spot_img
Home Blog Page 2123

ଟ୍ରାଫିକ ନିୟମ ବିଷୟରେ ସଚେତନ କରିବେ ଛୋଟା ପୋଲିସ୍, ପିଲାଙ୍କୁ ଦିଆଯାଇଛି ଟ୍ରେନିଂ

ବାଲେଶ୍ବର: ଘରେ ଘରେ ଏବେ ଛୋଟା ପୋଲିସ୍ । ଟ୍ରାଫିକ ନିୟମ ବିଷୟରେ କରୁଛନ୍ତି ସଚେତନ । ଗାଡ଼ି ଚଳାଇବାବେଳେ ହେଲମେଟ୍ ବ୍ୟବହାର କରିବା, ରାସ୍ତାରେ ଧିରେ ଗାଡ଼ି ଚାଳନା କରିବା, ଗାଡ଼ି ଚଳାଇବାବେଳେ ମୋବାଇଲ ବ୍ୟବହାର ନକରିବା । ଏମିତି ଅନେକ ବିଷୟରେ ଘରେ ଘରେ ଅଭିଭାବକଙ୍କୁ ସଚେତନ କରୁଛନ୍ତି କୁନି କୁନି ପିଲା । ରାସ୍ତାରେ ଘଟୁଥିବା ବର୍ଦ୍ଧିତ ଦୁର୍ଘଟଣାକୁ ନଜରରେ ରଖି ଏମିତି ଏକ ଅଭିନବ ଉଦ୍ୟମ କରିଛି ବାଲେଶ୍ବର ପୋଲିସ୍ । ଏଥିପାଇଁ ସ୍କୁଲ ସ୍ତରରେ ପିଲାଙ୍କୁ ଟ୍ରାଫିକ ଟ୍ରେନିଂ ଦିଆଯାଇଛି । ଟ୍ରାଫିକ ପୋଲିସ୍ ବାଟ ଦେଖାଉଥିବାବେଳେ ସଚେତନ କରୁଛନ୍ତି ଏହି କୁନି ପୋଲିସ୍ ।

୨୦୨୦ରେ ବାଲେଶ୍ବର ଜିଲ୍ଲାରେ ୪୮୧ଟି ସଡ଼କ ଦୁର୍ଘଟଣା ଘଟିଥିବାବେଳେ ୨୨୮ ଜଣ ଆହତ ହୋଇଥିଲେ ଓ ୩୭୦ ଜଣକର ମୃତ୍ୟୁ ହୋଇଥିଲା । ୨୦୨୧ରେ ୪୭୨ଟି ଦୁର୍ଘଟଣାରେ ୪୧୨ ଜଣ ଆହତ ହୋଇଥିବାବେଳେ ୨୪୭ ଜଣଙ୍କ ଯାଇଥିଲା ଜୀବନ । ୨୦୨୨ରେ ୩୯୨ଟି ଦୁର୍ଘଟଣାରେ ୨୧୦ ଜଣଙ୍କର ମୃତ୍ୟୁ ଓ ୩୪୪ ଜଣ ଆହତ ହୋଇଥିଲେ । କେନ୍ଦ୍ର ରିପୋର୍ଟ ଅନୁସାରେ ଭାରତରେ ପ୍ରତି ଘଣ୍ଟାରେ ୪୭ ଟି ସଡ଼କ ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହେଉଛି । ପ୍ରତିଦିନ ହାରାହାରି ୧୧୩୦ଟି ଦୁର୍ଘଟଣା ଘଟୁଥିବାବେଳେ ୪୨୨ ଜଣଙ୍କର ମୃତ୍ୟୁ ହେଉଛି । ତେଣୁ ଦୁର୍ଘଟଣା ହ୍ରାସ କରିବାକୁ ପୋଲିସ ପକ୍ଷରୁ ଏପରି ଅଭିନବ ଉଦ୍ୟମକୁ ସଭିଏଁ ସ୍ବାଗତ କରିଛନ୍ତି ।

 

ସମ୍ ହସପିଟାଲର ଫୁଲନଖରା କ୍ୟାମ୍ପସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଓଡ଼ିଶାର ସ୍ବାସ୍ଥ୍ୟସେବାରେ ନୂଆ ଅଧ୍ୟାୟ । ଶୁଭାରମ୍ଭ ହୋଇଛି ସମ ହସପିଟାଲର ଫୁଲନଖରା କ୍ୟାମ୍ପସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିଛନ୍ତି । ସ୍ବାସ୍ଥ୍ୟସେବାରେ ଏହା ହେବ ରାଜ୍ୟର ସବୁଠୁ ଅତ୍ୟାଧୁନିକ ହସ୍ପପିଟାଲ । ସମ୍ ହସପିଟାଲର ଫୁଲନଖରା କ୍ୟାମ୍ପସରେ ସମସ୍ତ ବିଭାଗ ସହିତ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ଭିତ୍ତିଭୂମି ରହିଛି । ଜେନେରାଲ୍ ମେଡିସିନ୍ ସହ, ରେସ୍ପିରେଟାରୀ ମେଡିସିନ, କ୍ରିଟିକାଲ କେୟାର ମେଡିସିନ, ପେଡିଆଟ୍ରିକ ଅଙ୍କୋଲୋଜି, ଜେନେରାଲ ସର୍ଜରୀ, ଅର୍ଥୋପେଡିକ୍ସ ଆଦି ଅନେକ ବିଭାଗ ରହିଛି । ସମ ହସପିଟାଲର ବିଶେଷଜ୍ଞ ଡାକ୍ତରମାନେ ଏଠାରେ ମଧ୍ୟ ଚିକିତ୍ସା ସହାୟତା ଯୋଗାଇଦେବେ ।

୨୪ ଘଣ୍ଟା ଜରୁରୀକାଳୀନ ସେବା ପ୍ରଦାନ କରାଯିବା ସହ ଆଇସିୟୁ, ଆୟୁସିସିୟୁ, ପିଆଇସିୟୁ ସୁବିଧା ଉପଲବ୍ଧ ହେଉଛି । ଏହା ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବାରେ ସହାୟକ ହେବ ବୋଲି ସମ ପକ୍ଷରୁ କୁହାଯାଇଛି । ୭୫୦ ଶଯ୍ୟା ସହ ମିଳିବ ୨୪ ଘଣ୍ଟିଆ ଚିକିତ୍ସା ସୁବିଧା । ଆଗାମୀ ଦୁଇବର୍ଷ ମଧ୍ୟରେ ୩ ହଜାର ବେଡ ବୃଦ୍ଧି କରାଯିବ ବୋଲି କର୍ତ୍ତୃପକ୍ଷଙ୍କ ଘୋଷଣା କରିଛନ୍ତି ।…

ନବୋଦୟ ପରୀକ୍ଷାରେ ସାଂଘାତିକ ତ୍ରୁଟି, ଓଡ଼ିଆ ପିଲାକୁ ଦିଆଗଲା ତେଲୁଗୁ ପ୍ରଶ୍ନପତ୍ର

କେନ୍ଦୁଝର: ନବୋଦୟ ପରୀକ୍ଷାରେ ସାଂଘାତିକ ତ୍ରୁଟି ଅଭିଯୋଗ । ଓଡ଼ିଆ ପିଲାକୁ ତେଲୁଗୁ ପ୍ରଶ୍ନପତ୍ର । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଜବାହର ନବୋଦୟ ପ୍ରବେଶିକା ପରୀକ୍ଷାରେ ଏଭଳି ବିଭ୍ରାଟ ଦେଖିବାକୁ ମିଳିଛି । ଜଣେ ଓଡିଆ ପରୀକ୍ଷାର୍ଥୀଙ୍କୁ ତେଲୁଗୁ ପ୍ରଶ୍ନପତ୍ର ଦିଆଯିବାରୁ ସେ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି । ଅଭିଯୋଗ ଅନୁସାରେ ତେଲକୋଇ ବ୍ଲକ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାଶ ଓଡ଼ିଆ ମାଧ୍ୟମରେ ପାଠ ପଢ଼ୁଛନ୍ତି । ସେ ସାଧାରଣ ବର୍ଗର ହୋଇଥିବାବେଳେ ନବୋଦୟ ପରୀକ୍ଷା ପାଇଁ ତାଙ୍କ ଆଡମିଟ୍ କାର୍ଡରେ କାଟାଗୋରୀ ଓବିସି ଏବଂ ପରୀକ୍ଷା ଭାଷା ଓଡ଼ିଆ ବଦଳରେ ତେଲେଗୁ ରହିଥିଲା  । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଏଭଳି ହୋଇଥିବା ଅଭିଯୋଗ ହୋଇଛି  । ଆଉ ଥରେ ଓଡ଼ିଆରେ ପରୀକ୍ଷା ପାଇଁ ସୁଯୋଗ ଦେବାକୁ ଦାବି କରିଛନ୍ତି ପରିବାର ଲୋକ  ।

 

ସାନିଆ ମିର୍ଜାଙ୍କ ସପକ୍ଷରେ ପାକିସ୍ତାନ ନାଗରିକ, ବିବାହ ବିଚ୍ଛେଦକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପ୍ରଶଂସକ

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜାଙ୍କ ସପକ୍ଷରେ ପାକିସ୍ତାନ ନାଗରିକ। ସୋସିଆଲ ମିଡିଆରେ ସାନିଆଙ୍କ ସପକ୍ଷରେ ଅନେକ ପାକିସ୍ତାନୀ ନାଗରିକ ପୋଷ୍ଟ କରିଛନ୍ତି। ପାକିସ୍ତାନୀ ସାମାଜିକ ଗଣମାଧ୍ୟମରେ ଅନେକ ୟୁଜର୍ସ ସାନିଆଙ୍କୁ ସମର୍ଥନ ଜଣାଇଛନ୍ତି । ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ ଏବଂ ସାନିଆଙ୍କ ବିବାହ ବିଚ୍ଛେଦକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପ୍ରଶଂସକ । ସୋଏବଙ୍କ ତୃତୀୟ ବିବାହ ପରେ ସାନିଆଙ୍କ ସହ ବିବାହ ବିଚ୍ଛେଦ ହୋଇଥିବା ସ୍ପଷ୍ଟ ହୋଇଛି। ସାନିଆ ମିର୍ଜାଙ୍କ ପରିବାର ଏ ନେଇ ସୂଚନା ଦେଇଛନ୍ତି। ବିବାହ ବିଚ୍ଛେଦ ଖବରକୁ ଦୁଇ ଦେଶର ଅନେକ କ୍ରୀଡା ପ୍ରଶଂସକ ସହଜରେ ଗ୍ରହଣ କରିପାରିନାହାନ୍ତି । ସୋଏବ ମଲ୍ଲିକ ପାକିସ୍ତାନର ଜଣେ ଭଲ ବ୍ୟାଟ୍ସମ୍ୟାନ୍ ଥିବାବେଳେ ସାନିଆ ମିର୍ଜା ଅନ୍ତର୍ଜାତୀୟ ଟେନିସର ଜଣେ ଷ୍ଟାର ଖେଳାଳି ଥିଲେ। ବିବାହ ବିଚ୍ଛେଦ ନେଇ ଉଭୟଙ୍କ ପକ୍ଷରୁ ସୋସିଆଲ ମିଡିଆରେ କୌଣସି ସୂଚନା ଦିଆଯାଇନଥିଲା । ସୋଏବଙ୍କ ଗତକାଲି ପାକିସ୍ତାନ ଅଭିନେତ୍ରୀ ସାନା ଜାଭେଦଙ୍କ ସହ ସମ୍ପନ୍ନ ହୋଇଥିବାବେଳେ ଏହାକୁ ନେଇ ସୋସିଆଲ ମିଡିଆରେ ଏକ ମେସେଜ୍ ପୋଷ୍ଟ କରିଥିଲେ ସାନିଆ । ଏଥିରୁ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିବା ଆଶଂକା କରାଯାଇଥିଲା ।  ତେବେ ଏହି ସୋସିଆଲ ମିଡିଆ ପୋଷ୍ଟର ୩ ଦିନ ପରେ ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଥିଲେ ସୋଏଲ ମଲ୍ଲିକ। ସାନିଆ ମିର୍ଜାଙ୍କ ବାପା ସାନିଆ ସୋଏବ ଛାଡ଼ପତ୍ର ନେଇ ସ୍ପଷ୍ଟ କରିଛନ୍ତି । ଇସଲାମର ଖୁଲା  ଛାଡ଼ପତ୍ର ରୀତିନୀତିରେ ଏହି ବିବାହ ବିଚ୍ଛେଦ ହୋଇଛି। ଖୁଲା ଇସଲାମ ଧର୍ମରେ ଏପରି ଏକ ବ୍ୟବସ୍ଥା ଯେଉଁଥିରେ ପତ୍ନୀ ସ୍ବାମୀକୁ ନିଜ ଆଡ଼ୁ ଛାଡ଼ପତ୍ର ପ୍ରଦାନ କରିଥାଏ।…

୨୭ରେ ସମଲେଇ ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମ୍ବଲପୁର: ଡାକିଲେଣି ମାଆ…ଡାକିଲାଣି ବିଜେସ୍ଥଳୀ । ଭକ୍ତଙ୍କ ଅପେକ୍ଷାରେ ମାଆ ସମଲେଶ୍ବରୀଙ୍କ ଭବ୍ୟପୀଠ । ହାତଠାରି ଡାକିଲାଣି ପଶ୍ଚିମ ଓଡ଼ିଶାର ଆରାଧ୍ୟା ତଥା ସାରା ଓଡ଼ିଶାର ଆସ୍ଥା ଓ ବିଶ୍ବାସର କେନ୍ଦ୍ର ମାଆ ସମଲେଇ ପୀଠର ରୂପାନ୍ତରିତ ରୂପ। ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପର ଲୋକାର୍ପଣ ପାଇଁ ଉତ୍ସବମୁଖର ସାରା ଓଡ଼ିଶା। ଏହାରି ଭିତରେ ଆସନ୍ତାକାଲି ପବିତ୍ର ଦିବସରେ ମହାଯଜ୍ଞ ପାଇଁ ହେବ ଅଙ୍କୁରାରୋପଣ। ଏହାପରେ ଆରମ୍ଭ ହେବ ହୋମଯଜ୍ଞ । ୨୪ ତାରିଖରେ କଳସ ଯାତ୍ରା ସହ ମହାନଦୀରୁ ପୂର୍ଣ୍ଣ କଳସ ଅଣାଯାଇ ମାଆଙ୍କ ପୀଠରେ ଅଧିବାସ କରାଯିବ । ୨୭ରୁ ଯଜ୍ଞ ଆରମ୍ଭ ସହ ମନ୍ଦିରର ୪ଦ୍ବାର ହୋମଯଜ୍ଞ ଓ ଚଣ୍ଡିପାଠରେ ପ୍ରକମ୍ପିତ ହେବ। ସେହିଦିନ ମଧ୍ୟାହ୍ନ ୧୨ଟା ୩୦ ମିନିଟିରେ ଐତିହାସିକ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସନ୍ଧ୍ୟାରେ ମହାନଦୀରେ ଭବ୍ୟ ଆଳତି କରାଯାଇ ବିଧିଅନୁସାରେ ପୂଜାର୍ଚ୍ଚନା କରାଯାଇ ୩୧ତାରିଖରେ ପୂର୍ଣ୍ଣାହୂତି ପ୍ରଦାନ କରାଯିବ।

ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାବାବେଗକୁ ଦୃଷ୍ଟିରେ ରଖି ନିଜ ଅଞ୍ଚଳର ଗ୍ରାମଦେବତୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କଠାରୁ ସିନ୍ଦୂର ଓ ଚୁନରି ସଂଗ୍ରହ କରାଯିବ । ସିନ୍ଦୂର ଓ ଚୁନରି ମାଆଙ୍କର ଅତ୍ୟନ୍ତ ପ୍ରିୟ। ଭକ୍ତଙ୍କ ମନୋବାଞ୍ଝା ପୂରଣ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ଜାନୁଆରୀ ୩୦ ତାରିଖ ପରଠାରୁ ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ କରିବା ସହ ସିନ୍ଦୂର ଓ ଚୁନରି ଅର୍ପଣ କରିବେ। ଲୋକାର୍ପଣ ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ। ତେଣୁ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି।

ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ନୂଆ ରୂପ ନେଇଛି ସମଲେଇ ମନ୍ଦିର। ମାତ୍ର ଦୁଇବର୍ଷ ଭିତରେ ସମଲେଇ ମନ୍ଦିରର ରୂପାନ୍ତରଣ ସମ୍ପୂର୍ଣ୍ଣ ହୋଇଛି । ସମଲେଶ୍ୱରୀ ମନ୍ଦିର ଓ ପାରିପାର୍ଶ୍ବିକ ବିକାଶ ହୋଇଥିବା ପରିକଳ୍ପନା ବାସ୍ତବତାର ରୂପ ନେଇଛି । ଯେଉଁଠି ଶ୍ରଦ୍ଧାଳୁମାନେ ସୁନ୍ଦର ଓ ଆଧ୍ୟାତ୍ମିକ ଅନୁଭୂତି ନେଇପାରିବେ।

ଆସନ୍ତାକାଲି ଅଯୋଧ୍ୟା ରାମମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ

ଅଯୋଧ୍ୟା : ଆସନ୍ତାକାଲି ଅଯୋଧ୍ୟା ରାମମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଫୁଲ ଓ ଆଲୋକମାଳାରେ ଝଲସୁଛି ଅଯୋଧ୍ୟା । ଅପରାହ୍ଣ ୧୨ଟା ୧୫ରୁ ୧୨ଟା ୪୫ ମଧ୍ୟରେ ହେବ ପ୍ରାଣ ପ୍ରତିଷ୍ଠା ଉତ୍ସବ । ପ୍ରାଣ ପ୍ରତିଷ୍ଠା ଉତ୍ସବ ଆସନ୍ତା କାଲି ହେବାକୁ ଥିବାବେଳେ ଗତ ୧୬ ତାରିଖରୁ ବିଭିନ୍ନ ଧାର୍ମିକ କାର୍ଯ୍ୟ ଆରମ୍ଭ ହୋଇଛି । ନିରାପତ୍ତା ଦୃଷ୍ଟିରୁ ସାରା ଅଯୋଧ୍ୟାରେ ପୋଲିସ ଓ ବିଭିନ୍ନ ବାହିନୀ ମୁତୟନ ହୋଇଛନ୍ତି ।

ସେପଟେ ପ୍ରତିଷ୍ଠା ଉତ୍ସବ ଲାଗି ବନ୍ଦ ହେବ ନାହିଁ ଦିଲ୍ଲୀ ଏମସ ଆଉଟଡୋର । ଆସନ୍ତାକାଲି ଅପରାହ୍ଣ ୨ଟା ୩୦ ପର୍ଯ୍ୟନ୍ତ ଏମସ ଆଉଟଡୋର ବନ୍ଦ ରହିବ ବୋଲି ଯେଉଁ ନିଷ୍ପତ୍ତି ହୋଇଥିଲା ତାହାକୁ ପ୍ରତ୍ୟାହାର କରାଯାଇଛି । ବିଭିନ୍ନ ମହଲରୁ ପ୍ରତିକ୍ରିୟା ସୃଷ୍ଟି ହେବା ପରେ ଦିଲ୍ଲୀ ଏମସ ଏହି ନିଷ୍ପତ୍ତି ନେଇଛି ।

ନିଷ୍ଠୁର ପାଲଟିଲେ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ

ନନ୍ଦିଘୋଷ ବ୍ୟୁରୋ : ନିଷ୍ଠୁର ପାଲଟିଲେ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ । ତାଙ୍କର ମାନମାନି ଯୋଗୁ ଜଣେ ବାଳକର ମୃତ୍ୟ ହୋଇଥିବା ଅଭିଯୋଗ ହୋଇଛି । ଭାରତ ପକ୍ଷରୁ ପ୍ରଦତ୍ତ ଡୋର୍ନିୟର ଏୟାରକ୍ରାଫ୍ଟ ଜରିଆରେ ଗୁରୁତର ବାଳକକୁ ଏୟାରଲିଫ୍ଟ କରିବା ଲାଗି ରାଷ୍ଟ୍ରପତି ଅନୁମତି ନ ଦେବାରୁ ବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ମାଳଦ୍ବୀପର ଗାଫ ଆଲିଫ ଭିଲିଙ୍ଗିଲି ଗ୍ରାମର ଜଣେ ବାଳକର ବ୍ରେନ ଟ୍ୟୁମର ହୋଇଥିଲା । ତାର ହଠାତ ଷ୍ଟ୍ରୋକ ହେବାରୁ ତାକୁ ତୁରନ୍ତ ରାଜଧାନୀ ମାଲେକୁ ଚିକିତ୍ସା ଲାଗି ନେବାର ଆବଶ୍ୟକତା ପଡିଥିଲା । ତେବେ ସମସ୍ତ ଚେଷ୍ଟା ସତ୍ତ୍ବେ ବାଳକ ଲାଗି ତୁରନ୍ତ ଏୟାର ଆମ୍ବୁଲାନ୍ସର ଯୋଗାଡ ହୋଇପାରି ନଥିଲା । ତେବେ ପ୍ରାୟ ୧୬ ଘଣ୍ଟା ପରେ ତାକୁ ମାଲେକୁ ଅଣାଯାଇଥିଲା । ଶିଶୁଟିର ଅବସ୍ଥା ବୁଧବାର ଖରାପ ହୋଇଥିବାବେଳେ ଗୁରୁବାର ସକାଳ ସୁଦ୍ଧା ତାକୁ ଏୟାର ଲିଫ୍ଟ କରାଯାଇ ନଥିଲା । ଏହାକୁ ନେଇ ପ୍ରତିବାଦ ହେବାରୁ ବିମାନ ସେବା କରାଯାଇଥିଲା ।

ସେପଟେ ମେଡିକାଲ ଏଭାକୁଏସନ ଲାଗି ନିୟୋଜିତ ଆସନ୍ଧ କମ୍ପାନି ଲିମିଟେଡ କହିଛି- ବାଳକକୁ ତୁରନ୍ତ ଫ୍ଲାଇଟରେ ନେବା ଲାଗି ଉଦ୍ୟମ କରାଯାଇଥିଲା । ମାତ୍ର କେତେକ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନର ବିଳମ୍ବ ଘଟିଥିଲା । ତେବେ ହସ୍ପିଟାଲରେ ପହଞ୍ଚିବାବେଳକୁ ଶିଶୁର ମୃତ୍ୟୁ ଘଟିଥିବା କୁହାଯାଇଛି । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଦ୍ବାରା ନିର୍ମିତ ଏକ ଡୋର୍ନିୟର ବିମାନ ମାଳଦ୍ବୀପରେ ମାନବିକ ସହାୟତା ଲାଗି ଭାରତ ପ୍ରଦାନ କରିଛି । କିଛିଦିନ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାକ୍ଷାଦ୍ବୀପ ଗସ୍ତକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୈତିକ ତିକ୍ତତା ଜାରି ରହିଛି ।

ସ୍ତ୍ରୀକୁ ସମୁଦ୍ରରେ ବୁଡ଼ାଇ ମାରିଲା ସ୍ବାମୀ

ଗୋଆ : ସ୍ତ୍ରୀକୁ ସମୁଦ୍ରରେ ବୁଡ଼ାଇ ମାରିଲା ସ୍ବାମୀ । ହତ୍ୟାକୁ ପାଣିରେ ବୁଡି ମୃତ୍ୟୁ ହୋଇଥିବା ନେଇ ଦେଇଥିଲା ରୂପ । ଗୋଆରେ ଘଟିଛି ଏଭଳି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଦକ୍ଷିଣ ଗୋଆରେ ଥିବା ଏକ ହୋଟେଲର ମ୍ୟାନେଜର ଏଭଳି କାଣ୍ଡ ଘଟାଇଛି। ମାମଲାରେ ୨୯ ବର୍ଷୀୟ ହୋଟେଲ ମ୍ୟାନେଜରଙ୍କୁ ଗିରଫ କରିଛି ଗୋଆ ପୋଲିସ ।ଗତ ଶୁକ୍ରବାର ଘଟିଥିଲା ଏ ହତ୍ୟାକାଣ୍ଡ । ଅଭିଯୁକ୍ତ ମ୍ୟାନେଜର ଗୌରବ କଟିଆର ବୋଲି ଜଣାପଡିଛି । ୨୭ ବ ର୍ଷୀୟା ପତ୍ନୀ ଦୀକ୍ଷା ଗଙ୍ଗୱାର ସମୁଦ୍ରରେ ବୁଡ଼ିଯାଇ ମୃତ୍ୟୁ ହୋଇଥିବା କହିଥିଲା । ତେବେ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଥିଲା ଏକ ଭିଡିଓ । ଏହି କାଣ୍ଡ ଘଟୁଥିବାବେଳେ ସେତେବେଳେ ଜଣେ ବ୍ୟକ୍ତି କ୍ୟାମେରାରେ ସମସ୍ତ କାରନାମାର ଭିଡିଓ ସୁଟିଂ କରିଥିଲା । ଶୁକ୍ରବାର ଅପରାହ୍ନ ୩ଟା ୪୫ ମିନିଟରେ ଘଟିଥିଲା ଏ ହତ୍ୟାକାଣ୍ଡ। ଗୌରବ ପତ୍ନୀ ଦୀକ୍ଷାଙ୍କୁ ସମୁଦ୍ର କୂଳରେ ଥିବା ଏକ ପଥୁରିଆ ଅଂଚଳକୁ ଯାଇ ସମୁଦ୍ର ମଧ୍ୟକୁ ଠେଲି ଦେଉଥିବା ଦେଖିବାକୁ ମିଳିଛି।

ଏହାପରେ ସେଠାରେ ପତ୍ନୀ ବୁଡିଯାଇଥିବା ପାଟି କରି ହଙ୍ଗାମା କରୁଛି। ତେବେ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଏହି ଭିଡିଓ ସୁଟ୍ କରିଥିଲା। ପତ୍ନୀ ଦୀକ୍ଷା ପାଣିରେ ବୁଡିଯିବା ପରେ ସ୍ବାମୀ ଗୌରବ ସମୁଦ୍ର କୂଳରୁ ବାହାରକୁ ଆସୁଛି । ଏବଂ ଆଉଥରେ ପୁଣି ଯାଇ ସମୁଦ୍ର କୂଳକୁ ଯାଇ ପତ୍ନୀ ଜୀବିତ ନା ମୃତ ଦେଖୁଛି  । ଏହାପରେ ପୁଣି ଥରେ ସମୁଦ୍ର କୂଳରୁ ଆସି ପତ୍ନୀ ବୁଡିଯାଇଥିବା ନେଇ ହଙ୍ଗାମା କରୁଛି। ଦୀକ୍ଷାଙ୍କ ମୁହଁରେ କ୍ଷତ ଚିହ୍ନ ରହିଛି। ଅଭିଯୁକ୍ତ ଜଣକ ଉତ୍ତରପ୍ରଦେଶ ଲକ୍ଷ୍ନୌର ବାସିନ୍ଦା ବୋଲି ଜଣାପଡିଛି । ବର୍ଷକ ତଳେ ବିବାହ କରିଥିଲା ଅଭିଯୁକ୍ତ ମ୍ୟାନେଜର ଗୌରବ କଟିଆର। ତେବେ ପରକୀୟା ପ୍ରୀତିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରୁଛି ପୋଲିସ।

ସାରା ରାଜ୍ୟରେ ଲାଗି ରହିଛି କୋହଲା ପାଗକୁ ହାଲୁକା ବର୍ଷା

ଭୁବନେଶ୍ୱର : ଗୁରୁଚାପ ବଳୟ ପ୍ରଭାବାରେ ସାରା ରାଜ୍ୟରେ ଲାଗି ରହିଛି କୋହଲା ପାଗ । ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ହୋଇଛି । ପୁରୀ, ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ବରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

କୋହଲା ପାଗ ସହ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅସ୍ତବ୍ୟସ୍ତ କରିବ ଘନ କୁହୁଡି । ଘନ କୁହୁଡି ପାଇଁ ଆଜି ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଥିବା ବେଳେ, ଆସନ୍ତାକାଲି ପାଇଁ ୧୨ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ବାୟୁ ମଣ୍ଡଳରେ ଜଳୀୟବାଷ୍ପ ପରିମାଣ ଅଧିକ ଥିବାରୁ ଘନ କୁହୁଡ଼ି ଅନୁଭୂତ ହେଉଛି ।

କିଏ କେଉଁଠି ପତାକା ଉତ୍ତୋଳନ କରିବେ ଜାଣନ୍ତୁ ?

ଭୁବନେଶ୍ବର : ଭୁବନେଶ୍ବରରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରିବେ ରାଜ୍ୟପାଳ । ଅନ୍ୟ ସ୍ଥାନରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ ଓ ଅନ୍ୟ ଅଧିକାରୀ । କନ୍ଧମାଳରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୁନ୍ଦରଗଡ଼ରେ ପ୍ରଦୀପ ଅମାତ, ପୁରୀରେ ପ୍ରଫୁଲ୍ଲ ମଲ୍ଲିକ, ଜଗତସିଂହପୁରରେ ଅତନୁ ସବ୍ୟସାଚୀ, ସୁବର୍ଣ୍ଣପୁରରେ ଉଷା ଦେବୀ, କେନ୍ଦୁଝରରେ ସାରଦା ନାୟକ, ମୟୂରଭଞ୍ଜରେ ଅଶୋକ ପଣ୍ଡା, ବଲାଙ୍ଗୀରରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକରେ ସୁଦାମ ମାର୍ଣ୍ଡି, ଗଞ୍ଜାମରେ ଜଗନ୍ନାଥ ସାରକା, ସମ୍ବଲପୁରରେ ନିରଞ୍ଜନ ପୂଜାରୀ କଳାହାଣ୍ଡିରେ ଟୁକୁନି ସାହୁ, ଅନୁଗୁଳରେ ଅଶ୍ୱିନୀ ପାତ୍ର, ବାଲେଶ୍ୱରରେ ବାସନ୍ତୀ ହେମ୍ବ୍ରମ, ଝାରସୁଗୁଡ଼ାରେ ପ୍ରୀତିରଞ୍ଜନ ଘଡ଼ାଇ, ନୂଆପଡ଼ାରେ ରୀତା ସାହୁ ଓ କୋରାପୁଟରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଜାତୀୟ ପତାକା ଉତ୍ତୋଳନ କରିବେ । ସେହିପରି ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆରଡିସି, ରାଉରକେଲାରେ ଉତ୍ତରାଞ୍ଚଳ ଆରଡିସି ଓ ୧୩ ଜିଲ୍ଲା- ବରଗଡ଼, ଭଦ୍ରକ, ବୌଦ୍ଧ, ଦେବଗଡ଼, ଯାଜପୁର, ଢେଙ୍କାନାଳ, ଗଜପତି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ାରେ ଜିଲ୍ଲାପାଳ ଜାତୀୟ ପତାକା ଉତ୍ତୋଳନ କରିବେ ।