ନୟାଗଡ଼: ଭିଜିଲାନ୍ସ ଜାଲରେ ନୟାଗଡ ଉଠାଜଳସେଚନ ବିଭାଗ ଜେଇ ଗୋପବନ୍ଧୁ ବୋଇତୋଇ ଏବଂ ଠିକାଦାର ଶ୍ରୀକାନ୍ତ ପତି । ବୋରୱେଲ୍ ଖୋଳିବା ପାଇଁ ଠିକାଦାର ମାଧ୍ୟମରେ ୯ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡିବସିଲା ନୟାଗଡ ଭିଜିଲାନ୍ସ । ରଣପୁର ଅଞ୍ଚଳର ଚାଷୀ ମନୋରଞ୍ଜନ ଦାସ ନିଜ ଜମିରେ ବୋରୱେଲ୍ ଖୋଳିବା ପାଇଁ ନୟାଗଡ ଉଠାଜଳସେଚନ ବିଭାଗରେ ଆବେଦନ କରିଥିଲେ । ଏଥିପାଇଁ ବିଭାଗୀୟ ଅନୁମତି ମିଳିବା ପରେ ମନୋରଞ୍ଜନ ୨୦ହଜାର ଟଙ୍କା ଡିପୋଜିଟ୍ କରିଥିଲେ । ତେବେ ବୋରୱେଲ୍ ଖୋଳିବା ପାଇଁ ଠିକାଦାର ଶ୍ରୀକାନ୍ତଙ୍କ ମାଧ୍ୟମରେ ମନୋରଞ୍ଜନଙ୍କୁ ଜେଇ ଗୋପବନ୍ଧୁ ୯ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ମନୋରଞ୍ଜନ ନୟାଗଡ ଭିଜିଲାନ୍ସ ରେ ଅଭିଯୋଗ କରିଥିଲେ । ଆଜି ଜେଇଙ୍କ ଅଫିସରେ ମନୋରଞ୍ଜନଙ୍କ ଠାରୁ ଠିକାଦାର ଶ୍ରୀକାନ୍ତ ୯ହଜାର ଟଙ୍କା ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ଭିଜିଲାନ୍ସ ୯ହଜାରଟଙ୍କା ଜବତ କରିବା ସହ ଉଭୟ ଜେଇ ଏବଂ ଠିକାଦାରଙ୍କୁ ଗିରଫ କରିଛି । ଜେଇ ଗୋପବନ୍ଧୁଙ୍କ ଅଫିସ , ନୟାଗଡର ଭଡାଘର ଏବଂ ଯାଜପୁରର ପୈତୃକ ଘରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି ।
ଆସନ୍ତା ୧୮ରେ ଚକ ଅଖ ବନ୍ଦ କରିବ ଟ୍ରକ ମାଲିକ ସଂଘ
କେନ୍ଦୁଝର: ଆସନ୍ତା ୧୮ରେ ଚକ ଅଖ ବନ୍ଦ କରିବ ଟ୍ରକ ମାଲିକ ସଂଘ । ସାମ୍ବାଦିକ ସମ୍ମିଳନୀରେ କେନ୍ଦୁଝର ଜିଲ୍ଲା ଟ୍ରକ ମାଲକ ସଂଘ ଏନେଇ ସୂଚନା ଦେଇଛି । କେନ୍ଦୁଝର ଶୁଆକାଟିସ୍ଥିତ ଓଏମସି ଗନ୍ଧମାର୍ଦ୍ଧନ ମାଇନ୍ସଠାରୁ ଗୁହାଳଡିହି ସାଇଡିଂ ପର୍ଯ୍ୟନ୍ତ ଟ୍ରେନ ଲାଇନ ବିଚ୍ଛାଇବା ପାଇଁ କେନ୍ଦ୍ର ଅନୁମୋଦନ କରିଛି । ଏଥିପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାଦ୍ବାରା ଟ୍ରକ ମାଲିକ ମାନେ କ୍ଷତି ସହିବା ସହ ଜିଲ୍ଲାର ଅର୍ଥନୀତି ପ୍ରଭାବିତ ହେବ ବୋଲି ସଂଘ କହିଛି । ଏଣୁ କ୍ଷୋଭ ପ୍ରକାଶ କରିବା ସହ ପ୍ରତିବାଦରେ ଆସନ୍ତା ୧୮ ତାରିଖରେ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛି ଟ୍ରକ ମାଲିକ ସଂଘ । ତେବେ ଆନ୍ଦୋଳନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ , ପରୀକ୍ଷା ଦେବାକୁ ଯାଉଥିବା ପିଲାଙ୍କ ସହ ମେଡ଼ିକାଲକୁ ଯାଉଥିବା ରୋଗୀ ଯେପରି କୌଣସି ସମସ୍ୟା ଭୋଗିବେନି ସେନେଇ ପଦକ୍ଷେପ ନିଆଯିବ ।
ବୈତରଣୀ ନଦୀରୁ ୨ ଭଉଣୀଙ୍କ ମୃତଦେହ ଉଦ୍ଧାର
ଭଦ୍ରକ: ବୈତରଣୀ ନଦୀରୁ ୨ ଭଉଣୀଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ଆରଡି ଫାଣ୍ଡି ଅଧିନସ୍ଥ ମୁଆଁ ଗାଁର ବାପିନ ଦାସଙ୍କ ଝିଅ ବର୍ଷାରାଣୀ ଦାସ ଓ ପିତାମ୍ବର ଦାସଙ୍କ ଝିଅ ଭୂମିକା ଦାସ । ଗତ ଶୁକ୍ରବାର ଠାରୁ ଉଭୟେ ନିଖୋଜ ରହିଥିଲେ । ଶନିବାର ଅପରାହ୍ଣରେ ପୃଥକ ଭାବେ ବୈତରଣୀନଦୀର କଇଁଗୋଲା ଘାଟରୁ ବର୍ଷାରାଣୀକୁ ଉଦ୍ଧାର କରାଯାଇଥିବା ବେଳେ ମୁଆଁ ଘାଟରୁ ଭୂମିକାକୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ । ବର୍ଷାରାଣୀ ଚଳିତବର୍ଷ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିବା ବେଳେ ଭୂମିକା ✝︎୨ ପରୀକ୍ଷା ଦେଇଥିଲେ । କେଉଁ କାରଣ ପାଇଁ ୨ ଭଉଣୀ ବୈତରଣୀ ନଦୀକୁ ଯାଇଥିଲେ ତାହାର କାରଣ ଅଷ୍ପଷ୍ଟ ରହିଛି । ଆରଡି ପୁଲିସ ଓ ମଙ୍ଗଳପୁର ପୁଲିସ ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।
ନାବାଳିକାକୁ ଦୁଷ୍କର୍ମ ପରେ ହତ୍ଯା ମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ
ରାୟଗଡ଼ା: ରାୟଗଡ ଜିଲ୍ଲା ଚନ୍ଦ୍ରପୁର ଅଞ୍ଚଳରେ ୨୦୧୯ ମସିହାରେ ହୋଇଥିବା ୧୨ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ଯା ଅଭିଯୋଗ ମାମଲା । ଗିରଫ ଯୁବକଙ୍କୁ ଆଜୀବନ କାରଦଣ୍ଡ ସହ ୧୦ ହଜାର ଜରିମାନାରେ ଦଣ୍ଡିତ କରାଯାଇଛି । ସଜ୍ଜା ଶୁଣାଇଛନ୍ତି ମାନ୍ଯବର ସ୍ପେସିଆଲ ଜର୍ଜ ପୋକ୍ସ କୋର୍ଟ ଶ୍ରୀମତୀ ଶ୍ଵେତା ମିଶ୍ର । ୩୦ ଜଣଙ୍କ ମଧ୍ଯରୁ ୨୭ ଜଣଙ୍କ ସାକ୍ଷ୍ଯ ଗ୍ରହଣ ପରେ ରାୟ ଶୁଣାଇଛନ୍ତି । ସୂଚନା ମୁତାବକ ନାବାଳିକାଟି ନିଜ ଭାଇ ସହିତ ମେଳାକୁ ଯାଇଥିଲେ । ଚନ୍ଦ୍ରପୁର ବନ୍ଦ୍ରୀ ଗ୍ରାମର ବାଘସିଙ୍ଗ ନାବାଳିକାକୁ ଚକଲେଟ ଦେଇ ଅପହରଣ କରିନେଇଥିଲେ ।ପରେ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ଅଭିଯୋଗକୁ ଭିତି କରି ପୋଲିସ ଖୋଜାଖୋଜି ପରେ ନାବାଳିକା ଝିଅର ମୃତ ଦେହ ଉଦ୍ଧାର କରିଥିଲା । ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରି ପୋଲିସ ଦୁଷ୍କର୍ମ ସହ ହତ୍ୟା ଅଭିଯୋଗରେ ବନ୍ଦ୍ରୀ ଗ୍ରାମର ସେବା ବାଘସିଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଉକ୍ତ ଘଟଣାର ଶୁଣାଣୀ କରିଛି ପୋକ୍ସ କୋର୍ଟ ।
ବ୍ରହ୍ମପୁର ସହରରେ ଉଦଘାଟିତ ହେଲା ନୂଆ ବାଇପାସ ରୋଡ଼
ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଉଦଘାଟିତ ହେଲା ନୂଆ ବାଇପାସ ରୋଡ଼ । ବ୍ରହ୍ମପୁର ନୂଆ ବସ ଷ୍ଟାଣ୍ଡ ଠାରୁ ଭାବିନିପୁରକୁ ସଂଯୋଗ କରୁଛି ଏହି ନୂଆ ବାଇପାସ ରୋଡ । ଦୁଇ କୋଟି ଟଙ୍କାରେ ନିର୍ମିତ ହୋଇଥିବା ଏହି ବାଇପାସ ରୋଡର ଲମ୍ବା ୮୦୦ ମିଟର ରହିଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଏମକେସିଜି ମେଡିକାଲର ଅଧିକ୍ଷକ ଡ଼ା ସୁଚିତ୍ରା ଦାସଙ୍କ ସମେତ ସ୍ଥାନୀୟ କର୍ପୋରେଟର ମାନଙ୍କ ଉପସ୍ଥିତିରେ ରୋଡର ଉଦଘାଟନ ହୋଇଛି । ଏହି ରୋଡ ଦ୍ଵାରା ଦିଗପହଣ୍ଡି, କୁକୁଡ଼ାଖଣ୍ଡି, ଆସିକା, ଭଞ୍ଜନଗର ଭଳି ଅଞ୍ଚଳରୁ ଏମକେସିଜି ମେଡିକାଲକୁ ଆସୁଥିବା ଲୋକ ସୁବିଧାରେ ଆସିପାରିବେ ।
ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ବିଭିନ୍ନ ଦଳର ନେତା
ନନ୍ଦିଘୋଷ ବ୍ୟୁରୋ: ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ବିଭିନ୍ନ ଦଳର ନେତା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ, ଢେଙ୍କାନାଳ ସାଂସଦ ମହେଶ ସାହୁ, ବିଧାୟକ ନୃସିଂହ ଚରଣ ସାହୁ ଭେଟିଛନ୍ତି। ମନ୍ତ୍ରୀ ଅଶୋକ ପଣ୍ଡା, ପରିବହନ ମନ୍ତ୍ରୀ ଟୁକୁନି ସାହୁ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ଯୁବ ନେତା ମନ୍ମଥ ରାଉତରାୟ ପ୍ରମୁଖ ଭେଟିଛନ୍ତି। ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆସୁ ଆରୋଗ୍ୟ କାମନା କରିଛନ୍ତି ।

