spot_img
Home Blog Page 2042

ସାରା ଦେଶରେ ଆମ୍ ଆଦମୀ ପାର୍ଟି ପାଳନ କରୁଛି ସାମୂହିକ ଉପବାସ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଗିରଫଦାରୀର ପ୍ରତିବାଦ । ରବିବାର ସାରା ଦେଶରେ ଆମ୍ ଆଦମୀ ପାର୍ଟି ପାଳନ କରୁଛି ସାମୂହିକ ଉପବାସ । ଦିଲ୍ଲୀ ମଦନୀତି ମାମଲାରେ କେଜରିଓ୍ବାଲଙ୍କୁ ବିନା କାରଣରେ ଫସାଇ ଦିଆଯାଇଛି ବୋଲି ଦଳ ଅଭିଯୋଗ କରିବା ସହ ଏହି ଉପବାସ ପାଳନ କରୁଛି । କେବଳ ଦେଶ ନୁହେଁ, ଦେଶ ବାହାରେ ମଧ୍ୟ କେଜରିଓ୍ବାଲଙ୍କ ସମର୍ଥକ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ଆପ୍ ମନ୍ତ୍ରୀ ଗୋପାଳ ରାଏ । ଦିଲ୍ଲୀ ଜନ୍ତରମନ୍ତରରେ ଏହି ଆନ୍ଦୋଳନ କରାଯାଉଛି । ଅହିଂସା ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ଯବସ୍ଥା କଡାକଡି କରାଯାଇଛି । ଗିରଫ ପ୍ରତିବାଦରେ ଗତ ମାସରେ ପ୍ରଧାନମନ୍ତ୍ରୀ ଆବାସ ଘେରାଉ କରିଥିଲା । ଏହା ସହ ବିଭିନ୍ନ ଆନ୍ଦୋଳନ ଜରିଆରେ କେନ୍ଦ୍ର ସରକାରଙ୍କୁ ଘେରିଥିଲେ ଆପ୍ କର୍ମୀ । ସେପଟେ କେଜରିଓ୍ବାଲ ଜେଲରେ ରହିଲେ ବି ଦଳର ନେତୃତ୍ବ ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି ଆପ୍ ନେତା । ଗତ ମାର୍ଚ୍ଚ ୨୧ରେ କେଜରିଓ୍ବାଲ ଗିରଫ ହେବା ପରେ ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ଜୋରଦାର ପ୍ରଦର୍ଶନ ହୋଇଥିଲା । ଏଥିରେ ପ୍ରାୟ ୨୦ଟି ଦଳର ନେତାମାନେ ସାମିଲ ହୋଇଥିଲେ ।

କଂଗ୍ରେସରେ ଟିକେଟ ବିକ୍ରି ହେଉଛି: ପାଣ୍ଡଵ କର୍ଣ୍ଣ

ବରଗଡ଼: ଟଙ୍କା ଦମରେ କଂଗ୍ରେସରେ ମିଳୁଛି ଟିକେଟ। ଦଳ ଟିକେଟ ବିକ୍ରି ହେଉଥିବା  ସାଙ୍ଘାତିକ ଅଭିଯୋଗ ଆଣିଲେ ବରଗଡ଼ର କଂଗ୍ରେସ ଟାଣୁଆ ନେତା ପାଣ୍ଡଵ କର୍ଣ୍ଣ । ଦୀର୍ଘ ବର୍ଷ ଧରି କଂଗ୍ରେସ ଦଳ ପାଇଁ କାର୍ଯ୍ୟ କରିଆସୁଥିଲେ ସୁଦ୍ଧା କଂଗ୍ରେସ ଦଳ ତାଙ୍କ ପ୍ରତି ଅବହେଳା କରିଥିବା ଏବଂ ତାଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଚୟନ କରିନଥିବାରୁ ଅସନ୍ତୋଷ ଜାହିର କରିଛନ୍ତି । କଂଗ୍ରେସ ଦଳରେ ଟିକେଟ ବିକ୍ରି ହୋଇଥିବା ଏବଂ ତାଙ୍କୁ ଟିକେଟ ପାଇଁ ଟଙ୍କା ମାଗିଥିବା ସେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଦଳ ତାଙ୍କୁ ପ୍ରାର୍ଥୀ ଭାବରେ ଚୟନ ନକଲେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେବା ସହ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିବେ ବୋଲି ଚେତାବନୀ ଦେଇଛନ୍ତି ।

ଅପରାଜିତା ଗୋବ୍ୟାକ ନାରାରେ କମ୍ପିଲା ବୋଲଗଡ

ଖୋର୍ଦ୍ଧା: ବେଗୁନିଆ ପରେ ବୋଲଗଡ। ଅପରାଜିତା ଗୋବ୍ୟାକ ନାରାରେ କମ୍ପିଲା ରାସ୍ତାଘାଟ । ସବୁଠି ତେଜୁଛି ଅପରାଜିତାଙ୍କ ବିରୋଧରେ ବିଜେପି କର୍ମୀଙ୍କ  ଅସନ୍ତୋଷ। ପ୍ରତିଦିନ ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀରେ ଅପରାଜିତାଙ୍କୁ ବିରୋଧ କରୁଛନ୍ତି ନିଜ ଦଳର କମୀ ଓ ନେତା । ଗତକାଲି ବେଗୁନିଆ ଗଡମାଣିତ୍ରୀ ପରେ ଆଜି ବୋଲଗଡ ବ୍ଲକ ଖଙ୍ଗୁରିଆ ପଞ୍ଚାୟତର ରାମ ମନ୍ଦିର ପୀଠରେ ଶତାଧିକ ବିଜେପି କର୍ମୀଙ୍କ ପ୍ରତିବାଦ ଦେଖିବାକୁ ମିଳିଥିଲା । ହାତରେ ବିଜେପି ପତାକା ଧରି ଅପରାଜିତା ଗୋ ବ୍ୟାକ ନାରା ନେଇଥିଲେ ଦଳୀୟ କର୍ମୀ । ଗତ ୫ବର୍ଷ ହେଲା ସାଂସଦ ଅପରାଜିତା ବୋଲଗଡ ବେଗୁନିଆରେ ତୃଣମୂଳ ସ୍ତରର ଦଳୀୟ କର୍ମୀଙ୍କୁ ଉପେକ୍ଷିତ କରିଥିବା ଅଭିଯୋଗ ହୋଇଛି । ଏହାର ଜବାବ ଆଗାମୀ ନିର୍ବାଚନରେ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି କର୍ମୀ । ବୋଲଗଡରେ ମଣ୍ଡଳ ସ୍ତରୀୟ ବିଜେପି କର୍ମୀମାନେ ଆଗାମୀ ଦିନରେ `ଉପେକ୍ଷିତ କର୍ମୀ ସମ୍ମିଳନୀ’  ଆୟୋଜନ କରି  ସାଂସଦ ଅପରାଜିତାଙ୍କ ବିରୁଦ୍ଧରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବେ ବୋଲି ନିଷ୍ପତି ନେଇଛନ୍ତି । ବୋଲଗଡ ମଣ୍ଡଳ ବିଜେପି ନେତା ଚନ୍ଦ୍ରଭାନୁ ମହାରଥାଙ୍କ ନେତୃତ୍ୱରେ ଆୟୋଜିତ ଏହି ଉପେକ୍ଷିତ କର୍ମୀ ସମ୍ମିଳନୀରେ ସଭାପତି ରବୀନ୍ଦ୍ର ସାଥୁଆ ,  ଲକ୍ଷ୍ମୀଧର ସାମନ୍ତରାୟ, ଦଳେଇ ସାହି ପଞ୍ଚାୟତ ସଭାପତି ଧରମା ମହାରଣା,  ଦଳେଇ ସାହି ପଞ୍ଚାୟତ ଉପସଭାପତି ଏବଂ ଭାବଗ୍ରାହୀ ପ୍ରଧାନଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ । ଆଗାମୀ ନିର୍ବାଚନୀ ବିଜେପି ସାଂସଦ ପାର୍ଥି ଙ୍କୁ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

 

ଯିଏ ଲେଖା ଛିଣ୍ଡାଇବା କଥା କହୁଛି ତାର ଲେଖା ଛିଣ୍ଡେଇ ଦେବ : ଭୃଗୁ ବକ୍ସିପାତ୍ର

ବ୍ରହ୍ମପୁର: ପ୍ରଚାର ମଇଦାନରେ ବିଜେଡିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର । ଛତ୍ରପୁର ବିଧାୟକ ପ୍ରାର୍ଥୀ ସୁବାସ ବେହେରା ଓ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ପ୍ରଥମେ ଉଭୟ ଛତ୍ରପୁର ନିର୍ବାଚନ ମଣ୍ଡଳୀର ରମ୍ଭା , ଗଞ୍ଜାମ, ଓ ପରେ ଛତ୍ରପୁରଠାରେ ଏକ ବିରାଟ ପଟୁଆରରେ ଆସି ପହଞ୍ଚିଥିଲେ। ଛତ୍ରପୁରଠାରେ ବିଜୁ ଜନତାଦଳର କାର୍ଯ୍ୟାଳୟର ଉଦଘାଟନ କରିଥିଲେ । ରାଲିରେ ହଜାର ହଜାର କର୍ମୀ ଯୋଗଦେଇ ଦୁଇ ନେତାଙ୍କୁ ସ୍ବାଗତ କରିଥିଲେ। ସେପଟେ ଲେଖା ଛିଣ୍ଡାଇବା ନାରା ଦେଇ ପ୍ରଚାର କରୁଥିବା ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଟାର୍ଗେଟ କରିଛନ୍ତି ଭୃଗୁ ବକ୍ସିପାତ୍ର । ନଜର ପକାନ୍ତୁ ଭିଡିଓ ଉପରେ..

ପରଜଙ୍ଗ ନିର୍ବାଚନମଣ୍ଡଳୀରେ ବିଜେଡିର ମିଶ୍ରଣ ପର୍ବ

ଢେଙ୍କାନାଳ: ପରଜଙ୍ଗ ନିର୍ବାଚନମଣ୍ଡଳୀରେ ବିଜେଡିର ମିଶ୍ରଣ ପର୍ବ। ବିଜେପି ଛାଡ଼ି ବିଜେଡିରେ ସାମିଲ ହେଲେ ଶତାଧିକ ଆଦିବାସୀ ପୁରୁଷ ଓ ମହିଳା। ପରଜଙ୍ଗ ନିର୍ବାଚନମଣ୍ଡଳୀ କଙ୍କଡାହାଡ଼ ବ୍ଲକ ବାଲିକୁମା ପଞ୍ଚାୟତ  ହାତୀବାରି ଠାରେ ବିଜେଡିର ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ଆଦିବାସୀ ମାନଙ୍କ ଜୀବନଶୈଳୀ ରେ ପରିବର୍ତ୍ତନ ଆଣିବା ସହ ସେମାନଂକୁ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ କରିଛନ୍ତି l ମୁଖ୍ୟମନ୍ତ୍ରୀଙ୍କ ଉନ୍ନତିମୂଳକ କାର୍ଯ୍ୟଶୈଳୀ ରେ ଅନୁପ୍ରାଣିତ ହୋଇ ଶହେ ରୁ ଉର୍ଦ୍ଧ ଆଦିବାସୀ ପୁରୁଷ ଓ ମହିଳା ବିଜେଡି ରେ ଯୋଗ ଦେଇଛନ୍ତି l ସ୍ଥାନୀୟ ବିଧାୟକ ଡ଼ ନୃସିଂହ ସାହୁଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।

ତାତିରୁ ମିଳିବ ସାମାନ୍ୟ ଆଶ୍ବସ୍ତି

ଭୁବନେଶ୍ବର: ତାତିରୁ ମିଳିଲା ତ୍ରାହୀ। ପଶ୍ଚିମାଝଡ଼ ସହ ନିମ୍ନଚାପ ରେଖା ପ୍ରଭାବରେ ସାରା ରାଜ୍ୟରେ ବଦଳିଛି ପାଗ। ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଆକାଶ ମେଘାଚ୍ଛନ୍ନ ରହିବା ସହ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହୋଇଛି। ପଶ୍ଚିମାଝଡ଼ ପ୍ରଭାବରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି। ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଜନିତି ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ପ୍ରଚଣ୍ଡ ବଜ୍ରପାତ ସହିତ କୁଆପଥର ବୃଷ୍ଟି ନେଇ ୫ ଜିଲ୍ଲା କଟକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ମୟୂରଭଞ୍ଜ, ଦେବଗଡ଼, ବୌଦ୍ଧ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆସନ୍ତାକାଲି ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ ବୋଲି ଆକଳନ କରାଯାଇଛି। ଆଜି ସକାଳ ସାଢ଼େ ୮ଟାରୁ ସୁଦ୍ଧ ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୧.୪ ଡିଗ୍ରୀ ସହିତ ଆର୍ଦ୍ରତା ୮୧ ଦଶମିକ ରେକର୍ଡ କରାଯାଇଛି।

ପତ୍ନୀକୁ ହତ୍ୟା କରିବା ପରେ ୨୨୪ ଖଣ୍ଡ କଲା ପତି

ଲଣ୍ଡନ: ବ୍ରିଟେନରେ ଲୋମହର୍ଷକ ହତ୍ଯାକାଣ୍ଡ । ପତ୍ନୀଙ୍କୁ ଛୁରୀ ଭୁସି ହତ୍ଯା କରିବା ପରେ ଶରୀରକୁ ୨୨୪ ଖଣ୍ଡ କଲା ସ୍ବାମୀ । କେବଳ ଏତିକି ନୁହେଁ ଶରୀର ଖଣ୍ଡକୁ ପ୍ଲାଷ୍ଟିକ ବ୍ଯାଗରେ ଭର୍ତ୍ତି କରି ନଦୀରେ ଭସାଇ ଦେଇଛି । ଅଭିଯୁକ୍ତ ହତ୍ଯା କରିଥିବା ସ୍ବୀକାର କରିଥିଲେ ବି କାହିଁକି ଏମିତି କାଣ୍ଡ ଭିଆଇଲା ସୂଚନା ଦେଇନି । ମାମଲାର ବିଚାର ଆସନ୍ତାକାଲି ହେବ ।

ଗତ ମାର୍ଚ୍ଚ ୨୫ ତାରିଖରେ ୨୬ ବର୍ଷ ବୟସ୍କା ହୋଲି ବ୍ରାମଲେଙ୍କ ଶରୀରର କିଛି ଅଂଶ ବାସିନଘମସ୍ଥିତ ୱିଥାମ ନଦୀରୁ ଉଦ୍ଧାର କାରଯାଇଥିଲା । କିଛି ଦିନ ଧରି ସେ ନିଖୋଜ ଥିବା ଅଭିଯୋଗ ହୋଇଥିଲା । ଲିଙ୍କନସାୟାର ପୋଲିସ କହିଛି, ୨୮ ବର୍ଷ ବୟସ୍କ ନିକୋଲାସ ମେଟସନଙ୍କୁ ଏହି ମାମଲାରେ ଗିରଫ କରାଯାଇଛି । ଶବକୁ ନଦୀରେ ଫୋପାଡିବା ଘଟଣାରେ ଜୋସୁଆ ହାନକକ ନାମକ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ପୂର୍ବରୁ ବି ଅଭିଯୁକ୍ତ ମେଟସନ ୨୦୧୩, ୨୦୧୬ ଓ ୨୦୧୭ରେ ପୂର୍ବତନ ପାର୍ଟନରମାନଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଦୋଷୀ ସାବ୍ଯସ୍ତ ହୋଇଥିଲେ । ୨୦୨୧ରେ ହୋଲି ବ୍ରାମଲେଙ୍କୁ ମେଟସନ ବିବାହ କରିଥିଲେ । ତେବେ କିଛି ଦିନ ଧରି ଦୁହିଁଙ୍କ ମଧ୍ଯରେ ସମ୍ପର୍କ ଭଲ ନଥିଲା ।

ମାଇକ୍ରୋସଫ୍ଟର ଚେତାବନୀ: AI ଜରିଆରେ ନିର୍ବାଚନ ପ୍ରଭାବିତ କରିବାକୁ ଚୀନ କରୁଛି ଉଦ୍ୟମ

ନୂଆଦିଲ୍ଲୀ: ଭାରତ, ଆମେରିକା ଓ ସାଉଥ କୋରିଆ ସାଧାରଣ ନିର୍ବାଚନକୁ ନେଇ ମାଇକ୍ରୋସଫ୍ଟର ଚେତାବନୀ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ ନିର୍ବାଚନ ପ୍ରଭାବିତ କରିବା ଲାଗି ଚୀନ ଉଦ୍ୟମ କରୁଥିବା କହିଲା ମାଇକ୍ରୋସଫ୍ଟ । ତାଇୱାନ ରାଷ୍ଟ୍ରପତି ନିର୍ବାଚନରେ ବି ଚୀନ ନିର୍ବାଚନକୁ ପ୍ରଭାବିତ କରିବା ଲାଗି ଏଆଇର ବ୍ୟବହାର ପରୀକ୍ଷାମୂଳକ ଭାବେ ସମ୍ପନ୍ନ କରିଥିବା ସୂଚନା ମିଳିଥିଲା । ନିର୍ବାଚନକୁ ପ୍ରଭାବିତ କରିବା ଲାଗି ଏଥିରେ ଉଦ୍ଯମ କରାଯାଇଥିବା ଜଣାପଡିଥିଲା ।

ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତକାର ବେଳେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ ଗେଟ୍ସ ଏଆଇ ସମ୍ପର୍କରେ ଆଲୋଚନା କରିବା ସହ ଏହାର ସାମାଜିକ ଉପଯୋଗ, ମହିଳା ସମ୍ପର୍କିତ ବିକାଶ, ଆଧୁନିକ ସ୍ବାସ୍ଥ୍ଯସେବା ଓ କୃଷିରେ ଏଆଇର ବ୍ଯବହାର ସମ୍ପର୍କରେ ଆଲୋଚନା କରିଥିଲେ । ଚଳିତବର୍ଷ ବିଶ୍ବର ପ୍ରାୟ ୬୪ଟି ରାଷ୍ଟ୍ରରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଅର୍ଥାତ ବିଶ୍ବ ଜନସଂଖ୍ଯାର ପ୍ରାୟ ୪୯ ପ୍ରତିଶତ ଲୋକ ଏହି ନିର୍ବାଚନରେ ସାମିଲ ହେବେ । ତେବେ ସବୁଠାରୁ ବଡ଼ କଥା ହେଲା ଚଳିତବର୍ଷ ନିର୍ବାଚନକୁ ବିଭିନ୍ନ ଦିଗରେ ପ୍ରଭାବିତ କରିବା ଲାଗି ଚୀନ ଓ ନର୍ଥ କୋରିଆର ସାଇବର ଗ୍ରୁପ ସାମିଲ ହେବା ଆଶଙ୍କା ରହିଛି । ଏଆଇ ଜରିଆରେ ମିଥ୍ଯା ସୂଚନା ପ୍ରସାରଣ, ଡିପଫେକ ଜରିଆରେ ମନଗଢ଼ା କାହାଣୀର ପ୍ରସାର ଉପରେ ଚୀନ ଗୁରୁତ୍ବ ଦେବା ଆଶଙ୍କା ରହିଛି । ତାଇୱାନ ନିର୍ବାଚନ ସମୟରେ ବେଜିଂର ଷ୍ଟର୍ମ ୧୩୭୬ ନାମକ ସଂସ୍ଥା ବା ସ୍ପାମୋଫ୍ଲେଜ ଜରିଆରେ ନିର୍ବାଚନକୁ ପ୍ରଭାବିତ କରିବା ଲାଗି ଯୋଜନା କରାଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ସବୁ ଯୋଜନାର ମୁଖ୍ୟଧାର ଶ୍ରମିକ: 5T ଅଧ୍ୟକ୍ଷ

ଭୁବନେଶ୍ବର: ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟସ୍ତରୀୟ କନଭେନସନ୍ ୨୦୨୪ରେ ଯୋଗ ଦେଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । କନଭେନସନରେ ଶହ ଶହ ଶ୍ରମିକ ଯୋଗ ଦେଇଛନ୍ତି । ଏହି ଅବସରରେ ଶ୍ରମିକଙ୍କୁ ସମ୍ବୋଧିତ କରିଛନ୍ତି 5T ଅଧ୍ୟକ୍ଷ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଶ୍ରମିକଙ୍କ ବିକାଶ ପାଇଁ ଅନେକ ଯୋଜନା କରିଛନ୍ତି । ସବୁ ଯୋଜନାର ମୁଖ୍ୟଧାର ହେଉଛନ୍ତି ଶ୍ରମିକ ।

ଆଗକୁ ସେ କହିଛନ୍ତି, ଚଳିତ ନିର୍ବାଚନରେ ବିଜେଡି ରେକର୍ଡ ବ୍ୟବଧାନରେ ବିଜୟ ହେବା ସହ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାକୁ ଆସିବେ । ବିପୁଳ ଜନସମର୍ଥନ ସହ ମୁଖ୍ୟମନ୍ତ୍ରୀ ପୁଣି ଶାସନ କରିବେ । ଏଥର ମୁଖ୍ଯମନ୍ତ୍ରୀ ତିନି ଚତୁର୍ଥାଂଶ ସଂଖ୍ଯା ଗରିଷ୍ଠତାରେ ଆସିବେ ।

ଶ୍ରମିକଙ୍କ ଭୂମିକା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି 5T ଅଧ୍ୟକ୍ଷ । ଆଗକୁ ସେ କହିଛନ୍ତି, ‘ସମସ୍ତ କାର୍ଯ୍ୟ ପଛରେ ଶ୍ରମିକଙ୍କ ଅବଦାନ ରହିଛି ।  ଶ୍ରମିକ ସମାଜକୁ ମୁଖ୍ୟମନ୍ତ୍ରୀ ସବୁଠାରୁ ଅଧିକ ଗୁରୁତ୍ବ ଦିଅନ୍ତି । ଶ୍ରମିକଙ୍କ ପାଇଁ ବିଜୁ ବାବୁ ଐତିହାସିକ ପଦକ୍ଷେପ ନେଇଥିଲେ । ଶ୍ରମିକଙ୍କ ମଜୁରୀ ବୃଦ୍ଧି କରିଥିଲେ ବିଜୁ ବାବୁ । ନୂଆ ଓଡ଼ିଶା, ନୂଆ ନିବେଶ, ରୋଜଗାର ବଢାଇବା ଯୋଜନା କ୍ଷେତ୍ରରେ ଶ୍ରମିକଙ୍କ ରୋଜଗାର ବଢାଇବାର ଆବଶ୍ଯକତା ରହିଛି । ବ୍ୟୟ ବୃଦ୍ଧି ସତ୍ତ୍ବେ ଶ୍ରମିକଙ୍କ ସ୍ବାର୍ଥ ଲାଗି ସରକାର ଉଦ୍ୟମରତ । ସ୍ବପ୍ନ ସାକାର କରିବା କ୍ଷେତ୍ରରେ ଶ୍ରମିକଙ୍କ ବଡ଼ ଭୂମିକା ରହିଛି । ପୁରୀ ଶ୍ରୀମନ୍ଦିର, କଟକ ଏପରି ରୂପାନ୍ତରୀକରଣ ହେବ ବୋଲି କେହି କେବେ ଭାବି ନଥିଲେ । ବିଭିନ୍ନ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି ।’

5T ଅଧ୍ୟକ୍ଷ କହିଛନ୍ତି, ସବୁ ପଞ୍ଚାୟତ ସ୍କୁଲରେ ଲାଗିଛି ଡିଜିଟାଲ ବ୍ଲାକ ବୋର୍ଡ । ପ୍ରତି ମନ୍ଦିରର ରୂପାନ୍ତରଣ ହୋଇଛି । ମହାନଦୀରେ ବ୍ରିଜ ସଂଖ୍ଯା ବଢ଼ିଛି । ୮୦ ପ୍ରତିଶତ ପଞ୍ଚାୟତରେ ଲକ୍ଷ୍ମୀ ବସ୍ ଗଡିଛି । ଆନ୍ତର୍ଜାତିକ ବିମାନ ବନ୍ଦର ସହ ଓଡ଼ିଶାର ସଂଯୋଗ ହୋଇଛି । ଓଡ଼ିଶାର ୯୦ ପ୍ରତିଶତ ଲୋକଙ୍କୁ ବିଏସକେୱାଇ କାର୍ଡ ଦିଆଯାଇଛି ।

ବିଜେଡିରେ ମିଶିଲେ ବରିଷ୍ଠ ନେତା ଗଣେଶ୍ବର ବେହେରା

ଭୁବନେଶ୍ବର: କଂଗ୍ରେସକୁ ଶକ୍ତ ଧକ୍କା । ହଜାର ହଜାର ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ବିଜେଡିରେ ମିଶିଲେ କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ଗଣେଶ୍ବର ବେହେରା ।

ବିଜେଡିରେ ମିଶିବା ପୂର୍ବରୁ ଗଣେଶ୍ବର ରାଜଧାନୀରେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି । ହଜାର ହଜାର କର୍ମୀଙ୍କ ସହ ବିରାଟ ପାଟୁଆରରେ ପହଞ୍ଚି ଥିଲେ ଶଙ୍ଖ ଭବନରେ । କିଛି ସମୟ ପାପାଁ ରାଜଧାନୀ ରାଜରାସ୍ତା ଜନ ସମୁଦ୍ରରେ ପରିଣତ ହୋଇଯାଇଥିଲା । ଗଣେଶ୍ବରଙ୍କ ସହ ଏକାଧିକ ନେତା ଓ କର୍ମୀ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ।

ସାଂସଦ ସସ୍ମିତ ପାତ୍ର, ବିଧାୟକ ପ୍ରତାପ ଜେନା ଏବଂ ବରିଷ୍ଠ ବିଜେଡି ନେତା ଶଶୀଭୂଷଣ ବେହେରା ଗଣେଶ୍ବର ଏବଂ ତାଙ୍କ ସମର୍ଥକଙ୍କୁ ବିଜେଡିକୁ ସ୍ବାଗତ କରିଥିଲେ ।

ଗତ ଏପ୍ରିଲ ଦୁଇ ତାରିଖରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଗଣେଶ୍ବର । ଆଜି ସମର୍ଥକଙ୍କ ସହ ବିରାଟ ପାଟୁଆରରେ ଶଙ୍ଖ ଭବନ ଆସି ବିଜେଡିରେ ଯୋଗ ଦେଇଛନ୍ତି ।  ସେ ଦୁଇ ଥର କଂଗ୍ରେସରୁ ବିଧାୟକ ହୋଇଥିଲେ । ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ, ସଂଗଠନ ସମ୍ପାଦକଙ୍କ ପକ୍ଷରୁ ସ୍ୱାଗତ କରିଥିଲେ ସାଂସଦ ସସ୍ମିତ ପାତ୍ର । ସସ୍ମିତ କହିଛନ୍ତି, ଗଣେଶ୍ୱର ଓଡ଼ିଶାର ବିଶିଷ୍ଟ ନେତା । ସେ ପିସିସି ଉପସଭାପତି ଥିଲେ । ସେ ବୌଦ୍ଧିକ ସ୍ତରରେ ସମୃଦ୍ଧ ।

ଗଣେଶ୍ବରଙ୍କ ସହ ୪୯ ଜଣ ପଞ୍ଚାୟତ ସଭାପତି ବି କଂଗ୍ରେସ ଛାଡି ବିଜେଡିରେ ମିଶିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା କହିଲେ, ଗଣେଶ୍ୱେର ଜଣେ କ୍ରାନ୍ତିକାରୀ, ଲଢୁଆ ଓ ପୁରୁଖା ନେତା । ଆଜି ବିଜେଡି ତାଙ୍କୁ ପାଇ ବହୁତ ଖୁସି । ବିଶ୍ୱାସ ଅଛି, ମୁଖ୍ୟମନ୍ତ୍ରୀଙ୍କ ବିକାଶ କାମକୁ ସମସ୍ତେ ମିଳିମିଶି ଆହୁରି ତ୍ୱରାନ୍ୱିତ କରିବା । କେନ୍ଦ୍ରାପଡ଼ା ବିଧାୟକ ଶଶୀ ବେହେରା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି, ଗଣେଶ୍ବରଙ୍କ ଯୋଗୁଁ ତୃଣମୂଳ ସ୍ତରର ସଂଗଠନ ଆହୁରି ସଂଗଠିତ ହେବ ।

ବିଜେଡିରେ ଯୋଗଦେବା ପରେ ଗଣେଶ୍ୱର କହିଛନ୍ତି, ‘ବିଜେଡି ସଭାପତି ନବୀନ ପଟ୍ଟନାୟକ ବିକାଶ ପୁରୁଷ । ସେ ବିଶ୍ୱାସ କରନ୍ତି ଓଡ଼ିଶାର ବିକାଶ, ସମ ବିକାଶ, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ବିକାଶ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ରାପଡ଼ା ଓ ଓଡ଼ିଶା ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବିଜେଡିରେ ମିଶିଛି । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ଯବାଦ ଜଣାଇଛନ୍ତି ।