spot_img
Home Blog Page 2239

୧୯ ବର୍ଷରୁ କମ ପୁରୁଷ କ୍ରିକେଟ ବିଶ୍ବକପ ଫାଇନାଲରେ ଭାରତ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ପୁରୁଷ କ୍ରିକେଟ୍ ବିଶ୍ବକପ ଫାଇନାଲରେ ଭାରତ । ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ଏହାସହ ଦଳ ଷଷ୍ଠ ବିଶ୍ବକପ ଟାଇଟଲ ଦୌଡ଼ରେ ସାମିଲ ହୋଇଛି ।

ଟସ ଜିତି ଭାରତ ପ୍ରଥମେ ବୋଲିଂ କରିଥିଲା । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ବିକେଟ ହରାଇ ୨୪୪ ରନ କରିଥିଲା । ଦଳ ପକ୍ଷରୁ ଲୁହାନ-ଡ୍ରେ-ପ୍ରେଟୋରିଅସ ୭୬ ରନ କରିଥିବାବେଳେ ରିଚାର୍ଡ ସେଲେଷ୍ଟଓ୍ବାନେ ୬୪ ରନ, ଜୁଆନ ଜେମ୍ସ ୨୪ ରନ ଓ ଟ୍ରିସାନ ଲୁସ୍ ୨୩ ରନ କରିଥିଲେ । ୨୪୫ ରନର ଲକ୍ଷ୍ୟର ପିଛା କରି ଭାରତ ପ୍ରଥମେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏପରିକି ମାତ୍ର ୩୨ ରନରେ ଦଳ ୪ଟି ଓ୍ବିକେଟ ହରାଇଥିଲା । ତେବେ ଉଦୟ ସାହାରନ ଓ ସଚିନ ଧାସଙ୍କ ବଡ଼ ପାର୍ଟନରସିପ ଦଳକୁ ବିଜୟ ଆଗକୁ ନେଇଥିଲା । ସାହାରନ ୮୧ ରନ କରିଥିବା ବେଳେ ଧାସ ୯୬ ରନ କରିଥିଲେ । ଫଳରେ ଭାରତ ୪୮.୫ ତମ ଓଭରରେ ୮ଟି ଓ୍ବିକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା । ଆଗକୁ ଦ୍ଵିତୀୟ ସେମିରେ ଅଷ୍ଟ୍ରେଲିଆକୁ ଭେଟିବ ପାକିସ୍ତାନ । ଏମାନଙ୍କ ମଧ୍ଯରେ ବିଜୟୀ ଟିମ୍ ଭାରତର ସହ ଫାଇନାଲ ଖେଳିବ ।

ମୁଖ୍ୟମନ୍ତ୍ରୀ କଳାକାର ଓ ମଧୁବାବୁ ପେନସନ ଯୋଜନାରେ ସାମିଲ ହେବେ ୪ ଲକ୍ଷ ୩୦ ହଜାର

ଭୁବନେଶ୍ବର: କଳାକାର ଓ ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର । ମୁଖ୍ୟମନ୍ତ୍ରୀ କଳାକାର ଯୋଜନାରେ ସାମିଲ ହେବେ ୩୦ ହଜାର କଳାକାର । ସେହିପରି ମଧୁବାବୁ ପେନସନ ଯୋଜନାରେ ସାମିଲ ହେବେ ୪ ଲକ୍ଷ ଅତିରିକ୍ତ ହିତାଧିକାରୀ ।

ମୁଖ୍ୟମନ୍ତ୍ରୀ କଳାକାର ଯୋଜନାରେ ନୂଆ ୩୦ ହଜାର କଳାକାର ସାମିଲ ହେବା ପରେ ହିତାଧିକାରୀଙ୍କ ସଂଖ୍ୟା ୮୦ ହଜାର ହୋଇଛି । ପୂର୍ବରୁ ୫୦ ହଜାର କଳାକାର ଏହି ଯୋଜନାର ଲାଭ ପାଉଥିଲେ । 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ଏ ନେଇ ଅନୁରୋଧ ଓ ପ୍ରସ୍ତାବ ଆସିଥିଲା । ମୁଖ୍ୟମନ୍ତ୍ରୀ ଏହାପରେ ଏହି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏକ ପ୍ରମୁଖ ଯୋଜନା । ଏହି ଯୋଜନାରେ ୫୦ ହଜାର କଳାକାରଙ୍କୁ ମାସିକ ୧୨ ଶହ ଟଙ୍କା  ସହାୟତା ରାଶି ପ୍ରଦାନ କରାଯାଉଛି । ଏବେ ଆଉ ୩୦ ହଜାର କଳାକାର ଏଥିରେ ଉପକୃତ ହେବେ । ରାଜ୍ଯର ଲୋକକଳା ଗୁଡିକ ଆମ ଜାତିର ଅସ୍ମିତା । କଳାକାର ମାନେ ଭାଷା, ସାହିତ୍ଯ ଓ ସଂସ୍କୃତିର ପ୍ରଚାରକ ତଥା ବାର୍ତ୍ତାବହ ଅଟନ୍ତି । ଏହି ଯୋଜନାରେ ଅଧିକ କଳାକାରଙ୍କୁ ସାମିଲ କରାଯିବା ଯୋଗୁଁ ରାଜ୍ଯର ବିଭିନ୍ନ ପ୍ରାନ୍ତରୁ ଅନେକ କଳାକାର ଉତ୍ସାହିତ ଓ ଉପକୃତ ହେବେ ।

ସେହିପରି ମଧୁବାବୁ ପେନସନ ଯୋଜନାରେ ସାମିଲ ୪ ଲକ୍ଷ ଅତିରିକ୍ତ ହିତାଧିକାରୀଙ୍କୁ ସାମିଲ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ଯମନ୍ତ୍ରୀ । ଏହାଦ୍ବାରା ରାଜ୍ୟର ସମୁଦାୟ ମଧୁବାବୁ ପେନସନ ହିତାଧିକାରୀଙ୍କ ସଂଖ୍ୟା ୩୨ ଲକ୍ଷ ୭୫ ହଜାରରୁ ବୃଦ୍ଧି ପାଇ ୩୬ ଲକ୍ଷ ୭୫ ହଜାରରେ ପହଞ୍ଚିବ । ଏଥିପାଇଁ ରାଜ୍ୟ ସରକାର ମାସକୁ ୧୯୦ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ । 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ଲୋକେ ଏହି ଯୋଜନାରେ ଅଧିକ ଲୋକଙ୍କୁ ସାମିଲ କରିବାକୁ ଅନୁରୋଧ କରିଥିଲେ । ଲୋକଙ୍କ ଆବେଦନକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ୨୦୨୩ ଅଗଷ୍ଟରେ ଅତିରିକ୍ତ ୪ ଲକ୍ଷ ୧୩ ହଜାର ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରିଥିଲେ ରାଜ୍ୟ ସରକାର । ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସାମାଜିକ ସୁରକ୍ଷା ପ୍ରଦାନ କରିଥାନ୍ତି । ଏଥିରେ ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ, ଅବିବାହିତା ମହିଳା, ସୁସ୍ଥ ହୋଇଥିବା କୁଷ୍ଠ ଓ ଏଡ଼ସ ରୋଗୀ, ଛାଡ଼ପତ୍ର ପାଇଥିବା ମହିଳା, କିନ୍ନର ଓ କୋଭିଡରେ ଅନାଥ ପିଲାମାନେ ସାମିଲ ହୋଇଥାନ୍ତି । ହିତାଧିକାରୀ ମାସକୁ ୫୦୦ ଟଙ୍କା ପାଇଥାନ୍ତି । ୮୦ ବର୍ଷ ବା ଅଧିକ ବୟସର ଲୋକ ମାସକୁ ୭୦୦ ଟଙ୍କା ପାଆନ୍ତି । ଭିନ୍ନକ୍ଷମ ବ୍ୟକ୍ତିଙ୍କ କ୍ଷେତ୍ରରେ ୪୦ ରୁ ୫୯ ପ୍ରତିଶତ ଅକ୍ଷମତା ଥିବା ଲୋକ ମାସକୁ ୫୦୦ ଟଙ୍କା ପାଉଥିବା ବେଳେ ୬୦ ପ୍ରତିଶତ ବା ଅଧିକ ଅକ୍ଷମତା ଥିବା ବ୍ୟକ୍ତି ୭୦୦ ଟଙ୍କା ପାଆନ୍ତି । ୬୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ୮୦ ବର୍ଷ ବୟସରୁ ଊର୍ଦ୍ଧ୍ବ ଲୋକଙ୍କୁ ମାସିକ ୯୦୦ ଟଙ୍କା ମିଳିଥାଏ ।

ବୀରମିତ୍ରପୁରରେ ପହଞ୍ଚିଲା କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା

ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ପହଞ୍ଚିଲା ଭାରତ ଯୋଡ଼ ନ୍ୟାୟ ଯାତ୍ରା । ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଏହି ଯାତ୍ରା ଓଡ଼ିଶାରେ ପହଞ୍ଚିଛି । ଜାତୀୟ ଓ ରାଜ୍ୟ ସ୍ତରର ବହୁ କଂଗ୍ରେସ ନେତା ଯାତ୍ରାରେ ସାମିଲ ହୋଇଛନ୍ତି । ଦେଶବାସୀଙ୍କୁ ରାଜନୈତିକ ନ୍ୟାୟ ପ୍ରଦାନ କରିବା, ଅର୍ଥନୈତିକ ନ୍ୟାୟ ପ୍ରଦାନ କରିବା ଓ ସାମାଜିକ ନ୍ୟାୟ ପ୍ରଦାନ କରିବା ପାଇଁ ରାହୁଲ ଗାନ୍ଧୀ ଏହି ଯାତ୍ରା କରୁଛନ୍ତି ।

ରାହୁଲ ବୀରମିତ୍ରପୁରରେ ସାଧାରଣ ସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ବିଜେପି ଆଚ୍ଛା ଦିନର ସ୍ଲୋଗାନ ନେଇ କେନ୍ଦ୍ରରେ କ୍ଷମତାକୁ ଆସିଥିବା ବେଳେ ଆଚ୍ଛାଦିନ ବଦଳରେ ବୁରାଦିନ ଆସିଥିବା କଂଗ୍ରେସର ପକ୍ଷରୁ ଅଭିଯୋଗ କରାଯାଇଛି । ରାହୁଲ ଗାନ୍ଧୀ ଆଜି ରାତିରେ ବିଜାବାହାଲ ରାମପାଲରେ ରାତ୍ରି ଯାପନ କରିବେ । ଆସନ୍ତାକାଲି ସକାଳେ ରାଉରକେଲା ସହରର ଉଦିତନଗରରୁ ପାନପୋଷ ଛକ ପର୍ଯ୍ୟନ୍ତ ପଦଯାତ୍ରା କରିବେ ।

ରାଉରକେଲା ସହରର ପାନପୋଷ ଛକରେ ରାହୁଲ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ରାଉରକେଲା ସହରରୁ ରାଜଗାଙ୍ଗପୁର, କୁତ୍ରା ଦେଇ ସୁନ୍ଦରଗଡ଼ ଯାତ୍ରା କରିବେ । ରାହୁଲ ଗାନ୍ଧୀ ଆସନ୍ତାକାଲି ରାତିରେ ଝାରସୁଗୁଡ଼ା ଅମଲିପାଲି ପଡ଼ିଆରେ ରାତ୍ରୀ ଯାପନ କରିବେ । ୮ ତାରିଖରେ ଝାରସୁଗୁଡ଼ା ପୁରୁଣା ବସଷ୍ଟାଣ୍ଡ ମହାତ୍ମା ଗାନ୍ଧି ଛକ ନିକଟରୁ ଯାତ୍ରା ଆରମ୍ଭ କରିବେ । ସାହିଦିନ ଅପରାହ୍ନରେ ଛତିଶଗଡ ଅଭିମୁଖେ ଯାତ୍ରା କରିବାର କାର୍ଯକ୍ରମ ରହିଛି ।

ବିକାଶର ଯାଦୁ, ବିଜେଡି ମୁହାଁ ବିରୋଧୀ ନେତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବିକାଶର ଯାଦୁ ବିରୋଧୀଙ୍କୁ ବିଜେଡି ମୁହାଁ କରିଛି । ଦୀର୍ଘ ବର୍ଷ ଧରି ବିଜେପିରେ ଥିବା ମହିଳା ନେତ୍ରୀ ଆଜି ଶଙ୍ଖ ଧରିଛନ୍ତି । ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଛବି ସ୍ବାଇଁଙ୍କ ସମେତ ବିଜେପିର ଶତାଧିକ କର୍ମୀ ବିଧିବଦ୍ଧ ଭାବେ ଶଙ୍ଖଭବନରେ ବିଜୁ ଜନତା ଦଳରେ ହେଲେ ସାମିଲ ।

ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ସେମାନଙ୍କୁ ଦଳରେ ସାମିଲ କରିବା ସହିତ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ ଅଭିନନ୍ଦନ ଜଣାଇଛନ୍ତି । ବିରୋଧୀ ଦଳରେ ଥାଇ ରାଜ୍ୟର ବିକାଶ କେମିତି ହେଉଛି ଜାଣି ହେଲାନି । ୨୨ ବର୍ଷ ଧରି ବିଜେପି ଦଳରେ ଥାଇ ଦଳ ତାଙ୍କୁ ଚିହ୍ନିଲାନି । ମୁଖ୍ୟମନ୍ତ୍ରୀଙ୍କ କଥା କମ୍‌ କାମ ବେଶୀ ଏବେ ସମସ୍ତଙ୍କ ଆଖି ଖୋଲି ଦେଇଛି । ଏଣିକି ଜୀବନର ଶେଷ ନିଃଶ୍ବାସ ଥିଲା ପର୍ଯ୍ୟନ୍ତ ବିଜେଡିରେ ରହିବେ ବୋଲି ଦଳରେ ସାମିଲ ପରେ କହିଛନ୍ତି ନେତା ଓ କର୍ମୀ ।

ପରୀ ହତ୍ୟା ମାମଲାକୁ ଦିଗହରା କରିବାକୁ ବିଜେପି ନେତା ଓ ତାଙ୍କ ଅନୁଗତଙ୍କ ହୀନ ରାଜନୀତି ଫେଲ୍ ମାରିଲା

ଭୁବନେଶ୍ବର: ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ତାଙ୍କ ଅନୁଗତ ଏବଂ ରାଜ୍ୟ ବିଜେପି ଉପରେ ବର୍ଷିଛି ବିଜେଡି । ଏକ ୫ ବର୍ଷ ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା କରାଯିବା ଘଟଣାକୁ ନେଇ ଧର୍ମେନ୍ଦ୍ର ଏବଂ ତାଙ୍କ ଅନୁଗତ ଯେମିତି ରାଜନୀତି କଲେ ସେଥିପାଇଁ ରାଜ୍ୟବାସୀଙ୍କ ପାଖରେ କ୍ଷମା ମାଗନ୍ତୁ ବୋଲି ପ୍ରେସମିଟ ଜରିଆରେ କହିଛନ୍ତି ଦଳୀୟ ନେତ୍ରୀ ସ୍ନେହାଙ୍ଗିନି ଛୁରିଆ ।

ସେ କହିଛନ୍ତି, ‘ନାବାଳିକା ପରୀର ନିଖୋଜ ଓ ହତ୍ୟା ଘଟଣା ଅତ୍ୟନ୍ତ ଦୁଃଖଦ ଥିଲା । ଯାହା ସମସ୍ତଙ୍କୁ ମର୍ମାହତ କରିଥିଲା । ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଥିବା ଯୋଗୁଁ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ଏସଆଇଟି ଗଠନ କରି ହାଇକୋର୍ଟଙ୍କୁ ତଦାରଖ ଲାଗି ଅନୁରୋଧ କରିଥିଲେ । ନିୟମିତ ବ୍ୟବଧାନରେ ତଦନ୍ତର ଅଗ୍ରଗତି ନେଇ ଏସଆଇଟି ଷ୍ଟାଟସ୍ ରିପୋର୍ଟ ଦାଖଲ କରୁଥିଲା । ଏସଆଇଟି ପ୍ରକୃତ ଅପରାଧୀକୁ ଚିହ୍ନଟ କରିବା ସହ ତଥ୍ୟ ପ୍ରମାଣ ସଂଗ୍ରହ କରିଥିଲା ।  ଫଳରେ ଅପରାଧୀକୁ ୨୦ ବର୍ଷ ଦଣ୍ଡ ବିଧାନ ସହ ପରୀକୁ ନ୍ୟାୟ ମିଳିଛି । ଘଟଣାକୁ ନେଇ ରାଜନୈତିକ ସ୍ୱାର୍ଥ ପାଇଁ ଓଡିଶା ବିଜେପିର କିଛି ନେତା ମାମଲାର ରାଜନୀତିକରଣ କରି ତଦନ୍ତକୁ ଦିଗହରା କରିବାକୁ ଅପଚେଷ୍ଟା କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ‘ଧର୍ମେନ୍ଦ୍ର ଏବଂ ତାଙ୍କ ଅନୁଗତ ଗୋଷ୍ଠୀ ବାରମ୍ବାର ପ୍ରସଙ୍ଗର ରାଜନୀତିକରଣ କରି ମାମଲାକୁ ବିଳମ୍ବିତ ଓ ଦିଗହରା କରିବାକୁ ଅପଚେଷ୍ଟା କରିଥିଲେ ।  ପ୍ରଥମେ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟରେ ଉଦ୍ୟମ କରି ଝଟକା ପାଇଥିଲେ । ଏଥିରେ ଓଡିଶାବାସୀଙ୍କୁ ଶକ୍ତ ଆଘାତ ଓ ଦୁଃଖ ଲାଗିଥିଲା । ଦେଶର ନାମୀଦାମୀ ଓକିଲଙ୍କୁ ମାମଲା ଲଢିବାକୁ କୋର୍ଟରେ ଠିଆ କରାଇଥିଲେ । ୫ ବର୍ଷର ଜଣେ କୋମଳମତି ନୀରିହ ଶିଶୁର ହତ୍ୟା ଘଟିଥିଲା । ଏହା ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା । ଏହିଭଳି ମାମଲାରେ ଜଣେ ବ୍ୟକ୍ତି କିଭଳି ରାଜନୀତି କରିବ, ତାହା ହିଁ ଓଡିଶାବାସୀଙ୍କୁ ଆଚମ୍ବିତ କରିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡିଶା ବିଜେପିର ତାଙ୍କର ଅନୁଗତ ମାନେ ଓଡିଶାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ।’

ଏଭଳି ସ୍ପର୍ଶକାତର ମାମଲାରେ ସର୍ବଦା ଓଡିଶା ବିଜେପି ରାଜନୀତି ହିଁ କରେ । କେନ୍ଦ୍ରମନ୍ତ୍ରୀ ଏବଂ ତାଙ୍କ ଅନୁଗତ ଗୋଷ୍ଠୀ ଓଡିଶାକୁ ବଦନାମ କରିବାକୁ ବାରମ୍ବାର ଅପଚେଷ୍ଟା କଲେ । କିଡନୀ ଓ ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ବିକ୍ରି ପାଇଁ ଚକ୍ରାନ୍ତ କରାଯାଇଥିବା ଭଳି ଡାହା ମିଛ କହିଥିଲେ । ଅଭିଯୁକ୍ତକୁ କିଭଳି ଜାମିନ୍ ମିଳିବ ବ୍ୟକ୍ତିମାନେ ସେ ନେଇ ବହୁ ଚେଷ୍ଟା କରିଥିଲେ । ହାଇକୋର୍ଟରେ ପ୍ରତ୍ୟାଖାତ ହୋଇଥିଲା । ଜଣେ ନାବାଳିକା ସହ ହୋଇଥିବା ଅତ୍ୟାଚାର ପ୍ରସଙ୍ଗରେ ଏଭଳି ହୀନ ରାଜନୀତି କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଅନୁଗତ ଗୋଷ୍ଠୀଙ୍କୁ ଲଜ୍ଜା ଲାଗିବା ଦରକାର । ସମ୍ବେଦନଶୀଳ ପ୍ରସଙ୍ଗରେ ବାରମ୍ବାର ହୀନ ରାଜନୀତି କରୁଥିବା ଏହି ଗୋଷ୍ଠୀଙ୍କୁ ରାତିରେ ନିଦ କେଉଁ ଭଳି ହେଉଛି ? ସେମାନଙ୍କ ଅନ୍ତର ଆତ୍ମା ଏଭଳି କାର୍ଯ୍ୟ କରିବାକୁ କ’ଣ ବାଧା ଦେଉନି ? ପରୀକୁ ଆଜି ନ୍ୟାୟ ମିଳିଛି, ତା’ର ଆତ୍ମା ଶାନ୍ତି ପାଉ । ମହାପ୍ରଭୁ ତାକୁ ନିଜ ପାଦପଦ୍ମରେ ସ୍ଥାନ ଦିଅନ୍ତୁ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ମଦୁଆ ଡ୍ରାଇଭର ସାମଧାନ: ଆଉ ଫାଇନ ନେଇ ଛାଡ଼ିବନି ପୋଲିସ, ଗିରଫ କରି କୋର୍ଟ ପଠାଇବ

ଭୁବନେଶ୍ବର: ଯେତେ ଯାହା କଲେ ବି ସାବାଡ଼ ହେବାର ନାଁ ନେଉ ନାହାନ୍ତି ଅମାନିଆ । ମଦ ପିଇ ଗାଡି ଚଲାଇବା ଯେମିତି ସେମାନଙ୍କ ଜନ୍ମସିଦ୍ଧ ଅଧିକାର । ଯଦି ମଦୁଆ ଗାଡି ଚାଳକ ଏମିତି ଭାବୁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । ମଦ ପିଇ ଧରା ପଡ଼ିଲେ ଆଉ ଫାଇନ୍ ନେଇ ଛାଡି ଦେବନି ପୋଲିସ । ଏଧର ଗିରଫ କରି ଜେଲ ହାଜତକୁ ପଠାଇ ଦେବ । କୋର୍ଟ ଜାମିନ ନଦେବା ପର୍ଯ୍ୟନ୍ତ, ଜେଲରେ କାଟିବାକୁ ପଡ଼ିବ ରାତି ।

ନୂଆ କରି କମିଶନର ଭାବେ ସଞ୍ଜୀବ ପଣ୍ଡା ଯୋଗଦେବା ପୂରା ଆକ୍ସନ ମୋଡକୁ ଆସିଛି ପୋଲିସ । ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଅବଲମ୍ବନ କରାଯାଇଛି । ଲକ୍ଷ୍ମୀସାଗର ଥାନା ପକ୍ଷରୁ ଚେକିଂ ଚାଲିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ କଟକ ରୋଡ଼ ନିକଟରୁ କାର ସହ ଚାରି ଜଣଙ୍କୁ କାବୁ କରିଥିଲା ପୋଲିସ । ଅତ୍ୟଧିକ ମଦ୍ୟପାନ କରିବା ସହ ସେମାନେ ପୋଲିସକୁ ଗାଳି ଗୁଳଜ କରୁଥିବା ଦେଖାଯାଇଥିଲା । ଆଜି ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସହ ୪ଟି କାର ଜବତ କରାଯାଇଛି ।

କମିଶନରେଟ ପୋଲିସର SOP: ବାହୁ ଦେଖାଇ ଦାଦାଗିରି କଲେ ଗିରଫ ହେବେ ବାଉଁଶର

ଭୁବନେଶ୍ବର: ଦାଦାଗିରି ଚଳିବନି । ଆଇନକୁ ହାତକୁ ନେଲେ ହାତରେ ପଡ଼ିବ ହାତକଡ଼ି । ବାହୁ ଦେଖାଇ ଦାଦା ବନିଲେ ବାନ୍ଧିବ ପୋଲିସ । ଗତ କିଛିଦିନ ଧରି ବାରମ୍ବାର ବାରରେ ନିୟୋଜିତ ବାଉନସରଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଆକ୍ସନ ମୋଡ଼କୁ ଆସିଛି କମିଶନରେଟ ପୋଲିସ । ଜାରି ହୋଇଛି ଏସଓପି ।

ବାହୁବଳୀଙ୍କୁ ସାବାଡ଼ କରିବା ପାଇଁ ନୂଆ କମିଶନର ଆଣିଲେ ଏସଓପି । ସିଆରପି ଛକରେ ଜମି ପଜେସନ ହେଉ କିମ୍ବା ଓପିଡି ବାର ସମ୍ମୁଖ ଗଣ୍ଡଗୋଳ । ଝାରପଡା ଅଞ୍ଚଳରେ ଭାଇଗିରି ପାଇଁ ହେଉ ଅଥବା ଏମ୍ବାସି ପବ ସମ୍ମୁଖରେ ଗଣ୍ଡଗୋଳ । ସବୁଠି ସାମ୍ନାକୁ ଆସିଛି ଦଲାଲ ବାଉନସରଙ୍କ କାରନାମା । ତେଣୁ ଏମାନଙ୍କ ଉପରେ ଲଗାମ ଲଗାଇବା ପାଇଁ କମିଶନରେଟ ପୋଲିସ ଆଣିଛି ଏସଓପି ।

ନୋଟିଫିକେସନ ଅନୁସାରେ ବାଉଁଶର ପ୍ରଥମତଃ PASARA ଅଧୀନରେ ରେଜିଷ୍ଟର ସିକ୍ୟୁରିଟି ସଂସ୍ଥାର ହୋଇଥିବା ଆବଶ୍ଯକ । ଚାକିରି ପୂର୍ବରୁ ପୋଲିସ ଭେରିଫିକେସନ ଆବଶ୍ୟକ । ଯଦି ପୂର୍ବରୁ କେହି କାମ କରୁଛନ୍ତି ତେବେ ସମ୍ପୃକ୍ତ ଡ୍ୟାନ୍ସ ବାର ମାଲିକ ନିକଟସ୍ଥ ଥାନାରେ ଏ ନେଇ ଲିଖିତନାମା ଦାଖଲ କରିବେ । ତାଙ୍କ ନାଁରେ ଅପରାଧିକ କାର୍ଯ୍ୟକଳାପ ଅଛି କି ନାହିଁ, ସେ ନେଇ ତଦନ୍ତ ହେବ ।

ଅଣ୍ଡର ସେକ୍ସନ ୫୮, ଅର୍ବାନ ଆକ୍ଟ ୨୦୦୩ ମୁତାବକ ଯଦି କୌଣସି ବାର, ପବ ଏ ନିୟମର ଉଲ୍ଲଂଘନ କରେ ତେବେ ଧାରା ୧୪୪ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି ଆଇନଶୃଙ୍ଖଳା ପରିସ୍ଥିତି ସେଠାରେ ସୃଷ୍ଟି ହୁଏ, ତେବେ ୧୧୨କୁ କଲ କରି ପୋଲିସକୁ ଜଣାଇପାରିବେ । ବାରମ୍ବାର ଗଣ୍ଡଗୋଳ ଘଟଣା ନଜର ଆସିବା ପରେ ୩ଟି ପବକୁ ପୂର୍ବରୁ ସ୍କାନରକୁ ନେଇଛି ଅବକାରୀ ବିଭାଗ । ଏହା ପରେ ବି ଯଦି ନିୟମ ଉଲ୍ଲଂଘନ କରି କୌଣସି ଗ୍ରାହକଙ୍କ ମାନବାଧିକାର କ୍ଷୁର୍ଣ୍ଣ ହୁଏ, ତେବେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ସିପି ସଞ୍ଜୀବ ପଣ୍ଡା ।

ରାଜ୍ୟରେ ବର୍ତ୍ତମାନ ୪ ଶହ ରେଜିଷ୍ଟରଭୁକ୍ତ ସିକ୍ୟୁରିଟି ସଂସ୍ଥା ରହିଛି । କମିଶନରଙ୍କ ଏଭଳି ନିର୍ଦ୍ଦେଶକୁ ସ୍ୱାଗତ କରିଛି ସଂଘ ।

ପୁଣି ଝଟକିବ ‘ଆଶା ସାଗର’ର ସୌନ୍ଦର୍ଯ୍ୟ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ସର୍ବବୃହତ ପୁଷ୍କରିଣୀ ‘ଆଶା ସାଗର’ର ହେବ ପୁନରୁଦ୍ଧାର । ଚାରିପାଖରେ ହେବ ସୌନ୍ଦର୍ଯ୍ୟକରଣ । ପୁଣି ନିଜ ସୌନ୍ଦର୍ଯ୍ୟର ଲୋକଙ୍କୁ ଆକୃଷ୍ଟ କରିବ ଆଶା ସାଗର । 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ଭବାନୀପାଟଣା ଆସିଥିବା ବେଳେ ଆଶା ସାଗର ପୁନରୁଦ୍ଧାର ପାଇଁ ସ୍ଥାନୀୟ ଲୋକେ ଅନୁରୋଧ କରିଥିଲେ । ଏନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ କାର୍ତ୍ତିକ ପାଣ୍ଡିଆନ । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଇଛନ୍ତି । ଯାହାକୁ ନେଇ ସହରବାସୀ ଖୁସି ପ୍ରକାଶ କରିଛନ୍ତି ।

ଆଶା ସାଗରର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନେଇଛନ୍ତି ପଦକ୍ଷେପ । ଜଳପୂର୍ଣ୍ଣ ହୋଇ ରହିବ ୬୦ ଏକର ଜମି ପରିମିତ ଆଶା ସାଗର । ଚତୁଃପାର୍ଶ୍ବର ହେବ ନବକଳେବର । ଜଳ ସେଚନ ସହ ପାନୀୟ ଜଳର ହେବ ସୁବିଧା । ସହରବାସୀଙ୍କ ଜୀବନରେଖା କୁହାଯାଉଥିବା ଏହି ପୁଷ୍କରିଣୀ ପ୍ରାୟ ଦୁଇ ଦଶନ୍ଧି ହେଲା ପୋତି ହୋଇରହିଥିଲା ।

‘ଆଶା ସାଗର’ ପୁନରୁଦ୍ଧାର ପାଇଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗତ ନଭେମ୍ବର ୨୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି । ୬ କୋଟି ୬୮ ଲକ୍ଷ ୬୧ ହଜାର ଟଙ୍କା ବ୍ୟୟ ଅଟକଳକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଭବାନୀପାଟଣା ପୌରାଞ୍ଚଳରେ ଥିବା ୨୫ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଆଶା ସାଗର ପୁନରୁଦ୍ଧାର ଦାୟିତ୍ବ ଦିଆଯାଇଛି ।

ସିପାହୀ ବିଦ୍ରୋହ ବେଳେ କଳାହାଣ୍ଡିର ତତ୍କାଳୀନ ମହାରାଜା ଉଦିତ ପ୍ରତାପ ଦେଓ ଲୋକଙ୍କ ସୁବିଧା ପାଇଁ ‘ଆଶା ସାଗର’ ଖନନ କରିଥିଲେ । ଚାଷଜମିକୁ ଜଳସେଚନ ଓ ପାନୀୟଜଳର ସୁବିଧା ଯୋଗାଇବା ଥିଲା ମୁଖ୍ୟ ଉଦ୍ଦେଶ୍ୟ । ୯୯ ଏକର ପରିମିତ ଜଳାଶୟର ଗଭୀରତା ୪୦ ଫୁଟ୍ ଥିଲା । ମହାରାଣୀ ଆଶାକୁମାରୀ ଦେବୀଙ୍କ ସ୍ମୃତିରେ ଏହାର ନାମ ରଖାଯାଇଥିଲା ‘ଆଶା ସାଗର’ । ତେବେ ଆଶା ସାଗରର ଜମି ଚାରିପଟୁ ଜବରଦଖଲ କରାଯାଇଥିବା ଅଭିଯୋଗ ହୋଇଛି ।

ସମ୍ବିଧାନରେ ଅହିଂସାକୁ ସାମିଲ କରିବାକୁ ଦାବି ଦୋହରାଇଲା ବିଜେଡି

ନୂଆଦିଲ୍ଲୀ: ସମ୍ବିଧାନରେ ଅହିଂସାକୁ ସାମିଲ କରିବା ଲାଗି ସଂସଦରେ ପୁଣି ଦାବି ଦୋହରାଇଛି ବିଜୁ ଜନତା ଦଳ । ବିଜେଡି ସାଂସଦ ସସ୍ମିତ ପାତ୍ର ଏନେଇ ରାଜ୍ଯସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଭାରତୀୟ ସମ୍ବିଧାନ ମୁଖବନ୍ଧରେ ‘ଅହିଂସା’କୁ ସାମିଲ କରାଇବା ନେଇ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ନିବେଦନ ମଧ୍ଯ କରିଆସୁଛନ୍ତି । ଓଡ଼ିଶା ବିଧାନସଭାରେ ମଧ୍ୟ ଏ ନେଇ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଛି । ଏହାସତ୍ତ୍ବେ କେନ୍ଦ୍ର ଏଥିପ୍ରତି ଧ୍ଯାନ ଦେଉନଥିବାରୁ ଆଜି ପୁଣି ଥରେ ସଂସଦରେ ଦାବି ଦୋହରାଇଛନ୍ତି ସାଂସଦ ସସ୍ମିତ ପାତ୍ର ।

ବାପୁଙ୍କ ବାଣୀ ଓ କର୍ମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୁବ ପ୍ରଭାବିତ କରି ଆସିଛି । ସରକାରୀ ଯୋଜନା ହେଉ କି ସମାଜର ବିକାଶ ସବୁଥିରେ ଗାନ୍ଧୀଜୀଙ୍କ ଚିନ୍ତାଧାରାକୁ ପ୍ରାଧାନ୍ୟ ଦେଇଛନ୍ତି ନବୀନ । ଏହି ଶବ୍ଦ ସହ ସମସ୍ତେ ପରିଚିତ ହେବା ଆବଶ୍ଯକ ମନେ କରି ଏହାକୁ ସମ୍ବିଧାନରେ ସାମିଲ କରିବା ଲାଗି ଚିନ୍ତା କରିଥିଲେ ।

୨୦୧୮ରେ ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ପୂର୍ତ୍ତି ପାଳନ ପାଇଁ ଗଠିତ ଜାତୀୟ କମିଟିର ପ୍ରଥମ ବୈଠକ । ପ୍ରଧାନମନ୍ତ୍ରୀଙ୍କ ସମେତ ୨୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ନବୀନଙ୍କ ଏହି ଚିନ୍ତାଧାରାକୁ ସାବାସୀ ମିଳିଥିଲା । କେବଳ ଦେଶର ପରପିଢି ନୁହେଁ, ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦ ରହିଲେ ଭାରତୀୟ ପରମ୍ପରା, ସଂସ୍କୃତି, ଆଦର୍ଶ କଥା ବାହାର ଦେଶ ବି ଜାଣିପାରିବ ବୋଲି ନବୀନ କହିଥିଲେ । ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ୧୦୦ ବର୍ଷ ପୂର୍ତ୍ତି ୨୩ ମାର୍ଚ୍ଚ ୨୦୨୧ରେ ବଡ଼ ଧୂମଧାମରେ ପାଳିତ ହୋଇଥିଲା । ଏହି ଅବସରରେ ଓଡ଼ିଶା ସରକାର ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ବୋଲି ନବୀନ କହିଥିଲେ । ଅହିଂସା ଶବ୍ଦକୁ ସମ୍ବିଧାନର ମୁଖବନ୍ଧରେ ସାମିଲ କରିବାକୁ ଏହି ଦିନରେ ଓଡ଼ିଶା ବିଧାନସଭା ସର୍ବ ସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା ।

ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରୁ କେନ୍ଦ୍ର: ମାନସ

ନୂଆଦିଲ୍ଲୀ: ବଜ୍ରପାତକୁ କେନ୍ଦ୍ର ସରକାର ପ୍ରାକୃତିକ ବିପର୍ଯ୍ଯୟ ଘୋଷଣା କରିବାକୁ ଦାବି । ରାଜ୍ୟସଭାରେ ଏମିତି ଦାବି କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଆଜି ରାଜ୍ଯସଭାର ଶୂନ୍ଯକାଳରେ ସେ ଏହି ପ୍ରସଙ୍ଗ ଉତଥାପନ କରି କହିଥିଲେ, ‘ଆଇଏମଡି ଅନୁସାରେ ଦେଶରେ ବଜ୍ରପାତ, ବାର୍ଷିକ ଅଢ଼େଇ ହଜାର ଜୀବନ ନେଉଛି । ବଜ୍ରପାତ ଯୋଗୁଁ ଅନେକ ଲୋକ ପୋଡ଼ି ହେଉଥିବା ବେଳେ ମାଂସପେଶୀ ଆଘାତପ୍ରାପ୍ତ ହେବା ଦୃଷ୍ଟିକୁ ଆସୁଛି । ସେହିପରି ଶରୀରର ଅନେକ ଅଂଶ ମଧ୍ଯ କାମ କରିନଥାଏ । ଏପରିକି ହୃଦଘାତ ଓ ହଠାତ୍ ମୃତ୍ଯୁ ମଧ୍ଯ ଆସିଥାଏ । ବଜ୍ରପାତ ଗ୍ରାମାଞ୍ଚଳରେ ବେଶୀ ହେଉଥିବା ବେଳେ ୯୬ ପ୍ରତିଶତ ଗ୍ରାମବାସୀ ଏହାର ଶିକାର ହୋଇଥାନ୍ତି । ବିଶେଷକରି ଚାଷୀ, ଗାଈ ଚରାଳି, ଧୀବର, ଜଙ୍ଗଲକୁ ଯାଉଥିବା ଲୋକ ଓ ବାହାରେ କାମ କରୁଥିବା ଦିନ ମଜୁରିଆ ଶିକାର ହୋଇଥାନ୍ତି ।’

ଆଗକୁ ସେ କହିଥିଲେ, ‘ଜଳବାୟୁରେ ପ୍ରତ୍ଯେକ ଡିଗ୍ରୀ ତାତି ବଢିବା ସହ ୧୨ ପ୍ରତିଶତ ଯାଏଁ ବଜ୍ରପାତ ବୃଦ୍ଧି ପାଇଥାଏ । ଗତବର୍ଷ ରିପୋର୍ଟ ଅନୁସାରେ, ଓଡ଼ିଶାରେ ସର୍ବାଧିକ ବଜ୍ରପାତ ହୋଇଛି । ଜଳବାୟୁର ଜଟିଳ ଭୌଗୋଳିକ ସ୍ଥିତି ଯୋଗୁଁ ବଜ୍ରପାତ ପାଇଁ ଓଡ଼ିଶା ସମ୍ବେଦନଶୀଳ । ବାତ୍ଯା, ପ୍ରାକ୍ –ମୌସୁମୀ ଓ ମୌସୁମୀ ବର୍ଷା ସମୟରେ ବଜ୍ରପାତ ତୀବ୍ର ହୋଇଥାଏ । ଏହାସତ୍ତ୍ବେ ବଜ୍ରପାତଜନିତ ମୃତ୍ଯୁ ହ୍ରାସ କରିବାରେ ଓଡ଼ିଶା ବିଶେଷ ସଫଳତା ଲାଭ କରିଛି । ୨୦୧୯-୨୦ରେ ୨୦୭ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ୨୦୨୦-୨୧ରେ ଏହା ୧୫୬କୁ ଖସି ଆସିଥିଲା । ୧ ଏପ୍ରିଲ ୨୦୧୫ ମସିହାରେ ଓଡ଼ିଶା ବଜ୍ରପାତକୁ ରାଜ୍ଯ ବିପର୍ଯ୍ଯୟ ଭାବେ ଘୋଷଣା କରିଛି । ବଜ୍ରପାତରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଜ୍ଯ ସରକାର ଯୋଗାଇ ଦେଉଛନ୍ତି ।’

ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ଯୟ ଘୋଷଣା କରିବାକୁ କେନ୍ଦ୍ରକୁ ନିକଟରେ ଓଡ଼ିଶା ପ୍ରସ୍ତାବ ଦେଇଛି । ଏଥିସହ ବଜ୍ରପାତ ମୁକାବିଲା ପାଇଁ ଆବଶ୍ଯକ ପଦକ୍ଷେପ ନେବାକୁ ପ୍ରସ୍ତାବ ଦିଆଯାଇଛି । ବଜ୍ରପାତଜନିତ ମୃତ୍ଯୁ ହ୍ରାସ କରିବା ପାଇଁ ରାଜ୍ଯ ସରକାର ଜଙ୍ଗଲ ଓ କୃଷି ବିଭାଗକୁ ବହୁଳ ପରିମାଣରେ ତାଳଗଛ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ଥାଇଲାଣ୍ଡ ଓ ବାଂଲାଦେଶ ବଜ୍ରପାତଜନିତ ମୃତ୍ଯୁ କମାଇବାରେ ସଫଳ ହୋଇଛନ୍ତି । ତେଣୁ କେନ୍ଦ୍ର ସରକାର ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ଯୟ ଘୋଷଣା କରିବା ପାଇଁ ଶୂନ୍ଯକାଳରେ ବିଜେଡି ସାଂସଦ ମାନସ ମଙ୍ଗରାଜ ଦାବି କରିଛନ୍ତି । ଏହାଦ୍ବାରା ବଜ୍ରପାତରେ ମୃତକଙ୍କ ପରିବାରକୁ ଉପଯୁକ୍ତ ପରିମାଣର ଅନୁକମ୍ପାମୂଳକ ସହାୟତା ମିଳିପାରିବ । ଫଳରେ ବାର୍ଷିକ ହଜାର ହଜାର ପରିବାର ଉପକୃତ ହୋଇପାରିବେ । ବଜ୍ରପାତଜନିତ ମୃତ୍ଯୁ ଅଧିକ ହେଉଥିବା ବେଳେ ତୁରନ୍ତ ଏସବୁ ପଦକ୍ଷେପ ନେବାକୁ ସାଂସଦ ମାନସ ମଙ୍ଗରାଜ ଦାବି କରିଛନ୍ତି ।