କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ ମ୍ଯୁନିସପାଲଟି ଅନ୍ତର୍ଗତ ଅଲଭା ଗ୍ରାମରେ ବଧୂ ହତ୍ୟା ଅଭିଯୋଗ । ଝିଅକୁ ଯୌତୁକ ପାଇଁ ମାରିଦିଆ ଯାଇଛି ବୋଲି ଅଭିଯୋଗ ଆଣିଲ ବାପଘର ଲୋକେ । ସୂଚନା ମୁତାବକ ପଟ୍ଟାମୁଣ୍ଡାଇ ସାନମୋହନପୁର ଗ୍ରାମର ଧରଣୀଧର ବେହେରାଙ୍କ ଝିଅ ସୁକାନ୍ତି ବେହେରା ୧୩ ବର୍ଷ ତଳେ ଅଳଭା ଗ୍ରାମର ମହେଶ୍ୱର ପାତ୍ରଙ୍କ ପୁଅକୁ ଭଲପାଇ ବିବାହ କରିଥିଲେ । ଗତକାଲି ରାତିରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ଯରେ କଳହ ଲାଗିଥିଲା ଯାହାକି ଉଗ୍ର ରୂପ ଧାରଣ କରିଥିଲା । ଯାହାଫଳରେ ସ୍ୱାମୀ ସୁକାନ୍ତିଙ୍କୁ ଜୀବନରୁ ମାରିଦେଇଥିବା ନେଇ ଝିଅର ବାପା ଧରଣୀଧର ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଛନ୍ତି । ମହିଳାଙ୍କ ମୃତଦେହ ଘରେ ପଡ଼ିରହିଥିବା ବେଳେ ଘଟଣା ସ୍ଥଳରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଜାରି ରଖିଛନ୍ତି । ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀକୁ ଗିରଫ କରିଛି ପୋଲିସ ।
ବିଜେଡିରେ ମିଶିଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ
ଭୁବନେଶ୍ବର: ଶଙ୍ଖ ଭବନରେ ବିଜେଡିରେ ମିଶ୍ରଣ ପର୍ବ । ବିଜେଡିରେ ସାମିଲ ହେଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ । ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଏହି ମିଶ୍ରଣ ପର୍ବ ସମୟରେ ଉପସ୍ଥିତ ରହିଥିଲେ । ବିଦ୍ଧିବଧଭାବେ ବିଜେଡିରେ ଯୋଗ ଦେଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି । ତେବେ ଅରବିନ୍ଦ କହିଛନ୍ତି କି, ପାଟକୁରାର ବିକାଶକୁ ଆଗକୁ ନେବି । ଆଶା କରୁଛି ନବୀନବାବୁଙ୍କ ଆଶୀର୍ବାଦ ମୋ ଉପରେ ରହିବ ।
ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରତିଦ୍ବନ୍ଦ୍ବିତାରୁ ଓହରିଲେ ରିପବ୍ଲିକାନ ପ୍ରାର୍ଥୀ ନିକ୍କି ହାଲେ
ନନ୍ଦିଘୋଷ ବ୍ୟୁରୋ; ହ୍ବାଇଟହାଉସ ଅଭିଯାନରୁ ନିଜକୁ ବାଦ୍ ଦେଲେ ରିପବ୍ଲିକାନ ପ୍ରାର୍ଥୀ ନିକ୍କି ହାଲେ । ବିଭିନ୍ନ ପର୍ଯ୍ୟାୟ ନିର୍ବାଚନରେ ସେ ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ଠାରୁ ପରାଜିତ ହେବା ପରେ ପ୍ରତିଦ୍ବନ୍ଦ୍ବିତାରୁ ଓହରିଛନ୍ତି ଜାତିସଂଘର ପୂର୍ବତନ ଆମ୍ବାସାଡର ନିକ୍କି । ଗତ ମଙ୍ଗଳବାର ହୋଇଥିବା ୧୫ଟି ପ୍ରଦେଶ ନିର୍ବାଚନରେ ଶୋଚନୀୟ ପରାସ୍ତ ହୋଇଥିଲେ ନିକ୍କି । ପ୍ରତିଦ୍ବନ୍ଦ୍ବିତାରୁ ଓହରିବା ପରେ ନିକ୍କି କହିଛନ୍ତି- ଏଣିକି ଆମେରିକାବାସୀ ନିଷ୍ପତ୍ତି ନେବେ । ଯେଉଁମାନେ ତାଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସମର୍ଥନ କରିଛନ୍ତି ସେମାନଙ୍କୁ ସେ ଧନ୍ଯବାଦ ଜଣାଉଛନ୍ତି । ଗତ ମଙ୍ଗଳବାର ଅନୁଷ୍ଠିତ ଭୋଟରେ କେବଳ ଗୋଟିଏ ପ୍ରଦେଶକୁ ବାଦ୍ ଦେଲେ ଅନ୍ୟ ସମସ୍ତ ପ୍ରଦେଶରେ ହାରିଥିଲେ ନିକ୍କି । ସେପଟେ ୨୦୨୦ ନିର୍ବାଚନରେ ପରାସ୍ତ ପରେ ଏହି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସକାଶେ ସେ ଯେଉଁ ପନ୍ଥା ଅବଲମ୍ବନ କରିଥିଲେ ସେହି ମାମଲାରୁ ତାଙ୍କୁ ମୁକ୍ତି ଦିଆଯିବା ନେଇ ସେ କରିଥିବା ଆବେଦନର ଶୁଣାଣି ଆସନ୍ତା ଏପ୍ରିଲ 25ରେ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ନୟାଗଡ଼ ଜିଲ୍ଲାରେ ଫଳିଛି ଥାଇଲାଣ୍ଡ ବରକୋଳି
ନୟାଗଡ଼: ଓଡିଶା ମାଟିରେ ବିଦେଶୀ ଫଳ। ୟୁଟ୍ଯୁବ ଦେଖି ଓଡିଶା ମାଟିରେ ଥାଇଲାଣ୍ଡ ବରକୋଳି ଚାଷ କରି ଆତ୍ମନିର୍ଭରଶୀଳ ପାଲଟିଛନ୍ତି ନୟାଗଡର ଚାଷୀ ନକୁଳ । ଏହା କେବଳ ସମ୍ଭବ ହୋଇଛି ନିଜର ଦୃଢ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ଦ୍ଵାରା। ମାସିକ ଦୁଇରୁ ଅଢେଇ ଲକ୍ଷ ଟଙ୍କା କରୁଛନ୍ତି ରୋଜଗାର। ଅନ୍ଯପାଇଁ ପାଲଟିଛନ୍ତି ଉଦାହରଣ।
ଓଡିଶା ମାଟିରେ ବିଦେଶୀ ଫଳ । ଗଛରେ ଫଳିଛି ପେନ୍ଥା ପେନ୍ଥା ଥାଇଲାଣ୍ଡ ବରକୋଳି । କୋଳି ଦେଖିବାକୁ ଯେତିକି ସୁନ୍ଦର ଖାଇବାକୁ ମଧ୍ଯ ସେତିକି ସ୍ଵାଦିଷ୍ଟ । ପାରମ୍ପରିକ କୃଷି ପଦ୍ଧତିକୁ ଛାଡି ଥାଇଲାଣ୍ଡ ବରକୋଳି ଚାଷ କରି ସ୍ଵାବଲମ୍ବୀ ନୟାଗଡ ଜିଲ୍ଲା ରଣପୁର ବ୍ଲକ ବାଲିଆ ଗାଁର ଚାଷୀ ନକୁଳ ନାୟକ । ୟୁଟ୍ଯୁବ ଦେଖି ଆରମ୍ଭ କରିଥିଲେ ଚାଷ । କଲିକତାରୁ ସମ୍ପର୍କୀୟଙ୍କ ସହାୟତାରେ ୫୦୦ ଚାରା ଆଣି ଆରମ୍ଭ କରିଥିଲେ ଚାଷ । ଏବେ ଏହି ଚାଷରୁ ମାସିକ ଦୁଇରୁ ଅଢେଇ ଲକ୍ଷ ଟଙ୍କା ରୋଜଗାର କରିବା ସହିତ ଅନ୍ଯ ପାଇଁ ପାଲଟିଛନ୍ତି ଉଦାହରଣ । ଦୃଢ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ବଳରେ ଥାଇଲାଣ୍ଡ ବରକୋଳି ଚାଷ କରି ନିଆରା ପରିଚୟ ସୃଷ୍ଟି କରିଛନ୍ତି ନକୁଳ । ବଜାରରେ କୋଳିର ଭଲ ଚାହିଦା ରହିଛି । ମାସକୁ ଦୁଇରୁ ଅଢେଇ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।
ବିହାରରେ ଗଡ଼ବଡ ଏନଡିଏ ମେଣ୍ଟ
ପାଟନା: ବିହାରରେ ଗଡ଼ବଡ ଏନଡିଏ ମେଣ୍ଟ । ଆସନ ବଣ୍ଟାକୁ ନେଇ ଲୋକ ଜନଶକ୍ତି ପାର୍ଟି ଅସନ୍ତୁଷ୍ଟ ଥିବାବେଳେ ଏଥିରେ ଏଣ୍ଟ୍ରି ମାରିଛି ଇଣ୍ଡିଆ ମେଣ୍ଟ । ଏନଡିଏ କଥାବାର୍ତ୍ତା ଅନୁସାରେ ବିହାରରେ ଚିରାଗ ପାଶ୍ବାନ ନେତୃତ୍ବାଧୀନ ଲୋକଜନଶକ୍ତି ପାର୍ଟି(ରାମବିଳାସ)କୁ ୬ଟି ଆସନ ଦିଆଯିବ । ହେଲେ ଚିରାଗଙ୍କୁ 8ଟି ଆସନ ଅଫର ଦେଇଛି ଇଣ୍ଡିଆ ମେଣ୍ଟ । କେବଳ ଏତିକି ନୁହେଁ ଉତ୍ତରପ୍ରଦେଶରେ ବି ୨ଟି ଯାଚିଛି ଇଣ୍ଡିଆ ମେଣ୍ଟ । ଏହାକୁ ନେଇ ହରଡ଼ଘଣାରେ ପଡିଛି ଏନଡିଏ । ସେପଟେ ଚିରାଗଙ୍କୁ ଦିଆଯାଇଥିବା ୬ ଆସନ ମଧ୍ୟରୁ ପଶୁପତି ପାରସଙ୍କ ନେତୃତ୍ବାଧୀନ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟିିକୁ ଏଥିରୁ କିଛି ଆସନ ଦେବା ସମ୍ଭାବନା ଥିବାରୁ କ୍ଷୁବ୍ଧ ଅଛନ୍ତି ଚିରାଗ । ୨୦୧୯ ଅନୁପାତ ଅନୁସାରେ ଅବିଭକ୍ତ ଲୋକ ଜନଶକ୍ତି ପାର୍ଟିକୁ ମୋଟ ୬ଟି ଆସନ ଦିଆଯାଇଥିବାରୁ ସେହି 6ଟି ଆସନ ଏବେ ଉଭୟ ଚିରାଗ ଓ ପଶୁପତିଙ୍କ ମଧ୍ୟରେ ବାଣ୍ଟିବାକୁ ଏନଡିଏ କହିଛି ।
ଗତ ୨୦୨୧ରେ ଲୋକଜନଶକ୍ତି ପାର୍ଟି ପ୍ରତିଷ୍ଠାତା ରାମବିଳାସ ପାଶ୍ବାନଙ୍କ ମୃତ୍ୟୁ ପରେ ଏହା ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା । ଏନଡିଏ ସରକାରରେ ପଶୁପତିଙ୍କୁ କ୍ଯାବିନେଟ ମନ୍ତ୍ରୀ ପଦ ମିଳିବା ପରେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାରଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ଚିରାଗ । ପୂର୍ବରୁ ୨୦୨୦ରେ ନୀତୀଶଙ୍କ ସହ ମତପାର୍ଥକ୍ୟ କାରଣରୁ ଏନଡିଏରୁ ବାହାରିଯାଇଥିଲେ ଚିରାଗ । ମାତ୍ର ନୀତୀଶ ମହାଗଠବନ୍ଧନରେ ସାମିଲ ହେବା ପରେ ପୁଣି ଏନଡିଏକୁ ଯାଇଥିଲେ ଚିରାଗ । ତେବେ କିଛି ଦିନ ତଳେ ଏନଡିଏକୁ ପୁଣି ନୀତୀଶ ଫେରିଥିବାରୁ ଏକ ଅଡୁଆ ସ୍ଥିତିରେ ପଡିଛନ୍ତି ଚିରାଗ । ସେପଟେ ହାଜିପୁର ଆସନକୁ ନେଇ ଉଭୟ ଦଦା-ପୁତୁରା ମଧ୍ୟରେ ବଢିଛି ବିବାଦ । ଏଠାରୁ ପଶୁପତି ଏବେ ସାଂସଦ ଥିବା ସତ୍ତ୍ବେ ନିଜର କର୍ମଭୂମି ବୋଲି ଦାବି କରି ଏହି ଆସନ ଦାବି କରିଛନ୍ତି ଚିରାଗ । ଗତ ୨୦୧୯ରେ ବିଜେପି ଓ ଜେଡିୟୁ ୧୭ଟି ଲେଖାଏ ଆସନରେ ଲଢିଥିଲେ । ବିଜେପି ନିଜର ସମସ୍ତ ୧୭ ଆସନ ହାସଲ କରିଥିବାବେଳେ ଜେଡିୟୁ ୧୬ଟିରେ ବିଜୟୀ ହୋଇଥିଲା । କିଷନଗଞ୍ଜ ଆସନ କଂଗ୍ରେସ ହାତକୁ ଯାଇଥିଲା ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ବଢ଼ିଲା ଆଶାକର୍ମୀଙ୍କ ଦରମା
ଭୁବନେଶ୍ବର: ବଢିଲା ଆଶା କର୍ମୀଙ୍କ ଦରମା । ଆଶା କର୍ମୀମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ଯ ସରକାର । ମାସିକ ପାରିଶ୍ରମିକ ୪ ହଜାର ୫୦୦ ଟଙ୍କାରୁ ୭ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏନେଇ ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଆଶା କର୍ମୀଙ୍କର ସେବା ନିବୃତ୍ତି ପ୍ରୋତ୍ସାହନ ରାଶିରେ ମଧ୍ୟ ବୃଦ୍ଧି କରିଛନ୍ତି । ସେବା ନିବୃତ୍ତି ସମୟରେ ପୂର୍ବରୁ ସେମାନେ ୫୦ ହଜାର ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧ ଲକ୍ଷ ଟଙ୍କା ପାଇବେ । ସେମାନଙ୍କ ପାରିଶ୍ରମିକ ବାବଦରେ ପୂର୍ବରୁ ରାଜ୍ୟ ସରକାର ବାର୍ଷିକ ୫୯ ଦଶମିକ ୪୩ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏବେ ବାର୍ଷିକ ୨୦୮ କୋଟି ଟଙ୍କା ଖର୍ଚ୍ଚ କରିବେ। ସେହିଭଳି ସେବା ନିବୃତ୍ତି ସହାୟତା ବାବଦରେ ୫୫ ଲକ୍ଷ ଟଙ୍କା ରାଜ୍ୟ ସରକାର ବ୍ୟୟ ବହନ କରିବେ । ଏହାଦ୍ବାରା ରାଜ୍ୟର ୪୯ ହଜାର ୫୨୨ ଆଶା କର୍ମୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୪୮ଦଶମିକ ୫୭ କୋଟି ଟଙ୍କା ଖର୍ଚ୍ଚ କରିବେ । 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲାଗସ୍ତ ସମୟରେ ଆଶା କର୍ମୀ ତଥା ସେମାନଙ୍କ ସଙ୍ଗଠନ ଗୁଡିକ ତାଙ୍କୁ ଭେଟି ଏହି ପାରିଶ୍ରମିକ ବୃଦ୍ଧି ସମ୍ପର୍କରେ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ । ଆଶା କର୍ମୀମାନେ ରାଜ୍ୟରେ ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କ ସହାୟତା ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ସେମାନେ ସଫଳ ଭାବେ ସଚେତନ କରିପାରୁଛନ୍ତି।
ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଡୁଆ, ଆସିଲା କୋର୍ଟଙ୍କ ସମନ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଡୁଆ କମିବାର ନାଁ ନେଉନାହିଁ । ୮ଥର ଇଡିର ସମନ ପରେ ମଧ୍ୟ ହାଜର ହୋଇନାହାନ୍ତି କେଜ୍ରିଓ୍ବାଲ । ତେବେ ମାର୍ଚ୍ଚ ୧୨ ତାରିଖରେ ଭିଡିଓ କନଫରେନ୍ସି ମାଧ୍ୟମରେ ଇଡିର ସମସ୍ତ ପ୍ରଶ୍ନଣ ଉତ୍ତର ଦେବେ ବୋଲି କହିଥିଲେ । ତେବେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ରାଉଜ ଏଭେନ୍ୟୁ କୋର୍ଟ ସମନ ପଠାଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଭିଯୋଗ ପରେ କୋର୍ଟ ଏହି ସମନ ଜାରି କରିଛନ୍ତି। କେଜ୍ରିଓ୍ୱାଲଙ୍କୁ ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ହାଜର ହେବାକୁ କହିଛନ୍ତି କୋର୍ଟ। ମଦ ଦୁର୍ନୀତି ମାମଲାରେ ଇଡି କେଜ୍ରିୱାଲଙ୍କୁ ଆଠଟି ସମନ ପଠାଇ ସାରିଛି। ଜାଣିଶୁଣି ଇଡି ନୋଟିସ କରି ହଇରାଣ କରୁଛି ବୋଲି ଅଭିଯୋଗ ଆଣିଛନ୍ତି କେଜ୍ରିଓ୍ବାଲ ।
ବିବାହ ଭୋଜିରେ ଗଛ ଉପହାର ଦେଲେ ନବଦମ୍ପତ୍ତି
ପୁରୀ: ବିବାହ ଭୋଜିରେ ଗଛ ଉପହାର । ଅତିଥି ନବଦମ୍ପତିଙ୍କୁ ନୁହେଁ ବରଂ ଅତିଥିଙ୍କୁ ନବଦମ୍ପତି ଦେଲେ ଉପହାର । ଏଭଳି ଦୃଶ୍ଯ ଦେଥିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ମାଣ୍ଡୁକି ପଞ୍ଚାୟତ ସିଲାରୀ ଗାଁରେ । ସମୀର ରାଉତଙ୍କ ବିବାହ ଭୋଜିରେ ଏଭଳି ନିଆରା ଦୃଶ୍ଯ ଦେଖିବାକୁ ମିଳିଥିଲା । ଭୋଜିରେ ଯୋଗଦେଉଥିବା ଅତିଥିଙ୍କୁ ନବଦମ୍ପତି ଏକ ଚାରା ପ୍ରଦାନ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଉଥିଲେ । ବାୟୁମଣ୍ଡଳ ପ୍ରଦୂଷଣକୁ ରୋକିବାକୁ ସମସ୍ତେ ଗଛଟିଏ ଲଗାବାକୁ ଉଭୟ ଅନୁରୋଧ କରୁଥିଲେ । ଏଭଳି ଅନନ୍ଯ ପ୍ରୟାସକୁ ନେଇ ବରକନ୍ଯାଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି । ନାମୀଦାମୀ ସାମଗ୍ରୀ ବଦଳରେ ବହୁମୁଲ୍ଯ ଗଛକୁ ଉପହାର ଦେଇ ନିଆରା ପରମ୍ପରା ସୃଷ୍ଟି କରିବା ସମସ୍ତ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ଏହି ନବଦମ୍ପତି ।
ଅଶ୍ବିନୀଙ୍କ ଶହେତମ ଟେଷ୍ଟ ମ୍ୟାଚ, ରଚିଲେ ଏହି ରେକର୍ଡ
ଧର୍ମଶାଳା: ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟ ମ୍ୟାଚ ଖେଳୁଛି ଭାରତ । ପ୍ରଥମେ ବ୍ୟାଟିଂ କରୁଛି ଇଂଲଣ୍ଡ । ଧର୍ମଶାଳାରେ ଖେଳାଯାଉଥିବା ଏହି ମ୍ୟାଚଟି ଅଶ୍ବିନୀଙ୍କ ୧୦୦ତମ ଟେଷ୍ଟ ମ୍ୟାଚ୍ । ୧୪ତମ ଭାରତୀୟ ଖେଳାଳିଭାବେ ସେ ଏହି ରେକର୍ଡ ଅର୍ଜନ କରିବାକୁ ଯାଉଛନ୍ତି । ସେପଟେ ୧୦୦ ଟେଷ୍ଟ ଖେଳିବା ମାମଲାରେ ଇଂଲଣ୍ଡର ୧୭ ଜଣ ଖେଳାଳି ରହିଥିବାବେଳେ ଅଷ୍ଟ୍ରେଲିଆର ୧୫ଜଣ ଖେଳାଳି ରହିଛନ୍ତି । ୨୦୧୧ମସିହାରେ ଅଶ୍ବିନୀଙ୍କ ଟେଷ୍ଟ ଡେବ୍ୟୁ ହୋଇଥିଲା । ଓ୍ବେଷ୍ଟ ଇଣ୍ଡିଜ୍ ବିପକ୍ଷରେ ସେ ଟେଷ୍ଟ ଡେବ୍ୟୁ କରିଥିବାବେଳେ ସଚିନଙ୍କ ତାଙ୍କୁ କ୍ୟାପ ଦେଇଥିଲେ । ଅଶ୍ବିନୀ ନିଜର ଡେବ୍ୟୁ ମ୍ୟାଚରେ ୯ ଓ୍ବିକେଟ ଅକ୍ତିଆର କରିଥିବାବେଳେ ଫ୍ଲେୟାର ଅଫ ଦ ମ୍ୟାଚ ହୋଇଥିଲେ । ତେବେ ଶହେତମ ମ୍ୟାଚରେ ଏଭଳି କିଛି ପ୍ରଦର୍ଶନ କରିବେ ବୋଲି ଆଶା ରଖାଯାଇଛି । ତାମିଲନାଡୁର ପ୍ରଥମ ଖେଳାଳିଭାବେ ଶହେ ଟେଷ୍ଟ ମ୍ୟାଚ ଖେଳିବାର ରେକର୍ଡ କରିଛନ୍ତି । ୨୦୧୭ ମସିହାରେ ଧର୍ମଶାଳାରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ୪ ଓ୍ବିକେଟ ଅକ୍ତିଆର କରିଥିଲେ ଅଶ୍ବିନୀ । ଏଣୁ ଆଜିର ମ୍ୟାଚରେ ମଧ୍ୟ ଇଂଲଣ୍ଡ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିପାରନ୍ତି ।
ବିପୁଳପରିମାଣର ନକଲି ଔଷଧ ଜବତ
ନନ୍ଦିଘୋଷ ବ୍ୟୁରୋ: ହାଇ ବ୍ଲଡପ୍ରେସର, ଡାଇବେଟିସ୍ ଓ ଏଣ୍ଟାସିଡ୍ ଔଷଧ ଖାଉଥିଲେ ସାବଧାନ । ଦିଲ୍ଲୀରୁ ବିପୁଳପରିମାଣର ଜବତ ହୋଇଛି ଏହି ସବୁ ରୋଗର ନକଲି ଔଷଧ । ଏକ କୋଟି ୧୦ ଲକ୍ଷରୁ ଅଧିକ ଟଙ୍କାର ନକଲି ଔଷଧ ଜବତ ସହ ଜଣକୁ ଗିରଫ କରାଯାଇଛି । ଗାଜିଆବାଦ ନିକଟରେ ଥିବା ଏଲଇଡି ବଲବ ପ୍ରସ୍ତୁତ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ହେଉଥିଲା ଏହି ସବୁ ଔଷଧ । ସୂଚନା ପାଇ ଫ୍ୟାକ୍ଟ୍ରିରେ ରେଡ କରିଥିଲା ଦିଲ୍ଲୀ କ୍ରାଇବ୍ରାଞ୍ଚ । ରେଡ ବେଳେ ବିପୁଳ ପରିମାଣର ନକଲି ଔଷଧ ଦେଖି ତାଜୁବ ହୋଇଯାଇଥିଲା ତଦନ୍ତକାରୀ ଟିମ୍ ।ତଦନ୍ତ ବେଳେ ବଡ ବଡ ଔଷଧ କମ୍ପାନୀର ଔଷଧକୁ ନକଲ କରାଯାଇ ଏହି ସବୁ ନକଲି ଔଷଧ ପ୍ରସ୍ତୁତ କରାଯାଉଥିବା ଦେଖିବାକୁ ପାଇଥିଲା ଟିମ୍ । ଜବତ ହୋଇଥିବା ଔଷଧ ଗୁଡିକ ଭାରତରେ ଅଧିକ ବିକ୍ରି ହେଉଥିବା ସୂଚନା ରହିଛି । ଏହି ସବୁ ନକଲି ଔଷଧ ହାଇଦ୍ରାବାଦ ପର୍ଯ୍ୟନ୍ତ ସପ୍ଲାଏ ହେଉଥିବା କୁହାଯାଇଛି । ଫ୍ୟକଟ୍ରିକୁ ସିଲ୍ କରି କୋଟି କୋଟି ଟଙ୍କାର ଔଷଧ ପ୍ରସ୍ତୁତି ସାମଗ୍ରୀ ଜବତ କରି ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ ।

