spot_img
Home Blog Page 2155

ବିଏସକେୱାଇ ସ୍ୱାସ୍ଥ୍ୟ କାର୍ଡ ନଥିଲେ ତୁରନ୍ତ ଆବେଦନ କରନ୍ତୁ: 5T ଅଧ୍ୟକ୍ଷ

ବାଣପୁର: ଗାଁରେ ୧୫ ପ୍ରତିଶତ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପାଇଁ ବିଜୁ ସ୍ୱାସ୍ଥ୍ୟ କାର୍ଡ୍ ନାହିଁ। ଏହି କଥାକୁ ମୁଖ୍ୟମନ୍ତ୍ରୀ ଅନୁଭବ କରିଛନ୍ତି। ଯେଉଁମାନଙ୍କ ପାଖରେ ବିଏସକେୱାଇ କାର୍ଡ୍ ନାହିଁ ସେମାନଙ୍କୁ ମଧ୍ୟ ଆଗାମୀ ଦିନରେ କାର୍ଡ୍ ଯୋଗାଇ ଦିଆଯିବ। ଏହା ସହିତ ବାର୍ଦ୍ଧକ୍ୟ ଭାତ୍ତା ସହିତ ଅଙ୍ଗନୱାଡି,ଏମକେଭି ଆଦିଙ୍କ ଦରମା ବୃଦ୍ଧି ନେଇ ଖୁବଶୀଘ୍ର ସରକାର ଖୁସି ଖବର ଦେବେ ବୋଲି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବୁଧବାର ଦିନ ବାଣପୁରରେ କହିଛନ୍ତି ।

ଗ୍ରାମାଞ୍ଚଳରେ ଯେଉଁମାନଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ୍ ନାହିଁ ସେମାନଙ୍କୁ ମଧ୍ୟ ସରକାର କାର୍ଡ୍ ଯୋଗାଇ ଦେବେ। ଯେଉଁମାନଙ୍କ ପାଖରେ କାର୍ଡ ନାହିଁ ସେମାନେ ଏଥିପାଇଁ ଆବେଦନ କରିପାରିବେ। ଏନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ କାର୍ଡ୍ ମିଳୁ ବୋଲି ଚାହୁଁଛନ୍ତି। ଯେଉଁଥିପାଇଁ ଯେଉଁମାନଙ୍କ ପାଖରେ ଏହି କାର୍ଡ୍ ନାହିଁ ସେମାନେ ୧୬ ତାରିଖ ସୁଧା ଏଥିପାଇଁ ଆବେଦନ କରିପାରିବେ ବୋଲି 5T ଅଧ୍ଯକ୍ଷ ପାଣ୍ଡିଆନ କହିଛନ୍ତି।

ଲକ୍ଷ୍ମୀ ଯୋଜନା ନେଇ କ’ଣ କହିଲେ ?
ପ୍ରତି ପଂଚାୟତରୁ ଲକ୍ଷ୍ମୀ ବସ ଯୋଜନା କ୍ରମରେ ବସ ଗଡିବ ବୋଲି 5T ଅଧ୍ଯକ୍ଷ କହିଛନ୍ତି। ଏହି ଯୋଜନାରେ ମହିଳା ଓ ଛାତ୍ରଛାତ୍ରୀ ମାତ୍ର ୫ ଟଙ୍କାରେ ବସରେ ଯାତ୍ରା କରିପାରିବେ।

ସବୁ ଗାଁରେ ବ୍ୟାଙ୍କ-
ଗ୍ରାମାଞ୍ଚଳରେ ବ୍ୟାଙ୍କିଂ ସୁବିଧାର ଅଭାବ ଦୂର ପାଇଁ ସରକାର ପ୍ରତି ପଂଚୟାତରେ ବ୍ୟାଙ୍କ ଖୋଲିବେ। ଯାହା ଫଳରେ ଗାଁ ଲୋକ ନିଜ ପଂଚାୟତରେ ବ୍ୟାଙ୍କ ସୁବିଧା ପାଇପାରିବେ। ଭତ୍ତା ପାଇଁ ଆଉ କାହାକୁ ଦୂରକୁ ଯିବାକୁ ପଡିବ ନାହିଁ।

ଭତ୍ତା ବଢିବ-
ଏମବିକେ, ସିଆରବି, ଅଙ୍ଗନୱାଡି କର୍ମୀଙ୍କ ଦରମା ବଢିବ ବୋଲି ସଭାରେ 5T ଅଧ୍ୟକ୍ଷ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାର୍ଦ୍ଧକ୍ୟ ଭତ୍ତାଠାରୁ ଭିନ୍ନକ୍ଷମ ଭତ୍ତା ମଧ୍ୟ ବଢିବ। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କଠାରୁ ଏନେଇ ଖୁସିଖବର ଶୁଣିବେ ବୋଲି ସେ ପ୍ରକାଶ କରିଛନ୍ତି।

ହରିଣ ପାର୍କରୁ ଚନ୍ଦକା ଡମପଡା ଅଭୟାରଣ୍ୟକୁ ଆସିଲେ ୧୬୬ଟି ହରିଣ

କଟକ: ହରିଣ ପାର୍କରୁ ଚନ୍ଦକା ଡମପଡା ଅଭୟାରଣ୍ୟର ଅମ୍ବିଲୋକୁ ଆସିଲେ ୧୬୬ଟି ହରିଣ । ଚନ୍ଦକା ଜଙ୍ଗଲ ଆମ୍ବିଲୋରେ ସାଢ଼େ ୩ ଏକର ସ୍ବତନ୍ତ୍ର କରିଡ଼ରରେ ହରିଣଙ୍କୁ ସ୍ଥାନାନ୍ତର କରାଯାଇଛି । ସେହିପରି ଭୁବନେଶ୍ବର ରେଞ୍ଜ ଭରତପୁର ଜଙ୍ଗଲରେ ୨ ଏକର ଜାଗାରେ ୧୧୦ଟି ହରିଣଙ୍କୁ ସ୍ଥାନାନ୍ତର କରାଯାଇଛି । ଏହାକୁ ମିଶାଇ ମୋଟ୍ ୨୭୬ଟି ହରିଣ ଅଣାଯାଇଛି ।

ତେବେ ସେଥିରୁ ୨ଟି ହରିଣଙ୍କର ମୃତ୍ୟୁ ହୋଇଛି । ଶବ ବ୍ୟବଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଚନ୍ଦକା ଡିଏଫଓ ଶରତ ବେହେରା ସୂଚନା ଦେଇଛନ୍ତି । କଟକ ତୁଳସୀପୁର ମଧୁସୂଦନ ନଗରରେ ଥିବା ହରିଣ ପାର୍କରୁ ଆସିଥିବା ହରିଣଙ୍କୁ ଜଙ୍ଗଲ ସଫାରୀ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଦେଖିବାର ସୁଯୋଗ ପାଇବେ ।

ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ କାର୍ତ୍ତିକ ପାଣ୍ଡିଆନ

ଖୋର୍ଦ୍ଧା: ଜିଲ୍ଲା ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଖୋର୍ଦ୍ଧା ହାବେଳି ପଡିଆରେ ଆୟୋଜିତ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବେ 5T ଅଧ୍ୟକ୍ଷ । ବିଭିନ୍ନ ମହାବିଦ୍ୟାଳୟର ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

ଖୋର୍ଦ୍ଧା ପରେ ବାଣପୁର ଯାଇ ମା ଭଗବତୀଙ୍କୁ ଦର୍ଶନ କରିବେ । ଏହାପରେ ବାଣପୁର ପଲଟଣ ପଡିଆରେ ସାଧାରଣ ଜନତାଙ୍କୁ ଉଦବୋଧନ ଦେବେ । ଅପରାହ୍ନରେ ରଣପୁର ଗସ୍ତ କରିବେ କାର୍ତ୍ତିକ ପାଣ୍ଡିଆନ୍ । ରଣପୁର ଜେଲ୍ ଛକ ପଡିଆ ରେ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ରଣପୁର ରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟ ରେ ପହଞ୍ଚିଛି। ରଣପୁର ରେ ଲୋକମାନଙ୍କ ମଧ୍ୟ ରେ ଉତ୍ସାହ ଦେଖିବାକୁ ମିଳିଛି।

ରାଜ୍ୟରେ ଆରମ୍ଭ ହେଲା ପକ୍ଷୀ ଗଣନା, ବଢ଼ିଛି ବିଦେଶୀ ପକ୍ଷୀଙ୍କ ଆଗମନ

ବାଲେଶ୍ବର/ପୁରୀ: କୁଳଡିହା ଅଭୟାରଣ୍ୟ ଓ ନୀଳଗିରିରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ୫ଟି ସ୍ଥାନରେ ଚାଲିଛି ଗଣନା । ଗଣନା କାର୍ଯ୍ୟରେ ନିୟୋଜିତ ଅଛନ୍ତି ବନ ବିଭାଗର ୫ଟି ଟିମ୍ ସହ ୨୦ ଜଣରୁ ଅଧିକ ବନ କର୍ମଚାରୀ । କୁଳଡିହା ଅଭୟାରଣ୍ୟ ଭିତରେ ଥିବା ଖୁମକୁଟ, ବୁଗାଳିବନ୍ଧ, ରିଶିଆ, ସାତଘାଟି ଆଦି ସ୍ଥାନରେ ଗଣନା ଚାଲିଥିବା ବେଳେ ନୀଳଗିରି ପଦ୍ମତୋଳା ହ୍ରଦରେ ମଧ୍ୟ ଚାଲିଛି ପକ୍ଷୀ ଗଣନା। DFOଙ୍କ ତତ୍ବାବଧାନରେ ଚାଲିଛି ପକ୍ଷୀ ଗଣନା କାର୍ଯ୍ୟକ୍ରମ । କୁଳଡିଆରେ ଚଳିତ ବର୍ଷ ପକ୍ଷୀ ମାନଙ୍କ ସଂଖ୍ୟା ବଢ଼ିଛି ବୋଲି କହିଛନ୍ତି ପକ୍ଷୀ ବିଶେଷଜ୍ଞ ମାନେ ଓ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ମାନେ।

ସେହିପରି ପୁରୀ ଜିଲ୍ଲା ଅସ୍ତରଙ୍ଗରେ ଆରମ୍ଭ ହୋଇଛି ପକ୍ଷୀ ଗଣନା ।ସମଗ୍ର ଅସ୍ତରଙ୍ଗରେ ଦେଶୀ, ବିଦେଶୀ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି ।ବନ୍ୟ ପ୍ରାଣୀ ଡିଭିଜନ ଅଧୀନରେ ଥିବା ୫ଟି ଜାଗାରେ ଆରମ୍ଭ ହୋଇଛି ଗଣନା । ମୋଟ ପାଞ୍ଚଟି ଟିମ୍‌ ୧୫ଜଣ ବନକର୍ମଚାରୀ ନିୟୋଜିତ ଅଛନ୍ତି । ବାଇନାକୁଲର, ଗାଇଡ ବୁକ୍‌ ସାହାଯ୍ୟରେ ପକ୍ଷୀ ଗଣନା କରାଯାଉଛି । ସକାଳ ୫ ଟାରୁ ଆରମ୍ଭ ହୋଇଥିବା ଏହି ପକ୍ଷୀ ଗଣନା ୧୦ଟା ପର୍ଯ୍ୟନ୍ତ ଚାଲିବ। ଗଣନା ସମୟରେ ଅସ୍ତରଙ୍ଗ ବନଖଣ୍ଡ ମଧ୍ୟ୍ୟକୁ ସମସ୍ତ ଙ୍କୁ ବାରଣ କରାଯାଇଛି । ଏପରିକି ପକ୍ଷୀ ଥିବା ଅଞ୍ଚଳ ରେ ମସ୍ୟଜୀବୀ ଙ୍କ ମାଛ ଧରା ଉପରେ କଟକଣା କରାଯାଇଛି

ଏହି ଡିଭିଜନରେ ୫ଟି ରେଞ୍ଜରେ ୨୫ଟି ଟିମ ଗଣନା କାର୍ଯ୍ୟରେ ସାମିଲ ଅଛନ୍ତି । ବ୍ରହ୍ମଗିରି ରେଞ୍ଜ ଅଧୀନରେ ପକ୍ଷୀ ଗଣନା ଆରମ୍ଭ କରାଯାଇଛି। ୪ଟି ଜୋନରେ ୪ଟି ଟିମକୁ ନେଇ ଗଣନା କରାଯାଉଛି। ପ୍ରତ୍ୟେକ ଟିମରେ ବନବିଭାଗ କର୍ମଚାରୀ, ପକ୍ଷୀ ବିଶାରଦ,ସ୍ବେଛାସେବୀ ମାନେ ସାମିଲ ଅଛନ୍ତି।ବ୍ରହ୍ମଗିରି ରେଞ୍ଜଟି ଚିଲିକା ସଂଲଗ୍ନ ହୋଇଥିବାରୁ ଓ ଚିଲିକାର କିଛି ଅଞ୍ଚଳ ବ୍ରହ୍ମଗିରି ରେଂଜରେ ରହୁଥିବାରୁ ଏଠାରେ ପୁରୀ ଡିଭିଜନର ସର୍ବାଧିକ ପ୍ରଜାତିର ବିଦେଶାଗତ ପକ୍ଷୀ ଦେଖାଯାଆନ୍ତି । ଆଜି ଘନ କୁହୁଡି ହୋଇଥିବାରୁ ଗଣନା କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଛି।

ଘନ କୁହୁଡିରେ ଆକ୍ତାମାକ୍ତା ଜନଜୀବନ, ୨୦୦ ମିଟର ହେଉଛି ଦୃଶ୍ୟମାନ

ଭୁବନେଶ୍ବର: ହାଲୁକା ଶୀତ ସହ ଘନ କୁହୁଡିରେ ଆକ୍ତାମାକ୍ତା ହେଉଛି ଜନଜୀବନ । ଉପାନ୍ତରୁ ଉପକୂଳ ସବୁଠି ଦେଖାଦେଇଛି ଏଭଳି ପାଗ । ଆସନ୍ତା ୨ ଦିନ ପରେ ପୁଣି ବଢିବ ଶୀତ । ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂ୍ର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଜାଡ ବଢିବ ।

ବିଶେଷ କରି କଳାହାଣ୍ଡି, କନ୍ଧମାଳ, ଫୁଲବାଣୀ, ନବରଙ୍ଗପୁର, ନୂଆପଡା, କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ ଭଳି ଜିଲ୍ଲାରେ ହାଡଭଙ୍ଗା ଶୀତ ଅନୁଭୁତ ହେବାର ସମ୍ଭାବନା ରହିଛି । ଶୀତ ସହ ଆଜି ଏବଂ ଆସନ୍ତାକାଲି ଘନ କୁହୁଡି ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଆଜି ୨୨ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଥିବା ବେଳେ କାଲି ୧୨ ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଏହି ସବୁ ଜିଲ୍ଲାରେ ୫୦ ମିଟରରୁ ୨୦୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ରହିବ ବୋଲି ଆକଳନ କରାଯାଇଛି । ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ରହୁଥିବା ବେଳେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଛି । ଫଳରେ ଉଭୟ ଦିନ ଏବଂ ରାତ୍ରୀର ତାପମାତ୍ରା କମିବା ସହ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି । ତେବେ ଦୁଇ ଦିନ ପରେ ଶୀତ ବଢିବା ସହ କୁହୁଡି କମିବ ବୋଲି ଆକଳନ କରାଯାଇଛି । ଘନ କୁହୁଡି ସମୟରେ ଗାଡ଼ି ଚାଳକମାନେ ସତର୍କତାର ସହ ଗାଡି ଚଳାଇବା ପାଇଁ ପରାମର୍ଶ ଦିଆଯାଇଛି ।

ବିଗୁଡୁଛି ମାଲଦ୍ବୀପର ପର୍ଯ୍ୟଟନ ଶିଳ୍ପ, ଚୀନକୁ ନିବେଦନ କଲେ ରାଷ୍ଟ୍ରପତି

ମାଲେ: ନିଜ ଦେଶକୁ ଅଧିକରୁ ଅଧିକ ପର୍ଯ୍ୟଟକ ପଠାଇବା ପାଇଁ ଚୀନ୍କୁ ନିବେଦନ କରିଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ । ଚୀନର ଏକ ସରକାରୀ ଗସ୍ତରେ ଆସିଥିବା ମୋଇଜୁ ମାଳଦ୍ୱୀପ ବିଜନେସ୍ ଫୋରମ୍କୁ ସମ୍ବୋଧିତ କରିଥିଲେ । ସେ ଚୀନ୍କୁ ମାଳଦ୍ୱୀପର ନିକଟତମ ସହଯୋଗୀ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଚୀନ୍ ଆମର ନିକଟତମ ସହଯୋଗୀ ତଥା ବିକାଶ ଭାଗିଦାରୀ ମଧ୍ୟରୁ ଅନ୍ୟତମ ।

ଭାରତ ବିରୋଧରେ ମାଳଦ୍ୱୀପ ମନ୍ତ୍ରୀଙ୍କ ଆପତ୍ତିଜନକ ମନ୍ତବ୍ୟ ମହଙ୍ଗା ପଡ଼ିଛି । ଭାରତୀୟ ପର୍ଯ୍ୟଟକମାନେ ମାଳଦ୍ୱୀପ ଗସ୍ତ ବାତିଲ କରିବା ଘଟଣାପରେ ମୋଇଜୁ ଏହି ଅପିଲ ଆସିଛି । ଏହି ବିବାଦ ଏବେ ଅଧିକ ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଥିବା ମନ୍ତ୍ରୀଙ୍କ ବିରୋଧରେ ମାଳଦ୍ୱୀପ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ବି ସବୁ ବିବାଦ ମଧ୍ୟରେ ମାଳଦ୍ୱୀପ ପର୍ଯ୍ୟଟନକୁ ବଡ଼ ଝଟକା ଲାଗିଛି ।

ଭାରତୀୟମାନେ ନିଜର ମାଳଦ୍ୱୀପ ଟ୍ରିପକୁ ରଦ୍ଦ କରୁଛନ୍ତି । ମାଳଦ୍ୱୀପ ପରିବର୍ତ୍ତେ ଲାକ୍ଷାଦ୍ୱୀପ ବୁଲିଯିବା ପାଇଁ ଅପିଲ୍ କରାଯାଉଛି । ଏବେ ସୁଦ୍ଧା ମାଳଦ୍ୱୀପ ପାଇଁ ୧୦ ହଜାର ୫୦୦ ହୋଟେଲ ବୁକିଂ ଏବଂ ୫ ହଜାର ୫୨୦ ଫ୍ଲାଇଟ୍ ଟିକେଟ ବାତିଲ କରାଯାଇଛି ।

ଇସ୍ରାଏଲ ହମାସ ମଧ୍ୟରେ ଏବେବି ଯୁଦ୍ଧ ଜାରି, ଲେବାନନରେ ଜାରି ରହିଛି ଷ୍ଟ୍ରାଇକ୍

ଗାଜା: ଇସ୍ରାଏଲ-ହମାସ ମଧ୍ୟରେ ଏବେ ବି ଯୁଦ୍ଧ ଜାରି ରହିଛି । ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଅକ୍ଟୋବର ୭ରେ ଇସ୍ରାଏଲ ସହ ଯୁଦ୍ଧ ଆରମ୍ଭ ହେବା ପର ଠାରୁ ପାଲେଷ୍ଟାଇନ ଅଞ୍ଚଳରେ ଅତି କମ୍‌ରେ ୨୩ ହଜାର ୮୪ ଲୋକ ପ୍ରାଣ ହରାଇଛନ୍ତି ଏବଂ ୫୮ ହଜାର ୯୨୬ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୨୪୯ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ମନ୍ତ୍ରଣାଳୟ ପ୍ରକାଶ କରିଛି ।

ସୋମବାର ଦକ୍ଷିଣ ଲେବାନନ୍ ଉପରେ ଇସ୍ରାଏଲର ଆକ୍ରମଣରେ ହେଜବୁଲ୍ଲାର ଏଲିଟ୍ ରାଦ୍ୱାନ୍ ଫୋର୍ସର ଜଣେ ବରିଷ୍ଠ କମାଣ୍ଡର ନିହତ ହୋଇଛି ବୋଲି ଜଣାପଡ଼ିଛି । ହମାସକୁ ସମର୍ଥନ କରି ଲେବାନନ ସୀମା ସେପଟେ ବୋମାମାଡ଼ ଆରମ୍ଭ ହେବା ପରେ ଇସ୍ରାଏଲ ପ୍ରତିଆକ୍ରମଣ କରିଥିଲା । ଦକ୍ଷିଣ ଲେବାନନରେ ହେଜବୁଲ୍ଲା ଆତଙ୍କବାଦୀ ସଂଗଠନର ୧୩୦ରୁ ଅଧିକ ସଦସ୍ୟ ପ୍ରାଣ ହରାଇଲେଣି ।

ଇସ୍ରାଏଲ ସେନା ଦକ୍ଷିଣ ଗାଜାରେ ଅତି କମ୍ରେ ୧୦ ଜଣ ପାଲେଷ୍ଟାଇନ ଲଢୁଆଙ୍କୁ ନିହତ କରିଛି । ହମାସଶାସିତ କେନ୍ଦ୍ରୀୟ ଅଂଚଳରେ ଅପରେସନ କରି ଅସ୍ତ୍ରଶସ୍ତ୍ର ଭଣ୍ଡାର ଉପରେ ବୋମା ମାଡ଼ କରିବା ସହ ଏକ ସୁଡ଼ଙ୍ଗ ଠାବ କରିଛି । ଖାନ ୟୁନିସରେ ଏହି ଆକ୍ରମଣ ହୋଇଥିଲା । ଯେଉଁଠାରେ ଇସ୍ରାଏଲ ସେନା ୩୦ଟି ଗୁରୁତ୍ୱପୂର୍ଣ୍ଣ ଆତଙ୍କବାଦୀ ଟାର୍ଗେଟ ଉପରେ ଆକ୍ରମଣ କରିଥିଲା ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ପୁରୀ: ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ । ଯଜ୍ଞ ସ୍ଥଳ, ଯାତ୍ରୀ ପରିକ୍ରମା ଚତୁଃପାର୍ଶ୍ଵ ଓ ଶ୍ରୀ ମାର୍ଗ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ୧୧ ତାରିଖ ସୁଦ୍ଧା ଓବିସିସି ଯାତ୍ରୀ ପରିକ୍ରମା କାମ ସାରି ହସ୍ତାନ୍ତର କରିବ। ଆବର୍ଜନା ସଫେଇ କାର୍ଯ୍ୟ ଆରମ୍ଭ ହୋଇଥିହବାବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ଜଳ ସିଞ୍ଚନ କରାଯିବ । ମୁଖ୍ୟ ଶାସନ ସଚିବଙ୍କ ସହ ଜିଲ୍ଲାପାଳ , ଟାଟା, ଓବିସିସି ଅଧିକାରୀ ପ୍ରକଳ୍ପର ଟିକନିଖ ସମୀକ୍ଷା କରିଛନ୍ତି । ମୁଖ୍ୟ ଶାସନ ସଚିବ କହିଛନ୍ତି,  ପୂର୍ବ ସମୀକ୍ଷାର ୩ ଦିନ ପରେ କାର୍ଯ୍ୟର ବେଶ ଅଗ୍ରଗତି ହୋଇଛି । ୮୦୦ ମିଟର ଶ୍ରୀମାର୍ଗରେ ଫେଭର ବ୍ଲକ ପକାଯାଉଛି। ୮୦୦ ମିଟର ମଧ୍ୟରୁ ୩୦୦ ମିଟର ରାସ୍ତା ସମସ୍ୟା ରହିଛି ।

ଭୂତଳ କେବଲିଂ ,ପାଇପ ୱାଟର ପକା କାର୍ଯ୍ୟ ସରିଥିବାରୁ ଶ୍ରୀ ମାର୍ଗ ସରିବା ନେଇ ଦୃଢ଼ ଆଶା ରହିଛି। ଦିନ ରାତି ଏକ କରି  କାମ ସଂପୂର୍ଣ୍ଣ ପାଇଁ ଅଧିକ କର୍ମଚାରୀ ନିୟୋଜିତ ହେବେ । ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଲାଗିଛି ୯ ଟି ସ୍ଲାଇଡିଂ ଡୋର । ଏବେ ଏହା ମନୁଷ୍ୟ କୃତ ଭାବେ ପରିଚାଳିତ ହେବ। ପରେ ଏହାର ପରିଚାଳନା ଦାୟିତ୍ଵ ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ହାତରେ ରହିବ । ଶ୍ରୀସେତୁର ସ୍ବାଗତ ତୋରଣ ପ୍ରଥମେ ପରୀକ୍ଷଣ କରାଯିବ । ସୁରକ୍ଷା ଓ ନିରାପତ୍ତା ରିପୋର୍ଟ ଠିକ୍ ଆସିଲେ ପୂର୍ଣ୍ଣ ସ୍ବାଗତ ତୋରଣ ନଚେତ୍ ବୈଷୟିକ କମିଟିର ସହାୟତା ନେଇ ଗୋଟିଏ ଫାଳ ଖୋଲାଯିବ। ପୁରୀର ଅନେକ ପରିବର୍ତନ ହୋଇଛି । ଆହୁରି ଅନେକ ପ୍ରକଳ୍ପ କାମ ଚାଲିଛି । ବଡ଼ଦାଣ୍ଡର ରୂପ ରେଖ ବଦଳିଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ବିଜେପି ଛାଡି ବିଜେଡିରେ ମିଶିଲେ ଶତାଧିକ ନେତା ଓ କର୍ମୀ

ଭୁବନେଶ୍ବର: ବିଜେପି ଛାଡି ବିଜେଡିରେ ମିଶିଲେ ଶତାଧିକ ନେତା ଓ କର୍ମୀ। ଜଟଣୀ ନିର୍ବାଚନ ମଣ୍ଡଳୀ ମଳିପଡା ପଞ୍ଚାୟତ ସରପଞ୍ଚ ସୁନୀଲ ମୁଦୁଲି, ନାଏବ ସରପଞ୍ଚ ମମତା ବଡଜେନା ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି  ।ସେମାନଙ୍କ ସହ ଓ୍ବାର୍ଡମେମ୍ବର ଶ୍ୟାମସୁନ୍ଦର ଦେହୁରୀ, ସୁରେନ୍ଦ୍ର ରାଉତରାୟ, ମନୋରଞ୍ଜନ ପ୍ରଧାନ, ନୃସିଂହ ଚରଣ ଜେନା, ଖୋକନ ମଙ୍ଗରାଜ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ସେହିଭଳି ନଖୁଟ ଗ୍ରାମପଞ୍ଚାୟତର ସରପଞ୍ଚ ସୂଚିତ୍ରା ପାତ୍ର, କମ୍ବୁପାଣି ପାତ୍ର, ବିଜେପି ଯୁବମୋର୍ଚ୍ଚା ଉପସଭାପତି ରାଜେଶ ପାତ୍ର, ଖୋର୍ଦ୍ଧା ଜିଲ୍ଲା ବିଜେପି ନେତା ପ୍ୟାରିମୋହନ ପରିଡା, ସୁଶୀଲ ପରିଡା, କୃପାସିନ୍ଧୁ ସାମନ୍ତରାୟ ଏବଂ ପ୍ରଦୀପ ପାଇକରାୟଙ୍କ ସମେତ ଶତାଧିକ ମହିଳା, ଯୁବକ ଏବଂ ବରିଷ୍ଠ ନାଗରିକ ମାନେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ନେତୃତ୍ୱରେ ଶଙ୍ଖ ଭବନ ପରିସରରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।

ମାଳଦ୍ବୀପକୁ ଅନେକ ଫ୍ଲାଇଟ୍ ଏବଂ ହୋଟେଲ୍ ବୁକିଂ କ୍ୟାନସଲ୍

ନନ୍ଦିଘଷୋଷ ବ୍ୟୁରୋ: ମାଳଦ୍ବୀପ ମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ନେଇ ଥମୁନି ଝଡ଼। ସୋସିଆଲ୍ ମିଡିଆରେ କମେଣ୍ଟ ପରେ ଭାରତରେ ତୀବ୍ର ପ୍ରତିକ୍ରିୟା । ମାଳଦ୍ବୀପକୁ ଅନେକ ଫ୍ଲାଇଟ୍ ଏବଂ ହୋଟେଲ୍ ବୁକିଂ କ୍ୟାନସଲ୍ । ୧୦,୫୦୦ରୁ ଅଧିକ ହୋଟେଲ୍ ବୁକିଂ କ୍ୟାନସଲ୍ କରିଛନ୍ତି ଭାରତୀୟ । ୫୫୦୦ରୁ ଅଧିକ ଫ୍ଲାଇଟ୍ ଟିକେଟ୍ ମଧ୍ୟ ବାତିଲ୍ ହୋଇଛି । ମାଳଦ୍ବୀପର ପ୍ରମୁଖ ଆୟ ପର୍ଯ୍ୟଟନରୁ ହିଁ ଆସିଥାଏ । ଏବେସୁଦ୍ଧା ଗତ ୩ ଦିନରେ ୧୦୦ କୋଟି ଟଙ୍କାର କ୍ଷତି ହେଲାଣି । ଏକାଧିକ ଟ୍ରାଭେଲ୍ କଂପାନୀ ସେମାନଙ୍କର ପ୍ୟାକେଜ୍ ବାତିଲ କରିଛନ୍ତି । ସୋସିଆଲ୍ ମିଡିଆରେ ଟ୍ରେଣ୍ଡ ହେଉଛି #BoycottMaldives । ମାଳଦ୍ବୀପ ହୋଟେଲ ଆସୋସିଏସନ୍ ପକ୍ଷରୁ ମେକ୍ ମାଇଁ ଟ୍ରିପକୁ ଲେଖାଯାଇଛି ଚିଠି ।

ସୂଚନା ଥାଉକି, ଭାରତ ବିରୋଧୀ ଟିପ୍ପଣୀ ପଡ଼ିଲା ମହଙ୍ଗା। ମାଳଦ୍ବୀପର ୩ ମନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ମାଳଦ୍ବୀପର ମୁଇଜୁ ସରକାର। ସୋସିଆଲ ମିଡିଆରେ ଭାରତ ବିରୋଧୀ ମନ୍ତବ୍ୟ ଦେଇଥିଲେ ମାଳଦ୍ବୀପର ୩ ମନ୍ତ୍ରୀ ମରିୟମ ଶିଉନା, ମାଲଶା ସରିଫ ଏବଂ ମହଜୁମ ମାଜିଦ । ଭାରତ ବିରୋଧରେ ଅଶାଳୀନ ଭାଷା ପ୍ରୟୋଗ କରିଥିବାରୁ ରାଷ୍ଟ୍ରପତି ମୁଇଜୁଙ୍କ ସରକାର ୩ ମନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି।ମାଳଦ୍ବୀପର ୩ ମନ୍ତ୍ରୀ ଦେଇଥିବା ଅଶାଳୀନ ଟିପ୍ପଣୀ ତାଙ୍କର ବ୍ୟକ୍ତିଗତ ବୋଲି କହିଛି ମାଳଦ୍ବୀପ। ମାଳଦ୍ବୀପ ବୈଦେଶିକ ମନ୍ତ୍ରୀ ମୂଜା ଜମିର କହିଛନ୍ତି- ବିଦେଶୀ ନେତାଙ୍କ ସମ୍ପର୍କରେ କୌଣସି ଅଶୋଭନୀୟ ଟିପ୍ପଣୀ ଅଗ୍ରହଣୀୟ । ଏହି ମନ୍ତବ୍ୟ ଦ୍ବିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିବ ନାହିଁ ।

ଭାରତ ପ୍ରଧାନମନ୍ତ୍ରୀ ଲାକ୍ଷାଦ୍ବୀପ ଗସ୍ତ ସମୟର ଅନୁଭବ ସୋସିଆଲ ମିଡିଆ ଏକ୍ସରେ ପ୍ରକାଶ କରିଥିଲେ। ଲାକ୍ଷାଦ୍ବୀପର ପର୍ଯ୍ୟଟନସ୍ଥଳୀର ଉଚ୍ଚ ପ୍ରଶଂସା କରିବା ସହ ସେଠାରେ ସ୍ମୋର୍କଲିଂ କରିଥିଲେ। ଏହି ପୋଷ୍ଟକୁ ନେଇ ଅନେକ ୟୁଜର୍ସ ଲକ୍ଷାଦ୍ବୀପକୁ ମାଳଦ୍ବୀପର ବିକଳ୍ପ ପର୍ଯ୍ୟଟନସ୍ଥଳୀ ଭାବେ ଦର୍ଶାଇଥିଲେ । ଏହାପରେ ମାଳଦ୍ବୀପ ସରକାରଙ୍କ ନେତାଙ୍କ ପକ୍ଷରୁ ଆପତ୍ତିଜନକ ଟିପ୍ପଣୀ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା। ମାଳଦ୍ବୀପରେ ସରକାର ଗଠନ କରିଥିବା ପ୍ରୋଗ୍ରେସିଭ ପାର୍ଟି ଅଫ୍ ମାଳଦ୍ବୀପ ପିପିଏମ୍ ନେତାମାନେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ଏହାପରେ ଭାରତ ପକ୍ଷରୁ ଟିପ୍ପଣୀକୁ ନେଇ କଡ଼ା ବିରୋଧ ପ୍ରକାଶ ପାଇଥିଲା। ଅନେକ ପର୍ଯ୍ୟଟକ ମାଳଦ୍ବୀପ ବୁଲି ଯିବାକୁ ଥିବା ହୋଟେଲ ଏବଂ ଫ୍ଲାଇଟ୍ ବୁକିଂ କ୍ୟାନସଲ କରିଥିଲେ ।

ଅନେକ ବଲିଉଡ ଅଭିନେତା ଏବଂ କ୍ରିକେଟର ଟୁଇଟ କରି ଏହି ବିବାଦୀୟ ବୟାନର ଘୋର ନିନ୍ଦା କରିଛନ୍ତି। ଅନ୍ୟପଟେ ପ୍ରସଙ୍ଗକୁ ନେଇ ମାଲଦ୍ବୀପର ରାଷ୍ଟ୍ରଦୂତଙ୍କୁ ସମନ କରିଛି ଭାରତୀୟ ବୈଦେଶିକ ବିଭାଗ। ଭାରତରେ ଅବସ୍ଥାପିତ ମାଳଦ୍ବୀପ ରାଷ୍ଟ୍ରଦୂତ ଇବ୍ରାହିମ ସରିଫଙ୍କୁ ସମନ କରିବା ସହ ଜବାବ ରଖିବାକୁ କହିଛି ଭାରତୀୟ ବୈଦଶିକ ବିଭାଗ। ତେଣେ ମାଳଦ୍ବୀପ ସହ ବ୍ୟାବସାୟିକ ସମ୍ପର୍କ ଛିନ୍ନ ଲାଗି ଆହ୍ବାନ ଜଣାଇଛି କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ । ସେହିପରି ମାଳଦ୍ବୀପକୁ ବର୍ଜନ କରିବା ଲାଗି ଇଣ୍ଡିଆନ ଚାମ୍ବର ଅଫ କମର୍ସର ବିମାନ ଚଳାଚଳ ଓ ପର୍ଯ୍ୟଟନ କମିଟି ଟ୍ରାଭେଲ ଏଜେନ୍ସିଗୁଡିକୁ ଆହ୍ବାନ ଦେଇଛି ।