spot_img
Home Blog Page 2064

କଟକରେ ଖେଳା ଯାଇପାରେ ଆଇପିଏଲ୍ ମ୍ୟାଚ୍

ଭୁବନେଶ୍ୱର: ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇ ଖୁସି ଖବର। କଟକରେ ଖେଳା ଯାଇପାରେ ଆଇପିଏଲ ମ୍ୟାଚ୍। ଦିଲ୍ଲୀ କ୍ୟାପିଟାଲ୍ସ ନିଜର ପ୍ରଥମ ୨ଟି ମ୍ୟାଚ୍ ପୁନେ ଓ କଟକରେ ଖେଳିପାରେ।

ମହିଳା ପ୍ରିମିୟର ଲିଗ୍ ପରେ ପରେ ଆଇପିଏଲ ଖେଳାଯିବାକୁ ଥିବାରୁ ଅରୁଣ ଜେଟଲୀ ଷ୍ଟାଡିୟମକୁ ଏତେ ଶୀଘ୍ର ପ୍ରସ୍ତୁତ କରିବା ସମ୍ଭବପର ନୁହେଁ। ତେଣୁ କଟକରେ ଦିଲ୍ଲୀ ନିଜର ଘରୋଇ ଆଇପିଏଲ ମ୍ୟାଚ୍ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ମାର୍ଚ୍ଚ ୨୦ରୁ ୨୨ ମଧ୍ୟରେ ଆଇପିଏଲ ଆରମ୍ଭ ହୋଇପାରେ। ଏନେଇ ଖୁବଶୀଘ୍ର କାର୍ଯ୍ୟସୂଚୀ ପ୍ରକାଶ ପାଇବ।

ପ୍ରମାଣ ଅଭାବରୁ ଦୋଷମୁକ୍ତ ହେଲେ ପୋଲିସ ଅଧିକାରୀ

ସିଆଟଲ: ପୋଲିସ ପାଟ୍ରୋଲିଂ ଗାଡି ଧକ୍କାରେ ଆମେରିକା ସିଆଟଲରେ ଭାରତୀୟ ଛାତ୍ରୀ ଜାହ୍ନବୀ କାଣ୍ଡୁଲାଙ୍କ ମୃତ୍ଯୁ ଘଟଣା। ଉପଯୁକ୍ତ ପ୍ରମାଣ ଅଭାବରୁ ଦୁର୍ଘଟଣା ଘଟାଇଥିବା ପୋଲିସ ଅଫିସର କେଭିନ ଡାଭେଙ୍କ ବିରୋଧରେ ଦାୟର ହେବ ନାହିଁ ଅପରାଧିକ ମାମଲା। ଆମେରିକାରେ ଭାରତୀୟ କିମ୍ବା ଭାରତୀୟ ବଂଶୋଦ୍ଭବଙ୍କ ଉପରେ ଆକ୍ରମଣ କରାଯାଉଥିବାବେଳେ ଜଣେ ଦୋଷୀ ପୋଲିସ ଅଫିସରଙ୍କୁ ଦୋଷମୁକ୍ତ କରାଯାଇଛି।

ଗତ ଜାନୁଆରୀ ୨୩ରେ ସିଆଟଲରେ ରାସ୍ତା ପାର୍ ହେଉଥିବାବେଳେ ୨୩ ବର୍ଷ ବୟସ୍କା କାଣ୍ଡୁଲାଙ୍କୁ, ଡାଭେ ଚଳାଉଥିବା ପୋଲିସ ଗାଡି ଧକ୍କା ଦେଇଥିଲା । ଗାଡିଟି ସେତେବେଳେ ଘଣ୍ଟା ପ୍ରତି ୧୧୯ କିଲୋମିଟର ବେଗରେ ଯାଉଥିଲା। ଗାଡି ଧକ୍କାରେ କାଣ୍ଡୁଲା ୧୦୦ ଫୁଟ ଦୂରକୁ ଫୋପାଡି ହୋଇଯାଇଥିଲେ । ମାମଲାର ଶୁଣାଣି କରି ଆଟର୍ଣ୍ଣି ଲିସା ମାନିଅନ କହିଛନ୍ତି- ଏହି ଘଟଣାକୁ ଏକ ଅପରାଧିକ ମାମଲା ଭାବେ ଗ୍ରହଣ କରିବାର କୌଣସି ପ୍ରମାଣ ନାହିଁ। ସିଆଟଲର ନର୍ଥଇଷ୍ଟର୍ଣ୍ଣ ୟୁନିଭର୍ସିଟିରେ ଗ୍ରାଜୁଏଟ ଥିଲେ କାଣ୍ଡୁଲା। କାଣ୍ଡୁଲାଙ୍କ ମୃତ୍ୟୁ ପରେ ତାଙ୍କୁ ମରଣୋତ୍ତର ଡିଗ୍ରୀ ଉପାଧି ପ୍ରଦାନ କରାଯାଇଥିଲା।

କିଏ ଏହି ଅକ୍ସାନା ମାଲାୟା; ଯାହାଙ୍କୁ କୁକୁର ଶିଖାଇଥିଲା ଜୀବନ ବଞ୍ଚିବା…

କିଭ୍: ଆପଣମାନେ ନିଶ୍ଚୟ ଟାରଜନ ଓ ମୋଗଲି କଥା ଶୁଣିଥିବେ। ଜଣେ ମଣିଷ କିପରି ବନ୍ୟଜନ୍ତୁଙ୍କ ଗହଣରେ ବଢି ସେମାନଙ୍କୁ ଅନୁକରଣ କରି କାଳ କାଟିଛି ତାହାର କାହାଣୀ ମନକୁ ଆନ୍ଦୋଳିତ କରିବ। ହେଲେ ବନ୍ୟଜନ୍ତୁଙ୍କ ସହ ନୁହଁ ଖୋଦ କୁକୁର ସହ ବାଲ୍ୟକାଳ କଟାଇବା ଘଟଣା ସମସ୍ତଙ୍କୁ ଚମତ୍କୃତ କରିବ। ୟୁକ୍ରେନର ଏହି ଘଟଣା ଏବେ ଖୁବ୍ ଚର୍ଚ୍ଚାରେ।

ଅକ୍ସାନା ମାଲାୟାଙ୍କ ବାସ୍ତବ ଜୀବନ କାହାଣୀ ସମସ୍ତଙ୍କୁ କରିବ ଆଶ୍ଚର୍ଯ୍ୟ। ମାଲାୟାକୁ ୩ ବର୍ଷ ହୋଇଥିବାବେଳେ ତାକୁ ତାର ମଦ୍ୟପ ବାପା-ମା ଘରୁ ପଦାକୁ ବାହାର କରିଦେଇଥିଲେ। ପ୍ରବଳ ଶୀତରେ ଜୀବନ ରକ୍ଷା ପାଇଁ ମାଲାୟା କୁକୁର ରହୁଥିବା ଘରକୁ ଚାଲିଯାଇଥିଲା। ଆଶ୍ଚର୍ଯ୍ୟର କଥା ସେ ପ୍ରାୟ ୫ ବର୍ଷ ଧରି କୁକୁର ସହ ରହିଥିଲା। କୁକୁରଙ୍କ ସହ ରହୁଥିବାବେଳେ ସେ କୁକୁରଙ୍କ ପରି ଭୁକିଥିଲା, ଦୁଇ ଗୋଡ ବଦଳରେ ସେ ହାତ ଓ ପାଦରେ ଚାଲୁଥିଲା। ୪୦ ବର୍ଷରେ ଉପନୀତ ହୋଇଥିବା ମାଲାୟା ତାଙ୍କ ବାଲ୍ୟଜୀବନ ସମ୍ପର୍କରେ ଏହି କାହାଣୀ କହିଛନ୍ତି।

ସେ କହିଛନ୍ତି- ତାଙ୍କ ବାପାମାଙ୍କର ବହୁ ସନ୍ତାନ ଥିବାରୁ ଘରେ ଶୋଇବାରେ ଅସୁବିଧା ହୋଇଥିଲା। ତେଣେୁ ତାଙ୍କୁ ମା’ ଘରୁ ପଦାକୁ ନେଇଯାଇଥିଲେ। ସେ ବାଧ୍ୟ ହୋଇ ଗୁରୁଣ୍ଡି ଗୁରୁଣ୍ଡି କୁକୁର ରହୁଥିବା ଘରକୁ ଚାଲିଯାଇ ସେଠାରେ ଦୀର୍ଘ ୫ ବର୍ଷ ଯାଏଁ ରହିଥିଲେ। ୯ ବର୍ଷ ବୟସ ବେଳକୁ ତାକୁ ଉଦ୍ଧାର କରାଯାଇଥିଲା। ମାତ୍ର ସେତେବେଳକୁ ସେ ବାକଶକ୍ତି ହରାଇବା ସାହ ଦୁଇହାତ ଓ ପାଦରେ ସେ ଅନ୍ୟପ୍ରାଣୀଙ୍କ ପରି ଚାଲୁଥିଲା। କୁକୁରଙ୍କ ପରି ତାର ବ୍ୟବହାର ପରିଲକ୍ଷିତ ହୋଇଥିଲା।

ସ୍ପେଶାଲ କେୟାର ପ୍ରତିଷ୍ଠାନର ନିର୍ଦ୍ଦେଶକ ଆନ୍ନା ଚାଲୟ କହିଛନ୍ତି- ମାଲାୟା ଏକ କୁକୁର ପରି ଚଲାବୁଲା କରୁଥିଲା ଏବଂ ପାଣି ଦେଖିଲେ ଜିଭ ପଦାକୁ କାଢୁଥିଲା। ସେ ହାତର ବ୍ୟବହାର ନ କରି କୁକୁରଙ୍କ ପରି ଖାଉଥିଲା। ଡଷ୍ଟବିନରୁ ଖାଦ୍ୟପଦାର୍ଥ ବି ଖାଉଥିଲା। ତାକୁ ଉଦ୍ଧାର କରାଯାଇ ଏକ ଶିଶୁଗୃହକୁ ନିଆଯାଇଥିଲା। ମାତ୍ର ସେଠାରେ ବି ସେ ନିଜ ପ୍ରକୃତି ଛାଡିପାରି ନଥିଲା। ଦୀର୍ଘ ବର୍ଷ ପରେ ବି ସେ ଭାଷା ଶିକ୍ଷା କରିବାରେ ବିଫଳ ହୋଇଥିଲା। ବିଗତ ୨୦୦୦ରେ ମାଲାୟ ତାର ପିତାମାତାଙ୍କ ଏକାଠି ରହିବାର ସୁଯୋଗ ପାଇଥିଲା। ଜଣେ ମନସ୍ତତ୍ତ୍ବବିତଙ୍କ ମତରେ ୫ବର୍ଷ ବୟସ ସମୟରେ ଯଦି ମଣିଷ ଭାଷା ଶିକ୍ଷା କରିପାରିବ ନାହିଁ ତେବେ ଜୀବନ କାଳରେ ତାହା ହାସଲ କରିବା କଷ୍ଟକର। ବିଶ୍ବରେ ମାଲାୟାଙ୍କ ପରି ପ୍ରାୟ ୧୦୦ଟି ଘଟଣା ଘଟିଥିବା କୁହାଯାଇଛି।

କୁକୁଡ଼ାଖଣ୍ଡିରେ 5T ଅଧ୍ୟକ୍ଷଙ୍କ ବିକାଶ ସମୀକ୍ଷା

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ କୁକୁଡ଼ାଖଣ୍ଡି ଅଞ୍ଚଳର ବିକାଶ ଲାଗି ୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଖେମୁଣ୍ଡି କଲେଜ ଲାଗି ୨ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ କୁକୁଡ଼ାଖଣ୍ଡି ସାଇନସ କଲେଜ ଲାଗି ୧ କୋଟି ମଞ୍ଜୁର ହୋଇଛି। ମହୁରୀକାଳୁଆ ମନ୍ଦିରର ଉନ୍ନତି ଲାଗି ୧ କୋଟି ୮୦ ଲକ୍ଷ ଏବଂ ବି. ତୁରୁବୁଡ଼ି ପଞ୍ଚାୟତସ୍ଥିତ ମା ନିଜବଙ୍କେଶ୍ବର ମନ୍ଦିର ଲାଗି ୧ କୋଟି ୮୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କୁକୁଡ଼ାଖଣ୍ଡିରେ ଆୟୋଜିତ ଜନସଭାରେ ଉଦବୋଧନ ଦେଇ ସେ କହିଛନ୍ତି- ଗତଥର ଆସିଥିବାବେଳେ ସେ  ୫୫୦ ଦରଖାସ୍ତ ପାଇଥିଲେ। ସେଥିରୁ ୫୦୦ଟି ସମାଧାନହୋଇଛି। ଘଟକେଶ୍ବର ଜଳସେଚନ ପ୍ରକଳ୍ପ ଲୋକାର୍ପିତ ହୋଇଛି। ୨୯ ତାରିଖ ସୁଦ୍ଧା ମନ୍ଦିର, ମସଜିଦ, ଚର୍ଚ୍ଚ ଆଦି ଲାଗି ଆସିବ ଖୁସି ଖବର। ଦିଗପହଣ୍ଡିରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ କାମ ଚାଲିଛି। ବୋମକେଇରେ ଆମ ହସ୍ପିଟାଲ ଲୋକାର୍ପିତ ହୋଇଛି। ଯୁବ ପିଢ଼ିଙ୍କୁ ବିନା କାଗଜରେ ୧ ଲକ୍ଷ ଟଙ୍କା ଯାଏ ଵିଜନେସ ପାଇଁ ଋଣ ବ୍ଯବସ୍ଥା ମୁଖ୍ଯମନ୍ତ୍ରୀ କରିଛନ୍ତି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ।

ଧରାକୋଟରେ ବିକାଶର ହିସାବ ଦେଲେ 5T ଅଧ୍ୟକ୍ଷ

ନନ୍ଦିଘୋଷ ବ୍ୟୁରୋ: ଭଲ କାମ କଲେ ଟଙ୍କାର ଅଭାବ ରହିବନି । ପ୍ରଥମ କିସ୍ତି ପରେ ଦ୍ବିତୀୟ ଓ ତୃତୀୟ କିସ୍ତି ମିଳିବ । ଏହା ଓଡ଼ିଶାର ଟଙ୍କା ଏହାକୁ ସ୍ବଚ୍ଛ ଭାବେ ଖର୍ଚ୍ଚ କରନ୍ତୁ । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କଥା କମ କହନ୍ତି । କାମ ବେଶୀ କରନ୍ତି । ଆପଣମାନଙ୍କୁ ସେ ବହୁତ ଭଲ ପାଆନ୍ତି । ତେଣୁ ଯୋଜନା ଉପରେ ଯୋଜନା କରୁଛନ୍ତି । ଏହାକୁ ଘରେ ଘରେ ପହଞ୍ଚାନ୍ତୁ । ଗଂଜାମ ଗସ୍ତରେ ଥିବା 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ବେଲଗୁଣ୍ଠା ପରେ ଧରାକୋଟ-ସାନଖେମୁଣ୍ଡି ଗସ୍ତ କରି ଏହି ଅପିଲ କରିଛନ୍ତି । ଉଚ୍ଛ୍ବସିତ ଉତ୍ସାହିତ ବିଶାଳ ଜନସଭାକୁ ସମ୍ବୋଧିତ କରି ବିକାଶର ହିସାବ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ଏହି ଅଞ୍ଚଳରୁ ୬୫୦ ଦରଖାସ୍ତ ମିଳିଥିବାବେଳେ ୬ଶହର ସମାଧାନ ହୋଇଛି । ଏଥିଲାଗି ୪୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ଯମନ୍ତ୍ରୀ । ଧରାକୋଟ ଜଗନ୍ନାଥ ମନ୍ଦିରକୁ ମୁଖ୍ଯମନ୍ତ୍ରୀ ଖୁବ ଭଲପାଆନ୍ତି ।

ନିଜ ନୂଆ ବର୍ଷ ଶୁଭେଚ୍ଛା କାର୍ଡରେ ମନ୍ଦିରକୁ ସ୍ଥାନ ଦେଉଥିବା ମୁଖ୍ଯମନ୍ତ୍ରୀ ଏହାର ଉନ୍ନତି ପାଇଁ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ମନ୍ଦିରର ଉନ୍ନତି କାମ ଚାଲିଛି । ଆବଶ୍ଯକ ପଡିଲେ ଆହୁରି ଦେବେ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ । ପାଟପୁରରେ ମା ରତନେଇ ମନ୍ଦିର ଲାଗି କୋଟିଏ ୩୦ ଲକ୍ଷ ମଂଜୁର କରିଛନ୍ତି ମୁଖ୍ଯମନ୍ତ୍ରୀ । ଖୁବଶୀଘ୍ର ନୂଆ ରୂପରେ ମନ୍ଦିରକୁ ଦେଖିବାକୁ ପାଇବେ । ସେହିପରି କଙ୍କଡାହାଡ ସାଇନ୍ସ କଲେଜର ରୂପାନ୍ତରୀକରଣ ଲାଗି କୋଟିଏ ୫୦ ଲକ୍ଷ, ପାଟପୁର ବିଶ୍ବାସରାୟ ସାଇନସ କଲେଜ ଲାଗି କୋଟିଏ ୫୦ ଲକ୍ଷ ଅନୁମୋଦନ କରିଛନ୍ତି ମୁଖ୍ଯମନ୍ତ୍ରୀ । ଅଭିଭାଷଣବେଳେ ସ୍ପଟରେ ମନ୍ଦିର, ଚର୍ଚ୍ଚ, ମସଜିଦ, କମ୍ଯୁନିଟି ସେଣ୍ଟର ଲାଗି ନୂଆ ଆବେଦନ ଗ୍ରହଣ କରି ୨୯ ତାରିଖ ସୁଦ୍ଧା ଖୁସି ଖବର ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ଅଧ୍ଯକ୍ଷ । ଲୋକଙ୍କ ସହ ଆଲୋଚନ କରି ସରକାରଙ୍କ ଯୋଜନା ସଂପର୍କରେ ସେ ଅପଡେଟ ନେଇଥିଲେ । ବିଭିନ୍ନ ଭତ୍ତା ବୃଦ୍ଧି ନେଇ ଲୋକଙ୍କୁ ପ୍ରଶ୍ନ ପଚାରଥିଲେ । ନିକଟରେ ଭିନ୍ନକ୍ଷମ, ବାର୍ଦ୍ଧକ୍ଯ ଓ ବିଧବା ଭତ୍ତା ୫ଶହରୁ ହଜାରେ ଟଙ୍କାକୁ ବୃଦ୍ଧି ହୋଇଛି . କଳାକାରଙ୍କ ଭତ୍ତା ୧୨ଶହ ଟଙ୍କା ଥିବାବେଳେ ଏହାକୁ ଦୁଇ ହଜାର କରିଛନ୍ତି ମୁଖ୍ଯମନ୍ତ୍ରୀ । ଗର୍ଭବତୀ ମାଆମାନଙ୍କ ଲାଗି ମମତା ଯୋଜନାରେ ମିଳୁଥିବା ସହାୟତା ରାଶିକୁ ଦୁଇ ଗୁଣା କରିଛନ୍ତି ।

ଗତକାଲିଠାରୁ ଲକ୍ଷ୍ମୀ ବସ ଆରମ୍ଭ କରାଯାଇଛି । ମାଆ ମାନଙ୍କ ଲାଗି ଟିକେଟର ଦାମ ମାତ୍ର ୫ଟଙ୍କା ରଖାଯାଇଛି । ପଞ୍ଚାୟତରୁ ବ୍ଲକ ଯାଇପାରିବା ନେଇ ମୁଖ୍ଯମନ୍ତ୍ରୀ ଏହି ସେବା ଆରମ୍ଭ କରିଛନ୍ତି । ଏଥିରେ ସ୍କୁଲ କଲେଜ ପିଲାମାନେ ଶିକ୍ଷାନୁଷ୍ଠାନ ମଧ୍ଯ  ଯାଇପାରୁଛନ୍ତି । ପ୍ଲସ ଥ୍ରୀ ଓ ପିଜିରେ ନୂଆ-ଓ ଛାତ୍ରବୃତ୍ତି ନୂଆ ଯୋଜନାରେ ଆଉ ୫ ଦିନ ପରେ ଛାତ୍ରଛାତ୍ରୀ ଅର୍ଥରାଶି ନିଜ ବ୍ଯାଙ୍କ ଖାତାରେ ପାଇବେ । ପୁଅମାନେ ୯ହଜାର, ଝିଅମାନେ ୧୦ ହଜାର ଟଙ୍କା ପାଇବେ । ଅଭିଭାବକଙ୍କ ବୋଝ ହାଲୁକା କରିବାକୁ ମୁଖ୍ଯମନ୍ତ୍ରୀ ଚିନ୍ତା କରି ଏହି ଯୋଜନା ଆଣିଛନ୍ତି । ଛାତ୍ରଛାତ୍ରୀ  ପ୍ରତିବର୍ଷ ଏହି ବୃତ୍ତି ପାଇବେ । ଏହା ଆଉ କେଉଁ ରାଜ୍ଯରେ ହୋଇନି ବୋଲି ଏହି ଅବସରରେ ସୂଚାଇ ଦେଇଥିଲେ 5T ଅଧ୍ଯକ୍ଷ । ମିଶନ ଶକ୍ତି ମାଆମାନଙ୍କୁ ଭଲ କାମ କରିବା ଲାଗି ଆହ୍ବାନ ଦେଇଥିଲେ । ସମସ୍ତେ ମିଶି ଭଲକାମ କରିବା ମୁଖ୍ଯମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ବାନ ଦେଇଥିଲେ ପାଣ୍ଡିଆନ । ମାଆମାନଙ୍କ ଲୋନ ସୀମାରେ ଆହୁରି ବୃଦ୍ଧି କରାଯିବ । ସିଆରପି, ଏମବିକେ, କୃଷକସାଥୀଙ୍କ ଦରମା ଆଉ ଗୋଟିଏ ସପ୍ତାହ ମଧ୍ଯରେ ବଢିବ ବୋଲି କହିଥିଲେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ।

ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ  ୫୭୬ ଜଣ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ  ୫୭୬ ଜଣ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି । ୩୬୮ ଜଣ ହିନ୍ଦୀ ଓ ୨୦୮ ଜଣ ସଂସ୍କୃତ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନସ୍ଥିତ  କନ୍ଭେନସନ ସେଣ୍ଟରରେ ନିଯୁକ୍ତି ପର୍ବରେ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷା ଗୋଟିଏ ଜାତିର ଚିନ୍ତା, ଚେତନାରେ ପରିବର୍ତ୍ତନ ଆଣିଥାଏ । ଛାତ୍ରଛାତ୍ରୀଙ୍କୁ ବଡ ସ୍ବପ୍ନ ଦେଖିବା ପାଇଁ ପ୍ରେରଣା ଦେଇଥାଏ । ନିଜର ଜ୍ଞାନ ଓ ମୂଲ୍ୟବୋଧ ଦ୍ବାରା ଛାତ୍ରଛାତ୍ରୀଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବା ପାଇଁ ନବନିଯୁକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ଯମନ୍ତ୍ରୀ । ହାଇସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଜରିଆରେ ୪ ହଜାର ୬୦୫ଟି ନୂଆ କ୍ଲାସରୁମ୍, ୧୬ ହଜାର ୯୨୦ଟି ସ୍ମାର୍ଟ କ୍ଲାସରୁମ, ୭ ହଜାର ୮୬୩ଟି ଆଧୁନିକ ଲାବୋରେଟୋରୀ, ୭ ହଜାର ୯୨୦ଟି ଇ-ଲାଇବ୍ରେରୀ ସୃଷ୍ଟି କରାଯାଇଛି । ରାଜ୍ୟରେ ଶିକ୍ଷକ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଉଛି । ମାଧ୍ୟମିକ ସ୍ତରରେ ଚଳିତ ଶିକ୍ଷାବର୍ଷରେ ରାଜ୍ୟ ସରକାର ୪ ହଜାର ୭୪୨ ଜଣ ଶିକ୍ଷକ ନିଯୁକ୍ତ କରିଛନ୍ତି । 5T ମନ୍ତ୍ର ଆଧାରରେ ଶିକ୍ଷା ବିଭାଗ ଏବେ ଶୀର୍ଷରେ ପହଞ୍ଚି ପାରିଛି । କାର୍ଯ୍ଯକ୍ରମରେ ଗଣଶିକ୍ଷା ମନ୍ତ୍ରୀ ଓ ବିଭାଗୀୟ ସଚିବ ଉପସ୍ଥିତ ଥିଲେ ।

ଏହି ୪ ରାଜ୍ୟରେ ଆପ୍-କଂଗ୍ରେସ ମେଣ୍ଟରେ ଲଢ଼ିବେ ନିର୍ବାଚନ

ନନ୍ଦିଘୋଷ ବ୍ୟୁରୋ: ଦୃଢ଼ ହେବାକୁ ଯାଉଛି ଇଣ୍ଡିଆ ମେଣ୍ଟ । ସମାଜବାଦୀ ପାର୍ଟି ପରେ କଂଗ୍ରେସର ସାଥ୍ ଦେବ ଆପ୍ । ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ସହ ମେଣ୍ଟରେ ନିର୍ବାଚନା ଲଢ଼ୁଥିବା କଂଗ୍ରେସ ଏବେ ଆଉ ୪ ରାଜ୍ୟରେ ଆପ୍ ସହ ମିଶି ନିର୍ବାଚନ ଲଢ଼ିବାକୁ ଯାଉଛି । ଗୁଜୁରାଟ, ଗୋଆ, ହରିୟାଣା ଏବଂ ଚଣ୍ଡିଗଡ଼ରେ ମେଣ୍ଟରେ ଲଢ଼ିବା ନେଇ ସୂଚନା ମିଳିଛି । ଏହାସହ ପଞ୍ଜାବରେ ଉଭୟ ଦଳ ନିଜର ସହମତି ଅନ୍ୟ ନିର୍ବାଚନ ମଧ୍ୟ ଲଢ଼ିପାରିବେ । ନିକଟରେ ଚଣ୍ଡିଗଡ଼ ମେୟର ନିର୍ବାଚନରେ ଆପ ଏବଂ କଂଗ୍ରେସ ମିଳିତଭାବେ ନିର୍ବାଚନ ଲଢ଼ିଥିଲେ । ଯଦିଓ ଗଡ଼ବଡ଼ କାରଣରୁ ବିଜେପି କର୍ମୀ ବିଜୟୀ ହୋଇଥିଲେ ମାତ୍ର ପରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଆପର କଂଗ୍ରେସ ସମର୍ଥିତ ପ୍ରାଥୀ କୁଲଦୀପ କୁମାରଙ୍କୁ ବିଜୟୀ ଘୋଷଣା କରାଯାଇଛି । ତେବେ ଏହା ଇଣ୍ଡିଆ ମେଣ୍ଟର ପ୍ରଥମ ବିଜୟ ବୋଲି କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ।

ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ୪/୩ ଫର୍ମୁଲାରେ ନିର୍ବାଚନ ଲଢ଼ିବେ । ଦିଲ୍ଲୀରେ ଆପ ନୂଆଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, ପଶ୍ଚିମ ଦିଲ୍ଲୀ ଏବଂ ଉତ୍ତର-ପଶ୍ଚିମ ଦିଲ୍ଲୀରେ ନିର୍ବାଚନ ଲଢ଼ିବ । ସେପଟେ ପୂର୍ବ ଦିଲ୍ଲୀ, ଉତ୍ତର-ପୂର୍ବ ଏବଂ ଚାନ୍ଦିନୀ ଚୌକ ଆସନରେ ନିର୍ବାଚନ ଲଢ଼ିବାକୁ ସୁଯୋଗ ପାଇବ । ତେବେ ପୂର୍ବରୁ ଆପ ପକ୍ଷରୁ କୁହାଯାଇଥିଲା କି, ଦିଲ୍ଲୀରେ ଆପ ଏକାକି ନିର୍ବାଚନ ଲଢ଼ିବ । କିନ୍ତୁ ଅନ୍ୟ ରାଜ୍ୟରେ ଗଠବନ୍ଧନରେ ସାମିଲ ହେବ ।

ଦଶପଲ୍ଲାରେ ବିଜେଡିର ବିକାଶ କର୍ମୀ ସମ୍ମିଳନୀ , ସାମିଲ ହେଲେ ହଜାର ହଜାର କର୍ମୀ

ନନ୍ଦିଘୋଷ ବ୍ୟୁରୋ: ଦଶପଲ୍ଲାରେ ବିଜେଡିର ବିକାଶ କର୍ମୀ ସମ୍ମିଳନୀ  ଅନୁଷ୍ଠିତ ହୋଇଛି । ହଜାର ହଜାର କର୍ମୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଅଚ୍ଯୁତ ସାମନ୍ତ, ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଉପାଧକ୍ଷ ଅନୁପମା ବେହେରା ଯୋଗଦେଇଥିଲେ। ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ୩ ଟି ବ୍ଲକର ଅଧ୍ୟକ୍ଷା, ସମସ୍ତ ଜୋନର ଜିଲ୍ଲା ପରିଷଦ ସଦସ୍ୟ ,ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କାଉନସିଲର ଏଥିରେ ସାମିଲ୍ ହୋଇଥିଲେ। ପ୍ରାୟ ୧୫ ହଜାରରୁ ଅଧିକ ବିଜେଡ଼ି କର୍ମୀ  ସାମିଲ ଆଗାମୀ ଦିନରେ ବିଜେଡିକୁ ଆହୁରି ସଶକ୍ତ କରିବାକୁ ସଂକଳ୍ପ ନେଇଥିଲେ । ପ୍ରତି ଗ୍ରାମାଞ୍ଚଳରେ, ବ୍ୟାଙ୍କ, ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନ, ପାନୀୟ ଜଳ ଭଳି ବହୁ ବିକାଶମୂଳକ ପ୍ରକଳ୍ପ ରାଜ୍ଯ ସରକାର ହାତକୁ ନେଇଛନ୍ତି । ଏଥିପାଇଁ ଦଶପଲ୍ଲା ବିଧାୟକ, କନ୍ଧମାଳ ସାଂସଦ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ ଜନସାଧାରଣ।

ଦେଶର ୩୦ଟି ସ୍ଥାନରେ ସିବିଆଇର ରେଡ୍

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ ଓ କାଶ୍ମୀରରେ ଜଳବିଦ୍ଯୁତ ପ୍ରକଳ୍ପରେ ଦୁର୍ନୀତି ମାମଲା। ଦେଶର ୩୦ଟି ସ୍ଥାନରେ ସିବିଆଇର ରେଡ। ଜାମ୍ମୁ ଓ କାଶ୍ମୀରର ପୂର୍ବତନ ଗଭର୍ଣ୍ଣର ସତ୍ଯପାଲ ମଲିକଙ୍କ ଘର ସମେତ ଅନ୍ଯାନ୍ଯ ସ୍ଥାନରେ ଏହି ଚଢାଉ ହୋଇଛି। ଗତବର୍ଷ କେନ୍ଦ୍ର ସରକାରଙ୍କ ସମ୍ପର୍କରେ ଏକ ଟିପପଣୀ ଦେଇ ବିବାଦକୁ ଆସିଥିଲେ ସତ୍ଯପାଲ। ସେ କହିଥିଲେ- ୨୦୧୯ ଫେବ୍ରୁଆରୀରେ ଜାମ୍ମୁ ଓ କାଶ୍ମୀରରେ ମୁତୟନ ସିଆରପିଏଫ ଯବାନମାନଙ୍କୁ ସ୍ଥାନାନ୍ତର ସକାଶେ ବିମାନ ବ୍ଯବସ୍ଥା କରିବା ଲାଗି ଅନୁରୋଧ କରାଯାଇଥିଲା। ମାତ୍ର କେନ୍ଦ୍ର ସରକାର ଏହି ଅନୁରୋଧ ରକ୍ଷା କରି ନଥିଲେ। ଫଳରେ ପୁଲୱାମ ଆତଙ୍କୀ ହମଲା ଘଟିଥିଲା। ଜାମ୍ମୁ ଓ କାଶ୍ମୀରରେ ଦୁଇଟି ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣରେ ଦୁର୍ନୀତି ଅଭିଯୋଗ କ୍ରମେ ଗତ ଏପ୍ରିଲ ୨୦୨୨ରେ ସିବିଆଇ ସତ୍ଯପାଲଙ୍କୁ ସିବିଆଇ ଜେରା କରିଥିଲା।

ବେଲଗୁଣ୍ଠାରେ 5T ଅଧ୍ୟକ୍ଷଙ୍କ ଉଦବୋଧନ, କହିଲେ ମୋତେ କେହି ବି ଅଟକାଇ ପାରିବେନି, ଗୁଳି ମାରିଲେ ବି ଲୋକଙ୍କ ପାଖକୁ ଯିବି

ନନ୍ଦିଘୋଷ ବ୍ୟୁରୋ: ମୋ ଉପରେ ଟମାଟୋ, ଅଣ୍ଡା, ଚପଲ, କାଳିମାଡ, ଗୁଳିମାଡ କରନ୍ତୁ। କିଛି ପରବାୟ ନାହିଁ। ମୁଁ ଲୋକଙ୍କ ପାଖକୁ ଆସିବି ଓ ଲୋକଙ୍କ ସେବା କରିଚାଲିବି ବୋଲି କହିଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ। ଗଞ୍ଜାମ ବେଲଗୁଣ୍ଠା ଗସ୍ତରେ ଯାଇ ଭରପୂର ଜନସଭାରେ ଉଦବୋଧନ ଦେଇ କାର୍ତ୍ତିକ ପାଣ୍ଡିଆନ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଅନେକ ଲୋକ ଆସିବେ, ମଞ୍ଚଉପରେ ଭାଷଣ ଦେଇ ଚାଲିଯିବେ। ମାତ୍ର ମୁଁ ସେପରି ଲୋକ ନୁହେଁ। ଲୋକଙ୍କ ସେବା କରିଚାଲିବି। ଫାଇଭ-ଟି ଅଧ୍ୟକ୍ଷ କହିଛନ୍ତି ସେ ଗତଥର ସୋରଡା ଆସିବାବେଳେ ୪୪୦ଟି ଦରଖାସ୍ତ ପାଇଥିଲେ। ସେଥିରୁ ୪୦୦ଟି ସମସ୍ୟାର ସମାଧାନ ହୋଇଛି। ଅବଶିଷ୍ଟ ଦରଖାସ୍ତ ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ। ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ଅଞ୍ଚଳର ବିକାଶ ଲାଗି ୬୦ କୋଟି ଟଙ୍କା ମଞ୍ଜୁର ହୋଇଛି। ପିପଳପଙ୍କା ଜଳପ୍ରକଳ୍ପ ଲାଗି ୧ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି।  ବେଲଗୁଣ୍ଠା ସାଇନସ କଲେଜର ଉନ୍ନତି ଲାଗି ୨କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସୋରଡା ଋଷିକୁଲ୍ଯା କଲେଜ ଲାଗି ୨ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସୋରଡା ଡିଗ୍ରୀ ଓ ଜୁନିଅର କଲେଜ ଲାଗି ୧ କୋଟି ୯ ୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ବେଲଗୁଣ୍ଠା ଓ ସୋରଡାର ସବୁ କଲେଜର ରୂପାନ୍ତରଣ ଲାଗି ଟଙ୍କା ମଞ୍ଜୁର ହୋଇସାରିଛି।

ବ୍ରାହ୍ମଣ ଦେବୀ ମନ୍ଦିରର ଉନ୍ନତି ଲାଗି ୧ କୋଟି ୧୦ ଲକ୍ଷ ଟଙ୍କା ଏବଂ ମା ଖୁଣ୍ଟେଶ୍ବରୀ ମନ୍ଦିର ଲାଗି ୧ କୋଟି ୯୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ବୋଲି ସେ କହିଛନ୍ତି। ତ୍ରିପଳପଙ୍କା ଡ୍ଯାମ ଓ ସୋରଡା ଜଳଭଣ୍ଡାର ବିସ୍ଥାପିତଙ୍କ ପଟ୍ଟା ସମସ୍ଯାର ସମାଧାନ ହୋଇଛି। ୬୦-୭୦ ବର୍ଷ ଧରି ଲାଗି ରହିଥିବା ସମସ୍ଯାର ଅନ୍ତଘଟିବା ସହ ସମସ୍ତ ବିସ୍ଥାପିତ ପଟ୍ଟା ପାଇଛନ୍ତି। ବେଲଗୁଣ୍ଠାର ପିତଳ ମାଛ କାରିଗରୀକୁ ବିଶ୍ବସ୍ତରରେ ପରିଚିତ କରାଯିବ। ଏ ଦିଗରେ ସହଯୋଗ କରିବା ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ଫାଇଭ-ଟି ଅଧ୍ୟକ୍ଷ। ସେ କହିଛନ୍ତି- ମନ୍ଦିର, ମସଜିଦ, ଚର୍ଚ୍ଚ ସମ୍ପର୍କରେ ୨୭ ତାରିଖ ସୁଦ୍ଧା ଖୁସି ଖବର ମିଳିବ। ଯେଉଁମାନେ ଭତ୍ତା ପାଇନାହାନ୍ତି ସେମାନଙ୍କୁ ବି ଖୁବ ଶୀଘ୍ର ଭତ୍ତା ମିଳିବ। ରାଜ୍ଯ ସରକାର ଗର୍ଭବତୀଙ୍କ ଉନ୍ନତି ଲାଗି ମମତା ଯୋଜନା କରିଛନ୍ତି। ଆଗରୁ ଗର୍ଭବତୀଙ୍କୁ ୫ ହଜାର ଟଙ୍କା ମିଳୁଥିବାବେଳେ ବର୍ତ୍ତମାନ ୧୦ ହଜାର ଟଙ୍କା ସେମାନେ ପାଉଛନ୍ତି। ଆଗରୁ କଳାକାର ଓ ବୁଣାକାର ଭତ୍ତା ଥିଲା ୧୨ ଶହ ଟଙ୍କା। ବର୍ତ୍ତମାନ ତାହା ୨ ହଜାର ଟଙ୍କା ହୋଇଛି। ଯୁକ୍ତ ୩ ଛାତ୍ର ଲାଗି ନୂଆ-ଓରେ ୯ ହଜାର ଟଙ୍କା ବୃତ୍ତି ମିଳିବ। ସେହିପରି ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ବୃତ୍ତି ମିଳିବ। ୭ ଦିନ ମଧ୍ୟରେ ପିଲାଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ବାପାମାଙ୍କ ଉପରେ ବୋଝ ହ୍ରାସ ଲାଗି ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା ହାତକୁ ନେଇଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ଯାଣ ଯୋଜନାରେ ମାମାନଙ୍କୁ ୧୦ ଲକ୍ଷ, ପୁରୁଷଙ୍କୁ ୫ ଲକ୍ଷ ଟଙ୍କାର ସହାୟତା କରାଯାଉଛି। ଯୁବପିଢିଙ୍କୁ ବ୍ଯବସାୟ ଲାଗି ଲକ୍ଷେ ଟଙ୍କାଯାଏ ବିନା ସୁଧରେ ଋଣ ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବେଲଗୁଣ୍ଠା ପ୍ରବାଦପୁରୁଷ ବିଜୁବାବୁ ଓ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମମାଟି ବୋଲି କହିଥିଲେ କାର୍ତ୍ତିକ ପାଣ୍ଡିଆନ।