ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଇଡି ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଏହା ସପ୍ତମଥର ପାଇଁ ନୋଟିସ ଜାରି କରାଯାଇଛି । ପୂର୍ବରୁ ୬ଥର ନୋଟିସ ଜାରି କରାଯାଇଥିଲେ ସୁଦ୍ଧା ଇଡି କାର୍ଯ୍ୟାଳୟରେ ହାଜର ହୋଇନାହାନ୍ତି । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସଂସଦ ସଞ୍ଜୟ ସିଂ ଏବେ ଏହି ମାମଲାରେ ଫସିଥିବାବେଳେ ଇଡି ହେପାଜତରେ ରହିଛନ୍ତି । ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆ ଜେଲରେ ରହିଥିବାବେଳେ ଇଡି ଅଧିକ ପଚରାଉଚରା କରିବାକୁ ନୋଟିସ ଜାରି କରୁଛି । ସେପଟେ କେଜ୍ରିଓ୍ବାଲ ବାରମ୍ବାର ଅଭିଯୋଗ ଆଣୁଛନ୍ତି କି, କେନ୍ଦ୍ର ସରକାର ଜାଣିଶୁଣି ଏଭଳି ନୋଟିସ୍ ପଠାଉଛନ୍ତି । ବାରମ୍ବାର ଇଡିର ନୋଟିସ ପରେ ମଧ୍ୟ କେଜ୍ରିଓ୍ବାଲ ହାଜର ହୋଇନଥିବାବେଳେ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି ।
ଆଜି ବିଭିନ୍ନ ଉଚ୍ଚ ବିଦ୍ଯାଳୟରେ ନିଯୁକ୍ତ ହେବେ ୫୭୬ ନୂତନ ଶିକ୍ଷକ
ଭୁବନେଶ୍ବର: ରାଜ୍ଯରେ ସମୃଦ୍ଧ ହେଉଛି ଶୈକ୍ଷିକ ବାତାବରଣ। ବିଦ୍ଯାଳୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ଗୁରୁତ୍ବ ଦେଇଛନ୍ତି ରାଜ୍ଯ ସରକାର। ଏହି କ୍ରମରେ ଆଜି ରାଜ୍ଯର ବିଭିନ୍ନ ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚବିଦ୍ଯାଳୟରେ ୫୭୬ ଜଣ ନୂତନ ଶିକ୍ଷକ ନିଯୁକ୍ତ ହେବେ। ନିଯୁକ୍ତି ପାଇବାକୁ ଥିବା ନୂଆ ଶିକ୍ଷକଙ୍କ ମଧ୍ଯରେ ୩୬୮ ଜଣ ହିନ୍ଦୀ ଓ ୨୦୮ ଜଣ ସଂସ୍କୃତ ଶିକ୍ଷକ ରହିଛନ୍ତି। ଦିନ ସାଢେ ୧୧ଟାରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନର କନଭେନସନ ସେଣ୍ଟରରେ ନିଯୁକ୍ତିପତ୍ର ପ୍ରଦାନ କରିବେ। ଖୋର୍ଦ୍ଧା ଜିଲ୍ଲାରେ ୪୦, କଟକ ଜିଲ୍ଲାରେ ୩୫, ଗଞ୍ଜାମରେ ୩୭, କୋରାପୁଟରେ ୩୪, ବାଲେଶ୍ବର ଓ ଯାଜପୁରରେ ୩୩ ଜଣ ଲେଖାଏଁ ଶିକ୍ଷକ ନିଯୁକ୍ତି ପାଇବେ। ସେହିପରି ପୁରୀରେ ୨୭, ମୟୂରଭଞ୍ଜରେ ୨୬, ଜଗତସିଂହପୁରରେ ୨୫ ଓ ଅନୁଗୁଳରେ ୧୭ ଜଣ ନୂତନ ଶିକ୍ଷକ ନିଯୁକ୍ତ ହେବେ। ରାଜ୍ଯରେ ୮ ହଜାରରୁ ଅଧିକ ସରକାରୀ ହାଇସ୍କୁଲ ରୂପାନ୍ତରିତ ହୋଇସାରିଥିବାବେଳେ ଶିକ୍ଷକ ନିଯୁକ୍ତ କରି ପିଲାଙ୍କ ଭବିଷ୍ଯତକୁ ସୁରକ୍ଷିତ କରୁଛନ୍ତି ରାଜ୍ଯ ସରକାର।
ଆଜି ବସିବ ରାଜ୍ଯ କ୍ଯାବିନେଟ ବୈଠକ
ଭୁବନେଶ୍ବର: ଗୁରୁବାର ବସିବ ରାଜ୍ଯ କ୍ଯାବିନେଟ ବୈଠକ। ଲୋକସେବା ଭବନରେ ସନ୍ଧ୍ଯା ୬ରେ ମୁଖ୍ଯମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ କ୍ଯାବିନେଟ ବୈଠକ ବସିବ। ଏଥିରେ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିବ। ଖାଦ୍ଯ ଯୋଗାଣ, ଉଚ୍ଚଶିକ୍ଷା ଆଦି ବିଭାଗ ପ୍ରସ୍ତାବ ଉପରେ ମୋହର ଲାଗିବାର ସମ୍ଭାବନା ରହିଛି । ସେହିପରି ଶିଳ୍ପ, ମିଶନ ଶକ୍ତି ବିଭାଗର ପ୍ରସ୍ତାବ ଉପରେ ବି ଲାଗିପାରେ ମୋହର।
ବଦଳିବ ପାଗ, ପଶ୍ଚିମା ଝଡ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା
ଭୁବନେଶ୍ବର: ରାଜ୍ୟରେ ଉପରମୁହାଁ ପାରଦ । ମେଘମୁକ୍ତ ଆକାଶ ସହ ଶୁଖିଲା ପାଗ ପ୍ରଭାବରେ ରାଜ୍ୟରେ ତାତି ବଢିଛି । ରାଜ୍ଯରେ ଅଧାରୁ ଅଧିକ ସହର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି। ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଉପକୂଳ ଓଡିଶାରେ ସ୍ବାଭାବିକ ଠାରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାତି ବୃଦ୍ଧି ପାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଫେବୃୟାରୀରେ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଏବଂ ବାୟୁ ଚଳାଚଳରେ ପରିବର୍ତ୍ତନ ପାଇଁ ଏଭଳି ଖରା ବୃଦ୍ଧି ପାଇଛି । କ୍ରମାଗତ ଭାବେ ବଢୁଥିବା ତାତିକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି ଏସଆରସି । ଗ୍ରୀଷ୍ମ ପ୍ରବାହଜନିତ ରୋଗ ଓ କ୍ଷୟକ୍ଷତି ରୋକିବାକୁ ଜନ ସଚେତନତା ଅଭିଯାନ ସହ ଅଂଶୁଘାତରେ ଯେପରି କାହାର ମୃତ୍ୟୁ ନ ହୁଏ ସେଥିପ୍ରତି ଆଗୁଆ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବେ। ବିଶୁଦ୍ଧ ପାନୀୟ ଜଳ ଓ ଓଆର୍ଏସ୍ ବ୍ୟବସ୍ଥା ହେବ। ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରାଯିବ।
ବିଦ୍ୟାଳୟ ପରିସରରେ ଥିବା ନଳକୂପ ମରାମତି, ସ୍କୁଲ ଓ କଲେଜରେ ପର୍ଯ୍ୟାପ୍ତ ଓଆରଏସ୍ ମହଜୁଦ, ଆଉଟଡୋର୍ କାର୍ଯ୍ୟକଳାପ ଉପରେ କଟକଣା ଲାଗୁ କରାଯିବ। ପିଲାମାନେ ସ୍କୁଲ, କଲେଜ ଯିବା ସମୟରେ ସାଙ୍ଗରେ ପାଣି ବୋତଲ ନେଇ ଯିବାକୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ସଚେତନ କରାଇବେ। ଅଙ୍ଗନବାଡ଼ି କେନ୍ଦ୍ର କେବଳ ସକାଳ ସମୟରେ ଖୋଲା ରହିବ ଓ ପାଣିର ଉପଲବ୍ଧତା ଯାଞ୍ଚ ଓ ସୁନିଶ୍ଚିତ କରାଯିବ ଏବଂ ପର୍ଯ୍ୟାପ୍ତ ଓଆରଏସ୍ ପ୍ୟାକେଟ୍ ମଧ୍ୟ ଉପଲବ୍ଧ ହେବ। ନିରବଚ୍ଛିନ୍ନ ବିଜୁଳି ଯୋଗାଣ ବଜାୟ ରଖିବାକୁ ଶକ୍ତି ବିଭାଗ ପକ୍ଷରୁ ବିତରଣ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଜାରି କରିବ ବୋଲି ଏସଆରସି ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ ଶୁକ୍ରବାରଠାରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବ । ପଶ୍ଚିମା ଝଡ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ୨୬ ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ମଧ୍ୟ ବର୍ଷା ହୋଇପାରେ । ୨୪ ତାରିଖରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
IPL ୨୦୨୪: ଉଦଘାଟନୀ ମ୍ୟାଚରେ ଧୋନୀ-କୋହଲି ଟକ୍କର!
ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୪କୁ କ୍ରିଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଆରମ୍ଭ ହେଲାଣି । ତେବେ ଚଳିତ ସିଜିନର ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଇପାରେ । ମିଳିଥିବା ସୂଚନା ଅନୁସାରେ ଉଦଘାଟନୀ ମ୍ୟାଚରେ ଧୋନୀ ଏବଂ କୋହଲିଙ୍କ ମଧ୍ୟରେ ଟକ୍କର ହୋଇପାରେ । ଗୁରୁବାର ସଂନ୍ଧ୍ୟାରେ ଆଇପିଏଲ ମ୍ୟାଚ ସୂଚୀ ଆସିପାରେ ବୋଲି ଖବର ମିଳିଛି । ତେବେ ନିର୍ବାଚନ ରହିଥିବାବେଳେ ପ୍ରଥମ ୧୫ ଦିନ ପାଇଁ ସୂଚୀ ଆସିପାରେ । ନିର୍ବାଚନକୁ ଦୃଷ୍ଟିରେ ରଖି ଆଇପିଏଲ ଖେଳାଯିବ ବୋଲି କୁହାଯାଉଛି । ସେପଟେ ଉଦଘାଟନୀ ମ୍ୟାଚ ଏମ.ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ମାର୍ଚ୍ଚ ୨୨ରୁ ଆଇପିଏଲ ସଂସ୍କରଣ ଆରମ୍ଭ ହେବାକୁ ଥିବାବେଳେ ମେ ୨୬ରେ ଫାଇନାଲ ତାରିଖ ଘୋଷଣା କରାଯାଇଛି । ଆଇପିଏଲ ଅଧ୍ୟକ୍ଷ ଅରୁଣ ଘୁମଲା କହିଛନ୍ତି କି, ଆମେ ସରକାରଙ୍କ ସହ ଆଲୋଚନା କରୁଛୁ ନିର୍ବାଚନ ତାରିଖକୁ ଦୃଷ୍ଟିରେ ରଖି ସୂଚୀ ଘୋଷଣା ହେବ । ଚଳିତ ସିଜିନରେ ୭୪ଟି ମ୍ୟାଚ ଖେଳାଯିବ । ଆଇପିଏଲ ପରେ ଟି-୨୦ ବିଶ୍ବକପ ଅନୁଷ୍ଠିତ ହେବାକୁଥିବାବେଳେ ଖେଳାଳିଙ୍କ ପ୍ରଦର୍ଶନ ବେଶ ଗୁରୁତ୍ବ ବହନ କରେ ।
ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିଦର୍ଶନ କରିଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ
ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିଦର୍ଶନ କରିଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ଖେଳାଳିମାନେ 5T ଅଧ୍ଯକ୍ଷଙ୍କୁ ସ୍ବାଗତ କରି ଛାତ୍ରାବାସ ପରିସରକୁ ପାଛୋଟି ନେଇଥିଲେ । ପରେ ଛାତ୍ରାବାସର ବିଭିନ୍ନ ସ୍ଥାନ ବୁଲି ଅନୁଧ୍ଯାନ କରିଥିଲେ 5T ଅଧ୍ଯକ୍ଷ । ଖେଳାଳି ରହୁଥିବା ରୁମ, ଟ୍ରେନିଂ ରୁମ୍, କ୍ଯାଣ୍ଟିନ ଆଦି ବୁଲି ଦେଖିବା ସହ ସମସ୍ତ ପ୍ରକାରର ଉନ୍ନତ ଭିତ୍ତିଭୂମି ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିଭାବାନ ହକି ଖେଳାଳିଙ୍କୁ ଭେଟି ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ 5T ଅଧ୍ଯକ୍ଷ । ଏହି ଅବସରରେ ସେ ଖେଳାଳିଙ୍କ ସହ ମିଶି ଜଳଖିଆ କରିଛନ୍ତି । ଛାତ୍ରାବାସରେ ଖେଳାଳିଙ୍କୁ ତାଲିମ ପ୍ରଦାନ କରାଯାଉଛି । ଏଠାରୁ ତାଲିମ ନେଇ ୬୦ରୁ ଅଧିକ ଖେଲାଳି ଅନ୍ତର୍ଜାତୀୟ ସ୍ତରରେ ହକି ଖେଳି ଦେଶ ଓ ରାଜ୍ଯ ପାଇଁ ଗୌରବ ଆଣିଛନ୍ତି । ରାଜ୍ୟ ସରକାର ଖେଳାଳିଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି । ସୁବିଧାରେ ତାଲିମ ନେବାକୁ ସ୍ବତନ୍ତ୍ର ଅନୁଦାନ ଯୋଗାଇ ଦିଆଯାଉଛି । କ୍ରୀଡ଼ାର ବିକାଶ ପାଇଁ ରାଜ୍ଯ ସରକାର ନେଇଥିବା ପଦକ୍ଷେପକୁ ପ୍ରଶଂସା କରିବା ସହ ଫାଇଭ-ଟି ଅଧ୍ଯକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି ଖେଳାଳି।
ଯୌତୁକରେ ସୁନା,ରୂପା, ଟଙ୍କା ,ଗାଡି କିମ୍ବା ଅନ୍ୟ କିଛି ଦାମୀ ଉପହାର ନୁହେଁ ଦିଆଯାଏ ସାପ
ନନ୍ଦିଘୋଷ ବ୍ୟୁରୋ: ଯୌତୁକରେ ସୁନା,ରୂପା, ଟଙ୍କା ,ଗାଡି କିମ୍ବା ଅନ୍ୟ କିଛି ଦାମୀ ଉପହାର ଦିଆଯାଏ । କିନ୍ତୁ ଏମିତି ଏକ ଗାଁ ଅଛି ଯେଉଁଠି ଯୌତୁକରେ ଦିଆଯାଏ ସାପ । ଏକଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଜିନିଷ ନୁହେଁ ଝିଅ ସାଙ୍ଗରେ ଶାଶୁ ଘରକୁ ନିଏ ସାପ । କନ୍ୟା ପିତା-ମାତା ଏକାଥରକେ ୨୧ଟି ସାପ ଉପହାର ସଦୃଶ ଦିଅନ୍ତି । ଏଭଳି ଅଜବ ଗଜବ ପରମ୍ପରା ଦେଖିବାକୁ ମିଳେ ଛତିଶଗଡ଼ରେ । ମହାସମୁନ୍ଦ ଜିଲ୍ଲା ଜାଗିନଗର ଗାଁର ଗୌରିଆ ସମାଜ ଏଭଳି ପ୍ରଥା ସହ ବନ୍ଧା ହୋଇଛି । କାହିଁ କେଉଁ କାଳରୁ ଏଭଳି ପରମ୍ପରା ଚାଲିଆସୁଛି ଗୌରିଆ ସମାଜରେ । ଯଦି ଝିଅର ବିବାହରେ ବିଷାକ୍ତ ସାପ ଦିଆନଯାଏ । ତେବେ ବିବାହ ଭାଂଗି ଯାଇଥାଏ ବୋଲି ଲୋକଙ୍କର ବିଶ୍ବାସ ରହିଛି । ଏହାକୁ ଅଶୁଭ ବୋଲି ମନେ କରାଯାଏ ।
ତେବେ ଗୌରିଆ ସମାଜ ପେଶାରେ କେଳା ଅଟନ୍ତି । ଏମାନେ ସାପ ଧରିବା ଏବଂ ଖେଳ ଦେଖାଇ ରୋଜଗାର କରନ୍ତି । କିନ୍ତୁ ଝିଅର ବିବାହ ସ୍ଥିର ହେଲା ମାତ୍ରେ ଉପହାରରେ ସାପ ଦେବା ପାଇଁ ଆରମ୍ଭ ହୋଇଯାଏ ପ୍ରସ୍ତୁତି । ଝିଅର ପିତା ସାପ ଧରିବାରେ ଲାଗିପଡ଼ନ୍ତି । ଯଦି ଝିଅର ବାପା ସାପ ଦେଇ ନପାରନ୍ତି ତେବେ ବସ୍ତିର ଅନ୍ୟ କେଳାଙ୍କ ଠାରୁ ସାପ ଅଣାଯାଏ ଏବଂ ଯୌତୁକରେ ଦିଆଯାଏ ।କନ୍ୟାର ଲାଳନ ପାଳନ ପରି ସାପର ମଧ୍ୟ ସେବା କରାଯାଏ । କୌଣସି କାରଣରୁ ସାପର ମୃତ୍ୟୁ ହେଲେ ପାଳକ ନିଶ, ଦାଢି କାଟନ୍ତି । ସମଗ୍ର ଗୌରିଆ ସମାଜ ବା ଜ୍ଞାତି କୁଟୁମ୍ବକୁ ମଧ୍ୟ ଖାଇବାକୁ ଦିଆଯାଏ । ଏଭଳି ପରମ୍ପରା ବିପଦ ଓ ଘାତକଯୁକ୍ତ ହୋଇଥାଏ । ତଥାପି ଛତିଶଗଡ଼ର ଗୌରିକ ସମାଜ ଏହି ପରମ୍ପରାକୁ ବଜାୟ ରଖିଛି ।
ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ
ସୁବର୍ଣ୍ଣପୁର: ଇଛାଶକ୍ତି ଥିଲେ ବୟସ ବାଧକ ସାଜେ ନାହିଁ, କିଛି ବି କରିବା ଅସମ୍ଭବ ନୁହେଁ । ପ୍ରତିକୁଳ ପରିସ୍ଥିତିରେ ବି ଏମିତି କିଛି କରି ଦେଖାଇଛନ୍ତି ଜଣେ ବୟସ୍କ ଚାଷି । ଜୈବିକ ପ୍ରଣାଳୀରେ ଚାଷ କରି ଲୋକଙ୍କୁ ଦେଉଛନ୍ତି ସଚେତନତା ବାର୍ତ୍ତା। ଚାଷ କରି ଚର୍ଚ୍ଚାରେ ସୁବର୍ଣ୍ଣପୁର ଜିଲ୍ଲା ରକ୍ସା ଗ୍ରାମର ଶରତ କୁମାର ପୁରୋହିତ।
ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । ପରିଶ୍ରମ ବଳରେ ଜମିରେ ଫଳିଛି ଲଙ୍କା ମରିଚ, ବାଇଗଣ, ପିଆଜ, କୋବି ଭଳି ଅନେକ ପନ ପରିବା । ଜମିରେ ନିଜ ଝାଳ ବୁହାଉଛନ୍ତି ଜଣେ ବୟସ୍କ । ଏକଡରୁ ସେକଡକୁ ଧାଇଁ ପଡୁଛନ୍ତି । ହାତରେ କୋଦାଳ ଧରି ମାଟି କୋଡି ଦେଉଛନ୍ତି ।କେତେବେଳେ ଜାର ଧରି ଗଛ ମୁଳରେ ପାଣି ଦେଉଛନ୍ତି । ପାଖରେ ଥିବା ଲୋକଙ୍କୁ ଜୈବିକ ପଦ୍ଧତିରେ ଚାଷ କରିବାକୁ ବି ପ୍ରବର୍ତାଉଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ରକ୍ସା ଗାଁର ଶରତ କୁମାର ପୁରୋହିତ ଏଭଳି ପରିଶ୍ରମ ଦେଖି ସମସ୍ତେ ତାଜୁବ ହେଉଛନ୍ତି । ବୟସ ୬୪ ହେଲେ ବି ସେ ଥକି ପଡୁ ନାହାଁନ୍ତି । ନିଆରା ଢଙ୍ଗରେ ବିଭିନ୍ନ ପ୍ରକାର ସମନ୍ୱିତ ଚାଷ କରି ଚର୍ଚ୍ଚାରେ ରହିଛନ୍ତି ଶରତ ମଉସା ।
ପ୍ରତିକୂଳ ପରିବେଶରେ କିଛି ଅପନ୍ତରା ଜମିରେ ଚାଷ କରି ରୋଜଗାରକ୍ଷମ ହୋଇପାରିଛନ୍ତି ଶରତ । ଜୈବିକ ପ୍ରଣାଳୀରେ ସବୁଜ ପନିପରିବା ଚାଷ କରି ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି । ନିଜେ ଶ୍ରମଦାନ କରିବା ସହିତ କିଛି ଶ୍ରମିକଙ୍କ ସାହାଯ୍ୟରେ ଗୋଟିଏ ଋତୁରେ ପ୍ରାୟ ଅଢେଇରୁ ତିନି ଲକ୍ଷ ଟଙ୍କାର ଲାଭ କରୁଛନ୍ତି ଶରତ ମଉସା ।
ଆଜିଠୁ ଆରମ୍ଭ ବିଶ୍ବପ୍ରସିଦ୍ଧ ଯୋରନ୍ଦା ମେଳା
ନନ୍ଦିଘୋଷ ବ୍ୟୁରୋ: ଗୁରୁବାରଠାରୁ ଆରମ୍ଭ ହୋଇଛି ବିଶ୍ବପ୍ରସିଦ୍ଧ ଯୋରନ୍ଦା ଯାତ୍ରା । ଯୋରନ୍ଦା ମେଳା ପାଇଁ ଚଳଚଞ୍ଚଳ ମହିମା ପୀଠ । ସାଧୁସନ୍ଥ ଓ ଭକ୍ତ ମାନଙ୍କ ମୁହଁରୁ ନିସୃତ ଶୂନ୍ୟ ବ୍ରହ୍ମ ମହିମା ଅଲେଖ ବାଣୀରେ ପ୍ରକମ୍ପିତ ହେଉଛି ସାରା ପରିବେଶ । ମାଘ ଚତୁର୍ଦଶୀ ଅଲେଖ ଗୋସେଇଁଙ୍କ ଇହଲୀଳା ସମ୍ବରଣ ଦିବସଟି ମହିମା ଧର୍ମଲମ୍ବୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ । ଯାହାକୁ ଦୀର୍ଘ୧୫୧ ବର୍ଷ ଧରି ନିରବିଚ୍ଛିନ୍ନ ଭାବେ ମହାସମାରୋହରେ ପାଳନ କରାଯାଉଛି । ମେଳା ପାଇଁ ମହିମା ପୀଠରେ ଜମିଛି ସାଧସନ୍ଥଙ୍କ ଭିଡ । ମହିମା ମେଳାର ମୁଖ୍ୟ ଆକର୍ଷଣ ହେଉଛି ଝାଡବତୀରେ ମହଣ ମହଣ ଦେଶୀ ଘିଅ ଆହୁତି । ଯାହାକୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗୁଛି । ମହିମାପୀଠର ଉନ୍ନତିକରଣ ପାଇଁ ରାଜ୍ଯ ସରକାର ୧୬୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଫଳରେ ମହିମା ସାଧୁଙ୍କ ମଧ୍ଯରେ ଖୁସିର ଲହରୀ ଖେଳିଯାଇଛି । ଲକ୍ଷାଧିକ ସଂଖ୍ଯାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଲକ୍ଷ୍ଯରେ ରଖି ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି ।
ଚାଷୀ ଆନ୍ଦୋଳନ ୨ ଦିନ ସ୍ଥଗିତ
ନନ୍ଦିଘୋଷ ବ୍ୟୁରୋ: ଚାଷୀ ଆନ୍ଦୋଳନ ୨ ଦିନ ସ୍ଥଗିତ। ହରିୟାଣା ଖନୌରୀ ବର୍ଡରରେ ଚାଷୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ଚାଷୀଙ୍କ ମୃତ୍ଯୁ ଘଟିଛି। ଗୁଳିରେ ଯାଇଛି ଚାଷୀଙ୍କ ଜୀବନ। ଗୁରୁତର ଅବସ୍ଥାରେ ପଟିଆଲା ହସ୍ପିଟାଲରେ ଚାଷୀଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଚାଷୀଙ୍କୁ ମଧ୍ଯ ଆହତ ଅବସ୍ଥାରେ ଅଣାଯାଇଥିଲା। ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଏମଏସପି ଗାରେଣ୍ଟି ନେଇ ଦିଲ୍ଲୀ ଚଲୋ ନାରା ଦେଇ ଆନ୍ଦୋଳନ କରୁଥିଲେ ଚାଷୀ। କୃଷକଙ୍କୁ ଅଟକାଇବାକୁ ପୋଲିସ ଲୁହବୁହା ଗ୍ଯାସର ପ୍ରୟୋଗ କରିଥିଲା। ପୋଲିସ ଓ ଚାଷୀଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ଚାଷୀଙ୍କ ମୃତ୍ଯୁ ହୋଇଛି। ତେବେ ପୋଲିସ ଗୁଳିରେ ମୃତ୍ଯୁ ହୋଇଥିବା ନେଇ ଘଟଣାକୁ ଅସ୍ଵୀକାର କରିଛି ହରିୟାଣା ପୋଲିସ। ଜଣେ ଚାଷୀଙ୍କ ମୃତ୍ଯୁ ପରେ ୨ ଦିନ ଦିଲ୍ଲୀ ଚଲୋ ନାରା ବନ୍ଦ ରହିଛି।
ତେବେ ଏହି ସମୟରେ ଆନ୍ଦୋଳନ ଜାରି ରହିବ ବୋଲି କହିଛି ଚାଷୀ ସଂଗଠନ। ଦିଲ୍ଲୀ ସିଂଘୁ ସୀମାରେ ପୋଲିସର କଡ଼ା ପହରା ଥିବାରୁ ଚାଷୀ ଖନୌରୀ ସୀମା ଦେଇ ଦିଲ୍ଲୀ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଏହାପରେ ସ୍ଥିତି ବିଗିଡି ଯାଇଥିଲା। ଚାଷୀଙ୍କୁ ଘଉଡ଼ାଇବାକୁ ପୋଲିସ ଏକାଧିକ ରାଉଣ୍ଡ ଟିୟର ଗ୍ଯାସ ସହ ରବର ଗୁଳି ମାଡ଼ କରିଥିଲା। ଏହି ସବୁ ମଧ୍ଯରେ ପୁଣିଥରେ ଚାଷୀଙ୍କ ସହ ଆଲୋଚନା ଲାଗି ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା।.. ଦିଲ୍ଲୀରେ ପ୍ରବେଶ ଲାଗି ୧୪ ହଜାରରୁ ଅଧିକ କୃଷକ ସିଂଘୁ ସୀମାରେ ଅଟକି ଅଛନ୍ତି। ରାଲିରେ ସାମିଲ ହୋଇଛନ୍ତି ୧୨ଶହରୁ ଅଧିକ ଟ୍ରାକ୍ଟର। ଚାଷୀଙ୍କ ବିଶାଳ ଆନ୍ଦୋଳନକୁ ନଜରରେ ରଖି ଦିଲ୍ଲୀ ରହିଛି ହାଇଆଲର୍ଟରେ। ସମସ୍ତ ପ୍ରବେଶ ପଥରେ ନାହିଁ ନଥିବା ସୁରକ୍ଷା ବ୍ୟବସ୍ଥା କରାଯାଇଛି। .. ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ଯ ଲାଗି ଆଇନଗତ ଗ୍ଯାରେଣ୍ଟି, ସ୍ବାମୀନାଥନ କମିଶନ ସୁପାରିସ କାର୍ଯ୍ୟକାରୀ, ଚାଷୀ ଓ କୃଷି ଶ୍ରମିକଙ୍କୁ ପେନସନ, ଚାଷୀଙ୍କ ଉପରୁ ଋଣ ଛାଡ଼, ଲଖିମପୁର ଖେରି ହିଂସା ଘଟଣାରେ ପୀଡିତଙ୍କୁ ନ୍ୟାୟ ଆଦି ଦାବି ନେଇ ଚାଲିଛି ଆନ୍ଦୋଳନ।

