spot_img
Home Blog Page 214

‘‘ନରମ ହେବାର ସମୟ ଶେଷ ହୋଇଛି” ଆମେରିକାରେ ଭାରତୀୟଙ୍କ ମୁଣ୍ଡକାଟର ଜବାବ ଦେଲେ ଡୋନାଲ୍ଡ ଟ୍ରମ୍ପ

ନନ୍ଦିଘୋଷ ବ୍ୟୁରୋ:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଜଣେ ଭାରତୀୟ ବଂଶୋଦ୍ଭବ ଚନ୍ଦ୍ର ନାଗାମଲ୍ଲାୟାହଙ୍କୁ ଟେକ୍ସାସରେ ତାଙ୍କ ପତ୍ନୀ ଏବଂ ପୁଅଙ୍କ ସମ୍ମୁଖରେ କ୍ୟୁବାର ଜଣେ “ଅବୈଧ ବିଦେଶୀ” ଦ୍ୱାରା ମୁଣ୍ଡ କାଟି ହତ୍ୟା କରାଯିବା ଘଟଣାକୁ ନିନ୍ଦା କରି ଏହାକୁ “ଭୟଙ୍କର” ବୋଲି କହିଛନ୍ତି। ରିପବ୍ଲିକାନ ନେତା ଜୋର ଦେଇ କହିଛନ୍ତି ଯେ ତାଙ୍କ ନଜରରେ ଅବୈଧ ପ୍ରବାସୀ ଅପରାଧୀଙ୍କ ପ୍ରତି “ନରମ ହେବାର ସମୟ” ଶେଷ ହୋଇଯାଇଛି, ହତ୍ୟାକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେ ସୋସିଆଲ ମିଡିଆରେ କହିଛନ୍ତି ଚନ୍ଦ୍ର ନାଗାମଲାଇୟାଙ୍କ ନିର୍ମମ ହତ୍ୟା ବିଷୟରେ ମୁଁ ଅବଗତ। ସେ ଟେକ୍ସାସର ଡାଲାସର ଜଣେ ସମ୍ମାନିତ ବ୍ୟକ୍ତି ଥିଲେ। ତାଙ୍କ ପତ୍ନୀ ଏବଂ ପୁଅଙ୍କ ସମ୍ମୁଖରେ ତାଙ୍କୁ ନିର୍ମମ ଭାବରେ ମୁଣ୍ଡକାଟ କରାଯାଇଥିଲା। ଏହି ଘୃଣ୍ୟ କାର୍ଯ୍ୟ ଜଣେ ଅବୈଧ କ୍ୟୁବା ବାସିନ୍ଦା ଦ୍ୱାରା କରାଯାଇଥିଲା, ଯାହା ଆମ ଦେଶରେ କେବେ ହେବା ଉଚିତ୍ ନୁହେଁ।

https://truthsocial.com/@realDonaldTrump/posts/115205520510774944

ୱାଶିଂମେସିନ୍ ବିବାଦକୁ ନେଇ ଡାଲାସ୍ ମୋଟେଲରେ ଭାରତୀୟ ବ୍ୟକ୍ତିଙ୍କ ମୁଣ୍ଡ କାଟି ଦିଆଯାଇଛି । ଟ୍ରମ୍ପ କହିଛନ୍ତି ଯେ ୟୋର୍ଡାନିସଙ୍କୁ ପୂର୍ବରୁ ଶିଶୁ ନିର୍ଯାତନା, କାର ଚୋରି ଏବଂ ବଳପୂର୍ବକ ବନ୍ଧକ ରଖିବା ଅଭିଯୋଗରେ ଗିରଫ କରାଯାଇଥିଲା, କିନ୍ତୁ ଜୋ ବିଡେନଙ୍କ ବିଫଳତା ଯୋଗୁଁ ତାଙ୍କୁ ପୁଣି ଥରେ ମୁକ୍ତ କରାଯାଇଥିଲା। ବାଇଡେନ ପ୍ରଶାସନକୁ ଟାର୍ଗେଟ କରି ସେ କହିଛନ୍ତି, “ଏହି ଅବୈଧ ପ୍ରବାସୀ ଅପରାଧୀଙ୍କ ପ୍ରତି ନରମ ହେବାର ସମୟ ଶେଷ ହୋଇଛି,”  । ଯଦି ୟୋର୍ଡାନିସ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ପାରୋଲ କିମ୍ବା ମୃତ୍ୟୁଦଣ୍ଡ ବିନା ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇପାରିବ।  ଆଇନ ଅନୁଯାୟୀ ପୂର୍ଣ୍ଣ ମାମଲା ରୁଜୁ କରାଯିବ। ତାଙ୍କ ବିରୁଦ୍ଧରେ ପ୍ରଥମ ସ୍ତରରେ ହତ୍ୟା ଅଭିଯୋଗ ଆଣଯିବ!” ।

ଡଲାସ୍ ମୋଟେଲର ପରିଚାଳକ ଚନ୍ଦ୍ର ମୌଲି ନାଗାମଲ୍ଲାୟାହଙ୍କୁ ତାଙ୍କ ପତ୍ନୀ ଏବଂ ପୁଅଙ୍କ ସାମ୍ନାରେ ଭଙ୍ଗା ୱାସିଂ ମେସିନ୍ ବ୍ୟବହାର ନକରିବାକୁ ୟୋର୍ଡାନିସ୍ କୋବୋସ୍-ମାର୍ଟିନେଜ୍ କୁ କହିବା ପରେ ନିର୍ମମ ଭାବରେ ତାଙ୍କ ମୁଣ୍ଡକାଟ କରାଯାଇଥିଲା। ଇମିଗ୍ରେସନ ଏବଂ କଷ୍ଟମ୍ସ ଏନଫୋର୍ସମେଣ୍ଟ (ICE) ଆଶ୍ଚର୍ଯ୍ୟ ପ୍ରକାଶ କରିଛି ଏବଂ ମୁଣ୍ଡକାଟକୁ “ଅକଳ୍ପନୀୟ” ବୋଲି ବର୍ଣ୍ଣନା କରିଛି। ଘଟଣାର ତୁରନ୍ତ ପରେ, ପୋଲିସ ରକ୍ତ ଭିଜା ଟି-ସାର୍ଟ ପିନ୍ଧିଥିବା କୋବୋସ-ମାର୍ଟିନେଜଙ୍କୁ ଗିରଫ କରିଛି।

 

ହ୍ୟାଣ୍ଡସେକ ନକରିବାରୁ ରାଗିଗଲା ପାକିସ୍ତାନ ; ଟିମ ଇଣ୍ଡିଆ ବିରୋଧରେ ନେଲା ଏହି ପଦକ୍ଷେପ

ନନ୍ଦିଘୋଷ ବ୍ୟୁରୋ: ଅପମାନର କ୍ରୋଧରେ ଜର୍ଜରିତ ହେଉଛି ପାକିସ୍ତାନ । ନା ସହିପାରୁଛି କାହାକୁ କହିପାରୁଛି  । କେବଳ ଭୋକବିକଳରେ ତାଟିଆ କାମୁଡ଼ୁଛି । ଏସିଆ କପ୍ ୨୦୨୫ରେ ଟିମ୍ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରିନାହିଁ, ବରଂ ସେମାନଙ୍କୁ ସର୍ବସାଧାରଣରେ ଅପମାନିତ ମଧ୍ୟ କରିଛି। ଟିମ୍ ଇଣ୍ଡିଆ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାକୁ ମନା କରି ଦେଇ ପାକିସ୍ତାନୀଙ୍କ ଅପମାନିତ କରିଛି । ଟସ୍ ସମୟରେ ଭାରତର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଯାହା କରିଥିଲେ ତାହା କଟା ଘା’ରେ ଚୂନ ମାରିବା ସଦୃଶ ଥିଲା । ଏହା ପରେ ମ୍ୟାଚ ଜିତିବା ପରେ ମଧ୍ୟ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଦଳ ପ୍ରତି ଧ୍ୟାନ ଦେଇ ନଥିଲେ। ଭାରତୀୟ ଦଳର କୌଣସି ସଦସ୍ୟ ସେମାନଙ୍କ ସହିତ ହାତ ମିଳାଇ ନଥିଲେ। ଏହା ସେତେବେଳେ ଘଟିଥିଲା ​​ଯେତେବେଳେ ପାକିସ୍ତାନୀ ଖେଳାଳିମାନେ ନିଜେ ସେମାନଙ୍କ ସହିତ ହାତ ମିଳାଇବାକୁ ଅଧୈର୍ଯ୍ୟ ହୋଇଯାଇଥିଲେ। ଏବେ ଭାରତୀୟ ଖେଳାଳିମାନେ ହାତ ମିଳାଇ ନଦେବା ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି।

ପାକିସ୍ତାନ କ୍ରିକେଟ୍ ଦଳର ପରିଚାଳକ, ଯିଏ ହାତ ମିଳାଇ ନପାରିବାରୁ ବିରକ୍ତ ଥିଲେ, ସେ ପିସିବିର ନିର୍ଦ୍ଦେଶରେ ଭାରତୀୟ ଦଳ ବିରୁଦ୍ଧରେ ଅଭିଯୋଗ କରିଛନ୍ତି। ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ ନିରୀହ ଲୋକଙ୍କୁ ପାକିସ୍ତାନ ବିପକ୍ଷରେ ତାଙ୍କର ବିଜୟ ଉତ୍ସର୍ଗ କରିଥିଲେ। ପାକିସ୍ତାନର କ୍ରିକେଟରମାନେ ମଧ୍ୟ ଭାରତୀୟ ଖେଳାଳିଙ୍କ ସହ ହାତ ମିଳାଇ ନଥିବାରୁ ବହୁତ ଦୁଃଖିତ। ସେମାନେ ଭାରତର ମନୋଭାବରେ ଖୁସି ନାହାଁନ୍ତି । ବାସିତ ଅଲି କହିଛନ୍ତି ଯେ ଏହା କେବଳ ଏସିଆ କପ୍ ନୁହେଁ ଆଇସିସି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ସମାନ ଘଟଣା ଘଟିପାରେ। କାମରାନ ଆକମଲ ମଧ୍ୟ ଏକ ପାକିସ୍ତାନୀ ଟିଭି ଶୋ’ରେ ବାସିତ ଅଲିଙ୍କ ସହ ବସି ଭାରତର ମନୋଭାବ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଛନ୍ତି ଯେ ଏହା କ୍ରିକେଟରଙ୍କ ପାଇଁ ଭଲ ନୁହେଁ।

ପୂର୍ବତନ ପାକିସ୍ତାନୀ ୱିକେଟ କିପର ବ୍ୟାଟସମ୍ୟାନ୍ ଭାରତୀୟ ଦଳଙ୍କ ଏହି କାର୍ଯ୍ୟ ଉପରେ କହିଛନ୍ତି ଯେ ଏହା କରି ସେମାନେ ସେମାନଙ୍କର ପ୍ରକୃତ ରୂପ ଦେଖାଇଛନ୍ତି। ରସିଦ ଲତିଫ୍ ମଧ୍ୟ ଏହି ସମଗ୍ର ପ୍ରସଙ୍ଗରେ ଆଇସିସିକୁ କୋଣଠେସା କରିଛନ୍ତି ଏବଂ ପଚାରିଛନ୍ତି ଯେ ଏହା କେଉଁଠି ? ହାତ ମିଳାଇବା ନେଇ ପାକିସ୍ତାନର ହତାଶାରୁ ଗୋଟିଏ କଥା ସ୍ପଷ୍ଟ ଯେ ଏହାକୁ ଉପଯୁକ୍ତ ଜବାବ ମିଳିଛି। ଯଦିଓ ପାକିସ୍ତାନର ଅଧିନାୟକ ସଲମାନ ଆଗା ହତାଶା ହେତୁ ମ୍ୟାଚ୍ ପରେ ଉପସ୍ଥାପନାରେ ଯୋଗ ଦେଇ ନଥିଲେ। ଯଦିଓ ପାକିସ୍ତାନ ଦଳର ପ୍ରଶିକ୍ଷକ ମଧ୍ୟ ଏଥିରେ ଖରାପ ଅନୁଭବ କରିଥିଲେ। କିନ୍ତୁ ଟିମ ଇଣ୍ଡିଆ ଯାହା କଲା ତାହା ଦେଖାଇଲା ଯେ ପହଲଗାମରେ କଣ ଘଟିଥିଲା ​​ତାହା ଆମେ ଭୁଲି ନାହୁଁ।

 

ଆଗାମୀ ୩ ଦିନଯାଏଁ ବର୍ଷା ସମ୍ଭାବନା ; ୧୮ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଙ୍ଗ

ଭୁବନେଶ୍ବର : ତୁହାକୁ ତୁହା ଭିଜୁଛି ଓଡ଼ିଶା । ଲଘୁଚାପ ଓ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟର ବିଭିହ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆଗାମୀ ୩ ଦିନ ଯାଏଁ ବର୍ଷା ସମ୍ଭାବନା ରହିଛି । ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୧୮ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷାକୁ ନେଇ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି ହୋଇଛି । ୧୬ ତାରିଖ ଯାଏଁ ବର୍ଷାର ଚେତାବନୀ ରହିଛି । ଏହି ସବୁ ଜିଲ୍ଲାରେ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ବଜ୍ରପାତ ନେଇ ବି ସତର୍କତା ଜାରି କରାଯାଇଛି ।

ସେପଟେ ଦେଶରୁ ଅପସାରଣ ହେଉଛି ମୌସୁମୀ । ପଶ୍ଚିମ ରାଜସ୍ଥାନର କିଛି ଅଂଚଳରୁ ବିଦାୟ ନେଇଛି ମୌସୁମୀ ବାୟୁ । ଏହାପରେ ଧୀରେ ଧୀରେ ଦେଶରୁ ମୌସୁମୀ ବାୟୁ ବିଦାୟ ନେବ । ଆଗାମୀ ୨ ଦିନ ମଧ୍ୟରେ ପଞ୍ଜାବ ଓ ଗୁଜୁରାଟରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହେବ । ମୌସୁମୀ ପ୍ରତ୍ୟାବର୍ତନ ପାଇଁ ପାଗ ଅନୁକୂଳ ରହିଛି ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

ଆସନ୍ତା ୧୮ରୁ ଗାନ୍ଧୀ ମାର୍ଗରେ ଗୁରୁଗର୍ଜନ ସମାବେଶ ; ଗର୍ଜିବେ ଗୁରୁ

ଭୁବନେଶ୍ବର : ଆସନ୍ତା ୧୮ରୁ ଗାନ୍ଧୀ ମାର୍ଗରେ ଗୁରୁଗର୍ଜନ ସମାବେଶ । ଏ ନେଇ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ଓଡିଶା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଙ୍ଘ । ୧ ଜୁନ ୨୦୦୮ ରୁ ୦୧ ଜୁନ ୨୦୧୮ ମଧ୍ୟରେ ନିଯୁକ୍ତ ଅଧ୍ୟାପକ ଏବଂ କର୍ମଚାରୀ ମାନଙ୍କୁ ଅନୁଦାନ ଦାବିରେ ବିରୋଧ ପ୍ରଦର୍ଶନ କରାଯିବ । ଗତ ଅଗଷ୍ଟ ୧୬ରୁ ଆରମ୍ଭ ହୋଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ରାଜ୍ୟର ପ୍ରତ୍ୟେକ ମହାବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ୨୮ ଦିନ ଧରି ଜାରିରହିଥିବା ବେଳେ ନିଦାବିଷ୍ଣୁ ସାଜିଛନ୍ତି ରାଜ୍ୟ ସରକାର । ୩୦ ଜିଲ୍ଲାର ୧୦୦୦ ରୁ ଉଦ୍ଧ ମହାବିଦ୍ୟାଳୟରେ ଅଧ୍ୟାପକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଅଣଦେଖା କରିବା ପ୍ରକୃତରେ ରାଜ୍ୟ ସରକାରଙ୍କର ଶିକ୍ଷା ପ୍ରତି ବୈମାତୃକ ମନୋଭାବ ବୋଲି ଅଭିଯୋଗ ହୋଇଛି ।

ଜାତୀୟ ଶିକ୍ଷାନୀତି – ୨୦୨୦କୁ ରାଜ୍ୟରେ ଲାଗୁକରି ସରକାର ବାହାଦୁରୀ ମାରୁଥିବା ବେଳେ ଦୀର୍ଘ ୨୮ ଦିନ ଧରି ମହାବିଦ୍ୟାଳୟରେ ଲକ୍ଷ ଲକ୍ଷ ପିଲାଙ୍କର ପାଠପଢ଼ା, ପରୀକ୍ଷା ଏବଂ ଖାତା ମୂଲ୍ୟାୟନ ଇତ୍ୟାଦି ଅଧ୍ୟାପକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ପ୍ରଭାବିତ ହୋଇଛି । ହେଲେ ଏହାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଏଡେଇ ଯାଇ ଖେଳକୁଦ ଏବଂ ନାଚଗୀତରେ ସମୟ ଅତିବାହିତ କରୁଥିବା ରାଜ୍ୟ ପାଇଁ ଏକ ଲଜ୍ଜାଜନକ ବିଷୟ ବୋଲି ସଙ୍ଘ କହିଛି । ଆସନ୍ତା ୧୮ ତାରିଖରେ ବିଧାନ ସଭାର ମୌସୁମୀ ଅଧୂବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ସଂଘ ସେହିଦିନ ମହାତ୍ମା ଗାନ୍ଧୀ ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ ସହିତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବ । ଦାବି ପୂରଣ ଦିଗରେ ମୁଖ୍ୟମନ୍ତ୍ରୀଙ୍କର ପ୍ରତ୍ୟକ୍ଷ ହସ୍ତକ୍ଷେପ ବିନା ଏହି ଆନ୍ଦୋଳନ ହଟିବ ନାହିଁ ବୋଲି କହିଛି ସଂଘ ।

ବ୍ରିଟେନ “କଦାପି ଆତ୍ମସମର୍ପଣ କରିବ ନାହିଁ” ; ଦକ୍ଷିଣପନ୍ଥୀ ବିରୋଧୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କେର ଷ୍ଟାର୍ମର

ନନ୍ଦିଘୋଷ ବ୍ୟୁରୋ: କୌଣସି ପରିସ୍ଥିତିରେ ବି ଦକ୍ଷୀଣପନ୍ଥୀଙ୍କ ନିକଟରେ ମୁଣ୍ଡ ନୁଆଁଇବ ନାହିଁ ବ୍ରିଟେନ ସରକାର । ଏଭଳି କହି ପ୍ରବାସୀ ବିରୋଧୀ କର୍ମୀ ଟମି ରବିନସନଙ୍କ ନେତୃତ୍ବାଧୀନ ଦକ୍ଷିଣପନ୍ଥୀ ବିରୋଧୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ କେର ଷ୍ଟାର୍ମର । ଦେଶ ଭିତରେ ଏଭଳି ବିରୋଧ ପ୍ରଦର୍ଶନକୁ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ କେର ଷ୍ଟାର୍ମର ।

ଲୋକମାନଙ୍କର ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାର ଅଧିକାର ଅଛି। ଏହା ଆମ ଦେଶର ମୂଲ୍ୟବୋଧର ମୂଳ । କିନ୍ତୁ ଆମେ ପୋଲିସ ଅଧିକାରୀଙ୍କ ଉପରେ ଆକ୍ରମଣକୁ ସମର୍ଥନ କରିବୁ ନାହିଁ । ବ୍ରିଟେନ ଏକ ଗର୍ବର ସହିତ ସହନଶୀଳତା, ବିବିଧତା ଏବଂ ସମ୍ମାନ ଉପରେ ନିର୍ମିତ ଏକ ରାଷ୍ଟ୍ର । ଆମର ପତାକା ଆମର ବିବିଧ ଦେଶକୁ ପ୍ରତିନିଧିତ୍ୱ କରେ । ଆମେ ଏହାକୁ କେବେବି ହିଂସା, ଭୟ ଏବଂ ବିଭାଜନର ପ୍ରତୀକ ଭାବରେ ବ୍ୟବହାର କରୁଥିବା ଲୋକଙ୍କ ହାତରେ ସମର୍ପଣ କରିବୁ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଗତକାଲି ପ୍ରବାସୀ ବିରୋଧୀ କର୍ମୀ ଟମି ରବିନସନଙ୍କ ନେତୃତ୍ବରେ ଦକ୍ଷିଣପନ୍ଥୀମାନେ ଲଣ୍ଡନରେ ବଡ଼ ଧରଣର ବିକ୍ଷୋଭ କରିଛନ୍ତି । ଏଥିରେ ସାମିଲ ହୋଇଛନ୍ତି ଲକ୍ଷାଧିକ କର୍ମୀ । କେତେକ ସ୍ଥାନରେ ଭଙ୍ଗାରୁଜା ବି ହୋଇଛି । ପୋଲିସ ସହ ଆନ୍ଦୋଳନକାରୀଙ୍କ ଧସ୍ତାଧସ୍ତି ହୋଇଛି । ୟୁନାଇଟ ଦି କିଙ୍ଗଡମ ନାମରେ ଏହି ଅଭିଯାନକୁ ନେଇ ବ୍ରିଟେନ ରାଜନୀତିରେ ଦେଖାଯାଇଛି କମ୍ପନ । ଷ୍ଟାଣ୍ଡ ଅପ୍ ଟୁ ରାସିଜିମ୍ ପକ୍ଷରୁ ୫ ହଜାର ଲୋକଙ୍କୁ ନେଇ ପ୍ରତିବାଦ କରାଯିବା ଘଟଣାର ଜବାବରେ ୟୁନାଇଟ ଦି କିଙ୍ଗଡମ ପ୍ରତିବାଦ କରାଯାଇଛି । ଏହି ଆନ୍ଦୋଳନବେଳେ କିଛି ଅଫିସରଙ୍କୁ ଆନ୍ଦୋଳନକାରୀ ଆକ୍ରମଣ କରିଥିବା ସୂଚନା ମିଳିଛି । ଆନ୍ଦୋଳନକାରୀଙ୍କ ହାତରେ ବ୍ରିଟେନ, ଆମେରିକା ଓ ଇସ୍ରାଏଲ ପତାକା ଦେଖିବାକୁ ମିଳିଥିବାବେଳେ ସେମାନେ ପ୍ରବାସୀ ରହୁଥିବା ହୋଟେଲ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆନ୍ଦୋଳନକାରୀମାନେ ପିନ୍ଧିଥିବା ଟୋପିରେ ମେକ୍ ଆମେରିକା ଗ୍ରେଟ ଏଗେନ ଲେଖାଥିବାବେଳେ ସେମାନେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି ।

ଶନିବାର ଦିନ ଦକ୍ଷିଣପନ୍ଥୀ କର୍ମୀ ଟମି ରବିନସନଙ୍କ ନେତୃତ୍ୱରେ ପ୍ରବାସ ବିରୋଧରେ ୧,୧୦,୦୦୦ ରୁ ଅଧିକ ଲୋକ କେନ୍ଦ୍ରୀୟ ଲଣ୍ଡନରେ ଏକ ଶୋଭାଯାତ୍ରା କରିଥିଲେ, ଯାହାଙ୍କ ପ୍ରକୃତ ନାମ ଷ୍ଟିଫେନ ୟାକ୍ସଲି-ଲେନନ। ୟୁନିଟ୍ ଦି କିଙ୍ଗଡମ ରାଲିରେ ଯୋଗ ଦେଇଥିବା କିଛି ଲୋକ ପୋଲିସ ସହିତ ସଂଘର୍ଷ କରିଥିଲେ। ମେଟ୍ରୋପଲିଟାନ ପୋଲିସ ଅନୁଯାୟୀ, ୨୬ ଜଣ ଅଧିକାରୀ ଆହତ ହୋଇଥିଲେ ଏବଂ ଅତି କମରେ ୨୪ ଜଣଙ୍କୁ ଗିରଫ କରାଯାଇଥିଲା।

ଚାଷୀଙ୍କ ପାଇଁ ଗର୍ଜିବ ବିଜେଡ଼ି ; ସାର ପାଇଁ ରାଜଭବନ ସାମ୍ନାରେ ଧାରଣା ଦେବ ବିଜେଡି

ଭୁବନେଶ୍ବର : ଚାଷୀଙ୍କ ପାଇଁ ପୁଣି ଥରେ ସ୍ବର ଉତ୍ତୋଳନ କଲା ବିଜୁ ଜନତା ଦଳ । ରାଜ୍ୟରେ ଚାଲିଥିବା ସାର ସଙ୍କଟ ବିରୋଧରେ ଆଜି ଦିନ ୧୧ଟାରେ ରାଜଭବନ ଆଗରେ ଧାରଣା ଦେବ ବିଜେଡି । ବିଜେପି ସରକାରଙ୍କ ସାର ମହଜୁଦ ଦାବି ଧୂଆଁବାଣ । ଏପର୍ଯ୍ୟନ୍ତ ସବୁ ଜିଲ୍ଲାରେ ପହଞ୍ଚିପାରିଲାନି ଆବଶ୍ୟକ ସାର । ସାର ପାଇଁ ଡହଳବିକଳ ହେଉଛନ୍ତି ଚାଷୀ । ସାର ନିଅଣ୍ଟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବ ପ୍ରମୁଖ ବିରୋଧୀ ବିଜୁ ଜନତା ଦଳ । ସମବାୟ ବିଭାଗର ତଥ୍ୟ କହୁଛି, ରାଜ୍ୟରେ ସାର ନିଅଣ୍ଟିଆ ରହିଛି । ସାର ଯୋଗାଣକୁ ବ୍ୟବସ୍ଥିତ ଓ କଳାବଜାରୀ ରୋକିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ହେଲେ ସରକାର ସମୀକ୍ଷା ନାଁରେ କେବଳ ଅସତ୍ୟ କହିଚାଲିଛନ୍ତି ।

ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ରାଜ୍ୟର କୃଷକ ସମାଜକୁ ସରକାର ଭୁଆଁ ବୁଲାଉଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ହେଲେ କୌଣସି ସମାଧାନର ରାସ୍ତା ବାହାରି ନାହିଁ। ସାର ନିଅଣ୍ଟିଆ ସ୍ଥିତି ଯୋଗୁ କୃଷକମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜରାସ୍ତାକୁ ଓହ୍ଲାଉଛନ୍ତି । ଦୀର୍ଘ ଦିନ ଧରି ୟୁରିଆ ଅଭାବ ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ଧାରକରଜ କରିଥିବା ଚାଷୀଙ୍କୁ ଏବେ ଚିନ୍ତା ଘାରିଛି ।

ଏସିଆ କପ୍: ପାକିସ୍ତାନକୁ ୭ ଓ୍ବିକେଟରେ ହରାଇଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ଏସିଆ କପରେ ଭାରତର ଦମଦାର ବିଜୟ । ପରକିସ୍ତାନକୁ ୭ ଓ୍ବିକେଟରେ ହରାଇଲା ଭାରତ । ୧୨୮ ରନ୍ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ୩ ଓ୍ବିକେଟ ହରାଇ ୧୩୧ ରନ୍ କରିଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ୩୧, ଶୁବମନ ଗିଲ୍ ୧୦, ତିଲକ ବର୍ମା ୩୧ ରନ୍ କରି ଆଉଟ୍ ହୋଇଥିଲେ । ସୂର୍ଯ୍ୟକୁମାର ୪୭ ରନ୍ ଏବଂ ଏସ ଦୁବେ ୧୦ ରନ୍ କରି ଭାରତକୁ ବିଜୟୀ କରାଇଥିଲେ । ପାକିସ୍ତାନ ପକ୍ଷରୁ ଏସ ଆୟୁବ ୩ଟି ଓ୍ବିକେଟ ନେଇଥିଲେ ।

ଟସ୍ ଜିତିବା ପରେ ପାକିସ୍ତାନ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ଆରମ୍ଭରୁ ଭାରତୀୟ ବୋଲରଙ୍କ ଦବଦବା ଦେଖିବାକୁ ମିଳିଥିଲା । ୪୫ ରନରେ ପାକିସ୍ତାନ ୩ଟି ଓ୍ବିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏହାପରେ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ ହରାଇ ୧୨୭ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ପାକିସ୍ତାନ ଓପ୍ନର ଏସ ଫରହାନ ୪୦ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଏସ ହାରିସ ୩, ଏସ ଜମାନ ୧୭, ଏ ସଲମାନ ୩, ଏଫ ଅଶରଫ ୧୧, ଏସ ଅଫରିଦ ୩୩ ଏବଂ ଏସ ମୁକିମ ୧୦ ରନ୍ କରିଥିବା ବେଳେ ଏସ ଆୟୁବ ଏବଂ ଏମ ନଓ୍ବାଜ ଖାତା ଖୋଲି ପାରି ନଥିଲେ ।

ଭାରତ ପକ୍ଷରୁ କୁଲଦୀପ ୩ଟି ଓ୍ବିକେଟ ନେଇଥିବା ବେଳେ ବୁମରା ଏବଂ ଅକ୍ଷର ପଟେଲ ଦୁଇଟି ଲେଖାଏଁ ଏବଂ ପାଣ୍ଡ୍ୟା ଏବଂ ବରୁଣ ଚକ୍ରବର୍ତ୍ତି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସୂଚନାଯୋଗ୍ୟ, ପହଲଗାମ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି । ଯାହାର ପ୍ରଭାବ ଆଜିର ମ୍ୟାଚରେ ବି ଦେଖିବାକୁ ମିଳିଥିଲା । ଟସ୍ ପକାଇବାକୁ ଦୁଇ ଦଳର ଅଧିନାୟକ ପଡ଼ିଆକୁ ଆସିଥିଲେ । ହେଲେ ସେଠାରେ ଭାରତୀୟ ଅଧିନାୟକ ପାକିସ୍ତାନ ଅଧିନାୟକଙ୍କ ସହ ହାତ ମିଳାଇ ନଥିଲେ । ଏପରିକି ଖେଳ ଶେଷ ପରେ ମଧ୍ୟ ଭାରତୀୟ ବ୍ୟାଟର୍ ଫିଲ୍ଡ ଭିତରେ ପାକିସ୍ତାନୀ ଫିଲ୍ଡରଙ୍କ ସହ ହାତ ମିଶାଇ ନଥିଲେ ।

ଏସିଆ କପ୍: ଭାରତ ଆଗରେ ୧୨୮ ରନର ବିଜୟ ଲକ୍ଷ୍ୟ

ନନ୍ଦିଘୋଷ ବ୍ୟୁରୋ: ଏସିଆ କପରେ ଭାରତ ଆଗରେ ୧୨୮ ରନର ବିଜୟ ଲକ୍ଷ୍ୟ ଦେଇଛି ପାକିସ୍ତାନ । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ ହରାଇ କରିଛି ୧୨୭ ରନ । ଆରମ୍ଭରୁ ଭାରତୀୟ ବୋଲର ଦମଦାର ବୋଲିଂ କରିଥିଲେ । ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୩ଟି ଓ୍ବିକେଟ ହାସଲ କରିଥିବା ବେଳେ, ଅକ୍ଷର ପଟେଲ ଓ ବୁମରା ୨ଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଓ ବରୁଣ ଚକ୍ରବର୍ତ୍ତି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ପାକିସ୍ତାନ ପକ୍ଷରୁ ସାହିବଜାଦା ଫରହାନ ସର୍ବାଧିକ ୪୦ ରନ କରିଥିବା ବେଳେ, ସାହିନ ଆଫ୍ରିଦି ୩୩ ରନ କରି ନଟଆଉଟ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫକର ଜମାନ ୧୭, ଫହିମ ଅଶରଫ ୧୧ ଓ ସୁଫିୟାନ ମୁକିମ୍ ୧୦ ରନ କରିଥିଲେ । ଜବାବରେ ୧୨୮ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରୁଛି ଭାରତ ।

ସେପ୍ଟେମ୍ବର ୨୨ରୁ ଶସ୍ତା ହେବ ଅତ୍ୟାବଶ୍ୟକ ସାମଗ୍ରୀ, ଲାଗୁ ହେବ ସଂଶୋଧିତ ଜିଏସଟି ଦର

ନନ୍ଦିଘୋଷ ବ୍ୟୁରୋ: ଚଳିତମାସ ୨୨ ତାରିଖରୁ ନୂଆ ଜିଏସଟି ଦର । ଖାସ୍ କରି ଅତ୍ୟାବଶକୀୟ ସାମଗ୍ରୀରେ ଜିଏଟି ହ୍ରାସ ପାଇଥିବାରୁ ଏହି ସବୁ ସାମଗ୍ରୀରେ ଲାଗିବ ସଂଶୋଧିତ ନୂଆ ଦର ପାଇଁ ଷ୍ଟିକର । ଏ ନେଇ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଖାଉଟି କଲ୍ୟାଣ ବିଭାଗ । ପୂର୍ବରୁ ଅଧିକ ଜିଏସଟି ପଇଠ କରି ସାମଗ୍ରୀ କିଣିଥିବା ବ୍ୟବସାୟୀ ଇନପୁଟ ଟ୍ୟାକ୍ସ କ୍ରେଡିଟ ବାବଦରେ ଅତିରିକ୍ତ ଅର୍ଥ ଫେରିପାଇବେ । କିନ୍ତୁ ଯେଉଁ ବ୍ୟବସାୟୀଙ୍କର ଜିଏସଟି ନମ୍ବର ନାହିଁ ସେମାନେ କୌଣସି ଟିକସ ଅର୍ଥ ଫେରସ୍ତ ପାଇବେ ନାହିଁ ।

ସେପ୍ଟେମ୍ବର ୨୨ ତାରିଖରୁ ଶସ୍ତା ହେବ ଅତ୍ୟାବଶ୍ୟକ ସାମଗ୍ରୀ । ଲାଗୁ ହେବାକୁ ଯାଉଛି ସଂଶୋଧିତ ଜିଏସଟି ଦର । ଅତ୍ୟାବଶକୀୟ ସାମଗ୍ରୀରେ ଜିଏସଟି ୧୮ ଓ ୧୨ ପ୍ରତିଶତରୁ ଖସି ୫ ପ୍ରତିଶତକୁ ହ୍ରାସ କରାଯାଇଛି । ପୁରୁଣା ଏମଆରପି ସହିତ ପ୍ୟାକେଟରେ ନୂଆ ଦର ଷ୍ଟିକରିଂ ହେବ । ଗ୍ରାହକ ପୁରୁଣା ଓ ନୂଆ ଜିଏସଟି ଦରର ଫରକ ଜାଣି ପାରିବେ । ଜିଏସଟି ସ୍ଲାବରେ ପରିବର୍ତ୍ତନ ପରେ ପୂର୍ବରୁ କ୍ରୟ କିମ୍ବା ପ୍ୟାକିଂ ହୋଇସାରିଥିବା ସାମଗ୍ରୀ ଉପରେ ସଂଶୋଧିତ ମୂଲ୍ୟ ଲେଖିବାକୁ ବାଧ୍ୟତାମୂଳକ କରାଯାଇଛି । ଏ ନେଇ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ଜନବିତରଣ ବିଭାଗ ପକ୍ଷରୁ ଓଡ଼ିଶା ସମେତ ସମସ୍ତ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଉତ୍ପାଦକ, ପ୍ୟାକର୍ ଓ ଆମଦାନୀକାରୀଙ୍କୁ ନିର୍ଦ୍ଦେଶ ଜାରି କରିବା ପାଇଁ କୁହାଯାଇଛି । ଜିଏସଟି ସଂଶୋଧନ ପୂର୍ବରୁ ଗଚ୍ଛିତ ଥିବା ସାମଗ୍ରୀ ଉପରେ ନୂଆ ଦର ବା ଏମ୍ଆରପି ଉଲ୍ଲେଖ ରହିବା ଜରୁରୀ । ହ୍ରାସ ପାଇଥିବା ଜିଏସଟି ଅନୁସାରେ ନୂଆ ଏମ୍ଆରପି ଲାଗୁ ହେବା ଆବଶ୍ୟକ । ଚଳିତବର୍ଷ ଡିସେମ୍ବର ଶେଷ ସୁଦ୍ଧା କିମ୍ବା ଷ୍ଟକ୍ ଶେଷ ହେବା ଯାଏଁ ଏହି ନିର୍ଦ୍ଦେଶନାମା ଲାଗୁ ହେବ । ପୁରୁଣା ମୂଲ୍ୟକୁ ନ ଲିଭାଇ ତାହା ନିକଟରେ ନୂଆ ମୂଲ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବ । ମୂଲ୍ୟ ସଂଶୋଧନ ସମ୍ପର୍କରେ ଉତ୍ପାଦକ, ପ୍ୟାକର୍, ଆମଦାନୀକାରୀ ଖବର କାଗଜରେ ବିଜ୍ଞାପନ ସମ୍ବନ୍ଧରେ ଜଣାଇବା ସହ ନିଜର ଡିଲର ଓ ସ୍ଥାନୀୟ ମାପ ଓଜନ ବିଭାଗକୁ ନୋଟିସ ମାଧ୍ୟମରେ ଜଣାଇବେ । ଏହାଦ୍ବାରା ଖୁଚୁରା ମୁଦ୍ରାସ୍ଫୀତି ଖସିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

ବ୍ୟବସାୟୀ ଯାହା ପୁରୁଣା ଦରରେ କିଣିଥିବେ, ତାକୁ ନୂଆ ଦରରେ ବିକ୍ରି କଲେ କେନ୍ଦ୍ର ସରକାର ଇନପୁଟ କ୍ରେଡିଟ ଦେବେ । ହେଲେ ଏଥିରେ କ୍ଷୁଦ୍ର ବ୍ୟବସାୟୀ ପ୍ରଭାବିତ ହେବେ । କାରଣ ଅଧିକାଂଶ କ୍ଷୁଦ୍ର ବ୍ୟବସାୟୀଙ୍କ ଜିଏସଟି ନମ୍ବର ନାହିଁ । ଯେଉଁଥିପାଇଁ ସେମାନେ କ୍ଷତିପୂରଣରୁ ବଞ୍ଚିତ ହେବେ । ପ୍ରଥମ କିଛି ଦିନ ସେମାନେ ବାଧ୍ୟ ହୋଇ ପୁରୁଣା ଦରରେ ବିକିବେ । ତା’ ପରେ ସ୍ଥିତି ସ୍ବାଭାବିକ ହେବାର ସମ୍ଭାବନା ରହିଛି । ହେଲେ ଏପରି ଦ୍ବନ୍ଦ୍ବ ଭିତରେ କେନ୍ଦ୍ର ସରକାର ଏମଆରପି ଉପରେ ନିର୍ଦ୍ଦିଷ୍ଟ ନିୟମ ଆଣିବାକୁ ବ୍ୟବସାୟୀ ଦାବି କରିଛନ୍ତି । ଯେଉଁଥିପାଇଁ କେହି ମନଇଚ୍ଛା ଏମଆରପି ଲେଖି ପାରିବେ ନାହିଁ । ଜିଏସଟି ସ୍ଲାବରେ ପରିବର୍ତ୍ତନ କରିବା ପାଇଁ ଗତ ୩ ତାରିଖରେ ଜିଏସଟି କାଉନସିଲ ନିଷ୍ପତ୍ତି ନେଇଛି । ଯେଉଁଥିରେ ବିଭିନ୍ନ ସାମଗ୍ରୀରେ ଜିଏସଟି ସଂଶୋଧନ କରାଯାଇଥିଲା ।

ଚାଷୀଙ୍କ ପାଇଁ ସରକାରଙ୍କୁ ଘେରିବ ବିଜେଡି, କାଲି ରାଜଭବନ ଆଗରେ ଧାରଣା

ନନ୍ଦିଘୋଷ ବ୍ୟୁରୋ: ଚାଷୀଙ୍କ ପାଇଁ ପୁଣି ଥରେ ସ୍ବର ଉତ୍ତୋଳନ କରିବ ବିଜୁ ଜନତା ଦଳ । ରାଜ୍ୟରେ ଚାଲିଥିବା ସାର ସଙ୍କଟ ବିରୋଧରେ ଆସନ୍ତାକାଲି ବିଜେଡି ପକ୍ଷରୁ ରାଜଭବନ ଆଗରେ ଧାରଣା ଦିଆଯିବ । ସାର ପର୍ଯ୍ୟାପ୍ତ ଥିବା ନେଇ ବାରମ୍ବାର ସରକାର ଭୁଆଁ ବୁଲାଉଛନ୍ତି । ସେହିପରି କଂଗ୍ରେସ ବି ସାର ପ୍ରସଙ୍ଗରେ ସରକାରଙ୍କୁ ଘେରିଛି । ନିଜେ ଚାଷୀ ହେବା ସତ୍ତ୍ବେ ସାର ନ ପାଇବାରୁ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । ସେପଟେ ବିଜେପି ଚାଷୀଙ୍କ ପାଇଁ ସବୁଠୁ ସମ୍ବେଦନଶୀଳ ବୋଲି ଦାବି କରିଛନ୍ତି ସରକାର ।

ସରକାରଙ୍କ ସାର ମହଜୁଦ ଦାବି ଧୂଆଁବାଣ । ଏ ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ପହଞ୍ଚି ପାରିଲାନି ଆବଶ୍ୟକ ସାର । ସାର ପାଇଁ ଡହଳବିକଳ ହେଉଛନ୍ତି ଚାଷୀ । ସାର ନିଅଣ୍ଟ ପ୍ରସଙ୍ଗରେ ଆସନ୍ତାକାଲି ରାଜ୍ୟ ସରକାରଙ୍କୁ ଘେରିବ ପ୍ରମୁଖ ବିରୋଧୀ ବିଜୁ ଜନତା ଦଳ । ସମବାୟ ବିଭାଗର ତଥ୍ୟ କହୁଛି, ରାଜ୍ୟରେ ସାର ନିଅଣ୍ଟିଆ ରହିଛି । ସାର ଯୋଗାଣକୁ ବ୍ୟବସ୍ଥିତ ଓ କଳାବଜାରୀ ରୋକିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ହେଲେ ସରକାର ସମୀକ୍ଷା ନାଁରେ କେବଳ ଅସତ୍ୟ କହି ଚାଲିଛନ୍ତି । ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ରାଜ୍ୟର କୃଷକ ସମାଜକୁ ସରକାର ଭୁଆଁ ବୁଲାଉଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ହେଲେ କୌଣସି ସମାଧାନର ରାସ୍ତା ବାହାରି ନାହିଁ ।

ବିଜେଡି ପରି କଂଗ୍ରେସ ବି ସାର ସଙ୍କଟରେ ସରକାରଙ୍କୁ ଦାୟୀ କରିଛି । ଖୋଦ୍ କଂଗ୍ରେସ ବିଧାୟକ ଦଳ ନେତା ଚାଷ କାମ ପାଇଁ ସାର ନ ପାଇବାରୁ ଉଦବେଗ ପ୍ରକାଶ କରିଛନ୍ତି । ଏହାକୁ ବିଧାନସଭାରେ ଉପସ୍ଥାପନ କରି ସେ ସରକାରଙ୍କଠାରୁ ଉତ୍ତର ମାଗିବେ । ସେପଟେ ଚାଷୀଙ୍କୁ ୮୦୦ ଟଙ୍କାର ଇନପୁଟ ସବସିଡି ଦିଆଯାଉଥିବାରୁ ଚାଷୀଙ୍କ ହିତାକାଂକ୍ଷୀ ବୋଲି ଦାବି କରିଛନ୍ତି ସରକାର ।

ସାର ନିଅଣ୍ଟ ସ୍ଥିତି ଯୋଗୁ କୃଷକମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜରାସ୍ତାକୁ ଓହ୍ଲାଉଛନ୍ତି । ଦୀର୍ଘ ଦିନ ଧରି ୟୁରିଆ ଅଭାବ ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ଧାରକରଜ କରିଥିବା ଚାଷୀଙ୍କୁ ଚିନ୍ତା ଘାରୁଛି । ପୂର୍ବ ସରକାର ସମୟରେ ଏପାରି ହେଉ ନଥିବା ସେମାନେ କହିଛନ୍ତି ।

ରାଜ୍ୟର ୭୦ ପ୍ରତିଶତ ଲୋକଙ୍କ ଜୀବିକା କୃଷି ଉପରେ ନିର୍ଭର କରେ । ସରକାରଙ୍କ ବେପରୁଆ ମନୋଭାବ ଯୋଗୁଁ ସାରର ନିଅଣ୍ଟିଆ ସ୍ଥିତି ସୃଷ୍ଟି ହୋଇଛି । ଚାଷୀଙ୍କ ସ୍ବାର୍ଥ ରକ୍ଷା ପାଇଁ ବିଜୁ ଜନତା ଦଳ ସ୍ବର ଉତ୍ତୋଳନ କରିବ । ଯଦି ସାର ସମସ୍ୟା ଲାଗି ରହେ, ଆଗାମୀ ଦିନରେ ରାଜ୍ୟର ପ୍ରତି ବ୍ଲକରେ ବିଜେଡି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ।