ନନ୍ଦିଘୋଷ ବ୍ୟୁରୋ: କୋଟିଏ ଟଙ୍କାର ପାଣି ପାଇପ୍ ଚୋରି ଅଭିଯୋଗରେ ୧୧ ଜଣ ଗିରଫ। ଚନ୍ଦକା ପୋଲିସ ସହାୟତାରେ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ । RWSSର ପାଣି ପାଇପ କାମ ଚାଲିଥିବା ବେଳେ ମୂଲ୍ୟବାନ ପାଇପ ଚୋରି ନେଇ ଆସିଥିଲା ଅଭିଯୋଗ। ଏକ ୧୫ ଜଣିଆ ଗ୍ୟାଙ୍ଗ ସାରା ଓଡିଶାରୁ ଏଭଳି ପାଣି ପାଇପ ଚୋରି କରୁଥିବା ଖବର ପାଇବା ପରେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ଗିରଫ କରାଯାଇଛି। ଚୋରି କରିବା ପରେ ଅଭିଯୁକ୍ତ ମନେ ଫର୍ଜି ଡକ୍ୟୁମେଣ୍ଟ ଓ ଚାଲାଣ ତିଆରି କରି ରାୟପୁର, ଭିଲାଇକୁ ଏସବୁ ସପ୍ଲାଏ କରୁଥିଲେ। ସେଠାରେ ପହଁଚିବା ପରେ ପାଇପ ଗୁଡିକୁ ତରଳାଇ ମୋଟା ଅଙ୍କର ଟଙ୍କା ରୋଜଗାର କରୁଥିଲେ ଅଭିଯୁକ୍ତ। ଏହି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ଚନ୍ଦକା ଅଞ୍ଚଳର ସୁଧୀର ବେହେରାକୁ କାବୁ କରିବା ପରେ ପୋଲିସ ପୁରା ଗ୍ୟାଙ୍ଗ ସମ୍ପର୍କରେ ଖବର ପାଇଥିଲା । ରୋଚକ କଥା ହେଉଛି ଗତ କିଛି ଦିନ ତଳେ ଚର୍ଚ୍ଚାରେ ଥିବା ଟୁଙ୍ଗୁରୁ ଭୋଳ ଏହି କେସରେ ଅନ୍ୟତମ ଅଭିଯୁକ୍ତ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି। ରାୟଗଡା, ଖୋର୍ଦ୍ଧା, କଟକ ଓ ଗଞ୍ଜାମ ରେ ମଧ୍ୟ ଏମାନଙ୍କ ନାଁ ରେ ଅନେକ କେସ ରହିଛି। ଅଧିକ ତଦନ୍ତ ପାଇଁ ଖୁବଶୀଘ୍ର ଏମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଡିସିପି ।
ଆସନ୍ତାକାଲି ଶେଷ ପର୍ଯ୍ୟାୟ ନିର୍ବାଚନ
ନନ୍ଦିଘୋଷ ବ୍ୟୁରୋ: ଶନିବାର ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଭୋଟ୍ । ଶେଷ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାର ୬ ଲୋକସଭା ସମେତ ୪୨ ବିଧାନସଭା ଆସନରେ ନେତା ବାଛିବେ ଜନତା । ୬ ଲୋକସଭା ଯଥା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ପାଇଁ ମତଦାନ ହେବ । ଏହା ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳି ପାଇଁ ପାଇଁ ମତଦାନ କରାଯିବ । ଏଥିପାଇଁ ବୁଥ ଅଭିମୁଖେ ଯାଉଛନ୍ତି ପୋଲିଂ ପାର୍ଟି । ଏହି ପର୍ଯ୍ୟାୟରେ ମୋଟ ୪୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ଯ ନିର୍ଦ୍ଧାରଣ କରିବେ ୯୯ ଲକ୍ଷରୁ ଅଧିକ ଭୋଟର । ୪୨ ବିଧାନସଭା ନିର୍ବାଚନମଣ୍ଡଳି ପାଇଁ ୩୯୪ ଜଣ ପ୍ରାର୍ଥୀ ରହିଥିବାବେଳେ ୬ ଲୋକସଭା କ୍ଷେତ୍ରରେ ୬୬ ଜଣ ସାଂସଦ ପ୍ରାର୍ଥୀ ରହିଛନ୍ତି । ୫୦.୮୮ ଲକ୍ଷ ପୁରୁଷ ଓ ୪୮.୭୨ ଲକ୍ଷ ମହିଳା ଭୋଟରଙ୍କ ସହ ମୋଟ ୯୯.୬୧ ଲକ୍ଷ ଭୋଟର ମତଦାନ ସାବ୍ଯସ୍ତ କରିବେ । ୧୦ ହଜାର ୮୮୨ଟି ମତଦାନ କେନ୍ଦ୍ରରେ ଭୋଟିଂ ହେବ । ୧୪୦୦ ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ | ୨୦% ଆଦର୍ଶ ବୁଥ ରହିଛି । ୭୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହେବେ । ସୁରକ୍ଷା ପାଇଁ ଭୋଟ କେନ୍ଦ୍ର ନିକଟରେ ୧୨୫ କମ୍ପାନୀ CAPF ମୃତୟନ ହୋଇଛନ୍ତି । ଏଜେଣ୍ଟ ଓ ଭୋଟର ବୁଥକୁ ମୋବାଇଲ ନେଇ ପାରିବେ ନାହିଁ । କେବଳ ପ୍ରିଜାଇଡିଙ୍ଗ ଅଫିସର ମୋବାଇଲ ନେଇପାରିବେ । 2019ରେ ଏହି ୬ଟି ସଂସଦୀୟ କ୍ଷେତ୍ରରେ 74% ମତଦାନ ହାର ରହିଥିଲା ।
ରାଜ୍ୟରେ ଆଗାମୀ ୩ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ
ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଆଗାମୀ ୩ ଦିନ ଯାଏ ହିଟ ୱେଭ ବା ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆଭ୍ୟନ୍ତରୀଣରେ ତାତି ସହ ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା ୨୪ ଘଂଟାରେ ସୁନ୍ଦରଗଡ ଝାରସୁଗୁଡା ସମ୍ବଲପୁର ବରଗଡ଼ ସୋନପୁର ବୌଦ୍ଧ ବଲାଙ୍ଗୀର ନୂଆପଡା ମାଲକାନଗିରି କନ୍ଧମାଳ କଳାହାଣ୍ଡି ରେ ଭୀଷଣ ଗ୍ରୀଷ୍ମ ପ୍ରବାହକୁ ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଉଷ୍ମ ରାତିର ସ୍ଥିତି ପାଇଁ ସମ୍ବଲପୁର କଳାହାଣ୍ଡି କନ୍ଧମାଳ ଓ ବଲାଙ୍ଗିରରେ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରିକରାଯାଇଛି । ୨ ଦିନ ଯାଇ ଗ୍ରୀଷ୍ମ ପ୍ରବାହ ଓ ଉଷ୍ମ ରାତିର ଅନୁଭୂତିକୁ ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଆଗାମୀ ୫ ଦିନ ଯାଏ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଲାଗିରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଉପକୂଳ ଓଡ଼ିଶାରେ ୮୦ ପ୍ରତିଶତରୁ ଅଧିକ ଆଦ୍ରତା ରହୁଛି ଯେଉଁଥିପାଇଁ ଅସହ୍ୟ ଗୁଳୁଗୁଳି ଲାଗିରହିଛି । ଏଥିପାଇଁ ଉଷ୍ମ ଓ ସ୍ଥିତି ରାଜ୍ୟରେ ତିନିଦିନ ଯାଏ ଲାଗିରହିବ। ଏହାସହ ୩ ଦିନ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ବିଭାଗ ଆକଳନ କରିଛି। ଆସନ୍ତାକାଲି ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ଖରା ଓ ଗରମ ରହିବ। ତେଣୁ ସତର୍କତା ସହ ଭୋଟ ଦେବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ରାଜଧାନୀରେ ବାର ଡାନ୍ସରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା, ସାମ୍ନାକୁ ଆସିଲା ମୃତ ଯୁବତୀଙ୍କ ଭାଇରାଲ ରିଲ୍ସ
ଭୁବନେଶ୍ବର: ରାଜଧାନୀରେ ବାର ଡାନ୍ସରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ସାମ୍ନାକୁ ଆସିଲା ମୃତ ଯୁବତୀଙ୍କ ଭାଇରାଲ ରିଲ୍ସ । ଆଜି ସକାଳୁ ବନ୍ଦ ଘରୁ ମିଳିଥିଲା ରକ୍ତାକ୍ତ ମୃତଦେହ । ପାହାଳ ଥାନା ଶିବଶକ୍ତି ନଗରରେ ଅଘଟଣ ଘଟିଛି । ମୃତ ଯୁବତୀଙ୍କ ଛଦ୍ମନାମ ଚାରୁ ଓ ତାଙ୍କ ଘର ଚଣ୍ଡୀଗଡ଼ ବୋଲି ଜଣାପଡିଛି । କଟକ ରୋଡର ଏକ ଡ୍ୟାନ୍ସ ବାରରେ ସେ କାମ କରୁଥିଲେ । ମିଳିଥିବା ସୂଚନା ମୁତାବକ, କଟକ ରୋଡରେ ଥିବା ଏକ ବାରର ଡିଜେଙ୍କ ସହ ମୃତ ଯୁବତୀଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସେହି ଯୁବକଙ୍କୁ ବିବାହ କରିବା ପାଇଁ ୫ ଦିନ ତଳେ ହାତ କାଟି ଦେଇଥିଲେ ଯୁବତୀ । ଖୁବଶୀଘ୍ର ତାଙ୍କୁ ମଧ୍ଯ ତଦନ୍ତପରିସରଭୁକ୍ତ କରିବ କମିଶନରେଟ ପୋଲିସ୍ । ସେପେଟେ ଘଟଣା ଘଟିଥିବା ବିଲ୍ଡିଂରେ ୨୫ ଜଣ ଯୁବତୀ ରହୁଛନ୍ତି । ପାହାଳ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ୍ ସରଜମିନ ଯାଞ୍ଚ କରିଛି । ପାରିପାର୍ଶ୍ବିକ ପରିସ୍ଥିତି ଦେଖି ପୋଲିସ ଏକ ଆତ୍ମହତ୍ୟା ମାମଲା ରୁଜୁ କରିଛି । ଯୁବତୀଙ୍କ ଟେଲିଫୋନ, ସୋସିଆଲ ମିଡିଆ ମେସେଜ ଆଧାରରେ ପ୍ରେମିକ ଜଣଙ୍କୁ ତଦନ୍ତ ପରିସରଭୁକ୍ତ ଖୁବଶୀଘ୍ର କରାଯିବ ବୋଲି ସୂଚନା ଦେଇଛି ପୋଲିସ।
ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ
ନନ୍ଦିଘୋଷ ବ୍ୟୁରୋ: ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ମିଳିଲାନି ଜାମିନ। ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ଖୋର୍ଦ୍ଧା ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ କୋର୍ଟ । ଇଭିଏମ୍ ଭଙ୍ଗାରୁଜା ଅଭିଯୋଗରେ ସେ ଗିରଫ ହୋଇଥିଲେ। ଗତ ୨୫ ତାରିଖରେ ପ୍ରଶାନ୍ତ ଜଗଦ୍ଦେବ ବେଗୁନିଆ- ବୋଲଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କାଉଁରିଆ ପାଟଣା ୧୧୪ ନମ୍ବର ବୁଥରେ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଥିଲା। ପୋଲିଂ କର୍ମଚାରୀଙ୍କୁ ଧମକ ଦେବା ଓ ଇଭିଏମ୍ ଭାଙ୍ଗିବା ଭଳି ଅଭିଯୋଗ ହୋଇଥିଲା । ଗଣ୍ଡଗୋଳ ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ିରେ ଫେରାର ହେବାକୁ ଉଦ୍ୟମ କରିବା ବେଳେ ପୋଲିସ ତାଙ୍କୁ ଅଟକ ରଖିଥିଲା। ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗକ୍ରମେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଥିଲା । ବର୍ତ୍ତମାନ ପ୍ରଶାନ୍ତ ଜଗଦ୍ଦେବ କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।
ଚୁପ୍ ରଖିବା ଲାଗି ପର୍ଣ୍ଣଷ୍ଟାର ଷ୍ଟର୍ମି ଡାନିଏଲ୍ସଙ୍କୁ ବେଆଇନ ଅର୍ଥ ପ୍ରଦାନ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଦୋଷୀ ସାବ୍ଯସ୍ତ
ନନ୍ଦିଘୋଷ ବ୍ୟୁରୋ: ଆମେରିକା ଇତିହାସରେ ପ୍ରଥମ ଥର ଲାଗି ଜଣେ ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ବିଭିନ୍ନ ଅପରାଧିକ ମାମଲାରେ ହୋଇଛନ୍ତି ଦୋଷୀ ସାବ୍ଯସ୍ତ। ୨୦୧୬ ନିର୍ବାଚନ କାଳରେ ପର୍ଣ୍ଣଷ୍ଟାର ଷ୍ଟର୍ମି ଡାନିଏଲସଙ୍କୁ ଚୁପ୍ କରିବା ଲାଗି ଯେଉଁ ବେଆଇନ ଅର୍ଥ ପ୍ରଦାନ କରିଥିଲେ ସେହି ମାମଲାରେ ତାଙ୍କୁ ଦୋଷୀ ସାବ୍ଯସ୍ତ କରିଛନ୍ତି ନ୍ୟୁୟର୍କ କୋର୍ଟ। କ୍ରମାଗତ ଦୁଇ ଦିନ ଧରି ଚାଲିଥିବା ଶୁଣାଣି ପ୍ରକ୍ରିୟାର ଅବସାନ ଘଟାଇ ୧୨ ଜଣିଆ ବିଚାରପତି ମଣ୍ଡଳୀ ଟ୍ରମ୍ପଙ୍କୁ ୩୪ଟି ମାମଲାରେ ଦୋଷୀ ସାବ୍ଯସ୍ତ କରିଛନ୍ତି। ଆସନ୍ତା ଜୁଲାଇ ୧୧ରେ ଟ୍ରମ୍ପଙ୍କ ବିରୋଧରେ ଦଣ୍ଡ ଧାର୍ଯ୍ୟ କରିବାକୁ ଘୋଷଣା କରିଛନ୍ତି ବିଚାରପତି। ତେବେ ଜୁଲାଇ ୧୫ରେ ରିପବ୍ଲିକାନ ନ୍ଯାସନାଲ କନଭେନସନ ହେବାକୁ ଯାଉଥିବାବେଳେ କୋର୍ଟଙ୍କ ଏହି ନିର୍ଦ୍ଦେଶ ଟ୍ରମ୍ପଙ୍କ ଲାଗି ସମସ୍ୟା ଠିଆ କରିବ ବୋଲି ସୂଚନା ମିଳିଛି। ଆସନ୍ତା ନଭେମ୍ବର ୫ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବାବେଳେ ଟ୍ରମ୍ପଙ୍କୁ ଦୋଷୀ ସାବ୍ଯସ୍ତ କରାଯିବା ଘଟଣା ଜାତୀୟ ରାଜନୀତିର ହଟଚମଟ ସୃଷ୍ଟି କରିଛି। ଏହି ମାମଲା ଅନୁସାରେ ଟ୍ରମ୍ପଙ୍କୁ ୪ ବର୍ଷ ଜେଲଦଣ୍ଡ ମିଳିବା ସମ୍ଭାବନା ରହିଛି। ତେବେ ସେ ଜେଲଦଣ୍ଡ ଭୋଗିଲେ ବି ନିର୍ବାଚନ ପ୍ରଚାର କରିପାରିବେ ଏବଂ ଏପରିକି ଯଦି ବିଜୟୀ ହୁଅନ୍ତି ତେବେ ରାଷ୍ଟ୍ରପତି ପଦରେ ଅଭିଷିକ୍ତ ହୋଇପାରିବେ। ସେପଟେ ଟ୍ରମ୍ପ କହିଛନ୍ତି ସେ କିଛି ଭୁଲ କରିନାହାନ୍ତି ଏବଂ କୋର୍ଟ ରାୟ ବିରୋଧରେ ଅପିଲ କରିବେ। ଷ୍ଟର୍ମି ଡାନିଏଲସଙ୍କୁ ଟଙ୍କା ଦେବା ଲାଗି ଟ୍ରମ୍ପ ଅନେକ ଜାଲ୍ ପନ୍ଥା ଅବଲମ୍ବନ କରି ନଥି ପ୍ରସ୍ତୁତ କରିଥିଲେ ବୋଲି ଅଭିଯୋଗ ହୋଇଥିଲା।
କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ପ୍ରଚାର ସମୟ ସରିବା ପରେ ମଧ୍ୟ ପ୍ରଚାର କରୁଥିବା ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ: ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ । ନିର୍ବାଚନ ପ୍ରଚାର ଅବଧି ସରିବା ପରେ ପ୍ରଚାର ଅଭିଯୋଗ। କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ପ୍ରଚାର ସମୟ ସରିବା ପରେ ପ୍ରଚାର କରୁଛନ୍ତି। ଶେଷ ପର୍ଯ୍ଯାୟ ନିର୍ବାଚନ ପାଇଁ ଗତକାଲି ସଂଧ୍ଯାରୁ ପ୍ରଚାର ସରିଛି। କିନ୍ତୁ ଆଜି କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳିର ବନ୍ତ ବ୍ଲକ ସହରାଗଡ଼ିଆ ଅଞ୍ଚଳରେ ପ୍ରଚାର କରିଛନ୍ତି ନିରଞ୍ଜନ ପଟ୍ଟନାୟକ। ନିଜ ସମର୍ଥକଙ୍କୁ ଧରି ନିରଞ୍ଜନ ପଟ୍ଟନାୟକ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ପୂର୍ବତନ ପିସିସି ସଭାପତି ତଥା ଭଣ୍ଡାରିପୋଖରୀ ବିଧାନସଭା ଆସନ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ନିୟମ ନମାନିବା ନେଇ ସବୁ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାଇଲେଣ୍ଟ ଡେ’ରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ନିରଞ୍ଜନ ପଟ୍ଟନାୟକ।
ବନ୍ଦ ଘରୁ ରକ୍ତାକ୍ତ ଅବସ୍ଥାରେ ବାର ଡାନ୍ସରଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ବର: ରାଜଧାନୀରେ ବାର ଡାନ୍ସରଙ୍କ ସନ୍ଦେହଜନକ ମୃତ୍ୟୁ । ବନ୍ଦ ଘରେ ରକ୍ତାକ୍ତ ଅବସ୍ଥାରେ ପଡିଛି ମୃତଦେହ । ପାହାଳ ଥାନା ଶିବଶକ୍ତି ନଗରରେ ଅଘଟଣ ଘଟିଛି । ମୃତ ଯୁବତୀଙ୍କ ଛଦ୍ମନାମ ଚାରୁ ଓ ତାଙ୍କ ଘର ଚଣ୍ଡିଗଡ଼ ବୋଲି ଜଣାପଡିଛି ।
କଟକ ରୋଡର ଏକ ଡ୍ୟାନ୍ସ ବାରରେ ସେ କାମ କରୁଥିଲେ । ବିଲ୍ଡିଂ ଭିତରେ ୨୫ ଜଣ ଯୁବତୀ ରହୁଛନ୍ତି । ପାହାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ପାରିପାର୍ଶ୍ବିକ ପରିସ୍ଥିତି ଦେଖି ପୋଲିସ ଏକ ଆତ୍ମହତ୍ୟା ମାମଲା ରୁଜୁ କରିଛି । ଯୁବତୀଙ୍କ ଟେଲିଫୋନ, ସୋସିଆଲ ମିଡିଆ ମେସେଜ ଯାଞ୍ଚ କରୁଛି ପୋଲିସ ।
କାଲି ରାଜ୍ଯରେ ଶେଷ ପର୍ଯ୍ୟାୟ ମତଦାନ, ମୁତୟନ ହେବେ ୩୬ ହଜାର ପୋଲିସ ଫୋର୍ସ
ଭୁବନେଶ୍ବର: କାଲି ରାଜ୍ଯରେ ଅନୁଷ୍ଠିତ ହେବ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ଯାୟରେ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟ ହେବ। ଶାନ୍ତି ଶୃଙ୍ଖଳାରେ ଭୋଟ ପାଇଁ ସବୁ ପ୍ରକାର ବ୍ଯବସ୍ଥା କରାଯାଇଥିବା ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ କହିଛନ୍ତି। ଡିଜିପି କହିଛନ୍ତି- ୧୦ ହଜାର ୮୮୨ ଟି ବୁଥ ମଧ୍ଯରୁ ୨୧ ପ୍ରତିଶତ ବୁଥ ସମ୍ବେଦନଶୀଳ ବୁଥ୍ । ୩୬ ହଜାର ପୋଲିସ ଫୋର୍ସ ମୁତୟନ ହେବେ।
୧୨୬ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ, ୮୬ ପ୍ଲାଟୁନ ଓଡିଶା ଆର୍ମଡ଼ ପୋଲିସ ରହିବେ। ୮୪୩ ଟି ମୋବାଇଲ ପାଟ୍ରୋଲିଂ ଟିମ୍ ନିୟୋଜିତ ହୋଇଛନ୍ତି। ଜିପିଏସ ଜରିଆରେ କଣ୍ଟ୍ରୋଲ ରୁମରୁ ମନିଟରିଂ କରାଯିବ ବୋଲି ଡିଜିପି କହିଛନ୍ତି । … ଅରୁଣ ଷଡ଼ଙ୍ଗୀ କହିଛନ୍ତି- ପ୍ରତ୍ଯେକ ବିଧାନସଭା ଆସନ ପାଇଁ ଆଇନ ଶୃଙ୍ଖଳା ଦାୟିତ୍ଵରେ ରହିବେ ଏସଡିପିଓ ଏବଂ ଡିଏସପି । ଜିଲ୍ଲା ସୀମାରେ ଥିବା ୨୧ ଟି ବର୍ଡର ଚେକ ପୋଷ୍ଟ ରେ କଡାକଡି ଚେକିଂ ଚାଲିଛି। ବୁଲୁଛି ୨୫୫ ଟି ଫ୍ଲାଇଂ ସ୍କ୍ୱାର୍ଡ । ୨୫୫ ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ବି ଅଛି।
ଏଥର ୧୩ ଟି ସ୍ଥାନରେ ଇଭିଏମ ଷ୍ଟ୍ରଙ୍ଗ ରୁମ କରାଯାଇଛି। ସେଠାରେ ମଧ୍ୟ ଇନର କାର୍ଡନ ଦାୟିତ୍ୱ ରେ ଅର୍ଦ୍ଧ ସାମରିକ ବାହିନୀ କାମ କରିବ । ଆଉଟର କର୍ଡନ ଦାୟିତ୍ୱରେ ଓଡିଶା ପୋଲିସ ରହିବ ।
ଖରା ବିରୋଧରେ ଲଢିବାକୁ ରାଜ୍ଯ ସରକାରଙ୍କ ଯୁଦ୍ଧଂଦେହୀ ଡାକରା
ଭୁବନେଶ୍ବର: ୫ ଜିଲ୍ଲାରେ ୫ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ନେଇ ସ୍ପଷ୍ଟ କଲେ ରାଜ୍ଯ ସରକାର । ସୁନ୍ଦରଗଡ଼ ଜିଲ୍ଲାରୁ ୧୨ ଏବଂ ଝାରସୁଗୁଡା ଜିଲ୍ଲାରୁ ଅଂଶୁଘାତରେ ମୃତ୍ଯୁ ନେଇ ଅଭିଯୋଗ ହୋଇଛି । ଯାହାର ତଦନ୍ତ କରୁଛନ୍ତି ରାଜ୍ଯ ସରକାର । ଏମାନଙ୍କର ଶବ ବ୍ଯବେଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ଯୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଏସଆରସି ସତ୍ଯବ୍ରତ ସାହୁ ।
ତେବେ ବାଲେଶ୍ବର, ଢେଙ୍କାନାଳ, ମୟୂରଭଞ୍ଜ, ସୋନପୁର ଏବଂ ବଲାଙ୍ଗୀରରେ ଜଣେ ଲେଖାଏଁ ବ୍ଯକ୍ତିଙ୍କର ମୃତ୍ଯୁ ହୋଇଥିବାନେଇ ସ୍ପଷ୍ଟ କରିଛନ୍ତି ଏସଆରସି । ତେବେ ରାଜ୍ଯର ପଶ୍ଚିମାଞ୍ଚଳ ଓ ମଧ୍ଯ ଓଡ଼ିଶାରେ ହିଟ ୱେଭ ସ୍ଥିତି ଆହୁରି ତିନି ଦିନ ପର୍ଯ୍ୟନ୍ତ ଲାଗି ରହିବ । ଏହି ଅଞ୍ଚଳର ୧୯ ଷ୍ଟେସନରେ ୪୦ ଡିଗ୍ରୀ ଉପରେ ଏବଂ ୧୨ ଷ୍ଟେସନରେ ୪୪ ଡିଗ୍ରୀ ଉପରେ ତାତି ରହୁଛି । ଏଥିପାଇଁ ସତର୍କ ରହିବାକୁ ନିବେଦନ କରିବା ସହ ଲୋକଙ୍କ ସହଯୋଗ ଲୋଡିଛନ୍ତି ଏସଆରସି ।
ପିକ ଆୱାର ଦିନ ୧୧ଟାରୁ ୩ଟାଯାଏଁ ଦରକାର ନପଡିଲେ ବାହାରକୁ ନବାହାରିବା ପାଇଁ ସେ ନିବେଦନ କରିଛନ୍ତି । ଏହାକୁ ଅବମାନନା କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସଆରସି । ସେହିପରି ଅତି ଜରୁରୀ ପରିସ୍ଥିତିରେ ବାହାରକୁ ବାହାରିବାର ଥିଲେ ସଂପୂର୍ଣ୍ଣ ସୁରକ୍ଷାରେ ବାହାରକୁ ଯିବାକୁ କହଛନ୍ତି । ହାଲୁକା ସୂତା ବସ୍ତ୍ର ପିନ୍ଧିବା ସହ ଛତା, ଜୋତା, ପାଣି ବୋତଲ, ଓଆରଏସ ସାଙ୍ଗରେ ନେବେ । ବୃଦ୍ଧବୃଦ୍ଧା, ଗର୍ଭବତୀ, ଶିଶୁଙ୍କୁ ବେଶୀ ସତର୍କ ରହିବାକୁ ନିବେଦନ କରାଯାଇଛି । ସୁନ୍ଦରଗଡ ଓ ଝାରସୁଗୁଡାରୁ ଆସିଥିବା ଅଭିଯୋଗ ଗୁଡିକରେ ଅଧିକାଂଶ ଶ୍ରମିକ ଅଛନ୍ତି । ଯେଉଁମାନେ ପୂର୍ବାହ୍ନ ୧୧ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବାର ପ୍ରାରମ୍ଭିକ ସୂଚନା ମିଳିଛି । ଏହାର ତଦନ୍ତ କରିବା ଲାଗି ଗତକାଲି ସନ୍ଧ୍ୟାରେ ନିର୍ଦ୍ଦେଶ ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ମଧ୍ୟ ଘଟଣାସ୍ଥଳକୁ ଯାଉଛନ୍ତି । ରିପୋର୍ଟ ଆସିବା ପରେ ଜଣାପଡିବ ମୃତ୍ୟୁର ପ୍ରକୃତ କାରଣ । ସମ୍ବଲପୁର, ସୁନ୍ଦରଗଡ, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ ଆଦି ଜିଲ୍ଲାକୁ ହିଟ ୱେଭ ନେଇ ବାରମ୍ବାର ଅବଗତ କରାଯାଇଛି । ବର୍ତ୍ତମାନ ପରିସ୍ଥିତିରେ ସ୍କୁଲ, କଲେଜ ବନ୍ଦ ରହିଛି । ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ଅତି ଜରୁରୀ କାର୍ଯ୍ୟକୁ ସକାଳେ ବା ଅପରାହ୍ନରେ କରିହେବ । ଶ୍ରମିକମାନଙ୍କ ଲାଗି ସମାନ ଗାଇଡ଼ଲାଇନ ଶ୍ରମ ବିଭାଗ ପକ୍ଷରୁ ହୋଇଛି । ବସ ଯାତ୍ରୀଙ୍କ ଲାଗି ପରିବହନ ବିଭାଗ ଏହି ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଚାର ଓ ଜନସାଧାରଣଙ୍କ ସଚେତନତା ଲାଗି ପଦକ୍ଷେପ ନେବେ । ଉପକୂଳ ଓଡ଼ିଶାରେ ଗୁଳୁଗୁଳି ହେବ । ଏଥିରୁ କିଛି ଜିଲ୍ଲାରେ ଆସନ୍ତାକାଲି ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଅଲଗା ଗାଇଡ଼ଲାଇନ ଜାରୀ ହୋଇଛି । ସରକାର ଆଇଏମଡି ସହିତ ବରାବର ଯୋଗାଯୋଗରେ ଅଛନ୍ତି ବୋଲି କହିଛନ୍ତି ଏସଆରସି ।

