spot_img
Home Blog Page 2122

୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ, ମହାଯଜ୍ଞ ପାଇଁ ଆଜି ଅଙ୍କୁରାରୋପଣ

ସମ୍ୱଲପୁର : ହାତଠାରି ଡାକିଲାଣି ପଶ୍ଚିମ ଓଡ଼ିଶାର ଆରାଧ୍ୟା ତଥା ସାରା ଓଡ଼ିଶାର ଆସ୍ଥା ଓ ବିଶ୍ବାସର କେନ୍ଦ୍ର ମାଆ ସମଲେଇ ପୀଠର ରୂପାନ୍ତରିତ ରୂପ। ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପର ଲୋକାର୍ପଣ ପାଇଁ ଉତ୍ସବମୁଖର ସାରା ଓଡ଼ିଶା। ପବିତ୍ର ଦିବସରେ ମହାଯଜ୍ଞ ପାଇଁ ଆଜି ହେବ ଅଙ୍କୁରାରୋପଣ। ଏହାପରେ ଆରମ୍ଭ ହେବ ହୋମଯଜ୍ଞ। ୨୪ ତାରିଖରେ କଳସ ଯାତ୍ରା ସହ ମହାନଦୀରୁ ପୂର୍ଣ୍ଣ କଳସ ଅଣାଯାଇ ମାଆଙ୍କ ପୀଠରେ ଅଧିବାସ କରାଯିବ। ୨୭ରୁ ଯଜ୍ଞ ଆରମ୍ଭ ସହ ମନ୍ଦିରର ୪ ଦ୍ବାର ହୋମଯଜ୍ଞ ଓ ଚଣ୍ଡିପାଠରେ ପ୍ରକମ୍ପିତ ହେବ। ସେହିଦିନ ମଧ୍ୟାହ୍ନ ୧୨ଟା ୩୦ ମିନିଟିରେ ଐତିହାସିକ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସନ୍ଧ୍ୟାରେ ମହାନଦୀରେ ଭବ୍ୟ ଆଳତି କରାଯାଇ ବିଧି ଅନୁସାରେ ପୂଜାର୍ଚ୍ଚନା କରାଯାଇ ୩୧ତାରିଖରେ ପୂର୍ଣ୍ଣାହୂତି ପ୍ରଦାନ କରାଯିବ।

ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାବାବେଗକୁ ଦୃଷ୍ଟିରେ ରଖି ନିଜ ଅଞ୍ଚଳର ଗ୍ରାମଦେବତୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କଠାରୁ ସିନ୍ଦୂର ଓ ଚୁନରି ସଂଗ୍ରହ କରାଯିବ । ସିନ୍ଦୂର ଓ ଚୁନରି ମାଆଙ୍କର ଅତ୍ୟନ୍ତ ପ୍ରିୟ। ଭକ୍ତଙ୍କ ମନୋବାଞ୍ଝା ପୂରଣ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ଜାନୁଆରୀ ୩୦ ତାରିଖ ପରଠାରୁ ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ କରିବା ସହ ସିନ୍ଦୂର ଓ ଚୁନରି ଅର୍ପଣ କରିବେ।

ଆଜି ନୟାଗଡ଼ରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା

ନୟାଗଡ : ୧୬୦୦ ଫୁଟ ପାହାଡ଼ ଶୀର୍ଷରେ ଆଖି ଲାଖିଗଲା ପରି ଭବ୍ୟ ରାମ ମନ୍ଦିର । ଦେଶରେ ରାମନ୍ଦିର ପ୍ରାଣପ୍ରତିଷ୍ଠାକୁ ନେଇ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବାବେଳେ ଆଜି ନୟାଗଡ଼ ଜିଲ୍ଲା ଫତେଗଡ଼ ନିକଟ ପାହାଡ଼ ଉପରେ ଭବ୍ୟ ରାମମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି। ପ୍ରତିଷ୍ଠା ଅବସରରେ ପୁରୀ ଶଙ୍କରାଚାର୍ଯ୍ୟ ଏବଂ ଗଜପତି ମହାରାଜା ଯୋଗଦେବେ । ପ୍ରତିଷ୍ଠା ପରେ ପ୍ରଥମେ ରାମଙ୍କୁ ଦର୍ଶନ କରିବେ ଶଙ୍କରାଚାର୍ଯ୍ୟ। ପାହାଡ଼ ଶୀର୍ଷରେ ରାମ ମନ୍ଦିରର ସୁନ୍ଦର କୀର୍ତ୍ତିରାଜି ଦେଖିବାକୁ ମିଳିଛି । ଆଖି ଲାଖି ଗଲା ପରି କାରୁକାର୍ଯ୍ୟ ସହ ପ୍ରାକୃତିକ ପରିବେଶରେ ଶ୍ରଦ୍ଧାଳୁଙ୍କ ଅପେକ୍ଷାରେ ରହିଛି ଏହି ମନ୍ଦିର।

ଫତେଗଡ ଗ୍ରାମବାସୀ ଓ ଶ୍ରୀରାମ ସେବା ପରିଷଦ ନିଜସ୍ୱ ପୁଞ୍ଜିରେ ମନ୍ଦିର ନିର୍ମାଣ କରିଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରର ୧୫୦ ଜଣ ବଛା ବଛା କାରିଗର ୫ ବର୍ଷ ଅକ୍ଲାନ୍ତ ପରିଶ୍ରମ କରି ରାମ ମନ୍ଦିର ନିର୍ମାଣ କରିଛନ୍ତି । ରେଖ, ଭଦ୍ର, ମୋହନ ଢାଞ୍ଚାରେ ତିଆରି ହୋଇଥିବା ଏହି ମନ୍ଦିରର ଉଚ୍ଚତା ପ୍ରାୟ ୬୫ ଫୁଟ । କେବଳ ବଉଳମାଳା ପଥରରେ ନିର୍ମାଣ ହୋଇଛି ମନ୍ଦିର । ସାଧୁସନ୍ଥଙ୍କ ମନ୍ତ୍ରପାଠରେ ଗୁଞ୍ଜରିତ ହେଉଛି ଚତୁଃପାର୍ଶ୍ବ ।

ଆଜି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ, ସାରା ଦେଶରେ ଉତ୍ସୁକତା

ଅଯୋଧ୍ୟା : ଆଜି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ସାରା ଦେଶରେ ଉତ୍ସୁକତା । ହଜାର ହଜାର ସାଧୁ, ସନ୍ଥ ଓ ଭକ୍ତଙ୍କ ସୁଅ ଛୁଟୁଛି ଅଯୋଧ୍ୟାକୁ। ଫୁଲ ଓ ଆଲୋକମାଳାରେ ଝଲସୁଛି ଅଯୋଧ୍ୟା। ମଧ୍ୟାହ୍ନ ୧୨ଟା ୧୫ରୁ ୧୨ଟା ୪୫ ମଧ୍ୟରେ ହେବ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଗତ ୧୬ ତାରିଖରୁ ବିଭିନ୍ନ ଧାର୍ମିକ କାର୍ଯ୍ୟ ଆରମ୍ଭ ହୋଇଛି । ନିରାପତ୍ତା ଦୃଷ୍ଟିରୁ ସାରା ଅଯୋଧ୍ୟାରେ ପୋଲିସ ଓ ବିଭିନ୍ନ ବାହିନୀ ମୁତୟନ ହୋଇଛନ୍ତି । ଉତ୍ସବକୁ ନେଇ ଅଯୋଧ୍ୟାରେ ୧୩ ହଜାର ନିରାପତ୍ତା ରକ୍ଷୀଙ୍କୁ ମୁତୟନ କରାଯାଇଛି । ଉତ୍ସବରେ ସାମିଲ ହେବାକୁ ସୁପରଷ୍ଟାର ଅମିତାଭ ବଚ୍ଚନା, ଶିଳ୍ପପତି ମୁକେଶ ଅମ୍ବାନୀ, ଗୌତମ ଆଦାନୀ, କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ଏମଏସ ଧୋନିଙ୍କୁ ନିମନ୍ତ୍ରଣ କରାଯାଇଛି । ବିଭିନ୍ନ ସ୍ଥାନରେ ଆଣ୍ଟିବମ୍ବ ଓ ଡଗସ୍କ୍ୱାଡ ମୁତୟନ ହୋଇଛନ୍ତି । ଏନଡିଆରଏଫ ବି ମୁତୟନ ହୋଇଛନ୍ତି ।

ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରାୟ ୭ ହଜାର ସାଧୁସନ୍ଥ, ପ୍ରତିଷ୍ଠିତ ବ୍ୟକ୍ତି ଓ ଶ୍ରଦ୍ଧାଳୁଙ୍କୁ ଉଦବୋଧନ ଦେବାର ରହିଛି କାର୍ଯ୍ୟକ୍ରମ । ମହୀଶୂରର ସ୍ଥପତି ଅରୁଣ ଯୋଗୀରାଜ ୫୧ ଇଞ୍ଚର ରାମ ଲାଲା ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଅଯୋଧ୍ୟାରେ ୧୦ ହଜାରରୁ ଅଧିକ ସିସିଟିଭି କ୍ୟାମେରା ଖଞ୍ଜାଯାଇଥିବା ବେଳେ ରାପିଡ ଆକ୍ସନ ଫୋର୍ସ ନିୟୋଜିତ ହୋଇଛନ୍ତି। ଯେକୌଣସି ପ୍ରକାର ରାସାୟନିକ, ଜୈବିକ, ତେଜଷ୍କ୍ରିୟ ଓ ଆଣବିକ ଆକ୍ରମଣ କ୍ଷେତ୍ରରେ ରେସ୍କ୍ୟୁ ଲାଗି ପ୍ରସ୍ତୁତ ରହିଛି ଏନଡିଆରଏଫ । ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି କେନ୍ଦ୍ର ସରକାର ହାଫ-ଡେ ଘୋଷଣା କରିଥିବା ବେଳେ ଓଡ଼ିଶାରେ ବି ହେବ ହାଫ ଡେ ।

ସମସ୍ତ ସରକାରୀ ଗାଡିରେ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ହେବ ବ୍ୟବହାର

ଭୁବନେଶ୍ବର: ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଉନ୍ମୋଚିତ ଲୋଗୋକୁ ବହୁଳ ବ୍ୟବହାର କରାଯିବ । ସମସ୍ତ ବିଭାଗୀୟ ପତ୍ରାଳାପରେ ଏହାକୁ ବ୍ୟବହାର କରାଯିବ । ଏନେଇ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ସମସ୍ତ ସରକାରୀ ଗାଡିରେ ଏହି ସମ୍ମିଳନୀ ଲୋଗୋକୁ ବ୍ୟବହାର ସହ ରାଜ୍ୟର ବିଭିନ୍ନ ପ୍ରମୁଖ ସ୍ଥାନ, ବିଦ୍ୟାଳୟ ଓ ମହାବିଦ୍ୟାଳୟର କାନ୍ଥରେ ମଧ୍ୟ ଏହାକୁ ଚିତ୍ରଣ କରାଯିବ । ଏପରିକି ଜିଲ୍ଲା ସ୍ତରରେ ମଧ୍ୟ ଏହାର ବ୍ୟବହାରକୁ ପ୍ରୋତ୍ସାହିତ କରାଯିବ ।ଦେଶରେ ଅନ୍ୟତମ ଶାସ୍ତ୍ରୀୟ ଭାଷାର ମାନ୍ୟତା ଲାଭ କରିଥିବା ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା ସହିତ ଏହାର ପ୍ରଚାର-ପ୍ରସାର ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ନିମନ୍ତେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ଫେବ୍ରୁଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସ୍ବତନ୍ତ୍ର ଐତିହ୍ୟର ଶକ୍ତିଶାଳୀ ବାହକ ଭାବରେ ଭବିଷ୍ୟତ ତଥା ଯୁବପିଢ଼ିଙ୍କ ପାଖରେ ଓଡ଼ିଆ ଭାଷା କିଭଳି ଆହୁରି ଆଦୃତି ଲାଭ କରିବ ଏବଂ ଆଧୁନିକ ଜ୍ଞାନକୌଶଳକୁ ପ୍ରୟୋଗ କରି ଆମ ଭାଷା କିପରି ଆଗକୁ ବଢ଼ିପାରିବ ଏହି ସମ୍ମିଳନୀ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିବ । ଏ ସମ୍ପର୍କରେ ଭାଷାବିତ ଓ ବୁଦ୍ଧିଜୀବୀ ମାନେ ସମ୍ମିଳନୀର ବିଭିନ୍ନ ସୋପାନରେ ବିଚାର- ବିମର୍ଷ କରିବେ । ବୁଦ୍ଧିଜୀବୀ, ଗବେଷକ, ବିଦ୍ୱାନ୍, ଛାତ୍ରଛାତ୍ରୀ ଏବଂ ଭାଷାକୁ ନେଇ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବା ବ୍ୟକ୍ତିବିଶେଷ ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରିବାରେ ଏହି ସମ୍ମିଳନୀ ଏକ ବଳିଷ୍ଠ ମାଧ୍ୟମ ହେବ ।

କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡି ସାଂଗଠନିକ ସମ୍ପାଦକଙ୍କ କଡା ଜବାବ, EdCIL ସଂସ୍ଥା ଆପଣଙ୍କ ମନ୍ତ୍ରାଳୟ ଅଧୀନରେ ଆସୁଛି ନା ନାହିଁ ପ୍ରଚାରିଲେ ପ୍ରଶ୍ନ

ଭୁବନେଶ୍ବର: କନିଷ୍ଠ ଶିକ୍ଷକ ଯୋଜନାଭିତ୍ତିକ ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂଗଠନିକ ସମ୍ପାଦକଙ୍କ କଡା ଜବାବ । EdCIL ସଂସ୍ଥା ଆପଣଙ୍କ ମନ୍ତ୍ରାଳୟ ଅଧୀନରେ ଆସୁଛି ନା ନାହିଁ ବୋଲି ପ୍ରଶ୍ନ ପ୍ରଚାରିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । EdCIL ଭୁବନେଶ୍ୱର ଏମ୍ସ, ଭାରତୀୟ ସେନା, କୋଲ୍ ଇଣ୍ଡିଆ, ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ, ଇଣ୍ଟେଲିଜେନ୍ସ ବ୍ୟୁରୋ, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ପାଇଁ ନିଯୁକ୍ତି ପରୀକ୍ଷା କରିଛି କି ନାହିଁ । ଯଦି EdCIL କେବେ ଭୁଲ୍ କରିଥିଲା, ତେବେ କଣ ଆକ୍ସନ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ  । ଏହାକୁ ବ୍ଲାକଲିଷ୍ଟେଡ୍ କରିବାକୁ ପଦକ୍ଷେପ ନେଲେନି କଣ ପାଇଁ । EdCIL ସଂସ୍ଥା ଭାରତୀୟ ସେନା ଏବଂ ଅଗ୍ନିବୀର ପାଇଁ ନିଯୁକ୍ତି ପରୀକ୍ଷା କରିଛି। ଏହି ସଂସ୍ଥା ଜରିଆରେ ହଜାର ହଜାର ସଂଖ୍ୟାରେ ଯବାନ ନିଯୁକ୍ତି ପାଇଛନ୍ତି ଓ ଦେଶର ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି। ହେଲେ ନିଜ ରାଜନୈତିକ ସ୍ୱାର୍ଥ ପାଇଁ ଆଜି କେବଳ ନିଜ ସଂସ୍ଥାର ସ୍ୱଛତା ଏବଂ ଦକ୍ଷତା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିନାହାନ୍ତି ବରଂ ଦେଶର ସୁରକ୍ଷାକୁ ମଧ୍ୟ କାଠଗଡାକୁ ଟାଣି ଆଣିଛନ୍ତି । ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନସୀ କଣ କରେ ତାହା ଗୋଟେ ଛୁଆକୁ ପଚାରିଲେ ବି ସେ କହିଦେବ। ଏହି ସଂସ୍ଥା ନିଯୁକ୍ତି ପରୀକ୍ଷା କରେନାହିଁ କେବଳ ଏଣ୍ଟ୍ରାନ୍ସ ପରୀକ୍ଷା ପରିଚାଳନା କରିଥାଏ। ଦେଶର ଶିକ୍ଷାମନ୍ତ୍ରୀ ଥାଇ ମଧ୍ୟ ଆପଣ ଏକଥା ଜାଣିନାହାନ୍ତି, ଏହା ଠାରୁ ଦୁର୍ଭାଗ୍ୟଜନକ କଥା ଆଉ କଣ ହୋଇପାରେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କହିଛନ୍ତି ପ୍ରଣବ ପ୍ରକାଶ ଦାଶ । ନିଜର ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ଆପଣ ମିଛ କହି ଅତୀତରେ ଅନେକ ଥର ଧରାପଡିଛନ୍ତି । ଏବେ ପୁଣି ଡାହାମିଛ କହି ଓଡ଼ିଶାର ଯୁବପୀଢିର ଭବିଷ୍ୟତ ସହ ଖେଳୁଛନ୍ତି ଆଉ ସେମାନଙ୍କୁ ରାଜନୀତିରେ ମୋହରା ବନାଇବାକୁ ଚେଷ୍ଟା କରୁଛନ୍ତି । ଆଇନା ଆଗରେ ନିଜ ମୁହଁ ଦେଖିଲା ବେଳେ ଆପଣଙ୍କୁ କିଭଳି ଲଜ୍ଜା ଲାଗୁନାହିଁ କେଜାଣି ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ ।

 

ପରିମଳ ରକ୍ଷଣାବେକ୍ଷଣ ଦାୟିତ୍ବରେ ରହିବେ ମିଶନ ଶକ୍ତି, ବସ୍ତି ସଂଘ, ତୃତୀୟ ଲିଙ୍ଗୀ ସଂଗଠନ

ଭୁବନେଶ୍ବର: ସ୍ବଚ୍ଛ ଓଡ଼ିଶା ସୁସ୍ଥ ଓଡ଼ିଶା। ଏଣିକି ଗୋଷ୍ଠୀଗତ ଭାବେ ରକ୍ଷଣାବେକ୍ଷଣ ହେବ ସହରାଞ୍ଚଳ ପରିମଳ ବ୍ୟବସ୍ଥା । ସମାଜର ଦୁର୍ବଳଶ୍ରେଣୀ ବର୍ଗକୁ ମିଳିବ ସାମାଜିକ ସ୍ବୀକୃତି। ଭିତ୍ତିଭୂମି ରକ୍ଷଣାବେକ୍ଷଣ ଦାୟିତ୍ବରେ ରହିବେ ମିଶନ ଶକ୍ତି, ବସ୍ତି ଉନ୍ନୟନ ସଂଘ ଓ ତୃତୀୟ ଲିଙ୍ଗୀ ସଂଗଠନ। ରାଜ୍ୟ ସରକାର ଆଣିଛନ୍ତି ଓଡ଼ିଶା ସହାରଞ୍ଚଳ ଗୋଷ୍ଠୀଗତ ପରିମଳ ନୀତି-୨୦୨୪ ବା OUISP । କଠିନ ହେଉ କି ତରଳ ବର୍ଜ୍ୟବସ୍ତୁ। ସହରାଞ୍ଚଳ ପରିମଳ ପରିଚାଳନା ଏକ ବଡ଼ ଚ୍ୟାଲେଞ୍ଜ୍। ସଶକ୍ତ ଓ ସୁଦୃଢ଼ ବ୍ୟବସ୍ଥା ଦେବାରେ ଓଡ଼ିଶା ହୋଇଛି ମଡେଲ୍ ରାଜ୍ୟ। ନୂଆ ନୀତିରେ ପରିମଳ କାର୍ଯ୍ୟରେ ନିୟୋଜିତ କର୍ମଚାରୀ, ସ୍ବଚ୍ଛ ସାଥୀଙ୍କ ସାମାଜିକ ସୁରକ୍ଷାକୁ ଅଗ୍ରାଧିକାର ଦିଆଯାଇଛି। ସେମାନଙ୍କୁ ବୀମାଭୁକ୍ତ କରିବା ସହିତ ଗୋଷ୍ଠୀଗତ କଲ୍ୟାଣ ପାଇଁ ସୁବିଧା ମିଳିବ। ଖାଲି ସେତିକି ନୁହେଁ, ସହରାଞ୍ଚଳବାସୀଙ୍କୁ ପରିମଳ ଭିତ୍ତିଭୂମି ବିଷୟରେ ସଚେତନ କରିବା ସହିତ ଆଇସି କାର୍ଯ୍ୟକ୍ରମ ଜରିଆରେ ନିଜର ଦାୟିତ୍ବ ସମ୍ପର୍କରେ ଅବଗତ କରାଯିବ। ଖାଲି ସେତିକି ନୁହେଁ ସହରାଞ୍ଚଳ ବାସିନ୍ଦା ନିଜ ମୋବାଇଲ ଆପ୍ ‘ସୁଯୋଗ’ଜରିଆରେ ଅଭିଯୋଗ ଦାଖଲ କରିବା ସହିତ ତାର ଟ୍ରାକିଂ ଓ ପ୍ରତିବିଧାନ ନେଇ ସୂଚନା ପାଇପାରିବେ। ଏଥିପାଇଁ ଓକାକ୍ ଦ୍ବାରା ବିକଶିତ ‘ସୁଯୋଗ’ ଆପକୁ ଅପଡେଟ୍ କରାଯାଉଛି। ଏପରି ଗୋଷ୍ଠୀଗତ ନୀତି ଆଣିବାରେ ଦେଶରେ ଓଡ଼ିଶା ଅନନ୍ୟ।

ନୂଆ ପରିମଳ ନୀତିକୁ ସ୍ବାଗତ କରିଛନ୍ତି ଅର୍ବାନ୍ ପ୍ଲାନର୍ । ପୂର୍ବରୁ ସହରାଞ୍ଚଳ ପରିମଳ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଉନଥିଲା। ସେଥିପାଇଁ ସହରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନା ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ଆଗରୁ ଓଡ଼ିଶା ସରକାର ଅର୍ବାନ୍ ସାନିଟେସନ୍ ନୀତି ୨୦୧୭ ପ୍ରଣୟନ କରିଥିଲେ। ସେ ନୀତି ଆଧାରରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇଛି। ପୂର୍ବରୁ ସାନିଟେସନ୍ କାର୍ଯ୍ୟରେ ନିୟୋଜିତ କର୍ମଚାରୀ କିମ୍ବା ଆଉଟସୋର୍ସିଂ କର୍ମଚାରୀଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥା ନଥିଲା। ଏବେ ନୂଆ ନୀତିରେ ସେମାନଙ୍କ କଲ୍ୟାଣ ଓ ଜୀବନରକ୍ଷା ପାଇଁ ବୀମା ବ୍ୟବସ୍ଥା ହୋଇଛି। ଏହାଦ୍ବାରା ସେମାନେ ସମ୍ମାନର ସହ କାର୍ଯ୍ୟ କରିବାର ଅଧିକାର ପାଇବେ।…

ଦୁର୍ବିପାକ ଓଡ଼ିଶାର ଚିର ସହଚର । OUISP ନୀତି-୨୦୨୪ରେ ଦୁର୍ବିପାକ ସହନଶୀଳ ଭିତ୍ତିଭୂମି ପ୍ରସ୍ତୁତ ପାଇଁ ବ୍ୟବସ୍ଥା ରଖାଯାଇଛି। ରକ୍ଷଣାବେକ୍ଷଣ ଦାୟିତ୍ବ ସୁଚାରୁ ରୂପେ ତୁଲାଇବା ପାଇଁ ଗୋଷ୍ଠୀଗତ ଭାବେ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରିଛନ୍ତି ସରକାର ।

 

ପଶ୍ଚିମ ଓଡ଼ିଶାରେ ଅପୂର୍ବ ଶିଳ୍ପ ସମ୍ଭାବନା, ସୁଯୋଗ ଆଣିଛି ଝାରସୁଗୁଡ଼ା ଶିଳ୍ପ ସମ୍ମିଳନୀ ଓ ଭିତ୍ତିଭୂମି

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ପ୍ରଥମ ଶିଳ୍ପ ସମ୍ମିଳନୀ । ଫୋକସରେ ପଶ୍ଚିମ ଓଡ଼ିଶା । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଗୁରୁତ୍ବ । ରାଉରକେଲା, ବରଗଡ଼, ସମ୍ବଲପୁର, ବଲାଙ୍ଗୀର, ବ୍ରଜରାଜନଗର ଓ ଝାରସୁଗୁଡ଼ା ଅଞ୍ଚଳରେ ଶିଳ୍ପାୟନକୁ ମିଳିଛି ବଳ । ହୀରାକୁଦ ପାଣି, ପର୍ଯ୍ୟାପ୍ତ ଲୁହାପଥର, ବକ୍ସାଇଟ୍‌, କ୍ରୋମାଇଟ୍‌ ସହିତ ରାଉରକେଲା ଓ ଝାରସୁଗୁଡ଼ାକୁ ବିମାନ ସଂଯୋଗ ଶିଳ୍ପପତିଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି । ବିଜୁ ଏକ୍ସପ୍ରେସ ଓ୍ବେ, ବିଜୁସେତୁ ଭଳି ଭିତ୍ତିଭୂମି ପଶ୍ଚିମ ଓଡ଼ିଶାକୁ ଯୋଗାଯୋଗ କ୍ଷେତ୍ରରେ ସୁଦୃଢ଼ କରିଛି । ଝାରସୁଗୁଡ଼ାରେ ଶିଳ୍ପ ସମ୍ମିଳନୀ ପୁଞ୍ଜି ଯୋଗାଡ଼ରେ ହୋଇଛି ସହାୟକ । ଗୋଟିଏ ଦିନରେ ବିଭିନ୍ନ ଶିଳ୍ପପତିଙ୍କ ସହ ୧୧ଟି ଚୁକ୍ତିନାମା ସ୍ବାକ୍ଷର ହୋଇଛି । ୧୧ଟି ଶିଳ୍ପରେ ୨୩ ହଜାର ୩୮୯ କୋଟି ଟଙ୍କା ବିନିଯୋଗ ସହ ୧୫ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ । ରାଉରକେଲା ପରେ ଝାରସୁଗୁଡ଼ା ସାଜିଛି ପଶ୍ଚିମ ଓଡ଼ିଶାର ଶିଳ୍ପକେନ୍ଦ୍ର ।

ରାଜ୍ୟ ସରକାରଙ୍କ ପ୍ରାଥମିକତା ତାଲିକାରେ ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ, କେମିକାଲ, ଆଇଟି, ପ୍ଲାଷ୍ଟିକ, ସେବା କାଟାଗୋର ଅଛି । ପଶ୍ଚିମ ଓଡ଼ିଶାରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ବ୍ୟତୀତ ବେଦାନ୍ତ, ହିଣ୍ଡାଲକୋ, ନାଲକୋ, ଜିନ୍ଦଲ ଭଳି କମ୍ପାନୀ ଷ୍ଟିଲ କ୍ଷେତ୍ରରେ ବୃହତ୍‌ ପୁଞ୍ଜିନିବେଶ କରିଥିବା ବେଳେ ଏବେ ଶକ୍ତି, ପ୍ଲାଷ୍ଟିକ, ବିସ୍କୁଟ କାରଖାନା ପାଇଁ ଚୁକ୍ତି ହୋଇଛି । ବୃହତ୍‌ ଶିଳ୍ପ ଅପେକ୍ଷା ରାଜ୍ୟ ସରକାର ଏମ୍ଏସଏମ୍ଇ ଉପରେ ଗୁରୁତ୍ବ ଦେଉଥିବାରୁ ଅଧିକ ନିଯୁକ୍ତି ସମ୍ଭାବନା ବଢ଼ିଛି । ୨୦୨୫ ସୁଦ୍ଧା ଅଢ଼େଇ ଲକ୍ଷ କୋଟି ପୁଞ୍ଜିନିବେଶ ସାଙ୍ଗକୁ ୩୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବା ଦିଗରେ ଆଗେଇ ଚାଲିଛି ଓଡ଼ିଶା । ସ୍ଥିର ସରକାର ସାଙ୍ଗକୁ ଶିଳ୍ପ ପାଇଁ ଲ୍ୟାଣ୍ଡ ବ୍ୟାଙ୍କ, ଶିଳ୍ପନୀତି, ଶିଳ୍ପ ପ୍ରତିଷ୍ଠା ଦିଗରେ ପ୍ରଶାସନିକ ତତ୍ପରତା ପାଇଁ ଶିଳ୍ପପତି ଓଡ଼ିଶାମୁହାଁ ହୋଇଛନ୍ତି । ଝାରୁସୁଗୁଡ଼ାରେ ଆୟୋଜିତ ତିନି ଦିନିଆ ଶିଳ୍ପ ସମ୍ମିଳନୀ ପୂରା ପଶ୍ଚିମ ଓଡ଼ିଶା ଉପରେ ପ୍ରଭାବ ପକାଇବ ।

କିଛିଦିନ ତଳେ ବରଗଡ଼ରେ ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ଓ ସମ୍ବଲପୁରରେ ମିଲ୍କ ସମ୍ମିଟ ଆୟୋଜନ ହୋଇଥିଲା । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଝାରୁସୁଗୁଡ଼ାରେ ଶିଳ୍ପ ସମ୍ମିଳନୀ ଆୟୋଜନ ପଶ୍ଚିମ ଓଡ଼ିଶାରେ ଅଧିକ ପୁଞ୍ଜି ବିନିଯୋଗ ପାଇଁ ବାଟ ଫିଟାଇଛି । ସ୍ଥାନୀୟ ଯୁବକ ଯୁବତୀଙ୍କୁ ଅଧିକ ନିଯୁକ୍ତି ମିଳିବା ସମ୍ଭାବନା ସୃଷ୍ଟି ହୋଇଛି  ।

ସାନିଆ-ସୋଏବଙ୍କ ହାଇପ୍ରୋଫାଇଲ ଡିଭୋର୍ସକୁ ନେଇ ଭାରତ ଓ ପାକିସ୍ତାନରେ ହଲଚଲ, ସାନିଆଙ୍କ ସପକ୍ଷରେ ପାକିସ୍ତାନୀ ଫ୍ୟାନ  

ନନ୍ଦିଘୋଷ ବ୍ୟୁରୋ: କ୍ରୀଡ଼ା ଜଗତରେ ହଇଚଇ । ଟପ କ୍ରିକେଟର ଓ ଟେନିସ ସୁପର ଷ୍ଟାରଙ୍କ ହାଇପ୍ରୋଫାଇଲ ଡିଭୋର୍ସକୁ ନେଇ ଭାରତ ଓ ପାକିସ୍ତାନ ହଲଚଲ । କାହିଁକି ଘଟିଲା ସୋଏବ ମଲ୍ଲିକ ଓ ସାନିଆ ମୀର୍ଜାଙ୍କ ମଧ୍ୟରେ ବିବାହ ବିଚ୍ଛେଦ? ଭାରତୀୟ କ୍ରୀଡ଼ାର ଆମ୍ବାସାଡର ସାନିଆଙ୍କୁ କାହିଁକି ପରିତ୍ୟାଗ କଲେ ସୋଏବ? କିଛି ମାସ ତଳୁ ଏହି ବିବାହ ବିଚ୍ଛେଦ ଘଟିଥିବା ନେଇ ସୂଚନା ଦେଇଛନ୍ତି ସାନିଆଙ୍କ ବାପା ଇମ୍ରାନ । ସେ କହିଛନ୍ତି- ଏହି ଡିଭୋର୍ସ ଥିଲା ଇସଲାମ ଧର୍ମ ଅନୁସାରେ ’ଖୁଲା’ । କୁହାଯାଉଛି ସୋଏବଙ୍କ ପରକୀୟା ପ୍ରୀତିରେ ଉତକ୍ଷିପ୍ତ ହୋଇ ସାନିଆ ଦେଇଥିଲେ ’ଖୁଲା’ । ଗତ ସପ୍ତାହରେ ବିବାହ ବିଚ୍ଛେଦ ନେଇ କ୍ରିପ୍ଟିକ ମେସେଜ ପୋଷ୍ଟ କରିଥିଲେ ଟେନିସ ତାରକା । ସାନିଆଙ୍କ ଟୁଇଟର ତିନି ଦିନ ପରେ କଳ୍ପନାଜଳ୍ପନାର ଅବସାନ ଘଟାଇଥିଲେ ସୋଏବ । ପାକ ଅଭିନେତ୍ରୀ ସାନା ଜାଭେଦଙ୍କ ସହ ନିକାହର ଫଟୋ ପ୍ରକାଶ କରି ସସପେନ୍ସର ଘଟାଇଥିଲେ ଅନ୍ତ ।

ପୂର୍ବରୁ ନିଜର ମେସେଜରେ ସାନିଆ ଦର୍ଶାଇଥିଲେ ବିବାହ ହେଉଛି କଷ୍ଟସାଧ୍ୟ । ଛାଡପତ୍ର ବି କଷ୍ଟସାଧ୍ୟ । ଆମକୁ କଠିନତାକୁ ବାଛିବାକୁ ପଡିବ । ତେବେ ବୁଦ୍ଧିମାନର ସହ କାର୍ଯ୍ୟ କରିବାକୁ ପଡିବ । କିଛି ଦିନ ତଳେ ସାନିଆଙ୍କୁ ଇନଷ୍ଟାଗ୍ରାମରେ ଅନଫଲୋ କରିଥିଲେ ସୋଏବ । ବାସ୍ ତା ପରଠାରୁ ଡିଭୋର୍ସ ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା । ସେପଟେ ଛାଡପତ୍ର ପରେ ପାକିସ୍ତାନ ସୋସିଆଲ ମିଡିଆରେ ସାନିଆଙ୍କ ସପକ୍ଷରେ ବଢିଛି ସମବେଦନାର ସୁଅ । ବିଚ୍ଛେଦକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପ୍ରଶଂସକ ।

ସୋଏବ ମଲ୍ଲିକଙ୍କ ରସିକିଆ ଜୀବନ ଥିଲା କିଛି ଏପରି । ୨୦୦୨ରେ ଆୟେଶା ସିଦ୍ଦିକଙ୍କୁ ବିବାହ କରିଥିଲେ ସୋଏବ । ଏହି ବିବାହର ଅନ୍ତଘଟିଥିଲା ଏପ୍ରିଲ ୨୦୧୦ରେ । ତେବେ ବିଚ୍ଛେଦର ମାତ୍ର ୫ ଦିନ ପରେ ସାନିଆ ମୀର୍ଜାଙ୍କ ହାତ ଧରିଥିଲେ କ୍ରିକେଟ ଷ୍ଟାର । ଶେଷରେ ୫ ମାସ ତଳେ ସାନିଆଙ୍କୁ ପରିତ୍ୟାଗ କରି ଗତ ଜାନୁଆରୀ ୨୦ରେ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କରିଥିଲେ ସୋଏବ । ପୂର୍ବରୁ ୨୦୨୦ରେ ସାନା ଜାଭେଦଙ୍କ ସହ ଗାୟକ ଉମେର ଜସଓ୍ବାଲଙ୍କ ହୋଇଥିଲା ବିବାହ । ମାତ୍ର କିଛି ମାସ ପରେ ସେମାନଙ୍କ ବିବାହରେ ପଡିଥିଲା ପୂର୍ଣ୍ଣଚ୍ଛେଦ । ଅକ୍ଟୋବର ୨୦୧୮ରେ ସାନିଆଙ୍କ ଗର୍ଭରୁ ଜନ୍ମ ନେଇଥିଲା ପୁଅ ଇଜାନ ମୀର୍ଜା ମଲିକ ।

ଫେଲ୍ ପ୍ରାର୍ଥୀଙ୍କ ଲୁହରେ ଭିଜିଲା ରାଜନୀତି, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବିବାଦୀୟ ବୟାନର ଜବାବ ଦେଲା ବିଜେଡି

ଭୁବନେଶ୍ବର: କନିଷ୍ଠ ଶିକ୍ଷକ ଯୋଜନାଭିତ୍ତିକ ନିଯୁକ୍ତିକୁ ନେଇ ବିରୋଧୀଙ୍କ ରାଜନୀତି । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନଥିବା ପ୍ରାର୍ଥୀଙ୍କ ଦୁଃଖରେ ରାଜନୈତିକ ଫାଇଦା ନେବାକୁ ପ୍ରୟାସ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ପ୍ରସଙ୍ଗରେ ବିବାଦୀୟ ବୟାନ ଦେଉ ଦେଉ ତାଙ୍କୁ ଚେକ୍ ଦେଇଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଯାହା ଧର୍ମେନ୍ଦ୍ରଙ୍କ ଭିତିରିଆ ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଛି । ଶିକ୍ଷକ ନିଯୁକ୍ତିର ପୂରା ପ୍ରକ୍ରିୟା କେନ୍ଦ୍ରୀୟ ସଂସ୍ଥା EdCIL ଜରିଆରେ କରାଯାଇଛି । ଯାହା ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଛି । ଏପରି ସ୍ଥିତିରେ ଧର୍ମେନ୍ଦ୍ର ନିଜ ମନ୍ତ୍ରାଳୟର ସଂସ୍ଥାର ପାରିବାପଣିଆ ହିଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ହୀନ ରାଜନୀତିକୁ ପଦାରେ ପକାଇ ଦେଇଛି । ପ୍ରଣବଙ୍କ ପ୍ରଶ୍ନରେ ଧର୍ମେନ୍ଦ୍ରଙ୍କ ପାଖରେ ଜବାବ ନାହିଁ । ଫେକ୍ ସୋସିଆଲ ମିଡିଆ ଆଇଡି ଜରିଆରେ ବିଜେପି ଭ୍ରମ ସୃଷ୍ଟି କରୁଥିବା ବିଜେଡି ଅଭିଯୋଗ କରିଛି ।

ଅନ୍ୟପଟେ ଆନ୍ଦୋଳନରତ ପ୍ରାର୍ଥୀମାନଙ୍କୁ ନେଇ ଚାଲିଥିବା ରାଜନୀତିକୁ ନାପସନ୍ଦ କରିଛନ୍ତି ଶିକ୍ଷାବିତ୍ । ୭ ବର୍ଷ ପରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଥିଲେ ରାଜ୍ୟ ସରକାର । ଯାହା ୨୦ ହଜାର ଆଶାୟୀଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇଛି । ଆଗକୁ ଆହୁରି ୧୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା ନେଇ ସୂଚନା ମିଳିଛି । ଏଥିପାଇଁ ପ୍ରସ୍ତୁତି କରିବାକୁ ଶିକ୍ଷାବିତମାନେ ପରାମର୍ଶ ଦେଇଛନ୍ତି ।

କେନ୍ଦ୍ରୀୟ ସଂସ୍ଥା EdCIL ‘ମିନି ରତ୍ନ’ କାଟେଗୋରୀରେ ଆସେ । ଯାହା କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ, ଏମ୍ସ, ଭାରତୀୟ ସେନା ଏବଂ ଅନ୍ୟ ସଂସ୍ଥା ପାଇଁ ହଜାର ହଜାର ସଂଖ୍ୟାରେ ନିଯୁକ୍ତି କରିଥାଏ । ତେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏହା ଜାଣିଛନ୍ତି ନା ଜାଣିଶୁଣି ରାଜନୀତି କରିବାକୁ ବିବାଦ ସୃଷ୍ଟି କରୁଛନ୍ତି, ତାହା ପ୍ରଶ୍ନ ।

ନେତାଜୀ ଜୟନ୍ତୀ ପାଇଁ ପ୍ରସ୍ତୁତି ଜୋରଦାର, ସଜେଇ ହେଉଛି ଜନ୍ମସ୍ଥାନ ସଂଗ୍ରହାଳୟ

କଟକ: ନେତାଜୀ ଜୟନ୍ତୀ ପାଇଁ ପ୍ରସ୍ତୁତି ଜୋରଦାର । କଟକ ଓଡ଼ିଆ ବଜାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ଆୟୋଜିତ ହୋଇଛି ମୃଣ୍ମୟ ଭାସ୍କର୍ଯ୍ୟ ଶିଳ୍ପୀ ଶିବିର । ଓଡିଶା ଲଳିତ କଳା ଏକାଡେମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ଶିବିରରେ ଶ୍ରେଷ୍ଠ ୧୮ ଜଣ ଯୁବ ଭାସ୍କର୍ଯ୍ୟ ଶିଳ୍ପୀ ଭାଗ ନେଇଛନ୍ତି । ତିନିଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଶିବିରରେ ନେତାଜୀଙ୍କ ଜୀବନୀ, ସଂଗ୍ରାମର କାହାଣୀ ଓ ଆଦର୍ଶ ଉପରେ ସୁନ୍ଦର ସୁନ୍ଦର ଭାସ୍କର୍ଯ୍ୟ ପ୍ରତିମୂର୍ତ୍ତି ତିଆରି ହେଉଛି । ମାଟି, ଅଠା ଓ ରଙ୍ଗ ସାହାଯ୍ୟରେ ପ୍ରସ୍ତୁତ ହେଉଥିବା ଏହି ସବୁ ଭାସ୍କର୍ଯ୍ୟ ନେତାଜୀଙ୍କ ଜୟନ୍ତୀରେ ପ୍ରଦର୍ଶିତ ହେବ।

ଜାନୁଆରୀ ୨୩ ତାରିଖରେ ନେତାଜୀ ଜୟନ୍ତୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଗ୍ରହାଳୟକୁ ଆସି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିବେ । ହଜାର ହଜାର ଛାତ୍ରଛାତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ସଂଗ୍ରହାଳୟ ବୁଲିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିବେ । ଜୟନ୍ତୀ ପୂର୍ବରୁ ଚିତ୍ରକରଙ୍କୁ ନେଇ ପେଣ୍ଟିଂ ପ୍ରଦର୍ଶନୀ ଆୟୋଜିତ ହେଉଥିଲା । ଚଳିତବର୍ଷ ଭାସ୍କର୍ଯ୍ୟ ଶିଳ୍ପୀଙ୍କୁ ଉତ୍ସାହିତ କରିବା ପାଇଁ ହୋଇଛି ଅଭିନବ ଆୟୋଜନ । ଏହି ଅବସରରେ ସମସ୍ତ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି ଅବସରରେ ରୂପାନ୍ତରିତ ସଂଗ୍ରହାଳୟ ଦେଖିବେ ଦର୍ଶକ ।