spot_img
Home Blog Page 2109

ପ୍ରଧାନମନ୍ତ୍ରୀ ବି ସଂସଦରେ ରଖିଛନ୍ତି ବଜେଟ? ଜାଣନ୍ତୁ କେବେ ଓ କିଏ ?

ନୂଆଦିଲ୍ଲୀ: ଉପସ୍ଥାପନ ହେବ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ । ଏଥର ବଜେଟରେ କ’ଣ ସବୁ ପରିବର୍ତ୍ତନ ହେବ ? କେଉଁ ସବୁ ଦିଗକୁ ଦିଆଯିବ ଗୁରୁତ୍ବ । ଆଗକୁ ନିର୍ବାଚନ ଆସୁଥିବାରୁ ଏବେଠୁ ବଜେଟ ଉପରେ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ଅର୍ଥନୀତିଜ୍ଞଙ୍କର ନଜର ରହିଛି । କିନ୍ତୁ ବଜେଟ ବିଷୟରେ ଏପରି କିଛି ରୋଚକ କଥା ଅଛି ଯାହା ଆପଣ ଜାଣି ନଥିବେ । କ’ଣ ସେହି ରୋଚକ କଥା ଜାଣନ୍ତୁ ୧୦ଟି ପଏଣ୍ଟରେ ।

୧, ଇଷ୍ଟ ଇଣ୍ଡିଆ କମ୍ପାନୀ ନେତା ତଥା ଅର୍ଥନୀତିଜ୍ଞ ଜେମ୍ସ ଓ୍ବିଲସନ ବ୍ରିଟିସ ସରକାରଙ୍କୁ ବଜେଟ ପ୍ରସ୍ତାବ ଦେଇଥିଲେ । ୨୬ ନଭେମ୍ବର ୧୯୪୭ ମସିହାରେ ଅର୍ଥମନ୍ତ୍ରୀ ଆର୍. କେ ଶାନମୁଖମ୍ ଚେତୀ ଆମ ଦେଶର ପ୍ରଥମ ବଜେଟ ଉପସ୍ଥାପନ କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ପ୍ରଥମ ମହିଳା ଭାବେ ବଜେଟ ଉପସ୍ଥାପନ କରିଥିଲେ । ବଜେଟ ଉପସ୍ଥାପନ କରିବାରେ ନିର୍ମଳା ସୀତାରମଣ ହେଉଛନ୍ତି ଦ୍ବିତୀୟ ମହିଳା ଅର୍ଥମନ୍ତ୍ରୀ ।

୨, ୧୯୭୩-୭୪ ମସିହା ଆର୍ଥିକ ବର୍ଷର ବଜେଟକୁ ‘ବ୍ଲାକ୍ ବଜେଟ’ ବୋଲି କୁହାଯାଏ । ଏହି ବଜେଟକୁ ତତ୍କାଳୀନ ଅର୍ଥମନ୍ତ୍ରୀ ଯଶବନ୍ତ ରାଓ ବି ଚୌହାନ ଉପସ୍ଥାପନ କରିଥିଲେ । ୫୫୦ କୋଟିର ବଜେଟ ଘାଟା ହୋଇଥିବାରୁ ଏହାକୁ ‘ବ୍ଲାକ୍ ବଜେଟ’ ବୋଲି କୁହାଯାଏ ।

୩, ୧୯୫୫ ଯାଏ କେନ୍ଦ୍ରୀୟ ବଜେଟ କେବଳ ଇଂରାଜୀ ଭାଷାରେ ଉପସ୍ଥାପନ ହୋଉଥିଲା । ଏହା ପରେ ସରକାର ଇଂରାଜୀ ଏବଂ ହିନ୍ଦି ଭାଷାରେ ବଜେଟ ଉପସ୍ଥାପନ କରିବପାଇଁ ନିଷ୍ପତ୍ତି ନେଇଥିଲେ ।

୪, ଇଂରେଜମାନେ ୧୯୨୪ ମସିହାରେ ବଜେଟ ସହ ରେଳ ବଜେଟ ଆଣିବା ଆରମ୍ଭ କରିଥିଲେ । ରେଳ ବଜେଟ ଏବଂ କେନ୍ଦ୍ରୀୟ ବଜେଟକୁ ୨୦୧୬ ଯାଏ ଅଲଗା ଅଲଗା ଉପସ୍ଥାପନ କରାଯାଇଥିଲା । ୨୦୧୭ରେ ଏହି ଦୁଇ ବଜେଟକୁ ଏକା ସହ ଉପସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହାକୁ ଯାଞ୍ଚ କରିବା ପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା । ଏହା ପରେ ୨୦୧୭ ମସିହାରେ ଅରୁଣ ଜେଟଲୀ ମିଳିତ ୟୁନିୟନ ବଜେଟ ଉପସ୍ଥାପନ କରିଥିଲେ ।

୫, ଅର୍ଥମନ୍ତ୍ରୀ ମନମୋହନ ସିଂ ୧୯୯୧- ୯୨ ମସିହାରେ ‘ଦି ଇପୋକଲ ବଜେଟ’ ଉପସ୍ଥାପନ କରିଥିଲେ । ଏହି ବଜେଟ ଭାରତ ଅର୍ଥନୀତିର ଗେମ୍ ଚେଞ୍ଚର ବୋଲି କୁହାଯାଏ । ଏହି ବଜେଟ ଦେଶରେ ଆର୍ଥିକ ଉଦାରୀକରଣର ଆରମ୍ଭ କରିଥିଲା ।

୬, ସଂଧ୍ୟାରେ ଆସୁଥିଲା ବଜେଟ । ୧୯୯୯ ମସିହା ପର୍ଯନ୍ତ ସଂଧ୍ୟାରେ ବଜେଟ୍ ଆସୁଥିଲା । ବ୍ରିଟିଶ ଶାସନ କାଳରୁ ଏମିତି ହେଉଥିଲା । ବ୍ରିଟିଶ ଶାସନ କାଳରେ ୟୁନିୟନ୍ ବଜେଟକୁ ଫେବୃଆରୀ ମାସ ଶେଷ ତାରିଖ ସନ୍ଧ୍ୟା ୫ଟା ବେଳେ ଉପସ୍ଥାପନ କରାଯାଉଥିଲା । ଭାରତରେ ସଂଧ୍ୟା ସମୟରେ ବଜେଟ ଉପସ୍ଥାପନ କରିବା ପଛର କାରଣ ଥିଲା ଯେ, ସେହି ସମୟରେ ଲଣ୍ଡନରେ ଦିନ ହେଉଥିଲା । ତେବେ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା ୧୯୯୯ ମସିହାରେ ବଜେଟ୍ ଉପସ୍ଥାପନ କରିବାର ସମୟ ପରିବର୍ତ୍ତନ କରିଥିଲେ। ସେ ପୂର୍ବାହ୍ନ ୧୧ଟାରେ ବଜେଟ ଉପସ୍ଥାପନ କରିବା ପରମ୍ପରା ଆରମ୍ଭ କରିଥିଲେ । ସେହିଭଳି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୨୦୧୭ ମସିହାରେ ଫେବୃଆରୀ ୧ ତାରିଖରେ ବଜେଟ୍ ଉପସ୍ଥାପନ କରିଥିଲେ । ସେବେଠାରୁ ବଜେଟ୍ ଫେବ୍ରୁଆରୀ ୧ ତାରିଖରେ ଆସୁଛି ।

୭, ୧୯୫୦ ମସିହାରେ ରାଷ୍ଟ୍ରପତି ଭବନରେ ବଜେଟ ଛପା ଯାଉଥିଲା । ବଜେଟ ତିଆରିରେ ନିୟମ ଉଲ୍ଲଂଘନ ଯୋଗୁ ସେହି ବର୍ଷ ମୁଦ୍ରଣ ସ୍ଥାନ ବଦଳାଯାଇଥିଲା । ଏହା ପରେ ନୂଆଦିଲ୍ଲୀର ମିଣ୍ଟୋ ରୋଡରେ ବଜେଟର ମୁଦ୍ରଣ ଆରମ୍ଭ ହୋଇଥିଲା।

୮, ବଜେଟ ଉପସ୍ଥାପନ ପୂର୍ବରୁ ଏହାକୁ ଏକ ବ୍ରିଫକେସରେ ରଖାଯାଉଥିଲା । କିନ୍ତୁ ୨୦୧୯ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ବହିରେ ପରିବର୍ତ୍ତନ କରିଥିଲେ । ଏଥିରେ ଜାତୀୟ ସଙ୍ଗୀତ ଲେଖାଥିଲା ।

୯, ବଜେଟ ଉପସ୍ଥାପନର କିଛି ଦିନ ପୂର୍ବରୁ ହାଲଓ୍ବା ସେରେମନି କରାଯାଏ । ଏକ ବଡ଼ ପାତ୍ରରେ ହାଲଓ୍ବା ତିଆରି କରାଯାଏ ଏବଂ ଏହାକୁ ସମସ୍ତ କର୍ମଚାରୀଙ୍କ ମଧ୍ୟରେ ବଣ୍ଟାଯାଏ ।

୧୦, ସ୍ବାଧୀନତା ପରଠୁ ଆଜି ଯାଏ ମୋଟ ୭୫ ଥର ବଜେଟ ଉପସ୍ଥାପନ କରାଯାଇ ସାରିଛି । ଏହା ସହ ୧୪ଟି ଅନ୍ତରୀଣ ବଜେଟ , ୪ଟି ସ୍ବତନ୍ତ୍ର ବଜେଟ ବା ମିନି ବଜେଟ ଉପସ୍ଥାପିତ ହୋଇସାରିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲା ନେହେରୁ, ଇନ୍ଦିରା ଗାନ୍ଧି ଏବଂ ରାଜୀବ ଗାନ୍ଧି ଯିଏକି ପ୍ରଧାନମନ୍ତ୍ରୀ ଭାବେ ବଜେଟ ଉପସ୍ଥାପନ କରିଥିଲେ ।

ବଢିଲା BSKY ନବୀନ କାର୍ଡ ଆବେଦନ ଅବଧି

ଭୁବନେଶ୍ବର: ବଢିଲା BSKY- ନବୀନ କାର୍ଡ ପଞ୍ଜୀକରଣ ଅବଧି । ଜାନୁଆରୀ ୨୬ରେ BSKY ନବୀନ କାର୍ଡ ଆବେଦନ ଶେଷ ହୋଇଥିଲେ ମଧ୍ୟ ଗ୍ରାମାଞ୍ଚଳ ଲୋକଙ୍କ ସୁବିଧା ପାଇଁ ପୁଣି ଆବେଦନ ବଢାଇଛନ୍ତି ରାଜ୍ୟ ସରକାର। ଫେବ୍ରୁଆରୀ ୮ତାରିଖ ଯାଏଁ ଆବେଦନ ଅବଧି ବଢାଯାଇଛି। କୌଣସି ବି ଯୋଗ୍ୟ ହିତାଧିକାରୀ ଯେପରି ଏହି କାର୍ଡ ପାଇବାରୁ ବଞ୍ଚିତ ନହେବେ, ତାହାକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଅବଧି ବୃଦ୍ଧି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ ପରେ ଆଜିଠୁ ପୁଣିଥରେ ଆବେଦନ ଆରମ୍ଭ ହୋଇଛି । BSKY ନବୀନ କାର୍ଡ ଆବେଦନ ଅବଧି ଦ୍ବିତୀୟ ଥର ପାଇଁ ବୃଦ୍ଧି କରାଯାଇଛି। ଏହାପୂର୍ବରୁ ଥରେ ଆବେଦନ ତାରିଖ ବୃଦ୍ଧି କରାଯାଇଥିଲା। ଜାନୁଆରୀ ୬ ତାରିଖରୁ BSKY ନବୀନ କାର୍ଡ ଲାଗି ଅନ୍‌ଲାଇନ୍‌ ପଞ୍ଜୀକରଣ ଆରମ୍ଭ କରାଯାଇ ଜାନୁୟାରୀ ୧୬ ତାରିଖରେ ଶେଷ ହେବାର ଥିଲା। କିନ୍ତୁ ଏହାପରେ ପୁଣି ଏହି ଅବଧି ବୃଦ୍ଧି କରାଯାଇ ଜାନୁଆରୀ ୨୬ ତାରିଖ ଯାଏଁ ରଖାଯାଇଥିଲା। ତେବେ ଆଜି ପୁଣି ଥରେ BSKY ନବୀନ କାର୍ଡ ଆବେଦନ ତାରିଖକୁ ବୃଦ୍ଧି କରାଯାଇ ଫେବ୍ରୁଆରୀ ୮ତାରିଖ ରଖାଯାଇଛି।

କଣ ରହିବ କେନ୍ଦ୍ର ବଜେଟର ଆଭିମୁଖ୍ୟ?

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ଫେବୃଆରୀ ପହିଲାରେ ଆସିବ କେନ୍ଦ୍ରର ଅନ୍ତରୀଣ ବଜେଟ । କଣ ରହିବ ବଜେଟର ଆଭିମୁଖ୍ୟ । କେଉଁ କ୍ଷେତ୍ରକୁ ଫୋକସ ଦେବେ ସରକାର । ଆଗକୁ ନିର୍ବାଚନ ଥିବାରୁ ବିଶେଷ କରି ଭିତ୍ତିଭୂମିର ବିକାଶ, କର୍ମନିଯୁକ୍ତିକୁ ଫୋକସ ଦେବା ସହ ଆୟକର ସୀମା ଅପରିପର୍ତ୍ତିତ ରଖିପାରନ୍ତି ସରକାର । ସେହିପରି ଗ୍ରୀନ ଏନର୍ଜିକୁ ଦିଆଯାଇପାରେ ଗୁରୁତ୍ବ । ଷଷ୍ଠଥର ପାଇଁ ଲଗାତାର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନିର୍ବାଚନୀ ବର୍ଷରେ କାମଚଳା ବଜେଟ ଆସୁଥିଲେ ମଧ୍ୟ ଦେଶବାସୀଙ୍କ ନଜର ବଜେଟ ଉପରେ ରହିବ ।

ମୁଦ୍ରାସ୍ଫୀତି ନିୟନ୍ତ୍ରଣ ସାଙ୍ଗକୁ ଦରଦାମ ବୃଦ୍ଧି ଉପରେ ରୋକ ଲଗାଇବା ଅର୍ଥମନ୍ତ୍ରୀଙ୍କ ପାଇଁ ବଡ଼ ଆହ୍ବାନ ହେବ । ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ କ୍ୟାପିଟାଲ ଏକ୍ସପେଣ୍ଡିଚର ଉପରେ ଫୋକସ କରିବେ କେନ୍ଦ୍ର ସରକାର । ସାଧାରଣ ନିର୍ବାଚନ ଦୃଷ୍ଟିରୁ ସବୁ ବର୍ଗଙ୍କୁ ଖୁସି କରିବାକୁ ବଜେଟରେ ଉଦ୍ୟମ କରିବେ କେନ୍ଦ୍ର ସରକାର। ଆୟକର ଟିକସ ସ୍ଲାବରେ ପରିବର୍ତ୍ତନ ନେଇ ଆଶା ରଖିଛନ୍ତି ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟ । ଏହା ସହ ଚାଷୀ, ଶ୍ରମିକ, ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ପାଇଁ କିଛି ଉପହାର ବଜେଟରେ ମିଳିବାର ସମ୍ଭାବନା ରହିଛି। ହେଲେ ଏଥର ଅନ୍ତରୀଣ ବଜେଟ ଆସିବାକୁ ଥିବାରୁ ପଲିସିରେ ବିଶେଷ କିଛି ପରିବର୍ତ୍ତନ ହୋଇନପାରେ। ଟେକ୍ନୋଲୋଜି ଜରିଆରେ ସମସ୍ତଙ୍କୁ ସବୁଠି ଶିକ୍ଷା, ଜାତୀୟ ସ୍ବାସ୍ଥ୍ୟ ନୀତି ଅନୁସାରେ ଦେଶବାସୀଙ୍କ ପାଇଁ ପ୍ରତିଷେଧକ ସ୍ବାସ୍ଥ୍ୟ ଚିକିତ୍ସା ବ୍ୟବସ୍ଥା ଉପରେ ଅର୍ଥ ମନ୍ତ୍ରୀ ଜୋର୍ ଦେବା ଜରୁରୀ ବୋଲି ବିଶେଷଜ୍ଞ କହିଛନ୍ତି । ଜିଏସଟିରେ ସରକାରଙ୍କ ରୋଜଗାର ଆଶାନୁରୁପ ହୋଇଥିବାରୁ ଏହାସହ ଅଧିକ ଲୋକ କିପରି ଟିକସ ସ୍ଲାବ ଭିତରକୁ ଆସିବେ ସେଥିପାଇଁ ଅର୍ଥମନ୍ତ୍ରୀ ଉଦ୍ୟମ କରିବେ ବୋଲି ଅର୍ଥନୈତିଜ୍ଞ ଆଶା କରୁଛନ୍ତି ।

ନୀତିଶଙ୍କୁ ସମାଲୋଚନା, ଏମିତି କହିଲେ ତେଜସ୍ବୀ

ନନ୍ଦିଘୋଷ ବ୍ୟୁରୋ: ଇଣ୍ଡିଆ ମେଣ୍ଟ ଛାଡିବାକୁ ନେଇ ନୀତୀଶ କୁମାରଙ୍କୁ ବିଭିନ୍ନ ମହଲରୁ ସମାଲୋଚନା। ବିଭିନ୍ନ ଦଳର ରାଜନେତା ନୀତୀଶଙ୍କୁ ତୀବ୍ର କଡ଼ା ଆକ୍ଷେପ କରିଛନ୍ତି। ବିରୋଧୀ ଆରଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି ବିହାରରେ ଖେଳ ଏବେ ଆରମ୍ଭ ହୋଇଛି। ଆହୁରି ଖେଳ ବାକି ଅଛି। ମୁଁ ଯାହା କୁହେ ତାହା ଲେଖିକି ରଖନ୍ତୁ। ୨୦୨୪ରେ ନୀତୀଶ କୁମାରଙ୍କ ଖେଳ ଖତମ ହୋଇଯିବ। ସେପଟେ ଆରଜେଡି ନେତା ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ଯ ନୀତୀଶ ଇଣ୍ଡିଆ ମେଣ୍ଟ ଛାଡିବା ପରେ ଅନାବଶ୍ଯକ ବୋଲି କହିଛନ୍ତି। ମେଣ୍ଟରେ ଥିବା ଅନାବଶ୍ଯକ ଲୋକଙ୍କୁ ଅଳିଆ ଗଦାରେ ପକାଇ ଦିଆଗଲା ବୋଲି କହିଛନ୍ତି ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ।

ତେବେ ସୋସିଆଲ ମିଡିଆରେ ଏହି ପୋଷ୍ଟ କରିବା ପରେ ପୁଣିଥରେ ଏହାକୁ ଡିଲିଟ୍ କରି ଦେଇଥିଲେ ଲାଲୁଙ୍କ ଝିଅ ରୋହିଣୀ। ବିହାରବାସୀଙ୍କୁ ଧୋକା ଦେଇଛନ୍ତି। ବିହାରରେ କୌଣସି ବିକାଶ ଦେଖିବାକୁ ମିଳୁନି। ବିହାରରେ ନୀତୀଶ ସରକାର କେବଳ ନାମକୁ ମାତ୍ର ବୋଲି କହିଛନ୍ତି। ସେପଟେ କଂଗ୍ରେସ ସାଂସଦ ଶଶୀ ଥରୁର ମଧ୍ଯ ନୀତୀଶଙ୍କୁ ସମାଲୋଚନା କରିଛନ୍ତି। ଇଂରାଜୀ ଭାଷାରେ ପାରଦର୍ଶିତା ଥିବା ସାଂସଦ ଶଶୀ ଥରୁର ନୀତୀଶଙ୍କୁ ସ୍ନଲିଗଷ୍ଟର ବୋଲି ଉଲ୍ଲେଖ କରିଛନ୍ତି। ନୀତୀଶଙ୍କୁ ଚତୁର କହିବା ସହ ନୀତିବିହୀନ ରାଜନେତା ବୋଲି କହିଛନ୍ତି ଶଶୀ ଥରୁର। ସେହିପରି କଂଗ୍ରେସ ନେତା ଜୟରାମ ରମେଶ ନୀତୀଶଙ୍କୁ ରଂଗବଦଳାଉଥିବା ଏଣ୍ଡୁଅ ବୋଲି କହିଛନ୍ତି।

ରାଜନେତା ତଥା ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ନୀତୀଶ କୁମାରଙ୍କୁ ପଲଟୁମାର ନେତା ବୋଲି କହିଛନ୍ତି। ଇଣ୍ଡିଆ ମେଣ୍ଟରେ ଯୋଗ ଦେବା ପରେ କେତେବେଳେ ବି ନୀତୀଶ କୁମାର ମେଣ୍ଟ ଛାଡି ଦେଇପାରନ୍ତି ବୋଲି କହିଥିଲେ ପ୍ରଶାନ୍ତ କିଶୋର। ୨୦୧୮ରେ ଜେଡିୟୁରେ ଯୋଗ ଦେଇଥିଲେ ପ୍ରଶାନ୍ତ କିଶୋର। ଏହାପରେ ସେ ଦଳରେ ଉପସଭାପତି ପଦରେ ଅଳଙ୍କୃତ ହୋଇଥିଲେ। କିଛି ଦିନ ପରେ ଜେଡିୟୁରେ ସମାଲୋଚନାକୁ ନେଇ ପ୍ରଶାନ୍ତ କିଶୋରରୁ ଦଳକୁ ବିତାଡ଼ିତ କରିଥିଲେ ନୀତୀଶ କୁମାର। ୨୦୨୨ରେ ନୀତୀଶ ଏନଡିଏ ଛାଡି କଂଗ୍ରେସ ଏବଂ ଆରଜେଡିର ସହ ମେଣ୍ଟ କରି ସରକାର ଗଠନ କରିଥିଲେ।

୩୧ ତାରିଖରୁ ରାଜ୍ୟରେ ବଦଳିବ ପାଗ

ଭୁବନେଶ୍ବର: ପୁଣି ଭିଜିବ ଓଡିଶା । ୩୧ ତାରିଖରୁ ରାଜ୍ୟରେ ବଦଳିବ ପାଗ । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୩୧ ତାରିଖରେ ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜରେ ହାଲୁକା ବର୍ଷା ନେଇ ଆକଳନ କରାଯାଇଥିବା ବେଳେ ୧ ତାରିଖରେ ବାଲେଶ୍ବର, ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜରେ ହାଲୁକା ବର୍ଷା ହେବ । ୪ ତାରିଖ ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ପଶ୍ଚିମା ଝଡ ପ୍ରଭାବରେ ବର୍ଷା ହେବ । ସେପଟେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ପବନ ପ୍ରଭାବରେ ଜାଡ ବଢିଛି ।

ଉପାନ୍ତରୁ ଉପକୂଳ ସବୁଠି ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ହାଲୁକା ଶୀତ ହେବ । ପରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ । ବାୟୁମଣ୍ଡଳରେ ଜଳିୟବାଷ୍ପ ପରିମାଣ ଅଧିକ ରହୁଥିବାରୁ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହେବ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ କଳାହାଣ୍ଡି, କନ୍ଧମାଳ, ରାୟଗଡା, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ରୁ ୨୦୦ ମିଟର ଭିଜିବିଲିଟି ରହିବ । ବାକି ଆଭ୍ୟନ୍ତରୀଣ ଓଡିଶାରେ ହାଲୁକାରୁ ମଧ୍ୟମଧରଣର କୁହୁଡି ଅନୁଭୂତ ହେବ । ଘନ କୁହୁଡ଼ି ସମୟରେ ସାବଧାନତାର ସହ ଗାଡି ଚାଳନା ନେଇ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।

ପ୍ରକଳ୍ପ ଲୋକାର୍ପଣ ପରେ ଲୋକାରଣ୍ୟ ସମଲେଶ୍ବରୀଙ୍କ ମନ୍ଦିର

ସମ୍ବଲପୁର: ଲୋକାରଣ୍ଯ ସମ୍ବଲପୁର ମାଆ ସମଲେଇଙ୍କ ପୀଠ। ପ୍ରକଳ୍ପ ଲୋକାର୍ପଣ ପରେ ଲୋକାରଣ୍ୟ ସମଲେଶ୍ବରୀଙ୍କ ମନ୍ଦିର। ରବିବାର ସକାଳ ୬ଟାରେ ମନ୍ଦିର ଖୋଲାହେବା ପରେ ପରେ ଶ୍ରଦ୍ଧାଳୁଙ୍କ ଲମ୍ବାଲାଇନ ଦେଖିବାକୁ ମିଳିଥିଲା। ମନ୍ଦିରରେ ମାଆଙ୍କୁ ଦର୍ଶନ କରିବା ସହ ପ୍ରକଳ୍ପ ବୁଲି ଦେଖୁଛନ୍ତି ଶ୍ରଦ୍ଧାଳୁ। ସମସ୍ତଙ୍କ ମୁହଁରେ ମୁଖ୍ଯମନ୍ତ୍ରୀ ଓ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଶଂସା।

ସମ୍ବଲପୁର ଏବେ ପାଲଟିଛି ସମସ୍ତଙ୍କ ଡେଷ୍ଟିନେସନ। ମାଆ ସମଲେଶ୍ବରୀଙ୍କ ଦର୍ଶନ ସହ ମନ୍ଦିର ବୁଲି ପ୍ରକଳ୍ପ ଦେଖିବାକୁ ଲାଗୁଛି ଭିଡ଼। ସମଲେଇ ପୀଠ ହୋଇଛି ଲୋକାରଣ୍ଯ। ସକାଳ ୬ଟାରୁ ମନ୍ଦିର ଖୋଲିବା ପରେ ଦେଖିବାକୁ ମିଳିଥିଲା ଲମ୍ବା ଲାଇନ୍।  ମାଆ ସମଲେଶ୍ବରୀଙ୍କ ଦର୍ଶନ ସାରି ସମସ୍ତେ ସମଲେଇ ପ୍ରକଳ୍ପବୁଲି ସେଲଫି ନେଇ ସ୍ମୃତି ସାଉଟୁଥିବା ଦେଖିବାକୁ ମିଳିଥିଲା। ମନ୍ଦିରର ସୌନ୍ଦର୍ଯ୍ଯ ସମସ୍ତଙ୍କୁ ବିମୋହିତ କରିଛି। ଦୀର୍ଘଦିନର ସମ୍ବଲପୁର ବାସୀଙ୍କ ସ୍ବପ୍ନ ପୂରଣ ହୋଇଥିବାରୁ ମୁଖ୍ଯମନ୍ତ୍ରୀ ଓ ଫାଇଭ-ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ପ୍ରଶଂସା କରିଛନ୍ତି।

ଗତକାଲି ବହୁପ୍ରତୀକ୍ଷିତ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ସଂଧ୍ଯାରେ ସଂଧ୍ଯା ଆଳତି ଦେଖିବାକୁ ମଧ୍ଯ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ଶନିବାର ଠାରୁ ପୀଠରେ ଆରମ୍ଭ ହୋଇଛି ୟଜ୍ଞ। ଚଣ୍ଡିପାଠରେ ଫାଟି ପଡୁଛି ପରିବେଶ। ସବୁଠି ଦେଖିବାକୁ ମିଳୁଛି ଆଧ୍ୟାତ୍ମିକତାର ପରିବେଶ। ସମ୍ପୁର୍ଣ୍ଣ କଳିଙ୍ଗ ଆର୍ଟିଟେକରେ ଖଣ୍ଡୋଲାଇଟ୍ ପଥରରେ ନିର୍ମିତ ଭବ୍ୟ ସମଲେଇ ପ୍ରକଳ୍ପ ଏବେ ଝଲସୁଥିବାବେଳେ ମନମୋହୁଛି ଲେଜର ଶୋ। ଯାହାକୁ ଦେଖିବାକୁ ରାଜ୍ଯ ତଥା ରାଜ୍ଯ ବାହାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ଭକ୍ତଙ୍କ ଆସ୍ଥା ଓ ପ୍ରାଣ କେନ୍ଦ୍ର ହେଉଛି ସମଲେଶ୍ବରୀ ମନ୍ଦିର। କୋଟିକୋଟି ଶ୍ରଦ୍ଧାଳୁଙ୍କର ଭାବ ମାଆଙ୍କର ଆସ୍ଥାନ ସହ ଯୋଡି ହୋଇଛି । ଲୋକଙ୍କର ସେହି ଭାବ ଓ ଆବେଗକୁ ସମ୍ମାନ ଜଣାଇ ମାଆଙ୍କ ମନ୍ଦିରର ରୂପାନ୍ତରଣ କରାଯାଇଛି ।

ଶିମିଳିପାଳର ୩୬ଟି ଗାଁରେ ପହଞ୍ଚିଲା ସୋଲାର ଲାଇଟ୍, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅଭୟାରଣ୍ୟବାସୀ

ମୟୂରଭଞ୍ଜ: ଶିମିଳିପାଳରେ ଏବେ ନୂତନ ସୂର୍ଯ୍ୟଦୋୟ । ବର୍ଷବର୍ଷର ଅନ୍ଧକାରକୁ ଭେଦ କରି ପ୍ରତି ଘରେ ଏବେ ସୋଲାର ଲାଇଟ । ଆଉ ଡରାଇବନି ରାତିର ଘନ ଅନ୍ଧକାର । ଶିମିଳିପାଳର ୩୬ଟି ଗାଁରେ ପହଞ୍ଚିଲା ସୋଲାର ଲାଇଟ୍ ।  ୬ହଜାର ପରିବାରରେ ଖେଳିଯାଇଛି ଖୁସିର ଲହରୀ । ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି ଅଭୟାରଣ୍ୟବାସୀ ।

ସୁଇଚ୍ ଟିପିଲେ ଜଳୁଛି ବଲବ୍ । ଘୁରୁଛି ପଙ୍ଖା ଆଉ ଚାଲୁଛି ଟେଲିଭିଜନ୍   ଦଶନ୍ଧି ଧରି ଶିମିଳିପାଳ ଅଭୟାରଣ୍ୟ ଭିତରେ ରହୁଥିବା ଅଧିବାସୀଙ୍କ ସ୍ଥିତିରେ ଆସିଛି ବ୍ୟାପକ ପରିବର୍ତ୍ତନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିମିଳିପାଳର ଅସ୍ତପୁର, ବରେଇପାଣି ଓ ଗୁଡ଼ୁଗୁଡ଼ିଆ ପଞ୍ଚାୟତରେ ୧୭ଟି ମାଇକ୍ରୋ ଗ୍ରୀଡ଼ ପ୍ରକଳ୍ପକୁ ଲୋକାର୍ପଣ କରିବା ପରେ ଲୋକଙ୍କ ଜୀବନରେ ଆସିଛି ପରିବର୍ତ୍ତନ । ଦେନେ ବିଜୁଳି ଆଲୁଅ ଏମାନଙ୍କ ପାଇଁ ଥିଲା ସାତ ସପନ । ଟେଲିଭିଜନ୍ କଣ ? ରେଡ଼ିଓରେ ବ୍ୟାଟେରୀ ପକାଇ ଯାହା କିଛି ଶୁଣୁଥିଲେ ଏମାନେ । ଏବେ କିନ୍ତୁ ସେମାନଙ୍କ ସ୍ବପ୍ନରେ ଲାଗିଛି ପର । ଏହା ସମ୍ଭବ ହୋଇପାରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁ ।  ଆଲୁଅରେ ଏମାନଙ୍କ ଛୁଆ ଦେଖୁଛନ୍ତି ନୂଆନୂଆ ସ୍ବପ୍ନ ଆଉ ସମ୍ଭାବନା । ଏହା ସମ୍ଭବ ହୋଇଛି ସୋଲାର ବିଦ୍ୟୁତ  ଆଲୁଅ ଯୋଗୁ । ଘର ଭିତରେ ଲାଇଟ୍, ଆଉ ରାସ୍ତାରେ ବି ଜଳୁଛି ବଲବ୍ ।

ଶିମିଳିପାଳର ୩୬ଟି ଗାଁରେ ବିଜୁ ଗ୍ରାମ୍ୟଜ୍ୟୋତୀ ଯୋଜନାରେ ୧୭ଟି ସୋଲାର ମାଇକ୍ରୋ ଗ୍ରୀଡ଼୍ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି । ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ଓଡ଼ିଶା, ନବୀନ ଓଡ଼ିଶା’ ମାଧ୍ୟମରେ ଲୋକାର୍ପଣ କରିଛନ୍ତି । ଗୋଟିଏ ଗ୍ରୀଡ଼୍ରୁ ପରିବାର  ପିଛା ୮୦ ଓ୍ବାଟ୍ ବିଜୁଳି ସହିତ ୨୫୦ ପରିବାରକୁ ବିଦ୍ୟୁତ ଶକ୍ତି ଯୋଗାଇ ଦିଆଯାଇଛି। ଟାଟା ପାଓ୍ବାର ନର୍ଥ ଓଡ଼ିଶା ଡ଼ିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼ ତରଫରୁ ମଧ୍ୟ ଜଙ୍ଗଲ ଭିତରେ ଥିବା ଘର ଗୁଡ଼ିକୁ ସିଙ୍ଗିଲ୍ ୟୁନିଟ୍ ପ୍ରୋଜେକ୍ଟ ମାଧ୍ୟମରେ ଏହି ଯୋଜନାରେ ସାମିଲ କରାଯାଇଛି । ଏହି ପ୍ରକଳ୍ପକୁ ପରିଚାଳନା ଓ ମରାମତି କରିବା ପାଇଁ ସ୍ଥାନୀୟ ଅଞ୍ଚଳର ୩୮ ଜଣ ଯୁବକଙ୍କୁ ତାଲିମ ସହ ନିଯୁକ୍ତି ପ୍ରଦାନ କରାଯାଇଛି। ଫଳରେ ଲୋକମାନେ ଏବେ ନୀରବଛିନ୍ନ ବିଦ୍ୟୁତ ସେବା ପାଉଛନ୍ତି ।

ରାଜ ଠାକରେଙ୍କ ବିସ୍ଫୋରକ ବୟାନ, କହିଲେ ହିନ୍ଦୀ ଭାଷା କାନରେ ବାଜିଲେ ବିରକ୍ତ ଲାଗେ

ମୁମ୍ବାଇ: ହିନ୍ଦୀ ଭାଷାକୁ ନେଇ ପୁଣି ଏକ ପ୍ରତିକ୍ରିୟା ରଖିଛନ୍ତି ରାଜ ଠାକରେ । ବିଶ୍ବ ମରାଠୀ ସମ୍ମିଳନୀରେ ରାଜ ଠାକରେ ହିନ୍ଦୀ ଭାଷାକୁ ନେଇ ନେଇ ନିଜର ଅଭିଭାଷଣ ରଖିଛନ୍ତି । ସେ କହିଛନ୍ତି କି, ହିନ୍ଦୀ ରାଷ୍ଟ୍ରଭାଷା ନୁହେଁ । ସେ କହିଛନ୍ତି କି, ମରାଠୀ ବିଷୟ ପାଇଁ ମୋତେ ଜେଲ ଯିବାକୁ ପଡ଼ିଛି । ମୁଁ ଜଣେ ସଚ୍ଚା ମରାଠୀ । ଆମର ମହାରାଷ୍ଟ୍ର ପ୍ରଥମେ ଗୁରୁତ୍ବ ଦେବା ଦରକାର । ଦେଶ ବିଦେଶରେ ବହୁ ମରାଠୀ ମାନେ ନିଜର ନାଁ କମେଇଛନ୍ତି । କିନ୍ତୁ ଯେତେବେଳେ ମହାରାଷ୍ଟ୍ରରେ କୌଣସି ଲୋକ ମରାଠୀ ବଦଳରେ ହିନ୍ଦୀ କଥା ବାର୍ତ୍ତା କରେ ମୋତେ ବିରକ୍ତ ଲାଗେ  । ଭାଷାର କୌଣସି ବିରୋଧ ନାହିଁ । କିନ୍ତୁ ହିନ୍ଦୀ ଭାଷା ରାଷ୍ଟ୍ରୀୟ ଭାଷା ନୁହେଁ । ଦେଶରେ କେବେ ଏହାକୁ ରାଷ୍ଟ୍ରଭାଷା ଭାବେ ନିଷ୍ପତ୍ତି ନିଆଯାଇନାହିଁ । ଅନ୍ୟ ଭାଷା ଭଳି ହିନ୍ଦୀ ମଧ୍ୟ ଏକ ଭାଷା । ଏହାସହ ସେ ମହାରାଷ୍ଟ ସରକାରଙ୍କୁ ଅନୁରୋଧ କରିଛନ୍ତି କି, ବିଦ୍ୟାଳୟରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ମରାଠୀ ଭାଷା ରଖାଯିବା ଦରକାର । ଏହାସହ ସେ କହିଛନ୍ତି କି, ଆମେ ହିନ୍ଦୀ ଫିଲ୍ମକୁ ଦେଖୁଛେ । ମାତ୍ର ମରାଠୀ ଭାଷାଠାରୁ ମଧୁର ଭାଷା କିଛି ନାହିଁ । ମରାଠୀରେ ଯେଭଳି ହାସ୍ୟରସ ରହିଛି ଅନ୍ୟ କୌଣସି ଭାଷାରେ ଏଭଳି ନାହିଁ । କିନ୍ତୁ ଆଜି ରାଜନୀତି କାରଣରୁ ଏହି ଭାଷାକୁ ଅଲଗା କରାଯାଉଛି ।

ଭାରତ ବଜେଟ ଇତିହାସରେ ମାତ୍ର ଥରେ ଉପସ୍ଥାପିତ ହୋଇଥିଲା ‘ବ୍ଲାକ୍ ବଜେଟ’, ହେଲେ କାହିଁକି?

ନୂଆଦିଲ୍ଲୀ: ଆପଣ ‘ବ୍ଲାକ୍ ବଜେଟ’ ନାଁ କେବେ ଶୁଣିଛନ୍ତି କି? କ’ଣ ଏହି ‘ବ୍ଲାକ୍ ବଜେଟ’? କାହିଁକି ଉପସ୍ଥାପନ ହୋଇଥିଲା ଏପରି ବଜେଟ?  ଜାଣନ୍ତୁ ଏହାର ଇତିହାସ ବିଷୟରେ ।

୧୯୭୩-୭୪ ଆର୍ଥିକ ବର୍ଷ ବଜେଟକୁ ‘ବ୍ଲାକ୍ ବଜେଟ’ ବୋଲି କୁହାଯାଏ । ଏହି ବଜେଟ ଭାରତ ସରକାରଙ୍କ ଦ୍ବାରା ଉପସ୍ଥାପନ କରାଯାଇଥିଲା । ୧୯୭୧ ମସିହାରେ ପାକିସ୍ତାନ ସହ ଯୁଦ୍ଧ ପରିସ୍ଥିତି, ଖରାପ ମୌସୁମୀ ଏବଂ ଆର୍ଥିକ ସଙ୍କଟ ଭଳି ଅନେକ ସମସ୍ୟା ଦେଇ ଭାରତ ଗତି କରୁଥିଲା । ଏହି ସମୟରେ ଦେଶର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଯାଇଥିଲା । ସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ, ଦେଶକୁ ଅନେକ କଠିନ ପଦକ୍ଷେପ ନେବାର ଆବଶ୍ୟକ ଥିଲା । ତତ୍କାଳୀନ ଅର୍ଥମନ୍ତ୍ରୀ ଯଶବନ୍ତ ରାଓ ବି ଚୌହାନଙ୍କ ଉପରେ ଦେଶର ବିକାଶର ରୂପରେଖକୁ ଦର୍ଶାଉଥିବା ବଜେଟ ଉପସ୍ଥାପନ କରିବାର ଥିଲା ଦାୟିତ୍ୱ ଥିଲା । ଦେଶର ଆର୍ଥିକ ସ୍ଥିତି ସୁଧାରିବାକୁ କଠୋର ଏବଂ ସକରାତ୍ମକ ପଦକ୍ଷେପ ନେବାର ଥିଲା । ଏଥିପାଇଁ ଅର୍ଥମନ୍ତ୍ରୀ ବ୍ଲାକ୍ ବଜେଟ ଉପସ୍ଥାପନ କରିଥିଲେ । ଯେଉଁଥିରେ ଦେଶକୁ ବଦଳିବାକୁ ଆବଶ୍ୟକ ଥିବା ପଦକ୍ଷେପ ନେବାର ଥିଲା ।

ତତ୍କାଳୀନ ଅର୍ଥମନ୍ତ୍ରୀ ଯଶବନ୍ତ ରାଓ ବି ଚୌହାନ ବଜେଟ ଅଭିଭାଷଣରେ କହିଥିଲେ ଯେ, ଦେଶରେ ମରୁଡ଼ି ଏବଂ ଖାଦ୍ୟଶସ୍ୟର ଉତ୍ପାଦନ କମିଥିବାରୁ ବଜେଟରେ ୫୫୦ କୋଟି ଟଙ୍କାର ଆର୍ଥିକ ଅଭାବ ରହିଛି । ଏଥିପାଇଁ ଏହାକୁ ବ୍ଲାକ୍ ବଜେଟ ବୋଲି କୁହାଯାଉଛି ଏବଂ ଦେଶର ଏହି କଠିନ ସମୟରେ ସାମୁହିକ ଏବଂ ଆର୍ଥିକ ହିତକୁ ଦୃଷ୍ଟିରେ ରଖି କଠିନ ପଦକ୍ଷେପ ନିଆଯାଇଛି । କେବଳ ଥରେ ମାତ୍ର ହିଁ ‘ବ୍ଲାକ୍ ବଜେଟ’ ପରିବେଷଣ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ସୁଧାର ଆଣିବା ସହ ଦେଶକୁ ଆର୍ଥିକ ସଙ୍କଟରୁ ବହାରକୁ ଆଣିବାକୁ ଚେଷ୍ଟା କରାଯାଇଥିଲା ।

କେତେବେଳେ ଆସେ ବ୍ଲାକ୍ ବଜେଟ୍?

ଯେତେବେଳେ ସରକାରଙ୍କ  ଆୟ ଆବଶ୍ୟକତା ଅନୁସାରେ ହୁଏନାହିଁ ଏବଂ ଖର୍ଚ୍ଚ ବଢ଼ିଯାଏ ସେତେବେଳେ ବ୍ଲାକ୍ ବଜେଟ ହୁଏ । ଯଦି ଟଙ୍କାଟିଏ ଆୟରେ ଟଙ୍କେ ପଚାଶ ପଇସା ଖର୍ଚ୍ଚ ହୋଇଯାଏ ତାହାଲେ ୫୦ ପଇସା ଋଣ ହୁଏ । ଏହି ସମୟରେ ସରକାର କମ୍ ଖର୍ଚ୍ଚ କରନ୍ତି ଏବଂ ବଜେଟରେ କଠିନ ନିଷ୍ପତ୍ତି ନିଆଯାଏ ।

ଭାରତକୁ ୨୮ ରନରେ ପରାସ୍ତ କଲା ଇଂଲଣ୍ଡ, ଜାଣନ୍ତୁ ପ୍ରଥମ ଟେଷ୍ଟ ପରାଜୟର କାରଣ

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ପରାଜୟ । ୫ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ ଭାରତ ୧-୦ ରେ ପଛୁଆ ରହିଛି । ହାଇଦ୍ରାବାଦ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେଉଥିବାବେଳେ ଭାରତ ୨୮ ରନରେ ପରାସ୍ତ ହୋଇଛି । ଭରତ ଏବଂ ଅଶ୍ବିନୀଙ୍କ ଯୋଡ଼ି ଭାରତକୁ ବିଜୟ ପଥରେ ଅଗ୍ରସର କରୁଥିଲା ମାତ୍ର ଇଂଲଣ୍ଡର ସ୍ପିନ ବାହିନୀ ଆଗରେ ଧରାଶାୟୀ ହୋଇଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ । ଦ୍ବିତୀୟ ପାଳିରେ ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୩୯ ରନ କରିବାରେ ସକ୍ଷମ ହୋଇଥିଲେ । କୌଣସି ଜଣେ ମଧ୍ୟ ଖେଳାଳି ବଡ଼ ପାଳି ଖେଳିବାରେ ସକ୍ଷମ ହୋଇନଥିଲେ । ଭାରତ ବ୍ୟାଟିଂ ନୈରାଶ୍ୟଜନକ ହୋଇଥିଲା । ପ୍ରଥମ ପାଳିରେ ଲିଡ ଦେଇଥିବା ଭାରତୀୟ ଦଳ ଶେଷରେ ପରାଜୟ ବରଣ କରିଛି । ଇଂଲଣ୍ଡର ଡେବ୍ୟୁ ବୋଲର ଟମ ହାର୍ଟଲ ୭ ଓ୍ବିକେଟ ଅକ୍ତିଆର କରିଛନ୍ତି । ୨୩୦ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଭାରତ ପରାଜୟ ବରଣ କରିଛି ।