ଯାଜପୁର: ଯାଜପୁର ରୋଡ଼ ଉପ-କାରାଗାରରୁ ଜଣେ ବିଚାରାଧୀନ କଏଦୀ ଫେରାର । ମେଡ଼ିକାଲକୁ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଯାଇ ଅଧା ରାସ୍ତାରୁ ଫେରାର ହୋଇଯାଇଥିବା କୋରାଇ ଥାନାରେ ଅଭିଯୋଗ କରିଛନ୍ତି ଜେଲ୍ କତୃପକ୍ଷ। ଫେରାର କଏଦୀଙ୍କ ନାମ ରାଣା ପ୍ରତାପ ସିଂ। ତାଙ୍କ ଘର ପାଣିକୋଇଲି ଥାନା ଜହ୍ନା ଗ୍ରାମରେ । ସେ ଗତ କିଛିଦିନ ତଳେ ଏକ ଦୁଷ୍କର୍ମ ଓ ଯୁବତୀଙ୍କ ନଗ୍ନ ଫଟୋ ଭାଇରାଲ ମାମଲାରେ ପାଣିକୋଇଲି ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ । ତେବେ ସେ ଅସୁସ୍ଥ ହେବାରୁ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯାଜପୁର ରୋଡ଼ ଉପ-କାରାଗାରରୁ ଯାଜପୁର ରୋଡ଼ ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଫେରିବା ସମୟରେ ମେଡିସିନ କିଣିବା ବେଳେ ସେଠାରୁ ସେ ଫେରାର ହୋଇଯାଇଛନ୍ତି । କୋରାଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଜଣକୁ ଅଟକ ରଖିଛି ପୋଲିସ ।
ଭୁବନେଶ୍ବର ସାପିଗେନ ବାୟୋଲୋଜିକ୍ସ ଭାକ୍ସିନ ପ୍ଲାଣ୍ଟ ପରିଦର୍ଶନ କଲେ 5T ଅଧ୍ଯକ୍ଷ
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରୁ ସାରା ବିଶ୍ବକୁ ଯୋଗାଣ ହେବ ଭ୍ଯାକସିନ୍ । ବିଶ୍ୱ ଜନସଂଖ୍ୟାର ୧୦ ଗୁଣ ଟିକା ଓଡ଼ିଶାରୁ ପ୍ରସ୍ତୁତ ହେବ । ଭୁବନେଶ୍ବର ଅନ୍ଧାରୁଆ ବାୟୋଟେକ୍ ପାର୍କସ୍ଥିତ ସାପିଜେନ୍ ବାୟୋଲଜିକ୍ସ ଟିକା ଉତ୍ପାଦନ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ଏହି ପ୍ଲାଣ୍ଟର ଦୈନିକ ୨ ଦଶମିକ ୪ କୋଟି ବିଭିନ୍ନ ପ୍ରକାରର ଟିକା ଉତ୍ପାଦନକ୍ଷମତା ରହିଛି । ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଟିକା ଉତ୍ପାଦନ ପ୍ଲାଣ୍ଟ ଦେଶର ସର୍ବବୃହତ୍ ଟିକା ଉତ୍ପାଦନ ପ୍ଲାଣ୍ଟ ଭାବେ ପରିଗଣିତ ହେବ । 5T ଅଧ୍ଯକ୍ଷ ପ୍ଲାଣ୍ଟର ସମସ୍ତ ୟୁନିଟ୍ ପରିଦର୍ଶନ କରିବା ସହିତ ମ୍ୟାନେଜ୍ମେଣ୍ଟ ଏବଂ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ । ଆଗାମୀ ୩ ମାସ ମଧ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ସଂପୃକ୍ତ ସରକାରୀ ବିଭାଗ ଗୁଡ଼ିକ ସମସ୍ତ ପ୍ରକାର ସହଯୋଗ ଯୋଗାଇବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।
ଭାରତ ବାୟୋଟେକ୍ ପାର୍କର ଡ. କ୍ରୀଷ୍ଣା ଏଲାଙ୍କ ତତ୍ତ୍ୱାବଧାନରେ ଏହି ପ୍ଲାଣ୍ଟ ୧୫୦୦ କୋଟି ଟଙ୍କା ପୁଂଜିନିବେଶରେ ସ୍ଥାପନ କରାଯାଉଛି । ଏହି ଅତ୍ୟାଧୁନିକ ପ୍ଲାଣ୍ଟ ଜରିଆରେ ପ୍ରାୟ ୧୫୦୦ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ ଏବଂ ଏଥିରେ ଓଡ଼ିଶା ଲୋକଙ୍କୁ ସର୍ବାଧିକ ନିଯୁକ୍ତି ମିଳିବ । ଏହି ପ୍ଲାଣ୍ଟ କଲେରା, ମାଲେରିଆ ପରି ରୋଗ ପାଇଁ ୧୫ରୁ ଅଧିକ ପ୍ରକାର ଟିକା ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖିଛି । ଭୁବନେଶ୍ୱରରୁ ପ୍ରସ୍ତୁତ ଏହି ଟିକାଗୁଡ଼ିକ ବିଶ୍ୱର ବିଭିନ୍ନ ସ୍ଥାନକୁ ରପ୍ତାନି କରାଯିବ ଏବଂ ଏହା ଦ୍ୱାରା ବାୟୋଟେକନୋଲୋଜି କ୍ଷେତ୍ରରେ ଓଡ଼ିଶାର ସୁନାମ ବୃଦ୍ଧି ହେବ । ଏହି ପ୍ରକଳ୍ପଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଜୀବନ ମୂଲ୍ୟବାନ ନୀତି ଆଧାରରେ ସ୍ଥାପନ ହେଉଛି ।
ଏଠାରୁ ପ୍ରସ୍ତୁତ ଟିକା ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ସୁରକ୍ଷା ଯୋଗାଇଦେବ । ସରକାରୀ ସ୍ତରରେ ସମସ୍ତ ସହଯୋଗ ଯୋଗାଇଦେବାର ପ୍ରତିଶୃତି ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ବାୟୋଟେକ୍ନୋଲୋଜି ନୀତି କ୍ୟାବିନେଟ୍ରେ ଅନୁମୋଦନ କରିଛନ୍ତି ବୋଲି ସୂଚନା ଦେଇଥିଲେ ଫାଇଭ-ଟି ଅଧ୍ଯକ୍ଷ । ଏଭଳି ଏକ ବୃହତ୍ ଟିକା ପ୍ରସ୍ତୁତକାରୀ ପ୍ଲାଣ୍ଟ ସ୍ଥାପନ ହେବା ଦ୍ୱାରା ଅନ୍ୟାନ୍ୟ ବାୟୋଟେକ୍ନୋଲୋଜି ସଂପର୍କିତ ଉତ୍ପାଦ ପ୍ରସ୍ତୁତକାରୀ କମ୍ପାନି ଓଡ଼ିଶାର ବାୟୋଟେକ୍ ପାର୍କ ପ୍ରତି ଆକୃଷ୍ଟ ହେବେ ଏବଂ ଏହା ଦ୍ୱାରା ଓଡ଼ିଶାରେ ପୁଂଜିନିବେଶର ସମ୍ଭାବନା ବୃଦ୍ଧି ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଫାଇଭ-ଟି ଅଧ୍ଯକ୍ଷ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

