spot_img
Home Blog Page 2173

ଟି-୨୦ ବିଶ୍ବକପରେ ରୋହିତ ଶର୍ମାଙ୍କ ଟିମରେ କୋହଲି ଦରକାର: କିର୍ତ୍ତି ଆଜାଦ

ନନ୍ଦିଘୋଷ ବ୍ୟୁରୋ: ଟି-୨୦ ବିଶ୍ବକପ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ । ଟିମ ଇଣ୍ଡିଆ ଦିନିକିଆ ବିଶ୍ବକପ ହାତଛଡ଼ା କରିବା ପରେ ଏବେ ଟି-୨୦ ବିଶ୍ବକପ ହାତେଇବା ଲକ୍ଷ୍ୟରେ ରହିଛି । ତେବେ ଏଯାବତ ଟିମରେ କାହାକୁ ସ୍ଥାନ ମିଳିବ ତାକୁ ନେଇ କୌଣସି ଅଙ୍କ ଛିଣ୍ଡିନଥିବାବେଳେ କୋହଲିଙ୍କୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି । ଏକ ଇଂଲିସ ଖବର କାଗଜରେ ପ୍ରକାଶ ପାଇଛି କି, କୋହଲି ଧିମା ଖେଳୁଥିବାବେଳେ ଓ୍ବେଷ୍ଟଇଣ୍ଡିଜ୍ ପିଚରେ ଖେଳିବା ତାଙ୍କ ପାଇଁ କଷ୍ଟାସାଧ୍ୟ ହେବ । ଏଣୁ ତାଙ୍କୁ ଟି-୨୦ ବିଶ୍ବକପ ଦଳରେ ସ୍ଥାନ ମିଳିନପାରେ । ଯଦି ସେ ଆଇପିଏଲରେ ଭଲ ପ୍ରଦର୍ଶନ କରିବା ତାହେଲେ ସେ ବିଶ୍ବକପ ଦଳରେ ସ୍ଥାନ ପାଇବେ ।

ସେପଟେ ପୂର୍ବତନ ଭାରତୀୟ କ୍ରିକେଟର କିର୍ତ୍ତି ଆଜାଦ କହିଛନ୍ତି କି, ଯେକୌଣସି ହାଲତରେ ହେଉ ନାଁ କାହିଁକି ରୋହିତ ତାଙ୍କ ଟିମରେ କୋହଲିଙ୍କୁ ନେବାକୁ ଚାହୁଁଛନ୍ତି । ଏନେଇ ପୂର୍ବରୁ ମଧ୍ୟ ଜୟ ଶାହାଙ୍କ ସହ ଆଲୋଚନା ହୋଇଛି । କୁହାଯାଉଛି କି, ଚୟନକର୍ତ୍ତାମାନେ ହାତ ଟେକି ଦେଇଥିବାବେଳେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ନିଷ୍ପତ୍ତି ନେବେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଚଳିତ ମାସ ୨୨ ତାରିଖରୁ ଆଇପିଏଲ ସିଜିନ ଆରମ୍ଭ ହେବାକୁ ଥିବାବେଳେ କୋହଲିଙ୍କ ପ୍ରଦର୍ଶନ ଉପରେ ନିର୍ଭର କରୁଛି । ଦୀର୍ଘ ୧୪ ମାସ ପରେ ଟି-୨୦ ଖେଳିଥିବା କୋହଲି ଆଫଗାନିସ୍ତାନ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ଆଇପିଏଲରେ ସେ କିଭଳିଭାବେ ପ୍ରଦର୍ଶନ କରୁଛନ୍ତି ତାହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ରହିଛି ।

ଶ୍ରୀମନ୍ଦିର ପରିକ୍ରମା ମାର୍ଗକୁ ଏକ ଆଧ୍ୟାତ୍ମିକ ପରିବେଶ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯିବ ସ୍ବତନ୍ତ୍ର ପଦକ୍ଷେପ

ପୁରୀ: ଏଣିକି ପ୍ରତିଦିନ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦୈନିକ ସକାଳୁ ବେଦ ପାଠ ଏବଂ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ପରିକ୍ରମା ମାର୍ଗକୁ ଏକ ଆଧ୍ୟାତ୍ମିକ ପରିବେଶ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଯେଭଳି ଏକ ନୂଆ ଅନୁଭୂତି ନେଇ ଫେରିବେ ସେଥିପାଇଁ ଏହି ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତି ନିଆଯାଇଛି। ଦୋଳପୂର୍ଣ୍ଣିମା ରୁ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ପ୍ରତିଦିନ ସକାଳ ୬ଟା ରୁ ୭ଟା ମଧ୍ୟରେ ସିଂହଦ୍ଵାର ସମ୍ମୁଖରେ ବେଦ ପାଠ ଅନୁଷ୍ଠିତ ହେବ। ପରେ ପରିକ୍ରମା ମାର୍ଗରେ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ। ସେହିପରି ପ୍ରତିଦିନ ସନ୍ଧ୍ୟାରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗର ପଶ୍ଚିମ ଓ ଉତ୍ତର ଦ୍ଵାର କୋଣରେ ଥିବା ସ୍ବତନ୍ତ୍ର ଗ୍ୟାଲେରୀରେ ଓଡ଼ିଶୀ, ଛାନ୍ଦ, ଚମ୍ପୁ, ଗୋଟିପୁଅ, ମାହାରୀ ନୃତ୍ୟ ସହିତ ମହାପ୍ରଭୁଙ୍କ ବିଭିନ୍ନ କଥାବସ୍ତୁକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ପ୍ରେମିକାକୁ ନେଇ କୁଆଡେ ଗଲା କିଲର ପ୍ରେମିକ ?

ଭୁବନେଶ୍ବର: ପ୍ରେମିକାକୁ ନେଇ କୁଆଡେ ଗଲା କିଲର ପ୍ରେମିକ ? ରାଜ୍ୟ ବାହାରକୁ ଚାଲିଗଲା କି ପିଙ୍କୁ ? ନାରକୀୟ କାଣ୍ଡ ଘଟାଇଥିବା ନିହାରିକା ଏବେ କେଉଁଠି ? ଭୁବନେଶ୍ବର ଲକ୍ଷ୍ମୀସାଗର ତ୍ରିକୋଣୀୟ ପ୍ରେମକୁ ନେଇ ହତ୍ୟା ମାମଲାକୁ ୩୬ ଘଣ୍ଟା ପୂରିଥିଲେ ବି ପୋଲିସ ହାତ ଖାଲି । ମୁଖ୍ୟ ଅଭିଯୁକ୍ତ ସହ ଜଣେ ଯୁବତୀ ଓ ୪ ସହଯୋଗୀଙ୍କୁ ଧରିବା ପାଇଁ ଚଢାଉ ଜାରି ରଖିଛି ପୋଲିସ । ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିଲା ଏହି ହତ୍ୟାକାଣ୍ଡ । ମୃତକ ହେଲେ ଲକ୍ଷ୍ମୀସାଗର ଅଞ୍ଚଳର ଅଞ୍ଜନ । ସାଙ୍ଗକୁ ରକ୍ଷା କରିବାକୁ ଯାଇ ଅଭିଯୁକ୍ତର ଆକ୍ରମଣର ଶିକାର ହୋଇଥିଲେ। ଶୁକ୍ରବାର ରାତିରେ ଅଭିଯୁକ୍ତ ପିଙ୍କୁ ଓ ନିହାରିକା ପୁରୁଣା ପ୍ରେମିକ ଗୌତମକୁ ଡକାଇଥିଲେ । ଗୌତମ ରାତି ଅଧରେ ଏକା ନଆସି ନିଜ ସାଙ୍ଗ ଅଞ୍ଜନ ବେହେରାଙ୍କୁ ଡାକିଥିଲେ । ଅଞ୍ଜନ ଓ ଗୌତମ ପହଞ୍ଚିବା ମାତ୍ରେ ଯୁବତୀଙ୍କ ଉପସ୍ଥିତିରେ ପିଙ୍କୁ ଖଣ୍ଡା କାଢି ଭାଇଗିରି ଦେଖାଇଥିଲା । ରାଗରେ ଜର୍ଜରିତ ହୋଇ ଗୌତମଙ୍କ ଉପରକୁ ଚୋଟ ପକାଇଥିଲା । ଯେଉଁଥିରେ ଗୌତମ ଅଳ୍ପକେ ବତ୍ତି ଯାଇଥିଲେ। କିନ୍ତୁ ପ୍ରାଣ ହରାଇଥିଲେ ଅଞ୍ଜନ । ସେପଟେ ଘଟଣା ପରଠୁ ପ୍ରେମିକ ସହିତ ଫେରାର ହୋଇଯାଇଛନ୍ତି ବୋଲି ଭଉଣୀକୁ ମେସେଜ ଦେଇଛନ୍ତି ଯୁବତୀ ଜଣକ । ଲକ୍ଷ୍ମୀସାଗର ଥାନା ପୋଲିସ ପାରିପାର୍ଶ୍ବିକ ପରିସ୍ଥିତି, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅଧାରରେ ତଦନ୍ତ ଚଳାଇଛି । ମୁଖ୍ୟ ଅଭିଯୁକ୍ତ ପିଙ୍କୁ, ଗାର୍ଲଫ୍ରେଣ୍ଡ ନିହାରିକା ଓ ୪ ସହଯୋଗୀଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଥିବା ବେଳେ, ଅନ୍ୟ ଜିଲ୍ଲାରେ ସେମାନେ ଲୁଚିଥିବା ଜାଣିବାକୁ ପାଇଛି ପୋଲିସ ।

ବରଯାତ୍ରୀ ଗାଡ଼ି ଦୁର୍ଘଟଣା, ୨ ମୃତ

ନନ୍ଦିଘୋଷ ବ୍ୟୁରୋ: କୋରାପୁଟ କୁନ୍ଦୁରା ବ୍ଲକ ଖଟଲାପଦର ନିକଟ ଏକ ପୋଲରେ ଦୁର୍ଘଟଣା। ବରଯାତ୍ରୀ ଗାଡି ଓଲଟି ପଡିଛି। ଗାଡିଟି ପୋଲ ତଳକୁ ଖସି ପଡିଛି । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ୧୨ ଜଣ ଗୁରୁତର ଥିବା ବେଳେ, ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। କିଛି ଲୋକଙ୍କୁ କୁନ୍ଦୁରା ହସ୍ପିଟାଲରେ ଓ ଅତି ଗୁରୁତରଙ୍କୁ ଜୟପୁର ହସ୍ପିଟାଲ ଭର୍ତ୍ତି କରାଯାଇଛି। ବୈପାରିଗୁଡା ବ୍ଲକ ଧଳପୁର ଗ୍ରାମରୁ ବରଯାତ୍ରୀ ଯାଉଥିଲେ ନୂଆଗାଁକୁ । ମାକ୍ସ ପିକଅପ ଭ୍ୟାନ୍ ଯାଉଥିବା ବେଳେ ପୋଲ ତଳକୁ ଖସି ପଡ଼ିଥିଲା ।

ନିର୍ବାଚନ ଆଚରଣ ବିଧି: ରାଜ୍ୟରେ ଘୋଡ଼ାଗଲା ସରକାରୀ ଯୋଜନା ବିଜ୍ଞାପନ ହୋର୍ଡିଂ

ଭୁବନେଶ୍ବର: ଗତକାଲି ସାଧାରଣ ନିର୍ବାଚନପାଇଁ ତାରିଖ ଘୋଷଣା ସହ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ନିର୍ବାଚନ ନସରିବା ପର୍ଯ୍ୟନ୍ତ ହୋଇପାରିବନି ସରକାରୀ ଯୋଜନାର ବିଜ୍ଞାପନ । ଏଥିପାଇଁ ରାଜ୍ୟରେ ସରକାରୀ ଯୋଜନା ବିଜ୍ଞାପନ ହୋର୍ଡିଂ ଘୋଡା ଯାଉଛି ।

ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜ୍ଯ ସରକାରଙ୍କ ପକ୍ଷରୁ ଲାଗିଥିବା  ବିଜ୍ଞାପନ ହୋର୍ଡିଂକୁ ଘୋଡ଼ାଇ ଦିଆଯାଇଛି । ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ସମୟରେ କୌଣସି ସରକାରୀ ଯୋଜନାର ପ୍ରଚାର କିମ୍ବା ଭୋଟରଙ୍କୁ ପ୍ରଭାବିତ କରିବା ଭଳି କୌଣସି ବିଜ୍ଞାପନ ଉପରେ ନିର୍ବାଚନ କମିଶନ ରୋକ୍ ଲଗାଇଛନ୍ତି । ରାଜଧାନୀ ଭୁବନେଶ୍ବର ସମେତ ରାଜ୍ଯର ବିଭିନ୍ନ ଛକ, ବଜାର, ରାସ୍ତାରେ ଲାଗିଥିବା ସରକାରୀ ବିଜ୍ଞାପନ ହୋର୍ଡିଂଗୁଡ଼ିକ ଘୋଡ଼ାଇ ଦିଆଯାଇଛି ।

ହଜାର ହଜାର ସମର୍ଥକଙ୍କ ସହ ବିଜେଡିରେ ମିଶିଲେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପ

ଭୁବନେଶ୍ବର: ବଢ଼ିଲା ବିଜେଡି ବଳ । ଦଳରେ ସାମିଲ ହେଲେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ । ହଜାର ହଜାର ସମର୍ଥକଙ୍କ ସହ ଆସି ବିଜେଡିରେ ଯୋଗ ଦେଇଛନ୍ତି ମୋନିଦୀପା । ସେ ବର୍ତ୍ତମାନ ପାରାଦ୍ୱୀପ-ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଅଛନ୍ତି । ତାଙ୍କ ସମର୍ଥନରେ ଜିତିଥିବା ସାତ ସ୍ୱାଧୀନ କାଉନସିଲର ବି ବିଜେଡିରେ ଯୋଗ ଦେଇଛନ୍ତି । ସେମାନେ ହେଲେ ଛବିଲତା ରାଉତ, ଜୟନ୍ତୀ ମାଦେଲି, ସ୍ବପନାରାଣୀ ଜେନା, ବନିତା ରାଉତ, ଶୁକ୍ରମଣି ନାଗ, ସୌଦାମିନୀ ରାଉତ , ରୁନିବାଳା ପରିଡା, ଜଗନା ରାଓ କାମଲା ।  ସେମାନଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ  ସ୍ୱାଗତ କରିଛନ୍ତି ସାଂସଦ ମାନସ ମଙ୍ଗରାଜ ।

ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣୀତ ହୋଇ ବିଜେଡିରେ ସାମିଲ ହେବାକୁ ସେମାନେ ଆବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ କାହାକୁ ଅଣଦେଖା କରନ୍ତି ନାହିଁ । ସେ କାମରେ ବିଶ୍ୱାସ କରନ୍ତି । କର୍ମୀମାନେ ଲଢୁଆ ସୈନିକ ଭାବେ କାମ କରିବେ । ସମସ୍ତେ ଦଳରେ ଉଚିତ ପ୍ରାପ୍ୟ ପାଇବେ ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ ।

ଜଗତସିଂହପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅରୁଣ ସାହୁ କହିଥିଲେ – ଆଜି ବିଜେଡି ସାରା ଓଡ଼ିଶାର ଆଶା ଓ ବିଶ୍ୱାସର ଦଳ ପାଲଟିଛି । ସାଢେ ଚାରି କୋଟି ଲୋକଙ୍କ ହୃଦୟର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁମାନେ ମିଶିଲେ ସେମାନେ ଦଳକୁ ସୁଦୃଢ କରିବାକୁ ସମସ୍ତେ କାମ କରିବେ । ବିଜେଡି ଶୃଙ୍ଖଳିତ ଓ ସଂଗଠିତ ଦଳ । ଏହି ମିଶ୍ରଣ ଯୋଗୁଁ ଜଗତସିଂହପୁର ଜିଲ୍ଲାରେ ସଂଗଠନ ଆହୁରି ସୁଦୃଢ ହେବ ।

ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ସେମାନେ ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଓ ସଂଗଠନ ସମ୍ପାଦକଙ୍କ ଅନୁମୋଦନରେ ମିଶ୍ରଣ ହୋଇଛି ।

ସେହିପରି ବିଜେଡିରେ ସାମିଲ ହେବା ଅବସରରେ ମୋନିଦୀପା କହିଛନ୍ତି,  ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ଆଦର୍ଶ ମୁଖ୍ୟମନ୍ତ୍ରୀ । ତାଙ୍କ କାର୍ଯ୍ୟଧାରା ଓ ନିର୍ମଳ ଭାବମୂର୍ତ୍ତିରେ ଅନୁପ୍ରାଣୀତ ହୋଇ ବିଜେଡିରେ ମିଶିଛି । ଏଥିପାଇଁ ସାଂସଦ ମାନସ ମଙ୍ଗରାଜ. 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଯୁବକଙ୍କୁ ଅପହରଣ ବେଳେ ଧରାପଡିଗଲେ ଦୁଇ ଦୁର୍ବୃତ୍ତ, ଖାଇଲେ ନିସ୍ତୁକ ମାଡ଼

ଜୟପୁର: କୋରାପୁଟ ଜିଲ୍ଲା ବନ୍ଧୁଗାଁ ସୁନାପାଲମୁଣ୍ଡା ଗାଁରୁ ଜଣେ ଯୁବକଙ୍କୁ ଅପହରଣ ଉଦ୍ୟମ । କୌଶଳ କ୍ରମେ ଖସି ପଳାଇ ଆସିଲେ ଯୁବକ । ସ୍ଥାନୀୟ ଲୋକଙ୍କ ହାତରେ ଧରାପଡିବା ପରେ ଦୁଇ ଅଭିଯୁକ୍ତଙ୍କୁ ପ୍ରବଳ ମାଡ଼ । ଥାନାକୁ ନେଇ ପଚରାଉଚରା କରୁଛି ପୋଲିସ ।

ଅଭିଯୋଗ ଅନୁସାରେ ସୁନାପାଲମୁଣ୍ଡା ଗାଁରୁ ମିନେଶ ନାମକ ଜଣେ ଯୁବକଙ୍କୁ ଅପହରଣ ଉଦ୍ୟମ ହୋଇଥିଲା । ତେବେ ମିନେଶ କୌଣସି ପ୍ରକାରେ ସେମାନଙ୍କ ପାଖରୁ ଖସି ଆସି ଗାଁ ଲୋକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ଘଟଣା ଜାଣିବା ପରେ ସ୍ଥାନୀୟ ଲୋକେ ତତ୍ପରତା ପ୍ରକାଶ କରିବା ସହ ଏଡୁଗୁମ ବାଲସା ନିକଟରୁ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ଏହାପରେ ଆରମ୍ଭ ହୋଇ ଯାଇଥିଲା ଦୁଇ ଅଭିଯୁକ୍ତଙ୍କ ଉପରେ ନିସ୍ତୁକ ମାଡ଼ । ଉଭୟଙ୍କୁ ବାନ୍ଧି ପାକଇ ପ୍ରବଳ ମାଡ ମରାଯାଇଛି । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିବା ସହ ଥାନାକୁ ନେଇ ପଚରାଉଚରା କରୁଛି । ଉଭୟଙ୍କ ଘର ସୀମାନ୍ତ ଆନ୍ଧ୍ର ପାର୍ବତୀପୁରାମର ବୋଲି ଜଣାପଡ଼ିଛି I

ଇଡି ପରିଚୟ ଦେଇ ଠକିଥିବା ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ନିଜକୁ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ କହି ଶହ ଶହ ଲୋକଙ୍କ ଠାରୁ ଠକିଥିବା ଦୁଇ ଅଭିଯୁକ୍ତ ଗିରଫ । କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ କଲା ଗିରଫ । ୨ ଅଭିଯୁକ୍ତ ହେଲେ ଢେଙ୍କାନାଳ ଦୋଳମଣ୍ଡପସାହିର ତାରିଣୀସେନ ମହାପାତ୍ର ଓ ବ୍ରହ୍ମଶଙ୍କର ମହାପାତ୍ର ।

ଅଭିଯୋଗ ମୁତାବକ, ଉଭୟ ଦୁଇ ଭାଇ । ଏମାନେ ନିଜକୁ ଇଡି ଅଫିସର କହି ୩ ଶହ ସରକାରୀ ଅଧିକାରୀଙ୍କ ଠାରୁ ଠକେଇ କରିଛନ୍ତି । ଛତ୍ରପୁର ଉପଜିଲ୍ଲାପାଳ ତଥା SDM ଦେବଦତ୍ତ ମହନ୍ତଙ୍କ ଅଭିଯୋଗକ୍ରମେ ତଦନ୍ତ କରିଥିଲା STF । ତାରିଣୀସେନ ଜଣେ ବିକମ ଗ୍ରାଜୁଏଟ ଓ ବ୍ରହ୍ମଶଙ୍କର ବିସିଏ ପାସ କରିଛନ୍ତି । ରୟାଲ ଲାଇଫ ବଞ୍ଚିବା ପାଇଁ ସେମାନେ ଏଭଳି ଠକେଇ କରିଥିଲେ । ଝାଡ଼ଖଣ୍ଡ ରାଞ୍ଚିରେ ଭଡା ଘରେ ରହୁଥିଲେ । ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ NGO ମଧ୍ୟ ଚଳାଉଥିଲେ । ଇଡି ରେଡ୍ ସମ୍ପର୍କିତ ସୂଚନା ପାଇବା ପରେ ସେ ନିଜକୁ ଇଡି ଅଫିସର କହୁଥିଲେ । କୌଣସି ମାମଲାର ବୁଝାମଣା ପାଇଁ ଟଙ୍କା ଦେବାକୁ ଧମକାଉଥିଲେ । ତାଙ୍କ ଫୋନ ପେ ଯୋଗେ ୧୬ ଲକ୍ଷରୁ ଅଧିକ ଟଙ୍କା ଟ୍ରାଞ୍ଜାକସନ ହୋଇଥିବା ଜାଣିବାକୁ ପାଇଛି ପୋଲିସ । ଟଙ୍କା ନେବା ପରେ ମିଛ କ୍ଲିଅରାନ୍ସ ରିପୋର୍ଟ ମଧ୍ୟ ଦେଉଥିଲେ । ସେମାନଙ୍କ ଠାରୁ ଡେସ୍କଟପ, ମୋବାଇଲ, ବ୍ୟାଙ୍କ ପାସବୁକ, ମିଛ ପରିଚୟ ପତ୍ର, ୧୭ଟି ଏଟିଏମ କାର୍ଡ ଜବତ କରାଯାଇଛି । କେସ ନମ୍ବର ଦଫା ୧୫, ୪୧୯, ୪୨୦, ୩୮୪, ୩୮୮, ୫୦୬ ଓ ୧୨୦-ବି ରେ ଦୁଇ ଠକ ଭାଇଙ୍କୁ କୋର୍ଟଚାଲାଣ କରିଛି STF ।

ସରିଲା କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା

ମୁମ୍ବାଇ: କଂଗ୍ରେସ ଚଲାଇଥିବା ଭାରତ ଯୋଡ଼ ନ୍ୟାୟ ଯାତ୍ରାର ହୋଇଛି ଶେଷ । ମୁମ୍ବାଇରେ ହୋଇଥିବା ଶେଷ ନ୍ୟାୟ ଯାତ୍ରା ଅବସରରେ ଆୟୋଜିତ ସାଧାରଣ ସଭାରେ ସାମିଲ ହେଲେ ବହୁ ସହଯୋଗୀ ଦଳ ।

ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଦେଶରେ ହିଂସା, ଦ୍ବେଷର ସ୍ଥାନ ନାହିଁ । ଭାରତ ଭ୍ରାତୃତ୍ବ ବୋଧର ଦେଶ ।  ୨ ମାସ ପୂର୍ବରୁ ମଣିପୁରରୁ ଆରମ୍ଭ ହୋଇଥିବା ଯାତ୍ରା ପ୍ରାୟ ୬ ହଜାର ୭୦୦ କିଲୋମିଟର ଅତିକ୍ରମ କରିବା ପରେ ଆଜି ଶେଷ ହୋଇଛି ।

ମୁମ୍ବାଇ ଶିବାଜୀ ପାର୍କରେ ଆୟୋଜିତ ସମାବେଶରେ ବିଭିନ୍ନ ଦଳର ନେତାମାନେ ଯୋଗଦେଇଛନ୍ତି । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଏହି ସମାବେଶରେ ସାମିଲ ହୋଇଛନ୍ତି । ଗତ ଜାନୁଆରୀ ୧୪ରେ ଇମ୍ଫାଲରୁ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ ହୋଇଥିଲା । ଆସାମ, ପଶ୍ଚିମବଙ୍ଗ, ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ମହାରାଷ୍ଟ୍ର, ଓଡ଼ିଶା ସମେତ ୧୫ ରାଜ୍ୟର ୧୧୦ ଜିଲ୍ଲା ତଥା ୧୦୦ରୁ ଅଧିକ ଲୋକସଭା ଆସନ ଓ ୩୩୭ ବିଧାନସଭା କ୍ଷେତ୍ର ଅତିକ୍ରମ କରିଥିଲା ।

ପ୍ରାର୍ଥୀଙ୍କ ସବୁ ଅପରାଧ ରେକର୍ଡ ଜାଣିପାରିବେ ଭୋଟର

ଭୁବନେଶ୍ବର: ଗତକାଲି ଲୋକସଭା ଓ ୪ ରାଜ୍ୟ ପାଇଁ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଦେଶରେ ୭ଟି ପର୍ଯ୍ୟାୟରେ ହେବ ମତଦାନ । ଚଳିତ ନିର୍ବାଚନରୁ ଭୋଟର ପ୍ରାର୍ଥୀଙ୍କ ସବୁ ଅପରାଧିକ ରେକର୍ଡ ସମ୍ପର୍କରେ ପାରିବେ ଜାଣି । ଭୋଟରଙ୍କୁ ଅଧିକ ଶକ୍ତିଶାଳୀ କରିବା ଲାଗି ନିର୍ବାଚନ କମିଶନ ପକ୍ଷରୁ ଆରମ୍ଭ କରାଯାଇଛି ନୋ ୟୁଓର କ୍ଯାଣ୍ଡିଡେଟ ଆପ୍ ।

ଏହି ଡିଜିଟାଲ ଆପ୍ଲିକେସନରେ ଭୋଟରମାନେ ପ୍ରାର୍ଥୀଙ୍କ ସମ୍ପର୍କରେ ସବୁକିଛି ଜାଣିପାରିବେ । ପ୍ରାର୍ଥୀଙ୍କ ଅପରାଧିକ କାର୍ଯ୍ୟକଳାପ, ମାମଲା, ସମ୍ପତ୍ତି ଆଦି ସମ୍ପର୍କରେ ଏହି ଆପରୁ ସବିଶେଷ ତଥ୍ଯ ଜାଣିପାରିବେ ଭୋଟର । ଏନେଇ ସୂଚନା ଦେଇଛନ୍ତି ମୁଖ୍ଯ ନିର୍ବାଚନ କମିଶନର ରାଜୀବ କୁମାର। ନିଜର ଗଣତାନ୍ତ୍ରିକ ଅଧିକାର ହାସଲ କରିବା ଲାଗି ଭୋଟରମାନେ ପ୍ରାର୍ଥୀଙ୍କ ସମ୍ପର୍କରେ ଜାଣିବାର ଆବଶ୍ଯକତା ରହିଛି ବୋଲି ସେ କହିଛନ୍ତି । ଗୁଗୁଲ ଆପ୍ ଷ୍ଟୋରରୁ ନୋ ୟୁଓର କ୍ଯାଣ୍ଡିଡେଟ ବା କେୱାଇସି ଡାଉନଲୋଡ କରାଯାଇପାରିବ । ଦେଶରେ ପ୍ରାୟ ୯୭ କୋଟି ଭୋଟର ଚଳିତ ନିର୍ବାଚନରେ ମତାଧିକାର ସାବ୍ୟସ୍ତ କରିବେ ।