ଭୁବନେଶ୍ବର: ପ୍ରେମିକାକୁ ନେଇ କୁଆଡେ ଗଲା କିଲର ପ୍ରେମିକ ? ରାଜ୍ୟ ବାହାରକୁ ଚାଲିଗଲା କି ପିଙ୍କୁ ? ନାରକୀୟ କାଣ୍ଡ ଘଟାଇଥିବା ନିହାରିକା ଏବେ କେଉଁଠି ? ଭୁବନେଶ୍ବର ଲକ୍ଷ୍ମୀସାଗର ତ୍ରିକୋଣୀୟ ପ୍ରେମକୁ ନେଇ ହତ୍ୟା ମାମଲାକୁ ୩୬ ଘଣ୍ଟା ପୂରିଥିଲେ ବି ପୋଲିସ ହାତ ଖାଲି । ମୁଖ୍ୟ ଅଭିଯୁକ୍ତ ସହ ଜଣେ ଯୁବତୀ ଓ ୪ ସହଯୋଗୀଙ୍କୁ ଧରିବା ପାଇଁ ଚଢାଉ ଜାରି ରଖିଛି ପୋଲିସ । ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିଲା ଏହି ହତ୍ୟାକାଣ୍ଡ । ମୃତକ ହେଲେ ଲକ୍ଷ୍ମୀସାଗର ଅଞ୍ଚଳର ଅଞ୍ଜନ । ସାଙ୍ଗକୁ ରକ୍ଷା କରିବାକୁ ଯାଇ ଅଭିଯୁକ୍ତର ଆକ୍ରମଣର ଶିକାର ହୋଇଥିଲେ। ଶୁକ୍ରବାର ରାତିରେ ଅଭିଯୁକ୍ତ ପିଙ୍କୁ ଓ ନିହାରିକା ପୁରୁଣା ପ୍ରେମିକ ଗୌତମକୁ ଡକାଇଥିଲେ । ଗୌତମ ରାତି ଅଧରେ ଏକା ନଆସି ନିଜ ସାଙ୍ଗ ଅଞ୍ଜନ ବେହେରାଙ୍କୁ ଡାକିଥିଲେ । ଅଞ୍ଜନ ଓ ଗୌତମ ପହଞ୍ଚିବା ମାତ୍ରେ ଯୁବତୀଙ୍କ ଉପସ୍ଥିତିରେ ପିଙ୍କୁ ଖଣ୍ଡା କାଢି ଭାଇଗିରି ଦେଖାଇଥିଲା । ରାଗରେ ଜର୍ଜରିତ ହୋଇ ଗୌତମଙ୍କ ଉପରକୁ ଚୋଟ ପକାଇଥିଲା । ଯେଉଁଥିରେ ଗୌତମ ଅଳ୍ପକେ ବତ୍ତି ଯାଇଥିଲେ। କିନ୍ତୁ ପ୍ରାଣ ହରାଇଥିଲେ ଅଞ୍ଜନ । ସେପଟେ ଘଟଣା ପରଠୁ ପ୍ରେମିକ ସହିତ ଫେରାର ହୋଇଯାଇଛନ୍ତି ବୋଲି ଭଉଣୀକୁ ମେସେଜ ଦେଇଛନ୍ତି ଯୁବତୀ ଜଣକ । ଲକ୍ଷ୍ମୀସାଗର ଥାନା ପୋଲିସ ପାରିପାର୍ଶ୍ବିକ ପରିସ୍ଥିତି, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅଧାରରେ ତଦନ୍ତ ଚଳାଇଛି । ମୁଖ୍ୟ ଅଭିଯୁକ୍ତ ପିଙ୍କୁ, ଗାର୍ଲଫ୍ରେଣ୍ଡ ନିହାରିକା ଓ ୪ ସହଯୋଗୀଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଥିବା ବେଳେ, ଅନ୍ୟ ଜିଲ୍ଲାରେ ସେମାନେ ଲୁଚିଥିବା ଜାଣିବାକୁ ପାଇଛି ପୋଲିସ ।
ନିର୍ବାଚନ ଆଚରଣ ବିଧି: ରାଜ୍ୟରେ ଘୋଡ଼ାଗଲା ସରକାରୀ ଯୋଜନା ବିଜ୍ଞାପନ ହୋର୍ଡିଂ
ଭୁବନେଶ୍ବର: ଗତକାଲି ସାଧାରଣ ନିର୍ବାଚନପାଇଁ ତାରିଖ ଘୋଷଣା ସହ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ନିର୍ବାଚନ ନସରିବା ପର୍ଯ୍ୟନ୍ତ ହୋଇପାରିବନି ସରକାରୀ ଯୋଜନାର ବିଜ୍ଞାପନ । ଏଥିପାଇଁ ରାଜ୍ୟରେ ସରକାରୀ ଯୋଜନା ବିଜ୍ଞାପନ ହୋର୍ଡିଂ ଘୋଡା ଯାଉଛି ।
ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜ୍ଯ ସରକାରଙ୍କ ପକ୍ଷରୁ ଲାଗିଥିବା ବିଜ୍ଞାପନ ହୋର୍ଡିଂକୁ ଘୋଡ଼ାଇ ଦିଆଯାଇଛି । ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ସମୟରେ କୌଣସି ସରକାରୀ ଯୋଜନାର ପ୍ରଚାର କିମ୍ବା ଭୋଟରଙ୍କୁ ପ୍ରଭାବିତ କରିବା ଭଳି କୌଣସି ବିଜ୍ଞାପନ ଉପରେ ନିର୍ବାଚନ କମିଶନ ରୋକ୍ ଲଗାଇଛନ୍ତି । ରାଜଧାନୀ ଭୁବନେଶ୍ବର ସମେତ ରାଜ୍ଯର ବିଭିନ୍ନ ଛକ, ବଜାର, ରାସ୍ତାରେ ଲାଗିଥିବା ସରକାରୀ ବିଜ୍ଞାପନ ହୋର୍ଡିଂଗୁଡ଼ିକ ଘୋଡ଼ାଇ ଦିଆଯାଇଛି ।
ଯୁବକଙ୍କୁ ଅପହରଣ ବେଳେ ଧରାପଡିଗଲେ ଦୁଇ ଦୁର୍ବୃତ୍ତ, ଖାଇଲେ ନିସ୍ତୁକ ମାଡ଼
ଜୟପୁର: କୋରାପୁଟ ଜିଲ୍ଲା ବନ୍ଧୁଗାଁ ସୁନାପାଲମୁଣ୍ଡା ଗାଁରୁ ଜଣେ ଯୁବକଙ୍କୁ ଅପହରଣ ଉଦ୍ୟମ । କୌଶଳ କ୍ରମେ ଖସି ପଳାଇ ଆସିଲେ ଯୁବକ । ସ୍ଥାନୀୟ ଲୋକଙ୍କ ହାତରେ ଧରାପଡିବା ପରେ ଦୁଇ ଅଭିଯୁକ୍ତଙ୍କୁ ପ୍ରବଳ ମାଡ଼ । ଥାନାକୁ ନେଇ ପଚରାଉଚରା କରୁଛି ପୋଲିସ ।
ଅଭିଯୋଗ ଅନୁସାରେ ସୁନାପାଲମୁଣ୍ଡା ଗାଁରୁ ମିନେଶ ନାମକ ଜଣେ ଯୁବକଙ୍କୁ ଅପହରଣ ଉଦ୍ୟମ ହୋଇଥିଲା । ତେବେ ମିନେଶ କୌଣସି ପ୍ରକାରେ ସେମାନଙ୍କ ପାଖରୁ ଖସି ଆସି ଗାଁ ଲୋକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ଘଟଣା ଜାଣିବା ପରେ ସ୍ଥାନୀୟ ଲୋକେ ତତ୍ପରତା ପ୍ରକାଶ କରିବା ସହ ଏଡୁଗୁମ ବାଲସା ନିକଟରୁ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ଏହାପରେ ଆରମ୍ଭ ହୋଇ ଯାଇଥିଲା ଦୁଇ ଅଭିଯୁକ୍ତଙ୍କ ଉପରେ ନିସ୍ତୁକ ମାଡ଼ । ଉଭୟଙ୍କୁ ବାନ୍ଧି ପାକଇ ପ୍ରବଳ ମାଡ ମରାଯାଇଛି । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିବା ସହ ଥାନାକୁ ନେଇ ପଚରାଉଚରା କରୁଛି । ଉଭୟଙ୍କ ଘର ସୀମାନ୍ତ ଆନ୍ଧ୍ର ପାର୍ବତୀପୁରାମର ବୋଲି ଜଣାପଡ଼ିଛି I
ଇଡି ପରିଚୟ ଦେଇ ଠକିଥିବା ଦୁଇ ଅଭିଯୁକ୍ତ ଗିରଫ
ଭୁବନେଶ୍ବର: ନିଜକୁ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ କହି ଶହ ଶହ ଲୋକଙ୍କ ଠାରୁ ଠକିଥିବା ଦୁଇ ଅଭିଯୁକ୍ତ ଗିରଫ । କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ କଲା ଗିରଫ । ୨ ଅଭିଯୁକ୍ତ ହେଲେ ଢେଙ୍କାନାଳ ଦୋଳମଣ୍ଡପସାହିର ତାରିଣୀସେନ ମହାପାତ୍ର ଓ ବ୍ରହ୍ମଶଙ୍କର ମହାପାତ୍ର ।
ଅଭିଯୋଗ ମୁତାବକ, ଉଭୟ ଦୁଇ ଭାଇ । ଏମାନେ ନିଜକୁ ଇଡି ଅଫିସର କହି ୩ ଶହ ସରକାରୀ ଅଧିକାରୀଙ୍କ ଠାରୁ ଠକେଇ କରିଛନ୍ତି । ଛତ୍ରପୁର ଉପଜିଲ୍ଲାପାଳ ତଥା SDM ଦେବଦତ୍ତ ମହନ୍ତଙ୍କ ଅଭିଯୋଗକ୍ରମେ ତଦନ୍ତ କରିଥିଲା STF । ତାରିଣୀସେନ ଜଣେ ବିକମ ଗ୍ରାଜୁଏଟ ଓ ବ୍ରହ୍ମଶଙ୍କର ବିସିଏ ପାସ କରିଛନ୍ତି । ରୟାଲ ଲାଇଫ ବଞ୍ଚିବା ପାଇଁ ସେମାନେ ଏଭଳି ଠକେଇ କରିଥିଲେ । ଝାଡ଼ଖଣ୍ଡ ରାଞ୍ଚିରେ ଭଡା ଘରେ ରହୁଥିଲେ । ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ NGO ମଧ୍ୟ ଚଳାଉଥିଲେ । ଇଡି ରେଡ୍ ସମ୍ପର୍କିତ ସୂଚନା ପାଇବା ପରେ ସେ ନିଜକୁ ଇଡି ଅଫିସର କହୁଥିଲେ । କୌଣସି ମାମଲାର ବୁଝାମଣା ପାଇଁ ଟଙ୍କା ଦେବାକୁ ଧମକାଉଥିଲେ । ତାଙ୍କ ଫୋନ ପେ ଯୋଗେ ୧୬ ଲକ୍ଷରୁ ଅଧିକ ଟଙ୍କା ଟ୍ରାଞ୍ଜାକସନ ହୋଇଥିବା ଜାଣିବାକୁ ପାଇଛି ପୋଲିସ । ଟଙ୍କା ନେବା ପରେ ମିଛ କ୍ଲିଅରାନ୍ସ ରିପୋର୍ଟ ମଧ୍ୟ ଦେଉଥିଲେ । ସେମାନଙ୍କ ଠାରୁ ଡେସ୍କଟପ, ମୋବାଇଲ, ବ୍ୟାଙ୍କ ପାସବୁକ, ମିଛ ପରିଚୟ ପତ୍ର, ୧୭ଟି ଏଟିଏମ କାର୍ଡ ଜବତ କରାଯାଇଛି । କେସ ନମ୍ବର ଦଫା ୧୫, ୪୧୯, ୪୨୦, ୩୮୪, ୩୮୮, ୫୦୬ ଓ ୧୨୦-ବି ରେ ଦୁଇ ଠକ ଭାଇଙ୍କୁ କୋର୍ଟଚାଲାଣ କରିଛି STF ।
ସରିଲା କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା
ମୁମ୍ବାଇ: କଂଗ୍ରେସ ଚଲାଇଥିବା ଭାରତ ଯୋଡ଼ ନ୍ୟାୟ ଯାତ୍ରାର ହୋଇଛି ଶେଷ । ମୁମ୍ବାଇରେ ହୋଇଥିବା ଶେଷ ନ୍ୟାୟ ଯାତ୍ରା ଅବସରରେ ଆୟୋଜିତ ସାଧାରଣ ସଭାରେ ସାମିଲ ହେଲେ ବହୁ ସହଯୋଗୀ ଦଳ ।
ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଦେଶରେ ହିଂସା, ଦ୍ବେଷର ସ୍ଥାନ ନାହିଁ । ଭାରତ ଭ୍ରାତୃତ୍ବ ବୋଧର ଦେଶ । ୨ ମାସ ପୂର୍ବରୁ ମଣିପୁରରୁ ଆରମ୍ଭ ହୋଇଥିବା ଯାତ୍ରା ପ୍ରାୟ ୬ ହଜାର ୭୦୦ କିଲୋମିଟର ଅତିକ୍ରମ କରିବା ପରେ ଆଜି ଶେଷ ହୋଇଛି ।
ମୁମ୍ବାଇ ଶିବାଜୀ ପାର୍କରେ ଆୟୋଜିତ ସମାବେଶରେ ବିଭିନ୍ନ ଦଳର ନେତାମାନେ ଯୋଗଦେଇଛନ୍ତି । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଏହି ସମାବେଶରେ ସାମିଲ ହୋଇଛନ୍ତି । ଗତ ଜାନୁଆରୀ ୧୪ରେ ଇମ୍ଫାଲରୁ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ ହୋଇଥିଲା । ଆସାମ, ପଶ୍ଚିମବଙ୍ଗ, ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ମହାରାଷ୍ଟ୍ର, ଓଡ଼ିଶା ସମେତ ୧୫ ରାଜ୍ୟର ୧୧୦ ଜିଲ୍ଲା ତଥା ୧୦୦ରୁ ଅଧିକ ଲୋକସଭା ଆସନ ଓ ୩୩୭ ବିଧାନସଭା କ୍ଷେତ୍ର ଅତିକ୍ରମ କରିଥିଲା ।
ପ୍ରାର୍ଥୀଙ୍କ ସବୁ ଅପରାଧ ରେକର୍ଡ ଜାଣିପାରିବେ ଭୋଟର
ଭୁବନେଶ୍ବର: ଗତକାଲି ଲୋକସଭା ଓ ୪ ରାଜ୍ୟ ପାଇଁ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଦେଶରେ ୭ଟି ପର୍ଯ୍ୟାୟରେ ହେବ ମତଦାନ । ଚଳିତ ନିର୍ବାଚନରୁ ଭୋଟର ପ୍ରାର୍ଥୀଙ୍କ ସବୁ ଅପରାଧିକ ରେକର୍ଡ ସମ୍ପର୍କରେ ପାରିବେ ଜାଣି । ଭୋଟରଙ୍କୁ ଅଧିକ ଶକ୍ତିଶାଳୀ କରିବା ଲାଗି ନିର୍ବାଚନ କମିଶନ ପକ୍ଷରୁ ଆରମ୍ଭ କରାଯାଇଛି ନୋ ୟୁଓର କ୍ଯାଣ୍ଡିଡେଟ ଆପ୍ ।
ଏହି ଡିଜିଟାଲ ଆପ୍ଲିକେସନରେ ଭୋଟରମାନେ ପ୍ରାର୍ଥୀଙ୍କ ସମ୍ପର୍କରେ ସବୁକିଛି ଜାଣିପାରିବେ । ପ୍ରାର୍ଥୀଙ୍କ ଅପରାଧିକ କାର୍ଯ୍ୟକଳାପ, ମାମଲା, ସମ୍ପତ୍ତି ଆଦି ସମ୍ପର୍କରେ ଏହି ଆପରୁ ସବିଶେଷ ତଥ୍ଯ ଜାଣିପାରିବେ ଭୋଟର । ଏନେଇ ସୂଚନା ଦେଇଛନ୍ତି ମୁଖ୍ଯ ନିର୍ବାଚନ କମିଶନର ରାଜୀବ କୁମାର। ନିଜର ଗଣତାନ୍ତ୍ରିକ ଅଧିକାର ହାସଲ କରିବା ଲାଗି ଭୋଟରମାନେ ପ୍ରାର୍ଥୀଙ୍କ ସମ୍ପର୍କରେ ଜାଣିବାର ଆବଶ୍ଯକତା ରହିଛି ବୋଲି ସେ କହିଛନ୍ତି । ଗୁଗୁଲ ଆପ୍ ଷ୍ଟୋରରୁ ନୋ ୟୁଓର କ୍ଯାଣ୍ଡିଡେଟ ବା କେୱାଇସି ଡାଉନଲୋଡ କରାଯାଇପାରିବ । ଦେଶରେ ପ୍ରାୟ ୯୭ କୋଟି ଭୋଟର ଚଳିତ ନିର୍ବାଚନରେ ମତାଧିକାର ସାବ୍ୟସ୍ତ କରିବେ ।
କ୍ରସରରେ ଚାପି ହୋଇ ଜଣେ ମୃତ, ଦୁଇ ଆହତ
ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧୀନ ରାହାଡ଼ପୁରରେ ଅଘଟଣ । କ୍ରସର ମରାମତି ବେଳେ ଚାଲିଗଲା ଜଣଙ୍କ ଜୀବନ । କ୍ରସରେ ଚାପି ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ରାହାଡ଼ପୁରଠାରେ ଏକ କ୍ରସର ମରାମତି ଚାଲିଥିଲା । ଏହି ସମୟରେ ଜଣେ କ୍ରସରରେ ଚାପି ହୋଇ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇଜଣା ଆହତ ହୋଇଛନ୍ତି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ଯାଇଛି । ଖବର ପାଇଁ ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୋମାଲିଆ ଜଳଦସ୍ୟୁଙ୍କ କବଳରୁ ୧୭ ଜଣଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା
ନୂଆଦିଲ୍ଲୀ: ଭାରତ ମହାସାଗରରେ ଦମ ଦେଖାଇଲା ଭାରତର ନୌସେନା । ୪୦ ଘଣ୍ଟାର ଅପରେସନ ପରେ ସୋମାଲିଆ ଜଳଦସ୍ଯୁଙ୍କ କବଳରୁ ୧୭ ଯାତ୍ରୀଙ୍କୁ ମୁକୁଳାଇଲେ ଭାରତୀୟ ବରୀ ଯବାନ ।
ଗତ ଡିସେମ୍ବର ୧୪ ତାରିଖରେ ଭାରତ ମହାସାଗରରେ କାର୍ଗୋ ଭେସେଲ ରୁଏନକୁ ସୋମାଲିଆ ଜଳଦସ୍ୟୁମାନେ ଅପହରଣ କରି ନେଇଥିଲେ । ଜାହାଜରେ ଥିବା ଯାତ୍ରୀଙ୍କୁ ମୁକୁଳାଇବା ଲାଗି ଆଇଏନଏସ କୋଲକାତା ପ୍ରାୟ ୨୬ ଶହ କିଲୋମିଟର ଯାତ୍ରା କରିଥିଲା । ଏଥିରେ ଡ୍ରୋନ, ବିମାନ, ମାରିନ କମାଣ୍ଡୋ ସେମିଲ ହୋଇଥିଲେ । ଭାରତୀୟ ଜାହାଜକୁ ଦେଖିବା ପରେ ସୋମାଲିଆ ଜଳଦସ୍ଯୁ ନୌସେନା ଉପରକୁ ଗୁଳିମାଡ଼ କରିଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ନୌସେନା କମାଣ୍ଡୋ । ଆଇଏନଏସ କୋଲକାତା ସହ ଯାଇଥିବା ଆଇଏନଏସ ସୁଭଦ୍ରା, ହାଲେ ଆରପିଏ ଡ୍ରୋନ, ପି୮୧ ମାରିଟାଇମ ପାଟ୍ରୋଲ ଏୟାରକ୍ରାଫ୍ଟ ଆଦି ଏହି ଅପରେସନରେ ସାମିଲ ହୋଇଥିଲେ ।

