spot_img
Home Blog Page 2205

ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ବିଜେଡିର ବଡ଼ ବିଜୟ ପାଇଁ ରଣନୀତି ପ୍ରସ୍ତୁତ

ଭୁବନେଶ୍ବର: ସରିଲା ବିଜେଡିର ସମ୍ବଲପୁର ସଂସଦୀୟ କ୍ଷେତ୍ର ସମୀକ୍ଷା । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ବୈଠକରେ ସମ୍ବଲପୁର ଲୋକସଭା କ୍ଷେତ୍ର ଓ ଏହା ଅଧୀନରେ ଆସୁଥିବା ସମସ୍ତ ୭ଟି ବିଧାନସଭା କ୍ଷେତ୍ରରେ ବିଜେଡିର ବଡ଼ ବିଜୟ ନେଇ ରଣନୀତି ପ୍ରସ୍ତୁତ କରାଯାଇଛି ।

ବୈଠକ ସମ୍ପର୍କରେ ସୂଚନା ଦେଇ ବିଧାୟକ ରୋହିତ ପୂଜାରୀ କହିଛନ୍ତି, ସମ୍ବଲପୁର ସଂସଦୀୟ କ୍ଷେତ୍ର ଓ ଏହା ପରିସରରେ ଆସୁଥିବା ୭ଟି ବିଧାନସଭା କ୍ଷେତ୍ରର ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା ହୋଇଛି । ସବୁ ଆସନରେ ଦଳ କିପରି ବଡ଼ ବିଜୟ ଲାଭ କରିବ, ସେନେଇ ରଣନୀତି ପ୍ରସ୍ତୁତ ହୋଇଛି । ସାଙ୍ଗଠନିକ କାର୍ଯ୍ଯକୁ ଅଧିକ ତ୍ୱରାନ୍ୱିତ କରିବାକୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ସରକାରୀ ଯୋଜନାର କାର୍ଯ୍ୟାନ୍ବୟନ ସହ ଦଳୀୟ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା ଓ ଲୋକଙ୍କ ନିକଟରେ ପହଞ୍ଚିବା ଉପରେ ଗୁରୁତ୍ୱାରୋପ କରାଯାଇଛି ।

ସମ୍ବଲପୁର ପରେ ସୁନ୍ଦରଗଡ଼ ଓ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଉପରେ ଆଲୋଚନା ହେଉଛି । ଦଳର ବରିଷ୍ଠ ନେତା, ପର୍ଯ୍ଯବେକ୍ଷକ ଓ ବିଧାୟକମାନେ ଉପସ୍ଥିତ ଅଛନ୍ତି ।

ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିଥିବା ପୂର୍ବତନ ଯବାନ ଗିରଫ

ବାଙ୍ଗୀ: ଶେଷରେ ପୋଲିସ ଜାଲରେ ପଡ଼ିଲେ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିଥିବା ଅବସରପ୍ରାପ୍ତ କର୍ମଚାରୀ । ଅଭିଯୁକ୍ତ ଯବାନ ଜଣଙ୍କ ହେଲେ କଟକ ଜିଲ୍ଲା ହରିରାଜପୁର ଗାଁର ଅବସରପ୍ରାପ୍ତ ଯବାନ ସରୋଜ ଦାସ ।

ମିଳିଥିବା ସୂଚନା ଅନୁସାରେ, ଖଣ୍ଡା ବୁଲାଇବା ସହ ହତ୍ୟା କରିପା ପରେ ସରୋଜ ଫେରାର ହୋଇଯାଇଥିଲେ । ସେବେଠାରୁ ପୋଲିସ ତାଙ୍କୁ ଖୋଜୁଥିଲା । ସରୋଜ ପଦନପୁର ଜଙ୍ଗଲ ଶବର ସାହିରେ ଲୁଚିଥିଲେ । କୌଣସି ସୂତ୍ରରୁ ଖବର ପାଇଁ ପୋଲିସ ଚଖାଉ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ।

ସୂଚନାଯୋଗ୍ୟ, ୬ ମାସ ତଳେ ବାଙ୍କୀରେ ଖଣ୍ଡା ଧରି ଆତଙ୍କ ଖେଳାଇବା ସହ ଜଣେ ପୋଲିସ ଏସଆଇଙ୍କୁ ହାଣି ଗୁରୁତର କରି ଫେରାର ହୋଇଯାଇଥିଲେ । ସେବେଠୁ ସରୋଜଙ୍କୁ ଧରିବାକୁ ଚେଷ୍ଟା କରୁଥିଲା ପୋଲିସ୍ । ବିଳମ୍ବିତ ରାତିରେ ତାଳବସ୍ତ ଫାଣ୍ଡି ଅନ୍ତର୍ଗତ ପଦନପୁର ବାଲି ତଇଲା ଶବର ସାହିରୁ ସରୋଜଙ୍କୁ ପୋଲିସ ଗିରଫ କରିଛି ।

କେଜ୍ରିଓ୍ବାଲଙ୍କ ଗିରଫଦାରୀକୁ ବିରୋଧ: ଦିଲ୍ଲୀର ସମସ୍ତ ବିଧାନସଭା କ୍ଷେତ୍ରରେ ପ୍ରତିବାଦ

ନୂଆଦିଲ୍ଲୀ; ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଗିରଫଦାରୀ ପ୍ରତିବାଦରେ ଆଜି ଦିଲ୍ଲୀର ସମସ୍ତ ବିଧାନସଭା କ୍ଷେତ୍ରରେ କରାଯାଉଛି ପ୍ରତିବାଦ । ବିଭିନ୍ନ ସ୍ଥାନରେ ଆପ୍ ନେତା ଓ କର୍ମୀ ବାହାର କରିବେ ମହମବତି ରାଲି । ବିଜେପିର ଏକଛତ୍ରବାଦୀ ଆଭିମୁଖ୍ୟକୁ ବିରୋଧ କରି ଆପ୍ କର୍ମୀଙ୍କ ଗର୍ଜନ । ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।

କେନ୍ଦ୍ରୀୟ ଦିଲ୍ଲୀରେ ଥିବା ବିଜେପି ମୁଖ୍ୟାଳୟ ଓ ଇଡି ଅଫିସକୁ ବନ୍ଦ କରିଦିଆଯାଇଛି । ବିଭିନ୍ନ ସ୍ଥାନରେ ଅର୍ଦ୍ଧ ସାମରିକ ବାହିନୀ ମୁତୟନ କରାଯାଇଛ । ଟ୍ରାଫିକ କଟକଣାକୁ ଅଧିକ ଶକ୍ତିଶାଳୀ କରାଯାଇଛି । ସେପଟେ ଜେଲରୁ ରହି ସରକାର ପରିଚାଳନା ଆରମ୍ଭ କରିଛନ୍ତି କେଜ୍ରିଓ୍ବାଲ । ଜଳ ମନ୍ତ୍ରାଳୟର ଏକ ନିର୍ଦ୍ଦେଶନାମାକୁ ସେ ଜାରି କରିଛନ୍ତି ।

ସରକାର ପରିଚାଳନା ଲାଗି ଜେଲରେ ମୁଖ୍ଯମନ୍ତ୍ରୀଙ୍କ ଲାଗି କାର୍ଯ୍ୟାଳୟ ଖୋଲିବାକୁ କୋର୍ଟଙ୍କ ଅନୁମତି ମଗାଯିବ ବୋଲି ସୂଚନା ଦେଇଛନ୍ତି ଆପ୍ ନେତା । ତେଣେ ଗିରଫଦାରୀ ବିରୋଧରେ କେଜ୍ରିଓ୍ବାଲ କରିଥିବା ଆବେଦନର ଶୁଣାଣି ଆସନ୍ତା ୨୭ ତାରିଖରେ କରିବେ ଦିଲ୍ଲୀ ହାଇକୋର୍ଟ ।

ମୁଖ୍ୟମନ୍ତ୍ରୀଙ୍କୁ ଦୈନିକ ଭେଟିବା ଲାଗି ପତ୍ନୀ ସୁନୀତା କେଜ୍ରିଓ୍ବାଲ ଓ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଅଧଘଣ୍ଟା ଅନୁମତି ଦେଇଛନ୍ତି ସ୍ବତନ୍ତ୍ର ପିଏମଏଲଏ କୋର୍ଟ । ଆଜି ଦଳର ସମସ୍ତ ବିଧାୟକ, କର୍ମକର୍ତ୍ତା ଦିଲ୍ଲୀ ସାହିଦ ପାର୍କରେ ଏକାଠି ହୋଇଛନ୍ତି । ସେଠାରେ ପୋଲିସ ପକ୍ଷରୁ ବ୍ୟାପକ ନିରାପତ୍ତା ବ୍ଯବସ୍ଥା କରାଯାଇଛି । ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଆପ୍ ପକ୍ଷରୁ ଘୋଷଣା କରାଯାଇଛି ।

ଶେଷ କିଷାନଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ଫିଲ୍ମ ‘ଶେଷ କିଷାନ ବଲାସିଙ୍ଘାରୁ ବର୍ଲିନ’

ଭୁବନେଶ୍ବର: ଶେଷ କିଷାନଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବ ଚଳଚ୍ଚିତ୍ର ‘ଶେଷ କିଷାନ ବଲାସିଙ୍ଘାରୁ ବର୍ଲିନ’ । ମେ’ ମାସରୁ ଆରମ୍ଭ ହେବ ଚଳଚ୍ଚିତ୍ରର ସୁଟିଂ । ଚଳଚ୍ଚିତ୍ରର ଟାଇଟଲ ଘୋଷଣା ସରିଛି ।

ଚଳଚ୍ଚିତ୍ର ରଶ୍ମି ଧଳ ପ୍ରଡକ୍ସନ୍ସ ଏବଂ ନିର୍ମଳ ଜୟସ୍ବାଲ ପ୍ରଡକ୍ସନ ବ୍ୟାନରରେ ନିର୍ମାଣ ହେବାକୁ ଯାଉଛି । ପ୍ରଯୋଜନା ଦାୟିତ୍ଵରେ ରହିଛନ୍ତି ରଜତ ଧଳ ଏବଂ ନିର୍ମଳ ଜୟସ୍ବାଲ । ନିର୍ଦ୍ଦେଶନା ଭାର କାନ୍ଧେଇଛନ୍ତି ଓଲିଉଡ଼ ଓ ବଲିଉଡର ପ୍ରତିଭାବାନ ନିର୍ଦ୍ଦେଶକ ସୁଶାନ୍ତ ମଣି l

ବୈଜ୍ଞାନିକ ଶେଷ କିଷାନ ଚରିତ୍ରରେ ନଜର ଆସିବେ ଅଭିନେତା ସ୍ୱରାଜ ବାରିକ l ଅଭିନେତ୍ରୀ କୁକିଜ୍ ସ୍ୱାଇଁ ମୁଖ୍ଯ ଭୂମିକାରେ ମଧ୍ଯ ନଜର ଆସିବେ ।

ପୁଅ ଟାଙ୍ଗିଆ ଚୋଟରେ ବାପାମାଆ ମୃତ

ଚମ୍ପୁଆ: କେନ୍ଦୁଝର ଚମ୍ପୁଆ ବ୍ଲକ ବସିରା ଗାଁରେ ଅଘଟଣ । ବାପା ମାଆଙ୍କୁ ହାଣିଲା ପୁଅ । ପୁଅର ଟାଙ୍ଗିଆ ଚୋଟରେ ଉଭୟ ବାପା, ମାଆଙ୍କ ମୃତ୍ୟୁ । ହତ୍ୟାକାରୀ ପୁଅ ଧ୍ୟାନ ମୁଣ୍ଡାକୁ ଗିରଫ କରିଛି ପୋଲିସ ।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮ଟା ଧ୍ୟାନଙ୍କ ବାପା ଗୋରା ମୁଣ୍ଡା ଘର ଆଗରେ କାଠ କାଟୁଥିବା ବେଳେ ଏହାକୁ ନେଇ ବାପପୁଅଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଧ୍ୟାନ ଉକ୍ତ କାଠ କଟା ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ଗୋରାଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ଧ୍ୟାନ ମାଆଙ୍କୁ ବି ଆକ୍ରମଣ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପରବର୍ତ୍ତି ସମୟରେ କେନ୍ଦୁଝରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଖବର ପାଇ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସିଦ୍ଧାନ୍ତ ଦାସଙ୍କ ଇଂରାଜୀ ପୁସ୍ତକ ‘ବାଇ ଦ ଗ୍ରେସ ଅଫ ଗଡ’ ଉନ୍ମୋଚିତ

ଭୁବନେଶ୍ବର: ସିଦ୍ଧାନ୍ତ ଦାସଙ୍କ ଇଂରାଜୀ ପୁସ୍ତକ ଉନ୍ମୋଚିତ । ସିଦ୍ଧାନ୍ତ ଦାସଙ୍କର ଜୀବନ ବୃତ୍ତାନ୍ତକୁ ନେଇ ଇଂରାଜୀରେ ଲିଖିତ ପୁସ୍ତକ ‘ବାଇ ଦ ଗ୍ରେସ ଅଫ ଗଡ’ ଉନ୍ମୋଚିତ ହୋଇଯାଇଛି । ହୋଟେଲ ନିୟୁ ମାରିୟନ ସମ୍ମିଳନୀ କକ୍ଷରେ ଅତିଥିଙ୍କ ଗହଣରେ ଉନ୍ମୋଚିତ ହୋଇଛି ପୁସ୍ତକ ।

ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ସାହିତ୍ଯିକ ଦେବଦାସ ଛୋଟରାୟ, ହର ପ୍ରସାଦ ଦାସ, ରବି ନାରାୟଣ ସେନାପତି ଓ ପ୍ରଫେସର ଯତୀନ ନାୟକ ଯୋଗଦେଇ ଉନ୍ମୋଚିତ ପୁସ୍ତକ ଉପରେ ନିଜ ନିଜର ମତବ୍ଯକ୍ତ କରିଥିଲେ । ଲେଖକ ନିଜ ଜୀବନର ବିଭିନ୍ନ ଘଟଣା ଓ ଚରିତ୍ର ସବୁର ବର୍ଣ୍ଣନା ନିଚ୍ଛକ ଭାବରେ କରିଛନ୍ତି ବୋଲି ଅତିଥିମାନେ ଉଲ୍ଲେଖ କରିଥିଲେ । ପୁସ୍ତକରେ ଲେଖକଙ୍କର ବିରଳ ବ୍ଯକ୍ତିତ୍ବ ପ୍ରତିଫଳିତ ହୋଇଛି ବୋଲି ବକ୍ତାମାନେ ପ୍ରକାଶ କରିବା ସହ ପରବର୍ତ୍ତି ପିଢୀ ପାଇଁ ଏହା ପ୍ରେରଣାଦାୟୀ ହେବ ବୋଲି କହିଛନ୍ତି ।

ସମ୍ବଲପୁର ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନବୀନ ନିବାସରେ ଚାଲିଛି ସମ୍ବଲପୁର ଓ ସୁନ୍ଦରଗଡ ସଂସଦୀୟ କ୍ଷେତ୍ରର ସମୀକ୍ଷା ବୈଠକ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ ।

ପ୍ରଥମେ ସମ୍ବଲପୁର ସଂସଦୀୟ କ୍ଷେତ୍ର ଉପରେ ଆଲୋଚନା ହେଉଛି । ବୈଠକରେ ସମ୍ବଲପୁର ସଂସଦୀୟ କ୍ଷେତ୍ରର ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକ ଉପସ୍ଥିତ ଅଛନ୍ତି । ବୈଠକରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବଣେଇର ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂ, ବିଜେଡି ନେତା ମଙ୍ଗଳା କିଷାନ ପ୍ରମୁଖ ଉପସ୍ଥିତ ଅଛନ୍ତି । ସେହିପରି ସୁନ୍ଦରଗଡ଼ ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡେଇ, ମନ୍ତ୍ରୀ ଶାରଦା ନାୟକ, ଦିଲ୍ଲୀପ ତିର୍କିଙ୍କ ସହ ବିଧାୟକ ଓ ନେତା ଉପସ୍ଥିତ ଅଛନ୍ତି ।

କଳିଙ୍ଗ ହସ୍ପିଟାଲର ନୂଆ କୋଠା ଉଦଘାଟିତ

ଭୁବନେଶ୍ବର: ଉଦଘାଟିତ ହେଲା କଳିଙ୍ଗ ହସ୍ପିଟାଲର ନୂତନ ବିଲ୍ଡିଂ । ହସ୍ପିଟାଲର ନୂତନ ବ୍ଲକ୍ ଡକ୍ଟର ଏସ. କେ. ଦାସ୍ ବ୍ଲକର ଉନ୍ମୋଚନ ହୋଇଛି । ରାଜ୍ୟପାଳ ରଘୁବର ଦାସ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ ।

ନୂତନ ବଲ୍ଡିଂରେ ସ୍ବାସ୍ଥ୍ୟ ସେବାରେ ଅଗ୍ରାଧିକାର ଦେଇ ସ୍ବତନ୍ତ୍ର ସୁବିଧା ଯୋଗାଇ ଦିଆଯିବ । ମୁଖ୍ୟତଃ ହସ୍ପିଟାଲରେ ସବୁ ବର୍ଗର ଲୋକଙ୍କୁ ସୁବିଧା ଯୋଗାଇ ହେବ । ମୁଖ୍ୟତଃ ଅତ୍ୟାଧୁନିକ ସୁବିଧା ସହିତ ୫୦ ଶଯ୍ୟା ବୃଦ୍ଧି, ଅତିରିକ୍ତ ୪ଟି ଓଟି, କିଡନୀ ପ୍ରତିରୋପଣ ୟୁନିଟର ସମ୍ପ୍ରସାରଣ ସୁବିଧା, ୩୦ କ୍ରିଟିକଲ ବେଡ୍ ଉପଲବ୍ଧ ଅଛି । ଏଥିସହ ନୂତନ ୟୁନିଟରେ ଉନ୍ନତ ଗ୍ୟାସୋ ସାଇନ୍ସ, ଡେ କେୟାର ୟୁନିଟ୍, ଅତ୍ୟାଧୁନିକ ଉପକରଣ ସୁବିଧା ମିଳିବ । ଏହି ପ୍ରୟାସ ରାଜ୍ୟ ପାଇଁ ସୁସ୍ଥକର ବୋଲି କହିଛନ୍ତି ରାଜ୍ୟପାଳ ।

ପୋଲିସ ପଞ୍ଝାରେ ଲୁଟେରା ଗ୍ୟାଙ୍ଗର ଦୁଇ ସଦସ୍ୟ

ଭୁବନେଶ୍ବର: କମିଶନରେଟ ପୋଲିସ ପଞ୍ଝାରେ ଲୁଟେରା ଗ୍ୟାଙ୍ଗ । ଗିରଫ ହେଲେ ଦୁଇ ଲୁଟେରା । ସେମାନଙ୍କ ନିକଟରୁ ବିପୁଳ ପରିମାଣର ସୁନା ଗହଣା, ରୁପା ଅଳଙ୍କାର ଜବତ । ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ କରିଥିଲେ ଲୁଟ । ତାଲା ପଡିଥିବା ଘରକୁ ଟାର୍ଗେଟ କରୁଥିଲେ ଗ୍ୟାଙ୍ଗ ସଦସ୍ୟ ।

ସୂଚନାଯୋଗ୍ୟ, ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ଯେତେ କଡାକଡି କଲେ ବି ସ୍ଥିତି ସୁଧୁରୁନି । ଆପାର୍ଟମେଣ୍ଟ ଲୁଟେରା ଓ ଝରକା ତଡ଼ା ଗ୍ୟାଙ୍ଗ କମିଶନରେଟ ପୋଲିସର ନିଦ ହଜାଇଛନ୍ତି । ଏହାସହ ଛୋଟ ବଡ଼ ଏକାଧିକ ଲୁଟେରା ଗ୍ୟାଙ୍ଗ ରାଜଧାନୀର ବିଭିନ୍ନ ସ୍ଥାନରେ କଳାକନା ବୁଲାଉଥିବାର ନଜିର ରହିଛି ।

ସାଧାରଣ ନିର୍ବାଚନ: ଚତୁର୍ଥ ପର୍ଯ୍ୟାୟରେ ୪୬ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭା ନର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ଗତକାଲି ୧୨ ରାଜ୍ୟର ୪୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ । ତାଲିକାରେ ବରିଷ୍ଠ ନେତା ଦିଗବିଜୟ ସିଂ ଓ ହରିସ ରାୱତ ଅଛନ୍ତି । ମଧ୍ୟପ୍ରଦେଶର ଗାଜଗଡରୁ ଲଢିବେ ଦିଗବିଜୟ ସିଂ । ସେହିପରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବାରଣାସୀରୁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ଅଜୟ ରାୟ । ତେବେ ବିଏସପିର ପୂର୍ବତନ ନେତା ଡାନିଶ ଅଲ୍ଲୀଙ୍କୁ ପ୍ରାର୍ଥୀ କରିଛି ଦଳ । ଏହାକୁ ମିଶାଇ ମୋଟ ୧୮୩ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ । ଚତୁର୍ଥ ତାଲିକାରେ ଆସାମ, ଆଣ୍ଡାମାନ, ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମିଜୋରାମ, ରାଜସ୍ଥାନ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ତେବେ ଚତୁର୍ଥ ପର୍ଯ୍ୟାୟ ତାଲିକାରେ ଓଡ଼ିଶାର ନାଁ ନାହିଁ।