spot_img
Home Blog Page 221

ଟି-୨୦ ବିଶ୍ବକପ: ଆଉ କିଛି ସମୟ ପରେ ଭାରତ ନାମିବ୍ୟା ଟକ୍କର

ଟି-୨୦ ବିଶ୍ବକପ: ଆଉ କିଛି ସମୟ ପରେ ଭାରତ ନାମିବ୍ୟା ଟକ୍କର

ନନ୍ଦିଘୋଷ ବ୍ୟୁରୋ: ଆଜି ଟି-୨୦ ବିଶ୍ବକପ୍ ଗ୍ରୁପ ଏ ମ୍ୟାଚରେ ଭାରତ-ନାମିବ୍ୟା ମୁକାବିଲା । ଭାରତୀୟ ସମୟ ୭ଟାରେ ଆରମ୍ଭ ହେବ ମ୍ୟାଚ୍ । ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଏହି ମ୍ୟାଚ ହେବାକୁ ଥିବାବେଳେ ଏହାକୁ ଉପଭୋଗ କରିବେ ହଜାର ହଜାର ଦର୍ଶକ ।

ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ, ଭାରତ ଏହାର ପ୍ରଥମ ମ୍ୟାଚ୍‌ରେ ଆମେରିକା ବିପକ୍ଷରେ ୨୯ ରନର କଠିନ ବିଜୟ ହାସଲ କରିଥିଲା । ଅଭିଷେକ ଶର୍ମା ପେଟ ଇନଫେକସନ ପାଇଁ ହୁଏତ ଏହି ମ୍ୟାଚ ଖେଳି ନପାରନ୍ତି । ଯଦି ସେ ପ୍ଲେଇଂ ଇଲେଭେନରେ ସ୍ଥାନ ନପାନ୍ତି ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିବ । ସେହିପରି ଜସପ୍ରିତ ବୁମ୍ରା ବି ପ୍ଲେଇଂ ଇଲେଭେନକୁ ଫେରିବା ସମ୍ଭାବନା ରହିଛି ।

ସେପଟେ ନାମିବ୍ୟା ଦଳ ଗେରହାର୍ଡ ଇରାସମସଙ୍କ ଅଧିନାୟକତ୍ୱରେ, ସେମାନଙ୍କର ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ନେଦରଲ୍ୟାଣ୍ଡସଠାରୁ ୭ ୱିକେଟରେ ପରାସ୍ତ ହୋଇଛି । ଡିଫେଣ୍ଡିଂ ଚାମ୍ପିଅନକୁ ଚ୍ୟାଲେଞ୍ଜ ଦେବାକୁ ନାମିବ୍ୟା ପାଖରେ ଜେଜେ ସ୍ମିଟ୍ ଏବଂ ଜାନ୍ ଫ୍ରାଇଲିଙ୍କ୍ ଭଳି ଖେଳାଳି ରହିଛନ୍ତି ।

ଶେଖ ହସିନା ସରକାର ପତନର ୧୮ ମାସ ପରେ ବାଂଲାଦେଶରେ ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟିଂ

ଶେଖ ହସିନା ସରକାର ପତନର ୧୮ ମାସ ପରେ ବାଂଲାଦେଶରେ ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟିଂ

ନନ୍ଦିଘୋଷ ବ୍ୟୁରୋ: ଆଜି ଭୋଟ ଦେଉଛି ବାଂଲାଦେଶ । ୨୦୨୪ ଅଗଷ୍ଟରେ ଶେଖ ହସିନା ସରକାରର ପତନର ଦୀର୍ଘ ୧୮ ମାସ ପରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି । ଛାତ୍ର ଆନ୍ଦୋଳନ ନିଆଁରେ ହସିନା ସରକାରର ପତନ ହୋଇଥିଲା । ଏହା ପରେ ୧୮ ମାସ ଧରି ମହମ୍ମଦ ୟୁନୁସଙ୍କ ନେତୃତ୍ଵରେ ମଧ୍ୟବର୍ତ୍ତୀକାଳୀନ ସରକାର ଚାଲିଥିଲା ।

ଦେଶର ତ୍ରୟୋଦଶତମ ସାଧାରଣ ନିର୍ବାଚନ ହୋଇଥିବା ବେଳେ ୮୪ ପଏଣ୍ଟ ସଂସ୍କାର ପ୍ୟାକେଜ ଆଧାରରେ ୨୯୯ ଆସନ ପାଇଁ ଏହି ନିର୍ବାଚନ ହେଉଛି । ସକାଳ ୧୧ଟା ସୁଦ୍ଧା ଦେଶରେ ୧୪.୯୬ ପ୍ରତିଶତ ମତଦାନ ହୋଇଛି । ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ ଓ ବିଏନପି ମୁଖ୍ୟ ତାରିକ ରେହମାନ ନିଜ ବୁଥରେ ଭୋଟ ଦେଇଛନ୍ତି । ନିର୍ବାଚନରେ ଶେଖ ହସିନାଙ୍କ ପାର୍ଟି ଭାଗ ନେଇ ନାହିଁ। କାରଣ ଆବାମୀ ଲିଗକୁ ବ୍ୟାନ କରାଯାଇଛି ।

ସକାଳ ସାଢ଼େ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଅପରାହ୍ନ ସାଢ଼େ ୪ଟା ଯାଏଁ ମତଦାନ ଚାଲିବ । ମୋଟ ୫୦ଟି ପାର୍ଟି ନିର୍ବାଚନ ମୈଦାନରେ ଲଢେଇ କରୁଛନ୍ତି । ପ୍ରାୟ ୨ ହଜାର ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ସୁରୁଖୁରୁରେ ନିର୍ବାଚନ ଶେଷ କରିବାକୁ ଏକ ଲକ୍ଷରୁ ଅଧିକ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି । ଆଜିର ନିର୍ବାଚନରେ କ୍ଷମତା ରେସର ଆଗରେ ଅଛନ୍ତି ବିଏନପି ପାର୍ଟିର ତାରିକ ରେହମାନ । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ । ଅଳ୍ପ ଦିନ ଆଗରୁ ସେ ୧୭ ବର୍ଷର ନିର୍ବାସନରୁ ଦେଶକୁ ଫେରିଛନ୍ତି । ନିର୍ବାଚନକୁ ନେଇ ଭାରତୀୟ ଏକ୍ସପର୍ଟ କହିଛନ୍ତି, ଯେ ବାସ୍ତବତାକୁ ଗ୍ରହଣ କରିବାକୁ ପଡିବ । ବିଏନପି ଆସିଲେ ଶାନ୍ତି ଫେରିବ ବୋଲି ଆଶା କରାଯାଉଛି । ଯଦି ଜମାତ ଏ ଇସଲାମୀ କ୍ଷମତାକୁ ଆସେ ତେବେ ଭାରତ ସହତି ସଂପର୍କ ବିଗିଡ଼ିବାର ଆଶଙ୍କା କରିଛନ୍ତି ବିଶେଷଜ୍ଞ ।

ଦେଢ଼ଦିନ ସାଇବର ଠକ ଦ୍ବାରା ଡିଜିଟାଲ ଆରେଷ୍ଟ ହେଲେ ଦମ୍ପତି

ଦେଢ଼ଦିନ ସାଇବର ଠକ ଦ୍ବାରା ଡିଜିଟାଲ ଆରେଷ୍ଟ ହେଲେ ଦମ୍ପତି

ନନ୍ଦିଘୋଷ ବ୍ୟୁରୋ: ମାତିଲେ ସାଇବର ଠକ । ବରିଷ୍ଠ ନାଗରିକଙ୍କୁ କଲେ ଡିଜିଟାଲ ଆରେଷ୍ଟ । ଦେଢ଼ ଦିନ ଧରି ନଜରବନ୍ଦୀ ହୋଇ ରହିଲେ ଦମ୍ପତି । ନିଜକୁ ପୋଲିସର ପରିଚୟ ଦେଇ କଥା ହେଲେ ସାଇବର ଠକ । ଠକଙ୍କୁ ଟଙ୍କା ପଠାଇବାକୁ ବ୍ୟାଙ୍କକୁ ଯାଇଥିବା ବେଳେ ଜଣାପଡ଼ିଲା ସତ । ସାଇବର ଥାନାରେ ଅଭିଯୋଗ ପରେ ପୋଲିସ ଖୋଳତାଡ଼ ଆରମ୍ଭ । ଘଟଣା ଘଟିଛି ଭୁବନେଶ୍ବରରେ ।

ମିଳିଥିବା ସୂଚନା ଅନୁସାରେ, ପୋଲିସ ପରିଚୟ ଦେଇ ସାଇବର ଠକ ଦମ୍ପତିଙ୍କ ସହ କଥା ହୋଇଥିଲେ । ସେମାନଙ୍କର ଆତଙ୍କି ଲିଙ୍କ ଥିବା କହି ଧମକାଇଥିଲେ । ଏପରିକି କାଶ୍ମୀରରେ ଆତଙ୍କବାଦୀମାନେ ସେମାନଙ୍କ ଆଧାର କାର୍ଡ ବ୍ୟବହାର କରିଛନ୍ତି । ଆଧାର କାର୍ଡ ବ୍ୟବହାର ଯୋଗୁଁ ତାଙ୍କୁ ୬ ଲକ୍ଷର କମିଶନ ମିଳିଛି । ଏପରିକି ମନି ଲଣ୍ଡରିଂ କେସରେ କୁଆଡେ ସେମାନଙ୍କର ସମ୍ପୃକ୍ତି ଅଛି । କୋଟିଏ ଟଙ୍କା ଦେଲେ କେସରୁ ମୁକ୍ତି ମିଳିବ ବୋଲି କହି ଦମ୍ପତିଙ୍କୁ ଠକ ଧମକାଇଥିଲେ ।

ଠକେଇର ଶିକାର ପୁରୁଷ ଜଣଙ୍କ ନାଲକୋର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ହୋଇଥିବା ବେଳେ ମହିଳା ଜଣଙ୍କ ଅବସରପ୍ରାପ୍ତ ଅଧ୍ୟାପିକା । ଭୟରେ ପ୍ରାୟ ୩୫ ଘଣ୍ଟା ଧରି ଠକଙ୍କ କଥାରେ ଘରେ ନଜରବନ୍ଦୀ ହୋଇ ରହିଲେ । ଟଙ୍କା ପଠାଇବାକୁ ବ୍ୟାଙ୍କ ଯାଇଥିବା ବେଳେ ଠକର ଆକାଉଣ୍ଟଟି ଅଚଳ ବୋଲି ଜାଣିବାକୁ ପାଇଥିଲେ । ଏ ସମ୍ପର୍କରେ ଅଧିକ ଖୋଳତାଡ଼ ପରେ ସେମାନେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ ବ୍ୟାଙ୍କର ସହାୟତାରେ ସେମାନେ ସାଇବର ଥାନାକୁ ଜଣାଇଥିଲେ । ଫଳରେ ଏକ ବଡ଼ ଧରଣର ଠକେଇରୁ ବର୍ତ୍ତି ଯାଇଛନ୍ତି ଦମ୍ପତି ।

୨୭ଟି ରୁଟରେ କାଲିଠୁ ହବକୁ ଯିବ ଯୁକ୍ତଦୁଇ ପ୍ରଶ୍ନପତ୍ର

୨୭ଟି ରୁଟରେ କାଲିଠୁ ହବକୁ ଯିବ ଯୁକ୍ତଦୁଇ ପ୍ରଶ୍ନପତ୍ର

ନନ୍ଦିଘୋଷ ବ୍ୟୁରୋ: ଯୁକ୍ତଦୁଇ ପରୀକ୍ଷା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଆସନ୍ତାକାଲିଠାରୁ ବିଭିନ୍ନ ହବକୁ ଯିବ ପ୍ରଶ୍ନପତ୍ର । ୨୭ଟି ଟ୍ରକରେ ସିଏଚଏସଇ ଅଫିସରୁ ୨୭ଟି ରୁଟ ଦେଇ ଏହି ପ୍ରଶ୍ନପତ୍ର ହବରେ ପହଞ୍ଚିବ । ଫେବୃଆରୀ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ରାଜ୍ୟର ୨୧୧ଟି ହବରେ ପ୍ରଶ୍ନପତ୍ର ପହଞ୍ଚାଇବାକୁ ସିଏଚଏସଇ ଲକ୍ଷ୍ୟ ରଖିଛି । ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡା, ବଣାଇଗଡ଼, ରାଉରକେଲା, ରାୟଗଡା ପରି ଦୂର ସ୍ଥାନକୁ ପ୍ରଶ୍ନପତ୍ର ଯିବ ।

ହବରେ ଲାଗିଛି AI କ୍ୟାମେରା

ସେପଟେ ପ୍ରଥମ ଥର ପାଇଁ ସବୁ ହବରେ AI କ୍ୟାମେରା ଲଗାଯାଇଛି ।  ଆଜି ସିଏଚଏସଇ ଅଫିସରେ AI କ୍ୟାମେରା କମାଣ୍ଡ କଣ୍ଟ୍ରୋଲ ରୁମ୍ ଖୋଲିଛି  । ସବୁ ହବର ମନିଟରିଂ ଏହିଠାରୁ ହେବ ।  ହବ ଭିତରକୁ ଯଦି ଦୁଇରୁ ଅଧିକ ଲୋକ ଯିବେ, କଣ୍ଟ୍ରୋଲ ରୁମକୁ ଆଲର୍ଟ ଆସିବ ।  ଏ ନେଇ କ୍ୟାମେରା ଗୁଡିକରେ ଏକ ସଫ୍ଟୱେର ଇନଷ୍ଟଲ ହୋଇଛି ।  ଯାହା ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ବୋଲି କୁହାଯାଉଛି ।

ଭାରତ ବନ୍ଦ ବେଳେ ଧକ୍କା ଦେଲା କାର, ଶ୍ରମିକ ନେତା ଗୁରୁତର

ଭାରତ ବନ୍ଦ ବେଳେ ଧକ୍କା ଦେଲା କାର, ଶ୍ରମିକ ନେତା ଗୁରୁତର

ନନ୍ଦିଘୋଷ ବ୍ୟୁରୋ: ସାରା ଦେଶରେ ଭାରତ ବନ୍ଦ କରାଯାଇଛି । ଯାହାର ପ୍ରଭାବ ଦେଶର ଛୋଟରୁ ବଡ଼ ସହରରେ ଦେଖିବାକୁ ମିଳିଛି । ଶ୍ରମିକ ସଙ୍ଗଠନ ସମେତ ଶତାଧିକ ଆନ୍ଦୋଳନକାରୀ ରାସ୍ତାରୋକ କରି ବନ୍ଦକୁ ସମର୍ଥନ କରିବାକୁ ଲୋକଙ୍କୁ ଅନୁରୋଧ କରୁଛନ୍ତି । ଏହାରି ଭିତରେ ବାଲେଶ୍ବରରେ ଭାରତ ବନ୍ଦ ପାଳନ ବେଳେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ କାର ଦ୍ରୁତ ଗତିରେ ଆସି ଧକ୍କା ଦେବା କାରଣରୁ ଜଣେ ଶ୍ରମିକ ନେତା ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ଖବର ଅନୁସାରେ ସକାଳୁ ସକାଳୁ ବାଲେଶ୍ବର ସହରରେ ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ କରାଯାଇଥିଲା । ରେଲଓ୍ବେ ଷ୍ଟେସନ ଛକରେ ଶ୍ରମିକ ସଂଗଠନ ପକ୍ଷରୁ ରାସ୍ତାରୋକ କରାଯାଇଥିଲା । ଏହି ସମୟରେ ଏକ କାର ଦ୍ରୁତଗତିରେ ଆସି ଆନ୍ଦୋଳନକାରୀଙ୍କ ଭିଡରେ ପଶିଯିବା ସହ ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀଙ୍କୁ ଧକ୍କା ଦେଇଥିଲା । ଫଳରେ ତାଙ୍କ ନାକ ଓ ଆଣ୍ଠୁରେ ଗଭୀର ଆଘାତ ଲାଗିଛି । ଆନ୍ଦୋନକକାରୀମାନେ ତାଙ୍କୁ ଉଦ୍ଧାର କରି ପୋଲିସ ଗାଡିରେ ଗିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି ।

ଅନ୍ୟପଟେ ଦୁର୍ଘଟଣା ଘଟାଇବା ପରେ କାର ସହ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ତୁରନ୍ତ କାରକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଗିରଫ କରିବାକୁ ଶ୍ରମିକ ସଂଗଠନ ପକ୍ଷରୁ ଦାବି କରାଯାଇଛି ।

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପାର୍ଲାମେଣ୍ଟ ପରିସର ଗାନ୍ଧିମୂର୍ତ୍ତି ତଳେ ବିଜେଡି ସାଂସଦଙ୍କ ଧାରଣା

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପାର୍ଲାମେଣ୍ଟ ପରିସର ଗାନ୍ଧିମୂର୍ତ୍ତି ତଳେ ବିଜେଡି ସାଂସଦଙ୍କ ଧାରଣା

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଶ୍ରୀମନ୍ଦିର ସୁରକ୍ଷା ବିପନ୍ନ ପ୍ରତିବାଦରେ ବିଜେଡି ରାଜ୍ୟସଭା ସାଂସଦଙ୍କ ପାର୍ଲାମେଣ୍ଟ ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ନାରାବାଜି । ରାଜ୍ୟର ଆଇନ ଶୃଙ୍ଖଳା ବଜାୟ ରଖିବା କ୍ଷେତ୍ରରେ କ୍ଷମତାସୀନ ସରକାର ବିଫଳ ହୋଇଛନ୍ତି । ଏହାସହ ଶ୍ରୀମନ୍ଦିରକୁ ସୁରକ୍ଷା ଦେବାରେ ମଧ୍ୟ ସରକାର ବିଫଳ ହୋଇଛନ୍ତି । ତେଣୁ ରାଜ୍ୟରେ ଥିବା କ୍ଷମତାସୀନ ସରକାର ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ନାରା ଦେଇଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ମାନେ ।

ଆଜି ପୂର୍ବାହ୍ନରେ ସାଂସଦ ସସ୍ମିତ ପାତ୍ର, ଦେବାଶିଷ ସାମନ୍ତରାୟ, ମାନସ ରଞ୍ଜନ ମଙ୍ଗରାଜ, ସୁଲତା ଦେଓ, ନିରଞ୍ଜନ ବିଶି ଏବଂ ସୁବାଶିଷ ଖୁଣ୍ଟିଆ ପ୍ଲାକାର୍ଡ ଧରି ପାର୍ଲାମେଣ୍ଟ ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ନାରାବାଜି କରିଥିଲେ । ରାଜ୍ୟରେ ପ୍ରତ୍ୟେକ ଦିନ ନାରୀ ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଛି । ହତ୍ୟା, ଚୋରି, ଲୁଣ୍ଠନ ଓ ତସ୍କରୀ ଭଳି ଘଟଣା ଉଦବେଗ ଜନକ ହୋଇଛି । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ସୁଯୋଗ ନେଇ ନିକଟ ଅତୀତରେ ରାଜ୍ୟସଭା ସାଂସଦ ସୁବାଶିଷ ଖୁଣ୍ଟିଆଙ୍କୁ ପୁରୀରେ ହତ୍ୟା ଧମକ ଦିଆଯାଇଥିଲା । ରାଜ୍ୟକୁ ଠିକରେ ଚଳାଇପାରୁ ନଥିବାରୁ ରାଜ୍ୟରେ କ୍ଷମତାଶୀନ ବିଜେପି ସରକାର ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସାଂସଦମାନେ କହିଛନ୍ତି ।

ଆଜି ଭାରତ ବନ୍ଦ; ରାଜଧାନୀରେ ବାଧାପ୍ରାପ୍ତ ହୋଇଛି ସାଧାରଣ ଜୀବନଯାତ୍ରା

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି ଆଜି ଭାରତ ବନ୍ଦ ଡାକରା ଦେଇଛି ଟ୍ରେଡ ୟୁନିୟନ । କେନ୍ଦ୍ର ସରକାରଙ୍କ ଶ୍ରମିକମାରଣ ନୀତି ବିରୋଧରେ ବିଭିନ୍ନ ଶ୍ରମିକ ସଂଗଠନ ଦେଇଥିବା ଭାରତ ବନ୍ଦ ଡାକରାକୁ କଂଗ୍ରେସ, ବାମଦଳ ସହ ରାଜନୈତିକ ଦଳର ସମର୍ଥନ ମିଳିଛି । ଭାରତ ବନ୍ଦ ଯୋଗୁଁ ଦୋକାନ ବଜାର, ଗାଡି ଚଳାଚଳ ବନ୍ଦ ରହିଛି ।

ଭୁବନେଶ୍ବରରେ ଭାରତ ବନ୍ଦର ପ୍ରଭାବ ଦେଖଯାଇଛି । ବିଭିନ୍ନ ଛକରେ ଆନ୍ଦୋଳନ କରିବା ସହି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ବିଭିନ୍ନ ସ୍ଥାନରେ ବସ ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ଗୁଡିକ ମଧ୍ୟ ବନ୍ଦ ରହିଛି ।

ଭାରତ ବନ୍ଦର ପ୍ରଭାବ ରାଉରକେଲା ସହରରେ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ରାସ୍ତାରୋକ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ରାଉରକେଲା ସହରରେ ଘରୋଇ ବସ ଚଳାଚଳ ବନ୍ଦ। ଦୋକାନ ବଜାର ବି ବନ୍ଦ ରହିଛି ।

୧୨ ଦଫା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଶ୍ରମିକ ସଂଗଠନ | ଏହାର ପ୍ରଭାବ ରାୟଗଡ଼ା ଜିଲ୍ଲା ଗୁଣପୁରରେ ଦେଖିବାକୁ ମିଳିଛି | ସ୍ଥାନୀୟ ବାଇପାସ ଛକରେ ଏଆଇସିସିଟିୟୁ, ଆଇରେଲା, ସଂଯୁକ୍ତ କିଷାନ ମୋର୍ଚାର ମିଳିତ ସହଯୋଗରେ ବନ୍ଦ ପାଳନ କରାଯାଇଛି | ଗୁଣପୁରର ବିଭିନ୍ନ ସ୍ଥାନରେ ବସ ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ଗୁଡିକ ମଧ୍ୟ ବନ୍ଦ ରହିଛି । ସ୍ଥାନୀୟ ବାଇପାସ୍ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରି ନାରାବାଜି କରାଯାଉଛି ।

ବାଲେଶ୍ଵରରେ ଦେଖିବାକୁ ମିଳିଛି ଭାରତ ବନ୍ଦର ପ୍ରଭାବ । ଟ୍ରେଡ ୟୁନିଅନ ନେତା ମାନେ ବାଲେଶ୍ଵର ବସଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ପିକେଟିଂ ଓ ଭାରତ ସରକାରଙ୍କ ବିରୋଧରେ ନାରା ଦେଇ ପ୍ରତିବାଦ କରୁଛନ୍ତି ।

 

ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ; ସକାଳ ୬ ରୁ ସଂଧ୍ୟା ୬ ଯାଏଁ ବନ୍ଦ ଡାକରା

ଭୁବନେଶ୍ବର : ଆଜି ଭାରତ ବନ୍ଦ । ଓଡିଶାରେ ବି ବନ୍ଦ ରହିଛି ଅଖଚକ । ଆନ୍ଦୋଳନକୁ ଓହ୍ଲାଇଛି ୧୦ଟି ଶ୍ରମିକ ସଂଗଠନ ।ବିଜୁ ଶମ୍ରିକ ସାମୁଖ୍ୟ, କଂଗ୍ରେସ, ବାମଦଳର ବନ୍ଦକୁ କରିଛନ୍ତି ସମର୍ଥନ । ମନରେଗା ଉଚ୍ଛେଦ ସହ କେନ୍ଦ୍ର ସରକାରଙ୍କ ଶ୍ରମିକ ସ୍ବାର୍ଥ ବିରୋଧୀ ୪ଟି ଶ୍ରମ କୋଡ ବାତିଲ ଓ ଅନ୍ୟାନ୍ୟ ଦାବି ନେଇ ଦେଶବ୍ୟାପୀ ବନ୍ଦ ଧର୍ମଘଟ କରିଛି ଟ୍ରେଡ ୟୁନିୟନ । ଫଳରେ ପରିବହନ, ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟ ଉପରେ ବନ୍ଦର ପ୍ରଭାବ ପଡିଛି । ଏହି ଧର୍ମଘଟରେ ଦେଶର ୩୦ କୋଟି ଶ୍ରମିକ ସାମିଲ ହୋଇଥିବା ଦାବି କରିଛି ଟ୍ରେଡ ୟୁନିୟନ ଦାବି କରିଛି ।

କେନ୍ଦ୍ର ସରକାର ଲଗାତାର ଭାବେ ଦେଶର ଶ୍ରମଜୀବୀ ଜନଗଣକୁ ଶୋଷଣ କରୁଛନ୍ତି । ଶ୍ରମିକ, କୃଷକ, କୃଷି ଶ୍ରମିକ, ମହିଳା, ଯୁବ ଛାତ୍ରଙ୍କ ଅଧିକାର ଉପରେ ବିଜେପି ଆକ୍ରମଣ କରି ଚାଲିଛି । ଯାହାକୁ ବିରୋଧ କରି ଧର୍ମଘଟ କରାଯାଇଛି । ତେଣୁ ରାଜ୍ୟବାସୀ ଏହି ଧର୍ମଘଟକୁ ସଫଳ କରିବାକୁ ସେ ଅପିଲ କରିଛନ୍ତି । ଏହି ବନ୍ଦ ପାଳନ ପାଇଁ ଲୋକସେବା ଭବନ, ଖାରବେଳ ଭବନ, ରାଜିବ ଭବନ, କୃଷି ଭବନ ଭଳି ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଯାତ୍ରା ଦେଖୁଥିଲେ ପରିବାର ଲୋକେ, ଘରେ ପଶି କଳାକନା ବୁଲାଇଲେ ଚୋର

ଭଦ୍ରକ : ଗାଁରେ ଯାତ୍ରା ଦେଖୁଥିଲେ ପରିବାର ଲୋକେ। ଘରେ ପଶି କଳାକନା ବୁଲାଇଲେ ଚୋର । ଚୋରି ସାରି ଘରୁ ବାହାରୁଥିବା ବେଳେ ଜଣକୁ କାବୁ କଲେ ଗ୍ରାମବାସୀ । ସୁନା ଗହଣା ଟଙ୍କା ଧରି ଅନ୍ୟ ତିନି ଚୋର ଛୁ ମାରିଛନ୍ତି । ଘଟଣା ଘଟିଛି ଭଦ୍ରକ ଜିଲା ଅଗରପଡା ଥାନାରେ ଆଡିଆ ଗ୍ରାମରେ l ଗତକାଲି ରାତିରେ ଗ୍ରାମର ନିରଞ୍ଜନ ମଲ୍ଲିକଙ୍କ ପରିବାର ଲୋକେ ଘର ତାଲା ପକାଇ ଯାତ୍ରା ଦେଖିବାକୁ ଯାଇଥିଲେ । ନିରଞ୍ଜନଙ୍କ ପୁଅ ଆଶୁତୋଷ ଯାତ୍ରା ମଝିରେ ଘର ଆଡେ ବୁଲି ଯାଇଥିଲା ବେଳେ ତାଙ୍କ ଘର ଭିତରୁ ୨ ଜଣ ଲୁଟେରା ବାହାରି ଦୌଡ଼ି ପଳାଇଥିଲେ l ଖସି ଯାଉଥିବା ବେଳେ ଜଣକୁ କାବୁ କରିନେଇଥିଲେ ଆଶୁତୋଷ l ଲୁଟେରା ଜଣକ ଏକ ସ୍କୃ ଡ୍ରାଇଭରରେ ଆଶୁତୋଷଙ୍କ ବେକକୁ ଆକ୍ରମଣ କରିଥିଲା l ଗୁରୁତର ଆହତ ହୋଇଥିଲେ ମଧ୍ୟ ଲୁଟେରାକୁ ଛାଡି ନଥିଲେ l ପରେ ଗ୍ରାମବାସୀ ପହଞ୍ଚି ଉକ୍ତ ଲୁଟେରାକୁ ମାଡ ମାରି ଘର ଭିତରେ ଅଟକ ରଖିଥିଲେ l ଲୁଟେରା ଯୁବକର ଘର ଧାମନଗର ଥାନା ଅଧୀନରେ l କାବୁ ଚୋରର ମୋବାଇଲ୍ କଲ ଲିଷ୍ଟରୁ ଚୋରିରେ ସମ୍ପୃକ୍ତ ଥିବା ସନ୍ଦେହରେ ଅନ୍ୟ 3 ଜଣ ଯୁବକଙ୍କୁ ମଧ୍ୟ ଅଟକ ରଖିଛି। ନିରଞ୍ଜନଙ୍କ ଘର ଅଲିମିରା ଲକର ଭାଙ୍ଗି 15 ଲକ୍ଷରୁ ଉର୍ଦ୍ଧ୍ୱ ସୁନା ରୁପା ଅଳଙ୍କାର ସହ ନଗଦ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି।

ହାଇଓ୍ବା ଓ ବାଇକ ମୁହାଁମୁହିଁ ଧକ୍କା, ଦୁଇ ମୃତ

ଧର୍ମଗଡ : କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଦୁଲୁକିବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ହାଇଓ୍ବା ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।ଏମାନେ ଭେଜିଗୁଡା ଗାଁର ହୋଇଥିବା ବେଳେ ଏକ ଭୋଜି ଖାଇ ଘରକୁ ଫେରୁଥିଲେ।ଏକ ବାଲି ହାଇୱା ମୋଟର ପଟୁ ଆସୁଥିବା ବେଳେ ମୃତାହତମାନେ ଗୋଟିଏ ବାଇକରେ ଫେରୁଥିଲେ ।ବର୍ତ୍ତମାନ ଦୁର୍ଘଟଣା ଘଟାଇଥିବା ହାଇଓ୍ବା ଫେରାର ହୋଇଥିବା ଜଣାପଡିଛି । ଗୁରୁତର ଦୁହିଁଙ୍କୁ ପୋଲିସ ଗାଡ଼ିରେ ହସ୍ପିଟାଲରେ ପହଞ୍ଚାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ମୁଖିଗୁଡା ଭବାନୀପାଟଣା ମୁଖ୍ୟ ରାସ୍ତାକୁ ଟାୟାର ଜାଳି ଅବରୋଧ କରାଯାଇଛି l…