spot_img
Home Blog Page 2225

ସଂସଦରୁ ନିଲମ୍ବନ ବିରୋଧରେ ଆଜି ଦେଶବ୍ୟାପୀ ପ୍ରତିବାଦ କରିବ ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ : ଆଉ ଚଳିବନି ତାନାଶାହୀ। ଗଣତନ୍ତ୍ରର କଣ୍ଠରୋଧକୁ କରାଯିବନି ବରଦାସ୍ତ। ଯୁକ୍ତିଯୁକ୍ତ ଓ ଯଥାର୍ଥ କାରଣକୁ ନେଇ ଦାବି ଉଠାଇବା ପଡୁଛି ମହଙ୍ଗା। ସଂସଦ ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ବିରୋଧୀ ଦଳ ସାଂସଦ ସରକାରଙ୍କ ବିବୃତି ଦାବି କରି ନିଲମ୍ବିତ ହେବା ପରେ ତାତିଛି ଇଣ୍ଡିଆ ମେଣ୍ଟ। ଆଜି ସାରା ଦେଶରେ ଇଣ୍ଡିଆ ମେ ଣ୍ଟ କରିବ ପ୍ରତିବାଦ। ସାଂସଦଙ୍କ ଗଣତାନ୍ତ୍ରିକ ଅଧିକାରକୁ ଛଡାଇ ନେବା ଲାଗି ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହା ବିରୋଧରେ ସାଂସଦ କରିବେ ଗର୍ଜନ। ଦେଶବ୍ୟାପୀ ବିରୋଧ କରିବାକୁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ କରିଥିଲେ ଘୋଷଣା।

ଗତ ଡିସେମ୍ବର ୧୩ରେ ସଂସଦ ଭିତରେ ଓ ବାହାରେ ଯେପରି ନିରାପତ୍ତା ତ୍ରୁଟି ହୋଇଥିଲା ସେନେଇ ବିରୋଧୀ ଦଳ ସାଂସଦମାନେ ଗୃହମନ୍ତ୍ରୀଙ୍କ ବିବୃତି ଚାହିଁଥିଲେ। ମାତ୍ର ସରକାର ଏହାକୁ କର୍ଣ୍ଣପାତ ନ କରି ବିରୋଧୀଙ୍କ ଦାବିକୁ ଅଗ୍ରାହ୍ୟ କରିଥିଲେ। ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ସାଂସଦମାନଙ୍କୁ ସସପେଣ୍ଡ କରାଯାଇଛି ବୋଲି ବିରୋଧୀ ନେତା ଅଭିଯୋଗ କରିଛନ୍ତି। ଶୀତକାଳୀନ ଅଧିବେଶନରେ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟର ୧୪୬ ସାଂସଦଙ୍କୁ କରାଯାଇଛି ସସପେଣ୍ଡ ।

ଆଜି ଯୋରନ୍ଦା ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଢେଙ୍କାନାଳ : ଆଜି ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ମହିମାପୀଠ ପାଇଁ ଐତିହାସିକ ଦିନ। ସାକାର ହେବ ଦୀର୍ଘ ବର୍ଷର ସ୍ବପ୍ନ। ମହିମାଗାଦି ଚତୁଃପାର୍ଶ୍ବର ଉନ୍ନତିକରଣ, ଭବ୍ୟ ମହିମାଗାଦି ଶୂନ୍ୟ ମଣ୍ଡପ ଏବଂ ଉପାସନା ପୀଠ ଓ ବତୀ ମଣ୍ଡପ ନିର୍ମାଣ ପ୍ରକଳ୍ପର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ଯୋରନ୍ଦା ଯାଇ ମହିମା ଗାଦିର ରୂପାନ୍ତରଣ ପାଇଁ ଭିତ୍ତିସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଦିନ ୧୧ଟାରେ ଯୋରନ୍ଦାରେ ପହଞ୍ଚିବା ନେଇ ସୂଚନା ରହିଛି। ସେଠାରେ ପହଞ୍ଚି ମହିମାଶୂନ୍ୟ ମନ୍ଦିର ପରିସରକୁ ଯାଇ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହାପରେ ମହିମା ସାଧୁସନ୍ଥଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ତେବେ ଯୋରନ୍ଦା ରୂପାନ୍ତରଣ ପାଇଁ ୧୧୨ କୋଟି ଟଙ୍କା ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ପ୍ରକଳ୍ପ ଦ୍ବାରା ଯୋରନ୍ଦା ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ଭାବେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବ। ମହିମା ଧର୍ମର ଆହୁରି ପ୍ରଚାରପ୍ରସାର ହେବ। ମହିମା ସାଧୁଙ୍କ ସହ ଶ୍ରଦ୍ଧାଳୁମାନେ ମଧ୍ୟ ଉପକୃତ ହେବେ। ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ପ୍ରାୟ ୨୦ ହଜାର ସାଧୁସନ୍ଥଙ୍କ ସହ ୪୦ ହଜାରରୁ ଅଧିକ ଜନସାଧାରଣ ଉତ୍ସବରେ ଯୋଗଦାନ କରୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ୧୫ ପାଟୁନ ପୋଲିସ ପୋର୍ସ, ୨ ଜଣ ଅତିରିକ୍ତ ଏସପି, ୮ ଜଣ ଡିଏସପି, ୧୯ ଜଣ ଇନ୍ସପେକ୍ଟର ମୁତୟନ ହୋଇଛନ୍ତି।

ସେହିପରି ପୀଠର ସାମଗ୍ରିକ ବିକାଶ ସହ ଶ୍ରଦ୍ଧାଳୁଙ୍କ ସୁବିଧାକୁ ଗୁରୁତ୍ବ ଦିଆଯାଇଛି। ପ୍ରକଳ୍ପରେ ୨୦ରୁ ଅଧିକ କ୍ଷେତ୍ରର ବିକାଶ କରାଯିବ। ଯେପରିକି ପିଲିଗ୍ରିମ ହଲ୍, ପିଲିଗ୍ରିମ୍ ରେଷ୍ଟ୍ ସେଡ, ଓ୍ବେଟିଂ ହଲ୍, ଶୂନ୍ୟ ମଣ୍ଡପ ଗେଟ୍, ଭିକ୍ଷା ମଣ୍ଡପ ଓ ବେଢ଼ା, ଅଖଣ୍ଡ ବତୀ ମଣ୍ଡପ, ଭଜନ ମଣ୍ଡପ, ଅଖଣ୍ଡ ଧୂନି, ଅମଣିଆ ମଣ୍ଡପ, ଭିକ୍ଷା ମଣ୍ଡପ, ମୁଖ୍ୟ ନୀତି,  ପୂଜକ ଘର, ମୁଖ୍ୟ ନୀତି ସହ ପୂଜକ ଘର, ଚନ୍ଦନ ଘର, ମଠ ନୀତି ଘର, ସରଞ୍ଜାମ ଘର, ଭିକ୍ଷା ମଣ୍ଡପ, ରୋଷେଇ ଘର, ଭେକ ବାନା ମଣ୍ଡପ, ପୋଖରୀ, ଭକ୍ତଙ୍କ ରାତ୍ରୀ ଯାପନ ପାଇଁ ଘର, ପାର୍କିଂ ବ୍ୟବସ୍ଥା, ମହିମା ଗାଦିକୁ ସଂଯୋଗ କରୁଥିବା ରାସ୍ତା, ନୂଆ ଶୁନ୍ୟ ମଣ୍ଡପ ଆଦିର ନିର୍ମାଣ ଏବଂ ଉନ୍ନତିକରଣ କରାଯିବ।

 

କରୋନାକୁ ନେଇ ନୂଆ ଚିନ୍ତା, ଫୁସଫୁସ ନୁହେଁ ଏବେ ପେଟରେ ହେଉଛି ସଂକ୍ରମଣ…

ନୂଆଦିଲ୍ଲୀ: ପୁଣିଥରେ ଦେଶରେ କରୋନା ମାମଲା ଦ୍ରୁତ ଗତି ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାର ସଜାଗ ରହିଛନ୍ତି। ବାସ୍ତବରେ, ବର୍ତ୍ତମାନ କରୋନାର ଜେଏନ.୧ ର ନୂତନ ଭ୍ୟାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ଏହାର ମୋଟ ୨୧ ଟି ନୂଆ ମାମଲା ରିପୋର୍ଟ ହୋଇଛି।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ନୂଆ ଭ୍ୟାରିଆଣ୍ଟ ଯୋଗୁ ଫୁସଫୁସ ନୁହେଁ ପେଟରେ ସଂକ୍ରମଣ ହେଉଛି । ଏହା ଯୋଗୁ ଆକ୍ରାନ୍ତଙ୍କ ଠାରେ ଲୋକମାନେ ଗୁରୁତର ହଜମ ସମସ୍ୟା ଦେଖାଯାଉଛି। ତେବେ ଏପର୍ଯ୍ୟନ୍ତ ଏନେଇ ସବିଶେଷ ତଥ୍ୟ ପ୍ରକାଶ ପାଇନାହିଁ।
ଅଷ୍ଟ୍ରିଆ, ଜର୍ମାନୀ, ନେଦରଲାଣ୍ଡ, ସ୍ବିଜରଲାଣ୍ଡ ଏବଂ ସିଙ୍ଗାପୁର ସମେତ ଅନେକ ଦେଶରେ ପରୀକ୍ଷା ଦ୍ରୁତ ଗତିରେ ଜାରି ରହିଛି। ମେଲବୋର୍ନରେ

ଇନଫ୍ଲୁଏଞ୍ଜା ଉପରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ସହଯୋଗ କେନ୍ଦ୍ରର ଅନୁସନ୍ଧାନ ଏବଂ କେନ୍ଦ୍ରର ନିର୍ଦ୍ଦେଶକ କାନ୍ତା ସୁବାରାଭାନ କହିଛନ୍ତି, ଏହା ଆକ୍ରାନ୍ତଙ୍କ ହଜମ ପ୍ରକ୍ରିୟାରେ କୌଣସି କ୍ଷତି ଘଟାଉଛି କି ନାହିଁ ଆମେ ଶୀଘ୍ର ଅନୁସନ୍ଧାନ କରୁଛୁ। ସେହିଭଳି, ଆମେ ଓମିକ୍ରନ ଭ୍ୟାରିଆଣ୍ଟକୁ ମଧ୍ୟ ଅନୁସନ୍ଧାନ କରି ଠିକ ସମୟରେ ଚିହ୍ନଟ କରିଥିଲୁ। ଆମେ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛୁ।

ମେଲବୋର୍ନ ବିଶ୍ୱବିଦ୍ୟାଳୟର ପିଟର ଡୋହର୍ଟି ଇନଷ୍ଟିଚ୍ୟୁଟ ଫର ଇନଫେକ୍ସନ ଆଣ୍ଡ ଇମ୍ୟୁନିଟିର ମାଇକ୍ରୋବାୟୋଲୋଜି ଏବଂ ଇମ୍ୟୁନୋଲୋଜି ପ୍ରଫେସର ସୁବାରାଓ କହିଛନ୍ତି, ଜରୁରୀକାଳୀନ ୱାର୍ଡ ପରିଦର୍ଶନ ଏବଂ ଅନ୍ୟାନ୍ୟ ଚିକିତ୍ସା ତଥ୍ୟ ଦ୍ୱାରା ଏହି ନୂତନ ପ୍ରକାରର ଗମ୍ଭୀରତା ନିର୍ଣ୍ଣୟ କରାଯାଇଛି।ଏହା ରୋଗୀର ହଜମ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଉଛି କି ନାହିଁ ସେନେଇ ନିର୍ଦ୍ଦିଷ୍ଟ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ତେବେ କେତେକଙ୍କଠାରେ ସେଭଳି କିଛି ସମସ୍ୟା ପ୍ରକାଶ ପାଇଛି। ନଭେମ୍ବର ପର୍ଯ୍ୟନ୍ତ ନେଦରଲାଣ୍ଡର କରୋନା ପୀଡିତମାନଙ୍କଠାରେ ସେଭଳି ଗୁରୁତର ପେଟ ସମସ୍ୟା ଥିବା ଲକ୍ଷଣ ଦେଖାଯାଇ ନ ଥିଲା। ଅଧିକାଂଶ ଲକ୍ଷଣ ୨୦୨୨ରେ ବ୍ୟାପିଥିବା ସଂକ୍ରମଣ ସହିତ ସମାନ ଥିଲା ।

ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ପତ୍ନୀ ଗୌରୀଙ୍କୁ ଇଡିର ନୋଟିସ୍! ଜାଣନ୍ତୁ କ’ଣ ରହିଛି ପୂରା ଘଟଣା

ମୁମ୍ବାଇ: ଅଡୁଆରେ ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ। ତାଙ୍କୁ ପଚରାଉଚରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସେ ୩୦ କୋଟି ଟଙ୍କା ଠକେଇ ମାମଲାରେ ଫସିଛନ୍ତି। ଏଥିପାଇଁ ତାଙ୍କୁ ଇଡି ପକ୍ଷରୁ ଜାରି ହୋଇଛି ନୋଟିସ। ଲକ୍ଷ୍ନୌ ସ୍ଥିତ ରିୟଲ ଇଷ୍ଟେଟ୍ କମ୍ପାନୀ ତାଙ୍କ ନାଁରେ ଏହି ଠକେଇ ଅଭିଯୋଗ ଆଣିଥିଲା। ତେବେ ଏହି ଖବରକୁ ଖଣ୍ଡନ କରିଛି ଇଡି। ଏହା ଏକ ଗୁଜବ ବୋଲି କହିଛି। ଗୌରୀ ଖାନଙ୍କୁ ଇଡି ପକ୍ଷରୁ କୌଣସି ନୋଟିସ ଜାରି ହୋଇନଥିବା ନେଇ ସୂଚନା ମିଳିଛି।

ନିକଟରେ ଗୌରୀ ଖାନଙ୍କ ବିଷୟରେ ଏକ ରିପୋର୍ଟ ସାମ୍ନାକୁ ଆସିଥିଲେ। ଯେଉଁଥିରେ ଦାବି କରାଯାଇଥିଲା ଯେ ତାଙ୍କ ବିରୋଧରେ ଇଡି ନୋଟିସ ଜାରି କରିଛି। ଏକ ଠକେଇ ମାମଲାରେ ଇଡି ଗୌରୀଙ୍କୁ ପଚରାଉଚରା କରିବା ପାଇଁ ଅନୁମତି ମାଗିଛି। ତେବେ ଏହି ସମସ୍ତ ଖବର ଏବେ ମିଛ ବୋଲି ସାମ୍ନାକୁ ଆସିଛି।

ଉଲ୍ଲେଖଯୋଗ୍ୟ, ମୁମ୍ବାଇର ବାସିନ୍ଦା କିରିଟ୍ ଜସୱନ୍ତ ଶାହାଙ୍କର ଲକ୍ଷ୍ନୌର ତୁଲସିଆନି ଗ୍ରୁପ୍ର ପ୍ରୋଜେକ୍ଟ ସୁଶାନ୍ତ ଗଲ୍ଫ ସିଟିରେ ଏକ ଫ୍ଲାଟ ରହିଛି। ସେ ୨୦୧୫ରେ ସମାନ ଅଟ୍ଟାଳିକାରେ ଫ୍ଲାଟ କିଣିଥିଲେ, କିନ୍ତୁ ବିଲଡର ତାଙ୍କୁ ତାଙ୍କ ସମ୍ପତ୍ତି ଦେଇ ନାହାଁନ୍ତି କି ତାଙ୍କୁ ତାଙ୍କ ୮୫ ଲକ୍ଷ ଟଙ୍କା ଫେରସ୍ତ କରିନାହାଁନ୍ତି। ଏହି କାରଣରୁ ଜସୱନ୍ତ ଶାହା ନିକଟରେ ତୁଲସିଆନି ଗ୍ରୁପ୍ ନିର୍ଦ୍ଦେଶକ ଅନିଲ କୁମାର ତୁଲସିଆନି, ମହେଶ ତୁଲସିଆନି ଏବଂ ଗୌରୀ ଖାନଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଏହି ପ୍ରକଳ୍ପର ବିଜ୍ଞାପନ ଗୌରୀ ଖାନଙ୍କ ଦ୍ୱାରା କରାଯାଇଥିଲା। ସେ ଗୌରୀଙ୍କ ନାମରେ ବିଶ୍ୱାସ କରି ଏହି ପ୍ରକଳ୍ପରେ ଟଙ୍କା ବିନିଯୋଗ କରିଥିଲେ। ସେ ଠକେଇର ଶିକାର ହୋଇଛନ୍ତି ବୋଲି ମାମଲା ରୁଜୁ କରିଥିବା ବ୍ୟକ୍ତି କହିଛନ୍ତି। ଏହି କାରଣରୁ ଗୌରୀଙ୍କ ନାମ ମଧ୍ୟ ଏହି ମାମଲାରେ ସମ୍ପୃକ୍ତ ଥିବା କୁହାଯାଉଥିଲା।

ଡିସେମ୍ବର ଶେଷ ସୁଦ୍ଧା ସାରିଦିଅନ୍ତୁ ଏସବୁ କାମ…

ନୂଆଦିଲ୍ଲୀ: ନୂଆ ବର୍ଷକୁ ଆଉ ମାତ୍ର ୧୩ ଦିନ ବାକି ଅଛି। ତେବେ ଏହି ସମୟ ସୀମା ଭିତରେ ଯଦି ଆପଣଙ୍କର କିଛି ଆର୍ଥିକ କାରବାର ସମସ୍ୟା ରହିଛି ତେବେ ତୁରନ୍ତ ଏହାକୁ ସାରିଦିଅନ୍ତୁ। କାରଣ ଅନେକ ଗୁଡିଏ ଆର୍ଥିକ ସମସ୍ୟାର ସମାଧାନ ପାଇଁ ଏହି ମାସ ହେଉଛି ଶେଷ ମାସ। ଏହାବ୍ୟତୀତ ଅନେକ କାମର ଅବଧି ତାରିଖ ୩୧ ଡିସେମ୍ବରରେ ମଧ୍ୟ ଶେଷ ହେଉଛି। ଯେମିତିକି ମ୍ୟୁଚୁଆଲ୍ ଫଣ୍ଡ ଏବଂ ଡେମାଟରେ ନାମାଙ୍କନ ଯୋଡିବା, ଏସବିଆଇ ଅମୃତ କାଲାଶରେ ବିନିଯୋଗ କରିବା ଏବଂ ବ୍ୟାଙ୍କ ଲକର ଚୁକ୍ତିର ଶେଷ ତାରିଖ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କାମ ଏଥିରେ ଅନ୍ତର୍ଭୁକ୍ତ ରହିଛି। ତେବେ ଆସନ୍ତୁ ଜାଣିବା ଏହିପରି ୫ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବିଷୟରେ ଯାହାକୁ ୩୧ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କରିବା ଆପଣଙ୍କୁ ନିହାତି ଦରକାର।

BOB ଏବଂ SBI ଗ୍ରାହକମାନଙ୍କ ପାଇଁ ଜରୁରୀ ସୂଚନା-
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ୍ ବରୋଦାରେ ବ୍ୟାଙ୍କ ଲକର ଥିବା ଗ୍ରାହକଙ୍କୁ ୩୧ ଡିସେମ୍ବର ସୁଦ୍ଧା ବ୍ୟାଙ୍କ ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ପଡିବ। ସମସ୍ତ ବ୍ୟାଙ୍କକୁ ବ୍ୟାଙ୍କ ଲକର ପାଇଁ ନୂତନ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ଗ୍ରାହକଙ୍କୁ ଜଣାଇବାକୁ ଆରବିଆଇ ପକ୍ଷରୁ କୁହାଯାଇଛି। ଯଦି ଆପଣଙ୍କର ଏସବିଆଇ କିମ୍ବା ବ୍ୟାଙ୍କ ଅଫ୍ ବରୋଦାରେ ବ୍ୟାଙ୍କ ଲକର ଅଛି, ତେବେ ଆପଣଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଆଗାମୀ ୧୪ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ପଡିବ।

ମ୍ୟୁଚୁଆଲ୍ ଫଣ୍ଡ ଆକାଉଣ୍ଟରେ ନାମାଙ୍କନ ଯୋଗ କରିବାର ଶେଷ ତାରିଖ-
ଯଦି ଆପଣ ଆପଣଙ୍କ ମ୍ୟୁଚୁଆଲ୍ ଫଣ୍ଡ ଆକାଉଣ୍ଟରେ ଡିସେମ୍ବର ୩୧, ୨୦୨୩ ସୁଦ୍ଧା ନାମାଙ୍କନ ଘୋଷଣା କରୁନାହାନ୍ତି ତେବେ ଆପଣଙ୍କ ମ୍ୟୁଚୁଆଲ୍ ଫଣ୍ଡ ଆକାଉଣ୍ଟ ଫ୍ରିଜ୍ ହୋଇଯିବ। ଏହାର ଅର୍ଥ ହେଉଛି ଯଦି ଆପଣ ଏହି ସମୟ ସୀମାକୁ ହାତଛଡ଼ା କରନ୍ତି, ତେବେ ଆପଣ ଟଙ୍କା ପ୍ରତ୍ୟାହାର କିମ୍ବା ଜମା କରିବାରେ ସମର୍ଥ ହେବେ ନାହିଁ। ମ୍ୟୁଚୁଆଲ୍ ଫଣ୍ଡ ସହିତ, ଡେମାଟ୍ ଆକାଉଣ୍ଟଧାରୀଙ୍କ ପାଇଁ ମଧ୍ୟ ୩୧ ଡିସେମ୍ବର ସୁଦ୍ଧା ନାମାଙ୍କନ ଦେବା ବାଧ୍ୟତାମୂଳକ।

ଅପଡେଟ୍ ହୋଇଥିବା ITR ଫାଇଲ୍ କରିବାର ଶେଷ ତାରିଖ-
ଆର୍ଥିକ ବର୍ଷ ୨୦୨୨-୨୩ ଅର୍ଥାତ୍ ମୂଲ୍ୟାଙ୍କନ ବର୍ଷ ୨୦୨୩-୨୪ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ଥିଲା ଜୁଲାଇ ୩୧, ୨୦୨୩ । ଯେଉଁମାନେ ଏହି ତାରିଖ ସୁଦ୍ଧା ITR ଫାଇଲ୍ କରିପାରିନାହାନ୍ତି, ତଥାପି ସେମାନେ ଡିସେମ୍ବର ୩୧, ୨୦୨୩ ପର୍ଯ୍ୟନ୍ତ ବିଳମ୍ବ ଫି ସହିତ ଅପଡେଟ୍ ହୋଇଥିବା ITR ଫାଇଲ୍ କରିପାରିବେ।

SBI ଅମୃତ କଳସ ସମେତ ଅନେକ ସ୍ୱତନ୍ତ୍ର FDର ସମୟସୀମା-
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ସ୍ୱତନ୍ତ୍ର ଏଫଡି ସ୍କିମ୍ ସହିତ ଅମୃତ କଳସ ସ୍କିମ୍ ଓ ଅନେକ ସ୍ୱତନ୍ତ୍ର ଏଫଡିର ଅବଧି ତାରିଖ ୩୧ ଡିସେମ୍ବରରେ ଶେଷ ହେଉଛି। ଏହି ପରିସ୍ଥିତିରେ, ଆପଣଙ୍କ ପାଖରେ ଆଉ ମାତ୍ର ୧୪ ଦିନ ବାକି ଅଛି । ଆପଣ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏସବିଆଇର ସ୍ୱତନ୍ତ୍ର ଏଫଡି ସ୍କିମ ଅମୃତ କଳସ, ଆଇଡିବିଆଇ ବ୍ୟାଙ୍କର ସ୍ୱତନ୍ତ୍ର ଫିକ୍ସଡ ଡିପୋଜିଟ ସ୍କିମ ଅମୃତ ମହୋତ୍ସବ ଏବଂ ଇଣ୍ଡିଆନ ବ୍ୟାଙ୍କର ଇଣ୍ଡ ସେଭର ନାମକ ଏଫଡି ଯୋଜନାରେ ବିନିଯୋଗ କରିପାରିବେ।

ବନ୍ଦ ହୋଇପାରେ UPI ID
ଯଦି ଆପଣଙ୍କର କୌଣସି UPI ID ଅଛି ଯାହାକୁ ଆପଣ ଏକ ବର୍ଷରୁ ଅଧିକ ସମୟ ବ୍ୟବହାର କରିନାହାଁନ୍ତି, ତେବେ ଏହା ଡିସେମ୍ବର ୩୧ ପରେ ବନ୍ଦ ହୋଇଯିବ । ଏପରି ପରିସ୍ଥିତିରେ, ଯଦି ଆପଣ ଗତ ଏକ ବର୍ଷ ମଧ୍ୟରେ ଆପଣଙ୍କର UPI ID ବ୍ୟବହାର କରିନାହାଁନ୍ତି, ତେବେ ଯଥାଶୀଘ୍ର ଏହାକୁ ବ୍ୟବହାର କରନ୍ତୁ । ଫଳରେ ଆପଣଙ୍କ UPI ID ସୁରକ୍ଷିତ ଭାବେ ଚାଲୁ ରହିବ ।

ରାଜ୍ୟରେ ୩ ହଜାର ୧୬୦ କୋଟି ଟଙ୍କାର ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ

ଆନନ୍ଦପୁର: ରାଜ୍ୟରେ ୩ ହଜାର ୧୬୦ କୋଟି ଟଙ୍କାର ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪ଟି ପ୍ରମୁଖ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ବୈତରଣୀ ବାମ ପାର୍ଶ୍ବ କେନାଲ ସହିତ ହଳଦିଆ ଡ୍ୟାମର ଲୋକାର୍ପଣ କରାଯାଇଛି।

ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ୨୮ କି.ମି. ଦୀର୍ଘ ବୈତରଣୀ ବାମ ପାର୍ଶ୍ୱ କେନାଲ ଦ୍ୱାରା ବୈତରଣୀ ଓ ସାଳନ୍ଦି ନଦୀକୁ ଯୋଡା ଯାଇଛି। ଏହା ଦ୍ୱାରା କେନ୍ଦୁଝର ଜିଲ୍ଲାର ହାଟଡିହି ଓ ଆନନ୍ଦପୁର ବ୍ଲକରେ ୨ ହଜାର ୨୨୧ ହେକ୍ଟର ଜମି ଜଳସେଚିତ ହେବ। ବାଲେଶ୍ବର ଜିଲ୍ଲାର ୭ଟି ବ୍ଲକରେ ୫୬ ହଜାର ୫୫୦ ହେକ୍ଟର ଜମିକୁ ଖରିଫ୍ ଋତୁରେ ଜଳସେଚନ ସୁବିଧା ମିଳିବ। ଏହା ସହିତ ସାଳନ୍ଦି ଡ୍ୟାମରେ ଗଚ୍ଛିତ ଜଳକୁ ବ୍ୟବହାର କରାଯାଇ ରବି ଋତୁରେ ୫୦ ହଜାର ହେକ୍ଟର ଜମିକୁ ମଧ୍ୟ ଜଳସେଚନର ସୁବିଧା ଦିଆଯିବ। ସମୁଦାୟ ୧,୦୮,୭୭୧ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ମିଳିବ।

ସେହିପରି ହଳଦିଆ ଡ୍ୟାମ ହେଉଛି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଏକ ଅଂଶ। ବର୍ତ୍ତମାନ ସୁଦ୍ଧା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଜରିଆରେ ୬୨ ହଜାର ୪୮୦ ହେକ୍ଟର ଜଳସେଚନର ସୁବିଧା ଦିଆଯାଇଥିବା ବେଳେ ହଳଦିଆ ଡ୍ୟାମ ଦ୍ୱାରା ଆଉ ୫ ହଜାର ୫୨୦ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ। ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଓ ଖଇରି ଭଣ୍ଡନ ବ୍ୟାରେଜ ପାଇଁ ଭିତ୍ତି ରଖିଛନ୍ତି। ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ ହେବା ପରେ ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ୩୯ ହଜାର ୬୯୪ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିପାରିବ।

ମୟୁରଭଞ୍ଜ ଜିଲ୍ଲାର ଅଂଳାବଣୀ ଗ୍ରାମ ନିକଟରେ ଖଇରି ଭଣ୍ଡନ ନଦୀ ଉପରେ ବ୍ୟାରେଜ କାମ ଆରମ୍ଭ କରାଯିବ। ଏହା ଦ୍ୱାରା ୩ଟି ବ୍ଲକର ୬,୯୫୦ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବା ସହିତ ୩୫,୦୦୦ ଲୋକଙ୍କୁ ପିଇବା ପାଣିର ସୁବିଧା ମିଳିପାରିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀ ଭାଇକୁ ସାଥିରେ ଧରି ଆମେ ଆଗକୁ ବଢୁଛୁ। ଚାଷୀ ଭାଇ ହେଉଛନ୍ତି ଆମର ଅର୍ଥନୀତିର ସାରଥୀ। ଚାଷୀ ଭାଇଙ୍କ ସାଥିରେ ମୁଁ ସବୁବେଳେ ରହିଛି। ସେମାନଙ୍କ ପାଇଁ କାମ କରୁଛି ଓ କରୁଥିବି ବୋଲି ନବୀନ ପ୍ରତିଶ୍ରୁତି ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ସମେତ ଜନପ୍ରିତିନିଧି ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସଂଯୋଜନା କରିଥିଲେ। ସେ କହିଥିଲେ, ମୁଖ୍ୟମନ୍ତ୍ରୀ ଜଳସେଚନର ଉନ୍ନତି ଓ ଚାଷୀ ଭାଇଙ୍କର ଉନ୍ନତିକୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି। 5T ଅଧ୍ୟକ୍ଷ ଗତ ଅଗଷ୍ଟ ୧୧ ତାରିଖରେ ଯଶିପୁର ଯାଇଥିବା ବେଳେ ସ୍ଥାନୀୟ ଚାଷୀ ମାନେ ଖଇରୀଭଣ୍ଡନ ବ୍ୟାରେଜ ପାଇଁ ତାଙ୍କୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବ ପରେ ମାତ୍ର ଚାରି ମାସ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଞ୍ଜୁର ହୋଇ କାମ ଆରମ୍ଭ ହୋଇପାରିଛି।

କଟକ ଗସ୍ତରେ ଯାଇ ବିଭିନ୍ନ ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

କଟକ: କଟକ ଗସ୍ତରେ ଯାଇ ବିଭିନ୍ନ ରୂପାନ୍ତର କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏସସିବି ମେଡିକାଲ କଲେଜ, ଚଣ୍ଡୀ ମନ୍ଦିର, ତାଳଦଣ୍ଡା କେନାଲ ଓ ରେଭେନ୍ସା ବାଳିକା ବିଦ୍ୟାଳୟ ଆଦି ପରିଦର୍ଶନ କରିଛନ୍ତି। କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କରି ମା’ଙ୍କ ଦର୍ଶନ କରିବା ସହିତ ମନ୍ଦିରର ବିଭିନ୍ନ ରୂପାନ୍ତର କାମ ସଂପର୍କରେ ପୂଜକ, ଜିଲ୍ଲାପ୍ରଶାସନ ସହିତ ଆଲୋଚନା କରିଛନ୍ତି।

ମା’ଙ୍କ ମନ୍ଦିରର ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି। ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ଜଳ ନିଷ୍କାସନ, ପାର୍କିଂ ଓ ଅନ୍ୟାନ୍ୟ କାର୍ଯ୍ୟକୁ ଅନୁଧ୍ୟାନ କରି ଏହାକୁ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି 5T ଅଧ୍ୟକ୍ଷ। ଯାତ୍ରୀମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବରେ ମା’ଙ୍କ ଦର୍ଶନ କରିପାରିବେ ଏବଂ ଏକ ଦିବ୍ୟ ଅନୁଭବ ଲାଭ କରିବେ, ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।

ପରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରି ଏହାର ରୂପାନ୍ତର କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ। ୪ଟି କ୍ଲିନିକାଲ ବ୍ଲକ୍ ଓ ୧୩ଟି ଆବାସିକ ବ୍ଲକର ନିର୍ମାଣ କାର୍ଯ୍ୟ ଶୀଘ୍ର ସଂପୂର୍ଣ୍ଣ ଭାବେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ରେଭେନ୍ସା ବାଳିକା ବିଦ୍ୟାଳୟ ବୁଲି ଦେଖିଥିଲେ। ସେଠାରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। 5T ଉପକ୍ରମରେ ସ୍କୁଲର ବିକାଶ କରାଯିବ ବୋଲି କହିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣ, ୩ ଯବାନ ସହିଦ

0

ପୁଞ୍ଚ: ଜାମ୍ମୁ ଓ କାଶ୍ମୀର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ସେନା ଗାଡ଼ି ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଫଳରେ ସହିଦ ହୋଇଛନ୍ତି ୩ ଯବାନ। ପୁଞ୍ଚ ରଜୌରୀ-ଥାନାମଣ୍ଡି-ସୁରଣକୋଟ ରାସ୍ତାର ସବନି ନିକଟରେ ୨ଟି ଗାଡ଼ିରେ ଯାଉଥିବା ଯବାନଙ୍କୁ ଆତଙ୍କବାଦୀମାନେ ଘେରି ଯାଇ ଗୁଳିମାଡ଼ କରିଥିଲେ। ଅପରାହ୍ନ ପ୍ରାୟ ୩ଟା ୪୫ ବେଳେ ଏହି ଘଟଣା ଘଟିଥିଲା।

ଏହି ଆକ୍ରମଣରେ ୩ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି। ବୁଧବାର ରାତିରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିଲା ଗୁଳି ବିନିମୟ । ସେନା ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ୪୮ ରାଷ୍ଟ୍ରିୟ ରାଇଫଲସ୍ ଅଞ୍ଚଳରେ ଏହି ଅପରେସନ୍ ଚାଲିଛି।  ଘଟଣା ସଂପର୍କରେ ଖବର ପାଇବା ପରେ ସେନାର ଅତିରିକ୍ତ ଟିମ୍‌କୁ ସେଠାକୁ ପଠାଯାଇଛି। ମାସକ ମଧ୍ୟରେ ଦ୍ବିତୀୟ ଆକ୍ରମଣ କରିଛନ୍ତି ଆତଙ୍କବାଦୀ।

କେଉଁ ରାଜ୍ୟ ବନିଲାଣି କରୋନାର ନୂଆ ଗଡ଼?

ନୂଆଦିଲ୍ଲୀ: ସାରା ଦେଶରେ ପୁଣି ଥରେ କରୋନା ବ୍ୟାପିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୫୮ ନୂଆ ମାମଲା ରୁଜୁ କରାଯାଇଛି।  କ୍ରମାଗତ ଭାବେ କରୋନା ମାମଲା ବୃଦ୍ଧି ପାଉଥିବାରୁ ଚିନ୍ତାର ବିଷୟ ପାଲଟିଛି।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା ସଂକ୍ରମଣ ଯୋଗୁଁ ୬ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସମୟରେ ଚଣ୍ଡିଗଡ଼ରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏଭଳି ପରିସ୍ଥିତିରେ ମନକୁ ଆସୁଥିବ ଯେ କେଉଁ ରାଜ୍ୟରେ କରୋନା ଅଧିକ ବ୍ୟାପୁଛି।

ରିପୋର୍ଟ ଅନୁସାରେ ଦକ୍ଷିଣ ଭାରତୀୟ ରାଜ୍ୟ କେରଳରେ ସର୍ବାଧିକ କରୋନା ମାମଲା ଦେଖିବାକୁ ମିଳୁଛି। ବୁଧବାର ଦିନ ମୋଟ୍ ୩୫୮ ମାମଲା ମଧ୍ୟରୁ କେବଳ କେରଳରେ ୩୦୦ ମାମଲା ରୁଜୁ ହୋଇଛି। ସେହିପରି ମୃତ୍ୟୁ ସଂଖ୍ୟା ୩ ରହିଛି। ଦେଶରେ ବର୍ତ୍ତମାନ ସମୟରେ କୋଭିଡ଼ର ମୋଟ୍ ମାମଲା ୨୬୬୯ ରହିଛି। ମୃତ୍ୟୁ ସଂଖ୍ୟା ଦେଖିଲେ କେରଳ ପରେ କର୍ଣ୍ଣାଟକ ଓ ପଞ୍ଜାବରେ ଯଥାକ୍ରମେ ଦୁଇ ଓ ଜଣଙ୍କର ମୃତ୍ୟୁ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କେରଳ ଉପରେ ତୀକ୍ଷ୍ନ ନଜର ରଖାଯାଇଛି। କେରଳରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩୪୧ ରହିଛି। ଏପଟେ ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛି ମନ୍ତ୍ରଣାଳୟ।

ଓମିକ୍ରନର ସବଭାରିଆଣ୍ଟ ଜେଏନ-1କୁ ନେଇ ଉଦବେଗ ପ୍ରକାଶ କଲେ ସ୍ବାସ୍ଥ୍ଯ ବିଶେଷଜ୍ଞ

0

ନୂଆଦିଲ୍ଲୀ: ଓମିକ୍ରନର ସବଭାରିଆଣ୍ଟ ଜେଏନ-1କୁ ନେଇ ଚେତାବନୀ। ଦେଶରେ ଏହି ଭାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ଯା ବଢୁଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ଦୁଇ ପ୍ରଖ୍ଯାତ ସ୍ବାସ୍ଥ୍ଯ ବିଶେଷଜ୍ଞ। ସେପଟେ ଦେଶରେ ଗତ ୨ ସପ୍ତାହରେ ୨୩ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଭାରତୀୟ ମେଡିକାଲ ଆସୋସିଏସନ କୋଭିଡ ଟାସ୍କଫୋର୍ସର ଉପାଧ୍ଯକ୍ଷ ଡାକ୍ତର ରାଜୀବ ଜୟଦେବନ କହିଛନ୍ତି- ଇନଫ୍ଲୁଏଞ୍ଜା ପରି ଲକ୍ଷଣ ଥିବା ସମସ୍ତ ରୋଗୀଙ୍କ ମଧ୍ୟରୁ ୩୦ ପ୍ରତିଶତ ରୋଗୀ ହେଉଛନ୍ତି କୋଭିଡ ପଜିଟିଭ।

କେରଳର କୋଚି ଅଞ୍ଚଳରେ ଠାବ ହୋଇଥବା ସଂକ୍ରମିତଙ୍କ ପରୀକ୍ଷାରୁ ଏହି ସୂଚନା ମିଳିଛି । ଏହାର ଗୋଷ୍ଠୀଭିତ୍ତିକ ସଂକ୍ରମଣ ହେଉଛି ଏବଂ ଆଖପାଖ ଲୋକଙ୍କୁ ବ୍ଯାପୁଛି । ବର୍ତ୍ତମାନ ସୁଦ୍ଧା ଯେତିକି କୋଭିଡ ଭାରିଆଣ୍ଟ ଚିହ୍ନଟ ହେଲେଣି ସେମାନଙ୍କ ମଧ୍ଯରୁ ଜେଏନ1 ସବୁଠାରୁ ଅଧିକ ସଂକ୍ରମଣଶୀଳ ବୋଲି କହିଛନ୍ତି ଡାକ୍ତର ଜୟଦେବନ ।

ସେହିପରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପୂର୍ବତନ ମୁଖ୍ଯ ବୈଜ୍ଞାନିକ ଡାକ୍ତର ସୌମ୍ୟା ସ୍ବାମୀନାଥନ କହିଛନ୍ତି- କୋଭିଡ ସଂକ୍ରମଣକୁ ଏକ ମାମୁଲି ଥଣ୍ଡା ରୋଗ ଭାବେ ଗ୍ରହଣ କରିବା ଅନୁଚିତ । ଏହି ରୋଗରେ ପଡୁଥିବା ଲୋକମାନଙ୍କ କ୍ଷେତ୍ରରେ ଦୀର୍ଘକାଳ ଲାଗି ପ୍ରଭାବ ପଡିଥାଏ ଏବଂ ସେମାନଙ୍କ ନିକଟରେ ହୃଦଘାତ, ଷ୍ଟ୍ରୋକ, ମାନସିକ ସ୍ବାସ୍ଥ୍ଯ ସମସ୍ୟା ଆଦି ପରିଲକ୍ଷିତ ହୋଇଥାଏ ।

ତେବେ ଦୁଇ ବୈଜ୍ଞାନିକଙ୍କ ମତରେ ଯଦିଓ ଏହି ଭାରିଆଣ୍ଟ ଅଧିକ ସଂକ୍ରମଣଶୀଳ ତଥାପି ହସ୍ପିଟାଲରେ ଭର୍ତ୍ତି ହେବା ପରି ସମସ୍ୟା ସୃଷ୍ଟି କରିବ ନାହିଁ । ଭାରତରେ ଟିକାକରଣ ହାର ଅଧିକ ହୋଇଥିବାରୁ ଏହି ବିପଦ ନ ଆସିପାରେ । ତେବେ  ବୟସ୍କ, ଦୁର୍ବଳ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିମାନେ ମାସ୍କ ପରିଧାନ କରିବା ଲାଗି ସେମାନେ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜେଏନ-1 ସବଭାରିଆଣ୍ଟ କେରଳ, ମହାରାଷ୍ଟ୍ର ଓ ଗୋଆରେ ୨୧ ଜଣଙ୍କୁ ସଂକ୍ରମିତ କରିଛି । ବିଭିନ୍ନ ରାଜ୍ୟ ପକ୍ଷରୁ ବି ଏଥିଲାଗି ସତର୍କତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରସ୍ତୁତ ରହିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ କେନ୍ଦ୍ର ସରକାର ପରାମର୍ଶ ଦେଇସାରିଛନ୍ତି । ସେପଟେ ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୨ ହଜାର ୬୬୮।