spot_img
Home Blog Page 198

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କୁ ଦିଲ୍ଲୀ ଡାକରା

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କୁ ଦିଲ୍ଲୀ ଡାକରା । ଏଆଇସିସି ପକ୍ଷରୁ ଦିଲ୍ଲୀ ଯିବାକୁ ଡାକରା ଆସିଥିବାବେଳେ ୨୨ତାରିଖରେ ଏଆଇସିସିର ବୈଠକ ବସିବ । ଏଥିରେ ସଙ୍ଗଠନ ସୃଜନ୍ ଅଭିଯାନ ଜରିଆରେ ଜିଲ୍ଲା ସଭାପତିଙ୍କ ଚୟନ ନେଇ ଆଲୋଚନା ହେବ । ଏହି ମାସରେ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିବାକୁ ଲକ୍ଷ୍ୟ ରଖିଛି ଏଆଇସିସି । ତେବେ ୩୦ତାରିଖ ସୁଦ୍ଧା ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଯିବ ବୋଲି ସୂଚନା ରହିଛି ।

ରାଜଧାନୀରେ ଚାଞ୍ଚଲ୍ୟ: ଟ୍ୟାକ୍ସି ଡ୍ରାଇଭରଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ

ରାଜଧାନୀରେ ଚାଞ୍ଚଲ୍ୟ । ଟ୍ୟାକ୍ସି ଡ୍ରାଇଭରଙ୍କୁ ଅପହରଣ ପରେ ହତ୍ୟା କରି ଫୋପାଡି ଦେଇଥିବା ଅଭିଯୋଗ ହୋଇଛି । ମୃତ ଟ୍ୟାକ୍ସି ଡ୍ରାଇଭର ହେଲେ ବିଦ୍ୟାଧର ସାହୁ । ଚନ୍ଦକା ବାରଙ୍ଗ ଜାତୀୟ ରାଜପଥ କଡରେ ପଡିଛି ମୃତଦେହ । ରାସ୍ତାକଡରେ ଥୁଆ ହୋଇଛି ଟ୍ୟା । ଗତ ୧୫ ତାରିଖରୁ ନିଖୋଜ ଥିଲେ ଡ୍ରାଇଭର୍ ବିଦ୍ୟାଧର । ଏନେଇ ପରିବାର ଲୋକେ ବଡଗଡ ଥାନାରେ ଅଭିଯୋଗ କରିଥିଲେ । ଏହାରି ଭିତରେ ଅପହରଣକାରୀ ୨ କୋଟି ଟଙ୍କା ମାଗୁଥିବା ନେଇ ପୋଲିସକୁ ସୂଚନା ଦେଇଥିଲେ ପରିବାର ଲୋକ ।

ଦିଲ୍ଲୀର ପୁଣି ଏକାଧିକ ସ୍କୁଲକୁ ବୋମା ଧମକ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀର ପୁଣି ଏକାଧିକ ସ୍କୁଲକୁ ବୋମା ଧମକ।ଆଜି ସକାଳେ ଦିଲ୍ଲୀ ପବ୍ଲିକ୍ ସ୍କୁଲ DPS ଦ୍ୱାରକା, ସର୍ବୋଦୟ ସିନିୟର ସେକେଣ୍ଡାରୀ ସ୍କୁଲ, କୁତୁବ ମିନାର ଏବଂ ନଜଫଗଡ଼ର କୃଷ୍ଣା ମଡେଲ୍ ପବ୍ଲିକ୍ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା। ଇମେଲ୍ ଦେଖିବା ପରେ, ସ୍କୁଲ ପରିଚାଳନା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏବଂ ସ୍କୁଲ କ୍ୟାମ୍ପସଗୁଡ଼ିକୁ ଖାଲି କରିଥିଲେ।ସକାଳ ୭ଟାରୁ ପିଲାମାନେ ଏବଂ କର୍ମଚାରୀମାନେ ସ୍କୁଲରେ ଥିଲେ। ବୋମା ଧମକ ଯୋଗୁଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ସ୍କୁଲ ପରିଚାଳନା କମିଟି ଛାତ୍ରମାନଙ୍କୁ ସାଧାରଣ ଅଞ୍ଚଳରେ ଏକାଠି କରି ତୁରନ୍ତ ପୋଲିସକୁ ଖବର ଦେଇଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ, ବମ୍ ସ୍କ୍ବାଡ୍, ଅଗ୍ନିଶମ ବିଭାଗ ଏବଂ ଦିଲ୍ଲୀ ପୋଲିସର ଦଳ ବିଭିନ୍ନ ସ୍କୁଲ କ୍ୟାମ୍ପସରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତଥାପି, ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ଜିନିଷ ମିଳିନାହିଁ। ସର୍ଚ୍ଚ ଅପରେସନ ଜାରି ରହିଛି।କିଛି ମାସ ଧରି ପ୍ରତି କିଛି ଦିନରେ ରିପୋର୍ଟ ଆସୁଛି ଯେ ସ୍କୁଲଗୁଡ଼ିକ ଇମେଲ୍ କିମ୍ବା ଫୋନ୍‌ ମାଧ୍ୟମରେ ଧମକ ପାଉଛନ୍ତି। ପ୍ରତ୍ୟେକ ଥର, ଛାତ୍ରମାନଙ୍କୁ ସ୍କୁଲ କ୍ୟାମ୍ପସରୁ ବାହାର କରିଦିଆଯାଏ, ବନ୍ଦ କରିବାକୁ ବାଧ୍ୟ କରାଯାଏ ଏବଂ ସେମାନଙ୍କ ଶିକ୍ଷା ବାଧାପ୍ରାପ୍ତ ହୁଏ। ପ୍ରତ୍ୟେକ ଥର, ପୋଲିସ ଦଳ କ୍ୟାମ୍ପସଗୁଡ଼ିକର କଡ଼ା ଯାଞ୍ଚ କରନ୍ତି। ଏପର୍ଯ୍ୟନ୍ତ ଏହି ସମସ୍ତ ଧମକ ମିଛ ବୋଲି ଜଣାପଡିଛି। ସାଇବର ସେଲ୍ ଧମକ ପଠାଉଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ଲଗାତର ଇମେଲଗୁଡ଼ିକୁ ଟ୍ରାକ୍ କରୁଛନ୍ତି।

ଆଜି ବସିବ ଶ୍ରୀମନ୍ଦିର ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ସଂଚାର ବ୍ୟୁରୋ: ଆଜି ବସିବ ଶ୍ରୀମନ୍ଦିର ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହେବ। ଅକ୍ଟୋବର ୩ ତାରିଖରୁ ମହାଧାର୍ମିକ କାର୍ତ୍ତିକ ମାସ ଆରମ୍ଭ ହେବାକୁ ଥିବାରୁ ବାଳଧୂପର ନୀତିନିର୍ଘଣ୍ଟ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯିବ। ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ,ତଡପଲାଗି,ଅବକାଶ, ସକାଳଧୂପ ନୀତି ପରେ ବାଳଧୂପ ବାହାରୁ ଥିବାରୁ କେତେବେଳେ ଶ୍ରୀମନ୍ଦିର ଫିଟାଯାଇ ଏହି ନୀତି ସବୁ ହେବ ସେନେଇ ବୈଠକରେ ବିଭିନ୍ନ ନିଯୋଗର ସେବକଙ୍କ ସହ ଆଲୋଚନା କରିବା ସହ ନୀତି ଗୁଡିକର ସମୟସୀମା ଧାର୍ଯ୍ୟ କରାଯିବ। ଏହାସହ ପଞ୍ଚୁକ ବ୍ରତ ପାଇଁ ମହାପ୍ରଭୁଙ୍କୁ ବିଭିନ୍ନ ପ୍ରକାର ବେଶ କରାଯିବ ଓ ପଞ୍ଚୁକର ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା ଦିନ ମହାପ୍ରଭୁ ସୁନାବେଶରେ ବିଭୂଷିତ ହେବାକୁ ଥିବାରୁ ଏହା ଉପରେ ମଧ୍ୟ ବୈଠକରେ ଆଲୋଚନା ହେବ। ତେବେ ରତ୍ନଭଣ୍ଡାର ସବକମିଟି ବୈଠକରେ ଆସନ୍ତା 23 ତାରିଖରେ ମରାମତି ହୋଇଥିବା ଉଭୟ ଭିତର ଓ ବାହାର ରତ୍ନଭଣ୍ଡାରକୁ ଅସ୍ଥାୟୀ ଘରୁ ଅଳଙ୍କାର ସ୍ଥାନାନ୍ତର କରିବା ପ୍ରସଙ୍ଗ ଉପରେ ମଧ୍ୟ ଛତିଶାନିଯୋଗ ବୈଠକରେ ବିସ୍ତୃତ ଆଲୋଚନା ହୋଇପାରେ। କାରଣ ଆସନ୍ତା ୨୩ ତାରିଖ ଦିନ ଭୋର ୪ଟାରୁ ଦ୍ୱାରଫିଟା ହୋଇ ଶ୍ରୀମନ୍ଦିର ଶୋଧ ହେବାପରେ ଧାର୍ଯ୍ୟ ହୋଇଥିବା ଅମୃତ ବେଳା ସକାଳ ୭.୧୭ରୁ ୧୧.୧୭ଟା ମଧ୍ୟରେ ଅଳଙ୍କାର ସ୍ଥାନାନ୍ତର କରାଯିବ।

ମୌସୁମୀ ଅଧିବେଶନର ତୃତୀୟ ଦିନରେ ସରଗରମ ହେବ ଗୃହ

ନନ୍ଦିଘୋଷ ବ୍ୟୁରୋ: ମୌସୁମୀ ଅଧିବେଶନର ତୃତୀୟ ଦିନରେ ବି ଗୃହ କାର୍ଯ୍ୟ ବେଶ ସରଗରମ ରହିବ । ରାଜ୍ୟରେ ଘୋର ସାର ଅଭାବ ରହିଛି। ଫଳରେ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଗୃହର ସବୁ କାର୍ଯ୍ୟକୁ ବାତିଲ କରି ସ୍ୱତନ୍ତ୍ର ଆଲୋଚନା କରିବାକୁ ଦାବି କରୁଛି ବିଜେଡି। ଯାହାକୁ ନେଇ ଗୃହ ଭିତରେ ଓ ଗୃହ ବାହାରେ ବିଜେଡି ରାଜ୍ୟ ସରକାରଙ୍କୁ ଶାଣିତ ସ୍ବରରେ ସମାଲୋଚନା କରୁଛି। ସେହିପରି କଂଗ୍ରେସ ଅନାସ୍ଥା ନୋଟିସ ଆଣି ଗୃହରେ ଆଲୋଚନା ପାଇଁ ସୁଯୋଗ ଅପେକ୍ଷାରେ ରହିଛି। ଦୁଇ ବିରୋଧୀଙ୍କ ଭିନ୍ନ ଭିନ୍ନ ରଣନୀତି ଓ ଦାବି ଯୋଗୁ ଗୃହ କାର୍ଯ୍ୟ ଚାଲିପାରୁ ନାହିଁ । ଗୃହର ଅଚଳ ଅବସ୍ଥା ପାଇଁ ଉଭୟ ଶାସକ ଓ ବିରୋଧୀ ପରସ୍ପର ଉପରେ ଦୋଷ ଲଦାଲଦିରେ ମାତିଥିବା ବେଳେ କଂଗ୍ରେସ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣି ଘେରିଛି ବିଜେପି। ସେପଟେ ଆଜି ଗୃହରେ ମହିଳା ଓ ଶିଶୁ ବିକାଶ, ନିର୍ମାଣ, ପର୍ଯ୍ୟଟନ, ଅବକାରୀ, ମିଶନ ଶକ୍ତି ଏବଂ ଆଇନ ବିଭାଗର ପ୍ରଶ୍ନକାଳ ରହିଥିବା ବେଳେ ଆଜି ବିଜେଡି ଗୃହରେ ମୁଲତବୀ ପ୍ରସ୍ତାବ ଆଣିବ। ଅନାସ୍ଥାକୁ ନେଇ ବିଜେପି ଓ କଂଗ୍ରେସ ମୁହାମୁହିଁ ହୋଇଛନ୍ତି। ଏପରି ସ୍ଥିତିରେ ଗୃହ କାର୍ଯ୍ୟ ସ୍ଵାଭାବିକ ଚାଲି ପାରିବ କି ନାହିଁ ତାକୁ ନେଇ ସମସ୍ତଙ୍କ ମନରେ ସସ୍ପେନ୍ସ ଲାଗି ରହିଛି ।

ପୂର୍ବତନ ବିଧାୟକ ନେତା ଜର୍ଜ ତିର୍କିଙ୍କ ଦେହାନ୍ତ

ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ଵୀରମିତ୍ରପୁରର ପୂର୍ବତନ ବିଧାୟକ ତଥା ବରିଷ୍ଠ ଵିଜେଡି ନେତା ଜର୍ଜ ତିର୍କିଙ୍କ ଦେହାନ୍ତ । ଗତ କିଛିଦିନ ହେଲା ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ତାଙ୍କର ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ରାତି ସାଢେ ୧୧ଟା ସମୟରେ ଏକ ଘରୋଇ ହସ୍ପିଟାଲରେ ପହଞ୍ଚିବା ପୂର୍ଵରୁ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କର ଦେହାନ୍ତ ନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ ତଥା ଵୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କି । ମୃତ୍ୟୁ ଵେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା ।

ସେ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥଲେ । JMMରୁ ୨ ଥର ବିଧାୟକ ହୋଇଥିବା ବେଳେ ଥରେ ସ୍ଵାଧୀନ ଓ ଥରେ ସମତାକ୍ରାନ୍ତି ଦଳରୁ ନିର୍ବାଚିତ ହୋଇଥିଲେ । ୧୯୯୫, ୨୦୦୦ରେ JMMରୁ ବିଧାୟକ ହୋଇଥିଲେ ଜର୍ଜ ତିର୍କି । ସେହିଭଳି ୨୦୦୯ରେ ସ୍ବାଧୀନ ଏବଂ ୨୦୧୪ରେ ସମତାକ୍ରାନ୍ତି ଦଳରୁ ପ୍ରାର୍ଥି ହୋଇ ବିଜୟ ଲାଭ କରିଥିଲେ । ଏହାପରେ କଂଗ୍ରେସରେ ଯୋଗଦେଇଥିଲେ ଜର୍ଜ ତିର୍କି । ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେଇ ଦଳର ସକ୍ରିୟ କର୍ମୀ ଭାବରେ କାମ କରୁଥିଲେ । ତାଙ୍କ ପୁଅ ରୋହିତ ଯୋଶେଫ ତିର୍କି ବୀରମିତ୍ରପୁରରୁ ବିଜେଡି ବିଧାୟକ ରହିଛନ୍ତି । ଜର୍ଜଙ୍କ ଦେହାନ୍ତରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି ।

କ୍ୟାବିନେଟ ନିଷ୍ପତ୍ତିରେ କାର୍ପଣ୍ୟ : ବିଜ୍ଞପ୍ତି ପ୍ରକାଶ କରିବାକୁ କୁନ୍ଥକୁନ୍ଥ

ନନ୍ଦିଘୋଷ ବ୍ୟୁରୋ : ବ୍ୟଷୟିକ ଶିକ୍ଷାରେ ରାଜ୍ୟର ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦିଆଯିବ । ଖୋଦ ରାଜ୍ୟ ସରକାର ଗତ ମେ ମାସରେ ଏନେଇ ଘୋଷଣା କରିଥିଲେ । କିନ୍ତୁ ଏଯାଏଁ ଏହା କାର୍ଯ୍ୟକାରୀ ହୋଇନାହିଁ । ଯାହାଫଳରେ ଚଳିତ ବର୍ଷ ମେଡିକାଲ ନାମଲେଖାରେ ଓବିସି ଛାତ୍ରଛାତ୍ରୀମାନେ ସଂରକ୍ଷଣ ପାଇପାଇବେ ନାହିଁ । ସେମାନେ ଏବାବଦରେ ପ୍ରାୟ ୨୨୬ ସିଟ୍ ହରେଇବେ । ଏନେଇ ରାଜ୍ୟ ସରକାରଙ୍କ ଦୃଷ୍ଚି ଆକର୍ଷଣ କରିଛି ଓବିସି ଫୋରମ । ଚଳିତ ଶିକ୍ଷାବର୍ଷରେ ୧୧.୨୫% ପ୍ରତିଶତ ସଂରକ୍ଷଣ ନଦେଲେ ଆଗକୁ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ଫୋରମ୍ I

ଓବିସି ଛାତ୍ରଛାତ୍ରୀଙ୍କୁ ପୁଣି ପ୍ରତାରଣା ଅଭିଯୋଗ  । କାର୍ଯ୍ୟକାରୀ ହେଉନି ପଛୁଆ ବର୍ଗ ପାଇଁ ସଂରକ୍ଷଣ ଘୋଷଣା । ଚଳିତ ଶିକ୍ଷାବର୍ଷରୁ ସଂରକ୍ଷଣ ଲାଗୁ ନହେଲେ ଆନ୍ଦୋଳନ ଚେତାବନୀ ଦେଲା ଓବିସି ଫୋରମ । ରାଜ୍ୟର ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କୁ ସରକାର ଅବହେଳା କରୁଥିବା ଅଭିଯୋଗ I ଗତ ମେ ୧୭ ତାରିଖରେ ଓବିସି ଛାତ୍ରଛାତ୍ରୀଙ୍କୁ ମେଡିକାଲ୍ ଓ ଇଂଜିନିୟରି ଶିକ୍ଷା ପାଇଁ ସଂରକ୍ଷଣ ଦିଆଯିବ ବୋଲି ଘୋଷଣା କରିଥିଲେ । କିନ୍ତୁ ଘୋଷଣାକୁ ୪ ମାସ ବିତିଯାଇଥିଲେ ସୁଦ୍ଧା ସରକାରୀ କଳର ଅବହେଳା ଓ ଓବିସିଙ୍କ ପ୍ରତି ଉଦାସୀନତା ଯୋଗୁଁ ଆଜି ପର୍ଯ୍ୟନ୍ତ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଲା ନାହିଁ ବୋଲି ଅଭିଯୋଗ କରିଛି ଓବିସି ଫୋରମ । ଏହାଦ୍ବାରା ଚଳିତ ଶିକ୍ଷାବର୍ଷଠାରୁ ଓବିସି ପିଲାମାନେ ୨୨୬ଟି ମେଡିକାଲ୍ ସିଟ୍ରେ ନାମଲେଖା ସୁଯୋଗ ପାଇବେ ନାହିଁ ବୋଲି ଓବିସି ଫୋରମ୍ ଅଭିଯୋଗ କରିଛି । ରାଜ୍ୟ ସରକାର ଉଚ୍ଚଶିକ୍ଷା କ୍ଷେତ୍ରରେ ଓବିସିଙ୍କୁ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାକୁ ଘୋଷଣା କରିଥିଲେ । ଚଳିତ ଶିକ୍ଷା ବର୍ଷରୁ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ନହେଲେ ଆନ୍ଦୋଳନର ଚେତାବନୀ ଦେଇଛି ଓବିସି ଫୋରମ ।

ଓବିସି ବର୍ଗଙ୍କ ପ୍ରତି ସରକାରଙ୍କ ଉଦାସୀନତାକୁ କଂଗ୍ରେସ ମଧ୍ୟ ସମାଲୋଚନା କରିଛି । ଚଳିତ ବିଧାନସଭାରେ ଦଳ ଏହାକୁ ଏକ ପ୍ରସଙ୍ଗ କରିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତ ରାମଚନ୍ଦ୍ର କାଡାମ । ସେ ଅଭିଯୋଗ କରିଛନ୍ତି ଯେ, ସରକାର ଏମିତି ବହୁ ଘୋଷଣା କରୁଛନ୍ତି ଯାହା କାର୍ଯ୍ୟକାରୀ ହେଉନାହିଁ । ସେପଟେ ସରକାର ବୈଷୟିକ ଶିକ୍ଷାରେ ପଛୁଆ ବର୍ଗଙ୍କ ସଂରକ୍ଷଣ ନେଇ ବିଚାର କରୁଛନ୍ତି ଏବଂ ଖୁବଶୀଘ୍ର ଏନେଇ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି ବିଜେପି ବିଧାୟକ ଶତ୍ରୁଘ୍ନ ଜେନା । ଅକ୍ଟୋବର ମାସରେ ଆଡମିସନ ସେସନ୍ ସରୁଥିବା ବେଳେ ତା ଭିତରେ ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ଦାବି ରଖିଛି ଓବିସି ଫୋରମ ଓ କଂଗ୍ରେସ ।

ଶିକ୍ଷାନୁଷ୍ଠାନରେ ସୁରକ୍ଷିତ ନାହାନ୍ତି ଛାତ୍ରୀ : ସ୍କୁଲଠୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ସବୁଠି ବିପଦ

ନନ୍ଦିଘୋଷ ବ୍ୟୁରୋ : ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ନେଇ ଅଡୁଆରେ ସରକାର। ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ପାଲଟିଛି ମୁଖ୍ୟ ପ୍ରସଙ୍ଗ। ସ୍କୁଲରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ, ସବୁଠି ଅସୁରକ୍ଷିତ ଛାତ୍ରୀ। ବିଧାନସଭାରେ ରାଜ୍ୟ ସରକାରଙ୍କ ଲିଖିତ ଉତ୍ତର ଏହାକୁ ସ୍ପଷ୍ଟ କରିଛି। ଓଡ଼ିଶାରେ ବିଜେପି ସରକାର ଆସିବା ପରଠାରୁ ଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ ବିଧାୟକ। ଯେଉଁଠି ପଦାରେ ପଡ଼ିଛି ଉଭୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ଅପାରଗତା। ବାରମ୍ବାର ନାରୀ ସୁରକ୍ଷାକୁ ନେଇ ବିରୋଧୀଙ୍କ ଅଭିଯୋଗକୁ ଅଣଦେଖା କରୁଥିବା ସରକାର ଏବେ ବ୍ୟାକଫୁଟରେ ପଡିଛନ୍ତି।

କେଉଁଠି ଆଦିବାସୀ ସ୍କୁଲରେ ନାବାଳିକା ଛାତ୍ରୀ ଗର୍ଭବତୀ ହେଉଛନ୍ତି ତ ଆଉ କେଉଁଠି ଅଧ୍ୟାପକ ଫେଭର ମାଗିବାରୁ ଆତ୍ମାହୁତି ଦେଉଛନ୍ତି ଛାତ୍ରୀ। ବିଧାନସଭାରେ ପଦାରେ ପଡ଼ିଛି ରାଜ୍ୟରେ ଛାତ୍ରୀ ସୁରକ୍ଷାର ବିକଳ ଚିତ୍ର। ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନରେ ଯେ ଛାତ୍ରୀ ଅସୁରକ୍ଷିତ, ଏହାକୁ ବିଧାନସଭାରେ ଉଭୟ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଲିଖିତ ଉତ୍ତର ସରକାରଙ୍କ ପାରିବା ପଣିଆକୁ ପଦାରେ ପକାଇଛି। ବିଜେପି ସରକାର ଆସିବା ପରଠାରୁ ରାଜ୍ୟର ୧୭ଟି ବିଶ୍ବବିଦ୍ୟାଳୟରୁ ୬ଟି ବିଶ୍ୱବିଦ୍ୟାଳୟରେ ବଢିଛି ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା। ୧୯ ଜଣ ଛାତ୍ରୀ ନିର୍ଯାତନାର ଶିକାର ହୋଇଛନ୍ତି। ୬ ଯୌନ ନିର୍ଯାତନା, ୯ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଓ ୨ ଜଣ ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର କରାଯାଇଛି। ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ଜରିଆରେ ଏହାକୁ ସ୍ୱୀକାର କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଉତ୍କଳ ବିଶ୍ଵବିଦ୍ୟାଳୟରେ ସର୍ବାଧିକ ୭ଟି ମାମଲା ରହିଛି। ଯେଉଁଥରୁ ତିନୋଟି ଯୌନ ନିର୍ଯାତନା, ଗୋଟିଏ ଅଶ୍ଳୀଳ ଭାଷା ପ୍ରୟୋଗ ଓ ଅନ୍ୟଟି ମାନସିକ ନିର୍ଯାତନା ମାମଲା। ସେହିପରି ବାଣୀବିହାରରେ ରହିଛି ହଷ୍ଟେଲ ସୁରକ୍ଷା ପ୍ରସଙ୍ଗ।  ଫକିର ମୋହନ ବିଶ୍ବବିଦ୍ୟାଳୟରେ ତିନୋଟି ମାନସିକ ନିର୍ଯାତନା, ଗଙ୍ଗାଧର ମେହେରରେ ଗୋଟିଏ ଯୌନ ନିର୍ଯାତନା, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ଗୋଟିଏ ମାନସିକ ନିର୍ଯାତନା ଓ ଅସଦାଚରଣ, ରେଭେନ୍ସାରେ ୩ଟି ମାନସିକ ନିର୍ଯାତନା ଅଭିଯୋଗ ରହିଛି। ଏଥିରୁ ବାଦପଡ଼ିନି ଏକକ ମହିଳା ବିଶ୍ୱବିଦ୍ୟାଳୟ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରୀ ଯୌନ ନିର୍ଯାତନା ଯୋଗୁଁ ମାନସିକ ନିର୍ଯାତନାର ଶିକାର ହୋଇଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ମହିଳା ବିଶ୍ୱବିଦ୍ୟାଳୟରେ ମଧ୍ୟ ଅସୁରକ୍ଷିତ ଅଛନ୍ତି ଛାତ୍ରୀ। ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ରାଜ୍ୟର ୯ଟି ଜିଲ୍ଲାରେ ଛାତ୍ରୀ ନିର୍ଯାତନା ନେଇ ୩୨ଟି ମାମଲା ରୁଜୁ ହେଇଛି। କନ୍ଧମାଳ ବାଲିଗୁଡା ସରକାରୀ ହାଇସ୍କୁଲରେ ସର୍ବାଧିକ ୧୧ଟି ମାମଲା ରହିଛି। ସେହିପରି ସୁନ୍ଦରଗଡ଼ର ଠାକୁରପାଲି ପୁଷ୍ପା ମଞ୍ଜରୀ ସରକାରୀ ହାଇସ୍କୁଲ ଓ ପୁଷ୍ପମଞ୍ଜରୀ ହାଇସ୍କୁଲ ଗୁରୁଣ୍ଡିଆ ବିରୋଧରେ ୨ଟି ଲେଖାଏଁ ମାମଲା ରହିଛି।

ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କଳାହାଣ୍ଡି, ମାଲକାନଗିରି, ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାରେ ଜଣେ ଲେଖାଏଁ ସ୍କୁଲ ଛାତ୍ରୀ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଗଂଜାମ, କେନ୍ଦ୍ରାପଡା, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ଦୁଇଟି ଲେଖା ମାମଲା ରହିଛି। ଛାତ୍ରୀ ଅସୁରକ୍ଷିତ ନେଇ ବିଧାନସଭାରେ ସରକାର ତଥ୍ୟ ଦେବା ପରେ ଅକଳରେ ପଡ଼ିଛି ବିଜେପି। ଓଲଟି ଛାତ୍ରୀ ଅସୁରକ୍ଷିତ ନୁହନ୍ତି ବୋଲି କହି ଦୋଷ ଲୁଚାଇବାକୁ ଆପ୍ରାଣ ଉଦ୍ୟମ କରୁଛି ବିଜେପି। ଗତ ଦେଢ଼ ବର୍ଷ ଭିତରେ ବିଭିନ୍ନ କ୍ଷେତ୍ରରେ ନାରୀ ସୁରକ୍ଷା ପ୍ରସଙ୍ଗ ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଆଗକୁ ସରକାର ଏ ଦିଗରେ ପଦକ୍ଷେପ ନ ନେଲେ, ପୁଣି ଥରେ ସଶକ୍ତ ନାରୀ ଘରର ଚାରି କାନ୍ଥ ଭିତରକୁ ଠେଲି ହେବାର ଆଶଙ୍କା ଉପୁଜିଥିବା ନେଇ ଚର୍ଚ୍ଚା ଜୋର ଧରିଲାଣି।

ବିଧାନସଭାରେ ସାର ତାତି : ଗୃହରେ ବିଜେଡି ବିଧାୟକଙ୍କ ପ୍ରତିବାଦ ଓ ନାରାବାଜି

ନନ୍ଦିଘୋଷ ବ୍ୟୁରୋ : ବିଧାନସଭାରେ ସାର ତାତି । ପ୍ରଶ୍ନୋତ୍ତରକାଳ ଆରମ୍ଭରୁ ବିଜେଡି ଚାଷୀଙ୍କ ପାଇଁ ଗୃହରେ ପ୍ରତିବାଦ କରିଛି । ସାର ଦୁର୍ନୀତି ଅଭିଯୋଗରେ ପ୍ରଶ୍ନୋତ୍ତରକାଳ ବାତିଲ କରି ଆଲୋଚନା ପାଇଁ ଦାବି କରିଛି । ସାର କଳାବଜାରୀ କଥା ସରକାର ମାନିଥିଲେ ମଧ୍ୟ କାହିଁକି ଚାଷୀଙ୍କୁ ଚାଷ ସମୟରେ ସାର ଯୋଗାଇ ଦିଆଯାଉନାହିଁ ବୋଲି ବିଜେଡି ପ୍ରଶ୍ନ କରିଛି । କଂଗ୍ରେସ ମଧ୍ୟ ନିଜ ଆସନରେ ଛିଡାହୋଇ ପ୍ରତିବାଦ କରିଛି । ବିଜେପି କିନ୍ତୁ ଚିରାଚରିତ ଢଙ୍ଗରେ ଉତ୍ତର ଦେଇଛି ଆବଶ୍ୟକ ସାର ମହଜୁଦ ଅଛି । ସାର କଳାବଜାରୀ ସମସ୍ୟା ଚାଲିଥିବାବେଳେ ଚାଷୀଙ୍କୁ ନେଇ ବିଜେପି ବିଧାୟକ ଅଗସ୍ତି ବେହେରା ଦେଇଛନ୍ତି ବିବାଦୀୟ ବୟାନ । ଯାହାକୁ ନେଇ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ ।

ସାର କଳାବଜାରୀକୁ ନେଇ ବିଧାନସଭା ହୁଲସ୍ତୁଲ । ଧୋଇଗଲା ଦ୍ବିତୀୟ ଦିବସ । ଗୃହରେ ବିଜେଡି ବିଧାୟକଙ୍କ ପ୍ରତିବାଦ ଓ ନାରାବାଜି । ପ୍ରଶ୍ନକାଳ ବାତିଲ କରି ସାର ପାଇଁ ସ୍ବତନ୍ତ୍ର ଆଲୋଚନା ଦାବି । କଂଗ୍ରେସର ବି ସରକାରଙ୍କୁ ଟାର୍ଗେଟ । ଶାସକ ଦଳର ଚିରାଚରିତ ଉତ୍ତର । ସାର ତାତିରେ ସାରାଦିନ ଗୃହ ଠପ । କାଲିଯାଏଁ ମୁଲତବୀ । ଦିନଯାକ ଚାଲିପାରିଲାନି ଗୃହ । ହାତରେ ପ୍ଲାକାର୍ଡ ଧରି ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ପ୍ରତିବାଦ। ସାର କଳାବଜାରୀ ଚଳିବ ନାହିଁ, ପ୍ରଶ୍ନକାଳ ବାତିଲ କରି କର ଆଲୋଚନା । ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ରାଜ୍ୟରେ ସାର ସଙ୍କଟ ନେଇ ଚାଷୀ ହନ୍ତସନ୍ତ ହୋଇଥିବାରୁ ବିଜେଡି ବିଧାନସଭାରେ ଏହାର ଜୋରଦାର ପ୍ରତିବାଦ କରିଛି । କଂଗ୍ରେସ ନିଜ ଆସନରେ ଠିଆ ହୋଇ ସରକାରଙ୍କ ଚାଷୀମାରଣା ନୀତି ବିରୋଧରେ ପ୍ରତିବାଦ କରିଛି । ସାର ପ୍ରସଙ୍ଗରେ ଗୃହରେ ପ୍ରବଳ ହଟ୍ଟଗୋଳ ହେବାରୁ ବାଚସ୍ପତି ଗୃହକୁ ପ୍ରଥମେ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ । ଏହାପରେ ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ପୁଣି ବିରୋଧୀ ସାର ସଂସକଟକୁ ନେଇ ହୋହଲ୍ଲା କରିବାରୁ ବାଚସ୍ପତି ଗୃହକୁ ଆସନ୍ତାକାଲି ଯାଏଁ ମୁଲତବୀ ଘୋଷଣା କରିଥିଲେ । ତେବେ ଚାଷୀ ପ୍ରସଙ୍ଗରେ ସରକାରଙ୍କ ଏପରି ଆଭିମୁଖ୍ୟ ନେଇ ଗୃହ ବାହାରେ ବର୍ଷିଛି ବିଜେଡି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସରକାର କହୁଛନ୍ତି ସାର ମହଜୁଦ ଅଛି । ତେବେ ଚାଷୀଙ୍କୁ କାହିଁକି ସରକାର ସାର ଦେଉନାହାଁନ୍ତି ବୋଲି ପ୍ରସନ୍ନ ପ୍ରଶ୍ନ କରିଛନ୍ତି । ଆବଶ୍ୟକୀୟ ସାର ମିଳୁନଥିବାରୁ ଚାଷୀ ମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛନ୍ତି । ରାଜ୍ୟରେ ଚାଷୀଙ୍କ ସଂଖ୍ୟା ୬୦ ଭାଗ । ତେଣୁ ଚାଷୀଙ୍କ ସମସ୍ୟା ବାବଦରେ ଆଲୋଚନା ପାଇଁ ବିଜେଡି ଦାବି କରିଥିଲା ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି । ସରକାରଙ୍କୁ ବିଜେଡି ଚେତାବନୀ ଦେଇ କହିଛି, ପ୍ରଶ୍ନକାଳ ବାତିଲ କରି ସାର ଆଲୋଚନା କରାନଗଲେ ବିଜେଡି ବିଧାନସଭା ଚଳାଇଦେବ ନାହିଁ ।

ସାର ସମସ୍ୟା ଚାଲିଥିବାବେଳେ ଚାଷୀଙ୍କୁ ନେଇ ବିଜେପି ବିଧାୟକ ଅଗସ୍ତି ବେହେରା ଏକ ବିବାଦୀୟ ବୟାନ ଦେଇଛନ୍ତି । ସମବାୟ ସମିତି ଆଗରେ ଜାଲ ଚାଷୀଙ୍କୁ ବିରୋଧୀ ଠିଆ କରି ଆନ୍ଦୋଳନ କରୁଛନ୍ତି ବୋଲି ସେ କହିଛନ୍ତି । ଯାହାକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି । ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ବିଜେପି ହେଉଛି ଶିଳ୍ପପତିଙ୍କ ସରକାର । ତେଣୁ ଚାଷୀଙ୍କ ପ୍ରତି ତାଙ୍କର କୌଣସି  ସହାନୁଭୂତି ନାହିଁ । କଂଗ୍ରେସ ମଧ୍ୟ ଚାଷୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି । ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି ଚାଷୀ ସାର ପାଉନି । ସବୁଠି ହାହାକାର । ବିଧାନସଭାରେ ଆଲୋଚନା ହୋଇଥିଲେ ସମାଧାନ ବାହାରିଥାନ୍ତା । ସାର ଅଭାବ ପ୍ରସଙ୍ଗରେ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ସରକାରଙ୍କୁ ବିଧାନସଭାରେ ଘେରିବା ପରେ ଅକଳରେ ପଡିଛନ୍ତି ରାଜ୍ୟ ସରକାର । ତେବେ ପ୍ରଶ୍ନ ଉଠୁଛି ଆଗାମୀ ଦିନରେ ଗୃହ ଚାଲିବ ତ ?

 

ଶାରଦୀୟ ପୂଜା ପାଇଁ ଉତ୍ସବମୁଖର ରାଜଧାନୀ : ରଙ୍ଗୀନ ଆଲୋକରେ ଝଟକିଲାଣି ଭୁବନେଶ୍ବର ରାଜରାସ୍ତା

ନନ୍ଦିଘୋଷ ବ୍ୟୁରୋ : ଶାରଦୀୟ ପୂଜା ପାଇଁ ଉତ୍ସବମୁଖର ରାଜଧାନୀ । ତୋରଣ ଓ ସାଜସଜ୍ଜାକୁ ନେଇ ପୂଜାମଣ୍ଡପ ଗୁଡିକରେ ଲାଗିଗଲାଣି ଅଘୋଷିତ ପ୍ରତିଯୋଗିତା । ହାତରେ ଦିନ କେଇଟା ଥିବାରୁ କାରିଗରଙ୍କ ଠାରୁ ଶିଳ୍ପୀମାନେ ଅବିଶ୍ରାନ୍ତ ପରିଶ୍ରମ କରୁଛନ୍ତି । ସୂଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକ ମାଳାରେ ଝଟକିଲାଣି ଭୁବନେଶ୍ବର ରାଜରାସ୍ତା । ଦେଶ ବିଦେଶର ତୋରଣ ଭିତରେ ପୂଜା ପାଇବେ ମାଆ ଦୁର୍ଗା ।

ରାଜଧାନୀରେ ଶାରଦୀୟ ମାହୋଲ । ରଙ୍ଗୀନ ଆଲୋକରେ ଝଟକିଲାଣି ରାଜରାସ୍ତା । ଦୁର୍ଗତନାଶିନୀଙ୍କ ଆବାହନ ପାଇଁ ପ୍ରସ୍ତୁତ ହେଲେଣି ପୂଜା ମଣ୍ଡପ । କିଛି କିଛି ମଣ୍ଡପରେ ତୋରଣ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ମୃଣ୍ମୟ ମୃତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର I ନୟାପଲ୍ଲୀ ଦୂର୍ଗା ମଣ୍ଡପରେ ଦକ୍ଷିଣ ଭାରତର କଳା ସଂସ୍କୃତିକୁ ଦେଖିବେ ଦର୍ଶକ । ଉଚ୍ଚ ଅଟ୍ଟାଳିକା ସମ୍ପୂର୍ଣ୍ଣ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ ଭିତରେ ପୂଜା ପାଇବେ ମାଆ । ତୋରଣ ଭିତର ଓ ବାହାରେ ଦେଖିବାକୁ ମିଳିବ କେରଳ କୁଚିପୁଡି ନୃତ୍ୟର ଝଲକ । ମେଦିନିପୁରର ୩୦ରୁ ଅଧିକ କାରିଗର ଏହାକୁ ନିର୍ମାଣ କରୁଛନ୍ତି । ୭୫ ଫୁଟର ତୋରଣରେ ବିରାଜିବେ ମାଆ ଦୁର୍ଗା ।

ପୁଣି ପ୍ରତିବର୍ଷ ପୂଜାରେ କିଛି ଭିନ୍ନ କରୁଥିବା ରସୁଲଗଡ଼ ପୂଜା ମଣ୍ଡପରେ ଏଥର ଦେଖିବାକୁ ମିଳିବ ଉତ୍ତରାଖଣ୍ଡ ପାହାଡ଼ ଗୁମ୍ଫାରେ ଦେବୀ ମନ୍ଦିର । ୮୫ ଫୁଟ ଉଚ୍ଚ ଓ ୧୨୦ ଫୁଟ ଚଉଡ଼ା ବିଶିଷ୍ଟ ଏହି ତୋରଣ ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଛି । ପାହାଡ଼ ଉପରେ ଗଛଲତା ସହ ଗୁମ୍ଫା ଭିତରେ ପ୍ରବେଶ କରି ମାଆ ବୈଷ୍ଣୋଦେବୀଙ୍କୁ ଦର୍ଶନ କରିବାର ରୋମାଞ୍ଚକର ଅନୁଭୂତି ପାଇବେ ଲୋକେ । ୫୦ ଜଣ ବଙ୍ଗୀୟ କାରିଗର ପ୍ରାୟ ଦୁଇମାସ ହେଲା ତୋରଣ ନିର୍ମାଣ କାମରେ ଲାଗିଛନ୍ତି ।