍ଦେଶ୍ୟ ହୁଏ, ତାହେଲେ ଲୋକଙ୍କ ପାଇଁ ଜନକଲ୍ୟାଣକାରୀ ରାଷ୍ଟ୍ର ଆଭିମୁଖ୍ୟ କୋଉଠି ରହିଲା ?

