spot_img
Home Blog Page 196

ଆପାର୍ଟମେଣ୍ଟ ସହ ପ୍ଲଟ କିଣିବିକା ବିବାଦର ସମାଧାନ ହେବ ସୁଗମ

ନନ୍ଦିଘୋଷ ବ୍ୟୁରୋ: ନୀତି ନିୟମ ଅନୁସାରେ ସହରୀ ବିକାଶ କରିବା ପାଇଁ ୨୦୧୬ରେ ଆସିଲା ରେରା ଆଇନ। ୨୦୧୭ରୁ ଓଡ଼ିଶାରେ ଏହା କାର୍ଯ୍ୟକ୍ଷମ ହେବା ପରଠାରୁ ଶହ ଶହ ମାମଲା ବିଚରାଧୀନ ରହିଛି। ଆପାର୍ଟମେଣ୍ଟ କିଣାବିକାରେ ହେରଫେର ହେଉ କି ପ୍ଲଟେଡ଼ ସ୍କିମରେ ଘୋଟାଲା। ଏସବୁ ଏବେ ରେରା ଅଧିନରେ ଆସୁଥିବାରୁ ମାମଲା ସଂଖ୍ୟା ବଢିଚାଲିଛି। କୋର୍ଟର ଚାପ ସହିତ ମାମଲା ସଂଖ୍ୟା କମାଇବା ପରେ ଏବେ ଖୋଲିଲା ଆପୋସ ବୁଝାମଣା କେନ୍ଦ୍ର। କୌଣସି ମାମଲା କୋର୍ଟରେ ବିଚାର ହେବା ପୂର୍ବରୁ ଉଭୟ ପକ୍ଷଙ୍କ ସହମତିରେ ବୁଝାମଣା ପାଇଁ ପ୍ରୟାସ କରାଯିବ। ସିଡ଼ିଆର୍ ସେଲ୍ ଖୋଲିବାକୁ ରେରା କର୍ତ୍ତୃପକ୍ଷ ବିଜ୍ଞପ୍ତି କରିଛନ୍ତି।

ରେରା କୋର୍ଟରେ ଖୋଲିଲା ସିଡ଼ିଆର୍ ସେଲ୍। ମାମଲା ନ୍ୟାୟିକ ପ୍ରକିୟାକୁ ଯିବା ପୂର୍ବରୁ ମିଳିବ ଆପୋସ ବୁଝାମଣାର ସୁଯୋଗ। ସହରକୁ ସରସ ସୁନ୍ଦର ଓ ଯୋଜନା ମୁତାବକ ଗଢି ତୋଳିବା ପାଇଁ ୨୦୧୬ରେ ଆସିଲା ରିଏଲ ଇଷ୍ଟେଟ ରେଗୁଲେଟୋରୀ ଆକ୍ଟ ବା ରେରା ଆଇନ। ୨୦୧୭ରେ ଓଡ଼ିଶାରେ ଏହା କାର୍ଯ୍ୟକାରୀ ହେଲା। ଓଡ଼ିଶା ରିଏଲ ଇଷ୍ଟେଟ ରେଗୁଲେଟୋରୀ ଅଥରିଟି ଏବଂ ଆପିଲେଟ ଟ୍ରିବ୍ୟୁନାଲ କାର୍ଯ୍ୟକ୍ଷମ ହେଲା। ଆପାର୍ଟମେଣ୍ଟ କିଣାବିକାରେ ଜାଲିଆତି, କ୍ରେତାଙ୍କୁ ବିଲଡ଼ର ଠକିବା, ଠିକ୍ ସମୟରେ ଘର ନ ମିଳିବା, ଘର ମିଳିବା ପରେ ଆବଶ୍ୟକୀୟ କାଗଜପତ୍ର ନମିଳିବା, ପ୍ଲଟେଡ଼ ସ୍କିମରେ ଘୋଟାଲା ଭଳି ପ୍ରସଙ୍ଗ ରେରା ଆଇନ ପରିସରଭୁକ୍ତ ହୋଇଥିବାରୁ ମାମଲା ସଂଖ୍ୟା ବଢିଚାଲିଛି।କୌଣସି କାରଣରୁ କ୍ରେତା ଅସନ୍ତୁଷ୍ଟ ହୋଇ କୋର୍ଟଙ୍କ ଦ୍ବାରସ୍ଥ ହେଉଥିବାରୁ ସମ୍ପୂର୍ଣ୍ଣ ପ୍ରକଳ୍ପ ଉପରେ ରହିତାଦେଶ ଲାଗୁଛି। ଏହାଦ୍ବାରା ଅନ୍ୟ ହିତାଧିକାରୀମାନେ ମଧ୍ୟ ହଇରାଣ ହେଉଛନ୍ତି। ରେରା ପକ୍ଷରୁ ଗ୍ରାହକ ଅଭିଯୋଗ ସମାଧାନ କେନ୍ଦ୍ର ପାଇଁ ବିଜ୍ଞପ୍ତିକୁ କ୍ରେଡ଼ାଇ ସ୍ବାଗତ କରିଛି।…

ଆସନ୍ତୁ ଜାଣିବା CDR କ’ଣ  ଓ ଏହା କେମିତି କାର୍ଯ୍ୟ କରିବ ? ମାମଲା ନ୍ୟାୟିକ ପ୍ରକ୍ରିୟାକୁ ଯିବା ପୂର୍ବରୁ ବିକଳ୍ପ ପନ୍ଥା ଭାବେ ବିବାଦର ସମାଧାନ ଲାଗି CDR ଗଠନର ମୁଖ୍ୟ ଉଦ୍ଦେଶ୍ୟ।ରେରା କୋର୍ଟକୁ କୌଣସି ମାମଲା ଆସିଲେ ଏହା CDRକୁ ଯିବା ଯୋଗ୍ୟ କି ନାହିଁ ତାହା କର୍ତ୍ତୃପକ୍ଷ ସ୍ଥିର କରିବେ। CDRକୁ ମାମଲା ଯିବା ପାଇଁ ୫୦୦ଟଙ୍କା ଜମା କରିବାକୁ ପଡ଼ିବ। ବିକଳ୍ପ ରାସ୍ତାରେ ଉଭୟ ପକ୍ଷର ସହମତିରେ ମାମଲାର ସମାଧାନ ହେଲେ ଏହାକୁ କୋର୍ଟ ଗ୍ରହଣ କରିବେ।ଯଦି CDRରେ କୌଣସି ପକ୍ଷ ଅସନ୍ତୁଷ୍ଟ ହୁଅନ୍ତି ତାହାଲେ ଏହା ନ୍ୟାୟିକ ପ୍ରକ୍ରିୟାକୁ ବିଚାର ପାଇଁ ଯିବ। ୨୦୨୩ରେ ଜାତୀୟ ମଧ୍ୟସ୍ଥତା ଆଇନ ଆସିଥିଲା। ବିଳମ୍ବରେ ହେଲେ ବି ରେରା  ଏହାକୁ ଗୁରୁତ୍ବ ଦେଇଥିବାରୁ ରିଏଲ ଇଷ୍ଟେଟ କ୍ଷେତ୍ରରେ କାମ କରୁଥିବା ଆଇନଜୀବି ଏହାକୁ ସ୍ବାଗତ କରିଛନ୍ତି। କଟକ, ଭୁବନେଶ୍ବର, ସମ୍ବଲପୁର, ରାଉରକେଲା ଭଳି ବଡ଼ ସହରରେ ରିଏଲ ଇଷ୍ଟେଟ ମାମଲା ବଢିଚାଲୁଥିବା ବେଳେ ସହର ଉପକଣ୍ଠରେ ପ୍ଲଟେଡ଼ ସ୍କିମକୁ ନେଇ ମଧ୍ୟ ବିବାଦ ବଢିଚାଲିଛି।

ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଏବେ ହେବ ନାହିଁ। ରାଜ୍ୟ ବିଜେପି ସଭାପତିଙ୍କ ଏହି ସୂଚନା ପରେ ଆଶାୟୀଙ୍କ ମନ ଫିକା । ୪ ମାସ ହେଲାଣି ବିଜେପିର ରାଜ୍ୟ ପ୍ରଭାରୀ ଓ ରାଜ୍ୟ ସଭାପତି ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସହିତ ନିଗମ ଓ ବୋର୍ଡ଼ ନିଯୁକ୍ତି ହେବ ବୋଲି କହୁଥିଲେ। ଏବେ ସଭାପତିଙ୍କ ନାସ୍ତିବାଣୀ ପରେ ଅଯଥା ବିଳମ୍ବକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗୋଷ୍ଠୀ କନ୍ଦଳ ଏବଂ ଓଡ଼ିଶା ବିଜେପିକୁ ହାଇକମାଣ୍ଡ ଗୁରୁତ୍ବ ନ ଦେବା କାରଣରୁ ବିଳମ୍ବ ହେଉଛି ବୋଲି ସମୀକ୍ଷକ କହିଛନ୍ତି। ପ୍ରକ୍ରିୟା ବିଳମ୍ବକୁ ବିଜେପି ବିଧାୟକ ସ୍ବୀକାର କରିଥିବା ବେଳେ ଲୋକହିତରେ କାମ କରୁଛୁ ବୋଲି କହିଛନ୍ତି।

ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ରାଜ୍ୟ ସଭାପତି ସିଧା ଶୁଣାଇଲେ, ଏବେ ମନ୍ତ୍ରିମଣ୍ଡଳର ପୁନର୍ଗଠନ ହେବନି। ନିଗମ ଓ ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି ଖୁବ୍ ଶୀଘ୍ର ବୋଲି ସେ ପୁଣି ଦୋହରାଇଛନ୍ତି। ହେଲେ ରାଜ୍ୟ ବିଜେପି କମିଟି ବାବଦରେ ନୀରବ ମନମୋହନ ସାମଲ। ୪ ମାସ ହେଲା ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ହେଉଥିବା ବେଳେ କାହିଁକି ଏଥିରେ ପଡ଼ିଲା ଯବନିକା ? ମୁଖିଆଙ୍କ ସୂଚନା ପରେ ବିଳମ୍ବର କାରଣକୁ ନେଇ ଆରମ୍ଭ ହୋଇଛି ଆଲୋଚନା। ସମୀକ୍ଷକଙ୍କ ମତରେ ରାଜ୍ୟ ବିଜେପିରେ ଗୋଟିଏ ନିଷ୍ପତ୍ତି ହୋଇପାରୁନାହିଁ। ଗୋଷ୍ଠୀ କନ୍ଦଳ ଯୋଗୁଁ ତାଲିକା ଚୂଡ଼ାନ୍ତ ହୋଇପାରୁନାହିଁ। ଜାତୀୟସ୍ତରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ନେଇ କିଛି ବାଟ ଫିଟୁନଥିବାରୁ ରାଜ୍ୟ ବିଜେପି ସଙ୍ଗଠନ ଉପରେ ହାଇକମାଣ୍ଡ ଏତେଟା ଗୁରୁତ୍ବ ଦେଉନାହାନ୍ତି ବୋଲି ସମୀକ୍ଷକ କହିଛନ୍ତି।

ଦଳର ବରିଷ୍ଠ କର୍ମକର୍ତ୍ତା, ଛାମୁଆ ନେତାଙ୍କ ସହ କିଛି ବିଧାୟକଙ୍କ ନଜର ବି ନିଗମ ଓ ବୋର୍ଡ଼ ଉପରେ ରହିଛି। ଚଳଚ୍ଚିତ୍ର ନିଗମ, ଅର୍ଥ ନିଗମ, କାଜୁ ନିଗମ, ଖଦି ବୋର୍ଡ଼, ହାଉସିଙ୍ଗ ବୋର୍ଡ଼, ବିହନ ନିଗମ, ପର୍ଯ୍ୟଟନ ନିଗମ ଭଳି ଲାଭଜନକ ସଂସ୍ଥା ଉପରେ ରହିଛି ଆଶାୟୀଙ୍କ ନଜର। ମହିଳା ବିକାଶ ନିଗମ, ବନ ନିଗମ, କ୍ଷୁଦ୍ର ଶିଳ୍ପ ନିଗମ, ଉଠା ଜଳସେଚନ ନିଗମ, ପଣ୍ୟାଗାର ନିଗମ ଭଳି ସଂସ୍ଥା ହାତେଇବାକୁ କେତେକ ନେତା ଆଶା କରିଛନ୍ତି। ସରକାରକୁ ୧୪ ମାସ ପୂରିବାକୁ ବସିଥିବା ବେଳେ ନିଗମ ଓ ବୋର୍ଡ଼ ତାଲିକା ଚୁଡ଼ାନ୍ତ ହୋଇପାରୁନାହିଁ। ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, ବିଳମ୍ବ ହେଉଛି ସତ, ହେଲେ ଯାହା ହେଉଛି ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ।

ମନମୋହନ ସାମଲ ସଭାପତି ଦାୟିତ୍ବ ନେବାର ୪ ମାସ ପରେ ବି ଗଢା ହୋଇପାରୁନାହିଁ ବିଜେପିର ଟିମ୍ ଓଡ଼ିଶା। ନିଗମ ଓ ବୋର୍ଡ଼ରେ ଉପଯୁକ୍ତଙ୍କୁ ଥଇଥାନ କରିବା, ଅସନ୍ତୁଷ୍ଟଙ୍କୁ ମନାଇବା, ଦଳରେ ଥିବା ଗୋଷ୍ଠୀ ବିବାଦ ଚର୍ଚ୍ଚାକୁ ପଛରେ ପକାଇବା ସଭାପତିଙ୍କ ପାଇଁ ପାଲଟିଛି ବଡ଼ ଆହ୍ବାନ।

ଶାରଦୀୟ ପୂଜା ପାଇଁ ସଜେଇ ହେଲାଣି ରାଜଧାନୀ

ନନ୍ଦିଘୋଷ ବ୍ୟୁରୋ: ଶାରଦୀୟ ପୂଜା ପାଇଁ ସଜେଇ ହେଲାଣି ରାଜଧାନୀ । ଆଖି ଝଲସା ତୋରଣ ସାଙ୍ଗକୁ ଦେବୀ ଦୁର୍ଗାଙ୍କ ଆବାହନ ପାଇଁ ପ୍ରସ୍ତୁତ ପୂଜା ମଣ୍ଡପ । ଚଳିତବର୍ଷ ଭୁବନେଶ୍ବରରେ ପ୍ରାୟ ୧୭୨ ମଣ୍ଡପରେ ଆୟୋଜିତ ହେବ ପୂଜା ଉତ୍ସବ । ସହିଦ ନଗରରେ କାଳ୍ପନିକ ତୋରଣ ଭିତରେ ପୂଜା ପାଇବେ ମାଆ । ସେପଟେ କିସ୍ ରୋଡରେ କାଇନାଟିକ ଓଲ୍ଫ ଆକୃତିର ବିଶାଳ ତୋରଣ ଦେଖିବେ ସହରିଆ ।

ଆସୁଛନ୍ତି ମହାମାୟା । ମାଆଙ୍କ ଆବାହନ ପାଇଁ ସଜେଇ ହେଲାଣି ରାଜଧାନୀ । ଚଳିତବର୍ଷ ୪୮ ବର୍ଷରେ ପାଦ ଥାପିଛି ସହିଦ ନଗର ଦୁର୍ଗାପୂଜା କମିଟି । ଏଥର କାଳ୍ପନିକ ତୋରଣରେ ପୂଜା ପାଇବେ ମାଆ । ଆଖି ଝଲସା ତୋରଣ, ନୂଆ ଥିମର ସାଜସଜ୍ଜା । ତୋରଣର ଉଚ୍ଚତା ୮୫ ଫୁଟ୍ ଓ ଚଉଡ଼ା ୧୩୦ ଫୁଟ୍ । ମେଢର ଉଚ୍ଚତା ୧୮ ଫୁଟ ରହିଛି । ଆକର୍ଷଣ ସାଜିବ ମାଆଙ୍କ ଚାନ୍ଦିମେଢ । ଲାଗିବ ଦେଢ କୁଇଣ୍ଟାଲରୁ ଅଧିକ ରୁପା ସାମଗ୍ରୀ । ଷଷ୍ଠୀଠାରୁ ପୂଜା ଆରମ୍ଭହେବ ପ୍ରତ୍ୟେକ ଦିନ ୧୫ଶହ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଛି । ପୂଜା ମଣ୍ଡପକୁ ଜଗିବ ଏଆଇ କ୍ଯାମେରା । ମଣ୍ଡପ ପରିସରରେ ପ୍ରାୟ ଶହେଟି କ୍ଯାମେରା ଲାଗିବ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଲାଗି ଶହେରୁ ଅଧିକ ପୁରୁଷ ଓ ମହିଳା ସ୍ୱେଚ୍ଛାସେବୀଙ୍କ ସହ ସିକ୍ୟୁରିଟି ଗାର୍ଡଙ୍କୁ ନିୟୋଜିତ ହେବେ ।

ଭୁବନେଶ୍ୱର କିସ ରୋଡରେ ତୃତୀୟ ବର୍ଷରେ ପାଦ ଥାପିଛି କଳିଙ୍ଗ ଦୁର୍ଗାପୂଜା କମିଟି । ଏଥର କାଇନେଟିକ ଓଲ୍ଫ  ଆକୃତିର ବିଶାଳ ତୋରଣ ଦେଖିବେ ସହରିଆ । ଏହାସହ ଅହମ୍ମଦାବାଦ ପ୍ଲେନ କ୍ରାସ ଓ ଅପରେସନ ସିନ୍ଦୁରର ଦୃଶ୍ୟ ତୋରଣରେ ସ୍ଥାନ ପାଇବ । ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ୪ ରାତି କଳିଙ୍ଗ ଗଣନାଟ୍ୟ ନିଜ ଅପେରା ମଞ୍ଚସ୍ଥ କରିବ । ଚଳିତବର୍ଷ ୬୨ ଫୁଟର ରାବଣ ପୋଡି କରାଯିବ । ସୁରକ୍ଷା ଓ ପାର୍କିଂ ବ୍ୟବସ୍ଥା ପାଇଁ କରାଯାଇଛି ବ୍ଯାପକ ବ୍ଯବସ୍ଥା ।

ମାର୍ଗଦର୍ଶିକାକୁ ମାନି ଶ୍ରଦ୍ଧାଳୁ, ପୂଜା କମିଟି, ସଂଘ, କ୍ଲବ ଶାନ୍ତିପୂର୍ଣ୍ଣ ଦୁର୍ଗାପୂଜାର ଆନନ୍ଦ ଉପଭୋଗ କରିବା ସହ ସ୍ୱଚ୍ଛ ଓ ସବୁଜ ପରିବେଶ ପାଇଁ ବିଏମସି ଅପିଲ କରିଛି ।

ଅବ୍ୟବସ୍ଥାରେ ଜୟପୁର ଇଣ୍ଡୋର ଷ୍ଟାଡିୟମ

ନନ୍ଦିଘୋଷ ବ୍ୟୁରୋ: କ୍ରୀଡା କ୍ଷେତ୍ରରେ କୋରାପୁଟ ଜିଲ୍ଲାକୁ ଅଣଦେଖା । ପୂର୍ବ ସରକାର ସମୟରେ ହୋଇଥିବା ଇଣ୍ଡୋର ଷ୍ଟାଡିୟମ ଅବହେଳା ପାଇଁ ଖୋଜୁଛି ନିଜର ପରିଚୟ । ଜୟପୁର ଠାରେ ଥିବା ଇଣ୍ଡୋର ଷ୍ଟାଡିୟମ ମରାମତି ଅଭାବରୁ ଏବେ ଭାଙ୍ଗିରୁଜି ଗଲାଣି । କ୍ରିଡାବିତଙ୍କ ଖେଳିବା ପାଇଁ ସ୍ଥାନ ଅଭାବରୁ ଏଠାକୁ ଅଭ୍ଯାସ ପାଇଁ ଆସିଥାନ୍ତି । ହେଲେ କୌଣଶି ସୁବିଧା ସୁଯୋଗ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଅବ୍ଯବସ୍ଥାରେ ଜୟପୁର ଇଣ୍ଡୋର ଷ୍ଟାଡିୟମ । ନାହିଁ ବିଦ୍ଯୁତ ବ୍ଯବସ୍ଥା, ସ୍ଥାନେ ସ୍ଥାନେ ଗଳୁଛି ପାଣି । କୋରାପୁଟ ଜିଲ୍ଲାର କ୍ରୀଡ଼ାର ବିକାଶ ପାଇଁ ପୂର୍ବ ସରକାରଙ୍କ ସମୟରେ ତିଆରି ହୋଇଥିଲା ଇଣ୍ଡୋର ଷ୍ଟାଡିୟମ । ହେଲେ ପ୍ରଶାସନର ଅବହେଳାରୁ ଏହା ଏବେ ଭାଙ୍ଗିବାକୁ ବସିଲାଣି । ବିଦ୍ଯୁତ ବ୍ଯବସ୍ଥା ନଥିବାରୁ ବ୍ଯାଡମିଣ୍ଟନ ଖେଳାଳି ମୁହଁ ମୋଡ଼ିଲେଣି । ଜିଲ୍ଲାରେ ସ୍ଥାନ ଅଭାବରୁ ପ୍ରତିଦିନ ପ୍ରାୟ ଶହେରୁ ଉର୍ଦ୍ଧ୍ବ ଖେଳାଳି ଏଠକୁ ଅଭ୍ଯାସ ପାଇଁ ଆସନ୍ତି । ହେଲେ ରକ୍ଷଣାବେକ୍ଷଣ ଓ ସୁବିଧା ଅଭାବରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ଷ୍ଟାଡିୟମକୁ ଲାଗି ରହିଥିବା ସ୍ଥାନରେ ପୌର ପରିଷଦ ପକ୍ଷରୁ ଏକ ମଲ୍ଟି କଲ୍ଯାଣ ମଣ୍ଡପ କରିବାକୁ କାମ ଆରମ୍ଭ ହୋଇଛି । ଯାହାଦ୍ବାର କ୍ରୀଡ଼ାବିତ ପ୍ରଭାବିତ ହେବା ଆଶଂକା ପ୍ରକାଶ ପାଇଛି । କଲ୍ଯାଣ ମଣ୍ଡପ ହେଲେ ଜୋରଦାର ବିରୋଧ କରାଯିବ ବୋଲି କହିଛନ୍ତି ସ୍ଥାନିୟ କାଉନସିଲର ।

ତେବେ ଜୟପୁର ଇଣ୍ଡୋର ଷ୍ଟାଡିୟମକୁ ମରାମତି କରିବାକୁ ପ୍ରସ୍ତାବ ରହିଛି ବୋଲି କହିଛନ୍ତି ଜୟପୁର ଉପ ଜିଲ୍ଲାପାଳ । ଏନେଇ ରାଜ୍ଯ ସରକାରଙ୍କ ସହ ଆଲୋଚନା କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ଷ୍ଟାଡିୟମ ନିକଟରେ ମଲ୍ଟି କଲ୍ଯାଣ ମଣ୍ଡପ କାର୍ଯ୍ୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜୟପୁର ପୌର ପରିଷଦର ଅଧ୍ଯକ୍ଷ ।

କୋରାପୁଟ ଜିଲ୍ଲାରେ କ୍ରୀଡାବିତ୍ତ ମାନଙ୍କ ଅଭାବ ନାହିଁ । ଅଭାବ ରହିଛି କ୍ରୀଡା ଭିତ୍ତିଭୁମି । ପୁର୍ବରୁ ଥିବା ଭିତ୍ତିଭୁମିକୁ ପୁନଃଉଦ୍ଧାର କରାଗଲେ ଉପାନ୍ତରୁ ଅନେକ ଯୁବ ପ୍ରତିଭା ସୃଷ୍ଟି ହୋଇପାରିବେ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

ଦେଶବାସୀଙ୍କ ପ୍ରଧାନମନ୍ତ୍ରୀଙ୍କ ସମ୍ବେଧାନ, ଜାଣନ୍ତୁ କଣ କହିଲେ ?

ନନ୍ଦିଘୋଷ ବ୍ୟୁରୋ: ବିକଶିତ ଭାରତ ଲକ୍ଷ୍ୟରେ ଆତ୍ମନିର୍ଭରଶୀଳ ହେବାକୁ ପଡି଼ବ। ନାଗରିକ ଦେବୋ ଭବ ନୀତିରେ ଭାରତ ଅଗ୍ରସର ହେଉଛି। ଆସନ୍ତାକାଲିଠୁ ଜିଏସଟି ସଞ୍ଚୟ ଉତ୍ସବ। ସ୍ବଦେଶୀ ଭାବନା ବର୍ତ୍ତମାନ ଦେଶର ଆହ୍ବାନ। ମେଡ ଇନ ଇଣ୍ଡିଆ ସାମଗ୍ରୀ କିଣିବା ଏବଂ ଏହାର ବ୍ୟବହାର କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତାକାଲିଠାରୁ ଦେଶରେ ନୂଆ ଜିଏସଟି କାର୍ଯ୍ୟକାରୀ ହେବା ପୂର୍ବରୁ ଦେଶବାସୀଙ୍କୁ ଉଦବୋଧନ ଦେଇ ମୋଦି କହିଛନ୍ତି-ଦେଶର ଗରିବ, ମଧ୍ୟବିତ୍ତ, ନିମ୍ନମଧ୍ୟବିତ୍ତ, ମହିଳା, ବ୍ୟବସାୟୀ ଓ ଯୁବବର୍ଗ ଏହା ଯୋଗୁ ଉପକୃତ ହେବେ। ଏହା ଭାରତର ଅଭିବୃଦ୍ଧି ହାରକୁ ପରିବର୍ଦ୍ଧିତ କରିବ। ଦେଶକୁ ନିବେଶ ଅଧିକ ଆକର୍ଷିତ ହେବ। ପ୍ରତି ରାଜ୍ୟକୁ ନୂଆ ଜିଏସଟି ବିକାଶର ମାର୍ଗ ଦେଖାଇଛି। ଦେଶବାସୀ ଭିନ୍ନ ଭିନ୍ନ କର ଦେଇ ନୟାନ୍ତ ହୋଇଯାଇଥିଲେ। ପ୍ରତି ସ୍ଥାନରେ ଟାକ୍ସର ଅଲଗା ଅଲଗା ନିୟମ ରହିଥିଲା। ମାତ୍ର ଗୋଟିଏ ଜିଏସଟି ନୀତି ଯୋଗୁ ସାରା ଦେଶବାସୀ ଉପକୃତ ହୋଇଛନ୍ତି। ନୂଆ ଜିଏସଟି ଯୋଗୁ ଏମଏସଏମଇ, କ୍ଷୁଦ୍ର ଶିଳ୍ପ, କୁଟୀର ଉଦ୍ୟୋଗ ବିଶେଷ ଉପକୃତ ହେବେ। ନବରାତ୍ରୀ ପୂର୍ବରୁ ଉଦବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି- କର ସଂସ୍କାର ଯୋଗୁ ଭାରତୀୟମାନେ ୨ ଲକ୍ଷ ୫୦ ହଜାର କୋଟି ଟଙ୍କା ସଞ୍ଚୟ କରିପାରିବେ।  ବାର୍ଷିକ ୧୨ ଲକ୍ଷ ଟଙ୍କାର ଟାକ୍ସ ସ୍ଲାବରେ ଆୟକର ନଥିବାରୁ ମଧ୍ୟବିତ୍ତମାନେ ଉପକୃତ ହେଉଛନ୍ତି। ମଧ୍ୟବିତ୍ତଙ୍କ ଦ୍ବାରା ବ୍ୟବହୃତ ପ୍ରାୟ ୯୯ ପ୍ରତିଶତ ସାମଗ୍ରୀର ଦର ହ୍ରାସ ପାଇଛି।

କଦଳୀ ଚାଷରୁ ଲକ୍ଷ ଲକ୍ଷ ରୋଜଗାର

ନନ୍ଦିଘୋଷ ବ୍ୟୁରୋ: ରୋଜଗାର ଦେଉଛି କଦଳୀ ଚାଷ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ୧୦ଟି ପଞ୍ଚାୟତରେ ୬୨୫ ହେକ୍ଟର ଜମିରେ ହୋଇଛି କଦଳୀ ଚାଷ । କଦଳୀ ଚାଷ କରି ଲାଭବାନ ହେଉଛନ୍ତି ଅନେକ ଚାଷୀ । ସରକାର କଦଳୀର ବିକ୍ରିବଟା ପାଇଁ ବଜାର ବ୍ୟବସ୍ଥା ଯୋଗାଇଦେବାକୁ ଚାଷୀ ଦାବି କରିଛନ୍ତି ।

ଲାଭ ଦେଉଛି କଦଳୀ ଚାଷ । ନିଜସ୍ଵ ଉଦ୍ୟମରେ ଚାରା ଲଗାଇ ସ୍ଵାବଲମ୍ବୀ ଚାଷୀ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ବିଭିନ୍ନ ଗାଁରେ କଦଳୀ ଚାଷ କରି ଲାଭବାନ ଚାଷୀ । ଛେଣ୍ଡିପଦା ବ୍ଲକର ନୂଆଗାଁ, ତଣ୍ଟୁଲୋଇ, କଣଲୋଇ, କୁକୁରପେଟା, ବ୍ରାହ୍ମଣବିଲ ଆଦି ୧୦ଟି ପଞ୍ଚାୟତରେ ୬୨୫ ହେକ୍ଟର ଜମିରେ କଦଳୀ ଚାଷ କରିଛନ୍ତି ଚାଷୀ । ଅନୁଗୁଳ, ସମ୍ବଲପୁର, ତାଳଚେର ଅଂଚଳର ବ୍ୟବସାୟୀ ଓ ସ୍ଥାନୀୟ ଲୋକେ ଚାଷୀଙ୍କ ବଗିଚାକୁ ଯାଇ କଦଳୀ କିଣିନେଉଛନ୍ତି । ଅଳ୍ପ ପରିଶ୍ରମରେ କଦଳୀ ଚାଷରୁ ଭଲ ଲାଭ ମିଳୁଥିବାରୁ ଚାଷୀ ବେଶ ଖୁସି ହେଉଛନ୍ତି ।

ଛେଣ୍ଡିପଦା ବ୍ଲକରେ ୬୨୫ ହେକ୍ଟର ଜମିରେ ଚାଷୀ କଦଳୀ ଚାଷ କରିଥିବା ବେଳେ ସରକାର ଏକ ହେକ୍ଟର କଦଳୀ ଚାଷ ପିଛା ୩୦ ହଜାର ଟଙ୍କା ସହାୟତା ରାଶି ଦିଆଯିବ ବୋଲି ଘୋଷଣା କରିଛନ୍ତି । କିନ୍ତୁ ବାସ୍ତବ କ୍ଷେତ୍ରରେ କଦଳୀ ଚାଷୀଙ୍କୁ କୌଣସି ସହାୟତା ମିଳୁନାହିଁ  l ଏପରିକି ଚାଷୀ ମାନଙ୍କୁ ଉପଯୁକ୍ତ ବଜାର ସୁବିଧା ମିଳୁ ନଥିବାରୁ ଚାଷୀ କ୍ଷତି ସହୁଥିବା କହିଛନ୍ତି ।

 

ମୁକୁଳା ପଡିଛି ଭଦ୍ରକ ସହରର ପ୍ରମୁଖ ପ୍ରବେଶ ପଥ, ଏଯାଏଁ ଲାଗିନି ସିସିଟିଭି

ନନ୍ଦିଘୋଷ ବ୍ୟୁରୋ: ମୁକୁଳା ପଡିଛି ଭଦ୍ରକ ସହରର ପ୍ରମୁଖ ପ୍ରବେଶ ପଥ । ପ୍ରବେଶ ପଥ ଗୁଡିକରେ ଏଯାଏଁ ଲାଗିନି ସିସିଟିଭି । ଫଳରେ ବେଧଡ଼କ ଅପରାଧ ଘଟାଇ ପୋଲିସ ଆଖିରେ ଧୂଳି ଦେଇ ଖସି ଯାଉଛନ୍ତି ଅପରାଧି । ଆଗକୁ ପାର୍ବଣ ଆସୁଥିବା ବେଳେ ଏସବୁ ପ୍ରତି ଧ୍ୟାନ ଦେବାକୁ ଦାବି କରିଛନ୍ତି ସହରବାସୀ । ଅନ୍ୟପଟେ ଖୁବଶୀଘ୍ର ସହରରେ ବ୍ୟାପକ ସିସିଟିଭି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୂର୍ବାଞ୍ଚଳ ଡିଜି ।

ମୁକୁଳା ପଡିଛି ଭଦ୍ରକ ସହରର ପ୍ରମୁଖ ପ୍ରବେଶ ପଥ । ଅନେକ ସ୍ଥାନରେ ଏଯାଏଁ ଲାଗିନି ସିସିଟିଭି । ଲାଗିଥିବା ଅନେକ କ୍ୟାମେରା ଅଚଳ ହୋଇପଡିଛି । ଫଳରେ ସହରରେ ବେଧଡକ ଚାଲିଛି ଛିନତାଇ, ଲୁଟ, ଡକାୟତି, ବ୍ରାଉନସୁଗାର ବେପାର। କ୍ରାଇମ କରିବା ପରେ ପୋଲିସ ଆଖିରେ ଧୂଳି ଦେଇ ଖସି ଯାଉଛନ୍ତି କ୍ରିମିନାଲ । ଅନେକ ଘଟଣାରେ ପୋଲିସ ଅପରାଧିଙ୍କ ଟେର ପାଉନି । ଅନ୍ୟପଟେ ବିଭିନ୍ନ କ୍ରାଇମର ଶିକାର ହେଉଥିବା ପୀଡିତ ମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି । ସହରରେ ଶୀଘ୍ର ସିସିଟିଭି ବ୍ୟବସ୍ଥାକୁ ମଜଭୂତ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

ଭଦ୍ରକ ସହରର ଆରଡ଼ି ଛକ, ବନ୍ତ ଛକ, ବାଇପାସ, ଚରମ୍ପା ଆଦି ପ୍ରମୁଖ ପ୍ରବେଶ ପଥ । ସେହିପରି କଲେଜ ଛକ, ରାଜଘାଟ ଛକ, ନୂଆ ବସଷ୍ଟାଣ୍ଡ ଆଦି ସ୍ଥାନ ମାନଙ୍କରେ ବିଭିନ୍ନ ସମୟରେ ଅପରାଧ ଘଟି ଚାଲିଛି । ଏହି ସବୁ ଛକ ମାନଙ୍କରେ ସିସିଟିଭି ନିହାତି ଆବଶ୍ୟକ । ଅନ୍ୟପଟେ ପାର୍ବଣ ପୂର୍ବରୁ ସହରରେ ବ୍ୟାପକ ସିସିଟିଭି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୂର୍ବାଞ୍ଚଳ ଡିଜି। ସହରରେ କେବେ ସିସିଟିଭି ବ୍ୟବସ୍ଥା ସୁଦୃଢ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ପୁଣି ଆନ୍ଧ୍ରର ମନମାନି, ଓଡିଆ ପିଲାଙ୍କୁ ପଢାଉଛି ତେଲୁଗୁ

ନନ୍ଦିଘୋଷ ବ୍ୟୁରୋ: ଓଡିଶା ଭିତରକୁ ମାଡି ଆସୁଛି ଆନ୍ଧ୍ର । କୋଟିଆ ପଞ୍ଚାୟତର ନେରେଡିବାଲ୍ସ, ଧୂଳିପଦର, ଗଞ୍ଜେଇପଦର, ଉପରସେମ୍ବୀ, ତଳସେମ୍ବୀ, ଫଗୁଣ ସିନେରୀ ଗାଁରେ ସ୍କୁଲ ଖୋଲି ପିଲାଙ୍କୁ ତେଲୁଗୁରେ ପାଠ ପଢାଉଛି ଆନ୍ଧ୍ର ସରକାର । ଓଡ଼ିଆ ଭାଷା ବୁଝୁନାହାଁନ୍ତି କୁନିକୁନି ପିଲା । ଘଟଣାକୁ କୋଟିଆ ସରପଞ୍ଚ ନିନ୍ଦା କରିବା ସହ ବେଳ ଥାଉଥାଉ ଓଡିଶା ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

ଆନ୍ଧ୍ରର ମନମାନି । ଓଡିଆ ପିଲାଙ୍କୁ ପଢାଉଛି ତେଲୁଗୁ  । ଟଙ୍କା ଲୋଭ ଦେଖାଇ କରୁଛି ଆନ୍ଧ୍ରମୁହାଁ । କୋଟିଆରୁ ଓଡ଼ିଆ ଭାଷାକୁ ବିଲୁପ୍ତ ସକାଶେ ଆନ୍ଧ୍ର କରୁଛି ଷଡଯନ୍ତ୍ର । ଆନ୍ଧ୍ରସୀମାକୁ ଲାଗି ରହିଥିବା କୋଟିଆ ପଞ୍ଚାୟତର ନେରେଡିବାଲ୍ସ. ଉପରସେମ୍ବୀ, ତଳସେମ୍ବୀ, ଧୂଳିପଦର, ଗଞ୍ଜେଇପଦର, ଫଗୁଣ ସିନେରୀ ଗାଁରେ ଆନ୍ଧ୍ର ଚକ୍ରାନ୍ତ ଚଲାଇଛି । ଏହି ସମସ୍ତ ଗାଁରେ ସ୍କୁଲ ଖୋଲି ଶିକ୍ଷକ ନିଯୁକ୍ତି କରି ପିଲାଙ୍କୁ ତେଲୁଗୁ ଭାଷାରେ ପାଠ ପଢାଉଛି । ଫଳରେ କୁନିକୁନି ପିଲା ଆଉ ଓଡିଆ ଭାଷା ବୁଝିବା ସ୍ଥିତିରେ ନାହାନ୍ତି । ପଡୋଶୀ ଆନ୍ଧ୍ରପ୍ରଦେଶ ସ୍କୁଲରେ ନାମ ଲେଖାଉଥିବା ପ୍ରତି ପିଲାଙ୍କ ପିଛା ଆନ୍ଧ୍ର ୧୫ ହଜାର ଟଙ୍କା ଆର୍ଥିକ ସହାୟତା ଦେଇ ପ୍ରଲୋଭିତ କରୁଛି । ଫଳରେ ଅଭିଭାବକ ମାନେ ଆନ୍ଧ୍ର ମୁହାଁ ହେଉଛନ୍ତି । କୋଟିଆରେ ପିଲାଙ୍କ ପାଠପଢା ନିମନ୍ତେ ଓଡିଶା ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ତାଡ଼ିବାଲସା ଗାଁରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆବାସିକ ବିଦ୍ୟାଳୟ, କୋଟିଆରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଗଞ୍ଜେଇ ପଦର ଗାଁରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯାଇଛି । ତଥାପି ପିଲା ଆନ୍ଧ୍ର ଦ୍ବାରା ପ୍ରଲୋଭିତ ହେଉଛନ୍ତି ।

କୋଟିଆରେ ଆନ୍ଧ୍ର ପରିଚାଳିତ ସ୍କୁଲକୁ ପ୍ରତିଦିନ ଆନ୍ଧ୍ରରୁ ଶିକ୍ଷକ ଆସୁଛନ୍ତି । କେବଳ ଶିକ୍ଷା ନୁହେଁ ତେଲୁଗୁ ଢଙ୍ଗରେ ମଧ୍ୟାହ୍ନ ଭୋଜନ ବି ଦିଆଯାଉଛି । ଖଟା ଭାତ, ତରକାରୀ, ଅଣ୍ଡା ସହ ବାଦାମ ମିଠା ପ୍ରଦାନ କରାଯାଉଛି । କୋଟିଆରେ ଆନ୍ଧ୍ର ଅଙ୍ଗନବାଡି ବି ଚାଲିଛି। ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯାଇଛି। ଆନ୍ଧ୍ରର ମନମାନିକୁ ରୋକା ନଗଲେ ଆଗାମୀ ଦିନରେ କୋଟିଆରେ ଓଡ଼ିଆ ଭାଷା ବିପର୍ଯ୍ୟୟର ହେବ ସମ୍ମୁଖୀନ।

ସାତ ମାସର ଗର୍ଭବତୀଙ୍କୁ ବସଷ୍ଟାଣ୍ଡରେ ଛାଡ଼ି ସ୍ବାମୀ ଫେରାର

ନନ୍ଦିଘୋଷ ବ୍ୟୁରୋ: ସାତ ମାସର ଗର୍ଭବତୀଙ୍କୁ ବସଷ୍ଟାଣ୍ଡରେ ଛାଡ଼ି ସ୍ବାମୀ ଫେରାର । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ । ସ୍ବାମୀ ଛାଡ଼ି ପଳାଇବା ପରେ ମାନସିକସ୍ତରରେ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଥିବା ମହିଳା ଜଣଙ୍କ ସ୍ପଷ୍ଟ ଭାବରେ କିଛି କଥା କହପାରୁନଥିଲେ । ଏଭଳି କି ଲୋକଙ୍କୁ ଦେଖି ଭୟ କରୁଥିଲେ । ମହିଳାଙ୍କ କହିବା ଅନୁଯାୟୀ ତାଙ୍କ ସ୍ବାମୀଙ୍କ ନାମ ଦିନେଶ ଜାନି । କିଛି ବର୍ଷ ତଳେ ଦୁହେଁ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ସ୍ବାମୀ ଦିନେଶ ଓ ମହିଳା ବସ ଯୋଗେ ଉମରକୋଟ ଆସି ନୁଆ ବସଷ୍ଟାଣ୍ଡ ଠାରେ ଓହ୍ଲାଇଥିଲେ । ପହଞ୍ଚିବା ପରେ ସ୍ବାମୀ କେଉଁଆଡେ ଫେରାର ହୋଇଯାଇଛନ୍ତି । ସ୍ବାମୀଙ୍କ ଅପେକ୍ଷା ଓ ଅସହାୟ ଅବସ୍ଥାରେ ବସଷ୍ଟାଣ୍ଡରେ ହିଁ ବସି ରହିଥିଲେ ଗର୍ଭବତୀ । ତେବେ ଖବର ପାଇ ଆଜି ଶୋଭା NGOର ଜିଲ୍ଲା ସଂଯୋଜିକା ଉମା ଶତନାମୀ ଏବଂ ନବରଙ୍ଗପୁର ସଖୀ ୱାନ ଷ୍ଟପ ସେଣ୍ଟରର ଜସ୍ନିନ ସିଂ ତାଙ୍କୁ ଉଦ୍ଧାର କରି ୱାନ ଷ୍ଟପ ସେଣ୍ଟରରେ ରଖିଛନ୍ତି ।

ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲି ଏବଂ ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକଙ୍କୁ ଗିରଫ ଦାବି କଲା ଜେନ ଜେଡ୍

ନନ୍ଦିଘୋଷ ବ୍ୟୁରୋ: ନେପାଳ ସରକାରଙ୍କ ନିକଟରେ ଦାବି ଦୋହରାଇଲା ଜେନ ଜେଡ। ପୂର୍ବତନ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲି ଏବଂ ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକଙ୍କୁ ଗିରଫ ଦାବି କଲା ଜେନ ଜେଡ। ଗତ ୮ ତାରିଖରେ ନେପାଳରେ ହୋଇଥିବା ହିଂସା ତଥା ସରକାର ବିରୋଧୀ ହିଂସାରେ ପ୍ରାଣ ହରାଇଥିଲେ ୧୯ ଜଣ। ସେମାନଙ୍କ ମୃତ୍ୟୁ ଲାଗି ଉଭୟ ଓଲି ଏବଂ ରମେଶ ଦାୟୀ ବୋଲି କହିଛି ଜେନ ଜେଡ। ଏହି ଦୁଇ ନେତା କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ କରିଛି ଜେନଜେଡ। ଜେନ ଜେଡର ପରାମର୍ଶଦାତା ନିକୋଲାସ ଭୂସାଲ କହିଛନ୍ତି- ନେପାଳ ହିଂସାରେ ଓଲି, ଲେଖକ ଓ କାଠମାଣ୍ଡୁର ମୁଖ୍ୟ ଜିଲ୍ଲା ଅଧିକାରୀ ଛବି ରିଜାଲଙ୍କୁ ତୁରନ୍ତ ଗିରଫ କରାଯାଉ। ପୋଲିସର ଗୁଳି ଲାଗି ଏହି ୩ ଜଣ ଦାୟୀ ବୋଲି ସେ କହିଛନ୍ତି। ଦେଶରେ ସୋସିଆଲ ମିଡିଆ ନିଷିଦ୍ଧ ଏବଂ ବ୍ୟାପକ ଦୁର୍ନୀତି ପରେ ହିଂସା ତେଜିଥିଲା। ଦେଶରେ ବ୍ୟାପକ ପୋଡ଼ାଜଳା ଓ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା।