spot_img
Home Blog Page 1968

ନିଆରା ଢଙ୍ଗରେ ପ୍ରାର୍ଥିପତ୍ର ଦାଖଲ କଲେ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ

ଖୋର୍ଦ୍ଧା: ନିଆରା ଢଙ୍ଗରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ । ଆର୍ମି ଅଫିସରରୁ ରାଜନେତା ବନିଥିବା ମନ୍ମଥଙ୍କ ନାମାଙ୍କନ ଦାଖଲ ବେଶ ଚର୍ଚ୍ଚା ସାଉଁଟିଛି। ସକାଳେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଏକଦମ ନିଆରା ଢଙ୍ଗରେ ସେ ନାମାଙ୍କନ ଭରିବାକୁ ଯାଇଥିଲେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସକୁ। ହଜାର ହଜାର ସମର୍ଥକଙ୍କୁ ଧରି ଖୋର୍ଦ୍ଧାରେ ପହଞ୍ଚିଥିଲେ ମନ୍ମଥ। ବୀର ପାଇକ ନୃତ୍ଯ ସହ ପାରମ୍ପରିକ ନାଚଗୀତରେ ସମର୍ଥକ ଶୋଭାଯାତ୍ରା ଗହଣରେ ବାହାରି ମନ୍ମଥ ନାମାଙ୍କନ ଭରିଛନ୍ତି । ପାଖେ ପାଖେ ଉପସ୍ଥିତ ଥିଲେ ବାପା ତଥା ଭେଟରାନ ସୁରେଶ ରାଉତରାୟ।

ତେବେ ସକାଳେ ଗାଡ଼ି ବା କୌଣସି ଆକର୍ଷଣୀୟ ଶୋଭାଯାତ୍ରା ନୁହେଁ ବରଂ ଯୁବକଙ୍କ ସହ ଦୌଡ଼ି ଦୌଡ଼ି ଅଭିଯାନ ଆରମ୍ଭ କରିଥିଲେ ମନ୍ମଥ ରାଉତରାୟ । ରାସ୍ତା ଦୁଇ ପାର୍ଶ୍ବରେ ଲୋକମାନେ ଶୁଭେଚ୍ଛା ଓ ସମର୍ଥନ ଜଣାଇଛନ୍ତି । ଅନ୍ୟପଟେ ସବୁଥର ନିଜେ ପ୍ରାର୍ଥିପତ୍ର ଦାଖଲ କରୁଥିବା ସୁରେଶ ଏଥର କିନ୍ତୁ ନିଜ ପୁଅ ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଥିଲେ। ସୁସଜ୍ଜିତ ବଳଦ ଯୋଚା ହୋଇଥିବା ଶଗଡ଼, ପାଇକ ନୃତ୍ୟ , ଢୋଲ ମହୁରୀ ଶଙ୍ଖ ଆଦି ନେଇ ବାହାରିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ ଅଫିସ ।

ନୟାଗଡ଼ରେ ବିଜେଡି କର୍ମୀଙ୍କୁ ବିଜେପି କର୍ମୀଙ୍କ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଭୁବନେଶ୍ୱର: ବିଜେପି ଓ ହିଂସା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ପାଲଟିଛି। ଗତକାଲି ନୟାଗଡ଼ ବ୍ଲକ ନୋଟାର ପଞ୍ଚାୟତ ବାଉଳି ଗାଁରେ ବିଜେଡି କର୍ମୀଙ୍କୁ ବିଜେପି କର୍ମୀ ମରଣାନ୍ତକ ଆକ୍ରମଣ କରିଛନ୍ତି। ବିଜେଡି କର୍ମୀ ପୃଥିବୀରାଜ ଦଳବେହେରା, ରାଜେଶ ପ୍ରଧାନ, ଆଶିଷ ଗୁମାନସିଂ ଓ ପ୍ରଦ୍ୟୁମ୍ନ ରଥଙ୍କୁ ବିଜେପିର ବନମାଳୀ ନାୟକ, ସନ୍ତୋଷ ନାୟକ, ବିଜୟ ନାୟକ, କାଶୀନାଥ ନାୟକ, ନାଲୁ ବେହେରା ଓ ଗଙ୍ଗାଧର ଜେନା ମରଣାନ୍ତକ ଆକ୍ରମଣ କରିଛନ୍ତି। ଯାହାର ଫଟୋ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେଡି ଦାଖଲ କରିଛି।

ପୂର୍ବରୁ ପିଲାଙ୍କୁ ନିର୍ବାଚନ କାମରେ ଲଗାଇବା, ସରକାରୀ ଅଧିକାରୀଙ୍କୁ ଧମକାଇବା ପରି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ଆସୁଛି ବିଜେପି। ଯେବେ ବି ହାରିବା ଭୟ ବିଜେପିକୁ ଆସେ, ସେମାନେ ଏହିପରି କାମ କରିଥାନ୍ତି। ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ବିଜେଡି ସିଇଓଙ୍କୁ ଭେଟିଛି। ଆକ୍ରମଣ ଘଟଣାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି।

କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଣ୍ଟାବାଞ୍ଜି: ପଶ୍ଚିମ ଓଡ଼ିଶାରେ ନବୀନ କ୍ରେଜ୍। ଆଜି ନିଜର ଦ୍ବିତୀୟ ଆସନ କଣ୍ଟାବାଞ୍ଜି ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସମେତ ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ , ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ଟୁକୁନି ସାହୁ, ବଲାଙ୍ଗୀର ବିଧାୟକ ପ୍ରାର୍ଥୀ କଳିକେଶ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ। ତୁଷରା ଏୟାର ଷ୍ଟ୍ରିପ ପରେ ଟିଟିଲାଗଡ଼ ସିଟି ସ୍କୁଲ ପ୍ଲେ ଗ୍ରାଉଣ୍ଡରେ ପହଞ୍ଚିଥିଲେ ନବୀନ। ସେଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ରାସ୍ତାର ଦୁଇ ପାଖରେ ନବୀନଙ୍କୁ ଦେଖିବାକୁ ହଜାର ହଜାର ଲୋକଙ୍କର ଭିଡ଼ ଜମିଥିଲା। ଯୁବ, ଛାତ୍ର ଓ ମହିଳା ଏକତ୍ରିତ ହୋଇ ନବୀନଙ୍କୁ ସ୍ବାଗତ କରିଥିଲେ। ମହିଳାମାନେ ଫୁଲ ପକାଇ ଆପଣାର ନେତାଙ୍କୁ ପାଛୋଟି ନେଉଥିଲେ। ରାସ୍ତା ସାରା ନବୀନଙ୍କ ଉପରେ ହେଉଥିଲା ପୁଷ୍ପବୃଷ୍ଟି। ନବୀନ କଣ୍ଟାବାଞ୍ଜିରୁ ଲଢୁଥିବାରୁ ସମସ୍ତଙ୍କ ମଧ୍ଯରେ ଉତ୍ସାହ ବେଶ୍ ବାରି ହୋଇପଡୁଥିଲା। ଲୋକଙ୍କ ମଧ୍ଯରେ ଖୁସି ପ୍ରତିଫଳିତ ହେଉଥିଲା। ମୁଖ୍ଯମନ୍ତ୍ରୀଙ୍କ ପ୍ରତି ଭଲପାଇବା ଓ ସମର୍ଥନକୁ ଜଣାଉଥିଲେ ଜନସାଧାରଣ। ବିପୁଳ ସମ୍ବର୍ଦ୍ଧନା ସହ କଣ୍ଟାବାଞ୍ଜିରୁ ଲଢୁଥିବାରୁ ନବୀନଙ୍କୁ କୃତଜ୍ଞତା ଜଣାଇଥିଲେ ଜନତା। ନବୀନଙ୍କୁ ପାଇ ପୂରା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

ଟିଟିଲାଗଡ଼ ଥାନା ଛକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ନବୀନ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହାପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଚଳିତ ନିର୍ବାଚନରେ ନବୀନ ତାଙ୍କର ପାରମ୍ପରିକ ଆସନ ହିଞ୍ଜିଳି ସମେତ କଣ୍ଟାବାଞ୍ଜିରୁ ବି ପ୍ରାର୍ଥୀ ହୋଇଛନ୍ତି। ଗତ ୩୦ ତାରିଖରେ ସେ ହିଞ୍ଜିଳି ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲେ କରିଥିଲେ ।

ଦେହ ବ୍ୟବସାୟ ସନ୍ଦେହରେ ୨ ପୁରୁଷ ଏବଂ ୨ ମହିଳାଙ୍କୁ ନିସ୍ତୁକ ମାଡ

ଭୋଗରାଇ: ଦେହ ବ୍ୟବସାୟ ଚାଲିଥବା ସନ୍ଦେହରେ ଦୁଇ ଜଣ ମହିଳା ସମେତ ଦୁଇ ଜଣ ପୁରୁଷକୁ ଗଛରେ ବାନ୍ଧି ନିସ୍ତୁକ ମାଡ଼। ଭୋଗରାଇ ଥାନା ଲକ୍ଷୀପାଟଣା ଗାଁର ଘଟଣା। ରାସ୍ତା କଡ଼ରେ ଥିବା କୁଡ଼ିଆ ଘରେ ଦୀର୍ଘ ଦିନ ଧରି ଚାଲି ଆସୁଥିଲା ଦେହ ବ୍ୟବସାୟ। ଆଜି ଗ୍ରାମବାସୀ ବିରୋଧ କରି କୁଡିଆ ଘରର ତାଲା ଭାଙ୍ଗି ଦୁଇ ମହିଳା ଓ ଦୁଇ ଯୁବକଙ୍କୁ ଧରି ନିସ୍ତୁକ ମାଡ଼ ମାରିଥିଲେ। ଘଟଣା ସ୍ଥଳରେ ଚାପା ଉତ୍ତେଜନା ହୋଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ଉଦ୍ଧାର କରିବା ବେଳେ ଗ୍ରାମବାସୀ ଏବଂ ପୋଲିସ ମୁହାଁମୁହିଁ ହୋଇଥିଲେ । ପ୍ରାୟ ୧ ଘଣ୍ଟା ଧରି ପୋଲିସ ଗାଡିକୁ ଅଟକ ରଖିଥିଲେ ସ୍ଥାନୀୟ ଲୋକେ। ପୋଲିସ ଉପରକୁ ମଧ୍ଯ ଆକ୍ରମଣ କରିଥିଲେ।

 

ବିଜେଡିରେ ମିଶିଲେ ଜୟପୁରର ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ ଭତରା

ଜୟପୁର: ବିଜେଡିରେ ମିଶିଲେ ଜୟପୁରର ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ ଭତରା। ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ମୁଖ୍ଯମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଶଙ୍ଖ ଫୁଙ୍କିଥିବା ପ୍ରଫୁଲ କହିଛନ୍ତି। ତାଙ୍କ ସହ ବହୁ କଂଗ୍ରେସ ନେତା ବି ବିଜେଡିରେ ଯୋଗଦେଇଛନ୍ତି।

ଏହି ସମୟରେ ପୂର୍ବତନ ମନ୍ତ୍ରୀ ରବି ନନ୍ଦଙ୍କ ସହ ବିଜେଡିର ଜୟପୁର ବିଧାନସଭା ପ୍ରାର୍ଥୀ ଇନ୍ଦିରା ନନ୍ଦ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଦଳକୁ ଅଧିକ ସୁଦୃଢ କରି ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ସମସ୍ତେ ସଂକଳ୍ପ ନେଇଛନ୍ତି ।

ଦୌଡ଼ି ଦୌଡ଼ି ନାମାଙ୍କନ ଦାଖଲ ପାଇଁ ଯାଉଛନ୍ତି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ

ଆଜି ନାମାଙ୍କନ ଭରିବେ ବିଜେଡିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ। ଏଥିପାଇଁ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ସେ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରିଛନ୍ତି । ସକାଳୁ ଲିଙ୍ଗରାଜଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ଅଭିଯାନ ଆରମ୍ଭ କରିଥିଲେ ମନ୍ମଥ। ଏକଦମ ନିଆରା ଢଙ୍ଗରେ ସେ ନାମାଙ୍କନ ଭରିବାକୁ ଯାଉଛନ୍ତି । ଗାଡ଼ି ବା କୌଣସି ଆକର୍ଷଣୀୟ ଶୋଭାଯାତ୍ରା ନୁହେଁ ବରଂ ଯୁବକଙ୍କ ସହ ଦୌଡ଼ି ଦୌଡ଼ି ନାମାଙ୍କନ ଦାଖଲ ପାଇଁ ଯାଉଛନ୍ତି ମନ୍ମଥ। ରାସ୍ତାର ଦୁଇ ପାର୍ଶ୍ବରେ ଲୋକମାନେ ତାଙ୍କୁ ଭଲପାଇବା ଓ ସମର୍ଥନ ଜଣାଉଛନ୍ତି।

ମନ୍ମଥଙ୍କ ପ୍ରତି ଦିନକୁ ଦିନ ଭୁବନେଶ୍ବରରେ ଜନସମର୍ଥନ ବଢିବାରେ ଲାଗିଛି । ମୁଖ୍ଯମନ୍ତ୍ରୀଙ୍କ ବିକାଶ ବାର୍ତ୍ତା ଓ ସେବା ନୀତିକୁ ଆଧାର କରି ମନ୍ମଥ ନିର୍ବାଚନ ଲଢୁଥିବାବେଳେ ବିଜୟୀ ହେବାକୁ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଢେଙ୍କାନାଳରେ ହଠାତ୍ ଅବତରଣ କଲା ହେଲିକପ୍ଟର

ଢେଙ୍କାନାଳ: ଢେଙ୍କାନାଳ ମହିଷାପାଟ ପଲ୍ଲିଶ୍ରୀ ପଡ଼ିଆରେ ଜରୁରୀ ଅବତରଣ କଲା ଏକ ଘରୋଇ ହେଲିକେପ୍ଟର। ତେବେ ହେଲିକପ୍ଟରଟି ଆସିବା ନେଇ ପୋଲିସ କି ପ୍ରଶାସନ ନିକଟରେ କୌଣସି ସୂଚନା ନଥିଲା । ହେଲିକପ୍ଟରଟି ACE AIR ସର୍ଭିସର ବୋଲି ଜଣାପଡ଼ିଛି। ହେଲିକପ୍ଟରଟିରେ ୫ ଜଣ ଆସିଥିବାବେଳେ ଅବତରଣ ପରେ ଦୁଇ ଜଣ ବ୍ୟକ୍ତି ଓହ୍ଲାଇ ଏକ ଗାଡ଼ିରେ କେଉଁଆଡ଼େ ଯାଇଥିବା ସୂଚନା ମିଳିଛି।

ଏସମ୍ପର୍କରେ ପାଇଲଟ କୌଣସି ସୂଚନା ଦେଇନାହାନ୍ତି। ଯେଉଁ ହେଲିପ୍ଯାଡରେ ହେଲିକପ୍ଟରଟି ଅବତରଣ କରିଛି ତାହା ସୁରକ୍ଷିତ ମଧ୍ଯ ନୁହେଁ । ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବାବେଳେ ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ ଓ ଫ୍ଲାଇଂ ସ୍କ୍ବାଡ୍ ପହଞ୍ଚି ତଦନ୍ତ କରୁଛି ।।

ଜୟପୁରରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ, ସକାଳୁ ଜଗତଜନନୀ ମନ୍ଦିର ଯାଇ ମାଆଙ୍କୁ କଲେ ଦର୍ଶନ

ଜୟପୁର: ଜୟପୁରରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଗତକାଲି ବିଶାଳ ରୋଡ ଶୋ’ରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ। ଆଜି ସକାଳୁ ଜୟପୁରର ପ୍ରସିଦ୍ଧ ଜଗତଜନନୀ ମନ୍ଦିର ଯାଇ ମାଆଙ୍କୁ ଦର୍ଶନ କରିଛନ୍ତି। ସେଠାରେ ପୂଜାର୍ଚ୍ଚନା କରି ପୂଜକ ଓ ଶ୍ରଦ୍ଧାଳୁଙ୍କ ସହ ଆଲୋଚନା କରିଛନ୍ତି।

ଗତକାଲି  ସନ୍ଧ୍ଯାରେ କାର୍ତ୍ତିକ ପାଣ୍ଡିଆନ ଜୟପୁର ସହରରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ବିଶାଳ ରୋଡ ଶୋ’ରେ ଜନତାଙ୍କୁ ଉଦବୋଧନ ଦେଇଥିଲେ ଆଉ ଲୋକଙ୍କଠାରୁ ସମ୍ବର୍ଦ୍ଧନା ବି ପାଇଥିଲେ। ହଜାର ହଜାର ଲୋକ ପାଣ୍ଡିଆନଙ୍କୁ ପାଛୋଟି ନେବା ସହ ନିଜ ନିଜର ଭଲପାଇବା ଓ ଭରସାକୁ ପ୍ରତିପାଦିତ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ବରେ ଯୁବକ, ଛାତ୍ର, ମହିଳା ଏକାଠି ହୋଇ ପାଣ୍ଡିଆନଙ୍କୁ ଅପେକ୍ଷା କରିଥିଲେ। ପାଣ୍ଡିଆନଙ୍କ ଉପରକୁ କିଏ ଫୁଲ ସ୍ବାଗତ କରୁଥିଲା ତ ଆଉ କିଏ ସେଲ୍ଫି ଟିଏ ନେବାକୁ ଅପେକ୍ଷା କରିଥିଲା। ବିକାଶ ପାଇଁ ବିଜେଡିକୁ ବାଛିବାକୁ ପାଣ୍ଡିଆନ ଜୟପୁରବାସୀଙ୍କୁ ଅନୁରୋଧ କରିଛନ୍ତି । ନବୀନଙ୍କ ଗ୍ଯାରେଣ୍ଟି ଦେବା ସହ ଏଥର ଉଭୟ ବିଧାୟକ ଓ ସାଂସଦ ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଜନତାଙ୍କୁ ଅପିଲ କରିଛନ୍ତି।

ଆଜି ଆସିପାରେ ଉତ୍ତରପ୍ରଦେଶର ଚର୍ଚ୍ଚିତ ରାୟବରେଲି ଓ ଆମେଠି ଆସନ ଲାଗି କଂଗ୍ରେସର ପ୍ରାର୍ଥୀଙ୍କ ନାମ !

ନୂଆଦିଲ୍ଲୀ: ଆଜି ଆସିପାରେ ଉତ୍ତରପ୍ରଦେଶର ଚର୍ଚ୍ଚିତ ରାୟବରେଲି ଓ ଅମେଠି ଆସନ ଲାଗି କଂଗ୍ରେସର ପ୍ରାର୍ଥୀଙ୍କ ନାମ। ଗତକାଲି ୨୪ ଘଣ୍ଟା ମଧ୍ୟରେ କଂଗ୍ରେସ ଏହି ଦୁଇ ଆସନରେ ପ୍ରାର୍ଥୀ ନିଷ୍ପତ୍ତି କରିବ ବୋଲି କହିଥିଲା। ଦୁଇ ଆସନକୁ ନେଇ ଲାଗି ରହିଥିବା ସସପେନ୍ସ ଖୁବଶୀଘ୍ର ଦୂର ହୋଇଯିବ। କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ଏ ନେଇ ନିଷ୍ପତ୍ତି ନେବ। କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ ଏହି ନିଷ୍ପତ୍ତି ନେବେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଘୋଷଣା ଆସିବ ବୋଲି କହିଥିଲେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ।

ସେପଟେ ଅମେଠିରେ ଗାନ୍ଧୀ ପରିବାରରୁ କେହି ଜଣଙ୍କୁ ଟିକେଟ ଦେବାକୁ କର୍ମୀଙ୍କ ମଧ୍ୟରେ ଦାବି ଜୋର ଧରିଛି। ଅମେଠିରୁ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରାର୍ଥୀ ହୋଇପାରନ୍ତି। ୨୦୧୯ରେ ରାହୁଲ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଠାରୁ ଏହି ଆସନରୁ ପରାସ୍ତ ହୋଇଥିଲେ। ୨୦୦୪ରୁ ରାୟବରେଲି କଂଗ୍ରେସ କବଜାରେ ରହିଛି। ରାୟବରେଲି ଆସନରୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ପ୍ରାର୍ଥୀ ହେବା ସମ୍ଭାବନା ରହିଛି। ଏହି ଦୁଇ ଆସନରେ ଆସନ୍ତା ୨୦ ତାରିଖରେ ଭୋଟ ଗ୍ରହଣ ହେବ। ପ୍ରିୟଙ୍କାଙ୍କ ସ୍ଵାମୀ ରବର୍ଟ ଭଦ୍ରାଙ୍କ ନାଁ ମଧ୍ୟ ପ୍ରାର୍ଥୀ ହେବା ନେଇ ଶୁଣିବାକୁ ମିଳୁଛି। ତେବେ କିଏ ଏହି ଦୁଇ ଆସନରୁ ପ୍ରାର୍ଥୀ ହେବ ତାହା ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ।

ବଢ଼ିଲା ଇମ୍ରାନଙ୍କ ଅଡୁଆ, ତୋଷଖାନା ଦୁର୍ନୀତି ମାମଲାରେ ପତି-ପତ୍ନୀଙ୍କ ବିରୋଧରେ NABର ତନାଘନା

ବ୍ୟୁରୋ ରିପୋର୍ଟ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବଢିଲା ଅଡୁଆ। ଜେଲରେ ଇମ୍ରାନଙ୍କୁ ଜେରା କରିବ ପାକିସ୍ତାନର ତଦନ୍ତକାରୀ ସଂସ୍ଥା ଏନଏବି। ଇମ୍ରାନଙ୍କ ପତ୍ନୀ ବୁଶରା ବିବିଙ୍କୁ ମଧ୍ୟ କରିପାରେ ଜେରା। ଏ ନେଇ ଇମ୍ରାନ ଥିବା ଜେଲ ସୁପରିଟେଣ୍ଡେଣ୍ଟକୁ ଚିଠି ଲେଖିଛି ତଦନ୍ତକାରୀ ସଂସ୍ଥା। ଜେଲରେ ପଚରାଉରଚାର ଲାଗି ଇମ୍ରାନଙ୍କୁ ଉପସ୍ଥିତ ରଖିବାକୁ ଚିଠିରେ ଉଲ୍ଲେଖ ହୋଇଛି।

ସୂଚନାଯୋଗ୍ୟ ଯେ, ପାକିସ୍ତାନ ତେହରିକ ଏ ଇନସାଫ ଦଳର ମୁଖ୍ୟ ହେଉଛନ୍ତି ଇମ୍ରାନ ଖାନ। ଇମ୍ରାନ ଏବେ ରାୱଲପିଣ୍ଡିର ଆଦିଆଲା ଜେଲରେ ଅଛନ୍ତି। ପାକିସ୍ତାନ ତୋଷଖାନା ମାମଲାରେ ଇମ୍ରାନ ଖାନଙ୍କୁ ୧୪ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ। ପତ୍ନୀ ବୁଶରା ବିବିଙ୍କୁ ମଧ୍ୟ ୧୪ ବର୍ଷ କାରାଦଣ୍ଡାଦେଶ ହୋଇଛି। ଗତ ଜାନୁଆରୀ ୩୧ରେ ଏହି ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ। ଦଣ୍ଡାଦେଶ ଶୁଣାଇବା ସହ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ କୌଣସି ସରକାରୀ ପଦ ପଦବୀରେ ରହିପାରିବେନି ଉଭୟ। ଦୁହିଁଙ୍କୁ ପାକିସ୍ତାନୀ ମୁଦ୍ରାରେ ୭୮୭ ନିୟୁତ ଟଙ୍କା ଜରିମାନା କରିଛନ୍ତି କୋର୍ଟ। ଇମ୍ରାନଙ୍କ ଶାସନ କାଳରେ ବୈଦେଶିକ ମନ୍ତ୍ରୀ ଥିବା ଶାହ ମେହମୁଦ କୁରେଶୀଙ୍କୁ ମଧ୍ୟ ଏହି ମାମଲାରେ ୧୦ ବର୍ଷ କାରାଦଣ୍ଡାଦେଶ ହୋଇଛି।