spot_img
Home Blog Page 2160

ବିଜେଡିରେ ମିଶିଲେ ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

ଭୁବନେଶ୍ବର: କେନ୍ଦ୍ରାପଡ଼ାରେ ବଢ଼ିଲା ବିଜେଡିର ବଳ । କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ ଅଂଶୁମାନ ମହାନ୍ତି । ପୂର୍ବରୁ କଂଗ୍ରେସ ଟିକେଟରେ ରାଜନଗରରୁ ବିଧାୟକ ରହି ସାରିଛନ୍ତି । ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ଦୁଇଦିନ ତଳେ କଂଗ୍ରେସ ଛାଡ଼ିଥିଲେ । ଆଜି ଶହ ଶହ ସମର୍ଥକଙ୍କ ସହ ଅଂଶୁମାନ ଏକ ବିରାଟ ରାଲିରେ ଶଙ୍ଖ ଭବନରେ ପହଞ୍ଚିଥିଲେ । ଏହାପରେ ସାଂସଦ ମାନସ ମଙ୍ଗରାଜ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଶକ୍ତିମନ୍ତ୍ରୀ ପ୍ରତାପ ଦେବ, ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ଯସାଚୀ ନାୟକ, ବିଧାୟକ ପ୍ରତାପ ଜେନା, ବିଧାୟକ ଧୃବଚରଣ ସାହୁ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିଲେ । ଅଂଶୁମାନ ଏବଂ ତାଙ୍କ ସମର୍ଥକଙ୍କୁ ବିଜେଡିରେ ସ୍ବାଗତ କରିଥିଲେ ସାଂସଦ ମାନସ ମଙ୍ଗରାଜ ।

ବିଜେଡିରେ ସାମିଲ ହେବା ନେଇ ଅଂଶୁମାନ କହିଛନ୍ତି, ‘ଆଜି ମୋ ପାଇଁ ଏକ ସୌଭାଗ୍ୟର ଦିନ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ମୁଁ ବିଜେଡିରେ ମିଶିଲେ । ତାଙ୍କ ସ୍ୱଚ୍ଛ, ନିର୍ମଳ ଓ ବିକାଶ ଧାରାରେ ମୁଁ ଅନୁପ୍ରାଣିତ ହୋଇ ରାଜନଗର ପରିବାର ସହ ବିଜେଡିରେ ସାମିଲ ହୋଇଛି । ରାଜନଗରର ବିକାଶ ଧାରାକୁ ଆଗେଇ ନେବା ସହ ବିଜେଡିକୁ ଆହୁରି ଶକ୍ତିଶାଳୀ କରିବାକୁ କାମ କରିବି ।’ ବିଜେଡିରେ ମିଶିବାର ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଂଶୁମାନ ।

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ‘ଅଂଶୁମାନଙ୍କ ପରିବାର ସହ ସମସ୍ତଙ୍କ ପୁରୁଣା ସମ୍ପର୍କ ଥିଲା । ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଏହା କହିଥିଲେ । ମୁଖ୍ୟମନ୍ତ୍ରୀ ଏହାକୁ ଗ୍ରହଣ କଲେ । ଓଡ଼ିଶା ଯେପରି ସମୃଦ୍ଧ ହେଉଛି ଓ ରାଜନଗରର ଯେଉଁ ବିକାଶ ହୋଇଛି ତାହା ବିଧାୟକ ଧ୍ରୁବ ସାହୁ ଏବଂ ଅଂଶୁମାନ ଆଗକୁ ବଢ଼ାଇବେ । ନଳିନୀ ବାବୁଙ୍କର ବିଜୁ ପଟ୍ଟନାୟକଙ୍କ ସହ ସମ୍ପର୍କ ନିବିଡ଼ ଥିଲା । ସେ ୭ ଥର ବିଧାୟକ ଥିଲେ । ବିଜେଡି ଉପରେ ଯେଉଁମାନେ ଆସ୍ଥା ରଖି ଆସିଛନ୍ତି, ସମସ୍ତଙ୍କ ସମ୍ମାନ ଅତୁଟ ରହିବ ବୋଲି ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି ।’

ବିଜେଡି ସାଂସଦ ମାନସ ମଙ୍ଗରାଜ କହିଛନ୍ତି, ‘ଆଜି ବିଜେଡିରେ ଯୋଗଦାନ କରିଛନ୍ତି ପୂର୍ବତନ ରାଜନଗର ବିଧାୟକ ଅଂଶୁମାନ ମହାନ୍ତି । ଦୁଇ ଦିନ ତଳେ ସେ କଂଗ୍ରେସ ଛାଡ଼ିଥିଲେ । ବିଜେଡିରେ ମିଶିବାକୁ ସେ କରିଥିବା ଆବେଦନକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଅଂଶୁମାନଙ୍କ ସହ ହଜାରେରୁ ଊର୍ଦ୍ଧ୍ବ ସମର୍ଥକ ବିଜେଡିରେ ଯୋଗ ଦେଇଛନ୍ତି । ଏମାନଙ୍କ ମଧ୍ୟରେ ମୁଖ୍ୟତଃ ରାଜନଗର କଂଗ୍ରେସର ବିଭିନ୍ନ ପଦବୀରେ ଥିବା ନେତା ଓ ପଂଚାୟତ ପ୍ରତିନିଧି ଅଛନ୍ତି ।’

ସମସ୍ତଙ୍କୁ ଦଳରେ ସ୍ୱାଗତ । ମୋର ବିଶ୍ୱାସ, ବିଜେଡି ଆହିରି ମଜବୁତ ହେବା ସହ ରାଜନଗର ବିକାଶ ଆହୁରି ତ୍ୱରାନ୍ୱିତ ହେବ ବୋଲି କେନ୍ଦ୍ରାପଡ଼ା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା କହିଛନ୍ତି । ଧ୍ରୁବ ଓ ଅଂଶୁମାନ ମିଶି ଏହା କରିବେ । ଅଂଶୁମାନଙ୍କ ପରିବାର ବିଜୁ ପରିବାର ସହ ଘନିଷ୍ଠ ଥିଲେ । ଆଜି ଅଂଶୁମାନଙ୍କ ପ୍ରତ୍ୟାବର୍ତନ ହୋଇଛି । ସମସ୍ତେ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବେ ବୋଲି ସେ କହିଛନ୍ତି ।

ସେହିପରି ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଅଂଶୁମାନ ଓ ତାଙ୍କ ସମର୍ଥକଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଜି ଗୌରବର ଦିନ । ବିଜୁ ବାବୁଙ୍କ ସ୍ୱପ୍ନ ଓ ରାଜନଗର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ସହ ଆଉ ଏକ ଫର୍ଦ୍ଦ ଯୋଡ଼ି ହେଲା । କେନ୍ଦ୍ରାପଡ଼ା ବିକାଶକୁ ଏହା ଆହୁରି ତ୍ବରିତ କରିଛି ବୋଲି ସେ କହିଛନ୍ତି ।

ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ‘ନଳିନୀ ଭାଇ ବିଜୁ ବାବୁ ଓ ବିଜୁ ପରିବାର ସହ ଥିଲେ । ଅଂଶୁମାନ ଓ ତାଙ୍କ ସମର୍ଥକ ମିଶିବାରୁ ରାଜନଗର ସଂଗଠନ ଆହୁରି ସୁଦୃଢ ହେଲା । ବିକାଶ କାର୍ଯ୍ୟ ଆହୁରି ଆଗେଇବ ।’

ରାଜ୍ୟସ୍ତରୀୟ ମତ୍ସ୍ୟ, ପ୍ରାଣୀ ସମାବେଶର ମୁଖ୍ୟ ଆକର୍ଷଣ ହରିଆଣାର ପୋଢ଼ ‘ଯୁବରାଜ’

ଭୁବନେଶ୍ବର: ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେଲା ପ୍ରଥମ ରାଜ୍ୟସ୍ତରୀୟ ମତ୍ସ୍ୟ, ପ୍ରାଣୀ ସମାବେଶ । ସମାବେଶର ମୁଖ୍ୟ ଆକର୍ଷଣ ହରିଆଣାର ପୋଢ଼ ‘ଯୁବରାଜ’ । ହରିଆଣାର କୁରୁକ୍ଷେତ୍ର ଜିଲ୍ଲା ସୁନାରେଓ ଗାଁର କର୍ମବୀର ସିଂଙ୍କ ଏହି ପୋଢ଼ ହେଉଛି ମୁରା ପ୍ରଜାତିର । ଯହାର ଲମ୍ବା ୯ ଫୁଟ୍ ହୋଇଥିବା ବେଳେ ଉଚ୍ଚତା ୫ ଫୁଟ୍ ୯ ଇଞ୍ଚ ରହିଛି । ୧୫ ଶହ କିଲୋଗ୍ରାମ ଓଜନ ରହିଥିବା ବେଳେ ପ୍ରତିଦିନ ୨୦ ଲିଟର କ୍ଷୀର ପିଇବା ସ‌ହିତ ୧୨ କେଜି ପରିବା ଖାଉଛି । ଦିନକୁ ‘ଯୁବରାଜ’ ପଛରେ ୬ରୁ ୮ ହଜାର ଟଙ୍କା ଖର୍ଚ୍ଚ ହେଉଛି । ପୋଢ଼ର ବ୍ୟକ୍ତିଗତ ଡାକ୍ତର ରହିଛି । ଏହାର ଗୋଟିଏ ଥରର ଶୁକ୍ରଣୁରୁ ୫ଶହ ଡୋଜ୍ ଶୁକ୍ରାଣୁ ପ୍ରସ୍ତୁତ ହେଉଛି । ପ୍ରତି ଡୋଜ୍ ୩ ଶହ ଟଙ୍କାରେ ବିକ୍ରି ହେଉଛି । ବର୍ତ୍ତମାନ ସୁଦ୍ଧା ଯୁବରାଜର ଶୁକ୍ରାଣୁରୁ ପାଖାପାଖି ଦେଢ ଲକ୍ଷ ପିଲା ଜନ୍ମ ହୋଇ ସାରିଲେଣି । ସମସ୍ତେ ତା’ ଭଳି ସୁସ୍ଥ ହେବା ସହିତ ଗାଈଗୁଡିକ ୨୦ରୁ ୩୦ ଲିଟର କ୍ଷୀର ଦେଉଛନ୍ତି ।

ଯୁବରାଜ ଗୋଟିଏ ଦିନରେ ଦୁଇରୁ ତିନିଥର ଗାଧୋଇ ଥିବା ବେଳେ ତା ଦେହରେ ସୋରିଷ ତେଲ ମାଲିସ୍ କରାଯାଏ । ବର୍ଷକୁ ଯୁବରାଜ ଯୋଗୁଁ ମାଲିକ କର୍ମବୀର ୫୦ ଲକ୍ଷରୁ କୋଟିଏ ଟଙ୍କା ରୋଜଗାର କରିଥାନ୍ତି । ଯୁବରାଜ ବିଭିନ୍ନ ସ୍ଥାନରୁ ବିଶ୍ଵର ସର୍ବଶ୍ରେଷ୍ଠ ପୋଢ଼ ମାନ୍ୟତା ହାସଲ କରିଛି । ତାଙ୍କୁ କିଣିବା ପାଇଁ ୯ କୋଟି ଦର ହୋଇଥିଲେ ମଧ୍ୟ କର୍ମବୀର ନିଜ ସନ୍ତାନ ବୋଲି ବିବେଚନା କରୁଥିବାରୁ ତାକୁ ବିକୁ ନଥିବା କହିଛନ୍ତି ।

ଅପରାଧ: ସୁନା ଦୋକାନରେ ଫୁଟିଲା ଗୁଳି, ଅଟୋ ଡ୍ରାଇଭରଙ୍କୁ ରକ୍ତାକ୍ତ ଆକ୍ରମଣ

ସମ୍ବଲପୁର/ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଓ ସମ୍ବଲପୁରରେ ଜଘନ୍ୟ କାଣ୍ଡ । ସମ୍ବଲପୁରରେ ସୁନା ଦୋକାନରେ ଗୁଳି ଫୁଟାଇ ଲୁଟ ଅଭିଯୋଗ ହୋଇଥିବା ବେଳେ, ରାଜଧାନୀରେ ଜଣେ ଅଟୋ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ସମ୍ବଲପୁରରେ ଗୁଳିମାଡ଼ କରି ସୁନା ଦୋକନରୁ ଲୁଟ୍ କରାଯାଇଛି । ଧନୁପାଲି ଅଞ୍ଚଳରେ ଥିବା ନ୍ୟୁ ପାୟଲ ଜୁଏଲାରୀରୁ ଏହି ଲୁଟ ହୋଇଛି । ସୁନା ଦୋକାନର ମାଲିକଙ୍କୁ ଗୁଳିମାଡ଼ କରି ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ୬ ଦୁର୍ବୃତ୍ତ ଦୋକାନରେ ପଶି ଏହି ଲୁଟ କରିଛନ୍ତି। ଦୋକାନ ମାଲିକ ସୁଜିତ ସୁନାରଙ୍କ ପେଟରେ ଦୁଇଟି ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ୩ଟି ବାଇକରେ ଦୁର୍ବୃତ୍ତମାନେ ଆସି ଲୁଟ କରି ଫେରାର ହୋଇଯାଇଛନ୍ତି । ତେବେ କେତେ ସୁନା ଲୁଟ ହୋଇଛି ଏହାର ସଠିକ ତଥ୍ୟ ମିଳିପାରିନାହିଁ । ଧନୁପାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

ଏପଟେ ରାଜଧାନୀ ଭୁବନେଶ୍ବର ଜଣେ ଅଟୋ ଡ୍ରାଇଭରଙ୍କ ରକ୍ତରେ ଲାଲ ହୋଇଛି । ମଦନପୁର ଅଞ୍ଚଳରେ ଅଟୋ ଡ୍ରାଇଭରଙ୍କୁ ଦୁର୍ବୃତ୍ତମାନେ ଗୋଡାଇ ଗୋଡାଇ ହାଣିଛନ୍ତି ।  ୩ଟି ବାଇକରେ ୬ ଜଣ ଅଜଣା ଯୁବକ ଆସି ଖଣ୍ଡାରେ ଡ୍ରାଇଭରକୁ ହାଣି ଫେରାର ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ ଅଟୋ ଡ୍ରାଇଭରଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ସିସିଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ କରୁଛି ଇନଫୋଭ୍ୟାଲି ପୋଲିସ ।

ଚାରି ଟାଇମ୍ ବମ୍ ଜବତ, ଯୁବକ ଗିରଫ

ମିରଟ: ସାଧାରଣ ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶର ମିରଟରୁ ଚାରି ଚାରିଟି ଜୀବନ୍ତ ଟାଇମ୍ ବମ୍ ଜବତ କରାଯାଇଛି । ବୋମା ଆଣିଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଏସଟିଏଫ୍ । ଜାଭେଦ୍ ଶେଖ ନାମକ ଗିରଫ ଯୁବକର ନେପାଳ ଲିଙ୍କ ସାମ୍ନାକୁ ଆସିଛି । ଇମରାନା ନାମକ ଜଣେ ମହିଳା ଏହି ବୋମା ବନାଇବାକୁ ଅର୍ଡର କରିଥିବା ପଚରାଉଚରା ବେଳେ ଜାଭେଦ କହିଛି ।

ଜବତ ଟାଇମ୍ ବମ୍ କାଚ ବୋତଲରେ ଖଞ୍ଜା ଯାଇଛି । କାଚ ବୋତଲ ଏହି ଆଇଇଡି ବନା ଯାଇଛି । ପଚରାଉଚରାରୁ ଜଣାପଡିଛି ଜାଭେଦ ନିୟମିତ ନେପାଳ ଯିବା ଆସିବା କରୁଥିଲା । ତେବେ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ଆତଙ୍କବାଦୀ ଲିଙ୍କର ସୂଚନା ମିଳିନି ।

ଫ୍ରିଜ ହେଲା କଂଗ୍ରେସ ଓ ଯୁବ କଂଗ୍ରେସର ୪ ଆକାଉଣ୍ଟ

0

ନୂଆଦିଲ୍ଲୀ: କଂଗ୍ରେସ ଓ ଯୁବ କଂଗ୍ରେସର ୪ ଆକାଉଣ୍ଟ ଫ୍ରିଜ। ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଅଜୟ ମାକେନ। ଦୁଇ ଦିନ ତଳେ ଜଣାପଡିଥିଲା ଯେ, କଂଗ୍ରେସ ଓ ଯୁବ କଂଗ୍ରେସ ଯେଉଁ ଚେକ ଦେଉଛି ତାହା ଭଙ୍ଗା ହୋଇପାରୁନି। ବ୍ଯାଙ୍କ ଟଙ୍କା ଦେଉନାହିଁ। ଏହାପରେ ଦଳ ଖୋଳତାଡ଼ କରିଥିଲା । ପରେ ଜଣାପଡିଥିଲା ସବୁ ଆକାଉଣ୍ଟକୁ ଅଚଳ କରିଦିଆଯାଇଛି।

୨୦୧୮-୧୯ରେ କଂଗ୍ରେସ ୪୦ରୁ ୪୫ ଦିନ ବିଳମ୍ବରେ ଇନକମ ଟ୍ଯାକ୍ସ ରିଟର୍ଣ୍ଣ କରିଥିଲା। ଏହାସହ ୧୪ ଲକ୍ଷ ଟଙ୍କା କ୍ଯାସରେ ଚାନ୍ଦା ଦେବା ନେଇ ଆଇଟି ୫ ବର୍ଷ ପରେ ଏପରି ପଦକ୍ଷେପ ନେଇଛି। ଏହାକୁ ନେଇ ୨୧୦ କୋଟି ଭରଣା କରିବାକୁ ଦାବି କରିଛି । ତେବେ ଆକାଉଣ୍ଟ ଅଚଳ କରିଦିଆଯିବାରୁ ଏବେ ଦଳ ପାଖରେ ଅର୍ଥର ଅଭାବ ଦେଖାଦେଇଛି। ପାଣି, ବିଜୁଳି ବିଲ ଏବଂ କର୍ମଚାରୀଙ୍କ ଦରମା ଦେବାକୁ ଦଳ ଅସମର୍ଥ।

ଭାରତ ଯୋଡୋ ନ୍ଯାୟ ଯାତ୍ରା ମଧ୍ଯ ପ୍ରଭାବିତ ହେବାର ଆଶଂକା ରହିଛି । ଗଣତନ୍ତ୍ରରେ ଏପରି କାର୍ଯ୍ଯ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଅଜୟ ମାକେନ । ତେବେ ଏତେ ତମ୍ବିତୋଫାନ ହେବା ପରେ ବୁଧବାର ଯାଏଁ ଅଚଳାବସ୍ଥା ହଟାଇ ଦିଆଯାଇଛି । ତେବେ ଏପରି ମନମାନିକୁ କଂଗ୍ରେସ ତୀବ୍ର ସମାଲୋଚନା କରିଛି। ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ମୁଖ୍ଯ ବିରୋଧୀ ଦଳର ଆକାଉଣ୍ଟ ଅଚଳ କରିଦେବା ଗଣତନ୍ତ୍ରର ହତ୍ଯା ବୋଲି କହିଛନ୍ତି ଅଜୟ ମାକେନ।

ହଷ୍ଟେଲ ରୁମରୁ ଏମଟେକ୍ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଦିଲ୍ଲୀର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ର ଜଣେ ଏମଟେକ୍ ଛାତ୍ରଙ୍କ ମୃତଦେହ ହଷ୍ଟେଲ ରୁମରେ ଝୁଲନ୍ତା ଅବସ୍ଥାରେ ମିଳିଛି ।

ସୂଚନା ଅନୁଯାୟୀ, ଛାତ୍ର ଜଣଙ୍କ ଫୋନ ନଉଠାଇବାରୁ ପରିବାର ଲୋକେ ଚିନ୍ତିତ ହୋଇପଡିଥିଲେ । ପରେ ଜଣେ ସାଙ୍ଗକୁ ଏନେଇ ପରିବାର ବର୍ଗ କହିବାରୁ ସେ ଯାଇ ସମ୍ପୃକ୍ତ ଛାତ୍ରଙ୍କ ରୁମ୍ ଯାଞ୍ଚ କରିଥିଲେ । ଯାହା ପରେ ଅଘଟଣ ସମ୍ପର୍କରେ ଜଣାପଡିଥିଲା ।

ଦ୍ରୋଣାଚାର୍ଯ୍ୟ ହଷ୍ଟେଲର ରୁମ ନଂ ୭୫୭ରେ ରହୁଥିଲେ ୨୪ ବର୍ଷୀୟ ନେରକର। ତେବେ ସେ ମହାରାଷ୍ଟ୍ର ନାଶିକର ମୂଳ ବାସିନ୍ଦା ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୃତ ଛାତ୍ରଙ୍କ ପରିବାର ବର୍ଗଙ୍କ ଠାରୁ ଖବର ପାଇବା ପରେ ଅନ୍ୟ ସାଙ୍ଗମାନେ ନରକରଙ୍କ ରୁମକୁ ଯାଇଥିଲେ । କିନ୍ତୁ ସେମାନେ ରୁମ୍ ଭିତରୁ ବନ୍ଦ ଥିବା ଜାଣିବାକୁ ପାଇଥିଲେ। ସେମାନେ ଏନେଇ ହଷ୍ଟେଲ ଗାର୍ଡଙ୍କୁ ଜଣାଇଥିଲେ। ଅଧିକାରୀ ଜଣକ କହିଛନ୍ତି ଯେ, ରୁମ୍ ଖୋଲିବା ପରେ ନରକରଙ୍କ ମୃତଦେହ କୋଠରୀର ଛାତରେ ଝୁଲୁଥିବା ଦେଖିବାକୁ ମିଳିଥିଲା।

ପରବର୍ତ୍ତୀ ସମୟରେ ଛାତ୍ରଙ୍କ ପରିବାର ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା । ତେବେ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ନୟାଗଡ଼ରେ ଚାଞ୍ଚଲ୍ୟ; ସ୍ୱାମୀକୁ ହତ୍ୟା କରି ଘରେ ପୋତିଥିଲା ସ୍ତ୍ରୀ

ନୟାଗଡ଼: ପରକୀୟା ପ୍ରୀତିର ଜଘନ୍ୟ କାହାଣୀ। ସ୍ୱାମୀକୁ ହତ୍ୟା କରି ଘରେ ପୋତିଥିଲା ସ୍ତ୍ରୀ। ଘର ଭିତରୁ ମାଟି ଖୋଳି ଶବ ବାହାର କରିଛି ପୋଲିସ । ନୟାଗଡ଼ ଓଡ଼ଗାଁ ଥାନା କୋମଣ୍ଡ ଗାଁରl ଘଟିଥିବା ହତ୍ୟାକାଣ୍ଡର କ୍ରାଇମ ସିନ ରିକ୍ରିଏସନ କରିଛି ପୋଲିସ। ଅଭିଯୁକ୍ତ ହତ୍ୟା ବେଳର ଦୃଶ୍ୟ ଗୋଟି ଗୋଟି କରି ପୋଲିସ ଆଗରେ କହିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ତଦନ୍ତ କରୁଛି।

ସିନ ରିକ୍ରିଏସନ୍ ପରେ ମୃତଦେହ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପରକୀୟା ପ୍ରୀତି ଧରା ପଡିଯିବାରୁ ପ୍ରେମିକ ସହ ମିଶି ସ୍ୱାମୀ ପ୍ରକାଶ ନାୟକଙ୍କୁ ମାରି ଘରେ ପୋତିଦେଇଥିଲା ସ୍ତ୍ରୀ ଜ୍ୟୋତ୍ସ୍ନାରାଣୀ। ରୋହିବାଙ୍କ ଗାଁରେ ପ୍ରକାଶଙ୍କ ଘର। ପ୍ରାୟ ୨୦ ଦିନ ହେବ ସେ ନିଖୋଜ ଥିଲେ। ବିବାହ ପରେ ଶାଶୂଘର କୋମଣ୍ଡ ଗାଁରେ ରହୁଥିଲେ ପ୍ରକାଶ। ୧୪ ବର୍ଷ ପୂର୍ବେ ଜ୍ୟୋତ୍ସ୍ନାରାଣୀ ଏବଂ ପ୍ରକାଶ ବିବାହ କରିଥିଲେ। ତାଙ୍କର ୭ ବର୍ଷର ଗୋଟିଏ ଝିଅ ଓ ୫ ବର୍ଷର ପୁଅ ଅଛି

ତେବେ ସେହି ଗାଁର ପ୍ରତାପ ସାମଲଙ୍କୁ ଭଲ ପାଇ ଆସୁଥିଲେ ଜ୍ୟୋତ୍ସ୍ନାରାଣୀ। ହତ୍ୟା ଘଟଣାରେ ଜ୍ୟୋସ୍ନାରାଣୀ ନାୟକ, ଶାଶୁ ଡ଼ମଣି ପ୍ରଧାନ, ପ୍ରେମିକ ପ୍ରତାପ ସାମଲକୁ ଗିରଫ କରିଛି ପୋଲିସ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଗିରଫ ହେଲେ ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ର

ବୌଦ୍ଧ: ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ର ଗିରଫ। ବସନ୍ତଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲରେ ବସନ୍ତ ମହାପାତ୍ରଙ୍କୁ ଭିଜିଲାନ୍ସ ଗିରଫ କରିଛି। ବସନ୍ତଙ୍କର ୧୯ କୋଟି ଟଙ୍କାରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛ ଭିଜିଲାନ୍ସ। ଯେଉଁଥିରେ ୧୪ କୋଟି ୫୦ ଲକ୍ଷର ଫ୍ଲାଟ୍, ୪ କୋଟି ୫୦ ଲକ୍ଷର ସୁନା ଗହଣା, ଗାଡ଼ି ଓ ଆସବାବପତ୍ର ରହିଛି।

ଚଢ଼ାଉ ବେଳେ କେବଳ ଭୁବନେଶ୍ବରରୁ ଏହି ବାବୁଙ୍କର ୫ଟି ଦାମୀ ଫ୍ଲାଟ୍‌ ସାଙ୍ଗକୁ ଗୋଟିଏ ସପିଙ୍ଗ ‌କମ୍ପ୍ଲେକ୍ସ ଠାବ କରାଯାଇଛି। ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ରଙ୍କର ପାହାଳ ଅଞ୍ଚଳରେ ଉତ୍କଳ ସିଗ୍‌ନେଚରରେ ୩ ହଜାର ବର୍ଗଫୁଟ୍‌ରେ ନିର୍ମିତ କୋଟିଏ ଟଙ୍କାର ଫ୍ଲାଟ୍‌ ଥିବା ବେଳେ ଗୌତମନଗର ଅଞ୍ଚଳରେ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ୨ କୋଟି ଟଙ୍କା ମୂଲ୍ୟର ୨୫ ଶହ ବର୍ଗଫୁଟ୍‌ର ସପିଙ୍ଗ୍ କମ୍ପ୍ଲେକ୍ସ, କଳ୍ପନା ସ୍ଥିତ ଉତ୍କଳ ରୟାଲ୍‌ ରେସିଡେନ୍ସିରେ କୋଟିଏ ଟଙ୍କା ମୂଲ୍ୟର ଫ୍ଲାଟ, କଳାରାହଙ୍ଗ ଅଞ୍ଚଳରେ ଜେଡ୍‌-୧ ଆଇକନିକ୍‌ରେ ଫାଇଭ ବିଏଚ୍‌କେ ଫ୍ଲାଟ୍‌ ପାଇଁ ଅଗ୍ରୀମ ୧ କୋଟି ୩୫ ଲକ୍ଷ ଟଙ୍କା ଜମା, ଶୈଳଶ୍ରୀବିହାର ଅଞ୍ଚଳରେ ୱେଷ୍ଟ୍‌ ଏଣ୍ଡ ଆପାର୍ଟମେଣ୍ଟରେ ଫ୍ଲାଟ୍‌ ଓ ରଙ୍ଗମାଟିଆ ହରପ୍ରିୟା ଏନ୍‌କ୍ଲେଭରେ ଫ୍ଲାଟ ଠାବ ହୋଇଛି।

ବେଙ୍ଗାଲୁରୁରେ ମଧ୍ୟ ତାଙ୍କର ଫ୍ଲାଟ ରହିଛି। ସେ ଓଜୋନ୍‌ ଏଲିଗାଣ୍ଟରେ ଫ୍ଲାଟ ପାଇଁ ୮୮ଲକ୍ଷ ଟଙ୍କା ଅଗ୍ରୀମ ଦେଇଛନ୍ତି। ତାଙ୍କର ବିଭିନ୍ନ ବ୍ୟାଙ୍କ୍‌ରେ ୩ କୋଟିରୁ ଅଧିକ ଟଙ୍କା ଜମାଥିବା ଭିଜିଲାନ୍ସ ହାତରେ ତଥ୍ୟ ଲାଗିଛି। ଭୁବନେଶ୍ବର ଆକ୍ସିସ ବ୍ୟାଙ୍କରେ ୨ କୋଟି ୧୧ ଲକ୍ଷ ୭୯ ହଜାର ଟଙ୍କା ଥିବା ବେଳେ ଆଇସିଆଇସିଆଇ ବ୍ୟାଙ୍କରେ ୪୪ ଲକ୍ଷ ୩୫ ହଜାର ଟଙ୍କା ଓ ଏସ୍‌ବିଆଇରେ ୩୯ ଲକ୍ଷ ୫୫ ହଜାର ଟଙ୍କା ରହିଛି। ଇନ୍‌ସ୍ୟୁରାନ୍ସ ଓ ବଣ୍ଡ୍‌ ଜମାକୁ ଠାବ କରାଯାଇଛି।

ଏନ୍‌ଏଚ୍‌ଏଆଇ କ୍ୟାପିଟାଲ୍‌ ଗେନ୍‌ ବଣ୍ଡରେ ୪୮ ଲକ୍ଷ ଟଙ୍କା ଓ ମ୍ୟାକ୍ସ ଲାଇଫ୍‌ରେ ୩୧ ଲକ୍ଷ ୯୦ ହଜାର ଟଙ୍କା ରହିଛି। ଘରୁ ନଗଦ ୧ ଲକ୍ଷ ୧୬ ହଜାର ୭୦୦ ଟଙ୍କା, ୬୦୦ ଗ୍ରାମ୍‌ର ସୁନା ଗହଣା, ୩୧୮ ଗ୍ରାମର ରୁପା, ୯ ଲକ୍ଷ ଟଙ୍କାର ଆସବାବପତ୍ର ମଧ୍ୟ ଜବତ କରାଯାଇଛି। ଗୋଟିଏ ବାଇକ୍‌ ଠା‌ବ ହୋଇଛି। ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ରଙ୍କର ଠାବ ହୋଇଥିବା ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୯ କୋଟିରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ଜଗତସିଂହପୁରରେ ଜେଏସଡବ୍ଲ୍ୟୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଢିଙ୍କିଆ: ଶିଳ୍ପାୟନର ନୂଆ ଅଧ୍ଯାୟ। ଜଗତସିଂହପୁର ଢିଙ୍କିଆ ଚାରିଦେଶରେ ଜେଏସଡବ୍ଲ୍ୟୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାର୍ଷିକ ୧୩.୨ ମିଲିୟନ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ସମନ୍ଵିତ ଇସ୍ପାତ ପ୍ରକଳ୍ପ ସହିତ ୫୨ ମିଲିୟନ ମେଟ୍ରିକ ଟନ ବିଶିଷ୍ଟ ନିଜସ୍ବ ଜେଟିର ଭୂମିପୂଜନ ଓ ଭିତ୍ତିପ୍ରସ୍ତରର ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଏହାସହ ରିନ୍ଯୁ ଇ-ଫୁଏଲ ଗ୍ରୀନ ଆମୋନିଆ ଓ ସିଲକ୍ସ କେମିକାଲ ମାନ୍ଯୁଫାକଚରିଂ ପ୍ଲାଣ୍ଟର ଶିଳାନ୍ଯାସ କରିଛନ୍ତି ମୁଖ୍ଯମନ୍ତ୍ରୀ। ଏହି ସବୁ ପ୍ରକଳ୍ପରେ ୯୦ ହଜାର କୋଟିର ନିବେଶ ହେବା ସହ ୩୫ ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିବ ବୋଲି ଏହି ଅବସରରେ ଉଦବୋଧନ ଦେଇ କହିଛନ୍ତି ନବୀନ । ଆଜିର ଏହି ସବୁ ପ୍ରକଳ୍ପ ଲାଗି ମୁଖ୍ଯମନ୍ତ୍ରୀ କମ୍ପାନୀଗୁଡିକୁ ଧନ୍ଯବାଦ ଜଣାଇଛନ୍ତି । ନିରନ୍ତର ସହାୟତା ଓ ସହଯୋଗ ଲାଗି ଜେଏସଡବ୍ଲ୍ୟୁ ଅଧ୍ଯକ୍ଷ ସଜ୍ଜନ ଜିନ୍ଦଲଙ୍କୁ ସ୍ବତନ୍ତ୍ର ଧନ୍ଯବାଦ ଦେଇଛନ୍ତି ମୁଖ୍ଯମନ୍ତ୍ରୀ । ଜଣେ ଭଲ ସହଯୋଗୀ ଭାବେ ଜେଏସଡବ୍ଲ୍ୟୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରି ରାଜ୍ଯକୁ ଦେଶରେ ଏକ ଇଣ୍ଡଷ୍ଟ୍ରିଆଲ ପାୱାରହାଉସ ଭାବେ ପରିଚିତି କରାଇପାରିଛି।

ବିକାଶ ଆଜି ଓଡ଼ିଶାର ପରିଚୟ ହୋଇଛି । ଶିଳ୍ପ ଭିତ୍ତିଭୂମି, ଶିକ୍ଷା, ସ୍ବାସ୍ଥ୍ଯ, ସବୁ କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । 5T ଉପକ୍ରମରେ ଓଡ଼ିଶାର ବିକାଶଧାରା ଆହୁରି ଉଜ୍ଜ୍ବଳ ହେଉଛି । ସାଧାରଣ ଲୋକ, ଚାଷୀ, ମାଆ, ଯୁବକମାନେ ବିକାଶର ଅଂଶ ପାଲଟିଛନ୍ତି । ସହଯୋଗ ପାଇଁ ଜଗତସିଂହପୁରକୁ ଧନ୍ଯବାଦ ଜଣାଇବା ସହ ଏହି ସବୁ ପ୍ରକଳ୍ପ ଦ୍ବାରା ଏଠିକାର ସବୁ ପରିବାର ଉପକୃତ ହେବେ ବୋଲି ମୁଖ୍ଯମନ୍ତ୍ରୀ ଆଶା କରିଛନ୍ତି।

ଉଦବୋଧନ ଆରମ୍ଭରୁ ଜଗତସିଂହପୁର ସହ ବିଜୁ ବାବୁଙ୍କ ସଂପର୍କ ବିଷୟରେ ଆଲୋକପାତ କରିଥିଲେ ମୁଖ୍ଯମନ୍ତ୍ରୀ । ଜଗତସିଂହପୁର ଆସିଲେ ବିଜୁ ବାବୁଙ୍କ କଥା ମନକୁ ଆସିଥାଏ । ୬୦ ଦଶକ ଆରମ୍ଭରେ ବିଜୁ ବାବୁ ଏକ ଡାଇନାମିକ ନିଷ୍ପତ୍ତି ନେଇ ପାରଦୀପରେ ବନ୍ଦର ପ୍ରତିଷ୍ଠା କରିଥିଲେ । ଯାହା ଆଜି ବିକାଶର ଇତିହାସରେ ଏକ ମାଇଲଖୁଣ୍ଟ ହେବା ସହ ପୂର୍ବାଞ୍ଚଳରେ ଏକ ଟପ ଡେଷ୍ଟିନେସନର ମାନ୍ଯତା ହାସଲ କରିପାରିଛି। ବନ୍ଦର ନଗରୀ ଭାବେ ସୁନାମ ଅର୍ଜୁଛି ବୋଲି କହି ଗର୍ବିତ ମନେ କରିଥିଲେ ।

ବିଜେଡିରେ ମିଶିଲେ ଢେଙ୍କାନାଳର ଡକ୍ଟର ଅବିନାଶ ସାମଲ

ଭୁବନେଶ୍ୱର: ବିଜେଡିରେ ମିଶିଲେ ଢେଙ୍କାନାଳର ଡକ୍ଟର ଅବିନାଶ ସାମଲ। ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇଛନ୍ତି ଅବିନାଶ। ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ହୋଇଛନ୍ତି ସାମିଲ। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟଙ୍କଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ଅବିନାଶ।

ଢେଙ୍କାନାଳ ଖଡଗପ୍ରସାଦର ଡକ୍ଟର ଅବିନାଶ ସାମଲ ସମାଜ ସେବାରେ ନିଜକୁ ବ୍ରତୀ କରିଛନ୍ତି। ସାଂସଦ ମାନସ ମଙ୍ଗରାଜ କହିଛନ୍ତି-   ଅବିନାଶ ହେଉଛନ୍ତି ଢେଙ୍କାନାଳର ଜଣେ ପ୍ରସିଦ୍ଧ ଡାକ୍ତର ଓ ଉଦ୍ଯୋଗବିତ୍। ମୁଖ୍ଯମନ୍ତ୍ରୀଙ୍କ ବିକାଶର ପର୍ବରେ ସେ ଅନୁପ୍ରାଣୀତ ହୋଇଛନ୍ତି। ତାଙ୍କର ଯୋଗଦାନ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବ। ଅବିନାଶ କହିଛନ୍ତି ଯେ ଗତ ୧୦ ବର୍ଷରେ ବିଜେଡିର ଯେଉଁ କାମ ରହିଛି, ସେଥିରେ ତାଙ୍କର କିଛି ଯୋଗଦାନ ରହିଛି। ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଗ୍ଲୋବାଲ ସ୍ତରକୁ ନେଉଛନ୍ତି। ତାଙ୍କ ନିର୍ଦ୍ଦେଶରେ ସେବା କରି ଚାଲିବି।