spot_img
Home Blog Page 2002

ପରିବାରର ହସ ଛଡ଼ାଇ ନେଇଛି ଅଜଣା ରୋଗ, ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ

ପୁରୀ: ପୁରୀ ନିମାପଡା ନୂଆପାଟଣା ଗାଁର ବା ରଞ୍ଜନାବାଳା ପାଳ। ପରିବାର କହିଲେ ଦୁଇପୁଅ ଆଉ ସ୍ୱାମୀ ରବିନାରାୟଣ ପାଳ। ଦିନ ଥିଲା ସ୍ୱାମୀ ରୋଜଗାରରେ ଚଳୁଥିଲା ଘର। ଦଇବର ଇଚ୍ଛା କଣ ଥିଲା କେଜାଣି, ଅକସ୍ମାତ ମାଡି ବସିଲା ଅଜଣା ରୋଗ। ଅକ୍ରମଣ୍ୟ ହେଇଗଲେ ରବିନାରାୟଣ। ସେଇଦିନ ଠୁ ସତେ ଯେମିତି ପରିବାରର ହସ ଖୁସି କୁଆଡେ ହଜିଯାଇଛି। ସ୍ବାମୀ ଅସୁସ୍ଥ ହେବା ପରେ ତାଙ୍କ ଚିକିତ୍ସା ତ ଦୂରର କଥା ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ମଧ୍ଯ ସଂଘର୍ଷ କରୁଛି ପରିବାର।

ରଞ୍ଜନାଙ୍କ ଦୁଇଟି ପୁଅ। ବଡ ପୁଅ ଶିବପ୍ରସାଦ ପାଳ ଜନ୍ମରୁ ଦିବ୍ୟଙ୍ଗ। ନା କାନକୁ କିଛି ଶୁଣାଯାଏ ନା ସେ କିଛି କହିପାରେ। ସମସ୍ତଙ୍କ ଦୁଃଖ କଷ୍ଟକୁ କାନ୍ଧରେ ବୋହି ରଞ୍ଜନା ଏବେ ପରିବାର ଚଳାଉଛନ୍ତି । ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ପାଚିକା ରୂପେ କାମ କରୁଛନ୍ତି। ଏଥିସହ ରଞ୍ଜନା ଦିନ ମଜୁରିଆ ରୂପେ କାମ କରିବା ସହ ସୂତା ମଧ୍ୟ କାଟନ୍ତି। ସେତିକିରେ ଚଳିବା କଷ୍ଟ ହେଉଥିବାରୁ ଆର୍ଥିକ ସହାୟତା ପାଇଁ ପରିବାର ନିବେଦନ କରିଛି। ଗରିବ ପରିବାରକୁ କେହି ସହୃଦୟ ବ୍ଯକ୍ତି ସହଯୋଗ କଲେ ପରିବାରର କଷ୍ଟ ଦୂର ହୋଇପାରନ୍ତା।

ମା’ ଉଗ୍ରତାରାଙ୍କ ମନ୍ଦିର ଉନ୍ନତିକରଣ ପାଇଁ ହେଲା ଶିଳାନ୍ୟାସ, ୨୫ କୋଟି ବ୍ୟୟରେ ହେବ ସୌନ୍ଦର୍ଯ୍ୟକରଣ

ଖୋର୍ଦ୍ଧା: ରାଜ୍ୟର ଅନ୍ୟତମ ଶକ୍ତି ପୀଠ ଖୋର୍ଦ୍ଧା ଟାଙ୍ଗି ବ୍ଲକ  ମୂଳିଝର ଗଡ଼ରେ ଥିବା ମା’ ଉଗ୍ରତାରାଙ୍କ ମନ୍ଦିର। ଏହାର ଉନ୍ନତିକରଣ ସହ ମାଙ୍କ ପୀଠର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ହୋଇଛି ଶିଳାନ୍ୟାସ।  ଭିଡିଓ କନଫରେନ୍ସ ମାଧ୍ୟମରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହାର ଶିଳାନ୍ଯାସ ହୋଇଛି। ୨୫ କୋଟି ଟଙ୍କା ବ୍ୟୟରେ ମା ଉଗ୍ରତାରାଙ୍କ ପୀଠର ସୌନ୍ଦର୍ଯ୍ୟକରଣ ହେବ।

ଉଗ୍ରତାରାଙ୍କ ମନ୍ଦିର 16ନଂ ଜାତୀୟ ରାଜପଥଠାରୁ ୩ କିଲୋମିଟର ଦୂର ସହ ଭୂଷଣ୍ଡପୁର ରେଳ ଷ୍ଟେସନ ଠାରୁ ଏକ କିଲୋମିଟର ଦୂରରେ ଅବସ୍ଥିତ। ବହୁ ପୁରାତନ ମନ୍ଦିର ହୋଇଥିବାରୁ ପ୍ରତ୍ଯେକ ଦିନ ଏଠାରେ ଭକ୍ତଙ୍କର ଭିଡ଼ ଜମେ।  ତେଣୁ ଭକ୍ତଙ୍କ ସହ ସ୍ଥାନୀୟ ଲୋକେ ମାଆଙ୍କ ପୀଠର ଉନ୍ନତି ପାଇଁ ଦାବି କରିଆସୁଥିଲେ। 5T  ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନ ମାଆ ଉଗ୍ରତାରାଙ୍କ ମନ୍ଦିରକୁ ପରିଦର୍ଶନ କରି ଏହାର ରୂପାନ୍ତରୀଣ ଯୋଜନାର କାର୍ଯ୍ୟ କିପରି ତ୍ୱରାନ୍ୱିତ ହୋଇପାରିବ ତାହା ପରଖି ଥିଲେ। ମା ଉଗ୍ରତାରାଙ୍କ ପରୀକ୍ରମା ମାର୍ଗ ସହ,  ସେବାୟତଙ୍କ ବିଶ୍ରାମ ଭବନ,  ତୀର୍ଥ ଯାତ୍ରୀ ବିଶ୍ରାମ ଗୃହ , ଦୋକାନ ଘର,  ଭୋଗ ମଣ୍ଡପ ଆଦିର ଯୋଜନା ହୋଇଛି। ଶକ୍ତିପୀଠର ବାକିଶମୂଳକ କାର୍ଯ୍ୟ ନେଇ ଅଞ୍ଚଳବାସୀ ଖୁସି।

ସ୍ବାବଲମ୍ବୀ କରୁଛି କ୍ୟାପସିକମ୍ ଚାଷ, ଆଦିବାସୀ ଅଞ୍ଚଳରେ ବଢ଼ୁଛି ଚାଷ ପ୍ରତି ଆଗ୍ରହ

କନ୍ଧମାଳ: କ୍ଯାପସିକମ ଚାଷ କରି ସ୍ବାବଲମ୍ବୀ ପାଲଟିଛନ୍ତି ଚାଷୀ । କନ୍ଧମାଳ ଜିଲ୍ଲା ଆଦିବାସୀ ଅଞ୍ଚଳରେ ଲୋକେ କ୍ୟାପସିକମ ଚାଷ କରୁଛନ୍ତି । ରାଜ୍ଯ ସରକାରଙ୍କ ଜିବିକା ମିଶନ ଓ ଆଇଟିଡିଏର ପ୍ରୋତ୍ସାହନରେ ଉପକୃତ ହେଉଛନ୍ତି ଚାଷୀ ।  ପ୍ରଥମ ପର୍ଯ୍ଯାୟରେ ସରାକାରଙ୍କ ପକ୍ଷରୁ ତିନୋଟି ବ୍ଲକର ୮୦ ଜଣ ଚାଷୀଙ୍କୁ କ୍ଯାପସିକମ ମଞ୍ଜି ଯୋଗାଇ ଦିଆଯାଇଛି । ଏହାର ବଜାରରେ ଚାହିଦା ଭଲ ରହିଛି । କିଲୋପିଛା ୭୦ ରୁ ୮୦ ଟଙ୍କାରେ ହେଉଛି ବିକ୍ରି । ଚାଷ କରି ଭଲ ଦୁଇ ପାଇସା ରୋଜଗାର କରୁପାରୁଛନ୍ତି ଚାଷୀ । ଏନେଇ ରାଜ୍ଯ ସରକାରଙ୍କୁ ଚାଷୀ ଧନ୍ଯବାଦ ଜଣାଇଛନ୍ତି ।

କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, ଖଜୁରୀପଡ଼ା, ବ୍ଲକର ଚାଷୀ ଏହି କ୍ୟାସିକମ୍ ଚାଷ କରିଛନ୍ତି l ଫୁଲବାଣୀ ଗୁମାଗଡ଼ ପଞ୍ଚାୟତ ପ୍ରାଡ଼ିପଦର ଗାଁର ପ୍ରମୋଦ କହଁର ଚାଷ କରି ୬ କୁଇଣ୍ଟାଲ କ୍ଯାପସିକମ ବଜାରରେ ବିକ୍ରି କରି ରୋଜଗାରକ୍ଷମ ହୋଇପାରିଛନ୍ତି l ପ୍ରତ୍ଯେକ ଚାଷୀ ୧୫ ରୁ ୨୦ ଏକର  କ୍ଯାପସିକମ ଚାଷ କରୁଛନ୍ତି l ଏହି ଚାଷ ଭଲ ହୋଇଥିବାରୁ ଅନ୍ୟ ଚାଷୀ ମାନେ ଏଥିପ୍ରତି ଆଗ୍ରହ ପ୍ରକାଶ କରୁଥିବା ନେଇ ଆଇ ଟି ଡି ଏ ର ପ୍ରୋଜେକ୍ଟ ମ୍ୟାନେଜର୍ କହିଛନ୍ତି ।

ପୁଣି ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ IAS ବିନୋଦ କୁମାର

ଭୁବନେଶ୍ବର: ପୁଣି ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ IAS ବିନୋଦ କୁମାର । ଦୁର୍ନୀତି ମାମଲାରେ ସେ ପୁଣି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୩ବର୍ଷ ଜେଲ ଦଣ୍ଡ ସହ ୨୫ହଜାର ଜରିମାନା କରିଛନ୍ତି ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ଗ୍ରାମୀଣ ଗୃହ ଯୋଗାଣରେ ବ୍ୟାପକ ଦୁର୍ନୀତି ଅଭିଯେୋଗର ବିଚାର କରି ଅଦାଲତ ଏହି ରାୟ ଶୁଣାଇଛନ୍ତି । ବିନୋଦଙ୍କ ସହିତ ORHDCର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ମଧ୍ଯ ଜେଲ ଦଣ୍ଡାଦେଶ ମିଳିଛି । ପୂର୍ବତନ ଆକାଉଣ୍ଟ ଅଫିସର ପ୍ରଦୀପ ରାଉତ, ବିକାଶ ଏନଜିଓର ସମ୍ପାଦକ ଅଶୋକ ନନ୍ଦଙ୍କୁ ୩ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହ ଜରିମାନା କରିଛନ୍ତି ଅଦାଲତ ।

ଜରିମାନା ଅନାଦେୟ ଆଉ ୨ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ।  ସମସ୍ତଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ମାମଲା ରହିଛି । ପୂର୍ବରୁ ORHDC ଦୁର୍ନୀତି ମାମଲାରେ ବିନୋଦ କୁମାରଙ୍କୁ  ଦଣ୍ଡାଦେଶ ଶୁଣାଇଥିଲେ ଅଦାଲତ । ୨୦୦୦ରୁ ୨୦୦୧ ମସିହା ପର୍ଯ୍ୟନ୍ତ ORHDCର ପରିଚାଳନା ନିର୍ଦ୍ଦେଶକ ଥିଲେ ଆଇଏସ ବିନୋଦ କୁମାର । ମୁଖ୍ୟତଃ ବିନୋଦ କୁମାରଙ୍କ ସମୟରେ ସରକାରୀ ବାବୁ ଓ ବିଲଡରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟ ସରକାରଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡିଥିଲା । ଆଜିର ରାୟକୁ ମିଶାଇ ନବମ ଥର ପାଇଁ ବିନୋଦ ଦୋଷୀ ସାବ୍ଯସ୍ତ ହୋଇଛନ୍ତି ।

୪୦୦ ବର୍ଷ ପୁରୁଣା ଷୋଳଶରାଣୀ ଗୁମ୍ଫାରୁ ଉଦ୍ଧାର ହେଲା ମାଆଙ୍କ ମୂର୍ତ୍ତି, ଦର୍ଶନ ପାଇଁ ଛୁଟୁଛି ଭକ୍ତଙ୍କ ସୁଅ

ନୟାଗଡ: ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ବିରିଡିହ ଗାଁରେ ଅଲୌକିକ ଘଟଣା । ୪୦୦ ବର୍ଷ ପୁରୁଣା ଷୋଳଶରାଣୀ ଗୁମ୍ଫାରୁ ଉଦ୍ଧାର ହୋଇଛି ମାଙ୍କ ମୂର୍ତ୍ତି । ମାଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଛୁଟୁଛି ଭକ୍ତଙ୍କ ସୁଅ । ଗ୍ରାମବାସୀଙ୍କ ସହଯୋଗରେ ପାହାଡ ଉପରୁ ପ୍ରାଚୀନ ମୂର୍ତ୍ତି ଉଦ୍ଧାର ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । କିମ୍ବଦନ୍ତୀ ଅନୁସାରେ ରାଜା ରାଜୁଡାଙ୍କ ସମୟରେ ଜଙ୍ଗଲ ପାହାଡ ଘେରା ଗୁମ୍ଫା ଭିତରେ ମା ଷୋଳରାଣି ପୂଜା ପାଉଥିଲେ ।  ତେବେ କାଳକ୍ରମେ ପୂଜା ବନ୍ଦ ହୋଇଯାଇଥିବା ବେଳେ ମାଙ୍କ ବିଗ୍ରହ ଓ ଅଳଙ୍କାର ଚୋରମାନେ ଚୋରି କରିନେଇଥିଲେ ।

କିଛି ଦିନ ତଳେ ବୃନ୍ଦାବନରୁ ଆସିଥିବା ଜଣେ ସାଧୁ ମାଆ ସ୍ଵପ୍ନାଦେଶ କରିଥିଲେ । ପରେ ଗ୍ରାମବାସୀମାନେ ଷୋଳଶରାଣି ଗୁମ୍ଫା ନିକଟରେ ଖୋଜାଖୋଜି କରିବା ପରେ ମାଆଙ୍କ ବିଗ୍ରହ ମାଟିତଳୁ ଉଦ୍ଧାର କରିଛନ୍ତି । ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏବେ ମାଆଙ୍କ ବିଗ୍ରହକୁ ଗୁମ୍ଫା ନିକଟରେ ରଖି ପୂଜାର୍ଚ୍ଚନା କରୁଛନ୍ତି ଗ୍ରାମବାସୀ । ତେବେ ମନ୍ଦିର ନିର୍ମାଣ ପାଇଁ ସରକାରଙ୍କ ସହାୟତା ଲୋଡିଛନ୍ତି ଗ୍ରାମବାସୀ ।

ବନ୍ଯଜନ୍ତୁଙ୍କ ସହ ଫଟୋ କିମ୍ବା ସେଲଫି ନେଲେ ହେବ ଜେଲ୍

ଭୁବନେଶ୍ବର: ବନ୍ଯଜନ୍ତୁଙ୍କ ଫଟୋ ଉଠାଇବା ସହ ସେମାନଙ୍କ ସହ ସେଲଫି ନେଉଛନ୍ତି କି? ବନ୍ଯପ୍ରାଣୀଙ୍କ ବିଭିନ୍ନ ଶରୀର ଅଂଶ ସହ ବି ଫଟୋ କିମ୍ବା ସେଲଫି ନେଉଛନ୍ତି କି? ତେବେ ଏଥିପ୍ରତି ହୁଅନ୍ତୁ ସାବଧାନ। ଏଥିଲାଗି ଭୋଗିପାରେ କଡ଼ା ଦଣ୍ଡ। ବନ୍ଯଜନ୍ତୁଙ୍କ ଫଟୋ କିମ୍ବା ସେମାନଙ୍କ ସହ ସେଲଫି ଉଠାଇ ଲୋକମାନେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରୁଛନ୍ତି। ବନ୍ଯଜନ୍ତୁଙ୍କ ଫଟୋ ଉଠାଇବା କିମ୍ବା ସେମାନଙ୍କ ସହ ସେଲଫି ନେବା କେବଳ ସେମାନଙ୍କ ସାଧାରଣ ଜୀବନ ଯାତ୍ରାକୁ ବିଶୃଙ୍ଖଳିତ କରି ନଥାଏ ବରଂ ଏହା ବନ୍ଯଜନ୍ତୁ ସୁରକ୍ଷା ଆଇନ, ୧୯୭୨ର ଧାରା ୯କୁ ଉଲ୍ଲଂଘନ କରିଥାଏ। ଏହି ଅଭିଯୋଗରେ ଆଇନ ଉଲ୍ଲଂଘନକାରୀଙ୍କୁ ୭ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିପାରେ।

ସେହିପରି ମୃତ ବନ୍ଯଜନ୍ତୁ କିମ୍ବା ବନ୍ଯପ୍ରାଣୀଙ୍କ ଶରୀର ଅଂଶ ସହ ଫଟୋ ଉଠାଇବା ବା ସେଲଫି ନେବା ସହ ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ମଧ୍ଯ ବନ୍ଯଜନ୍ତୁ ସୁରକ୍ଷା ଆଇନର ଉଲ୍ଲଂଘନ କରୁଛି। ଏହି ଆଇନର ଉଲ୍ଲଂଘନ ନ କରିବା ଲାଗି ପରାମର୍ଶ ଦେଇଛନ୍ତି ପ୍ରିନ୍ସିପାଲ ଚିଫ କଞ୍ଜରଭେଟର ଅଫ ଫରେଷ୍ଟସ ବା ପିସିସିଏଫ ।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ, ପଶ୍ଚମାଝଡ ପ୍ରଭାବରେ ବଢିବ ବଜ୍ରପାତ ଜନିତ ବର୍ଷା

ଭୁବନେଶ୍ବର: ତାତିରେ ଲାଗିଲା ବ୍ରେକ୍, ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ। ଆସନ୍ତା ୩ ଦିନ ଯାଏଁ ଦିନ ତାପମାତ୍ରାରେ ପରିବର୍ତ୍ତନ ହେବନି। ଉପକୂଳ ଓଡ଼ିଶାରେ ୩୪ ରୁ ୩୬ ଡ଼ିଗ୍ରୀ ମଧ୍ୟରେ ରହିବ ଦିନ ତାପମାତ୍ରା । ଆଭ୍ୟନ୍ତରୀଣ ଓଡିଶାରେ ୩୭ ରୁ ୩୯ଡିଗ୍ରୀ ରହିପାରେ ତାପମାତ୍ରା। ପରବର୍ତ୍ତୀ ୩ରୁ ୪ ଦିନ ଯାଏଁ ଆହୁରି କମିବ ତାପମାତ୍ରା । ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ କମିବ ପାରଦ। ପଶ୍ଚମାଝଡ ପ୍ରଭାବରେ ବଢିବ ବଜ୍ରପାତ ଜନିତ ବର୍ଷା। ଉତ୍ତର ଆଭ୍ୟନ୍ତରୀଣ ଓଡିଶା କୁ ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ ଏବଂ ଝାରସୁଗୁଡା କୁ ୟେଲୋ ଆଲର୍ଟ ଜାରି। ଉପକୂଳ ଓଡିଶାର ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼ରେ ବି କାଳବୈଶାଖି ବର୍ଷା ସମ୍ଭାବନା।

୧୬, ୧୭, ୧୮ ଏବଂ ୧୯ ତାରିଖରେ ବିଜୁଳି ଘଡଘଡି ସହ ବର୍ଷା ହେବ। ୨୨ ତାରିଖରୁ ରାଜ୍ୟରେ ବଦଳିବ ପାଗ, ବଢିବ ଗ୍ରୀଷ୍ମପ୍ରବାହ। ମାର୍ଚ୍ଚ ୨୨ରୁ ୨୮ ଯାଏଁ ପ୍ରବଳ ତାତି ଅନୁଭୂତ ହେବ। ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡିଶାରେ ସ୍ଥିତି ଅସମ୍ଭାଳ ହେବ। ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ୪୦ ଡିଗ୍ରୀ ଅତିକ୍ରମ କରିବ ତାପମାତ୍ରା।

ୟେଦୁରପ୍ପାଙ୍କ ବିରୋଧରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ବେଙ୍ଗାଲୁରୁ: ଅଡୁଆରେ କର୍ଣ୍ଣାଟକର ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ ୟେଦୁରପ୍ପା। ବେଙ୍ଗାଳୁରୁସ୍ଥିତ ନିଜ ବାସଭବନରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ତାଙ୍କ ବିରୋଧରେ ପୋକ୍ସୋ ଆଇନ ଆଧାରରେ ମାମଲା ରୁଜୁ ହୋଇଛି। ୮୧ ବର୍ଷ ବୟସ୍କ ରାଜନେତା ୟେଦୁରପ୍ପାଙ୍କ ବିରୋଧରେ କରାଯାଇଛି ସଂଗୀନ ଅଭିଯୋଗ।

ଗତ ଗତ ଫେବୃଆରୀ ୨ରେ ଜଣେ ମହିଳା ତାଙ୍କ ନାବାଳିକା କନ୍ଯାଙ୍କୁ ନେଇ ୟେଦ୍ୟୁରାପ୍ପାଙ୍କ ଘରକୁ ଯାଇଥିଲେ। ତାଙ୍କ କନ୍ଯାଙ୍କୁ ଦୁଷ୍କର୍ମ କରାଯାଇଥିଲା ଏବଂ ପୀଡ଼ିତାଙ୍କୁ ନ୍ୟାୟ ଦେବା ଲାଗି ସେ ୟେଦ୍ୟୁରାପ୍ପାଙ୍କ ଦ୍ବାରସ୍ଥ ହୋଇଥିଲେ। ଏହା ସହ ଯେପରି ଏହି ଘଟଣାରେ ତଦନ୍ତ ଲାଗି ଏକ ଏସଆଇଟି ଗଠନ ହୋଇପାରିବ ସେ ଦିଗରେ ପଦକ୍ଷେପ ନେବା ଲାଗି ୟେଦୁରପ୍ପାଙ୍କୁ ମହିଳା ଜଣକ ପରାମର୍ଶ ମାଗିଥିଲେ। ମାତ୍ର ନାବାଳିକାଙ୍କୁ ଘର ଭିତରକୁ ନେଇଯାଇ ତାଙ୍କ ପ୍ରତି ୟେଦୁରପ୍ପା ଯୌନଗତ ଖରାପ ଆଚରଣ ପ୍ରଦର୍ଶନ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ମହିଳା। ଏହି ଘଟଣା କାହାକୁ ନଜଣାଇବା ଲାଗି ମହିଳାଙ୍କୁ ୟେଦୁରପ୍ପା କହିଥିଲେ ବୋଲି ଅଭିଯୋଗ କରାଯାଇଛି। ମହିଳାଙ୍କ ଅଭିଯୋଗ ପରେ ବେଙ୍ଗାଳୁରୁର ସଦାଶିବ ନଗର ପୋଲିସ ଥାନରେ ପୋକ୍ସୋ ଆଇନରେ ମାମଲା ରୁଜୁ ହୋଇଛି। ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ୟେଦ୍ଯୁରାପ୍ପା। ଦେଢମାସ ତଳେ ପୀଡିତା ଓ ମା ତାଙ୍କ ଘରକୁ ଆସିଥିଲେ। ପୀଡିତାଙ୍କ ସମସ୍ୟାର ସମାଧାନ ଲାଗି ସେ ପୋଲିସ କମିଶନରଙ୍କୁ ବି ଫୋନରେ ସୂଚନା ଦେଇଥିଲେ। ମାତ୍ର ପରେ ତାଙ୍କ ବିରୋଧରେ ମିଥ୍ଯା ଅଭିଯୋଗ କରିଥିଲେ ।

ଭୁବନେଶ୍ବର ଏୟାରଲିଫ୍ଟ ହେଲେ ପ୍ରସନ୍ନ ଆଚାର୍ଯ୍ୟ

ସମ୍ବଲପୁର: ବିଜେଡି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭୁବନେଶ୍ଵର ଏୟାରଲିଫ୍ଟ କରାଯାଇଛି । ସମ୍ବଲପୁର ଜମାଦାରପାଲି ଏୟାରଷ୍ଟ୍ରିପରୁ ଭୁବନେଶ୍ବରର ଏଖ ଘରୋଇ ହସପିଟାଲକୁ ଏୟାରଲିପ୍ଟ କରାଯାଇଛି ।  ପ୍ରସନ୍ନ ଆଚାର୍ଯ୍ୟଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବାରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଛି ।

ଗତକାଲି ବିଳମ୍ବିତ ରାତିରେ ପ୍ରସନ୍ନଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରାତି ପ୍ରାୟ ସାଢେ ୧୨ଟା ସମୟରେ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବରଗଡ଼ ଫେରୁଥିବାବେଳେ ରେଢାଖୋଲ ବେଲଡିହି ନିକଟରେ ଏକ ଟ୍ୟାଙ୍କର ତାଙ୍କ କାରକୁ ଧକ୍କା ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରେଢାଖୋଲ ଓ ପରେ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ପିଏସଓ ଓ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି।

ଇଲେକ୍ଟୋରାଲ ବଣ୍ଡ ଅର୍ଥଦାନ ମାମଲାରେ ଏସବିଆଇକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ : ଏସବିଆଇକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା। ଇଲେକ୍ଟୋରାଲ ବଣ୍ଡ ଜରିଆରେ ଅର୍ଥ ଦାନ ମାମଲାରେ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆକୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯାଇଥିବା ବଣ୍ଡ୍ ତଥ୍ୟର ସବିଶେଷ ରିପୋର୍ଟ ଦେବାକୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ଅର୍ଥ ଦାନ କରାଯାଇଥିବା ବଣ୍ଡର ନମ୍ବର ପ୍ରଦାନ କରିବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏସବିଆଇ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅସମ୍ପୂର୍ଣ୍ଣ ବୋଲି କୋର୍ଟ କହିଛନ୍ତି। କାହିଁକି ଏ ତଥ୍ୟ ଦିଆଯାଇନାହିଁ ଏ ନେଇ ଉତ୍ତର ରଖିବାକୁ ମଧ୍ୟ କହିଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାରେ ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଶୁଣାଣିରେ ଏ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି। ଇଲେକ୍ଟୋରାଲ ବଣ୍ଡରେ ଥିବା ନମ୍ବରରୁ କିଏ କାହାକୁ କେତେ ଅର୍ଥ ଦେଇଛି ସୂଚନା ମିଳିପାରିବ। ୨୦୧୮ରେ ଇଲେକ୍ଟୋରାଲ ବଣ୍ଡ କେନ୍ଦ୍ର ସରକାର ପ୍ରଚଳନ କରିଥିଲେ। ଦେଶରେ ଯେ କେହି ଚାହିବେ ବଣ୍ଡ ଆକାରରେ ଅର୍ଥ ଦାନ କରିବା ନେଇ ବ୍ୟବସ୍ଥା ହୋଇଥିଲା।

ତେବେ ଗତ ମାସରେ ଏହି ବ୍ୟବସ୍ଥାକୁ ରଦ୍ଦ କରି ଦେଇଥିଲେ ସୁପ୍ରିମକୋର୍ଟ। ଅର୍ଥ ଦାନ ପ୍ରକ୍ରିୟାକୁ ଅସାମ୍ବିଧାନିକ କହିବା ସହ ବ୍ୟବସ୍ଥାକୁ ରଦ୍ଦ କରିଥିଲେ। ନିର୍ବାଚନ କମିଶନ ଅପଲୋଡ୍ କରିବାକୁ ତଥ୍ୟ ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୮ ତାରିଖରେ ହେବ।