ଖୋର୍ଦ୍ଧା: ଖୋର୍ଦ୍ଧାରେ ଜେଲ ଭିତରୁ ଚାଲିଥିଲା ବ୍ରାଉନସୁଗାର୍ ଡିଲ। ଜେଲ ଭିତରୁ ମୋବାଇଲ ଯୋଗେ ନିଶା ମାଫିଆ ଚଳାଇଥିଲା ରାକେଟ । ଏନେଇ ସୂଚନା ପାଇବା ପରେ ଆଜି ଜେଲ ଭିତରେ ଚଢାଉ ହୋଇଛି । ଖୋର୍ଦ୍ଧା ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ ରେଡ୍ କରିଛି । ମାଫିଆଙ୍କ ଫୋନ କଲ ସହ ସେମାନଙ୍କୁ ଦେଖାକରିବାକୁ ଆସୁଥିବା ଲୋକଙ୍କର ରେକର୍ଡ ଯାଞ୍ଚ କରାଯାଇଛି । ଜେଲ ହାଜତରୁ ମୋବାଇଲ ମିଳିଲା ପରେ ଗତ ୯ ତାରିଖରେ ଜେଲ ସପରିନଟେଣ୍ଡେଣ୍ଟ ଥାନାରେ ଅଭିଯୋଗ କରିଥିଲେ । ମୋବାଇଲ କଲ ରେକର୍ଡରୁ ବ୍ରାଉନସୁଗାର କାରବାର ସମ୍ପର୍କରେ ଜାଣିବାକୁ ପାଇଥିଲେ ପୋଲିସ । ପରେ ଜଣେ ମହିଳାଙ୍କ ସହ ୬ଜଣ ବ୍ରାଉନସୁଗାର ବେପାରୀଙ୍କୁ ପୋଲିସ ଗିରଫ କରିଥିଲା । ସେମାନଙ୍କ ନିକଟରୁ ୨୬୨ ଗ୍ରାମ ବ୍ରାଉନସୁଗାର, ଏକ ସ୍କର୍ପିଓ ଗାଡ଼ି ଓ ୬ଟି ମୋବାଇଲ ଜବତ ହୋଇଥିଲା ।
ଜାମ୍ମୁ ଓ କାଶ୍ମୀରର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାରପାତ
ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାରପାତ। ତୁଷାରପାତ ଓ ବର୍ଷା ଭିତରେ ଜନଜୀବନ ହୋଇଛି ବିପର୍ଯ୍ୟସ୍ତ। ଆହୁରି ୧୨ ଘଣ୍ଟା ଧରି ବରଫବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଲଗାତାର ୩ ଦିନ ଧରି ଜାମ୍ମୁ ଓ କାଶ୍ମୀରରେ ବରଫବର୍ଷା ଲାଗି ରହିଥିବାବେଳେ ମିଳୁନି ନିସ୍ତାର। ସୋନମାର୍ଗ ଓ ଗୁଲମାର୍ଗରେ ସ୍ଥିତି ହୋଇଛି ଅସମ୍ଭାଳ।
ରାସ୍ତାରେ ବରଫ ଜମିବା ଯୋଗୁ ଯାନବାହନ ଚଳାଚଳରେ ଗୁରୁତର ବାଧା ଉପୁଜିଛି। ରାସ୍ତାରେ ବହୁ ପର୍ଯ୍ୟଟକ ଫସିଥିବା ସୂଚନା ମିଳିଛି। ଗୁଲମାର୍ଗରେ ଅଢେଇ ଫୁଟର ବରଫ ଜମିଥିବା ସୂଚନା ମିଳିଛି। ଆସନ୍ତା ୨୭ ତାରିଖ ଯାଏ ଜାମ୍ମୁ ଓ କାଶ୍ମୀରରେ ସ୍ଥିତି ଏପରି ରହିବ ବୋଲି ଜଣାଯାଇଛି। ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଓ ଶ୍ରୀନଗର-ଲେହ ରାସ୍ତାରେ ବରଫ ଜମିବା ଯୋଗୁ ସ୍ଥିତି ଜଟିଳ ହୋଇଛି। ପ୍ରତିକୂଳ ପରିବେଶ ଯୋଗୁ ଏନଏଚ ୪୪ରେ ଯାତାୟତ ବନ୍ଦ ରହିଛି।
କୁପୱାରା ଜିଲ୍ଲା କେରନ ଓ ମାଚିଲ ସହ ଯୋଗାଯୋଗ ବିଚ୍ଛନ୍ନ ହୋଇଛି। ଅନନ୍ତନାଗ, ମୁଘଲ ରୋଡରେ ବି ସ୍ଥିତି ସମାନ ରହିଛି। ଗୁଲମାର୍ଗ, ସୋନାମାର୍ଗ, ସାଧନା ଟପ, ରାଜଦାନ ଟପ, ତୁଲାଏଲ ଗୁରେଜ ଆଦି ସ୍ଥାନରେ ବରଫ ବର୍ଷା ଜାରି ରହିଥିବାବେଳେ ଗୁଲମାର୍ଗରେ ଅଢେଇ ଫୁଟ, ସୋନମାର୍ଗରେ ୪ ଫୁଟ, ସାଧନା ଟପରେ ୫ ଫୁଟ, ରାଜଦାନ ଟପରେ ୫ ଫୁଟ, ତୁଲାଏଲ ଗୁରେଜରେ ୪ ଫୁଟର ବରଫ ଆସ୍ତରଣ ପରିଲକ୍ଷିତ ହୋଇଛି। ତେଣେ କାଜିଗୁଣ୍ଡ, ପହଲଗାମ, କୁପୱାରା, କୋକରନାଗ, ଗୁଲମାର୍ଗ ଆଦି ସ୍ଥାନରେ ବର୍ଷା ହେବାରୁ ସ୍ଥିତି ଜଟିଳ ହୋଇଛି।
ବିଦେଶିନୀଙ୍କୁ ଅସଦାଚରଣ କରି ଗିରଫ ହେଲେ ସେବାୟତ
ଭୁବନେଶ୍ୱର : ବିଦେଶିନୀଙ୍କୁ ଅସଦାଚରଣ କରି ଗିରଫ ହେଲେ ସେବାୟତ । ଲିଙ୍ଗରାଜ ମନ୍ଦିରର ଉତ୍ତର ଦ୍ବାର ବାହାରେ ବିଦେଶିନୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ କୁଣ୍ଡୁ ମହାପାତ୍ରଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ। ଅଭିଯୁକ୍ତ ବିରୋଧରେ ଆଇପିସିର ଧାରା ୩୫୪, ୩୫୪A ଆଧାରରେ ମାମଲା ରୁଜୁ ହୋଇଛି। ଅସଦାଚରଣ ନେଇ ବିଦେଶିନୀ ଜଣକ ଥାନାରେ ଅଭିଯୋଗ କରିଥିଲେ।
ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତ ସେବୟତଙ୍କୁ ଗିରଫ କରିଛି ପୋଲିସ।
ଦିଲ୍ଲୀରେ ପ୍ରବେଶ ଲାଗି ୧୪ ହଜାରରୁ ଅଧିକ କୃଷକଙ୍କ ମାର୍ଚ୍ଚ
ନୂଆଦିଲ୍ଲୀ : ନ୍ୟାଯ୍ଯ ଦାବିରେ ଚାଷୀଙ୍କ ଦୁର୍ବାର ଆନ୍ଦୋଳନ। ଦିଲ୍ଲୀରେ ପ୍ରବେଶ ଲାଗି ୧୪ ହଜାରରୁ ଅଧିକ କୃଷକଙ୍କ ମାର୍ଚ୍ଚ। ରାଲିରେ ସାମିଲ ହୋଇଛନ୍ତି ୧୨ଶହରୁ ଅଧିକ ଟ୍ରାକ୍ଟର। ଚାଷୀଙ୍କ ବିଶାଳ ଆନ୍ଦୋଳନକୁ ନଜରରେ ରଖି ଦିଲ୍ଲୀ ରହିଛି ହାଇଆଲର୍ଟରେ। ସମସ୍ତ ପ୍ରବେଶ ପଥରେ ନାହିଁ ନଥିବା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଚାଷୀଙ୍କ ନିକଟରେ ଥିବା ଭାରୀ ଯାନକୁ ଜବତ ଲାଗି ପଞ୍ଜାବ ସରକାରଙ୍କୁ ଅନୁରୋଧ କରିଛନ୍ତି ହରିଆଣା ସରକାର।
ରାଜପଥରେ ରଖାଯାଇଥିବା ବ୍ଯାରିକଡକୁ ହଟାଇବା ଲାଗି ଚାଷୀମାନେ ସାଥୀରେ ଭାରୀ ଯାନ ଆଣିଥିବାରୁ ପୋଲିସ ବାହିନୀ ମଧ୍ୟରେ ପଶିଛି ଛନକା। ଚାଷୀମାନେ ନିଜ ଦାବି ସମ୍ପର୍କିତ ବ୍ଯାନର ଓ ପ୍ଲାକାର୍ଡ ଧରି ଅଭିଯାନରେ ସାମିଲ ହୋଇଛନ୍ତି। ପଞ୍ଜାବ ଓ ହରିଆଣା ସୀମାରେ ସହସ୍ରାଧିକ ଚାଷୀ ସମବେତ ହେଉଥିବା ପରିଲକ୍ଷିତ ହେଉଛି।
ଚାଷୀମାନେ ନିଜ ସାଥୀରେ ୩ଶହରୁ ଅଧିକ କାର ଓ ୧୦ଟି ମିନିବସ ବି ଆଣିଛନ୍ତି। ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ଯ ଲାଗି ଆଇନଗତ ଗ୍ଯାରେଣ୍ଟି, ସ୍ବାମୀନାଥନ କମିଶନ ସୁପାରିସ କାର୍ଯ୍ୟକାରୀ, ଚାଷୀ ଓ କୃଷି ଶ୍ରମିକଙ୍କୁ ପେନସନ, ଚାଷୀଙ୍କ ଉପରୁ ଋଣ ଛାଡ଼, ଲଖିମପୁର ଖେରି ହିଂସା ଘଟଣାରେ ପୀଡିତଙ୍କୁ ନ୍ୟାୟ ଆଦି ଦାବି ନେଇ ଚାଲିଛି ଆନ୍ଦୋଳନ। ସିଙ୍ଘୁ ଓ ଟିକିରି ସୀମାରେ ଏକାଠି ହୋଇଛନ୍ତି ଚାଷୀ।
ଏମଏସପି ଗାରେଣ୍ଟି ନେଇ କେନ୍ଦ୍ରର ଚୁକ୍ତି ପ୍ରସ୍ତାବକୁ ଚାଷୀସଂଗଠନ ପ୍ରତ୍ୟାଖାନ ପରେ ଆନ୍ଦୋଳନକୁ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି କୃଷକ ସଂଗଠନ। କୃଷକ ଆନ୍ଦୋଳନକୁ ଅଧିକ ଶକ୍ତିଶାଳୀ କରିବା ଲାଗି ଆସନ୍ତାକାଲି ଦିଲ୍ଲୀରେ ବୈଠକ ବସିବ ବୋଲି ଘୋଷଣା କରାଯାଇଛି ।

