ଆଠମଲ୍ଲିକ: ବିଜେଡିର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପ୍ରଚାର ଜୋରଦାର। ବିଜେଡି ପକ୍ଷରୁ ପ୍ରଣବ ପ୍ରକାଶ ଦାସ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ଆଗେଇ ନେବା ପାଇଁ ଅଣ୍ଟା ଭିଡିଛନ୍ତି ପ୍ରଣବ। ଆଜି ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ପହଞ୍ଚି ମା’ ମାହେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ଆଠମଲ୍ଲିକରେ ନିର୍ବାଚନ ପ୍ରଚାର କରିଛନ୍ତି। ସାଙ୍ଗରେ ଅଛନ୍ତି ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ। ଲୋକଙ୍କୁ ଭେଟି ସମର୍ଥନ ସାଉଣ୍ଟୁଛନ୍ତି ପ୍ରଣବ।
ରାଜନୀତି ମଇଦାନରେ ବୀରାପ୍ପାନଙ୍କ ଝିଅ ବିଦ୍ଯାରାଣୀ
କ୍ରିଷ୍ଣଗିରି: ଲୋକସଭା ନିର୍ବାଚନ ଲାଗି ପ୍ରଚାର ଜୋରଦାର। ମଇଦାନରେ ହାଇଭୋଲଟେଜ ଫାଇଟ। ଅବତୀର୍ଣ୍ଣ ହୋଇଛନ୍ତି ବିଭିନ୍ନ ଦଳର ରାଜନେତା। ସେପଟେ ସାରା ଦେଶକୁ ଦିନେ ଚହଲାଇଦେଇଥିବା ଜଙ୍ଗଲ ତସ୍କର ବୀରାପ୍ପାନଙ୍କ ଝିଅ ବିଦ୍ଯାରାଣୀ ବି ପରୀକ୍ଷା କରୁଛନ୍ତି ଭାଗ୍ୟ।
ତାମିଲନାଡୁ କ୍ରିଷ୍ଣଗିରି ଲୋକସଭା ଆସନରୁ ସେ ନାମ୍ ତାମିଲାର କାଚି ବା ଏନଟିକେ ଦଳରୁ ହୋଇଛନ୍ତି ପ୍ରାର୍ଥୀ। ସ୍ଥାନୀୟ ଅଞ୍ଚଳର କୃଷକ ଓ ମହିଳାଙ୍କ ବିକାଶ ଲାଗି ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ସେ କହିଛନ୍ତି- ଲୋକଙ୍କ ମୁଖପାତ୍ର ହେବାକୁ ସେ ପ୍ରସ୍ତୁତ। କ୍ରିଷ୍ଣଗିରି ଅଞ୍ଚଳରେ ପର୍ଯ୍ୟାପ୍ତ ଚାଷଜମି ରହିଛି। ହେଲେ ପାଣି ନାହିଁ। ଅନେକ ଶିକ୍ଷିତ ଯୁବକଯୁବତୀ ବେକାର ଅଛନ୍ତି। ଯଦି ତାଙ୍କୁ ପାର୍ଲାମେଣ୍ଟ ଯିବା ଲାଗି ସୁଯୋଗ ମିଳେ ତେବେ ଏସବୁ ସମସ୍ଯାର ସମାଧାନ ଲାଗି ସେ କାର୍ଯ୍ୟ କରିବେ। ଯଦି କୌଣସି ଦଳ ଏହି ସବୁ ସମସ୍ଯାର ସମାଧାନ କରିବା ଲାଗି ଆଗେଇ ଆସେ ତେବେ ସେହି ଦଳର ପ୍ରାର୍ଥୀଙ୍କୁ ସେ ସମର୍ଥନ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ବିଦ୍ଯାରାଣୀ।
ହମାସ କବଳରେ ଥିବା ପଣବନ୍ଦୀଙ୍କ ମଧ୍ୟରୁ ୪୦ ମୃତ
ହମାସ: ହମାସ କବଳରେ ଥିବା ପଣବନ୍ଦୀଙ୍କ ମଧ୍ୟରୁ ୪୦ ମୃତ। ପଣବନ୍ଦୀଙ୍କ ମୁକ୍ତି ଲାଗି ଆମେରିକା ସମେତ ବିଭିନ୍ମ ମହଲରୁ ଉଦ୍ୟମ ଜାରି ରହିଥିବାବେଳେ ହମାସର ଏହି ସୂଚନା ପରିସ୍ଥିତିକୁ ଅଧିକ ଜଟିଳ କରିବା ଆଶଙ୍କା ରହିଛି। ଗତ ଅକ୍ଟୋବର ୭ରେ ଇସ୍ରାଏଲରୁ ହମାସ ୨୫୩ପଣବନ୍ଦୀଙ୍କୁ ନେଇଯାଇଥିଲେ ।
କିଛି ପଣବନ୍ଦୀଙ୍କୁ ମୁକ୍ତି ଦିଆଯିବାପରେ ଅବଶିଷ୍ଟ ୧୩୩ଜଣ ପଣବନ୍ଦୀ ହମାସ କବଳରେ ରହିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୪୦ ପଣବନ୍ଦୀଙ୍କୁ ମୁକ୍ତ କରିବା ଲାଗି ଆମେରିକା ଓ ଅନ୍ୟାନ୍ୟ ଦେଶ ମଧ୍ୟସ୍ଥତା କରୁଥିଲେ। ମାତ୍ର ସେହି ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ହମାସ ସୂଚନା ଦେବା ପରେ ସ୍ଥିତି ଜଟିଳ ହୋଇଛି । ଇସ୍ରାଏଲ ଓ ହମାସ ମଧ୍ୟରେ ଆଲୋଚନା ଲାଗି ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ପକ୍ଷରୁ ଉଦ୍ଯମ ଜାରି ରହିଥିବାବେଳେ ହମାସର ଏହି ବୟାନ ଅନିଶ୍ଚିତତା ସୃଷ୍ଟି କରିଛି ।
ହମାସ କହିଛି ଯେ, ଅତି କମ୍ ସଂଖ୍ୟକ ପଣବନ୍ଦୀ ବର୍ତ୍ତମାନ ଜୀବିତ ରହିଛନ୍ତି। ତେବେ କେତେ ସଂଖ୍ୟକ ପଣବନ୍ଦୀ ଜୀବିତ ରହିଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେବେ ପ୍ରାଣ ହରାଇଥିବା ପଣବନ୍ଦୀଙ୍କ ମଧ୍ଯରେ ମହିଳା, ଶିଶୁ, ବୟସ୍କ ଥିବା ସୂଚନା ମିଳିଛି। ପଣବନ୍ଦୀ ସମସ୍ଯାର ସମାଧାନ ଲାଗି ଆମେରିକା ପକ୍ଷରୁ ୬ସପ୍ତାହର ଅସ୍ତ୍ରବିରତି ପ୍ରସ୍ତାବ ଦିଆଯାଇଥିଲା। ସମସ୍ୟାର ସମାଧାନ ଲାଗି ସିଆଇଏ ନିର୍ଦ୍ଦେଶକ ବିଲ୍ ବର୍ଣ୍ଣସ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ, କତାର ପ୍ରଧାନମନ୍ତ୍ରୀ ଓ ଇଜିପ୍ଟ ଗୁଇନ୍ଦା ମୁଖ୍ୟଙ୍କ ସହ ଆଲୋଚନା କରିଥିଲେ। ତେବେ ଏହା ନିଷ୍ଫଳ ହୋଇଛି । ବର୍ତ୍ତମାନ ଇସ୍ରାଏଲ କବଳରେ ୭୦୦ରୁ ଅଧିକ ପାଲେଷ୍ଟିନୀୟ ବନ୍ଦୀ ରହିଛନ୍ତି। ସେମାନଙ୍କ ମଧ୍ଯରୁ ଶତାଧିକ ବନ୍ଦୀ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ସେପଟେ ବର୍ତ୍ତମାନ ସୁଦ୍ଧା ୩୩ ହଜାରରୁ ଅଧିକ ପାଲେଷ୍ଟିନୀୟଙ୍କୁ ହତ୍ଯା କରାଗଲାଣି ବୋଲି ହମାସ ଅଭିଯୋଗ କରିଛି।

