spot_img
Home Blog Page 1951

ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର

ବ୍ରହ୍ମପୁର: ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ୧୬ ନଂ ଜାତୀୟ ରାଜପଥ ହରିଡ଼ାମୂଳ ଠାରେ ଓଲଟିଲା ଗ୍ୟାସ ଟ୍ୟାଙ୍କର। ଟ୍ୟାଙ୍କରରୁ ଗ୍ୟାସ ଲିକେଜ ହେଉଥିବା ସୂଚନା। ଆସିକା ଭୁବନେଶ୍ୱର ୩୦ନଂ ଜାତୀୟ ରାଜପଥ ଅବରୋଧ କଲା ପୋଲିସ। ଗ୍ୟାସ୍ ଲିକ ଯୋଗୁ କେଶପୂର ଖଲ୍ଲିକୋଟ ଅଞ୍ଚଳର ବିଦ୍ୟୁତ ସରବରାହ ବନ୍ଦ କଲା ବିଦ୍ୟୁତ ବିଭାଗ। ଓଲଟି ଥିବା ଗାଡି ଭାରତ ଗ୍ୟାସ ହୋଇଥିବା ଜଣାପଡ଼ିଛି। ଟ୍ୟାଙ୍କର ଉପରେ ପାଣି ସ୍ପ୍ରେ କରୁଛନ୍ତି ଅଗ୍ନିଶମ ବାହିନୀ।

ପୁଣି ଅଡୁଆରେ ୟୁଟ୍ୟୁବର ଏଲଭିସ ଯାଦବ

ନନ୍ଦିଘୋଷ ବ୍ୟୁରୋ: ପୁଣି ଅଡୁଆରେ ୟୁଟ୍ୟୁବର ତଥା ବିଗବସ୍ ଓଟିଟି-୨ ଓ୍ବିନର ଏଲଭିସ ଯାଦବ । ନିଜର ଏକ ମ୍ୟୁଜିକ ଭିଡିଓରେ ନିଷିଦ୍ଧ ଘୋଷିତ ସାପଙ୍କୁ ବ୍ୟବହାର କରିବା ଅଭିଯୋଗରେ ଦାୟର ହୋଇଛି ମାମଲା । ଏଲଭିସଙ୍କ ଭିଡିଓକୁ ନିଷିଦ୍ଧ କରିବା ଲାଗି ପ୍ରାଣୀ ଅଧିକାରୀ କର୍ମୀ ସୌରଭ ଗୁପ୍ତା କୋର୍ଟଙ୍କ ନିକଟରେ ଅନୁରୋଧ କରିବା ପରେ ପରେ ଗୁରୁଗ୍ରାମ ପୋଲିସରେ ଦାୟର ହୋଇଛି ଏଫଆଇଆର । ସାଂସଦ ମାନେକା ଗାନ୍ଧୀଙ୍କ ସହ ପିପୁଲସ ଫର ଆନିମଲସ୍ ସଂଗଠନରେ କାର୍ଯ୍ୟରତ ସୌରଭ କହିଛନ୍ତି- ଏକ ଭାଇରାଲ ଭିଡିଓରେ ଏଲଭିସ ଓ ଅନ୍ୟ ୫୦ ଜଣ ସାପଗୁଡିକ ସହ ଭିଡିଓରେ ଦେଖାଯାଉଛନ୍ତି । ଏହି ସାପଗୁଡିକୁ ବନ୍ଯଜନ୍ତୁ ସୁରକ୍ଷା ଆଇନ ଅନୁସାରେ ନିଷିଦ୍ଧ ଷୋଷଣା କରାଯାଇଛି । ଏଲଭିସଙ୍କ ସହ ଗାୟକ ରାହୁଲ ଯାଦବ ଓରଫ ଫଜଲପୁରିଆଙ୍କ ନାମରେ ଏଫଆଇଆର ଦାୟର ହୋଇଛି । କିଛିଦିନ ପୂର୍ବରୁ ସାପ ବିଷ ମାମଲାରେ ଏଲଭିସଙ୍କୁ ଗିରଫ କରିଥିଲା ନୋଏଡା ପୋଲିସ । ଗିରଫ ହେବା ପରେ ୫୦ ହଜାର ଟଙ୍କାର ବେଲ୍ ବଣ୍ଡରେ ଜାମିନ ପାଇଛନ୍ତି ଏଲଭିସ ।

ବର୍ଷାରେ ବେହାଲ ପାକିସ୍ତାନ, ୩ ଶିଶୁ ସମେତ ୮ ମୃତ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର ଭାରୀ ବର୍ଷା। ବିଭିନ୍ନ ସ୍ଥାନରେ ପ୍ରାଣ ହରାଇଛନ୍ତି ୮ ଜଣ। ଆହତ ହୋଇଛନ୍ତି ୧୨ ଜଣ। ଖାଇବର ପାଖତୁନଖାୱା ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ବାଧାପ୍ରାପ୍ତ ହୋଇଛି। ମୃତକଙ୍କ ମଧ୍ଯରେ ଅଛନ୍ତି ୩ ଜଣ ଶିଶୁ। ଗତ ୨୪ ଘଣ୍ଟା ମଧ୍ଯରେ ସେଠାରେ ଅବିଶ୍ରାନ୍ତ ବର୍ଷା ଯୋଗୁ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ କୋଠା ଭୁଶୁଡିବାରୁ କିଛି ଲୋକ ଆହତ ହୋଇଛନ୍ତି। ପ୍ରତିବର୍ଷ ପାକିସ୍ତାନରେ ବର୍ଷା ଓ ଶୀତର ତାଣ୍ଡବ ପରିଲକ୍ଷିତ ହେଉଛି। ପ୍ରତିବର୍ଷ ବନ୍ଯା ଯୋଗୁ ଦେଶର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଡୁଛି। ଚଳିତ ମାସରେ ବର୍ଷା ଯୋଗୁ ୩୦ ଜଣ ପ୍ରାଣ ହରାଇଥିଲେ। ପାକିସ୍ତାନର ଉତ୍ତର ପଶ୍ଚିମାଞ୍ଚଳରେ ସର୍ବଦା ବର୍ଷା ହେଉଥିବାରୁ ସେଠାର ଅର୍ଥନୀତି କ୍ଷତିଗ୍ରସ୍ତ ହେବାରେ ଲାଗିଛି।

ସିନେ ପ୍ରେମୀଙ୍କ ମନ କିଣୁଛି ଓଡ଼ିଆ ଚଳଚ୍ଚିତ୍ର ‘ଭୋଟ’

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ‘ଭୋଟ’ ଏବେବି ସିନେ ପ୍ରେମୀଙ୍କ ମନ ଜିଣୁଛି। ଦ୍ଵିତୀୟ ପର୍ଯ୍ୟାୟର ପୁଣିଥରେ ଭୁବନେଶ୍ୱର PVR ରେ ରିଲିଜ ହୋଇଛି ଏହି ସିନେମା। ସବୁ ସୋ ହାଉସଫୁଲ ଚାଲିଛି ।ରିତୁପ୍ରିୟା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହୋଇଥିଲା ଭିନ୍ନ ଧରଣର ଓଡ଼ିଆ ସିନେମା  ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ତେବେ ଏହା ପୂର୍ବରୁ ଏହା ଥିଏଟର ନାଟକ ଭାବରେ ପ୍ରଦର୍ଶିତ ହୋଇସାରିଛି I ଅନେକ ସ୍ଥାନରେ ଏହା ସଫଳ ନାଟକ ଭାବରେ ପୁରସ୍କୃତ ବି ହୋଇଛି।  ସେହି କାହାଣୀକୁ ଚଳଚ୍ଚିତ୍ରର ରୂପ ଦେବାକୁ ସ୍ଥିର କରିଥିଲେ ପ୍ରଯୋଜକ ଅତୀଶ କୁମାର ରାଉତ । ଫିଲ୍ମଟିର ଚିତ୍ରନାଟ୍ୟ, ସଂଳାପ ରଚନା କରିବା ସହ ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଦେବାଶିଷ ମହାପାତ୍ର। ଏହାର କାହାଣୀ ସାମ୍ପ୍ରତିକ ଘଟଣାବଳୀକୁ ନେଇ ଆଧାରିତ।

କଟକରେ ବିଜେଡି ଲୋକସଭା ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ପ୍ରଚାର ଅଭିଯାନ ଆରମ୍ଭ

କଟକ: କଟକ ବିଜେଡି ଲୋକସଭା ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର ଫୁଲ ଦମରେ ଆରମ୍ଭ କରିଛି ପ୍ରଚାର ଅଭିଯାନ। କଟକ ଜିଲ୍ଲାର ଯୁବ ତଥା ଛାତ୍ର ବିଜେଡିର ଶତାଧିକ ସଦସ୍ଯଙ୍କୁ ଭେଟି କଟକର ବିକାଶ, ସମସ୍ୟା ଓ ଲୋକଙ୍କ ଭଲମନ୍ଦ ବୁଝିଛନ୍ତି। ନିର୍ବାଚନରେ ସମସ୍ତେ ଏକାଠି ହୋଇ କାମ କରିବା ଓ କଟକର ବିକାଶ ଲାଗି ସେ ବିଜେଡି ଯୁବ ଓ ଛାତ୍ର ବ୍ରିଗେଡଙ୍କୁ ଆହ୍ବାନ ଦେଇଛନ୍ତି।

ସେ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଜିଲ୍ଲା ଓ ସହରର ବିକାଶ, ସମସ୍ୟା ଉପରେ ଆଲୋଚନା କରିଛନ୍ତି।  ନିଜର ଚାକିରୀ କ୍ୟାରିୟର ର କିଛି ବାସ୍ତବ ଅଭିଜ୍ଞତା କୁ ଉଦାହରଣ ଭାବେ ପିଲାଙ୍କ ଆଗରେ ରଖି ନିଜ ପାଇଁ, ଦଳ ପାଇଁ, ରାଜ୍ଯ ପାଇଁ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି ।  ରାଜନୀତିରେ ନୂଆ ହେଲେ ସୁଦ୍ଧା ନିଜର ତଥା ବିଜେଡିର ଭଲ ଫର୍ମ କାରଣରୁ ଏଠାରେ 6 ଥର ସାଂସଦ ହୋଇଥିବା ପ୍ରାର୍ଥୀଙ୍କୁ ବାଉଣ୍ଡରୀ ପାର କରିଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ସଭାରେ ଉପସ୍ଥିତ ଯୁବ ଓ ଛାତ୍ର ବିଜେଡି କର୍ମୀ ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଅସନ୍ତୋଷ ବ୍ଯକ୍ତ କରିଥିଲେ। ସମସ୍ତେ ମିଳିମିଶି କାମ କରିବା ସହ ମୁଖ୍ୟମନ୍ତ୍ରୀଙ୍କ କଟକ ପାଇଁ ଥିବା ସ୍ବପ୍ନ କୁ ସାକାର କରିବା ବୋଲି ପ୍ରତିଶୃତି ଦେଇଥିଲେ।

କେକ୍ ନେଲା ବାର୍ଥ ଡେ’ ଗାର୍ଲର ଜୀବନ

ପଞ୍ଜାବ: କେକ ନେଲା ବାଳିକାର ଜୀବନ। ଦୁଃଖରେ ମିଳାଇଗଲା ପିଲାର ଜନ୍ମଦିନ ଉତ୍ସବ । ଏହି ଦୁଃଖଦ ଘଟଣା ଘଟିଛି ପଞ୍ଜାବ ପାଟିଆଲାରେ । ପାଟିଆଲାର ଏକ ବେକେରୀରୁ ଅନଲାଇନରେ ମଗାଯାଇଥିବା କେକ ଖାଇବା ପରେ ୧୦ ବର୍ଷ ବୟସ୍କା ବାଳିକାର ମୃତ୍ଯୁ ହୋଇଥିବାବେଳେ ପରିବାରର ସମସ୍ତ ସଦସ୍ୟ ଅସୁସ୍ଥ ହୋଇଛନ୍ତି ।

ଜନ୍ମଦିନ ପାଳନ ଉତ୍ସବରେ ମାନବୀ କେକ କାଟିବା ସହ ଖୁସି ମନାଇଥିଲେ । ମାତ୍ର ପରେ ଘୋଟି ଆସିଥିଲା କଳା ବାଦଲ। ଗତ ୨୪ ତାରିଖରେ ଘଟିଥିଲା ଏହି ଘଟଣା । ରାତି ୭ଟାରେ ଜନ୍ମଦିନ ଉତ୍ସବ ପାଳନ ପରେ ସମସ୍ତେ କେକ ଖାଇଥିଲେ । ମାତ୍ର ରାତି ୧୦ଟା ବେଳକୁ ଅଘଟଣ ଘଟିଥିଲା ବୋଲି କହିଛନ୍ତି ମାନବୀଙ୍କ ଜେଜେ ହରବନଲାଲ । ଯେଉଁ ସଂସ୍ଥାଠାରୁ କେକ ଅନଲାଇନରେ ମଗାଯାଇଥିଲା ତାହାର ନାମ କେକ୍ କାହ୍ନା ବୋଲି ସୂଚନା ମିଳିଛି । ଏନେଇ ସ୍ଥାନୀୟ ଥାନାରେ ମାମଲା ରୁଜୁ ହୋଇଛି ।

ମହାରାଷ୍ଟ୍ର ବାରମତିରେ ପାଓ୍ବାର ବନାମ ପାଓ୍ବାର ଲଢ଼େଇ

ମୁମ୍ବାଇ: ମହାରାଷ୍ଟ୍ରରେ ନିର୍ବାଚନ ତାତି । ବିଶେଷ କରି ବାରମତି ଆସନକୁ ନେଇ ସାରା ଦେଶରେ ଚର୍ଚ୍ଚା । ଏଠାରେ ହେବାକୁ ଯାଉଛି ହାଇଭୋଲଟେଜ ଲଢେଇ । ମୁହାଁମୁହିଁ ହୋଇଛନ୍ତି ଏନସିପି ବନାମ ଏନସିପି । ପାଓ୍ବାର ବନାମ ପାଓ୍ବାର ଫାଇଟ୍ । ଏନସିପି  ଶରଦ ପାଓ୍ବାର ଗୋଷ୍ଠୀ ନେତ୍ରୀ ତଥା ସୁପ୍ରିମୋ ଶରଦ ପାଓ୍ବାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶରଦ ପାଓ୍ବାରଙ୍କ ପୁତୁରା ଅଜିତ ପାଓ୍ବାରଙ୍କ ପତ୍ନୀ ସୁନେତ୍ର ପାଓ୍ବାର ।

ପୁଣେ ଜିଲ୍ଲାର ବାରମତିରେ ଶିଳ୍ପ, କୃଷି, ବାଣିଜ୍ୟ କ୍ଷେତ୍ରରେ ନାନା ସଙ୍କଟ ଦେଖା ଦେଇଥିବାବେଳେ ଏହି ପାରିବାରିକ ଲଢେଇ ଚର୍ଚ୍ଚାର କାରଣ ହୋଇଛି । ୫୪ ବର୍ଷ ବୟସ୍କ ସୁପ୍ରିୟାଙ୍କୁ ଏହି ଆସନରେ ଟକ୍କର ଦେବେ ତାଙ୍କ ସମ୍ପର୍କୀୟା ୬୦ ବର୍ଷ ବୟସ୍କା ସୁନେତ୍ର ।

ଗତବର୍ଷ ଜୁଲାଇ ୨ରେ ମୂଳ ଏନସିପିରୁ ଅଲଗା ହୋଇ ଅଜିତ ପାଓ୍ବାର ବିଜେପି ସରକାରରେ ସାମିଲ ହେବା ସହ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୬୯ ମସିହାରୁ ବାରମତି ଆସନ ଶରଦ ପାଓ୍ବାରଙ୍କ ଦୁର୍ଗ ଭାବେ ପରିଗଣିତ ହୋଇଆସିଛି । ୧୯୯୧ରୁ ଅଜିତ ପାଓ୍ବାର ବାରମତି ବିଧାନସଭା ଆସନରୁ ପ୍ରତିନିଧିତ୍ବ କରିଆସୁଛନ୍ତି । ବାରମତି ଲୋକସଭା କ୍ଷେତ୍ରର ୭ଟି ନିର୍ବାଚନ ମଣ୍ଡଳୀରୁ ଦୁଇଟିରେ କଂଗ୍ରେସ, ଦୁଇଟିରେ ଏନସିପି ଓ ଦୁଇଟିରେ ବିଜେପି ବିଧାୟକ ଅଛନ୍ତି । ୨୦୧୯ରେ ସୁପ୍ରିୟା ତୃତୀୟ ଥର ଲାଗି ଏହି ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ବାରମତିରେ ତୃତୀୟ ପର୍ଯ୍ୟାୟ ଅର୍ଥାତ ମେ’ ୭ ତାରିଖରେ ହେବ ନିର୍ବାଚନ ।

ଚିରଞ୍ଜୀବଙ୍କ ପରେ ବିଜେଡିରେ ମିଶିଲେ ସୁକାନ୍ତ, ବୃନ୍ଦାବନ ଏବଂ ଅବକାଶ

ଭୁବନେଶ୍ବର: ଭୁଶୁଡୁଛି ବିରୋଧୀଙ୍କ ଗଡ଼ । ଦଳ ଛାଡି ବିଜେଡିକୁ ଆସୁଛନ୍ତି ବିଜେପି ଓ କଂଗ୍ରେସର ବରିଷ୍ଠ ନେତା । ଗୋଟିଏ ଦିନରେ ଚାରି ଚାରି ଜଣ ବରିଷ୍ଠ ନେତାଙ୍କ ବିଜେଡିରେ ହୋଇଛନ୍ତି ସାମିଲ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଉଛନ୍ତି ନେତା ।

ଶଙ୍ଖ ଭବନରେ ଲାଗିଛି ମିଶ୍ରଣ ପର୍ବ । ଜଣକ ପରେ ଜଣେ ବିଜେପି ଓ କଂଗ୍ରେସ ନେତା ସାମିଲ ହେଉଛନ୍ତି ବିଜେଡିରେ । ଆଜି ପ୍ରଥମେ ଜଗତସିଂହପୁରର ବରିଷ୍ଠ ନେତା ତଥା ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଶଙ୍ଖ ଭବନରେ ବିଜେଡିରେ ସାମିଲ ହୋଇଥିଲେ । ଏହାପରେ ନୀଳଗିରି ବିଜେପି ବିଧାୟକ ସୁକାନ୍ତ ନାଏକ ଶଙ୍ଖ ଫୁଙ୍କି ଥିଲେ । ସୁକାନ୍ତଙ୍କ ଘର ବାହୁଡ଼ା ହୋଇଥିବା ବେଳେ ତାଙ୍କ ସହ ଶତାଧିକ ନେତା ଓ କର୍ମୀ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ ।

ଏହି କ୍ରମରେ ଶଙ୍ଖ ଭବନରେ ତୃତୀୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । କୁଚିଣ୍ଡାର ପୂର୍ବତନ ବିଧାୟକ ବୃନ୍ଦାବନ ମାଝି ନିଜ ସମର୍ଥକଙ୍କ ସହ ଆସି ବିଜେଡିରେ ସାମିଲ ହୋଇଥିଲେ । ତାଙ୍କ ସହ ଶତାଧିକ ବିଜେପି ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଥିଲେ ।

ବୃନ୍ଦାବନଙ୍କ ପରେ ପରେ ଶଙ୍ଖ ଭବନରେ ଆୟୋଜିତ ହୋଇଥିଲା ଚତୁର୍ଥ ମିଶ୍ରଣ ପର୍ବ । ଏଥିରେ ବୌଦ୍ଧର ବରିଷ୍ଠ କଂଗ୍ରେସ ନେତା ଅବକାଶ ସାହୁ ବିଜେଡିରେ ସାମିଲ ହୋଇଥିଲେ । ୨୦୧୪ ନିର୍ବାଚନରେ କଂଗ୍ରେସରୁ ହୋଇଥିଲେ ବିଧାୟକ ପ୍ରାର୍ଥୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ନେତାମାନେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ଦଳକୁ ତୃଣମୂଳ ସ୍ତରରୁ ଆହୁରି ମଜଭୁତ କରିବା ସହ ସେମାନଙ୍କୁ ଯେଉଁ ଦାୟିତ୍ବ ଦିଆଯିବ ନିଷ୍ଠାର ସହ କରିବେ ବୋଲି କହିଛନ୍ତି ନେତାମାନେ ।

ବିଜେଡିରେ ମିଶିଲେ ବିଜେପି ବିଧାୟକ ସୁକାନ୍ତ ନାୟକ

ଭୁବନେଶ୍ବର: ବାଲେଶ୍ବରରେ ବଢ଼ିଲା ବିଜେଡି ବଳ । ବିଜେପି ଛାଡି ବିଜେଡିରେ ସାମିଲ ହେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ଶତାଧିକ ନେତା ଓ କର୍ମୀଙ୍କ ସହ ଶଙ୍ଖ ଭବନ ଆସି ବିଜେଡିରେ ସାମିଲ ହୋଇଛନ୍ତି ସୁକାନ୍ତ ।

ବାଲେଶ୍ବର ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଦେବ ଉତ୍ତରୀୟ ଦେଇ ସୁକାନ୍ତଙ୍କୁ ଦଳକୁ ସ୍ବାଗତ କରିଥିଲେ । ଏହି ଅବସରରେ ସାଂସଦ ସସ୍ମିତ ପାତ୍ର ଏବଂ ମୁଖପାତ୍ର ପ୍ରିୟବ୍ରତ ମାଝି ପ୍ରମୁଖଙ୍କ ଉପସ୍ଥିତ ଥିଲେ ।

ବିଜେଡିରେ ସାମିଲ ହେଲେ ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ବାଳ

ଭୁବନେଶ୍ବର: ବଢ଼ିଲା ବିଜେଡି ବଳ । ବିଜେଡିରେ ସାମଲ ହେଲେ ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ବାଳ । ଚିରଞ୍ଜୀବ ଜଗତସିଂହପୁର କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ । ୨୦୦୪ରୁ ୨୦୦୯ ତିର୍ତ୍ତୋଲର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଅର୍ଥାତ ୨୦୧୪ରୁ ୨୦୧୯ ଜଗତସିଂହପୁରର ବିଧାୟକ ହୋଇଥିଲେ । ବିଧାନସଭାରେ ବିରୋଧି ଦଳର ଉପନେତା ଭାବେ ମଧ୍ୟ କାର୍ଯ୍ୟ ତୁଲାଇଥିଲେ ।

ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ସାଂସଦ ମାନସ ମଙ୍ଗରାଜ, ସାଂସଦ ଡ. ସସ୍ମିତ ପାତ୍ର ଏବଂ ମୁଖପାତ୍ର ପ୍ରିୟବ୍ରତ ମାଝି ପ୍ରମୁଖଙ୍କ ଉପସ୍ଥିତରେ ଏହି ମିଶ୍ରଣ ପର୍ବ ହୋଇଥିଲା । ସାଂସଦ ମାନସ ମଙ୍ଗରାଜ ଚିରଞ୍ଜୀବ ଏବଂ ଅନ୍ୟମାନଙ୍କୁ ବିଜେଡିକୁ ସ୍ବାଗତ କରିଥିଲେ । ଏହି ଅବସରରେ ମାନସ କହିଥିଲେ, ‘ଚିରଞ୍ଜୀବ ବାବୁ କେବଳ ଜଗତସିଂହପୁର ନୁହେଁ ସାରା ରାଜ୍ୟରେ ଜଣେ ଟାଣୁଆ ନେତା । ବିଜେଡିରେ ତାଙ୍କ ଯୋଗଦାନ ଦଳକୁ ସୁସଙ୍ଗଠିତ କରିବା ସହ ଆହୁରି ସୁଦୃଢ଼ କରିବ ।’

ଚିରଞ୍ଜୀବ ବିଶ୍ବାଳଙ୍କ ସହ ଶତାଧିକ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ରବୀନ୍ଦ୍ରନାଥ ମହାନ୍ତି, ନିରଞ୍ଜନ ବେହୁରା, ଯୋଗୀନାଥ ବାହୁବଳେନ୍ଦ୍ର, ସୁନିଲ ମାଟିଆ, ମାମିନା ଦଳେଇ, ସୁବାଷ ସାହୁ ଏବଂ ପ୍ରଶାନ୍ତ ମଲ୍ଲିକ ପ୍ରମୁଖ ବିଜେପି ନେତା ଚିରଞ୍ଜୀବଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି ।

ବିଜେଡିରେ ସାମିଲ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଚିରଞ୍ଜୀବ ବିଶ୍ବାଳ । ଏହାସହ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସାଂସଦ ମାନସ ମଙ୍ଗରାଜଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଏହି ଅବସରରେ ଚିରଞ୍ଜୀବ କହିଛନ୍ତି, ‘ମୁଁ କିଛି ସ୍ବାର୍ଥ ନେଇ ବିଜେଡିକୁ ଆସିନି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବ, ୨୫ ବର୍ଷର ଜନକଲ୍ୟାଣ କାର୍ଯ୍ୟକ୍ରମ, ଗୋଟିଏ ତଳୁଆ ରାଜ୍ୟକୁ ଦେଶରେ ଏକ ଆଗଧାଡିର ରାଜ୍ୟ କରିବାରେ ନେଇଥିବା ପଦକ୍ଷେପରେ ଆକୃଷ୍ଟ ହୋଇ ବିଜେଡିରେ ମିଶିଛି । ମୁଁ ଦଳରେ ଜଣେ ଛୋଟିଆ କର୍ମୀ ହୋଇ ରହିବି ଓ ଦଳ ଯାହା ମୋତେ ଦାୟିତ୍ବ ଦେବ ତୁଲାଇବି ।’