ଭୁବନେଶ୍ବର: ଝାରସୁଗୁଡ଼ା ଜିଲ୍ଲା ଲଖନପୁରରେ ପ୍ରତିଷ୍ଠା ହେବ ITI । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଯନାୟକ ଏହାକୁ ଅନୁମୋଦନ କରିଛନ୍ତି । ଏଥିପାଇଁ ୨୪ କୋଟି ୪୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବାବେଳେ ଏହି ଅର୍ଥ ଜିଲ୍ଲା ଖଣିଜ ପାଣ୍ଠିରୁ ବିନିଯୋଗ କରାଯିବ । ଝାରସୁଗୁଡା ଜିଲ୍ଲା ଏକ ଖଣିବହୁଳ ଅଞ୍ଚଳ । ଏଠାରେ ଖଣି ଉତ୍ତୋଳନ ଓ ଅନ୍ୟାନ୍ୟ ଆନୁସାଙ୍ଗିକ କାମ ପାଇଁ ଦକ୍ଷ ମାନବସମ୍ବଳର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଠାରେ ITI ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନୂତନ ITIରେ ୯ଟି ବିଷୟରେ ପ୍ରଶିକ୍ଷଣ ଦିଆଯିବ । ମଞ୍ଜୁର ହୋଇଥିବା ଅର୍ଥରେ Acadiic ଓ Workshop Building ନିର୍ମାଣ କରାଯିବା ସହିତ ବିଭିନ୍ନ ଉପକରଣ ଓ ଯନ୍ତ୍ରପାତି କିଣାଯିବ।
ଏଣିକି CBSE ଘୋଷଣା କରିବନି ମାର୍କ ଓ ଡିଭିଜନ
ଭୁବନେଶ୍ବର: ଏଣିକି ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷାର୍ଥୀ ରଖିଥିବା ମାର୍କ କିମ୍ବା ଡିଭିଜନ ଘୋଷଣା କରିବ ନାହିଁ । ଏପରିକି ଦଶମ ଓ ଦ୍ବାଦଶ ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ଗ୍ରେଡ, ଡିଭିଜନ କି ଡିସ୍ଟିକସନ ଦିଆଯିବ ନାହିଁ । ଏଭଳି ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ଠାରୁ ଆସିଥିବା ଆପତ୍ତି ଅଭିଯୋଗ ଶୁଣିବା ପରେ, ପରୀକ୍ଷା ବାଇ-ଲ ଚାପଟର-୭ର ସବସେକ୍ସନ ୪୦.୧ ଅନୁଯାୟୀ ଗ୍ରହଣ କରାଯାଇଛି ବୋଲି କହିଛନ୍ତି ସିବିଏସଇ ପରୀକ୍ଷା ନିୟନ୍ତ୍ରକ ଡାକ୍ତର ସନ୍ୟାମ ଭରଦ୍ବାଜ । ଏଭଳି ନିଷ୍ପତି ଛାତ୍ରଛାତ୍ରୀଙ୍କ ପରୀକ୍ଷା ବୋଝକୁ ହାଲୁକା କରିବାରେ ସହାୟକ ହେବ । ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସିବିଏସଇ ପକ୍ଷରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ଡିଭିଜନ, ଏଗ୍ରୀଗେଟ କିମ୍ବା ଡିସ୍ଟିଙ୍କ୍ସନ ଦିଆଯାଉନଥିଲା । କେବଳ ଗ୍ରେଡ୍ ଦିଆଯାଉଥିଲା । ଯାହାକୁ ନେଇ ଛାତ୍ରଛାତ୍ରୀ ମାନେ ଉଚ୍ଚଶିକ୍ଷା ଗ୍ରହଣ କରିପାରୁଥିଲେ । ସିବିଏଇର ଏହି ନିଷ୍ପତ୍ତି ଛାତ୍ରଛାତ୍ରୀ କେବଳ ପରୀକ୍ଷା ପାଇଁ ପାଠ ନପଢି ଜ୍ଞାନ ଆହରଣ କରିବା ଉଦ୍ଦେଶ୍ୟରେ ପାଠ ପଢିପାରିବେ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି
ପଡୋଶୀ ସହ ଫେରାର ହେଲେ ୫୦ ବର୍ଷୀୟା ମହିଳା, ସ୍ବାମୀ କହିଲେ..
ଉତ୍ତରପ୍ରଦେଶ: ପ୍ରେମ ଏମିତି ବି ହୁଏ । ୫୦ ବର୍ଷର ମହିଳାଙ୍କୁ ନେଇ ଫେରାର ହେଲା ପଡ଼ୋଶୀ । ସ୍ବାମୀ ଝିଅର ଶାଶୁଘରକୁ ଯାଇଥିବାବେଳେ ସ୍ତ୍ରୀ ଫେରାର ହୋଇଯାଇଛନ୍ତି । ୟୁପିରୁ ଆସିଛି ଏଭଳି ଖବର । ସ୍ବାମୀ ଏନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଗାଁର ଦୁଇଜଣ ଯୁବକ ତାଙ୍କ ସ୍ତ୍ରୀଙ୍କୁ ନେଇ ପଳାଇଥିବା ସେ ଅଭିଯୋଗ କରିଛନ୍ତି । ଏହାସହ ସେ କହିଛନ୍ତି କି, ମୁଁ ମୋ ସ୍ତ୍ରୀକୁ ବହୁତ ଭଲପାଏ । ତାଛଡ଼ା ରହିପାରିବିନି । ତାକୁ ଶୀଘ୍ର ଖୋଜିଆଣ । ଗାଁର ଦୁଇଜଣ ଯୁବକ ତାଙ୍କୁ ନେଇ ଯାଇଥିବା କହିଛନ୍ତି । ପୋଲିସ ସିସିଟିଭି ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ମହିଳାଙ୍କୁ ଖୋଜାଖୋଜି ଆରମ୍ଭ କରିଛି । ସେପଟେ ସ୍ବାମୀ ଅଭିଯୋଗ କରିଛନ୍ତି କି, ମୋ ସ୍ତ୍ରୀଙ୍କୁ ଗାଁର ଦୁଇଜଣ ଯୁବକ ନେଇଯାଇଛନ୍ତି । ଏହାସହ ପଡ଼େଶୀ ଅଭିଯୋଗ ଆଣିଛନ୍ତି କି, ମହିଳା ଜଣକ ଫେରାର ହୋଇଯାଇଛନ୍ତି ।
ଦକ୍ଷିଣଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ କମାଲ କରିବେ ଏହି ୩ ନୂଆ ଖେଳାଳି
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଟିମ ଇଣ୍ଡିଆ । ଟି-୨୦ ମ୍ୟାଚରେ ବିରାଟ ଏବଂ ରୋହିତ ଶର୍ମା ଖେଳିବେ ନାହିଁ । ଯୁବ ଖେଳାଳିଙ୍କୁ ନେଇ ଦଳ ମଇଦାନକୁ ଓହ୍ଲାଉଥିବାବେଳେ ଦଳର ବିଦେଶୀ ମାଟିରେ ପ୍ରଦର୍ଶନ କିଭଳି ରହିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସେପଟେ ଦିନିକିଆରେ ତିନି ଜଣ ନୂଆ ଖେଳାଳି ଡେବ୍ୟୁ କରିବା ପାଇଁ ଯାଉଛନ୍ତି । ରିଙ୍କୁ ସିଂ, ସାଇ ସୁଦର୍ଶନ ଏବଂ ରଜତ ପଟିଦାର ଦଳରେ ସ୍ଥାନ ପାଇଛନ୍ତି । ଦୀର୍ଘଦିନ ପରେ ପୁଣିଥରେ ଦଳରେ ସାମିଲ ହୋଇଛନ୍ତି ସଞ୍ଜୁ ସାମସନ। ସାଇ ସୁଦର୍ଶନ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ ହୋଇଥିବାବେଳେ ଘରୋଇ ମାଟିରେ ତାଙ୍କ ଭଲ ରେକର୍ଡ ରହିଛି । ଏପରକି ବୋଲିଂ ମଧ୍ୟ କରିବାର ଦକ୍ଷତା ରହିଛି ।
ରିଙ୍କୁ ସିଂଙ୍କ କଥା ଯଦି କହିବା ତାହେଲେ ସେ ଆଇପିଏଲ ,ବଂ ଟି-୨୦ କ୍ରିକେଟରେ ଅନେକ ରେକର୍ଡ କରିଛନ୍ତି । ସୀମିତ ଓଭର ମ୍ୟାଚରେ ସେ ବଡ଼ ପାଳି ଖେଳିବା ସହ ଭଲ ଫିଲ୍ଡିଂ କରନ୍ତି । ଜଣେ ଭଲ ମ୍ୟାଚ ଫିନିସରଭାବେ ତାଙ୍କର ରେକର୍ଡ ରହିଛି । ୮ଟି ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିଥିବାବେବଳେ ରିଙ୍କୁଙ୍କ ଷ୍ଟ୍ରାଇକ ରେଟ୍ ୨୦୦ ରହିଛି । ବଲକୁ ସାମନା କରିବାବେଳେ ସବୁବେଳେ ଆକ୍ରମଣାତ୍କକ ଢ଼ଙ୍ଗରେ ଖେଳିଥାନ୍ତି । ସେପଟେ ରଜତ ପଟିଦାରଙ୍କ କଥା ଯଦି କହିବା ତାହେଲେ ସେ ମଧ୍ୟ ଜଣେ ଭଲ ଖେଳାଳି । ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଛନ୍ତି । ଲିଷ୍ଟ ଏ ରେ ତାଙ୍କ ରେକର୍ଡ ଭଲ ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଦଳରେ ସାମିଲ ହୋଇଥିବାବେଳେ ତାଙ୍କ ପ୍ରଦର୍ଶନ କିଭଳି ରହିବ ତାଉପରେ ରହିଛି ନଜର ।
ରୂପାନ୍ତରିତ ହେବ ରାଜଧାନୀର ସବୁ ଶ୍ମଶାନ
ଭୁବନେଶ୍ୱର: ଭୁବନେଶ୍ୱରରେ ବଦଳିବ ଶ୍ମଶାନର ରୂପରେଖ। ରୂପାନ୍ତରିତ ହେବ ରାଜଧାନୀର ସବୁ ଶ୍ମଶାନ। ସତ୍ୟନଗର ଶ୍ମଶାନର ହେବ ନବକଳେବର। ଇଲେକ୍ଟ୍ରିକ ଚୁଲା ଉଠାଯିବା ସହ ପାରମ୍ପରିକ ଓ ଗ୍ୟାସ ଚୁଲାରେ ଶବଦାହ ପାଇଁ ବ୍ୟବସ୍ଥା କରିବ ବିଏମସି। ଏଥିପାଇଁ ସତ୍ୟନଗର ଶ୍ମଶାନରେ ଭିତ୍ତିସ୍ଥାପନ କରିଛନ୍ତି ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ମେୟର ସୁଲୋଚନା ଦାସ।
୨ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ଶ୍ମଶାନର ପୁନରୁଦ୍ଧାର କରିବାକୁ ବିଏମସି ଯୋଜନା ରଖିଛି। ଶ୍ମଶାନକୁ ଆସୁଥିବା ଲୋକ ଯେପରି ସମସ୍ତ ସୁବିଧା ପାଇପାରିବେ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି। ଏହାସହ କବର ସ୍ଥାନର ମଧ୍ୟ ନବୀକରଣ କରାଯିବ। ଶ୍ମଶାନ ଭିତରେ ଅଧିକ ଗଛ ଲଗାଇବା, ପୋଖରୀ ଓ ସୌନ୍ଦର୍ଯ୍ୟକରଣ ପାଇଁ ସବୁ ବ୍ୟବସ୍ଥା ଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛି ବିଏମସି।
ବାଣପୁର ଭଗବତୀଙ୍କ ମନ୍ଦିରର ନବକଳେବର ଆରମ୍ଭ, ଶୁଭାରମ୍ଭ କଲେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ
ଖୋର୍ଦ୍ଧା: ବାଣପୁରର ଆରାଧ୍ୟ୍ୟ ଦେବୀ ମାଆ ଭଗବତୀଙ୍କ ମନ୍ଦିରର ନବକଳେବର କାମ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ ନଡ଼ିଆ ବାଡ଼େଇ ଶୁଭାରମ୍ଭ କରିଛନ୍ତି। ତାଙ୍କ ସହ ବିଜେଡି ପର୍ଯ୍ୟବେକ୍ଷକ ସୌମ୍ୟ ଶଙ୍କର ଚକ୍ର ଓ ବାଣପୁର ନଗରପାଳ ମିଟୁ ନାୟକ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ଫାଇଭ- ଟି ଯୋଜନାରେ ଝଲସିବ ମାଆ ଭଗବତୀଙ୍କ ମନ୍ଦିର। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ୩୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଅର୍ଥରେ ମାଆ ଭଗବତୀଙ୍କ ମନ୍ଦିରର ନବକଳେବର କରାଯିବ । ରାଜ୍ୟ ସରକାରଙ୍କ ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକ୍ସନ ବିଭାଗ ଆଜିଠାରୁ କାମ ଆରମ୍ଭ କରିଛି । ମାଆ ଭଗବତୀଙ୍କ ମନ୍ଦିରର ଗର୍ଭ ଗୃହ, ନାଟମଣ୍ଡପ, ଓ ଜଗ ମୋହନର ନବୀକରଣ କରାଯିବ ।
ସେହିପରି ପୋଳକାଶୁଣି ମନ୍ଦିର, ଜଗନ୍ନାଥ ମନ୍ଦିର, ଶ୍ରୀରାମ ମନ୍ଦିର, ବିରଜା ମନ୍ଦିର, ମାଆ ଭୈରବୀ ମନ୍ଦିର, ଦୋଳବେଦିର ଓ ସିଂହଦ୍ୱାରର ନବକଳେବର କରାଯିବ । କାମର ଶୁଭାରମ୍ଭ କରିବା ସହିତ ଧାର୍ଯ୍ୟ ସମୟରେ ସମ୍ପୂର୍ଣ୍ଣ କରିବା ପାଇଁ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ପରାମର୍ଶ ଦେଇଛନ୍ତି । ପୀଠର ବିକାଶ ପାଇଁ ମାଷ୍ଟରପ୍ଲାନକୁ ଗତ ମାର୍ଚ୍ଚ ୨୦ତାରିଖରେ ଅନୁମୋଦନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପର୍ଯ୍ୟଟନ ସ୍ଥଳ ଓ ଐତିହ୍ୟ କିର୍ତ୍ତିରାଜୀର ସମନ୍ବିତ ବିକାଶ ଯୋଜନାରେ ପୀଠକୁ ସାମିଲ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା ଭଗବତୀ ପୀଠ ନବମ ଶତାବ୍ଦୀରେ ନିର୍ମିତ।
ଏହାର ରୂପାନ୍ତରଣ ପାଇଁ 5T ଉପକ୍ରମରେ ମାଷ୍ଟରପ୍ଲାନ ଅନୁସାରେ ସିଂହଦ୍ବାରଠୁ ଆରମ୍ଭ କରି ପରିକ୍ରମା, ଘାଟ, ଯାତ୍ରା ପଡିଆର ବିକାଶ ସହ ସହ ମନ୍ଦିରର ବିକାଶ ପାଇଁ ସ୍ବତନ୍ତ୍ର ଫୋକସ କରାଯାଇଛି। ଏହାଛଡ଼ା ବହୁମୁଖୀ ହଲ, ରାସ୍ତା ଓ ନଦୀଘାଟ ଆଦିର ବିକାଶ କରାଯିବ। ୨୪ ମାସ ମଧ୍ୟରେ ଏହି କାର୍ଯ୍ୟ ସଂପାଦନ ପାଇଁ ଟାର୍ଗେଟ୍ ରଖାଯାଇଛି। ପୂର୍ବରୁ ଫାଇଭ୍-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ପୀଠକୁ ଗସ୍ତକରି ମନ୍ଦିରର ବିକାଶ ପାଇଁ ସେବାୟତ, ସ୍ଥାନୀୟ ଲୋକ ଓ ପ୍ରଶାସନ ସହିତ ଆଲୋଚନା କରିଥିଲେ।
ପାରାଦୀପ ବନ୍ଦରରୁ ଜବତ ହେଲା ୨ଶହ କୋଟି ଟଙ୍କାର କୋକେନ
ପାରାଦୀପ: ପାରାଦୀପ ବନ୍ଦରରୁ ଜବତ ହେଲା ୨ଶହ କୋଟି ଟଙ୍କାର କୋକେନ। ଏମଭି-ଦେବୀ ପାନାମା ନାମକ ଜାହାଜରୁ ୨୨ଟି କୋକେନ ପ୍ୟାକେଟ୍ ଜବତ କରିଛି କଷ୍ଟମସ ବିଭାଗ। ଇଜିପ୍ଟରୁ ଇଣ୍ଡୋନେସିଆର ଗ୍ରେସିକ ବନ୍ଦର ଓ ପରେ ଏହି ଜାହାଜଟି ଗତ ୨୨ ତାରିଖରେ ପାରାଦୀପ ଆସିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ପାରାଦୀପରୁ ଷ୍ଟିଲ ପ୍ଲେଟ ନେଇ ଏହି ଜାହାଜ ଡେନମାର୍କ ଯାଇଥାନ୍ତା।
ତେବେ ଷ୍ଟିଲ ପ୍ଲେଟ ଲୋଡ଼ କରୁଥିବା ବେଳେ କ୍ରେନ ଅପରେଟର ଜାହାଜରେ କିଛି ପ୍ଲାଷ୍ଟିକ ପ୍ୟାକେଟ ସନ୍ଦିଗ୍ଧ ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କଷ୍ଟମସ ବିଭାଗର ଅଧିକାରୀ ଏହି ପ୍ୟାକେଟକୁ ଯାଞ୍ଚ କଲା ବେଳେ ସେଥିରେ ଧଳା ପାଉଡ଼ର ଭଳି ପଦାର୍ଥ ଥିବା ଜଣା ପଡ଼ିଥିଲା । ପ୍ରଥମେ ୮ଟି ପ୍ୟାକେଟ ମିଳିଥିବା ବେଳେ ପରେ ୧୪ଟି ପ୍ୟାକେଟ ପାଇଥିଲେ ଯାଞ୍ଚ କରୁଥିବା ଅଧିକାରୀ । ସନ୍ଦେହରେ ଭୁବନେଶ୍ବରରୁ ଡ୍ରଗ ଡିଟେକ୍ସନ ଟିମକୁ ଯୋଗାଯୋଗ କରିବା ପରେ ଏହା ମାରାତ୍ମକ ନିଶାଦ୍ରବ୍ୟ କୋକେନ ବୋଲି ଜଣାପଡିଛି। ଜାହାଜକୁ ଜବତ କରି ତଦନ୍ତ କରୁଛନ୍ତି ବିଭିନ୍ନ ଯାଞ୍ଚ ଏଜେନ୍ସି ।
ଜାହାଜର ମାଲିକ ଭିଏତନାମର ହୋଇଥିବା ବେଳେ ଜାହାଜରେ ଥିବା ୨୧ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି। ଏତେ ପରିମାଣର ନିଷିଦ୍ଧ ନିଶାଦ୍ରବ୍ୟ କେଉଁଠାରୁ ଆସିଥିଲା ଓ କୁଆାଡ଼େ ଯାଇଥାନ୍ତା ତାକୁ ନେଇ ଖୋଳତାଡ଼ କରାଯାଉଛି। ଓଡ଼ିଶାରୁ ଏତେ ଟଙ୍କାର କୋକେନ ଜବତ ହେବା ପ୍ରଥମ ଘଟଣା ବୋଲି କୁହାଯାଉଛି।
୮ଟି ସନ୍ତାନର ମାଆ ହେବା ଲାଗି ମହିଳାଙ୍କୁ ଆହ୍ବାନ, ଋଷ ରାଷ୍ଟ୍ରପତିଙ୍କ ଅଜବ ନିୟମ
ମସ୍କୋ: ଋଷ-ୟୁକ୍ରେନ ଯୁଦ୍ଧ ପରେ କମିଲେଣି କି ଋଷ ଜନସଂଖ୍ୟା? ସାରା ବିଶ୍ବରେ ଜନସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ହୋଇଥିବାବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଇଛନ୍ତି ବିଚିତ୍ର ଆହ୍ବାନ। ଏପରିକି ୮ଟି ସନ୍ତାନର ମାଆ ହେବା ଲାଗି ମହିଳାମାନଙ୍କୁ ଆହ୍ବାନ ଦେଇଛନ୍ତି ପୁଟିନ। ବଡ ପରିବାର ସୃଷ୍ଟି ଲକ୍ଷ୍ୟରେ ଏହି ଆହ୍ବାନ ଦିଆଯାଇଛି। ବିଶ୍ବ ଋଷୀୟ ଜନଗଣ ପରିଷଦ ବୈଠକରେ ଯୋଗଦେଇ ପୁଟିନ ଏହା କହିଛନ୍ତି ।
୧୯୯୦ ପରଠାରୁ କ୍ରମାଗତ ଭାବେ ଋଷର ଜନସଂଖ୍ୟା ହ୍ରାସ ପାଉଥିବାବେଳେ ଗତବର୍ଷ ଫେବ୍ରୁଆରୀରେ ଋଷ-ୟୁକ୍ରେନ ଯୁଦ୍ଧ ପରଠାରୁ ଦେଶର ପ୍ରାୟ ୩ ଲକ୍ଷ ଲୋକ ମୃତାହତ ହୋଇଛନ୍ତି । ଜନସଂଖ୍ୟା ବୃଦ୍ଧି ହେଲେ ଦେଶରେ ସ୍ବାଭାବିକ ସ୍ଥିତି ଫେରିପାରିବ ବୋଲି କହିଛନ୍ତି ପୁଟିନ। ସେ କହିଛନ୍ତି ଦେଶର ବହୁଭାଷାଭାଷୀ ପରିବାରରେ ୪, ୫ କିମ୍ବା ଅଧିକ ସନ୍ତାନ ଥିବା ଦେଖାଯାଏ। ଅତୀତରେ ପରିବାରରେ ୭, ୮ କିମ୍ବା ଅଧିକ ସନ୍ତାନ ରହୁଥିଲେ। ମାତ୍ର ବର୍ତ୍ତମାନ ସେହି ସଂଖ୍ୟା ହ୍ରାସ ପାଉଥିବାରୁ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଉଛି। ରାଷ୍ଟ୍ର ଓ ସମାଜର ଭିତ୍ତି ସୃଦୃଢ଼ କରିବା ଲାଗି ଏହା ଜରୁରୀ ବୋଲି ସେ କହିଛନ୍ତି।
ଯଦିଓ ଯୁଦ୍ଧ ପ୍ରସଙ୍ଗରେ ପୁଟିନ ପ୍ରତ୍ୟକ୍ଷ ଭାବେ ଉଲ୍ଲେଖ କରିନାହାନ୍ତି ତଥାପି ଯୁଦ୍ଧ ଲାଗି ଦେଶର ଜନସଂଖ୍ୟା ପ୍ରଭାବିତ ହୋଇଥିବା କୁହାଯାଇଛି । ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରାଳୟ ତଥ୍ୟ ଅନୁସାରେ ୟୁକ୍ରେନରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୩ ଲକ୍ଷ ପାର୍ ହୋଇଛି । ଗତ ଜାନୁଆରୀ ୧ ତାରିଖରେ ଋଷର ଜନସଂଖ୍ୟା ୧୪ କୋଟି ୬୪ ଲକ୍ଷ ଥିବାବେଳେ ଏହି ସଂଖ୍ୟା ୧୯୯୯ ତୁଳନାରେ କମ୍ ଥିବା ସୂଚନା ମିଳିଛି ।
ଜଳବାୟୁଜନିତ ବିପର୍ଯ୍ୟୟ ମୁକାବିଲା; ଗରିବ ରାଷ୍ଟ୍ରଙ୍କୁ ସହାୟତା କରିବା ଲାଗି ହେବ ପାଣ୍ଠି
ନୂଆଦିଲ୍ଲୀ: ଜଳବାୟୁଜନିତ ବିପର୍ଯ୍ୟୟର ମୁକାବିଲା ଲାଗି ଗରିବ ରାଷ୍ଟ୍ରଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଗଠନ ହେବ ପାଣ୍ଠି। ଜାତିସଂଘ ଜଳବାୟୁ ସମ୍ମିଳନୀରେ ଏନେଇ ହୋଇଛି ସହମତି। ଦୁବାଇରେ ଅନୁଷ୍ଠିତ ସିଓପି୨୮ ସମ୍ମିଳନୀରେ ପ୍ରାୟ ୨୦୦ ଦେଶର ପ୍ରତିନିଧି ଯୋଗଦେଇଥିବାବେଳେ ଗରିବ ରାଷ୍ଟ୍ରଙ୍କ ପ୍ରତି ସମ୍ମିଳନୀରେ ପୋଷଣ କରାଯାଇଛି ଅନୁକମ୍ପା ।
ଦୁବାଇ ଘୋଷଣାନାମା ଅନୁସାରେ କାର୍ଯ୍ୟ ଚାଲିବ ବୋଲି କହିଛନ୍ତି ସିଓପି୨୮ ସଭାପତି ସୁଲତାନ ଅହମ୍ମଦ ଅଲ ଜାବର। ଏହା ସହ ଜଳବାୟୁ ମୁକାବିଲା ଲାଗି ପାଣ୍ଠି ଗଠନ ସକାଶେ ବିଭିନ୍ନ ରାଷ୍ଟ୍ର ସହଯୋଗର ହାତ ବଢାଇଛନ୍ତି । ପାଣ୍ଠି ବାବଦରେ ସିଓପି ୨୮ର ଆୟୋଜକ ୟୁଏଇ ୧୦୦ ନିୟୁତ ଡଲାର ଦେବ । ସେହିପରି ବ୍ରିଟେନ ୫୧ ନିୟୁତ ଡଲାର, ଆମେରିକା ୧୭.୫ ନିୟୁତ ଡଲାର ଓ ଜାପାନ ୧୦ ନିୟୁତ ଡଲାର ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି।
ଏହା ସହ ୟୁରୋପୀୟ ୟୁନିଅନ ୨୪୫ ଦଶମିକ ୩୯ ନିୟୁତ ଡଲାର, ଜର୍ମାନୀ ୧୦୦ ନିୟୁତ ଡଲାର ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି । ଜଳବାୟୁଜନିତ ସମସ୍ୟାର ମୁକାବିଲା କରିବାରେ ଗରିବ ରାଷ୍ଟ୍ର ସର୍ବଦା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସହାୟତା ଲାଗି ଅଧିକାଂଶ ରାଷ୍ଟ୍ର ବିଭିନ୍ନ ଦେଶ ନିକଟରେ ହାତ ପତାଇବା ଦେଖାଯାଉଛି । ସିଓପି୨୮ ହେଉଛି ଜାତିସଂଘ ଜଳବାୟୁ ସମ୍ମିଳନୀର ୨୮ତମ ବୈଠକ। ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଦୁବାଇରେ ଅନୁଷ୍ଠିତ ଏହି ସମ୍ମିଳନୀ ୩୦ ନଭେମ୍ବରରୁ ଡିସେମ୍ବର ୧୨ ଯାଏ ଚାଲିବ।
ଓଡ଼ିଶା ଫେରିଲେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ୪ ଓଡ଼ିଆ ଶ୍ରମିକ
ଭୁବନେଶ୍ୱର: ଓଡ଼ିଶା ଫେରିଲେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକ। ଗତକାଲି ସମସ୍ତ ୫ ଓଡ଼ିଆ ଶ୍ରମିକ ଋଷିକେଶ ଏମ୍ସରୁ ଡିସଚାର୍ଜ ହେବା ପରେ ଦିଲ୍ଲୀ ଆସି ଓଡ଼ିଶା ଭବନରେ ରହିଥିଲେ। ଆଜି ୪ ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଆଣି ଭୁବନେଶ୍ବରରେ ପହଞ୍ଚିଛନ୍ତି ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ। ସେପଟେ ଅନ୍ୟଜଣେ ଓଡ଼ିଆ ଶ୍ରମିକ ପରେ ଆସିବା ନେଇ ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ସହ ଶ୍ରମ ବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ରହି ଶ୍ରମିକଙ୍କୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ। ଉତ୍ତରକାଶୀ ଟନେଲରୁ ଉଦ୍ଧାର ହେବା ପରେ ଚିକିତ୍ସାଧୀନ ଓଡ଼ିଆ ଶ୍ରମିକଙ୍କ ସହ କଥା ହୋଇଥିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଗତକାଲି ହସ୍ପିଟାଲରେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ଉପସ୍ଥିତିରେ ଶ୍ରମିକଙ୍କ ସହ ଭିଡିଓ କଲ କରି କଥା ହୋଇଥିଲେ ଫାଇଭ-ଟି ଅଧ୍ୟକ୍ଷ । ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପଚାରି ବୁଝିଥିଲେ।
ଓଡ଼ିଆ ଶ୍ରମିକଙ୍କୁ ରାଜ୍ୟ ସରକାର ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ କୃତଜ୍ଞତା ଜ୍ଞାପନ ସହ ଧନ୍ୟବାଦ ଜଣାଇଛନ୍ତି ଶ୍ରମିକ ଓ ସେମାନଙ୍କ ପରିବାର।

