spot_img
Home Blog Page 2166

ମୋ ବସ ଦୁର୍ଘଟଣାକୁ ନେଇ ତୁମୁଳକାଣ୍ଡ

ଭୁବନେଶ୍ୱର : ମୋ ବସ ଦୁର୍ଘଟଣାକୁ ନେଇ ତୁମୁଳକାଣ୍ଡ। ଭୁବନେଶ୍ୱର ଗ୍ୟାରେଜ ଛକରେ ଘଟିଛି ଏଭଳି ଘଟଣା । ରାତି ପ୍ରାୟ ୧୧ଟା ସମୟରେ କୋଣାର୍କରୁ ମାଷ୍ଟରକ୍ୟାଣ୍ଟିନ ଫେରୁଥିବା ମୋ ବସ ଅଟୋକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଅଟୋ ଭାଙ୍ଗି ରୁଜି ଚୁରମାର ହୋଇଯାଇଥିଲା। ବସଟି ପଳାଉଥିବା ବେଳେ ଗୌରୀ ନଗର ଛକ ନିକଟରେ ଲୋକେ ଗାଡିକୁ ଅଟକାଇଥିଲେ। ନିଶାଶକ୍ତ ଅବସ୍ଥାରେ ଡ୍ରାଇଭର ଏଭଳି ଦୁର୍ଘଟଣା ଘଟାଇଥିବା ଅଭିଯୋଗ ଆଣି ଲୋକେ ପ୍ରାୟ ୧ ଘଣ୍ଟା ରାସ୍ତା ବନ୍ଦ କରିଥିଲେ। ଲିଙ୍ଗରାଜ ଥାନା ଓ ବଡ଼ଗଡ଼ ଥାନା ପୋଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ଭାଙ୍ଗିଲା ଉପର ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ, ୪୦ ମିଟରର ଘାଇ ସୃଷ୍ଟି

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଦେପୁର ନିକଟରେ ଭାଙ୍ଗିଲା ଉପର ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ । ମୁଖ୍ୟ କେନାଲରେ ୪୦ ମିଟରର ଘାଇ ସୃଷ୍ଟି ହୋଇଛି । କେନାଲ ପାଣି ମାଡ଼ି ଯାଇ ଶହ ଶହ ଏକର ଚାଷ ଜମି ଜଳ ମଗ୍ନ ହେବା ସହ ଚାଷ ଜମିରେ ବାଲିଚର ମାଡିଯାଇଛି।

ସେହିପରି ଗାଁର ଅନେକ ଘରେ ପାଣି ପଶିଛି  । କେନାଲ ପାଣି ଯୋଗୁଁ ଚାଷ ଜମି ନଷ୍ଟ ହୋଇଛି । ଘଟଣା ସ୍ଥଳରେ ଉପର ଇନ୍ଦ୍ରାବତୀ ଜଳ ସେଚନ ବିଭାଗର ବରିଷ୍ଠ ଅଧିକାରୀ, ସ୍ଥାନୀୟ ବିଡ଼ିଓ ଓ ତହସିଲଦାର ପହଞ୍ଚି କ୍ଷୟ କ୍ଷତିର ଆକଳନ କରୁଛନ୍ତି  l

ଅନ୍ୟପଟେ କଲମପୁର ଅଗ୍ନିଶମ ବିଭାଗର ର୍କମଚାରୀ ପହଞ୍ଚି ଗାଁରେ ଜଳ ନିସ୍କାସନ ସହିତ ଜଳ ବନ୍ଦୀ ପରିବାର ମାନଙ୍କୁ ଉଦ୍ଧାର କରାଯାଉଛି  । ରାଜସ୍ବ ବିଭାଗର ତଦନ୍ତ ପରେ ପ୍ରକୃତ କ୍ଷୟ କ୍ଷତି ଜଣା ପଡ଼ିବ  । ବର୍ତ୍ତମାନ କେନାଲର ମୁଖ୍ୟ ଗେଟକୁ ବନ୍ଦ କରି ଦିଆ ଯାଇଛି  ।  ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ରହିଛି  ।

ଉପରମୁହାଁ ପାରଦ; ଏବେଠୁ ଆଉଟୁ ପାଉଟୁ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡିଶା

ଭୁବନେଶ୍ୱର : ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡିଶାରେ ଉପରମୁହାଁ ପାରଦ । ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଉପରେ ରହିଛି ତାପମାତ୍ରା । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ତାତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଞ୍ଜାମ ଆଦି ଜିଲ୍ଲାରେ ତାତି ବୃଦ୍ଧି ପାଇଥିବା ବେଳେ ଉପକୂଳ ଓଡିଶାର ଖୋର୍ଦ୍ଧା, ନୟାଗଡ଼, କଟକ, ଅନୁଗୁଳ, ଢେଙ୍କାନାଳ ଆଦି ଜିଲ୍ଲାରେ ହଟ ଓ୍ବେଦର କଣ୍ଡିସନ ଦେଖାଦେଇଛି।

ଆଗକୁ ଆହୁରି ଅସମ୍ଭାଳ ତାତି ହେବ ବୋଲି ସତର୍କତା ଜାରି କରାଯାଇଛି । ବର୍ତ୍ତମାନ ଓଡିଶା ଉପରେ କୌଣସି ପାଣିପାଗ ନିୟାମକ ନଥିବାରୁ ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ତାତି ଜାରି ରହିବ। ସେପଟେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପଶ୍ଚିମା ଝଡର ସକ୍ରିୟତା ପାଇଁ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଆଜି ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ବରଗଡ଼, ଦେବଗଡ, ଅନୁଗୁଳ ଏବଂ ଝାରସୁଗୁଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ଏବଂ କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର।

କାଲି ପଶ୍ଚିମା ଝଡ ପ୍ରଭାବରେ ମଧ୍ଯ କେତେକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ନେଇ ଆକଳନ କରାଯାଇଛି । ଗତକାଲି ରାଜ୍ଯରେ ୧୩ ସହରର ତାପମାତ୍ରା ୩୫ ଡିଗ୍ରୀ ବା ତାଠୁ ଅଧିକ ରହିଥିଲା ।

ଆଜି ସରିବ ମାଟ୍ରିକ ପରୀକ୍ଷା ; ଶେଷ ଦିନରେ ସାମାଜିକ ବିଜ୍ଞାନ ବିଷୟ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଆଜି ସରିବ ମାଟ୍ରିକ ପରୀକ୍ଷା । ଫେବୃଆରୀ ୨୦ ତାରିଖରେ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଆଜି ଶେଷ ହେବ । ଶେଷ ଦିନରେ ସାମାଜିକ ବିଜ୍ଞାନ ବିଷୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଚଳିତବର୍ଷ ୨ ହଜାର ୯୯୧ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ ।

ସେହିପରି ୭ ହଜାର ୮୩୧ ପରୀକ୍ଷାର୍ଥୀ ରାଜ୍ଯ ଓପନ ସ୍କୁଲ ସାର୍ଟିଫିକେଟ ଓ ୩ ହଜାର ୩୭ ପରୀକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେଉଛନ୍ତି । ପରୀକ୍ଷାକୁ ଶୃଙ୍ଖଳିତ ତଥା କପିମୁକ୍ତ କରିବା ପାଇଁ ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରକୁ ସିସିଟିଭିରେ କଣ୍ଟ୍ରୋଲ ରୁମ ସହ ଯୋଡି ନଜର ରଖାଯାଇଛି । ପରୀକ୍ଷା ପରିଚାଳନାରେ ଏଆଇକୁ ମଧ୍ଯ ସାମିଲ କରାଯାଇଛି । ଆଜି ପରୀକ୍ଷା ଶେଷହେବାପରେ ଆସନ୍ତା ୧୫ରୁ ଖାତା ଦେଖା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ମାଟ୍ରିକ ବୋର୍ଡ କର୍ତ୍ତୃପକ୍ଷ ।

କର ଠକେଇ ବିରୋଧରେ ପଦକ୍ଷେପ; ଆଜି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

ନୂଆଦିଲ୍ଲୀ : କର ଠକେଇ ବିରୋଧରେ ପଦକ୍ଷେପ। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିବ ସମସ୍ତ ରାଜ୍ୟର ଜିଏସଟି ଏନଫୋର୍ସମେଣ୍ଟ ଚିଫ ଓ କେନ୍ଦ୍ରୀୟ ଜିଏସଟି ଅଫିସରଙ୍କ ବୈଠକ। ଏହି ବୈଠକରେ ଜିଏସଟି ଠକେଇ, ବର୍ତ୍ତମାନ ଆସୁଥିବା ବିଭିନ୍ନ ଆହ୍ବାନର ମୁକାବିଲା ଆଦି ପ୍ରସଙ୍ଗରେ ହେବ ଆଲୋଚନା। ସେହିପରି ଫେକ୍ ଇନଭଏସ ରୋକିବା, ସ୍ବଚ୍ଛ ବ୍ଯବସ୍ଥା, ଟେକ୍ନୋଲୋଜି ଓ ଡାଟା ବ୍ଯବସ୍ଥା ଆଦି ସମ୍ପର୍କରେ ବି ବୈଠକରେ ଆଲୋଚନା ହେବ। ବ୍ଯାବସାୟିକ ସ୍ତରରେ ସ୍ବଚ୍ଛତା, ନିୟମକାନୁନ ବ୍ଯବସ୍ଥା ଆଦି ସମ୍ପର୍କରେ ଏହି ଦିନିକିଆ ଅଧିବେଶନରେ ଆହ୍ବାନ ଦେବେ ସୀତାରମଣ।

ଦିଲ୍ଲୀ ମଦନୀତି ମାମଲା: ଆଜି ହାଜର ହେବେ କି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଦିଲ୍ଲୀ ମଦ ନୀତି ମାମଲା। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହାଜର ହେବେ କି ନାହିଁ ତାହାକୁ ନେଇ ସସପନସ। ପୂର୍ବରୁ ୭ ଥର କେଜ୍ରିୱାଲଙ୍କୁ ସମନ ଜାରି କରାଯାଇଥିଲେ ବି ସେ ହାଜର ହୋଇ ନଥିଲେ।

୨୦୨୩ ନଭେମ୍ବର ୨ରେ କେଜ୍ରିୱାଲଙ୍କୁ ପ୍ରଥମ ଥର ଲାଗି ନୋଟିସ କରିଥିଲା ଇଡି। ଗତବର୍ଷ ଡିସେମ୍ବର ୨୧ରେ ଦ୍ବିତୀୟ ନୋଟିସ ସତ୍ତ୍ବେ ହାଜର ହୋଇ ନଥିଲେ କେଜ୍ରିୱାଲ। ଗତ ଜାନୁଆରୀ ୩ରେ କେଜ୍ରିୱାଲଙ୍କୁ ତୃତୀୟ ନୋଟିସ, ଜାନୁଆରୀ ୧୮ରେ ଚତୁର୍ଥ ନୋଟିସ, ଫେବୃଆରୀ ୨ରେ ପଞ୍ଚମ ନୋଟିସ, ଫେବୃଆରୀ ୧୭ରେ ଷଷ୍ଠ ନୋଟିସ, ଫେବୃଆରୀ ୨୬ରେ ସପ୍ତମ ନୋଟିସ ଜାରି କରିଥିଲା ଇଡି।

ସେପଟେ ଆଜି ଆଗତ ହୋଇପାରେ ଦିଲ୍ଲୀ ବଜେଟ। ଦିଲ୍ଲୀ ବିଧାନସଭାରେ ଅର୍ଥମନ୍ତ୍ରୀ ଆତିଶି ବଜେଟ ଉପସ୍ଥାପନ କରିବେ। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରୀ ବଜେଟରେ କେତେକ ବଡ ଘୋଷଣା କରିବା ଆଶା ରହିଛି। ବଜେଟରେ ଶିକ୍ଷା, ସ୍ବାସ୍ଥ୍ୟ ଆଦିକୁ ଫୋକସ ଦିଆଯିବା ସୂଚନା ମିଳିଛି।

ଭୋଟ ଦେବା କିମ୍ବା ମତ ରଖିବା କ୍ଷେତ୍ରରେ ଲାଞ୍ଚ ନେବା ପ୍ରସଙ୍ଗ: ଆଜି ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ନୂଆଦିଲ୍ଲୀ : ବିଧାନସଭା ବା ସଂସଦରେ ଭୋଟ ଦେବା କିମ୍ବା ମତ ରଖିବା କ୍ଷେତ୍ରରେ ଲାଞ୍ଚ ନେବା ପ୍ରସଙ୍ଗ  । ଲାଞ୍ଚ ସଂକ୍ରାନ୍ତ ଅପରାଧିକ ମାମଲାରୁ ସାଂସଦ ଓ ବିଧାୟକଙ୍କୁ ସୁରକ୍ଷିତ ରଖିବା ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ ଦେବେ ଗୁରୁତ୍ବପୂର୍ଣ୍ଣ ରାୟ । ଆଜି ସିଜେଆଇ ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ୭ ଜଣିଆ ଖଣ୍ଡପୀଠ ଶୁଣାଇବେ ରାୟ ।

ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଯୁକ୍ତି ଦର୍ଶାଇଥିଲେ- ଲାଞ୍ଚ ପରି ଏକ ମାମଲାରୁ ଏମପି ଓ ଏମଏଲଏଙ୍କୁ ସୁରକ୍ଷା ନଦିଆଯାଉ । ଆଇନ ନିର୍ମାତାମାନେ ଆଇନରୁ ଊର୍ଦ୍ଧ୍ବରେ ନୁହନ୍ତି । ଆଟର୍ଣ୍ଣି ଜେନେରାଲ, ସଲିସିଟର ଜେନେରାଲ ଓ ଆମିକସ କ୍ୟୁରୀଙ୍କ ସମେତ ବହୁ ଆଇନଜୀବୀଙ୍କ ମତାମତକୁ ନେଇ ପୂର୍ବରୁ ଶୁଣାଣି ହୋଇଥିବାବେଳେ ରାୟକୁ ସଂରକ୍ଷିତ ରଖିଥିଲେ  ସୁପ୍ରିମକୋର୍ଟ ।

ବହୁଚର୍ଚ୍ଚିତ ଜେଏମଏମ ଲାଞ୍ଚ ମାମଲାରେ କୌଣସି ବିବୃତି ବା ଭୋଟ ନେଇ ସାଂସଦ ଓ ବିଧାୟକଙ୍କ ବିରୋଧରେ ମାମଲା ଦାୟରରୁ ସାଂସଦ ଓ ବିଧାୟକଙ୍କୁ ମୁକ୍ତ ରଖିବା ଲାଗି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ରାୟ ଦେଇଥିଲେ । ଏହି ମାମଲାର ପୁନଃଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟଙ୍କ ୭ ଜଣିଆ ଖଣ୍ଡପୀଠ । ଦୀର୍ଘ ୨୫ ବର୍ଷ ପରେ ଏହି ମାମଲା ପୁଣି ପଦାକୁ ଆସିଛି । ଲାଞ୍ଚ ଗ୍ରହଣ କରି ସଂସଦ ଓ ବିଧାନସଭାରେ ସାଂସଦ ଓ ବିଧାୟକମାନେ କୌଣସି ମତ ରଖିବା ବା ଭୋଟ ଦେବା ଏକ ଅପରାଧିକ କାର୍ଯ୍ୟ ହୋଇଥିବାବେଳେ ଅତୀତରେ ଖଣ୍ଡପୀଠ ଦେଇଥିବା ରାୟକୁ ପୁନଃତର୍ଜମା କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ମାମଲାର ପୁନଃବିଚାର ଲାଗି ଗତ ୨୦୨୩ ସେପ୍ଟେମ୍ବର ୨୦ରେ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଥିଲେ । ପିଭି ନରସିଂହ୍ମା ରାଓ ବନାମ ସିବିଆଇ ମାମଲାରେ ସୁପ୍ରିମକୋର୍ଟ କହିଥିଲେ- ସମ୍ବିଧାନର ଧାରା ୧୦୫(୨), ୧୯୪(୨) ଅନୁସାରେ ଗୃହ ଭିତରେ କୌଣସି ବିଧାୟକ ଓ ସାଂସଦଙ୍କ ମତ ଓ ଭୋଟ କ୍ଷେତ୍ରରେ ସେମାନଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇପାରିବ ନାହିଁ ।

୧୯୯୩ରେ ନରସିଂହ୍ମା ରାଓ ସରକାରଙ୍କୁ ଅନାସ୍ଥା ଭୋଟରୁ ବଞ୍ଚାଇବା ଲାଗି ଜେଏମଏମ ନେତା ଶିବୁ ସୋରେନଙ୍କ ସମେତ 5 ସାଂସଦ ଲାଞ୍ଚନେବା ଅଭିଯୋଗ ହୋଇଥିଲା । ଜେଏମଏମର ସମର୍ଥନ ଯୋଗୁ ରାଓ ସରକାର ବଞ୍ଚିଯାଇଥିଲା । ସେମାନଙ୍କ ବିରୋଧରେ ସିବିଆଇ ମାମଲା ଦାୟର କରିଥିଲେ ବି ଧାରା ୧୦୫(୨)କୁ ଆଧାର କରି ଏହି ମାମଲାକ ରଦ୍ଦ କରିଥିଲେ ସୁପ୍ରିମକୋର୍ଟ ।

ଚର୍ମରୋଗ ବିଶେଷଜ୍ଞ ବିଷ୍ଣୁପ୍ରିୟା ଦେବୀଙ୍କ ପରଲୋକ

କଟକ: ଖ୍ଯାତି ସମ୍ପନ୍ନ ପ୍ରଫେସର ଡକ୍ଟର ବିଷ୍ଣୁପ୍ରିୟା ଦେବୀଙ୍କ ପରଲୋକ । ୮୨ ବର୍ଷ ବୟସରେ କଟକ ନିମସାହିସ୍ଥିତ ବାସଭବନରେ ତାଙ୍କ ପରଲୋକ ଘଟିଛି । ମୃତ୍ୟୁ ପରେ ତାଙ୍କ ଚକ୍ଷୁଦାନ କରିଛନ୍ତି ପରିବାର ଲୋକେ । ଚର୍ମରୋଗ ବିଶେଷଜ୍ଞ ଭାବେ ସେ ଜଣାଶୁଣା ଥିଲେ ।

ଖ୍ଯାତନାମା ପ୍ରଫେସର ଡାକ୍ତର ନିରଞ୍ଜନ ତ୍ରିପାଠୀଙ୍କ ସହଧର୍ମିଣୀ ଥିଲେ ବିଷ୍ଣୁପ୍ରିୟା । ୧୯୪୨ ଜୁନ ୧୪ ତାରିଖରେ କଟକ ଜିଲ୍ଲାର ରାମକୃଷ୍ଣପୁର ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ । ଏସସିବି ମେଡିକାଲ କଲେଜରେ ୨୦୦୦ ମସିହାରୁ କାର୍ଯ୍ଯରତ ଥିଲେ । ପରେ ଭୁବେନେଶ୍ୱରସ୍ଥିତ କଳିଙ୍ଗ ହସ୍ପିଟାଲର ଚର୍ମରୋଗ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ସେ ଅନେକ ସାମାଜିକ ଅନୁଷ୍ଠାନ ସହ ଜଡିତ ଥିଲେ । ତାଙ୍କ ନାମରେ ବିଷ୍ଣୁପ୍ରିୟା ଦେବୀ ଚାରିଟେବଲ ଟ୍ରଷ୍ଟ ପରିଚାଳିତ ହେଉଛି ।

ଟଙ୍କା ନେଣଦେଣକୁ ନେଇ ହାଣିଲେ

ଢେଙ୍କାନାଳ: ଟଙ୍କା ଦେଣନେଣକୁ କେନ୍ଦ୍ର କରି ଗୋଡ଼ାଇ ଗୋଡ଼ାଇ ହାଣିଲେ । ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଗୁଣ୍ଡୁରାପଶି ବର ସାହିରେ ଘଟିଛି ଏହି ନିର୍ମମ ହତ୍ୟାକାଣ୍ଡ । ମୃତକ ହେଲେ ଏକାଦଶୀ ମହାଳିକ । ଗାଁର କିଛି ଯୁବକ ଗୋଡାଇ ଗୋଡାଇ ତାଙ୍କୁ ହତ୍ଯା କରିଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ, ମୃତ ଏକାଦଶୀ ସେହି ଗାଁର ସଇଁଆ ପାତ୍ରଠାରୁ କିଛି ବର୍ଷ ତଳେ ୧୫ ହଜାର ଟଙ୍କା ସୁଧକୁ ଆଣିଥିଲେ । ମୂଳ ଟଙ୍କା ଦେଇସାରିଥିବାବେଳେ ସୁଧ ଟଙ୍କା ଦେଇ ନପାରିବାରୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ଅଭିଯୁକ୍ତ । ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଶ୍ରୀମନ୍ଦିରରେ ପଶିଲେ ୪ ବାଂଲାଦେଶୀ ଅଣହିନ୍ଦୁ

ପୁରୀ: ଶ୍ରୀମନ୍ଦିର ଭିତରେ ପଶି ଦର୍ଶନ କଲେ ଅଣହିନ୍ଦୁ ବାଙ୍ଗଳାଦେଶୀ ଭକ୍ତ । ଚାରି ଜଣ ଅଣହିନ୍ଦୁ ଭକ୍ତ ଦର୍ଶନ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପରେ ୪ ଜଣଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖିଛି ପୋଲିସ । କିପରି ନିୟମ ଉଲ୍ଲଂଘନ କରି ଶ୍ରୀମନ୍ଦିର ଭିତରକୁ ଦର୍ଶନ ପାଇଁ ଯାଇଥିଲେ ସେନେଇ ଅଧିକ ପଚରାଉଚରା କରିଛି ପୋଲିସ । ସେମାନଙ୍କର ପାସପୋର୍ଟ ମଧ୍ୟ ଅନୁଧ୍ୟାନ କରାଯାଉଛି ।