spot_img
Home Blog Page 197

ସମସ୍ୟା ଘେରରେ କନ୍ଧମାଳ ବାଲିଗୁଡ଼ାର ପିପଳସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ବାଲିଗୁଡ଼ା : ନାହିଁ ନାହିଁରେ ଚାଲିଛି ସରକାରୀ ବିଦ୍ୟାଳୟ । ସ୍କୁଲରେ ନା ଅଛି ଆବଶ୍ୟକୀୟ ଶ୍ରେଣୀ ଗୃହ । ନା ଅଛି ସୁଦୃଢ ଭିତ୍ତିଭୂମି । ସମସ୍ୟା ଘେରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସିର ପିପଳସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ବିଦ୍ୟାଳୟରେ ବାଲ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୮୭ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ହେଲେ ବିଦ୍ୟାଳୟରେ ନାହିଁ ଆନୁସଙ୍ଗିକ ସୁବିଧା ସୁଯୋଗ । ପାଚେରୀ ନଥିବାରୁ ମୁକୁଳା ପଡ଼ିଛି ବିଦ୍ୟାଳୟ କ୍ୟାମ୍ପସ । ଶ୍ରେଣୀ ଗୃହ ଛାତରୁ ପ୍ଲାଷ୍ଟର ଖସି ଲୁହା ରଡ଼ ଜଳଜଳ ହୋଇ ଦେଖାଗଲାଣି । ଖାଲି ସେତିକି ନୁହେଁ ଭଙ୍ଗାଦଦରା ଘରେ ରୋଷେଇ ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ । ବିଦ୍ୟାଳୟ ସମସ୍ୟା ସଂପର୍କରେ ଅନେକ ଥର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଗଲାଣି ହେଲେ ଫଳ ଶୂନ ।

ପାଚେରୀ ନଥିବାରୁ ବିଦ୍ୟାଳୟ ପରିସରରେ ରାତି ହେଲେ ଅସାମାଜିକ ଲୋକେ ଆଡ୍ଡା ଜମାଉଛନ୍ତି । ପିଲା ମଧ୍ୟାହ୍ନ ଭୋଜନ ଖାଇବା ସମୟରେ ସ୍କୁଲ ପରିସରକୁ ଗାଈଗୋରୁ, ଛେଳି ମଧ୍ୟ ପଶି ଆସୁଥିବା ଅଭିଯୋଗ ହୋଇଛି । ସରକାର ଏଥିପ୍ରତି ଦୃଷ୍ଟି ଦେଇ ବିଦ୍ୟାଳୟ ସମସ୍ୟା ସୁଧାରିବାକୁ ଦାବି କରିଛନ୍ତି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ ସଦସ୍ୟ । ସେପଟେ ସମସ୍ୟା ସଂପର୍କରେ ଆମେ ଅବଗତ ଅଛୁ । ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ । ଏହି ବିଦ୍ୟାଳୟ ପ୍ରତି ପ୍ରଶାସନ ଓ ଶିକ୍ଷା ବିଭାଗର କେବେ ଦୃଷ୍ଟି ପଡୁଛି ? କେବେ ସମସ୍ୟାର ସମାଧାନ ହେଉଛି ତାକୁ ହିଁ ଅପେକ୍ଷା ।

ଦକ୍ଷିଣ ଆଫ୍ରିକା ବିପକ୍ଷ ପରାଜୟ ସାଜିବ ଟିମ୍ ଇଣ୍ଡିଆ ପାଇଁ ଚାମ୍ପିୟନର ଗ୍ୟାରେଣ୍ଟି !

ଟି-୨୦ ବିଶ୍ବକପରେ ଭାରତ ୭୬ ରନରେ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଛି । ଏବେ ଏହି ପରାଜୟ ଭାରତକୁ ଚାମ୍ପିୟନ କରାଇବାର ଗ୍ୟାରେଣ୍ଟି ହୋଇପାରେ । ଅନେକ ସମୟରେ କିଛି ଜିତିବା ପାଇଁ କିଛି ହାରିବାକୁ ପଡ଼ିଥାଏ । ହାରି କରି ଜିତିଲେ ତାହାକୁ ବାଜିଗର କୁହାଯାଇଥାଏ । ତେବେ ବଲିଉଡ ଫିଲ୍ମ ‘ବାଜିଗର’ର ଏହି ଡାଇୟଲ ଏବେ ଟିମ୍ ଇଣ୍ଡିଆ ଉପରେ ଲାଗୁ ହେଉଥିବା ଦେଖାଯାଉଛି । ଭାରତ ଚଳିତ ବିଶ୍ବକପର ଗ୍ରୁପ ଷ୍ଟେଜରେ ସମସ୍ତ ମ୍ୟାଚ ଜିତିଥିଲା । ମାତ୍ର ସୁପର-୮ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଠାରୁ ପରାଜିତ ହେବାକୁ ପଡ଼ିଥାଏ ।

ତେବେ ଏହି ହାର ଟି-୨୦ ବିଶ୍ବକପ ୨୦୨୬ରେ ଟିମ୍ ଇଣ୍ଡିଆକୁ ଚାମ୍ପିୟନ କରାଇବାର ଗ୍ୟାରେଣ୍ଟି ହୋଇପାରେ । ଏହା ପଛର କାରଣ ପାଇଁ ଟୁର୍ଣ୍ଣାମେଣ୍ଟର ଇତିହାସକୁ ଫେରିବାକୁ ପଡ଼ିବ । ଚଳିତ ବିଶ୍ବକପରେ ଭାରତୀୟ ଟିମ୍ ସହ ଯାହା ହୋଇଛି, ତାହା ୧୯ ବର୍ଷ ପୂର୍ବରୁ ଟି-୨୦ ବିଶ୍ବକପ ୨୦୦୭ରେ ହୋଇଥିଲା । ସେ ସମୟରେ ଭାରତ ଦ୍ବିତୀୟ ରାଉଣ୍ଡର ପ୍ରଥମ ମୁକାବିଲା ହାରିଯାଇଥିଲା । ମାତ୍ର ତା’ପରେ ଯାହା ହୋଇଥିଲା ତାହା ଇତିହାସରେ ଲିପିବଦ୍ଧ ହୋଇ ରହିଛି । ୨୦୦୭ ଟି-୨୦ ବିଶ୍ବକପରେ ଦ୍ବିତୀୟ ରାଉଣ୍ଡର ପ୍ରଥମ ମୁକାବିଲା ହାରିବା ପରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଜିତିଥିଲା । ଦୁଇ ମ୍ୟାଚ ଜିତିବା ସହ ନିଜର ରନରେଟକୁ ମଧ୍ୟ ସୁଧାରିଥିଲା ଭାରତ । ଏପରି କରି ଭାରତ ସେମିଫାଇନାଲରେ ପ୍ରବେଶ କରିଥିଲା ।  ୨୦୦୭ରେ ଭାରତ ସେମିଫାଇନାଲରେ ଜିତିବା ସହ ପାକିସ୍ତାନକୁ ଫାଇନାଲକୁ ହରାଇ ଚାମ୍ପିୟନ ହୋଇଥିଲା । ଅନୁରୂପ ଭାବେ ୧୯ ବର୍ଷ ପରେ ଟି-୨୦ ବିଶ୍ବକପରେ ଏପରି କିଛି ପରିସ୍ଥିତି ସୃଷ୍ଟି ହୋଇଛି । ଭାରତୀୟ ଟିମ୍ ଦ୍ବିତୀୟ ରାଉଣ୍ଡର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଛି । ଭାରତ ହାରିବା ଅଗଣିତ ଫ୍ୟାନ୍ସଙ୍କ ଦୁଃଖ ଦେଇଛି ସତ, ମାତ୍ର ଏହି ପରାଜୟ ଭାରତକୁ ଚାମ୍ପିୟନ କରାଇବାର କାରଣ ସାଜିପାରେ । ସହଜ ଶବ୍ଦରେ କହିଲେ ଭାରତ ପରବର୍ତ୍ତୀ ମ୍ୟାଚରେ ଜିମ୍ବାଓ୍ବେ, ଓ୍ବେଷ୍ଟଇଣ୍ଡିଜକୁ ଭେଟିବ । ଏପରି ସ୍ଥିତିରେ ୧୯ ବର୍ଷର ଇତିହାସକୁ ରିପିଟ୍ କରିବାର ସୁଯୋଗ ରହିଛି ଭାରତ ପାଖରେ ।

ଜଗତସିଂହପୁରରେ ଚାଲିଥିବା ଅନୁପ୍ରବେଶକାରୀ ଚିହ୍ନଟ ଓ ବେଆଇନ ବାଲିଘାଟ, ଇଟା ଭାଟି ଉଚ୍ଛେଦ ପ୍ରକ୍ରିୟା ଗଲା କୁଆଡ଼େ ?

ଜଗତସିଂହପୁର : ଘନଘନ ଚଢ଼ାଉ ଓ ଧରପଗଡ଼ରେ ବ୍ରେକ । କିଛି ଦିନର ଆକ୍ସନ ପରେ ଚୁପ ପ୍ରଶାସନ । ଜଗତସିଂହପୁର ଜିଲ୍ଲା ତରିକୁନ୍ଦର ବେହେରାହିମ୍ପୁର ଓ ଧନୀପୁର ଅଞ୍ଚଳର ସାତପୁରା ଠାରେ ବାଂଲାଦେଶୀଙ୍କୁ ଚିହ୍ନଟ ପରେ ଆରମ୍ଭ ହୋଇଥିଲା ଧରପଗଡ଼ । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ଉଚ୍ଛେଦ କରାଯାଇଥିଲା । ପରେ ବେଆଇନ ବାଲିଘାଟ ଓ ଇଟା ଭାଟି ଗୁଡିକୁ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତନାଘନା ଚାଲିଥିଲା । ପ୍ରଥମେ ମହାନଦୀର କିଳିପାଳ ଘାଟ, ଜଇପୁର ମହାନଦୀ ଘାଟ, କ୍ରିଷ୍ଣାନନ୍ଦପୁର ଠାରେ ବେଆଇନ ବାଲିଘାଟ ଉପରେ ଚଢାଉ କରାଯାଇଥିଲା । ୭୮ ଟି ହାଇୱା ସହ ୯ଟି ଏକ୍ସ ଭାଇଟର ମେସିନ୍ ଜବତ କରାଯାଇଥିଲା । ବିଓଁଳ ଠାରେ ଥିବା ଇଟା ଭାଟି ଉପରେ ବୁଲଡୋଜର ଚାଲିଥିଲା । ଏବେ ପ୍ରଶାସନର ସ୍ଥାଣୁତା ନେଇ ଚର୍ଚ୍ଚା ଜୋର ଧରିଛି ।

ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାରୁ ବେଧଡ଼କ ବାଲି ଚୋରା ଚାଲାଣ ଚାଲିଛି । ଶ୍ମଶାନ ଓ ଗୋଚରଜମିକୁ ଜୋରଜବରଦସ୍ତି କବଜା କରି ଇଟା ଭାଟି ମାଲିକ ମାନେ ଇଟା ଭାଟି ଖୋଲିସାରିଲେଣି । ଚାରିଆଡ଼େ ଖାଲି ଧୂଆଁ ଆଉ ଧୂଆଁ । ହେଲେ ପ୍ରଶାସନ ଚୁପ ବସିଥିବା ଅଭିଯୋଗ ହୋଇଛି । ଏଠି ପ୍ରଶ୍ନ ଉଠୁଛି- ଏବେ କଣ ଜିଲ୍ଲାରେ ନାହାନ୍ତି ଅନୁପ୍ରବେଶକାରୀ ? ନା ବେଆଇନ ବାଲିଘାଟ କି ଇଟା ଭାଟି ନାହିଁ ? କାହା ଚାପରେ ଚୁପ ବସିଛି ପ୍ରଶାସନ ?

ଅବହେଳିତ ଅବସ୍ଥାରେ ପୂଣ୍ୟତୋୟା ପ୍ରାଚୀ ନଦୀ

କୋଣାର୍କ : ଅବହେଳିତ ଅବସ୍ଥାରେ ପୂଣ୍ୟତୋୟା ପ୍ରାଚୀ ନଦୀ । କୁଢକୁଢ ଅଳିଆ ଆବର୍ଜନାରେ ହେଲାଣି ଭର୍ତ୍ତି । ଦଳ ଭିତରେ ଅସ୍ତିତ୍ଵ ଖୋଜୁଛି ଓଡ଼ିଶାର ସର୍ବପୁରାତନ ନଦୀ । କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରବାହିତ ହେଉଥିବା ପ୍ରାଚୀ ନଦୀ କୂଳରେ ଅନେକ ପ୍ରାଚୀନ ଶୈବପୀଠ, ଦେବୀ ପୀଠ ଓ ଭାସ୍କର୍ଯ୍ୟ ଦେଖିବାକୁ ମିଳେ । ମାତ୍ର ବିଡମ୍ବନାର ବିଷୟ, ପୂଣ୍ୟତୋୟା ପ୍ରାଚୀ ଆଜି ବିଲୁପ୍ତପ୍ରାୟ । ଫୁଲନଖରା ଠାରୁ କାକଟପୁର ଅସ୍ତରଙ୍ଗ ମୁହାଣ ପର୍ଯ୍ୟନ୍ତ ଲମ୍ବିଥିବା ପ୍ରାଚୀ ନଦୀର ଗର୍ଭ ଦଳରେ ଭର୍ତ୍ତି ହୋଇଗଲାଣି । ଅନେକ ସ୍ଥାନରେ ନଦୀଗର୍ଭ ଶୁଖିଲା ପଡ଼ିଛି ।

ଅତୀତରେ ଜଳପଥରେ ଗମନାଗମନ, ବାଣିଜ୍ୟ ଓ ପରିବହନ ପାଇଁ ପ୍ରାଚୀର ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ ଥିଲା । ସାଧବ ଓ ବଣିକମାନେ ପ୍ରାଚୀ ନଦୀର ଜଳପଥ ଦେଇ ସମୁଦ୍ରକୁ ପ୍ରବେଶ କରି ସୁଦୂର ବାଲି ସୁମାତ୍ରା ଓ ସିଂହଳ ଦେଶକୁ ଯାଇ ବଣିଜ ବ୍ୟବସାୟ କରୁଥିଲେ । ଖାଲି ସେତିକି ନୁହେଁ ପ୍ରାଚୀ ନଦୀର ତ୍ରିବେଣୀ ଘାଟରେ ବୁଡ଼ ପକାଇଲେ ସମସ୍ତ ପାପ କ୍ଷୟ ହୁଏ ବୋଲି ରହିଛି ବିଶ୍ଵାସ । ଏଠାରେ ପିତୃପୁରୁଷଙ୍କ ଲାଗି ପିଣ୍ଡଦାନ ଓ ଅସ୍ତି ବିସର୍ଜନ କରାଯାଏ । ମାତ୍ର ତ୍ରିବେଣୀ ଘାଟ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଲାଣି । ସରକାର ଯଥା ଶୀଘ୍ର ନଦୀର ପୁନରୁଦ୍ଧାର କରିବାକୁ ସାଧାରଣରେ ଦାବି ଜୋର ଧରିଛି । କେବେ ପ୍ରାଚୀ ନଦୀର ପୁନରୁଦ୍ଧାର ହେଉଛି ?  କେବେ ଓଡ଼ିଶାର ଐତିହ୍ୟ ବହନ କରୁଥିବା ନଦୀ ନିଜର ଅସ୍ତିତ୍ଵ ଫେରିପାଉଛି ? ତାକୁ ହିଁ ଅପେକ୍ଷା ।

କାଲି ଲୋୟର ପିଏମଜିରେ ଚାଷୀ ସମସ୍ୟା ନେଇ ବିଜେଡିର ବିକ୍ଷୋଭ

ଭୁବନେଶ୍ବର : ଆସନ୍ତା କାଲି ଲୋୟର ପିଏମଜିରେ ଗର୍ଜିବ ବିଜେଡି। ଚାଷୀ ସମସ୍ୟା ନେଇ ଦଳ କରିବ ବିକ୍ଷୋଭ। ଚାଷୀ, ଆଇନ ଶୃଙ୍ଖଳା ଭଳି କିଛି ବୃହତ୍ ସମସ୍ୟା ନେଇ ଆସନ୍ତାକାଲି ଭୁବନେଶ୍ଵର ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇବ ଦଳ। ଚାଷୀ, ଆଇନ ଶୃଙ୍ଖଳା ବିପର୍ଯ୍ୟୟ ଭଳି ସଙ୍ଗୀନ ସମସ୍ୟାକୁ ସରକାର ଅଣଦେଖା କରୁଥିବା ଯୋଗୁଁ ବିଜେଡି ରାଜ୍ୟବ୍ୟାପି ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛି। ରାଜ୍ୟ ସରକାର ବିଧାନସଭାକୁ ଭ୍ରମିତ କରୁଥିବା ଅଭିଯୋଗ ଆଣିଛି ବିଜେଡି । ମଣ୍ଡିରେ ଚାଷୀଙ୍କୁ ମାଡ଼ ମରାଯାଉଛି। ନିର୍ଯାତନା ଦିଆଯାଉଛି । ଦେଢ଼ ଲକ୍ଷ ଚାଷୀଙ୍କ ନା ଚଞ୍ଚକତା କରି ରେଜିଷ୍ଟ୍ରେସନ ଲିଷ୍ଟରୁ ମୋହନ ସରକାର ନା କାଟିଥିବା ବିଜେଡି ଅଭିଯୋଗ କରିଛି।

ବେକରେ ଭୁଜାଲି ଦେଖାଇ ୭୦ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟ୍…

ଉମରକୋଟ : ଭୁଜାଲି ଦେଖାଇ ୬ ଦୁର୍ବୃତ୍ତ ଘରୁ ଲୁଟିନେଲେ ୭୦ ଲକ୍ଷ ଟଙ୍କା ଓ ସୁନା ଗହଣା ।ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୋଚନିଆମ୍ବା ଗାଁରୁ ଲୁଟ ହୋଇଛି। ଗାଁର ଅମୂଲ୍ୟ ଜେନାଙ୍କ ଘରେ ଘଟିଛି ଏହି ଲୁଟ୍। ଗତ ତିନିମାସ ତଳେ ଜମି ବିକ୍ରି କରି ଘରେ ରଖିଥିଲେ ୭୦ ଲକ୍ଷ ଟଙ୍କା । ଗତ ରାତିରେ ଘରେ ଏକୁଟିଆ ଶୋଇଥିବା ସମୟରେ ବିଳମ୍ବିତ ରାତିରେ ଘର କବାଟ ତାଡି ୬ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶିଥିଲେ । ବେକରେ ଭୁଜାଲି ରଖି ଗାଳି ଗୁଲଜ କରି ହାତ ଗୋଡ଼ ବାନ୍ଧି ଗଡ଼ରେଜରୁ ୭୦ ଲକ୍ଷ ଟଙ୍କା ଓ ୧୪ଟି ସୁନାମୁଦି ଓ ତିନୋଟି ସୁନା ଲକେଟ ଓ କାନ ଫୁଲ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ଅନ୍ୟପଟେ ନବରଙ୍ଗପୁରରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିବେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ମହାକାଶରେ ଭାରତ ସ୍ଥାପନ କରିବ ପ୍ରଥମ AI ଡାଟା ସେଣ୍ଟର

ଭାରତ ଏବେ ମହାକାଶ ଓ AI କ୍ଷେତ୍ରରେ ନୂଆ ପଦକ୍ଷେପ ଆରମ୍ଭ କରିଛି । ଭାରତୀୟ ସ୍ପେସ କମ୍ପାନୀ Agnikul Cosmos ଓ AI କ୍ଲାଉଡ କମ୍ପାନୀ NeevCloud ସହ ମିଶି ମହାକାଶରେ ଭାରତର ପ୍ରଥମ AI ଡାଟା ସେଣ୍ଟର ପଠାଇବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ଡାଟା ସେଣ୍ଟର ପୃଥିବୀର ନିକଟ କକ୍ଷରେ ଲଗାଯିବ । କମ୍ପାନୀମାନେ କହିଛନ୍ତି, ଏହାର ପ୍ରଥମ ଟେଷ୍ଟ ଚଳିତ ବର୍ଷ ଶେଷ ଆଡ଼କୁ ହୋଇପାରେ । ଯଦି ଏହି ଟେଷ୍ଟ ସଫଳ ହୁଏ, ତେବେ ଆଗାମୀ ସମୟରେ ଏହି ଟେକନିକ ବହୁ ମାତ୍ରାରେ ବ୍ୟବହାର କରାଯାଇପାରେ ।

ଏନେଇ NeevCloud ପକ୍ଷରୁ କୁହାଯାଇଛି, ଏଥିପାଇଁ ପ୍ରସ୍ତୁତି ସରିଛି ଓ ପ୍ରୋଟୋଟାଇପ ଖୁବଶୀଘ୍ର ମହାକାଶକୁ ପଠାଯିବ । AI Impact Summit ୨୦୨୬ରେ ଏହି ଦୁଇ କମ୍ପାନୀ ଏକ ମଡେଲ ପ୍ରସ୍ତୁତ କରିଥିଲେ । କମ୍ପାନୀ କିପରି ସ୍ପେଶରେ ଡାଟା ସେଣ୍ଟର ଲଗାଇବା ପାଇଁ ପ୍ରସ୍ତୁତି କରିଛନ୍ତି ତାହା ଦେଖାଇଥିଲେ । ସବୁଠାରୁ ବଡ଼ କଥା ହେଉଛି, ଆମେରିକୀୟ ଅରବପତି ଏଲନ ମସ୍କ ମଧ୍ୟ SpaceX ମାଧ୍ୟମରେ ସ୍ପେସରେ ଡାଟା ସେଣ୍ଟର ସେଟଅପ କରିବାକୁ ପ୍ରସ୍ତୁତି କରୁଛନ୍ତି । ମାତ୍ର ତାହା ପାଇଲଟ ଓ ଡେମୋ ଷ୍ଟେଜରେ ରହିଛି ଓ ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରୋଟୋଟାଇପ ପଠାଇବାକୁ ଯୋଜନା ରହିଛି । ମହାକାଶରେ ଡାଟା ସେଣ୍ଟର ହେବାର ଅର୍ଥ ହେଉଛି AI ସହ ଜଡ଼ିତ କାମ ଉପରେ ହିଁ ହେବ । ସେଠାରେ ଡାଟା ପ୍ରୋସେସିଂ ହେବ । ଉକ୍ତ ଡାଟାକୁ ଉପରୁ ତଳକୁ ପଠାଇବାକୁ ସମୟ କମ୍ ହୋଇପାରେ । ଏହାଦ୍ବାରା AI ସହ ଜଡ଼ିତ ସେବା ଦ୍ରୁତ ହୋଇପାରେ ବୋଲି କମ୍ପାନୀମାନେ କହିଛନ୍ତି । ଏଥିସହିତ ଖର୍ଚ୍ଚ ମଧ୍ୟ କିଛି ମାତ୍ରାରେ କମ୍ ହୋଇପାରେ ।

ଏକ୍ସପର୍ଟଙ୍କ ମତରେ, ଏହା ଏକ ବଡ଼ ପ୍ରୟୋଗ । ଯଦି ଏହା ସଫଳ ହୁଏ, ତେବେ ଆଗାମୀ ଦିନରେ AI କାମ କରିବାର ତରିକା ବଦଳିପାରେ । ଆଜି ଯେଉଁ କାମ ଜମି ଉପରେ ଥିବା ଡାଟା ସେଣ୍ଟର କରୁଛି, ତାହା ଆଗକୁ  ଉପରେ ହିଁ ହେବ । ଏହାଦ୍ବାରା AI ସହ ଜଡ଼ିତ ସେବା ଭଲରେ ହୋଇପାରିବ । ମହାକାଶରେ ସୂର୍ଯ୍ୟ କିରଣ ସିଧାସଳଖ ମିଳିବ, ଫଳରେ ବିଜୁଳି ତିଆରି କରିବାରେ ସହାୟତା ମିଳିବ । ସେଠାକାର ପରିବେଶ ଥଣ୍ଡା ହୋଇଥିବାରୁ ମେଶିନକୁ ଥଣ୍ଡା ରଖିବାରେ କମ୍ ଖର୍ଚ୍ଚ ହେବ । ଜମିରେ ଯେପରି ବଡ଼ ଘର, ଏସି ଓ ଭାରି ବିଜୁଳିର ଆବଶ୍ୟକତା ହୁଏ, ସେଠାରୁ ତାହା କମ୍ ହେବ । ଏହି କାରଣରୁ ଦୀର୍ଘ ଅବଧିରେ ଏହି ତରିକା ସହ ଓ କମ୍ ଖର୍ଚ୍ଚର ହୋଇପାରେ ।

ଆମେରିକା ସହ ଯୁଦ୍ଧ ଆଶଙ୍କା, ଇରାନ ଛାଡ଼ିବାକୁ ନାଗରିକଙ୍କୁ ଭାରତୀୟ ଦୂତାବାସ ପକ୍ଷରୁ ଅପିଲ

ତେହରାନ ପରମାଣୁ କାର୍ଯ୍ୟକ୍ରମକୁ ନେଇ ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଏଭଳି ଯୁଦ୍ଧ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ଦୂତାବାସ ତରଫରୁ ଭାରତୀୟ ନାଗରିକଙ୍କୁ ଇରାନ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି । ଏଥିସହିତ ନାଗରିଙ୍କୁ ନିଜର ଯାତ୍ରା ଓ ପରିଚୟପତ୍ର ପ୍ରସ୍ତୁତ ରଖିବା ସହ ଦୂତାବାସ ସହ ସଂପର୍କ କରିବାକୁ କୁହାଯାଇଛି । ଯେଉଁ ଭାରତୀୟମାନେ ପଞ୍ଜିକରଣ କରାଇ ନାହାନ୍ତି, ସେମାନେ ଦୂତାବାସର ଅଫିସିଆଲ ଲିଙ୍କ ସହ ପଞ୍ଜିକରଣ କରିବାକୁ ପରାମର୍ଶ ଦିଆଯାଇଛି ।

ଇରାନରେ ଥିବା ଭାରତୀୟ ନାଗରିକ (ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ, ବ୍ୟବସାୟୀ, ପର୍ଯ୍ୟଟକ)ଙ୍କୁ ଅପିଲ କରାଯାଇଛି, ବଦଳୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଜର ସାମଗ୍ରୀ ଧରି ଇରାନ ଛାଡ଼ିବାକୁ କୁହାଯାଇଛି  । ଏହି ଆଡଭାଇଜରୀରେ ଇରାନରେ ଥିବା ଭାରତୀୟ ନାଗରିକଙ୍କୁ ବିରୋଧ ପ୍ରଦର୍ଶନରୁ ଦୂରେଇ ରହିବା, ଦୂତାବାସ ସହ ସମ୍ପର୍କରେ ରହିବା, ନିଜର ଯାତ୍ରା ଓ ପରିଚୟପତ୍ର ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଏଥିସହିତ ଜରୁରୀକାଳୀନ ହେଲପଲାଇନ ନମ୍ବର ଓ ଦୂତାବାସ ସହ ସଂପର୍କ ପାଇଁ ମଧ୍ୟ ବିବରଣୀ ପ୍ରଦାନ କରାଯାଇଛି । ଯେଉଁ ଭାରତୀୟମାନେ ପଞ୍ଜିକରଣ କରିନାହାନ୍ତି, ସେମାନେ ଅଫିସିଆଲ ଲିଙ୍କ ଜରିଆରେ ପଞ୍ଜିକରଣ କରାଇ ନେବାକୁ ଅନୁରୋଧ କରାଯାଇଛି ।

ଅଭିଷେକ ଶର୍ମା ଆହତ ହୋଇଥିଲେ, ଲୁଚାଇ ରଖାଯାଇଥିଲା ଏହି ବଡ଼ ସତ୍ୟ

ଚଳିତ ଟି-୨୦ ବିଶ୍ବକପ ୨୦୨୬ରେ ଓପନିଂ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମାଙ୍କ ପ୍ରଦର୍ଶନ ବହୁତ ନୈରାଶ୍ୟଜନକ ରହିଛି । ସେ କ୍ରମାଗତ ୩ଟି ମ୍ୟାଚରେ ଶୂନ ରନ କରିବା ପରେ ସୁପର-୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୫ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ । ତେବେ ଏହା ମଧ୍ୟରେ ଅଭିଷେକଙ୍କୁ ନେଇ ଆସିଛି ଏକ ଖବର । ଏହି ଟୁର୍ଣ୍ଣାମେଣ୍ଟରେ ଅଭିଷେକ ଆହତ ହୋଇଥିଲେ । ମାତ୍ର ଏହି ସତ୍ୟକୁ ଲୋକଲୋଚନକୁ ଅଣଯାଇନଥିଲା । ଏହି ଖବର ସାମ୍ନାକୁ ଆସିବା ପରେ ଏବେ ତାହା ସଭିଙ୍କୁ ଚକିତ ଦେଇଛି ।

ତେବେ ଅଭିଷେକ ଆହତ ହେବା ଖବର ସାମ୍ନାକୁ ଆସିବା ପରେ ତାହା ତାଙ୍କର ଖରାପ ପ୍ରଦର୍ଶନର କାରଣ ବୋଲି କୁହାଯାଉଛି । ଟିମର ଅଫିସିଆଲ ଫଟୋଶୁଟ ସମୟରେ ଅଭିଷେକଙ୍କ ହାତ କଟିଯାଇଥିଲା । ତାହା ଏତେ ଗମ୍ଭୀର ଥିଲା ଯେ, ଷ୍ଟିଚ ଲଗାଇବାକୁ ପଡ଼ିଥିଲା । ମାତ୍ର ଚୋଟକୁ ଖାତିର ନକରି ଅଭିଷେକ ପ୍ରଥମ ମ୍ୟାଚରେ ଆମେରିକା ବିପକ୍ଷରେ ଖେଳିଥିଲେ । ଉକ୍ତ ମ୍ୟାଚରେ ଅଭିଷେକ ଖାତା ଖୋଲି ପାରିନଥିଲେ । ତେଣୁ ଏତେ ବଡ଼ ସମସ୍ୟାକୁ କ’ଣ ପାଇଁ ଲୁଚାଇ ରଖାଯାଇଥିଲା ବୋଲି ଏବେ ପ୍ରଶ୍ନ ଉଠିଛି ।

ଅଭିଷେକ ଦ୍ବିତୀୟ ମ୍ୟାଚରେ ନାମିବ୍ୟା ବିପକ୍ଷରେ ଖେଳିନଥିଲେ । ମାତ୍ର ତା’ର କାରଣ ପେଟ ସଂକ୍ରମଣ ବୋଲି ଦର୍ଶାଇଥିଲେ । ତା’ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ତା’ର କାରଣ ପେଟ ଯନ୍ତ୍ରଣା ବୋଲି କୁହାଯାଇଥିଲା । ତା’ପରେ ସେ ପାକିସ୍ତାନ ବିପକ୍ଷରେ ପଡ଼ିଆକୁ ଫେରିଥିଲେ । ମାତ୍ର ଚୋଟ ଘଟଣା ସଭିଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଅଭିଷେକ ବର୍ତ୍ତମାନ ସମୟରେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ସେ ୪ଟି ମ୍ୟାଚରୁ ୧୫ ରନ୍ ସଂଗ୍ରହ କରିଛନ୍ତି । ଏପରି ସ୍ଥିତିରେ ଆହତ ସମସ୍ୟା ହିଁ ତାଙ୍କର ଖରାପ ପ୍ରଦର୍ଶନର କାରଣ ବୋଲି ଫ୍ୟାନ୍ସ ଦାବି କରୁଛନ୍ତି ।

ଅକ୍ଷର ପଟେଲଙ୍କୁ କାହିଁକି ପ୍ଲେଇଂ-୧୧ରୁ ବାହାରେ ରଖାଯାଇଥିଲା, ଟିମ୍ ମ୍ୟାନେଜମେଣ୍ଟ ଉପରେ ବର୍ଷିଲେ ପୂର୍ବତନ କ୍ରିକେଟର

ଆଇସିସି ଟି-୨୦ ବିଶ୍ବକପ ୨-୨୬ରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧୀନ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ଠାରୁ ୭୬ରେ ପରାଜୟ ବରଣ କରିବା ପରେ ଚାରିଆଡ଼ୁ ସମାଲୋଚନା ଶୁଣିବାକୁ ମିଳିଛି । ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଉପଅଧିନାୟକ ଅକ୍ଷର ପଟେଲଙ୍କୁ ପ୍ଲେଇଂ-୧୧ରୁ ବାଦ୍ ଦିଆଯାଇଥିଲା । ଏହାକୁ ନେଇ ହଙ୍ଗାମା ମଚିଯାଇଛି । ଅକ୍ଷରଙ୍କ ବଦଳରେ ଓ୍ବାଶିଂଟନ ସୁନ୍ଦରଙ୍କୁ ନିଆଯାଇଥିଲା । ସୁନ୍ଦରଙ୍କ ଦକ୍ଷତା ଉପରେ କାହାର ପ୍ରଶ୍ନ ନାହିଁ, ମାତ୍ର ଏପରି ମ୍ୟାଚରେ ଅକ୍ଷର ପଟେଲଙ୍କ ଅନୁଭବ କାମରେ ଆସିପାରିଥାନ୍ତା ବୋଲି କହିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ରବିଚନ୍ଦ୍ରନ ଅଶ୍ବିନ ।

ନିଜର ୟୁଟ୍ୟୁବ ଚ୍ୟାନେଲରେ ଅଶ୍ବିନ କହିଛନ୍ତି, ଅକ୍ଷର ଭାରତ ପାଇଁ ଟି-୨୦ କ୍ରିକେଟରେ ‘ମୋଷ୍ଟ ଭାଲୁଏବଲ ପ୍ଲେୟାର’ ଅଟନ୍ତି । ସେ ଅନେକ ମ୍ୟାଚରେ ଦଳକୁ ମୁସ୍କିଲ ସ୍ଥିତିରୁ ଉଦ୍ଧାର କରିଛନ୍ତି । ବାମ ହାତୀ ବ୍ୟାଟ୍ସମ୍ୟାନଙ୍କ ବିପକ୍ଷରେ ଓ୍ବାଶିଂଟନ ସୁନ୍ଦରଙ୍କୁ ଖେଳାଇବା ରଣନୀତି ଠିକ୍ ହୋଇପାରେ, ମାତ୍ର ଅକ୍ଷରଙ୍କ ଯୋଗଦାନକୁ ଅଣଦେଖା କରାଯାଇ ପାରିବ ନାହିଁ । ଗତ ଥର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦଳ ମୁସ୍କିଲରେ ଥିବା ସମୟରେ ବିରାଟ କୋହଲିଙ୍କ ସହ ମିଶି ଅକ୍ଷର ଟିମକୁ ୧୭୦ ପାର କରାଇଥିଲେ । କୋହଲିଙ୍କ ଅନୁଭବ ଥିଲା, ମାତ୍ର ଅକ୍ଷର ବି କିଛି କମ୍ ନୁହନ୍ତି । ସୁନ୍ଦର ୨ ଓଭର ବୋଲିଂ କରି ୧୭ ଦେବା ସହ ବ୍ୟାଟିଂରେ ୧୧ ବଲରେ ୧୧ ରନ୍ କରିଥିଲେ । ତେଣୁ ତାଙ୍କୁ ଖେଳାଇବାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ ବୋଲି କହିଛନ୍ତି ଟିମର ସହାୟକ କୋଚ ରୟାନ ଟେନ ଡୋଶେଟ ।