spot_img
Home Blog Page 2075

ବୌଦ୍ଧ ସହରର ୨ ସ୍ଥାନରେ ଜିଏସଟି ରେଡ୍

ବୌଦ୍ଧ: ବୌଦ୍ଧ ସହରର ଦୁଇଟି ସ୍ଥାନରେ ପୁଣି ଜିଏସଟି ରେଡ୍ । GST ଠକେଇ ଅଭିଯୋଗରେ ଗୋପାଳ ଓ ବାଲାଜି ହାଡ଼ୱେର ଷ୍ଟୋରରେ ଚାଲିଛି ଚଢ଼ାଉ ।ସମ୍ବଲପୁର GST ବିଭାଗର ୧୦ ଜଣିଆ ଟିମ୍ ଚଢ଼ାଉ କରୁଛନ୍ତି। ବ୍ୟବସାୟୀ ଗଜାନନ ଅଗ୍ରୱାଲ ଦୀର୍ଘଦିନ ହେବ ଜିଏସଟି ଫାଙ୍କି ବ୍ୟବସାୟ କରିଆସୁଥିବା ଅଭିଯୋଗ ହୋଇଥିଲା । ଆଜି ସକାଳୁ ଗଜାନନଙ୍କ ୨ଟି ବ୍ୟବସାୟିକ ପ୍ରତିଷ୍ଠାନ ସହ ଆଉ ଦୁଇଟି ସ୍ଥାନରେ ପୋଲିସର କଡ଼ା ସୁରକ୍ଷା ବଳୟରେ ଚାଲିଛି ରେଡ଼।

କେଜ୍ରିୱାଲଙ୍କ ବଜାୟ ରହିବ ମୁଖ୍ଯମନ୍ତ୍ରୀ ପଦ; ହସ୍ତକ୍ଷେପ କରିବାକୁ ମନାକଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କେଜ୍ରିୱାଲଙ୍କୁ ହାଇକୋର୍ଟରୁ ଆଶ୍ଵସ୍ତି। ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ସମ୍ପର୍କିତ ଆବେଦନ ହାଇକୋର୍ଟରେ ଖାରଜ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ଵାରା ଗିରଫ ହେବା ପରେ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ହୋଇଥିଲା ଆବେଦନ। ଏହି ଆବେଦନ ଉପରେ ଶୁଣାଣି କରି ମାମଲାକୁ ଖାରଜ କରି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ମାମଲାରେ ନ୍ୟାୟିକ ହସ୍ତକ୍ଷେପ ଆବଶ୍ୟକ ନାହିଁ ବୋଲି କହିଛନ୍ତି ହାଇକୋର୍ଟ। ରାଜନୈତିକ ମାମଲାରେ ନ୍ଯାୟିକ ସମୀକ୍ଷା କରାଯାଇପାରିବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ। ଏହି ମାମଲାରେ ହସ୍ତକ୍ଷେପ କରି ନିଷ୍ପତ୍ତି ନେଇପାରିବେ ଦିଲ୍ଲୀ ଉପରାଜ୍ୟପାଳ।

ବହୁଚର୍ଚ୍ଚିତ ଡାକ୍ତର ଦମ୍ପତି ହତ୍ୟାକାଣ୍ଡ ଘଟଣା; ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଡାକ୍ତର ଦମ୍ପତି ହତ୍ୟାକାଣ୍ଡ ଘଟଣାରେ ଆସିଲା ରାୟ। ୫ ଦୋଷୀ ସାବ୍ଯସ୍ତ ହୋଇଥିବା ଆସାମୀ ଟିମ୍ପା ଓରଫ କିଶୋର ଚନ୍ଦ୍ର ବେହେରା, ଏମଡି କାମାଲ ଖାନ, ନିନି ଓରଫ ଫୁଲସାରୀ ବେହେରା, ଯବନ ନାଏକ ଓ ସୁଭଦ୍ରା ବେହେରା ଓରଫ ଟିକିନାକୁ ଆଜୀବନ କାରାଦଣ୍ଡାଦେଶ ସହ ପ୍ରତ୍ଯେକଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦଣ୍ଡ ମିଳିଛି।

ଜୋରିମାନା ଅନାଦେୟ କ୍ଷେତ୍ରରେ ଅତ୍ୟଧିକ ୬ ମାସର ଦଣ୍ଡାଦେଶ ପ୍ରକାଶ କରିଛନ୍ତି କୋର୍ଟ। ଏହି ମକଦ୍ଦମାରେ ସରକାରଙ୍କ ତରଫରୁ ଓଡ଼ିଶା ଗୃହ ବିଭାଗ ଦ୍ବାରା ସ୍ବତନ୍ତ୍ର ଭାବରେ ନିଯୁକ୍ତ ଭିଜିଲାନ୍ସ ସରକାରୀ ଓକିଲ ଅଜିତ କୁମାର ପଟ୍ଟନାୟକ ମାମଲାକୁ ପରିଚାଳନା କରୁଥିଲେ। ୨୦୧୫ ମସିହାରେ ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାରରେ ଗୋଟିଏ ଖବର ସଭିଁଙ୍କୁ ଚକିତ କରିଦେଇଥିଲା। ଡାକ୍ତର ପ୍ରଫୁଲ୍ଲ ମିଶ୍ର ଓ ଡାକ୍ତର ସୁଷମା ମିଶ୍ରଙ୍କର ହୋଇଥିଲା ଜଘନ୍ୟ ହତ୍ୟା ।

ଲୁଟ୍ ଉଦ୍ଦେଶ୍ୟରେ ଘରେ ପ୍ରବେଶ କରିଥିବା ୫ ଜଣ ଲୁଟେରା ଧାରୁଆ ଅସ୍ତ୍ର ସାହାଯ୍ୟରେ ତାଙ୍କୁ ହତ୍ୟା କରିଥିଲେ। ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତ ଜୀବନ ନାୟକ, ପତ୍ନୀ ଟିକିନା ବେହେରା, ମହମ୍ମଦ କମଲ ଖାଁ, କିଶୋର ବେହେରା ଓ ପତ୍ନୀ ଫୁଲସାରି ବେହେରାଙ୍କୁ ଗିରଫ କରିଥିଲା ପୋଲିସ। ସୁନା ଟଙ୍କା ଲୁଟ୍ ବେଳେ ବିରୋଧ କରିବାରୁ ବୁଢା ବୁଢ଼ୀଙ୍କୁ ମାରିଦେଇଥିବା ପୋଲିସ ଆଗରେ ସ୍ୱୀକାର କରିଥିଲେ। ସାକ୍ଷୀଙ୍କ ବୟାନ, ଚାର୍ଜସିଟ ଆଧାରରେ ସରିଛି ଶୁଣାଣି।

ମହଙ୍ଗା ପଡିଲା କଙ୍ଗନାଙ୍କ ପ୍ରତି ଟିପ୍ପଣୀ, ସୁପ୍ରିୟାଙ୍କୁ ଟିକେଟ୍ ଦେଲାନି କଂଗ୍ରେସ

ଲକ୍ଷ୍ନୌ: ଅଭିନେତ୍ରୀ ତଥା ବିଜେପି ପ୍ରାର୍ଥୀ କଙ୍ଗନା ରଣାୱତଙ୍କ ବିରୋଧରେ ମନ୍ତବ୍ୟ ଦେଇ ଅଡୁଆରେ ଫସିଲେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ। ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କଙ୍ଗନାଙ୍କ ବିରୋଧରେ ଟିପ୍ପଣୀ ଦେବା ପରେ ସୁପ୍ରିୟାଙ୍କୁ ଟିକେଟ୍ ପାଇବାରୁ ବଞ୍ଚିତ ହୋଇଛନ୍ତି।

ବୁଧବାର କଂଗ୍ରେସ ନିଜର ଅଷ୍ଟମ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା। ଯେଉଁଥିରେ ସୁପ୍ରିୟାଙ୍କ ନାମ ନାହିଁ। ସୁପ୍ରିୟା ୟୁପିର ମହାରାଜଗଞ୍ଜ ଆସନରୁ ନିର୍ବାଚନ ଲଢିଥାନ୍ତେ। କିନ୍ତୁ ଏବେ ଏହି ଆସନରୁ କଂଗ୍ରେସ ପକ୍ଷରୁ ବିରେନ୍ଦ୍ର ଚୌଧୁରୀଙ୍କୁ ପ୍ରାର୍ଥୀ କରାଯାଇଛି।

ସୂଚନାଯୋଗ୍ୟ, ସୁପ୍ରିୟା ୨୦୧୯ ଲୋକସଭା ନିର୍ବାଚନରେ ​​ମହାରାଜଗଞ୍ଜ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ସେ ନିର୍ବାଚନରେ ପରାଜିତ ହୋଇଥିଲେ। ଯଦିଓ ଏଥର ମଧ୍ୟ  ତାଙ୍କୁ ଟିକେଟ୍ ମିଳିବା ନେଇ ସେ ଆଶାୟୀ ଥିଲେ । କିନ୍ତୁ ଟିକେଟ୍ ଘୋଷଣା ହେବା ପୂର୍ବରୁ ସୁପ୍ରିୟା ତାଙ୍କ ଅଫିସିଆଲ୍ ‘ଏକ୍ସ’ ଆକାଉଣ୍ଟରୁ କଙ୍ଗନା ରଣାୱତଙ୍କୁ ନେଇ ମନ୍ତବ୍ୟ ରଖିଥିଲେ। ଯାହା ପରେ ବିଜେପି ଏହାକୁ ମହିଳା ସମ୍ମାନ ପ୍ରସଙ୍ଗ କରି ବିରୋଧ କରିଥିଲା। ତେବେ ନିଜର ଇମେଜ୍ କଣ୍ଟ୍ରୋଲ୍ କରିବାକୁ ଯାଇ କଂଗ୍ରେସ ସୁପ୍ରିୟାଙ୍କୁ ଟିକେଟ୍ କାଟି ଦେଇଥିବା କୁହାଯାଉଛି।

ଟିକେଟ ନମିଳିବାରୁ MDMK ସାଂସଦଙ୍କ ଆତ୍ମହତ୍ଯା ସନ୍ଦେହ

ଚେନ୍ନାଇ: ଟିକେଟ ନମିଳିବାରୁ MDMK ସାଂସଦଙ୍କ ଆତ୍ମହତ୍ଯା ସନ୍ଦେହ। ତାମିଲନାଡୁ ଇରୋଡ ସାଂସଦ ଏ. ଗଣେଶମୂର୍ତ୍ତି ଆତ୍ମହତ୍ଯା କରିଥିବା ସନ୍ଦେହ ହେଉଛି। ସାଂସଦ ଭାବେ ଦଳୀୟ ଟିକେଟ ନମିଳିବାରୁ ସେ ଆତ୍ମହତ୍ଯା କରିଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁଯାୟୀ, MDMK ପକ୍ଷରୁ ଲୋକସଭା ଆସନ ପାଇଁ ତାଙ୍କୁ ଟିକେଟ ମିଳିନଥିଲା। ଏ. ଗଣେଶମୂର୍ତ୍ତି ଏମଡିଏମକେ ସାଂସଦ ଥିଲେ। ଟିକେଟ ନମିଳିବାରୁ ସେ ଗତ ରବିବାର ଦିନ କୀଟନାଶକ ପିଇ ଦେଇଥିବା ଅଭିଯୋଗ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ କୋଏମ୍ବାଟୁରର ଏକ ହସ୍ପିଟାଲରେ ତାଙ୍କର ଆଜି ମୃତ୍ଯୁ ଘଟିଛି। ତେବେ ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ହୋଇଛି ବୋଲି କୁହାଯାଇଛି।

ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ଏ. ଗଣେଶମୂର୍ତ୍ତି ତିନି ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏଥର ତାଙ୍କୁ ଟିକେଟ ମିଳିନଥିଲା। ଗଣେଶମୂର୍ତ୍ତିଙ୍କ ବଦଳରେ ଏମ୍‌ଡିଏମ୍‌କେ ପ୍ରତିଷ୍ଠାତା ଭାଇକୋଙ୍କ ପୁଅ ଦୁରାଇ ଭାଇକୋଙ୍କୁ ଇରୋଡ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି।

ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ନେଲେ ସଞ୍ଜୟ ଦାସବର୍ମା

ପୁରୀ: ସତ୍ଯବାଦୀରୁ ବିଜେଡିର ବିଧାନସଭା ପ୍ରାର୍ଥୀ ହେବାପରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଲୋଡ଼ିଛନ୍ତି ସଞ୍ଜୟ ଦାସବର୍ମା। ସତ୍ଯବାଦୀ ଭଳି ପୂଣ୍ଯ ମାଟିରୁ ସେବା କରିବାକୁ ସୁଯୋଗ ଦେଇଥିବାରୁ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ସତ୍ଯବାଦୀ ଅଞ୍ଚଳବାସୀଙ୍କ ଆଶୀର୍ବାଦ ମିଳିଲେ ସେ ସେବା କରିବାର ସୁଯୋଗ ପାଇବେ। ମହାପ୍ରଭୁଙ୍କୁ ଦର୍ଶନ କରି କର୍ମଭୂମିକୁ ଯାଇ ଲୋକଙ୍କ ପାଖରେ ପହଞ୍ଚିବା ସହ ରାଜ୍ଯ ସରକାରଙ୍କ ଜନକଲ୍ଯାଣ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବେ ବୋଲି ସଞ୍ଜୟ କହିଛନ୍ତି।

 

ବିମାନବନ୍ଦରରେ ନିଜକୁ ଗୁଳିକରି ସିଆଇଏସଏଫ୍ ଯବାନଙ୍କ ଆତ୍ମହତ୍ୟା

କୋଲକାତା: ନିଜ ବନ୍ଧୁକରୁ ଗୁଳିକରି ସିଆଇଏସଏଫ୍ ଯବାନଙ୍କ ଆତ୍ମହତ୍ୟା । କୋଲକାତା ବିମାନ ବନ୍ଦରରେ ଗୁରୁବାର ସକାଳେ ଘଟିଛି ଏଭଳି ଘଟଣା । ମୃତକ ହେଲେ ସିଆଇଏସଏଫ୍ ଯବାନ ଶ୍ରୀବିଷ୍ଣୁ। ବିମାନ ବନ୍ଦର ୫ ନମ୍ବର ଗେଟ ସୁରକ୍ଷା ଦାୟିତ୍ବରେ ଥିଲେ ବିଷ୍ଣୁ । ୫ ନମ୍ବର ଗେଟରୁ ହଠାତ୍ ଗୁଳି ଶବ୍ଦ ଶୁଣି ପାଖରେ କାର୍ଯ୍ୟରତ ଥିବା ଅନ୍ୟ ସିଆଇଏସଏଫ୍ ଯବାନ ପହଞ୍ଚି ବିଷ୍ଣୁଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ।

ସଙ୍ଗେସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିବା ବେଳେ ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି। ଘଟଣାସ୍ଥଳରେ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଯବାନ ଜଣକ ନିଜକୁ କାହିଁକି ଗୁଳି କଲେ ବା କୌଣସି ଶତ୍ରୁତା ଯୋଗୁଁ କେହି ତାଙ୍କୁ ଗୁଳି କରି ଆତ୍ମହତ୍ୟା ରୂପ ଦେଇଛି ସେ ସବୁ ଦିଗକୁ ନେଇ ଜାରି ରହିଛି ତଦନ୍ତ।

ବାଙ୍କୀରେ ଗୋଷ୍ଠୀ ସଂଘର୍ଷ ମାମଲା, ୫ ଅଟକ

ବାଙ୍କୀ: ବାଙ୍କୀ ଥାନା ଅନ୍ତର୍ଗତ ଢେଗୁଆ ଓ ବରପୁଟ ଗାଁ ଗୋଷ୍ଠୀ ସଂଘର୍ଷ ମାମଲାରେ ୫ ଅଟକ। ପୂର୍ବ ଶତ୍ରୁତ୍ରାକୁ ନେଇ ହୋଲି ଖେଳ ବେଳେ ହୋଇଥିଲା ଗୋଷ୍ଠୀ ସଂଘର୍ଷ। ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଢେଗୁଆ ଗାଁର ଋଷିଆ ସାହୁ।

ଗତକାଲି ମୃତ୍ୟୁକୁ ନେଇ ଉତ୍ତେଜନା ଲାଗିରହିଥିବା ବେଳେ ବର୍ତ୍ତମାନ ଗାଁରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସେପଟେ ଖବର ପାଇ ଘଟଣାସ୍ଥଳରେ ଅତିରିକ୍ତ ଏସପି ଓ ବାଙ୍କୀ ପୋଲିସ ପହଁଚି ଗୋଷ୍ଠୀ ସଂଘର୍ଷକୁ ନିୟନ୍ତ୍ରଣକୁ ଆଣିଥିବା ବେଳେ ଘଟଣାରେ ସଂପୃକ୍ତ ୫ ଜଣକୁ ଅଟକ ରଖିଛି। ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିବା ସହିତ ସୁରକ୍ଷା ଦୃଷ୍ଟିରୁ ଗାଁରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ଯାଜପୁରର ଚର୍ଚ୍ଚିତ ୟୁଟ୍ଯୁବର ମୋନାଲିସା ଭଦ୍ରଙ୍କ ଆତ୍ମସମର୍ପଣ

ଯାଜପୁର: ଆତ୍ମସମର୍ପଣ କଲେ ଯାଜପୁରର ଚର୍ଚ୍ଚିତ ୟୁଟ୍ଯୁବର ମୋନାଲିସା ଭଦ୍ର। ଯାଜପୁର ରୋଡ୍ ବନ ବିଭାଗ କାର୍ଯ୍ୟାଳୟକୁ ଆସି ଉଭୟ ମୋନାଲିସା ଓ ତାଙ୍କ ସ୍ବାମୀ ବଦ୍ରି ନାରାୟଣ ଭଦ୍ର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବେଆଇନ ଭାବେ ବନ୍ଯଜନ୍ତୁଙ୍କୁ ରଖି ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଅଭିଯୋଗ ହୋଇଥିଲା। ସେ ନିଜ ଘରେ ମାଙ୍କଡ ରଖିବା ସହ ସାମାଜିକ ଗଣମାଧ୍ୟମରେ ବନ୍ୟଜନ୍ତୁଙ୍କ ଭିଡିଓ ଓ ଫଟୋ ପୋଷ୍ଟ କରୁଥିଲେ।

ଏନେଇ ବନ ବିଭାଗ ତାଙ୍କୁ ବାରମ୍ବାର ତାଗିଦ କରିଥିଲା। ଏପରି କରିବେ ନାହିଁ ବୋଲି ବନ ବିଭାଗକୁ ଲିଖିତ ଭାବେ ଜଣାଇବା ପରେ ମଧ୍ଯ ବାରମ୍ବାର ନିୟମ ଉଲ୍ଲଘଂନ କରିଥିଲେ। ଏପରିକି ମାଙ୍କଡ ନେଇ ରାଜ୍ଯ ବାହାରକୁ ମଧ୍ଯ ଯାଇଥିଲେ। ଏନେଇ ଅଭିଯୋଗ ପରେ ବନବିଭାଗ ଗତ ୨୪ ତାରିଖରେ ଚଢ଼ାଉ କରିଥିଲା। ଏହି ସମୟରେ ଦମ୍ପତି ଫେରାର ଥିଲେ। ଚଢ଼ାଉ ସମୟରେ ଏକ ମାଙ୍କଡ଼କୁ ଉଦ୍ଧାର କରିଥିଲା ବନ ବିଭାଗ।

ସେମାନଙ୍କ ବିରୋଧରେ ବନ ବିଭାଗ ତରଫରୁ ଏକ ମାମଲା ରୁଜୁ କରାଯାଇ ମୋନାଲିସା ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରିବା ପାଇଁ ଦୁଇଟି ଟିମ୍ ଗଠନ କରାଯାଇଥିଲା। ଆଜି ଉଭୟ ଆତ୍ମସମର୍ପଣ କରିଥିବାବେଳେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଜପୁର ରୋଡ୍ ବନାଞ୍ଚଳ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ର କହିଛନ୍ତି।

ଆଫଗାନିସ୍ତାନରେ ଭୂକମ୍ପ ଝଟକା, ତୀବ୍ରତା ୪.୨

କାବୁଲ: ଆଫଗାନିସ୍ତାନରେ ପୁଣିଥରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଭୋରଟା ୪୪ମି.ରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ଭୂକମ୍ପର ଗଭୀରତା ୧୨୪ କିମି. ଥିବା ବେଳେ ରିକ୍ଟର ସ୍କେଲରେ ତୀବ୍ରତା ୪.୨ ରହିଛି ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ ଭୂକମ୍ପ ଭୟରେ ଲୋକ ଘରୁ ବାହାରି ଆସିଥିଲେ

ତେବେ ନ୍ୟାସନାଲ୍ ସେଣ୍ଟର ଫର୍ ସେସମୋଲୋଜି ଅନୁସାରେ ଚଳିତ ମାସ ପ୍ରାରମ୍ଭରେ ମଧ୍ୟ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ତୀବ୍ରତା ୪.୫ ରହିଥିବା ବେଳେ ଏହାର କେନ୍ଦ୍ର ପାଖାପାଖି ୧୬୯ କିମି. ଗଭୀର ରହିଥିଲା ।