spot_img
Home Blog Page 2059

ଲୁଟେରା ଗିରଫ, ୨୬୯ ଗ୍ରାମର ସୁନା ଅଳଙ୍କାର ଜବତ

ନୟାଗଡ଼: ନୟାଗଡ଼ ଟ୍ରାଫିକ ଛକରେ ବ୍ୟାଗ ଧରି ଛିଡ଼ା ହୋଇଥିବା ବେଳେ ଧରାପଡିଲା ଲୁଟେରା । ଅଭିଯୁକ୍ତର ଘର ପଶ୍ଚିମବଙ୍ଗ କୁଲପି ଥାନା ଅଞ୍ଚଳର ଆଲୋମିଗିରି ମୋଲା ବୋଲି ଜଣାପଡ଼ିଛି । ତା’ ବ୍ୟାଗରୁ ୨୬୯ ଗ୍ରାମର ସୁନା ଅଳଙ୍କାର ମିଳିଥିବା ବେଳେ ପାଖରୁ ୪ ଲକ୍ଷ ୮୯ ହଜାର ୧୦୦ ଟଙ୍କା ଜବତ କରାଯାଇଛି ।

ଲୁଟେରା ଜଣଙ୍କ ଛିଡା ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା । ଏହାପରେ ଲୋକମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖିବା ସହ ବ୍ୟାଗ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ତା’ ବ୍ୟାଗରୁ ୧୦ଟି ସୁନା ନେକ୍ଲେସ୍, ୬ଟି ଚେନ୍, ୩ଟି ସୁନା ରାଣୀ ହାର, ଲକେଟ୍, ୬ଟି ଆମ୍ବକସି ଲକେଟ୍, ୨୮ଟି ସୁନା ଟପ୍ସ, ୨ଟି ସୁନା ମୁଦି, ୩ ହଳ କାନ ରିଙ୍ଗ ଓ ଅନ୍ୟ ଅଳଙ୍କାର ମିଳିଥିଲା । ଏହି ସବୁ ଚୋରି ସାମଗ୍ରୀ ବୋଲି ଜଣାପଡ଼ିଛି ।

ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ରହୁଥିବା ଜଣାପଡିଛି । ତେବେ ସେ କେଉଁ ଅଞ୍ଚଳରୁ ଚୋରି କରୁଥିଲା, ରାକେଟରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ଓ ଚୋରି ସାମଗ୍ରୀ ନେଇ କୁଆଡ଼େ ଯାଉଥିବା ସେନେଇ ତଦନ୍ତ କରୁଛି ପୋଲିସ ।

ପୁଅର ଗୁଳି ମାଡ଼ରେ ମାଆ ଗୁରୁତର

ନୟାଗଡ଼: ମାଆକୁ ଗୁଳି ମାରିଲା ପୁଅ । ନୟାଗଡ଼ ଜିଲ୍ଲା ବାଣୀଗୋଚ୍ଛା ଥାନା କଳସାଖମଣ ଗାଁରେ ଘଟିଛି ଅଭାବନୀୟ ଘଟଣା । ପୁଅ ଗୁଳିରେ ମାଆ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ମାଆ ହେଲେ ଦୁଇତା ପ୍ରଧାନ। ଅଭିଯୁକ୍ତ ପୁଅ ସୁଶାନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ପୋଲିସ ତଦନ୍ତ କରୁଛି। ପୋଲିସ ସୂଚନା ଅନୁସାରେ ସୁଶାନ୍ତ ନିଶାଗ୍ରସ୍ତ ଅବସ୍ଥାରେ ମାଆକୁ ଗୁଳି କରିଛି। ତାଙ୍କ ଗୁରୁତର ଅବସ୍ଥାରେ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଶାସନ କାଳରେ ପଛୁଆ ରାଜ୍ୟରୁ ବିକଶିତ ରାଜ୍ୟ ଭାବରେ ପ୍ରତିଷ୍ଠା ହୋଇପାରିଛି ଓଡିଶା

ଭୁବନେଶ୍ବର: ଦୁଇ ଦଶନ୍ଧି ତଳେ ରାଜ୍ୟରେ ଘନ ଅର୍ଥନୈତିକ ସଙ୍କଟ ଲାଗିରହିଥିଲା। ବର୍ତ୍ତମାନ ରାଜସ୍ବ ପରିଚାଳନାରେ ଓଡିଶା ଉତ୍କର୍ଷତା ଲାଭ କରିଛି। ଦୁଇ ଦଶନ୍ଧି ତଳେ ରାଜ୍ୟରେ ବ୍ଯାପକ ଦାରିଦ୍ର୍ୟ ଓ ପୁଷ୍ଟିହୀନତା ଥିଲା। କେବିକେ ଅଞ୍ଚଳରେ ଦାରିଦ୍ର୍ଯ ଖବରର ଶୀର୍ଷରେ ଥିଲା। ମାତ୍ର ବର୍ତ୍ତମାନ ସେଠାରେ ଯଥେଷ୍ଟ ବିକାଶ ଘଟିଛି। ଏହି ଅଞ୍ଚଳ ଏବେ ଭାରତର ଭାତ ହାଣ୍ଡି ଭାବେ ଉଭା ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇଣ୍ଡିଆ ଟୁଡେ କନକ୍ଲେଭରେ  ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି- ରାଜ୍ଯରେ ଅନେକ ବିପର୍ଯ୍ୟୟ ଆସିଛି। ତେବେ ଉଚିତ ପୂର୍ବପ୍ରସ୍ତୁତି ଯୋଗୁ ଧନଜୀବନ ରକ୍ଷା କରାଯାଇପାରିଛି। ଜୀବନ ରକ୍ଷାର ବାସ୍ତବ ଉଦାହରଣ ବିଶ୍ବବାସୀଙ୍କ ଆଗରେ ଓଡିଶା ଦେଖାଇପାରିଛି। କୋଭିଡ କାଳରେ ବି ଓଡିଶାର ପ୍ରମୁଖ ଭୂମିକା ଯୋଗୁ ଅନେକ ଜୀବନ ରକ୍ଷା ହୋଇପାରିଥିଲା।

ପୁଞ୍ଜିନିବେଶର ପ୍ରକୃଷ୍ଟ ଲକ୍ଷ୍ଯସ୍ଥଳ ସାଜିଛି ଓଡିଶା। ବର୍ତ୍ତମାନ ଓଡ଼ିଶା ଦକ୍ଷିଣ ଏସିଆର ଆଲୁମିନିୟମ ରାଜଧାନୀ ଓ ଦେଶର ଷ୍ଟିଲ ହବ ପାଲଟିଛି।  ଦୁଇ ଦଶନ୍ଧି ତଳେ ୭୦ ପ୍ରତିଶତ ଲୋକ ଦାରିଦ୍ର୍ଯ ସୀମାରେଖା ତଳେ ଥିଲେ। ବର୍ତ୍ତମାନ ମାତ୍ର ୧୦ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। କୋଟିଏରୁ ଅଧିକ ଲୋକ ଦାରିଦ୍ର୍ଯରୁ ମୁକୁଳିଛନ୍ତି। ହକି ଓ ଅନ୍ଯାନ୍ୟ କ୍ରୀଡା କ୍ଷେତ୍ରରେ ରାଜ୍ଯର ଯଥେଷ୍ଟ ବିକାଶ ଘଟିଛି। ମିଶନ ଶକ୍ତି ଜରିଆରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଓଡିଶା। ୨୦୧୯ ଲୋକସଭା ନିର୍ବାଚନରେ ମହିଳାଙ୍କ ଲାଗି ଏକ ତୃତୀୟାଂଶ ଆସନ ସଂରକ୍ଷଣ କରି ଓଡ଼ିଶା ଉଦାହରଣ ସାଜିଛି। ବିଏସକେୱାଇ ଜରିଆରେ ରାଜ୍ଯବାସୀ ଉପକୃତ ହେଉଛନ୍ତି। ନୂଆ ଓ ସଶକ୍ତ ଓଡ଼ିଶା ଗଠନ ଦିଗରେ 5Tର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆସନ୍ତା ୨୦୩୬ ସୁଦ୍ଧା ନୂଆ ଓଡିଶା ଗଠନ ଆଭିମୁଖ୍ଯକୁ ସଫଳ ଲାଗି ସବୁସ୍ତରରୁ ଉଦ୍ୟମ ହେଉଛି ବୋଲି କହିଛନ୍ତି ମୁଖ୍ଯମନ୍ତ୍ରୀ।

 

ଦୁଲୁକୁଛି ଢେଙ୍କାନାଳ ଯୋରନ୍ଦାର ମହିମା ପୀଠ

ଢେଙ୍କାନାଳ: ଦୁଲୁକୁଛି ଢେଙ୍କାନାଳ ଯୋରନ୍ଦାର ମହିମା ପୀଠ। ୩ ଦିନ ହେଲା ଚାଲିଥିବା ମାଘମେଳାର ଆଜି ଅନ୍ତିମ ଦିନ ହେଇଥିବାରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଝାଡ଼ଦୀପ ପ୍ରଜ୍ବଳନ ସହ ଖଞ୍ଜଣି ଭଜନ ଓ ମହିମା ସାଧୁଙ୍କ ଧୁନୀରେ ସୃଷ୍ଟି ହୋଇଛି ଆଧ୍ଯାତ୍ମିକ ପରିବେଶ । ମୀନାବଜାର ଓ ପଲ୍ଲିଶ୍ରୀ ମେଳାରେ ସଂଧ୍ଯା ନଇଁରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳୁଛି।

ଝାଡ଼ଦୀପର ଝଟକୁଛି ମହିମାଗାଦି । ଧୁନୀ ସହ ଖଞ୍ଜଣୀ ଭଜନରେ ମୁଖରିତ ଅଲେଖ ପୀଠ । ଯୋରନ୍ଦା ମାଘମେଳାରେ ସୃଷ୍ଟି ହୋଇଛି ଆଧ୍ଯାତ୍ମିକ ପରିବେଶ । ୩ ଦିନ ହେଲେ ଚାଲିଛି ମାଘମେଳା । ଅନ୍ତିମ ଦିନରେ ୪ ଦ୍ବାରରେ ଝାଡ଼ଦୀପ ପ୍ରଜ୍ବଳନ ସହ ଘୃତାହୂତି ଦେଇ ଶୂନ୍ଯବ୍ରହ୍ମଙ୍କ ଉଦ୍ଦେଶ୍ଯରେ ପ୍ରାର୍ଥନା କରୁଛନ୍ତି ମହିମା ସାଧୁ। ଚଳିତବର୍ଷ ଖାଲି ଓଡ଼ିଶା ନୁହେଁ ମଧ୍ଯପ୍ରଦେଶ, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରୁ ଆସିଛନ୍ତି ମହିମା ସାଧୁ। ଲକ୍ଷାଧିକ ସଂଖ୍ଯାରେ ଶ୍ରଦ୍ଧାଳୁ ଗାଦି ମନ୍ଦିରରେ ପହଞ୍ଚି ସାଧୁଙ୍କ ଆଶିଷ ନେଉଛନ୍ତି ।

ଶେଷଦିନରେ ମହିମା ପୀଠରେ ବସିଛି ଧର୍ମସଭା । ଏହି ସଭାରେ ରାଜ୍ଯ ତଥା ରାଜ୍ଯ ବାହାରୁ ଆସିଥିବା ସମସ୍ତ ସାଧୁ ଏକତ୍ରିତ ହୋଇ ଶୂନ୍ଯବ୍ରହ୍ମଙ୍କୁ ପ୍ରାର୍ଥନା କରିଛନ୍ତି । ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ, ଜିଲାପାଳ ମନୋରଞ୍ଜନ ମଲ୍ଲିକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ପ୍ରମୁଖ ମେଳା ପରିସରରେ ବୁଲି ସ୍ଥିତି ଅନୁଧ୍ଯାନ କରିଛନ୍ତି । ଚଳିତବର୍ଷ ପ୍ରଥମ କରି ଯୋରନ୍ଦା ଯାତ୍ରାରେ ଓରମାସ ପକ୍ଷରୁ ୩୨ଟି ଷ୍ଟଲ କରା ଯାଇଛି । ସ୍ବୟଂ ସହାୟକ ଗୋଷ୍ଠୀର ସାମଗ୍ରୀ ବିକ୍ରିବଟା ସାଙ୍ଗକୁ ମୀନା ବଜାରରେ ଜମିଛି ଭିଡ଼ । ଚଳିତବର୍ଷ ପ୍ରଥମ କରି ମେଳା ପଡ଼ିଥିବାରୁ ବିକ୍ରିବଟା ଭଲ ହୋଇଥିବା କହିଛନ୍ତି ଏସଏଚଜି ସଦସ୍ଯା । ୩ ଦିନ ଧରି ମାଘମେଳା ପାଇଁ ଦୁଲୁକିଛି ମହିମା ପୀଠ । ଏହାର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ୧୬୦ କୋଟି ଟଙ୍କା ପ୍ରଦାନ କରିଥିବାରୁ ଆଗାମୀ ବର୍ଷ ଯାତ୍ରାରେ ମହିମା ଗାଦିର ନବକଲେବର ରୂପ ଦେଖିବାକୁ ପାଇବେ ଶ୍ରଦ୍ଧାଳୁ । ଏଥିପାଇଁ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇଛନ୍ତି ସାଧୁ ଓ ସ୍ଥାନୀୟ ବାସିନ୍ଦା ।

 

ଆଗାମୀ ନିର୍ବାଚନରେ ଏକପାଖିଆ ବିଜୟୀ ହେବ ବିଜେଡି

ଭୁବନେଶ୍ବର: ଶଙ୍ଖମୟ ହେବ ଓଡ଼ିଶା l ଆଗାମୀ ନିର୍ବାଚନରେ ଓଡ଼ିଶାର ରାଜନୈତିକ ଇତିହାସରେ ବିଜେଡି ଯୋଡ଼ିବ ନୂଆ ଅଧ୍ଯାୟ l ଉଭୟ ବିଧାନସଭା ଓ ଲୋକସଭାରେ ବିଜେଡି ଅଧିକ ଆସନ ପାଇ ରେକର୍ଡ କରିବ l ବିଜେଡିର ବଡ଼ ବିଜୟ ସହ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ l ଲମ୍ବା ସମୟର ମୁଖ୍ୟମନ୍ତ୍ରୀ ଭାବେ ଦେଶରେ ନବୀନ ରେକର୍ଡ କରିବେ । ବିଭିନ୍ନ ସର୍ଭେ ଏବଂ ଓଡ଼ିଶାବାସୀଙ୍କ ମୁଡରୁ ଏପରି ଆକଳନ ପରେ ବିରୋଧୀ ଚିନ୍ତାରେ ପଡ଼ିଛନ୍ତି l ନବୀନଙ୍କ ଲୋକପ୍ରିୟତା ବିଜେଡିକୁ ବଡ଼ ବିଜୟୀ କରାଇବ ବୋଲି ଶାସକ ଦଳ କହିଛି।

ନବୀନ ଓ ବିଜେଡି ସପକ୍ଷରେ ଜନମତ । ଆଗାମୀ ନିର୍ବାଚନରେ ଏକପାଖିଆ ବିଜୟୀ ହେବ ବିଜେଡି। ବିଜୁଙ୍କ ରେକର୍ଡ ଭାଙ୍ଗିବେ ନବୀନ। ଷଷ୍ଠଥର ନବୀନ ହେବେ ମୁଖ୍ୟମନ୍ତ୍ରୀ। ବିଧାନସଭା ଓ ଲୋକସଭାରେ ବଢ଼ିବ ବିଜେଡି ଆସନ ସଂଖ୍ୟା। ଆଗାମୀ ନିର୍ବାଚନରେ ବିଜେଡି ୧୨୮ ବିଧାନସଭା ଓ ୧୮ଟି ଲୋକସଭା ଆସନରେ ବାଜିମାତ୍ କରିବ l ଓଡ଼ିଶାବାସୀଙ୍କ ମୁଡ୍ ଓ ବିଭିନ୍ନ ସଂସ୍ଥାର ଜନମତ ସର୍ଭେ ରିପୋର୍ଟ ଆସିବା ପରେ ବିଜେଡି ଏପରି ଦମ୍ଭୋକ୍ତି ପ୍ରକାଶ କରିଛି l ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ବାସ ବଢ଼ିଥିବାରୁ  ୨୦୧୯ ଅପେକ୍ଷା ୨୦୨୪ରେ ବିଜେଡି ଉଭୟ ବିଧାନସଭା ଓ ଲୋକସଭାରେ ଅଧିକ ଆସନ ପାଇବ ବୋଲି ଶାସକ ଦଳ ଯୁକ୍ତି ବାଢିଛି l

ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଏକଥା କହିବା ପରେ ଆଜି ଦଳୀୟ ବିଧାୟକମାନେ ସମାନ ଯୁକ୍ତି ବାଢ଼ିଛନ୍ତି l ବିଧାୟକ ପ୍ରଣବ ବଳବନ୍ତରାୟ କହିଛନ୍ତି, ବିଜେଡି ଓ ନବୀନଙ୍କ ଉପରେ ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଭରସା ବଢ଼ିଛି l ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନିଜ ପରିବାର ଭାବି କାମ କରୁଛନ୍ତି l ତେଣୁ ବିଜେଡି ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢୁଛି l  ୨୦୨୪ରେ ବିଜେଡିର ରେକର୍ଡ ସଂଖ୍ୟକ ବିଧାୟକ ନିର୍ବାଚିତ ହେବେ l ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ୩୦ରୁ ୩୦ ଜିଲ୍ଲା ପରିଷଦ ଦଖଲ କରିଛି  l୨୪ରେ ବିଜେଡି ଆହୁରି ଭଲ ପ୍ରଦର୍ଶନ କରିବ l ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ନବୀନଙ୍କ ଉପରେ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଥିବାରୁ ବିଜେଡିକୁ ସଫଳତା ମିଳିବ ବୋଲି ଦଳର ନେତାମାନେ କହିଛନ୍ତି l

ନବୀନଙ୍କୁ ଓଡ଼ିଶାବାସୀ ଷଷ୍ଠଥର ଓ ଦେଶରେ ଲମ୍ବା ସମୟର ମୁଖ୍ୟମନ୍ତ୍ରୀ କରାଇବେ। ଏଥିପାଇଁ ପୂରା ଓଡ଼ିଶା ପ୍ରସ୍ତୁତ ବୋଲି ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି l ନିର୍ବାଚନ ପୂର୍ବରୁ ବିଭିନ୍ନ ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି l ନବୀନଙ୍କ ସପକ୍ଷରେ ଜନମତ ଥିବା ସର୍ଭେରୁ ସ୍ପଷ୍ଟ ହେବା ପରେ ବିଜେଡି ନେତା, ଖୋଲାଖୋଲି କହିଛନ୍ତି ଯେ, ୨୪ ହେବ ରେକର୍ଡର ବର୍ଷ l ରାଜନୈତିକ ସମୀକ୍ଷକ ମଧ୍ଯ ଆକଳନ କରିଛନ୍ତି ଯେ ବିଜେଡି ଗତ ପଞ୍ଚାୟତ ନିର୍ବାଚନ ପରି ୨୪ ନିର୍ବାଚନରେ ଏକପାଖିଆ ବିଜୟ ଲାଭ କରିବ l

୨୦୦୯ରେ ବିଜେଡି ୧୦୩ ବିଧାନସଭା ଆସନ ଓ ୧୪  ଲୋକସଭା ଆସନ ପାଇଥିଲା l ୨୦୧୪ରେ ୧୧୭ ବିଧାନସଭା ଓ ୨୦ଟି ଲୋକସଭା ଆସନ,  ୨୦୧୯ରେ ୧୧୨ଟି ବିଧାନସଭା ଓ ୧୨ଟି ଲୋକସଭା ଆସନ ଜିତିଥିଲା l ୧୯୯୦ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ଜନତା  ଦଳ ପାଇଥିଲା ୧୨୩  ବିଧାନସଭା ଆସନ l  ୨୦୨୪ ନିର୍ବାଚନରେ ବିଜେଡି ୧୨୮ ବିଧାନସଭା ଆସନ ଲାଭ କରି ରେକର୍ଡ କରିବ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟ ପ୍ରକାଶ ପାଇଛି l

 

ସଚିନ କିମ୍ବା କୋହଲି ଯାହା କରି ପାରିନଥିଲେ ୨୨ ବର୍ଷ ବୟସରେ କରି ଦେଖାଇଲେ ଜୟସ୍ବାଲ

ନନ୍ଦିଘୋଷ ବ୍ୟୁରୋ: କ୍ରିକେଟ କିମ୍ବଦନ୍ତୀ ତଥା କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଅନେକ ରେକର୍ଡ ରହିଛି । ଯାହାକି ଆଜି ମଧ୍ୟ ବିଶ୍ବର କୌଣସି ଖେଳାଳି ଭାଙ୍ଗିପାରିନାହାନ୍ତି । ତେବେ ଦିନିକିଆରେ ସଚିନ ଶତକ ରେକର୍ଡ ଭାଙ୍ଗିଥିବା ବିରାଟ କୋହଲି ମଧ୍ୟ ଅନେକ ରେକର୍ଡର ଅଧିକାରୀ ଅଟନ୍ତି । କିନ୍ତୁ ଏମାନଙ୍କ ରେକର୍ଡ ଯେଭଳି ସମସ୍ତଙ୍କର ମନେ ରହିଛି ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ଜଶସ୍ବୀ ଜୟସ୍ବାଲ ମଧ୍ୟ ଗୋଟିଏ ପରେ ଗୋଟିଏ ରେକର୍ଡ କରିଚାଲିଛନ୍ତି । ଜୟସ୍ବାଲ ୨୨ ବର୍ଷ ବୟସରେ ଯେଉଁ ରେକର୍ଡ କରିଛନ୍ତି ବିରାଟ କୋହଲି କିମ୍ବା ସଚିନ ମଧ୍ୟ ତାହା କରିପାରିନଥିଲେ । ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳୁଥିବା ଜୟସ୍ବାଲ ପ୍ରଥମ ପାଳିରେ ୭୩ ରନର ପାଳି ଖେଳିଛନ୍ତି । ଯେଉଁଥିରେ ୮ ଚୌକା ଏବଂ ଗୋଟିଏ ଛକା ମଧ୍ୟ ରହିଛି ।

ଗୋଟିଏ ଟେଷ୍ଟ ସିରିଜରେ ୬୦୦ ରନରୁ ଅଧିକ ସ୍କୋର କରିବାର ଏକ ରେକର୍ଡ ମଧ୍ୟ ଅର୍ଜନ କରିଛନ୍ତି ଜୟସ୍ବାଲ । ଯାହାକି କୋହଲି କିମ୍ବା ସଚିନ ପୂର୍ବରୁ କରିବାରେ ସକ୍ଷମ ହୋଇନାହାନ୍ତି । ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନଭାବେ ଗୋଟିଏ ସିରିଜରେ ୬୦୦ ରନ କରିବାରେ ସକ୍ଷମ ହୋଇଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଏହି ସିରିଜରେ କୌଣସି ଖେଳାଳି ୩୦୦ରୁ ଉପରେ ସ୍କୋର କରିନଥିବାବେଳେ ଜୟସ୍ବାଲ ୬୦୦ ରନ ପୂରଣ କରିସାରିଛନ୍ତି ।

ଶେଷହେଲା ଖଣ୍ଡଗିରି ମେଳା, ନାଗା ବାବାଙ୍କ ଆର୍ଶୀବାଦ ନେବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ବର: ଶେଷହେଲା ଖଣ୍ଡଗିରି ମେଳା । ନାଗା ବାବାଙ୍କୁ ଦର୍ଶନ ସହ ଆର୍ଶୀବାଦ ନେବାକୁ ଖଣ୍ଡଗିରି ଶ୍ରଦ୍ଧାଳୁଙ୍କ ଖଣ୍ଡଗିରିରେ ପ୍ରବଳ ଭିଡ଼ । ଦୀର୍ଘ ୯ ଧରି ହୋମ, ଯଜ୍ଞ ସହ ପୁରା ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥିଲା ଖଣ୍ଡଗିରି । ସାଧୁମାନେ ଧୂନି ଜାଳି ବିଶ୍ଵ ଶାନ୍ତି ପାଇଁ ଆହୁତି ଦେଉଥିଲେ । ନାଗା ଓ ଜୈନ୍ ସନ୍ଥମାନଙ୍କ ଠାରୁ ଆର୍ଶୀବାଦ ନେବାକୁ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼। ଉଜ୍ଜୟିନୀ ମହାକାଲ, ହରିଦ୍ଵାର, କେଦାର ନାଥ, କାଶ୍ମୀ, ମଥୁରା, ବୃନ୍ଦାବନ , ଡେରାଡୁନର ସାଧୁ ସନ୍ଥମାନେ ଏକାଠି ହୋଇଥିଲେ । ଆକର୍ଷଣ ସାଜିଥିଲେ ଶ୍ରୀଦିଗାମ୍ବର ବମବମ ପୁରୀ ମହାରାଜ, ଶ୍ରୀ ଦିଗାମ୍ବର ଫୈଜୀ ନାଗା ସ୍ବାମୀ, ଷ୍ଟାଣ୍ଡିଙ୍ଗ ବାବା, ରୁଦ୍ରାକ୍ଷ ବାବା। ଯାତ୍ରା ସୁରୁଖୁରୁରେ ଶେଷ ହୋଇଥିବାରୁ ସର୍ବଭାରତୀୟ ସାଧୁସନ୍ଥ ସଂଗଠନ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛି।

ଆପାର୍ଟମେଣ୍ଟ ଲୁଟ୍ ରୋକିବାକୁ ପୋଲିସର ଆକ୍ସନ ପ୍ଲାନ

ଭୁବନେଶ୍ବର: କମିଶନରେଟ ପୋଲିସର ନିଦ ହଜାଇଛନ୍ତି ଆପାର୍ଟମେଣ୍ଟ ଲୁଟେରା । ଆପାର୍ଟମେଣ୍ଟ ଲୁଟେରାକୁ ଧରିବା ପାଇଁ ଜରୁରୀ ବୈଠକ । ରାଜଧାନୀରେ ବିଭିନ୍ନ ଅପାର୍ଟମେଣ୍ଟ ଲୁଟ ଘଟଣାକୁ ନେଇ ଆଜି ସମସ୍ତ ଥାନା ଅଧିକାରୀଙ୍କ ସହ ବୈଠକ କରିଛନ୍ତି ପୋଲିସ କମିଶନର । ସବୁ ଘଟଣାରେ ଜବତ ହୋଇଥିବା ସିସିଟିଭି ଫୁଟେଜକୁ ନେଇ ତର୍ଜମା କରାଯାଇଛି । ଅଧିକାଂଶ ଲୁଟର ତରିକା ସମାନ ଥିବାରୁ ପୁଣିଥରେ ଜିରୋ ରୁ ସ୍ୱତନ୍ତ୍ର ଟିମ କରି ତଦନ୍ତ ଆରମ୍ଭ କରିବ ବୋଲି କହିଛନ୍ତି ପୋଲିସ କମିଶନର ।

ଆପାର୍ଟମେଣ୍ଟ ଲୁଟ ରୋକିବାକୁ ପୋଲିସର ଆକ୍ସନ ପ୍ଲାନ । ଜିରୋ ରୁ ତଦନ୍ତ ଆରମ୍ଭ କରିବ କମିଶନରେଟ ପୋଲିସ । ସିସିଟିଭି ଫୁଟେଜକୁ ନେଇ ତର୍ଜମା କଲେ ପୋଲିସ କମିଶନର । ତୁରନ୍ତ ଲୁଟେରାଙ୍କୁ ଗିରଫ ସହ ସମ୍ପତି ରିକଭରିକୁ ଫୋକସ । ଗତ ୧ ମାସରୁ ଅଧିକ ଧରି ରାଜଧାନୀର ବିଭିନ୍ନ ଅପାର୍ଟମେଣ୍ଟ ଲୁଟ ଘଟଣାକୁ ନେଇ ଆଜି ସମସ୍ତ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପୋଲିସ କମିଶନର ସଂଜୀବ ପଣ୍ଡା । ସବୁ ଘଟଣାରେ ଜବତ ହୋଇଥିବା ସିସିଟିଭି ଫୁଟେଜକୁ ନେଇ ତର୍ଜମା କରିବା ସହ ତଦନ୍ତକାରୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । କେଉଁ ଘଟଣାର ତଦନ୍ତ କେତେବାଟ ଗଲା ଏନେଇ ସମୀକ୍ଷା ହୋଇଛି । ତେବେ ସବୁ ଚୋରିର ପୁଣିଥରେ ଜିରୋରୁ ତଦନ୍ତ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ।

ଗତ ୫ ମାସରେ ୧୨ରୁ ଅଧିକ ଅପାର୍ଟମେଂଟର ୨୨ରୁ ଅଧିକ ଫ୍ଲାଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ସବୁ ଘଟଣାରେ ସିସିଟିଭି ଫୁଟେଜ ଜବତ ହୋଇଛି । ଅଧିକାଂଶ ଘଟଣାରେ ସମାନ ତରିକାରେ ହୋଇଛି ଚୋରି । ଯେଉଁ ସବୁ ଅପାର୍ଟମେଂଟ ରୁ ଚୋରି ହୋଇଛି, ସେସବୁ ଅପାର୍ଟମେଂଟର ସୁରକ୍ଷାକର୍ମୀଙ୍କୁ ଜେରା କରାଯାଇଛି । ଆସନ୍ତାକାଲି ଅପାର୍ଟମେଂଟ ବାସୀଙ୍କ ସହ ଆଲୋଚନା କରି ସୁରକ୍ଷା ଦିଗରେ ଆଲୋଚନା କରିବ ପୋଲିସ ।

ଦେଶରେ ଲାଗୁ ହେବ ନୂଆ ଆଇନ ବ୍ୟବସ୍ଥା

ନନ୍ଦିଘୋଷ ବ୍ୟୁରୋ: ଦେଶରେ ଲାଗୁ ହେବ ନୂଆ ଆଇନ ବ୍ୟବସ୍ଥା। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ ଅଧିନିୟମ ଆସନ୍ତା ଜୁଲାଇ ପହିଲାରୁ ଲାଗୁ ହେବାକୁ ଯାଉଛି। ଆଇପିସିର ସ୍ଥାନ ନେବ ନୂଆ ଫୌଜଦାରୀ ଆଇନ। ସରକାର ଏହାକୁ ନେଇ ଔପଚାରିକ ଘୋଷଣା ମଧ୍ୟ କରିଛନ୍ତି। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ ଅଧିନିୟମ କାର୍ଯ୍ୟକାରୀ ହେବ। ଏ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ୩ ନୂଆ ଆଇନ ବ୍ୟବସ୍ଥାକୁ ସଂସଦରେ ପୂର୍ବରୁ ପାରିତ ହୋଇଛି। ଏହାସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ବର୍ଷ ଡିସେମ୍ବରରେ ଏହି ୩ ବିଧେୟକକୁ ସ୍ଵୀକୃତି ପ୍ରଦାନ କରିଛନ୍ତି। ୧୮୬୦ର ଇଣ୍ଡିଆନ ପେନାଲ କୋଡ, ୧୯୭୩ ମସିହାର ସିଆରପିସି ଏବଂ ୧୮୭୨ ମସିହାର ଇଣ୍ଡିଆନ ଏଭିଡେନ୍ସ ଆକ୍ଟର ସ୍ଥାନ ନେବ ଏହି ନୂତନ ୩ ଆଇନ।

ବାଇକରେ ବୁଲିଲେ 5T ଅଧ୍ୟକ୍ଷ

ଭଦ୍ରକ: ଯେବେ ସେବା ଏକ ସଂକଳ୍ପ ହୋଇଯାଏ ସେବେ ଜନତା ହିଁ ସବୁକିଛି ସାଜନ୍ତି । ଲୋକଙ୍କ ପାଇଁ ଜୀବନ ଉତ୍ସର୍ଗୀକୃତ ହୋଇଯାଏ । ଭଦ୍ରକ ଜିଲ୍ଲା ମଲ୍ଲିମହରା ଓ  ଗୌରାଙ୍ଗପୁରରେ ଦେଖିବାକୁ ମିଳିଛି ଜନସେବା ପ୍ରତି 5T ଅଧ୍ଯକ୍ଷଙ୍କ ପ୍ରତିବଦ୍ଧତାର ଆଉ ଏକ ନିଆରା ଚିତ୍ର । 5T ଅଧ୍ଯକ୍ଷଙ୍କ ଗସ୍ତ ସମୟରେ ଛୁଟିଆସିଥିଲେ ଜନସମୁଦ୍ର ଭଳି ଲୋକ । ବିକାଶର ସାରଥିଙ୍କ ପାଖରେ ଲାଗିଥିଲା ଭଲପାଇବା ଆଉ ଭରସାର ଭିଡ଼ । ହଜାର ହଜାର ଲୋକ ଆସି କାର୍ତ୍ତିକ ପାଣ୍ଡିଆନଙ୍କୁ ଦେଖା କରିବା ସହ ବିନା ଦ୍ବିଦ୍ଧାରେ ନିଜର ଅଭିଯୋଗ ଜଣାଇଥିଲେ । ଏହି ସମୟରେ ଲୋକଙ୍କ ଗହଣରେ ବାଇକରେ ବସି ଯାତ୍ରା କରିଥିଲେ କାର୍ତ୍ତିକ ପାଣ୍ଡିଆନ । ଆପଣା ଲୋକଙ୍କ ସାଥିରେ ସାଧାରଣ ଲୋକଙ୍କ ଭଳି ସଭିଙ୍କୁ ସାଥିରେ ନେଇ ଆଗକୁ ଚାଲିଥିଲେ ଫାଇଭ-ଟି ଅଧ୍ଯକ୍ଷ । କାର୍ତ୍ତିକ ପାଣ୍ଡିଆନ ବାଇକରେ ବସି ଯିବାବେଳେ ସାଧାରଣ ଲୋକମାନେ ବେଶ୍ ଉତ୍ସାହିତ ହୋଇପଡ଼ିଥିଲେ । ସଭିଏଁ ପାଣ୍ଡିଆନଙ୍କ ପାଖେ ପାଖେ ରହି ତାଙ୍କ ସହିତ ଆଗକୁ ଯାଇଥିଲେ ।