ନନ୍ଦିଘୋଷ ବ୍ୟୁରୋ : ଲୋକସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସହ ଶେଷ ହୋଇଛି ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ। ୬୦ ସଦସ୍ଯ ବିଶିଷ୍ଟ ଅରୁଣାଚଳ ପ୍ରଦେଶରେ ୧୦ଟିରେ ବିଜେପି ପ୍ରାର୍ଥୀ ନିର୍ଦ୍ବେନ୍ଦ୍ବ ହୋଇଥିବାରୁ ଅବଶିଷ୍ଟ ୫୦ ଆସନରେ ହୋଇଛି ଭୋଟ। ମୁଖ୍ଯମନ୍ତ୍ରୀ ପେମା ଖାଂଡୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଛନ୍ତି। ରାଜ୍ଯରେ ୨ ହଜାର ୨୨୬ ପୋଲିଂ ବୁଥ ହୋଇଥିବାବେଳେ ଭୋଟ ଦେଇଛନ୍ତି ୮ ଲକ୍ଷ ୮୬ ହଜାରରୁ ଅଧିକ ଭୋଟର। ତେବେ କଂଗ୍ରେସ ନେତା ଅରୁଣାଚଳ ପ୍ରଦେଶ କଂଗ୍ରେସ ସଭାପତି ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ନବାମ ଟୁକି ଅରୁଣାଚଳ ୱେଷ୍ଟରୁ ଲୋକସଭା ନିର୍ବାଚନ ଲଢୁଛନ୍ତି। ୨୦୧୪ ନିର୍ବାଚନରେ କିରେନ ରିଜିଜୁ ଅରୁଣାଚଳ ପଶ୍ଚିମ ଆସନରୁ କଂଗ୍ରେସର ନବାମ ଟୁକିକୁ ପରାସ୍ତ କରି ବିଜୟୀ ହୋଇଥିଲେ। ଅରୁଣାଚଳରେ କଂଗ୍ରେସର ଜଣେ ଅନ୍ୟତମ ନେତା ନବାମ ଟୁକି ଅରୁଣାଚଳ ପଶ୍ଚିମ ଆସନରୁ ପ୍ରତିନ୍ଦ୍ବନ୍ଦ୍ବିତା କରୁଛନ୍ତି।
ଶଙ୍ଖ ଫୁଙ୍କିଲେ, ବିଜେପି ଉପରେ ବର୍ଷିଲେ
ଭୁବନେଶ୍ୱର : ଶକ୍ତିଶାଳୀ ହେଉଛି ବିଜୁ ଜନତା ଦଳ । ଲଗାତାର ଶଙ୍ଖଭବନରେ ଜାରି ରହିଛି ବିଜେଡିର ମିଶ୍ରଣ ପର୍ବ। ବିଜେପି ଓ କଂଗ୍ରେସ ପରିତ୍ୟାଗ କରି ବିଜେଡିରେ ଯୋଗଦେଉଛନ୍ତି ଏକାଧିକ ନେତା ଓ ଶହ ଶହ କର୍ମୀ । ସେହି ପରିପ୍ରେକ୍ଷୀରେ ଆଠମଲ୍ଲିକ ନିର୍ବାଚନମଣ୍ଡଳିରେ ବିଜେଡି ଶକ୍ତି ବଢାଇଛି । କାରଣ ବିଜେଡିରେ ଯୋଗଦେଲେ ଭାଗୀରଥି ପ୍ରଧାନ । ବିଜେପି ଛାଡି ବିଜେଡିରେ ଯୋଗଦେଲେ ବିଜେପି ଉପରେ ବର୍ଷିଲେ । ଆଠମଲ୍ଲିକ ବିଜେପିର ବିଧାୟକ ପ୍ରାର୍ଥୀ ଥିଲେ ଭାଗୀରଥି । ୩ଥର ବିଧାୟକ ପ୍ରାର୍ଥୀ ହୋଇଥିଲେ ଭାଗୀରଥି । ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଲେ । ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଥିଲା ।
ବିଜେଡିରେ ଯୋଗଦେବା ପରେ ଭାଗୀରଥି ପ୍ରଧାନ ପ୍ରତିକ୍ରିୟା ଦେଇ କହିଥିଲେ ଦଳରେ ସାମିଲ ପାଇଁ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ, ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବି । ନବୀନ ପଟ୍ଟନାୟକଙ୍କର ବିକାଶ ମୂଳକ କାର୍ଯ୍ୟ ଭାଗୀରଥିଙ୍କୁ ପ୍ରଭାବିତ କରିଥିବା କହିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ତାଙ୍କୁ ସ୍ବାଗତ କରିଥିଲେ ସସ୍ମିତ ପାତ୍ର ।
ଇଭିଏମରେ ସିଲ ୧ ହଜାର ୬୨୫ ପ୍ରାର୍ଥୀଙ୍କ ଭାଗ୍ୟ
ନନ୍ଦିଘୋଷ ବ୍ୟୁରୋ : ସରିଲା ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ। ଇଭିଏମରେ ସିଲ ୧ ହଜାର ୬୨୫ ପ୍ରାର୍ଥୀଙ୍କ ଭାଗ୍ୟ। ୯ କେନ୍ଦ୍ରମନ୍ତ୍ରୀ, ଦୁଇ ପୂର୍ବତନ ମୁଖ୍ଯମନ୍ତ୍ରୀ, ଜଣେ ପୂର୍ବତନ ରାଜ୍ଯପାଳ ଓ ଅନେକ ହେଭିୱେଟଙ୍କ ଭାଗ୍ଯ ନିର୍ଣ୍ଣୟ କରିଛନ୍ତି ଭୋଟର। କାଁ ଭାଁ ହିଂସା ବ୍ଯତୀତ ୨୧ ରାଜ୍ଯ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ସରିଛି ମତଦାନ। ୧ ଲକ୍ଷ ୮୭ ହଜାର ପୋଲିଂ ଷ୍ଟେସନରେ ମତାଧିକାର ସାବ୍ଯସ୍ତ କରିଛନ୍ତି ୧୬ କୋଟି ୬୩ ଲକ୍ଷ ଭୋଟର। ତାମିଲନାଡୁର ସମସ୍ତ ୩୯ ଲୋକସଭାରେ ମତଦାନ ହୋଇଛି। ଯେଉଁ ୯ କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ଯ ନିର୍ଦ୍ଧାରଣ ହୋଇଛି ସେମାନେ ହେଲେ ନୀତୀନ ଗଡକରୀ, କିରେଣ ରିଜିଜୁ, ସର୍ବାନନ୍ଦ ସୋନୱାଲ, ସଞ୍ଜୀବ ବାଲିଆନ, ଜିତେନ୍ଦ୍ର ସିଂ, ଭୂପେନ୍ଦ୍ର ଯାଦବ, ଅର୍ଜୁନ ରାମ ମେଘୱାଲ, ଏଲ. ମୁରୁଗାନ, ନୀତୀଶ ପ୍ରାମାଣିକ। ପୂର୍ବତନ ରାଜ୍ଯପାଳ ତାମିଲସାଇ ସୂନ୍ଦରରାଜନଙ୍କର ବି ହୋଇଛି ଭାଗ୍ଯ ପରୀକ୍ଷା। ପଶ୍ଚିମବଙ୍ଗ କୁଚବେହାରରେ ତୃଣମୂଳ କଗ୍ରେସ କର୍ମୀ ଓ ବିଜେପି କର୍ମୀଙ୍କ ମଧ୍ଯରେ ସଂଘର୍ଷ ଘଟିଥିଲା। ଉତ୍ତରପ୍ରଦେଶ ମୁଜାଫର ନଗରରେ ବିଜେପି କର୍ମୀ ବୁଥ୍ ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ମଣିପୁରର ଏକ ବୁଥରେ ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି। ନିର୍ବାଚନରେ ସାରା ଦେଶରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଛି। ସାଧାରଣ ଜନତା, ନବଦମ୍ପତି, ବୃଦ୍ଧବୃଦ୍ଧା ପ୍ରମୁଖ ଭୋଟଦାନ କରିଛନ୍ତି। ଆସନ୍ତା ଏପ୍ରିଲ ୨୬ରେ ୧୨ ରାଜ୍ଯର ୮୮ ଆସନରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଜୁନ ୪ରେ ହେବ ଭୋଟ ଗଣନା।
ବିଜେପି ଛାଡ଼ି ବିଜେଡିରେ ଯୋଗଦେଲେ ବରିଷ୍ଠ ନେତା ବିଜୟକେତନ ସ୍ବାଇଁ
ଭୁବନେଶ୍ୱର :ଶଙ୍ଖଭବନରେ ବିଜେଡିର ମିଶ୍ରଣ ପର୍ବ। ବିଜେପି ପରିତ୍ୟାଗ କରି ବିଜେଡିରେ ଯୋଗଦେଲେ ବରିଷ୍ଠ ନେତା ବିଜୟକେତନ ସ୍ବାଇଁ। ୨୦୦୯ରେ ସେ ରାଜନଗରରେ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିଲେ। ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ ୧୯୭୨ ମସିହାରୁ ଛାତ୍ର ଜୀବନରୁ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିରେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ତାଙ୍କୁ ସ୍ବାଗତ କରିଥିଲେ ସସ୍ମିତ ପାତ୍ର । ବିଧାୟକ ପ୍ରତାପ ଜେନା, ଧୃବ ଚରଣ ସାହୁ, ପ୍ରିୟବ୍ରତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ବିଜୟକେତନ ସ୍ବାଇଁଙ୍କ ସମେତ ଉମେଶ ଚନ୍ଦ୍ର ପରିଡ଼ା, ଦିବ୍ୟକାନ୍ତ ବିଶ୍ବାଳ ପ୍ରମୁଖ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଛନ୍ତି । ଏହି ମିଶ୍ରଣ ଫଳରେ ବିଜେଡି ଆହୁରି ଶକ୍ତିଶାଳୀ ହୋଇଛି।
ଡଙ୍ଗା ବୁଡ଼ି ଘଟଣାରେ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ଲଖନପୁର ଶରଧାରେ ମହାନଦୀରେ ଡଙ୍ଗା ବୁଡ଼ି ଦୁର୍ଘଟଣାରେ ୨ ଜଣ ବ୍ୟକ୍ତି ପ୍ରାଣ ହରାଇବା ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୪ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏହାସହିତ ଉଦ୍ଧାର କରାଯାଇଥିବା ସମସ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଘଟଣା ସ୍ଥଳରେ RDC ଝାରସୁଗୁଡା ଜିଲ୍ଲାପାଳ ଓ ଏସପି ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି । ଉଦ୍ଧାର କାର୍ଯ୍ୟ ରେ ତଦାରଖ କରିବାପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ ଓ SRC ଙ୍କୁ ନିର୍ଦେଶ ଦେଇଛନ୍ତି । ନିଖୋଜ ମାନଙ୍କୁ ଉଦ୍ଧାର କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ 5 ଜଣ ସ୍କ୍ରୁବା ଡ୍ରାଇଭର ଓ ୨ ଟି କ୍ୟାମେରା ବିମାନ ଯୋଗେ ଝାରସୁଗୁଡା ପଠାଯାଇଛି । ସୂଚନାଯୋଗ୍ୟ ଯେ ନୌକା ରେ ଥିବା ସମସ୍ତ ଯାତ୍ରୀ ଛତିଶଗଡ ଖରସେନି ଅଂଚଳର ଏବଂ ବୁଲିବା ପାଇଁ ବାଞ୍ଜିପାଲିର ପଥର ସେନିକୁ ଯାଉଥିଲେ ।
ଅପରାଜିତାଙ୍କ ବିରୋଧରେ CEO ନିକଟରେ ଫେରାଦ ହେଲା ବିଜେଡି
ଭୁବନେଶ୍ୱର : ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । ଅପରାଜିତା ନିର୍ବାଚନ ପ୍ରଚାର ଓ ରାଲିରେ ଛୋଟ ଶିଶୁଙ୍କୁ ବ୍ୟବହାର କରୁଛନ୍ତି । ନିର୍ଘାତ ଖରାରେ ତାଙ୍କ ବେକରେ ଦଳୀୟ ଉତ୍ତରୀୟ ପକାଇ ବୁଲାଉଛନ୍ତି । ବାରମ୍ବାର ସେ ଏଭଳି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଛନ୍ତି । ତେଣୁ ତାଙ୍କ ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେଡି ଦାବି କରିଛି । ଅନ୍ୟପଟେ ପୂର୍ବରୁ ମଧ୍ୟ ଏଭଳି ଦୃଶ୍ୟ ବାରମ୍ବାର ଅପରାଜିତାଙ୍କ ରାଲି ରେ ଦେଖିବାକୁ ମିଳିଛି । ସାମାଜିକ ଗଣମାଧ୍ୟମରେ ମଧ୍ୟ ଦେଖିବାକୁ ମିଳିଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଛୋଟ ଛୋଟ ପିଲାଙ୍କୁ ରାଲି ରେ ବୁଲାଇବା ନିଶ୍ଚତ ଏହା ନିର୍ବାଚନ ଆଚରଣବିଧିର ଖୋଲାଖୋଲି ଉଲଂଘନ ।
‘ବିଜେପି ଓ କଂଗ୍ରେସରେ କୌଣସି ନୀତି, ଆଦର୍ଶ ନାହିଁ ‘
ମାହାଙ୍ଗା : ମାହାଙ୍ଗାରେ ବିଜେଡିରେ ମିଶିଲେ ୨୫ରୁ ଅଧିକ ବିଜେପି ଓ କଂଗ୍ରେସ କର୍ମୀ। ଫଳରେ ମାହାଙ୍ଗାରେ ବିଜେଡିର ଶକ୍ତି ଆହୁରି ବୃଦ୍ଧି ପାଇଛି । ଦଳୀୟ କର୍ମୀଙ୍କୁ ଉପେକ୍ଷା କରାଯାଉଥିବାରୁ ବିଜେପି ଓ କଂଗ୍ରେସ କର୍ମୀ ଏବଂ ନେତା ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀ ମଧୁପୁର ପଞ୍ଚାୟତର ୨୫ରୁ ଅଧିକ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡ଼ି ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଅଳିଯୋଡ଼ାସ୍ଥିତ ବାସଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହୋଇଛନ୍ତି। ସେମାନେ କହିଛନ୍ତି, ବିଜେପି ଓ କଂଗ୍ରେସରେ କୌଣସି ନୀତି, ଆଦର୍ଶ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି, ବିକାଶ କାମ, ବିଧାୟକ ପ୍ରତାପ ଜେନା ଓ ତାଙ୍କ ପୁଅ ତଥା ମାହାଙ୍ଗା ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ସେମାନେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ଆଗାମୀ ଦିନରେ ମଧୁପୁର ପଞ୍ଚାୟତରେ ବିଜେଡି ଶକ୍ତି ଆହୁରି ବୃଦ୍ଧି ସହ ବିପୁଳ ଭୋଟରେ ଦଳ ବିଜୟୀ ହେବ ବୋଲି କହିଛନ୍ତି।
ଅପରାହ୍ନ ୪ଟା ସୁଦ୍ଧା କେତେ ପ୍ରତିଶତ ମତଦାନ ହୋଇଛି ଜାଣନ୍ତୁ ?
ନୂଆଦିଲ୍ଲୀ: ଆଜି ଗଣତନ୍ତ୍ରର ମହାନ ପର୍ବ । ସମସ୍ତେ ଉତ୍ସାହର ସହ ମତଦାନ କେନ୍ଦ୍ରକୁ ଯାଉଛନ୍ତି ନିଜର ମତାଧିକାର ସାବ୍ୟସ୍ତ କରିବାକୁ । ଏହି ପର୍ବ ସାତୋଟି ପର୍ଯ୍ୟାୟରେ ହେବାକୁ ଯାଉଛି, ଅାଜି ହେଉଛି ପ୍ରଥମ ପର୍ଯ୍ୟାୟ। ନୂଆ ସରକାର ବାଛୁଛନ୍ତି ଭାରତୀୟ ଭୋଟର । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଚାଲିଛି ମତଦାନ । ୨୧ଟି ରାଜ୍ଯ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୦୨ ଲୋକସଭା ଆସନ ଲାଗି ହେଉଛି ମତଦାନ । ଏହା ସହିତ ଅରୁଣାଚଳ ପ୍ରଦେଶ ଓ ସିକ୍କିମର ବିଧାନସଭା ଲାଗି ପଡୁଛି ଭୋଟ୍ । ୧୬.୬୩ କୋଟିରୁ ଅଧିକ ଭୋଟର ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି । ତାହେଲେ ଜାଣନ୍ତୁ ଅପରାହ୍ନ ୪ଟା ସୁଦ୍ଧା ଦେଶରେ କେତେ ପ୍ରତିଶତ ମତଦାନ ହୋଇଛି ।
ରାଜସ୍ଥାନ-୫୫.୬୩% ଆସାମ- ୬୦.୭%
ମଧ୍ଯପ୍ରଦେଶ-୪୪.୪୩% ବିହାର- ୪୪.୪୬%
ତ୍ରିପୁରା-୬୮.୩୫% ରାଜସ୍ଥାନ-୫୫.୬୩%
ମଣିପୁର-୪୬.୯୨% ଉତ୍ତରପ୍ରଦେଶ-୪୭.୪୪%
ମେଘାଳୟ-୪୮.୯୧% ମିଜୋରାମ-୩୭.୦୩%
ମହାରାଷ୍ଟ୍ର-୩୨.୩୬% ତାମିଲନାଡୁ-୩୯.୪୯%
ଅନ୍ୟପଟେ ଆଜି ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଥର ୩୫.୬୭ ଲକ୍ଷ ନୂଆ ଭୋଟର ମତଦାନ କରୁଛନ୍ତି । ସକାଳ ୮ଟାରୁ ଚାଲିଛି ଭୋଟ । ଆସନ୍ତା ଜୁନ ୪ରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ ।
ମହାନଦୀରେ ଡ଼ଙ୍ଗା ବୁଡ଼ି ୧ମୃତ, ୬ ନିଖୋଜ
ଝାରସୁଗୁଡ଼ା : ମହାନଦୀରେ ବୁଡ଼ିଲା ଡଙ୍ଗା l ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଶରଧାରୁ ଲୋକେ ବରଗଡ଼ ବାଞ୍ଜିପାଲିକୁ ଯାଉଥିବା ବେଳେ ବୁଡ଼ିଗଲା ଡଙ୍ଗା l ଡଙ୍ଗାରେ ପ୍ରାୟ ୫୦ ରୁ ଉର୍ଦ୍ଧ ମହିଳା, ପୁରୁଷ ଓ ଛୋଟ ଛୁଆ ଥିବା ଜଣା ପଡ଼ିଛି l ନିକଟରେ ଥିବା ମାଛ ଧରାଳି ଡ଼ଙ୍ଗା ଚାଳକ ମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି l ଘଟଣା ସ୍ଥଳରେ ଜଣଙ୍କ ମୃତ ହୋଇଥିବା ବେଳେ ୬ ନିଖୋଜ ଥିବା ସୂଚନା । ନିଖୋଜ ୬ଜଣ ଯାତ୍ରୀଙ୍କୁ ଖୋଜାଖୋଜି କରାଯାଉଛି । ଜିଲ୍ଲା ସଦରମହକୁମା ଠାରୁ ୧୦୦ କିମି ଦୁରରେ ଘଟିଛି ଏହି ଅଘଟଣ । ସୂଚନା ଅନୁସାରେ ଯାତ୍ରୀଙ୍କୁ ଶରଧାରୁ ବାଞ୍ଜିପାଲିକୁ ଯାଉଥିବା ବେଳେ ହଠାତ କୌଣସି କାରଣ ବସତ ଡଙ୍ଗା ବୁଡ଼ିଯାଇଥିଲା । ମହାନଦୀରେ ମାଝ ଧରୁଥିବା ମାଛ ଧରାଳି ମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିଥିଲେ ।
ପ୍ରଥମ ପର୍ଯ୍ୟାୟରେ ମଇଦାନରେ ୧ ହଜାରରୁ ଊର୍ଦ୍ଧ୍ବ ପ୍ରାର୍ଥୀ, ୪୫0 ପ୍ରାର୍ଥୀ କୋଟିପତି
ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କୁ ନେଇ ଆସିଛି ରିପୋର୍ଟ । ମଧ୍ୟପ୍ରଦେଶ ଛିନ୍ଦଓ୍ବାରାରୁ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ନକୁଳନାଥ ହେଉଛନ୍ତି ସବୁଠାରୁ ଧନୀପ୍ରାର୍ଥୀ । ତାଙ୍କ ସମ୍ପତ୍ତି ପରିମାଣ ୭୧୬ କୋଟି ଟଙ୍କା । ଭୀମ ପାର୍ଟ ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ରାବଣଙ୍କ ନାମରେ ରହିଛି ସର୍ବାଧିକ ୩୬ଟି ଅପରାଧିକ ମାମଲା । ସେ ଉତ୍ତରପ୍ରଦେଶ ନଗିନାରୁ ଲଢୁଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତ ୧ ହଜାର ୬୨୫ ପ୍ରାର୍ଥୀ । ସେମାନଙ୍କ ମଧ୍ୟରୁ ମହିଳା ପ୍ରାର୍ଥୀଙ୍କ ସଂଖ୍ଯା ରହିଛି ୧୩୫ । ୨୫୨ ପ୍ରାର୍ଥୀଙ୍କ ନାମରେ ରହିଛି ଅପରାଧିକ ମାମଲା । ଏହି ୧୦୨ ଆସନରୁ ରେଡ ଆଲର୍ଟ ସିଟ୍ ସଂଖ୍ୟା ୪୨ । ଗୋଟିଏ ଆସନରୁ ଯଦି ଅପରାଧିକ ମାମଲା ଥିବା ୩ରୁ ଅଧିକ ପ୍ରାର୍ଥୀ ଲଢୁଥାନ୍ତି ତେବେ ତାହାକୁ ରେଡ ଆଲର୍ଟ ସିଟ୍ କୁହାଯାଏ ୧୭ ଜଣ ପ୍ରାର୍ଥୀଙ୍କ ନାମରେ ଲାଗିଛି ୩୦୨ ଧାରା ।
୧୯ ପ୍ରାର୍ଥୀଙ୍କ ବିରୋଧରେ ରହିଛି ହତ୍ଯା ଉଦ୍ୟମ ଅଭିଯୋଗ ଅର୍ଥାତ ସେମାନଙ୍କ ବିରୋଧରେ ଲାଗିଛି ଧାରା ୩୦୭ । ୧୮ ପ୍ରାର୍ଥୀଙ୍କ ବିରୋଧରେ ନାରୀ ନିର୍ଯାତନା ମାମଲା । ୪୫୦ ପ୍ରାର୍ଥୀ ଅଛନ୍ତି କୋଟିପତି । ୧୦ ପ୍ରାର୍ଥୀଙ୍କ ନାହିଁ କୌଣସି ସମ୍ପତ୍ତି । ୨୬ ପ୍ରାର୍ଥୀ ଅଛନ୍ତି ଅଶିକ୍ଷିତ । ୪ ପ୍ରାର୍ଥୀଙ୍କ ବୟସ ୮୦ରୁ ଅଧିକ ।

