spot_img
Home Blog Page 2128

ପାଣି ନ ଦେବାରୁ ରୁମ ପାର୍ଟନରକୁ ହତ୍ୟା : ଫ୍ୟାନରେ ଝୁଲାଇଲେ ମୃତଦେହ

ନୂଆଦିଲ୍ଲୀ : ପାଣି ନ ଦେବାରୁ ରୁମ ପାର୍ଟରକୁ ହତ୍ୟା । ମୃତଦେହକୁ ଫ୍ୟାନରେ ଝୁଲାଇ ଦେଲା ଅଭିଯୁକ୍ତ । ଏମିତି ଏକ  ହୃଦୟ ବିଦାରକ ଘଟଣା ଦିଲ୍ଲୀରେ ଦେଖିବାକୁ ମିଳିଛି । ପିଇବା ପାଣି ନ ଦେବାରୁ ରୁମ ପାର୍ଟନର ଜଣେ ନାବାଳକଙ୍କ ସହ ମିଶି ଜଣେ ଯୁବକଙ୍କୁ ଗଳା କାଟି ହତ୍ୟା କରିଛି । ଏହାକୁ ଆତ୍ମହତ୍ୟା ରୂପ ଦେବାକୁ ଅଭିଯୁକ୍ତ ମୃତ ଶରୀରକୁ ଫ୍ୟାନରେ ଟାଙ୍ଗି ଦେଇଥିଲା । ମୃତ ବ୍ୟକ୍ତି ଜଣଙ୍କ ଉତ୍ତର ପ୍ରଦେଶର ହରଦୋଇ ନିବାସୀ ରଚିତ ବୋଲି ଜଣାପଡିଛି । ବେକରେ ଗଳା ଚିପାଯାଇଥିବା ଚିହ୍ନ ପାଇବା ପରେ ପୋଲିସ ହତ୍ୟା ମାମଲା ରୁଜୁ କରିଛି।

ଏହି ଘଟଣା ପରେ ଫେରାର ହୋଇ ଯାଇଥିବା ଅଭିଯୁକ୍ତ ତଥା ରଚିତଙ୍କ ରୁମ ପାର୍ଟନର ଅଭୟ କାନ୍ତ ମିଶ୍ର ଓ ତାର ନାବାଳକ ସହଯୋଗୀକୁ ପୋଲିସ ଗିରଫ କରି ଘଟଣାର ତଦନ୍ତ କରୁଛି  ପୋଲିସ ।

ପୋଲିସ କହିବାନୁଯାୟୀ, ଜାନୁଆରୀ ୧୧ରେ ଲକ୍ଷ୍ମୀ ପାର୍କ ଅଞ୍ଚଳରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦେଖିଲା ଯେ ଯୁବକଙ୍କ ମୃତଦେହ ଫ୍ୟାନରେ ଝୁଲୁଛି । ତଦନ୍ତ ବେଳେ ଛାତର ଉଚ୍ଚତା ଓ ଏହାର ଚାରିପାଖରେ କୌଣସି ଉପକରଣ ନ ଥିବାରୁ ପୋଲିସର ସନ୍ଦେହ ହୋଇଥିଲା ।

ଫଳରେ ରଚିତ ସହ ରହୁଥିବା ଅଭୟ କାନ୍ତର ମୋବାଇଲ ଟ୍ରେସ କରିବାରୁ ସେ ହରଦୋଇରେ ରହୁଥିବା ଜଣାପଡିଥିଲା  । ପୋଲିସର ଏକ ଟିମ୍ ସେଠାରେ ଚଡାଉ କରି ନାବାଳକ ଓ ଅଭିଯୁକ୍ତ ଅଭୟ କାନ୍ତକୁ ଗିରଫ କରିଥିଲା ।

ମଣିପୁରରେ ଥମୁନି ହିଂସା ; ଗୁଳିକାଣ୍ଡରେ ୫ ମୈତେୟୀଙ୍କ ମୃତ୍ୟୁ, ୪ ବିଏସଏଫ ଯବାନ ଆହତ

ଇମ୍ପାଲ : ମଣିପୁରରେ ଥମୁନି ହିଂସା । ଗୁଳିକାଣ୍ଡରେ ୫ ମୈତେୟୀଙ୍କ ମୃତ୍ୟୁ ସମେତ,୪ ବିଏସଏଫ ଯବାନ ଆହତ । ମଣିପୁରରେ ବିଭିନ୍ନ ଜିଲ୍ଲାରେ ବୁଧବାର ଦିନ ରାତିରୁ ବ୍ୟାପିଥିବା ହିଂସା ଏପର୍ଯ୍ୟନ୍ତ ଥମିନାହଁ । ହିଂସାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ବିଏସଏଫ ଯବାନ ଆହତ ହୋଇଛନ୍ତି । ବୁଧବାର ଦିନ ତେଙ୍ଗନୌପା ଜିଲ୍ଲାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ୨ ପୁଲିସ କର୍ମଚାରୀ ସହିଦ ହେବା ପରେ ଏହି ସ୍ଥିତି ଉପୁଜିଛି ।

ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ବିଷ୍ଣୁପୁର ଜିଲ୍ଲାରେ ୪ଜଣ ମୈତେୟୀ ସଂପ୍ରଦାୟ ଲୋକଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମୃତ୍ୟୁ ପରେ ଇମ୍ପାଲ ଉପତ୍ୟକାର ବିଭିନ୍ନ ସ୍ଥାନରେ ହିଂସା ଉଗ୍ର ରୂପ ନେଇଥିଲା । ଗ୍ରାମର ଗୁଳି ବିନିମୟ ପରେ ମୈତ୍ରୀୟ ସଂପ୍ରଦାୟର ଜଣେ ୨୩ ବର୍ଷର ଯୁବକଙ୍କ ମୃତ୍ୟୁ ହୋଇଛି । ଫଳରେ ଲୋକମାନେ ପୋଲିସ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିଲେ । ଏଥିରେ ୪ଜଣ ବିଏଏସଏଫ ଯବାନଙ୍କ ଦେହରେ ଗୁଳି ବାଜିବା ସହିତ ସେମାନେ ଆହତ ହୋଇଛନ୍ତି ।

ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ଗର୍ଭଗୃହରୁ ଆସିଲା ରାମଲାଲାଙ୍କ ପ୍ରଥମ ଫଟୋ

ଅଯୋଧ୍ୟା :  ରାମଲଲ୍ଲାଙ୍କ ଆସିଲା ପ୍ରଥମ ଫଟୋ। ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଗର୍ଭଗୃହରେ ସ୍ଥାପନ ପରେ ରାମଲଲାଙ୍କ ଏହି ଫଟୋ ସାମନାକୁ ଆସିଛି । ବିଧି ଅନୁସାରେ ଏବେ ପ୍ରଭୁ ରାମଙ୍କ ଚକ୍ଷୁରେ ପଟି ବନ୍ଧାଯାଇଛି । ଆସନ୍ତା ୨୨ ତାରିଖରେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରାଯିବ । ୨୩ ତାରିଖଠାରୁ ମନ୍ଦିରରେ ସାଧାରଣ ଭକ୍ତ ଦର୍ଶନ କରିପାରିବେ ।

ଗତକାଲି ମନ୍ଦିର ଗର୍ଭଗୃହରେ ରାମଲଲାଙ୍କ ମୂର୍ତ୍ତି ଆସ୍ଥାନରେ ସ୍ଥାପନ କରାଯାଇଥିଲା। ଏହି ମୂର୍ତ୍ତି ସ୍ଥାପନ କରିବାକୁ ପ୍ରାୟ ୪ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ମନ୍ତ୍ର ଉଚ୍ଚାରଣ ଏବଂ ପୂଜାର୍ଚ୍ଚନା ନୀତିକାନ୍ତି ସହ ଭଗବାନ ରାମଙ୍କ ବିଗ୍ରହକୁ ବିରାଜମାନ କରାଯାଇଥିଲା । ଏହି ଅବସରରେ ଏହି ମୂର୍ତ୍ତି ନିର୍ମାଣ କରିଥିବା ସ୍ଥପତି ଯୋଗୀରାଜ ସମେତ ଅନେକ ସାଧୁସନ୍ଥ ଉପସ୍ଥିତ ଥିଲେ । ମହୀଶୂରର ପ୍ରସିଦ୍ଧ ସ୍ଥପତି ଅରୁଣ ଯୋଗୀରାଜ ପ୍ରଭୁ ରାମଙ୍କ ଏହି ବିଗ୍ରହ ନିର୍ମାଣ କରିଛନ୍ତି । ୫୧ ଇଞ୍ଚ ରହିଛି ଏହି ବିଗ୍ରହର ଉଚ୍ଚତା । ବୁଧବାର ଦିନ ମୂର୍ତ୍ତିକୁ ମନ୍ଦିର ପରିସରକୁ ଅଣାଯାଇଥିଲା । ଆସନ୍ତା ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ଥିବାରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି କାର୍ଯ୍ୟ । ମନ୍ଦିର ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି

ବହୁଚର୍ଚ୍ଚିତ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ସୁପ୍ରିମ ଝଟକା

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା। ରାଜକ୍ଷମା ରଦ୍ଦ ପରେ ଆତ୍ମସମର୍ପଣ ଲାଗି ସମୟ ଦେବାକୁ ମନା କଲେ ସର୍ବୋଚ୍ଚ ନ୍ୟାୟାଳୟ। ସମସ୍ତ ୧୧ ଦୋଷୀ ଆସନ୍ତା ରବିବାର ୨୧ ତାରିଖ ସୁଦ୍ଧା ସରେଣ୍ଡର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆତ୍ମସମର୍ପଣ ଲାଗି ସମୟ ପାଇବାକୁ ଦୋଷୀଙ୍କ ଆବେଦନରେ ଯଥାର୍ଥତା ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ। ସମସ୍ତ ଦୋଷୀ ଧାର୍ଯ୍ୟ ସମୟ ମଧ୍ୟରେ ହିଁ ଆତ୍ମସମର୍ପଣ କରିବାକୁ ପଡିବ।

ସରେଣ୍ଡର ଲାଗି ସମୟ ଦେବାକୁ ଦୋଷୀଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମ କୋର୍ଟ । ଦୋଷୀମାନେ ସରେଣ୍ଡର କରିବାକୁ ଅଧିକ ସମୟ ଦେବାକୁ ଆବେଦନ କରିଥିଲେ। ତେବେ କୋର୍ଟ ଅଧିକ ସମୟ ଦେବାକୁ ସିଧାସଳଖ ମନା କରି ଦେଇଛନ୍ତି । ୨୦୦୨ରେ ଗୁଜରାଟ ଗୋଧ୍ରା ହିଂସାକାଣ୍ଡରେ ବିଲକିସ ବାନୋ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ ସହ ତାଙ୍କ ପରିବାରକୁ ହତ୍ୟା କରିଥିଲେ ୧୧ ଦୋଷୀ। ତେବେ ଏହି ମାମଲାରେ ଗୁଜରାଟ ସରକାର ୧୧ ଦୋଷୀଙ୍କୁ ରାଜକ୍ଷମା ପ୍ରଦାନ କରିଥିଲେ। ୨ ବର୍ଷ ପୂର୍ବେ ସାଧାରଣତନ୍ତ୍ର ଦିବସରେ ୧୧ ଦୋଷୀ ରାଜକ୍ଷମା ପାଇ ଜେଲରୁ ମୁକ୍ତ ହୋଇଥିଲେ।

ନକଲି ବନ୍ଧୁକରେ ଅସଲି ଲୁଟ୍‌ ଘଟଣା : ସାମ୍ନାକୁ ଆସିଲା ବନ୍ଧୁକ ଦେଖାଉଥିବାର ସିସିଟିଭି ଭିଜୁଆଲ୍

ଭୁବନେଶ୍ୱର :  ଭୁବନେଶ୍ବରରେ ନକଲି ବନ୍ଧୁକରେ ଅସଲି ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌ । ସାମ୍ନାକୁ ଆସିଲା ବନ୍ଧୁକ ଦେଖାଉଥିବାର ସିସିଟିଭି ଭିଜୁଆଲ୍ । ଅଭିଯୁକ୍ତ ପୁନିଆ ନାୟକ ଓ ନରହରି ନାୟକକୁ ଗିରଫ କରିଛି ଭୁବନେଶ୍ବର ଲିଙ୍ଗରାଜ ଥାନା ପୋଲିସ ।

ଏକ ଦୋକାନରୁ ବନ୍ଧୁକ ଦେଖାଇ ଲୁଟ କରିଥିଲେ ୨ ଲୁଟେରା । ନକଲି ବନ୍ଧୁକ ଦେଖାଇ ନେଇଥିଲେ ୫୦ ଗ୍ରାମ୍‌ ଓଜନର ସୁନା । ଚୋରି ସୁନାକୁ ୭୫ ହଜାର ଟଙ୍କାରେ ବନ୍ଧକ ରଖିଥିଲେ । ପୁନିଆ ନାଁରେ ୨୨ ରୁ ଅଧିକ ଅପରାଧିକ ମାମଲା ରହିଛି । କିଛିଦିନ ତଳେ ମଞ୍ଚେଶ୍ୱର ଅଞ୍ଚଳରେ ରଘୁକୁ ହୋଇଥିବା ଏନକାଉଣ୍ଟରରେ ଖସି ଯାଇଥିଲା ପୁନିଆ । କେସ ନମ୍ବର ୨୮୩ ଦଫା ୪୪୮, ୩୯୨, ଆର୍ମସ ଆକ୍ଟରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ଇରାନ ଉପରେ ପାକ୍ ସେନାର ଆକ୍ରମଣ ପରେ ସାରା ପାକିସ୍ତାନରେ ଆଲର୍ଟ

ଇସଲାମବାଦ : ପାକିସ୍ତାନରେ ହାଇ ଆଲର୍ଟ। ଇରାନ ଉପରେ ପାକ ସେନାର କିଲର ଡ୍ରୋନ ଓ ରକେଟ୍ ହମଲା ପରେ ଆଲର୍ଟ ମୋଡରେ ରହିଛି ପାକିସ୍ତାନ ସେନା। ଇରାନରେ ସକ୍ରିୟ ଆତଙ୍କୀ ସଂଗଠନ ଉପରେ ପାକିସ୍ତାନ ଆକ୍ରମଣ କରିଥିବା କହିଛି । ଏହି ଆକ୍ରମଣରେ ୯ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହାର ଦୁଇ ଦିନ ପୁର୍ବରୁ ଇରାନ ପାକିସ୍ତାନର ସିସ୍ତାନ-ବଲୁଚିସ୍ଥାନ ଉପରେ ଆକ୍ରମଣ କରିଥିଲା । ଏଥିରେ ପାକିସ୍ତାନର ୨ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିଲା ।

ଉଭୟ ଦେଶ ମଧ୍ୟରେ କେତେବେଳେ ବି ଯୁଦ୍ଧ ଆରମ୍ଭ ହୋଇଯାଇପାରେ । ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଲାଗି ରହିଥିବାବେଳେ ପାଲେଷ୍ଟାଇନକୁ ପଛରୁ ସମର୍ଥନ କରୁଛି ଇରାନ । ଇସ୍ରାଏଲ ଆକ୍ରମଣକୁ ନିନ୍ଦା କରିବା ସହ ଆତଙ୍କୀ ବିରୋଧରେ କାର୍ଯ୍ୟାନୁଷ୍ଠାନ କହି ପାକିସ୍ତାନ ଉପରେ ଆକ୍ରମଣ କରିଥିଲା ଇରାନ । ତେବେ ପାକିସ୍ତାନ ଉପରେ ହମଲା କରିଥିବା ଇରାନ କାହିଁକି ହୁଥି ଆତଙ୍କୀଙ୍କୁ ପ୍ରଶୟ ଦେଉଛି ବୋଲି କହିଛି ଆମେରିକା।

ଯୁଦ୍ଧ ପରିସ୍ଥିତିକୁ ନେଇ ଉଭୟ ଇରାନ ଏବଂ ପାକିସ୍ତାନକୁ ଶାନ୍ତି ବଜାୟ ରଖିବାକୁ ଆହ୍ବାନ କରିଛି ଜାତିସଂଘ ଏବଂ ଆମେରିକା। ହ୍ବାଇଟ ହାଉସ ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ କିର୍ବି ପାକିସ୍ତାନ ଓ ଇରାନ ସ୍ଥିତି ଉପରେ ନଜର ରଖିଥିବା କହିଛନ୍ତି । ଉଭୟ ଦେଶ ଚୀନ ସହ ଭଲ ସମ୍ପର୍କ ଥିବାରୁ ମଧ୍ୟସ୍ଥି କରିବାକୁ ଆଗ୍ରହ ପ୍ରକାଶ କରିଛି । ସେପଟେ ଭାରତ ଏହି ପ୍ରସଙ୍ଗକୁ ନେଇ ସମଦୂରତା ବଜାୟ ରଖିଛି । ପାକିସ୍ତାନ ଓ ଇରାନର ଏହା ଆଭ୍ୟନ୍ତରୀଣ ବ୍ୟାପାର ହୋଇଥିବାରୁ ଏଥିରେ ହସ୍ତକ୍ଷେପ କରିବ ନାହିଁ କହିଛି ଭାରତ। ଆସନ୍ତା ଫେବ୍ରୁଆରୀରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏହାର ପୂର୍ବରୁ ଇରାନ ଉପରେ ଆକ୍ରମଣ କରିଛି ପାକିସ୍ତାନ ।

ଅନଲାଇନ୍ ଗେମ୍ ପାସୱାର୍ଡ ନଦେବାରୁ ସାଙ୍ଗକୁ ମାରି ପୋଡିଦେଲେ ୪ ସାଙ୍ଗ

କୋଲକାତା :  ଅନଲାଇନ୍ ଗେମ୍ ପାଇଁ ସାଙ୍ଗକୁ ମାରିଲା ସାଙ୍ଗ  ।  ପଶ୍ଚିମବଙ୍ଗର ମୁର୍ସିଦାଦ ଜିଲ୍ଲାରେ ଘଟିଛି ଏପରି ଅଭାବନୀୟ ଘଟଣା ।  ଅନଲାଇନ୍ ଗେମ୍ ଫ୍ରିଫାୟାରର ପାସଓ୍ୱାର୍ଡ ନଦେବାରୁ ନାବାଳକୁ ୪ ସାଙ୍ଗ ମିଶି ମାରିଦେଇଥିବା ଅଭିଯୋଗ ହୋଇଛି  । ହତ୍ୟା ପରେ ତାକୁ ପୋଡି ଶରୀରକୁ ଜଙ୍ଗଲରେ ଫିଙ୍ଗିଦେଇଥିବା ଜଣାପଡିଛି ।

ମୃତକ ନାବଳକ ଜଣକ ହେଲେ ୧୮ ବର୍ଷୀୟ ପାପାଇ ଦାସ । ଗତ କିଛି ଦିନ ଧରି ସେ ନିଖୋଜ ଥିବା ବେଳେ ଜାନୁଆରୀ ୧୫ ତାରିଖ ଦିନ ନିକଟ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ  ।  ନାବାଳକଙ୍କ ମାଆ ପୂର୍ଣ୍ଣିମା ଦାସଙ୍କ ଅଭିଯୋଗ କ୍ରମେ ହତ୍ୟାକାଣ୍ଡରେ ସଂପୃକ୍ତ ୪ ନାବାଳକକୁ ଗିରଫ କରିଛି ପୋଲିସ । ଆସନ୍ତାକାଲି ସେମାନଙ୍କୁ ନାବାଳକ ନ୍ୟାୟ ବୋର୍ଡରେ ହାଜର କରାଯିବ  ।

ଭୁଲ୍ ମାଗିଲେ ‘ଅନ୍ନପୂର୍ଣ୍ଣୀ’ ସିନେମା ଷ୍ଟାର ନୟନତାରା

ନନ୍ଦିଘୋଷ ବ୍ୟୁରୋ :  ଭୁଲ୍ ମାଗିଲେ ଅନ୍ନପୂର୍ଣ୍ଣୀ ସିନେମା ଷ୍ଟାର ନୟନତାରା। ଅନ୍ନପୂର୍ଣ୍ଣୀ ଫିଲ୍ମକୁ ନେଇ ଦର୍ଶକଙ୍କ ଆଘାତ ଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି ଅଭିନେତ୍ରୀ ନୟନତାରା। କାହାର ଧର୍ମୀୟ ଭାବନାକୁ କ୍ଷତି ପହଞ୍ଚାଇବା ତାଙ୍କର ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଛନ୍ତି। ଫିଲ୍ମକୁ ସେନସର ବୋର୍ଡର ସ୍ବୀକୃତି ସତ୍ତ୍ବେ ଏହାକୁ ଓଟିଟି ପ୍ଲାଟଫର୍ମକୁ ବାହାର କରାଯିବ ବୋଲି ସେ କେବେ ଆଶା କରିନଥିଲେ । ତେବେ ଦର୍ଶକଙ୍କ ଭାବନାକୁ ଆଘାତ ହୋଇଥିବାରୁ ନୟନତାରା ଏବଂ ଅନ୍ନପୂର୍ଣ୍ଣୀ ସିନେମାର ପୁରା ଟିମ ତରଫରୁ ସେ କ୍ଷମା ପ୍ରାର୍ଥନା କରିଛନ୍ତି ।

ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବନାକୁ କ୍ଷୁର୍ଣ୍ଣ କଲା ଭଳି ସିନେମାରେ କିଛି ଦୃଶ୍ୟକୁ ନେଇ ଦର୍ଶକ ଅସନ୍ତୋଷ ପ୍ରକାଶ କରିଥିଲେ। ସିନେମାକୁ ନେଇ ନେଇ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ବିଭିନ୍ନ ଥାନାରେ ଏକାଧିକ ମାମଲା ରୁଜୁ ହୋଇଥିଲା । ଅଭିନେତ୍ରୀ ନୟନତାରାଙ୍କ ସହ ଫିଲ୍ମର ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ନାଁରେ ମଧ୍ୟ ଏତଲା ହୋଇଥିଲା । ମାମଲା ରୁଜୁ ହେବା ପରେ ଓଟିଟି ପ୍ଲାଟଫର୍ମରୁ ସିନେମାକୁ ବାଦ ଦିଆଯାଇଥିଲା । ଗତ ଡିସେମ୍ବର ପହିଲାରେ ଅନ୍ନପୂର୍ଣ୍ଣୀ ସିନେମା ହଲରେ ରିଲିଜ୍ ହୋଇଥିଲା। ସିନେମାରେ ଧର୍ମୀୟ ଭାବନାକୁ ଆଘାତ ଦେଲା ଭଳି ବିବାଦୀୟ ଡାଏଲଗ ସହ ଲଭ୍ ଜିହାଦକୁ ପ୍ରୋତ୍ସାହିତ ବିଷୟ ରହିଥିବା ଅଭିଯୋଗ ହୋଇଥିଲା।

ଆସନ୍ତା ଫେବୃଆରୀ ୫ରୁ ବିଧାନସଭା ଅଧିବେଶନ : ଆଗତ ହେବ କାମଚଳା ବଜେଟ୍‌

ଭୁବନେଶ୍ୱର : ଆସନ୍ତା ଫେବୃଆରୀ ୫ରୁ ବିଧାନସଭା ଅଧିବେଶନ । ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା । ଏଥିରେ ୭ଟି କାର୍ଯ୍ୟଦିବସ ରହିଛି । ଏହି ଅଧିବେଶନକୁ  ଅନୁମୋଦନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ  ।

ସୂଚନା ଅନୁଯାୟୀ ୫ ତାରିଖ ପୂର୍ବାହ୍ନ ୧୧ଟାରେ ଅଧିବେଶନ ବସିବ । ସେହିଦିନ ରାଜ୍ୟପାଳଙ୍କ ଅଭିଭାଷଣ ରହିଥିବାବଳେ ୮ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଗତ ହେବ ବଜେଟ । ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ସେହିଦିନ ଲେଖାନୁଦାନ ପାଇଁ ବି ଆସିବ ପ୍ରସ୍ତାବ । ୯ତାରିଖରେ ଲେଖାନୁଦାନ ବ୍ୟୟ ମଂଜୁରୀ ବିଲ୍ ଗୃହରେ ପାରିତ ହେବ  । ୬ ଓ ୭ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ ଆଲୋଚନା କରାଯିବ ।

ଏୟାର ହୋଷ୍ଟେସଙ୍କୁ କାମୁଡି ପକାଇଲେ ଯାତ୍ରୀ; ଟୋକିଓରେ ଜରୁରୀ ଅବତରଣ କଲା ବିମାନ

ନନ୍ଦିଘୋଷ ବ୍ୟୁରୋ :  ଅଧାରୁ ଟୋକିଓ ଫେରିଲା ଆମେରିକା ଯାଉଥିବା ଅଲ୍ ନିପନ୍ ଏୟାରଓ୍ବେଜ୍ (ANA) ବିମାନ । ବିମାନର ଜଣେ ଯାତ୍ରୀ ନିଶାରେ ଚୁର ହୋଇ ଜଣେ ଏୟାର ହୋଷ୍ଟେସଙ୍କୁ କାମୁଡି ଦେବାରୁ ଜରୁରୀ ଅବତରଣ କଲା ବିମାନ ।  ପ୍ଲେନ୍ ଲ୍ୟାଣ୍ଡିଂ ହେବା ପରେ ହିଁ ଯୁବକଙ୍କୁ ଗିରଫ କରାଯାଇଛି ।

ରିପୋର୍ଟ ଅନୁଯାୟୀ, ଆମେରିକାର ଜଣେ ୫୫ ବର୍ଷୀୟ ବ୍ୟକ୍ତି  ଅତିଧିକ ମଦ୍ୟପାନ କରି ଜଣେ ଏୟାର ହୋଷ୍ଟେସଙ୍କୁ କାମୁଡି ପକାଇଥିଲେ  । ଯାହା ଫଳରେ ଫ୍ଲାଇଟ୍ ଆଟେଣ୍ଟାଣ୍ଟ ଜଣକ ଆହତ ହୋଇ ପଡିଥିଲେ ।  ଏହି ଘଟଣା ପରେ ବିମାନରେ ଥିବା ୧୫୯ଯାତ୍ରୀଙ୍କୁ  ହନେଡା ବିମାନ ବନ୍ଦରରେ ଅବତରଣ କରାଇ ଦିଆଯାଇଛି । ଏହାପରେ ଏପରି କାଣ୍ଡ ଭିଆଇଥିବା  ମଦ୍ୟପ ଯାତ୍ରୀ ଜଣକୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା  । କିନ୍ତୁ ନିଶା ଛାଡିବା ପରେ ଯାତ୍ରୀ ଜଣକ କିଛି ମନେ ନାହିଁ ବୋଲି ପୋଲିସକୁ କହିଛି ।