spot_img
Home Blog Page 2248

ସେନା ଜ୍ୟାକେଟରେ ପ୍ରଧାନମନ୍ତ୍ରୀ: ହିମାଚଳ ପ୍ରଦେଶର ଲେପଚାରେ ଯବାନଙ୍କ ସହ ପାଳିଲେ ଦୀପାବଳି

ଲେପଚା: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହିମାଚଳ ପ୍ରଦେଶର ଲେପଚା ଯାଇ ସୁରକ୍ଷାବାହିନୀଙ୍କ ସହ ଦୀପାବଳି ପାଳନ କରିଛନ୍ତି ମୋଦି । ଏହି ଅବସରରେ ସେନା ଜ୍ୟାକେଟରେ ତାଙ୍କୁ ଦେଖିବାକୁ ମିଳିଥିଲା । ହିମାଚଳ ପ୍ରଦେଶରେ ପହଞ୍ଚିବା ପରେ ସୀମାନ୍ତ ଲେପଚାକୁ ଯାଇ ଯବାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ।

ଲେପଚାରେ ପହଞ୍ଚିବା ପରେ ସୁରକ୍ଷା କର୍ମୀଙ୍କ ସହ ଦୀପାବଳି ପାଳନ କରିଛନ୍ତି । ଯବାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଏହାସହ ଯବନାଙ୍କୁ ମୁଠା ଖୁଆଇଥିଲେ । ଏହି ଅବସରରେ ଯବାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଥିଲେ ।

ଲେପଚାରେ ପହଞ୍ଚିବା ପରେ ସୋସିଆଲ ମିଡ଼ିଆ ଏକ୍ସରେ ଏକ ପୋଷ୍ଟ କରି ଲେଖିଥିଲେ- ଆମ ବୀର ଯବାନଙ୍କ ସହ ଦୀପାବଳି ପାଳନ କରିବାକୁ ହିମାଚଳ ପ୍ରଦେଶରେ ପହଞ୍ଚି ଗଲିଣି ।

ସାରା ଦେଶ ଦୀପାବଳି ପାଳୁଥିବା ବେଳେ ସୀମା ସୁରକ୍ଷାରେ ମୁତୟନ ଯବାନ ସେମାନଙ୍କ ଡ୍ୟୁଟି କରୁଛନ୍ତି । ଏମିତି ସ୍ଥିତିରେ ଏହି ପବିତ୍ର ଦିନରେ ସେମାନେ ନିଜ ପରିବାରଠାରୁ ଦୂରରେ ରହୁଥିବାରୁ ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ଦୀପାବଳି ପାଳନ କରିବାକୁ ଯବାନଙ୍କ ପାଖକୁ ଯାଇଥାନ୍ତି ।

୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ଦୀପାବଳି ପାଳନ କରିବାକୁ ସିୟାଚୀନରେ ମୁତୟନ ଯବାନଙ୍କ ପାଖକୁ ଯାଇଥିଲେ । ୨୦୧୫ରେ କାରଗିଲରେ ମୁତୟନ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ ମୋଦି । ସେହିପରି ୨୦୧୬ରେଲଦାଖ ଯାଇ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ ।

ISIS ଲିଙ୍କରେ ୩ ଛାତ୍ରଙ୍କ ସମେତ ୪ ଗିରଫ

ଅଲିଗଡ଼: ଆତଙ୍କବାଦୀ ସଂଗଠନ ISIS ଲିଙ୍କରେ ଉତ୍ତରପ୍ରଦେଶରୁ ୪ ଜଣ ଗିରଫ । ଗିରଫଙ୍କ ମଧ୍ୟରେ ରହିଛନ୍ତି ଅଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟର ୩ ଛାତ୍ର । । ୟୁପି ପୋଲିସର ଆଣ୍ଟି ଟେରଟିଷ୍ଟ ସ୍କ୍ବାଡ୍ ଏମାନଙ୍କୁ ଗିରଫ କରିଛି । ଗିରଫ ଛାତ୍ର ସମ୍ଭଲ ଜିଲ୍ଲାର ବୋଲି ଜଣାପଡିଛି । ଏମାନେ ହେଲେ ନମାନ, ନାଜିମ ଏବଂ ନାଭେଦ ।

ISISର ଅଲିଗଡ଼ ମଡ୍ୟୁଲ ଲିଙ୍କରେ ସମସ୍ତେ ଗିରଫ ହୋଇଛନ୍ତି । ଅଭିଯୁକ୍ତଙ୍କ ପାଖରୁ ଆତଙ୍କବାଦ ପ୍ରଚାର ପ୍ରସାର କରୁଥିବା ଏକାଧିକ ଆପତ୍ତିଜନକ ଲିଫଲେଟ୍ ଜବତ ହୋଇଛି । ପୂର୍ବରୁ ଅଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟରୁ ୨ ଜଣଙ୍କୁ ISIS ଲିଙ୍କରେ ଗିରଫ କରିଥିଲା ୟୁପି ଏଟିଏସ୍ । ଦୁଇ ଜଣଙ୍କୁ ଧରିବା ପରେ ISIS ଲିଙ୍କର ଚେର ଖୋଜି ବାହାର କରିଛି ଏଟିଏସ । ଲିଙ୍କରେ ଆଉ କିଏ ଅଛନ୍ତି ସେମାନଙ୍କୁ ଠାବ କରିବାକୁ ଏଟିଏସ୍ ଛାନବିନ ଚଳାଇଛି ।

୩ ଛାତ୍ରଙ୍କ ସହ ରକିଭ୍ ଇମାନ ଅନସାରୀ ନାମକ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଆତଙ୍କବାଦୀ ଲିଙ୍କରେ ଗିରଫ ହୋଇଛି । ଗିରଫ ରକିଭ୍ ଭଦୋହି ଜିଲ୍ଲାର ବାସିନ୍ଦା । ଏମାନେ ISISର ଅଲିଗଡ଼ ଲିଙ୍କରେ ରହିଥିଲେ ।

ପାଲେଷ୍ଟାଇନ ଉପରେ କବଜାକୁ ଭାରତ ନାପସନ୍ଦ, ଇସ୍ରାଏଲ ବିରୋଧରେ ଦେଲା ଭୋଟ

ନୂଆଦିଲ୍ଲୀ: ଜାତିସଂଘ ପ୍ରସ୍ତାବକୁ ନେଇ ଇସ୍ରାଏଲକୁ ଭାରତର ବିରୋଧ । ପାଲେଷ୍ଟାଇନ ସହ ଇସ୍ରାଏଲର ଯୁଦ୍ଧ ଲାଗି ରହିଥିବାବେଳେ ପାଲେଷ୍ଟାଇନ ଉପରେ କବଜାକୁ ବିରୋଧ କରିଛି ଭାରତ । ପାଲେଷ୍ଟାଇନ ଉପରେ ଇସ୍ରାଏଲର କବଜାକୁ ନେଇ ଜାତିସଂଘରେ ଆଗତ ହୋଇଥିଲା ପ୍ରସ୍ତାବ । ଏହି ପ୍ରସ୍ତାବକୁ ବିରୋଧ କରି ଇସ୍ରାଏଲ ବିପକ୍ଷରେ ଭୋଟ ଦେଇଛି ଭାରତ । ତେବେ ଆମେରିକା ଓ କାନାଡା ସହ ୭ ଦେଶ ଇସ୍ରାଏଲ ସମର୍ଥନରେ ଭୋଟ ଦେଇଛନ୍ତି ।

ଜାତିସଂଘର ଏହି ପ୍ରସ୍ତାବ ଉପରେ ଭୋଟ ଦେବାରୁ ବିରତ ରହିଥିଲେ ୧୮ ଦେଶ । ପାଲେଷ୍ଟାଇନର ପୂର୍ବ ଜେରୁଜେଲମ ଏବଂ ସିରିଆ ସୀମାନ୍ତ ଗୋଲାନ ଅଂଚଳରେ ପ୍ରଭୁତ୍ବ ବିସ୍ତାର କରି ଚାଲିଛି ଇସ୍ରାଏଲ । ସେଠାରେ ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରିବା ସହ ଅଂଚଳକୁ ନିଜ ଅକ୍ତିଆରକୁ ନେଇଛି । ଏହା ପୂର୍ବରୁ ପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣକୁ ନେଇ ଜାତିସଂଘ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତାବ ଆଣିଥିଲା । ଏହି ପ୍ରସ୍ତାବରେ ଭୋଟ ଦେବାରୁ ବିରତ ରହିଥିଲା ଭାରତ ।

ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣ ପରଠାରୁ ଇସ୍ରାଏଲ ପାଲେଷ୍ଟାଇନ ଉପରେ ଆକ୍ରମଣ କରିଛି । ଉତ୍ତର ଗାଜାକୁ ନିଜ ଅକ୍ତିଆରକୁ ନେବା ସହ ହମାସ ଆତଙ୍କବାଦୀଙ୍କୁ ନିପାତ ନେଇ ଚଳାଇଛି ଗ୍ରାଉଣ୍ଡ ଅପରେସନ । ବର୍ତ୍ତମାନ ସୁଦ୍ଧା ଏହି ଅପରେସନରେ ପାଲେଷ୍ଟାଇର ୧୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ହମାସ ଆତଙ୍କବାଦୀଙ୍କ ଆକ୍ରମଣରେ ଯାଇଥିଲା ୧୪ ଶହ ଇସ୍ରାଏଲ ନାଗରିକଙ୍କ ଜୀବନ । ଏବେ ବି ୨ଶହରୁ ଅଧିକ ପଣବନ୍ଦୀଙ୍କୁ ନିଜ ପାଖରେ ରଖିଛନ୍ତି ହମାସ ଆତଙ୍କବାଦୀ । ସେମାନଙ୍କ ମଧ୍ୟରେ ଅନେକ ବିଦେଶୀ ନାଗରିକ ଅଛନ୍ତି । ପଣବନ୍ଦୀଙ୍କୁ ଛାଡିବା ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ କହିଛନ୍ତି ।

ବିଶ୍ବକପ୍: ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ବେଙ୍ଗାଲୁରୁ: ଚଳିତ ବିଶ୍ବକପର ଶେଷ ଲିଗ୍ ମ୍ୟାଚ୍ । ଭାରତ ଓ ନେଦରଲାଣ୍ଡସ ମଧ୍ୟରେ ଚାଲିଛି ଟକ୍କର । ଟସ ଜିତି ପ୍ରଥମେ ବ୍ୟାଟିଂ କରୁଛି ଭାରତ । ଆଜିର ମ୍ୟାଚ୍ ଜିତି ଅପରାଜେୟ ରହିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ ।

କୋହଲି ୫୦ତମ ଶତକ କରି ରେକର୍ଡ କରିବା ଲକ୍ଷ୍ୟ ରଖିଛନ୍ତି । ଆନ୍ତର୍ଜାତିକ ଦିନିକିଆରେ ୫୦ ତମ ଶତକ କଲେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବିରାଟ କୋହଲି । ସେପଟେ ବିଶ୍ବକପରେ ସମସ୍ତ ୮ ଲିଗ୍ ମ୍ୟାଚ ଜିତିଥିବା ଭାରତ ଆଜିର ମ୍ୟାଚ୍ ଜିତି ଅପରାଜେୟ ରହିବାକୁ ଲକ୍ଷ୍ୟ ରହିଛି । ଆଜିର ମ୍ୟାଚ୍ ଜିତି ସେମିଫାଇନାଲରେ ପୂର୍ଣ୍ଣ ଆତ୍ମବିଶ୍ବାସ ସହ ପଡ଼ିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ସେମିରେ ନ୍ୟୁଜିଲାଣ୍ଡ ସହ ହେବ ଟକ୍କର । ଭାରତୀୟ ଟିମ ଅପରିବର୍ତ୍ତିତ ରହିଛି । ୪ ସ୍ପେଶାଲିଷ୍ଟ ବୋଲରଙ୍କୁ ନେଇ ଖେଳିୁଛି ଟିମ ଇଣ୍ଡିଆ ।

ଆସନ୍ତା ୧୫ ତାରିଖରେ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ କୁ ଭେଟିବ ଭାରତ । ୧୬ ନଭେମ୍ବରରେ ଦ୍ବିତୀୟ ସେମିଫାଇନାଲ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ସେହିପରି ବିଶ୍ବକପ ଫାଇନାଲ ୧୯ ନଭେମ୍ବରରେ ଖେଳାଯିବ ।

ଉତ୍ତରକାଶୀରେ ଧସିଲା ଟନେଲ, ଫସିଛନ୍ତି ୩୬ ଶ୍ରମିକ: ପାଇପରେ ପଠାଯାଉଛି ଅକ୍ସିଜେନ

ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ବଡ଼ ଦୁର୍ଘଟଣା । ୫୦୦ ମିଟର ଧସିଲା ନିର୍ମାଣାଧୀନ ଟନେଲ । ଫସି ରହିଛନ୍ତି ୩୬ ଶ୍ରମିକ । ପାଇପ ଯୋଗେ ଶ୍ରମିକଙ୍କ ନିକଟକୁ ପଠାଯାଉଛି ଅକ୍ସିଜେନ । ଶନିବାର ରାତିରେ ବ୍ରହ୍ମଖାଲ-ୟମୁନୋତ୍ରୀ ଜାତୀୟ ରାଜପଥର ସିଲକୟାରରୁ ଡଣ୍ଡାଲଗାଁ ପର୍ଯ୍ୟନ୍ତ ନବୟୁଗ କମ୍ପେନୀ ନିର୍ମାଣ କରୁଥିବା ଏହି ଟନେଲ ଧସିଛି । ବର୍ତ୍ତମାନ ସୁଦ୍ଧା କାହାର ମୃତାହତ ସୂଚନା ମିଳିନାହିଁ । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଭୂସ୍ଖଳନ କାରଣରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ସ୍ଥାନୀୟ ପ୍ରଶାସନ ଅନୁସାରେ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଦୁଇରୁ ତିନି ଦିନ ସମୟ ଲାଗିପାରେ । ଉତ୍ତରକାଶୀ ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି, ଫସିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି । ସେମାନଙ୍କ ପାଖରେ ଅକ୍ସିଜେନ୍ ସିଲିଣ୍ଡର ରହିଛି । ଏହାସହ ଟନେଲ ଭିତରକୁ ଏକ ଅକ୍ସିଜେନ ପାଇପ ପକାଯାଇଛି । ଜିଲ୍ଲା ପ୍ରଶାସନ ନେତୃତ୍ବରେ ପୋଲିସ, ଏସଡିଆରଏଫ, ଏନଡିଆରଏଫ, ଅଗ୍ନିଶମ ବାହିନୀ, ୧୦୮ ଜରୁରୀକାଳୀନ ସେବା କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଏବେ ଟନେଲର ଭଗ୍ନାବଶେଷ ହଟାଇବା କାମରେ ନିର୍ମାଣକାରୀ ସଂସ୍ଥା NHIDCLର ମେଶିନ ବ୍ୟବହାର କରାଯାଉଛି । ଏହାସହ ଭର୍ଟିକାଲ ଡ୍ରିଲିଂ ମେଶିନର ବ୍ୟବସ୍ଥା କରାଯାଉଛି, ଯାହା ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ବରାନ୍ବିତ କରିବ ।

ସିଲକୟାର ଆଡ଼କୁ ଥିବା ମୁଖ୍ୟଦ୍ବାରରୁ ୨ ଶହ ମିଟର ଦୂରରେ ଏହି ଭୂସ୍ଖଳନ ହୋଇଛି । ଶ୍ରମିକମାନେ ଏବେ ଟନେଲର ୨୮ ଶହ ମିଟର ଭିତରେ ଫସି ରହିଛନ୍ତି ।

ଦୀପାବଳିରେ ୫ଟି ରାଜଯୋଗ: ଜାଣନ୍ତୁ, କେଉଁ ଶୁଭ ବେଳାରେ କରିବେ ଲକ୍ଷ୍ମୀ ପୂଜା

ଭୁବନେଶ୍ବର: ଆଜି ଆଲୋକର ପର୍ବ ଦୀବାପଳି । ହିନ୍ଦୁଧର୍ମ ଅନୁସାରେ କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ପୂରା ଦେଶ ଧୂମଧାମରେ ଦୀପାବଳି ପାଳନ କରିଥାଏ । ଦୀପାବଳିରେ ଲକ୍ଷ୍ମୀ ପୂଜାର ବହୁତ ମହତ୍ବ ରହିଛି । ପ୍ରତିବର୍ଷ ୫ ଦିନ ଧରି ଦୀପ ଉତ୍ସବ ପାଳନ କରାଯାଇଥାଏ । ଧନତେରାସରୁ ଦୀପାବଳି ଆରମ୍ଭ ହୋଇଯାଇଥାଏ । ଏହାପରେ ନରକ ଚତୁର୍ଦ୍ଦଶୀ (ଛୋଟି ଦୀପାବଳି) ମନାଇଥାନ୍ତି ଲୋକେ । ଏହାପରେ ଦୀପାବଳି ଓ ପରଦିନ ଗୋବର୍ଦ୍ଧନ ପୂଜା କରାଯାଇଥାଏ । ଶେଷରେ ଭାଇ ଦ୍ବଜ ପାଳନ କରିଥାନ୍ତି ଲୋକେ । ଜ୍ୟୋତିଷଶାସ୍ତ୍ର ଅନୁସାରେ ଚଳିତବର୍ଷ ଦୀପାବଳି ବହୁତ ଶୁଭ ଫଳ ନେଇ ଆସିଛି । କାରଣ ବହୁ ବର୍ଷ ପରେ ଦୀପାବଳିରେ ଏକାଧିକ ଶୁଭ ଯୋଗ ଓ ରାଜଯୋଗ ସୃଷ୍ଟି ହୋଇଛି ।

୨୦୨୩ ଦୀପାବଳି ଶୁଭ ଯୋଗ

ଦୀପାବଳିରେ ଲକ୍ଷ୍ମୀ ଓ ଗଣେଶଙ୍କ ପୂଜାର ମହତ୍ବ ରହିଛି । ପ୍ରଦୋଷ କାଳ ସବୁଠାରୁ ଭଲ ବୋଲି କୁହାଯାଉଛି । ୧୨ ନଭେମ୍ବର ଅପରାହ୍ଣ ସାଢ଼େ ଦୁଇଟାରୁ ଏହା ଆରମ୍ଭ ହୋଇଯିବ । ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁସାରେ ସନ୍ଧ୍ୟାରେ ଲକ୍ଷ୍ମୀ ପୂଜା ସମୟରେ ୫ଟି ରାଜଯୋଗ ହେଉଛି । ଏହାବାଦ ଆୟୁସମାନ, ସୌଭାଗ୍ୟ ଓ ମହାଲକ୍ଷ୍ମୀ ଯୋଗ ବି ହେଉଛି । ଏହି ପ୍ରକାର ୮ଟି ଶୁଭ ଯୋଗରେ ଲକ୍ଷ୍ମୀ ପୂଜା କରାଯିବ । ଦୀପାବଳିରେ ଏମିତି ଯୋଗ ଏକାଧିକ ବର୍ଷ ପରେ ପଡ଼ିଛି । ତେଣୁ ଏହି ଦୀପାବଳି ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଓ ମଙ୍ଗଳଦାୟକ ହେବ ।

ଦୀପାବଳିର ୫ ରାଜଯୋଗ

ଚଳିତବର୍ଷ ଦୀପାବଳିରେ ୫ଟି ରାଜଯୋଗ ପଡିଛି । ଗଜକେଶରୀ, ହର୍ଷ, ଅଭୟଚାରୀ, କାହଲ ଓ ଦୁର୍ଧରା ଯୋଗ । ଏହାର ନିର୍ମାଣ ଶୁକ୍ର, ବୁଧ, ଚନ୍ଦ୍ରମା ଓ ଗୁରୁଗ୍ରହ ବୃହସ୍ପତ୍ତିଙ୍କ ସ୍ଥିତିରୁ ବନୁଛି । ଜ୍ୟୋତିଷଶାସ୍ତ୍ର ଅନୁସାରେ ଗଜକେଶରୀ ଯୋଗ ବହୁତ ଶୁଭ କୁହାଯାଉଛି । ଏହା ସମ୍ମାନ ଓ ଲାଭ ଦେବ । ହର୍ଷ ଯୋଗ ଧନ ଓ ଖ୍ୟାତି ଦେଇଥାଏ । କାହଲ, ଅଭୟଚାରୀ ଓ ଦୁର୍ଧରା ଯୋଗ ସୁଖ ଓ ଶାନ୍ତି ଦେଇଥାଏ ।

ସେହିପରି ବହୁ ବର୍ଷ ପରେ ଦୀପାବଳିରେ ଦୁର୍ଲଭ ସଂଯୋଗ ବି ଦେଖିବାକୁ ମିଳିବ । କାରଣ ଶନି ଦେବ ନିଜ ରାଶି କୁମ୍ଭରେ ବିରାଜମାନ ହୋଇ ଶଶ ମହାପୁରୁଷ ରାଜଯୋଗ ନିର୍ମାଣ କରିବେ । ଏହାବାଦ ଦୀପାବଳିରେ ଆୟୁଷମାନ ଓ ସୌଭାଗ୍ୟ ଯୋଗ ମଧ୍ୟ ଦେଖିବାକୁ ମିଳିବ ।

ଅମାବାସ୍ୟା ତିଥି ୧୩ ନଭେମ୍ବର ଅପରାହ୍ଣ ୩ଟା ପର୍ଯ୍ୟନ୍ତ ରହୁଥିଲେ ବି ଆଜି ରାତିରେ ଲକ୍ଷ୍ମୀ-ଗଣେଷ ପୂଜା ହେବ । ଆଜି ଅପରାହ୍ଣ ୫ଟା ୪୦ରୁ ରାତି ୭ଟା ୩୬ ମିନିଟ ପର୍ଯ୍ୟନ୍ତ ଲକ୍ଷ୍ମୀ ପୂଜାର ମୁହୃର୍ତ୍ତ ରହିଛି ।

ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢ଼ିବାରୁ ହତ୍ୟାକାରୀର ଦୋଷ କ୍ଷମା, ପ୍ରେମିକାକୁ ୧୧୧ ଥର ଭୁଶିଥିଲା ଛୁରି

ମସ୍କୋ: ପ୍ରେମିକାକୁ ୧୧୧ ଥର ଛୁରି ଭୁଶି ହତ୍ୟା କରିଥିବା ଅଭିଯୋଗରେ ୧୭ ବଷ ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତକୁ କ୍ଷମା କଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ୟୁକ୍ରେନ ବିରୋଧରେ ଯଦ୍ଧ ଲଢ଼ିବା କାରଣରୁ ହତ୍ୟାକାରୀକୁ କ୍ଷମା ଦେଇଛି କ୍ରେମିଲିନ । ଅଭିଯୁକ୍ତ ଜଣଙ୍କ ହେଲେ ୨୭ ବର୍ଷିୟ ଭ୍ଲାଦିସ୍ଲାବ କାନ୍ୟୁସ । କନଭିକ୍ଟ ରିକ୍ୟୁଟମେଣ୍ଟ ପଲିସି ଅନୁସାରେ କାନ୍ୟୁସ୍ ୟୁକ୍ରେନ ବିରୋଧରେ ସେନାରେ ସାମିଲ ହୋଇଥିଲା ।

ଦି ସନ ରିପୋର୍ଟ ଅନୁସାରେ, ୨୩ ବର୍ଷିୟ ପ୍ରେମିକାକୁ କାନ୍ୟୁସକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ୧୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା ।  ମାତ୍ର ବର୍ଷକ ମଧ୍ୟରେ ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢ଼ିବାରୁ ତାକୁ କ୍ଷମା କରିଦିଆଯାଇଛି ।

ଅଭିଯୋଗ ଅନୁସାରେ କାନ୍ୟୁସ ତା’ ପ୍ରେମିକା ବେରା ପେକ୍ଟିଲେବାଙ୍କୁ ୩ ଘଣ୍ଟା ନିର୍ଯାତନା ଦେଇଥିଲା । ଏହାପରେ ଦୁଷ୍କର୍ମ କରିବା ସହ ୧୧୧ ଥର ଛୁରି ଭୁଶି ହତ୍ୟା କରିଥିଲା । କାନ୍ୟୁସକୁ ମୁକ୍ତି ମିଳିବା ପରେ ବେରାଙ୍କ ମାଆ କହିଛନ୍ତି ଏହା ମୋ ପାଇଁ ଏକ ଝଟକା । ମୋ ଜୀବନ ପ୍ରତି ବିପଦ ରହିଛି । ଏହାସହ ଜଣେ ହତ୍ୟାକାରୀକୁ କେମିତି ଅସ୍ତ୍ର ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ମଣିଷ ନୁହେଁ, ରାକ୍ଷସ । ତାକୁ କେମିତି ଯୁଦ୍ଧ ପାଇଁ ପଠାଗଲା ? ପ୍ରତିଶୋଧ ନେବା ପାଇଁ କେବେ ବି ସେ ଆମକୁ ହତ୍ୟା କରିପାରେ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ରାଷ୍ଟ୍ରପତି ପୁଟିନଙ୍କ ନିଷ୍ପତ୍ତକୁ ସୁରକ୍ଷା ଦେଇଛି କ୍ରେମିଲିନ । ଏଏଫପି ରିପୋର୍ଟ ଅନୁସାରେ କ୍ରେମଲିନ ପ୍ରବକ୍ତା କହିଛନ୍ତି, ୟୁକ୍ରେନ ବିରୋଧରେ ଯୁଦ୍ଧ କରିବାକୁ ଯାଇଥିବା କଏଦୀ ନିଜ ଅପରାଧର ପ୍ରାଶ୍ଚାତାପ ନିଜ ରକ୍ତ ବୁହାଇ କରୁଛନ୍ତି ।

୧୪ରେ ବଙ୍ଗୋପସାଗରରେ ଲଘୁଚାପ: ୧୬ରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ବର: ଓଡ଼ିଶାରେ ବଡ ବର୍ଷା ଆଶଙ୍କା । ୧୪ ତାରିଖ ବେଳକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ନେବ ଅବପାତର ରୂପ । ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୁତ ହେବା ନେଇ ପାଗ ଅନୁକୁଳ ରହିଛି । ପ୍ରଭାବରେ ଆସନ୍ତା ୧୬ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ରେ ମଧ୍ୟମ ଧରଣର ବର୍ଷା ହେବ । ଉପକୂଳ ଓଡିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଅନୁଗୁଳ, ଢେଙ୍କାନାଳ ଏବଂ ନୟାଗଡ଼ରେ ହାଲୁକା ବର୍ଷା ହେବା ନେଇ ଆକଳନ କରାଯାଇଛି । ୧୬ ତାରିଖ, ୧୭ ଏବଂ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିବ । ତେଣୁ ଅମଳ ଯୋଗ୍ୟ ହୋଇଥିବା ଧାନକୁ ଚାଷୀ ଯଥା ସମ୍ଭବ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି । ଯେଉଁଠି ଧାନ ଗଛ ଗୁଡିକ ଠିଆ ହୋଇ ରହିଛି ସେହି ବିଲରୁ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି ।

ଲଘୁଚାପର ପ୍ରଭାବ କେଉଁ ଜିଲ୍ଲାରେ କେତେ ରହିବ ଓ ଏହାର ତୀବ୍ରତା କେତେ ରହିବ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିପଥ ନେଇ ସ୍ପଷ୍ଟ ସୂଚନା ଆସିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସେପଟେ ଓଡ଼ିଶାକୁ ପ୍ରବେଶ କରିବ ଗରମ ଶୁଷ୍କ ପବନ । ଫଳରେ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ଏବେ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଛି ଥଣ୍ଡା ଶୁଷ୍କ ପବନ । ପ୍ରଭାବରେ ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ ।

ଉତ୍ତରାଖଣ୍ଡରେ ଲାଗୁ ହେବାକୁ ଯାଉଛି ୟୁସିସି: ଲିଭ୍-ଇନରେ ରହିବାକୁ ହେଲେ ପଞ୍ଜିକରଣ ବାଧ୍ୟତାମୂଳକ

ଡେରାଡୁନ: ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ଲାଗୁ ହେବାକୁ ଯାଉଛି ୟୁନିଫର୍ମ ସିଭିଲ୍ କୋଡ୍ ବା ସମାନ ନାଗରିକ ସଂହିତା । ଏଥିଲାଗି ପ୍ରସ୍ତୁତ ଚିଠା ପ୍ରସ୍ତାବରେ କେତେକ ବ୍ୟବସ୍ଥା ନୂଆ କରି କାର୍ଯ୍ୟକାରୀ କରିବା ଲାଗି ସୁପାରିସ କରାଯାଇଛି । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପ୍ରସ୍ତୁତ କରିଥିବା ୟୁସିସି ଚିଠାରେ ବହୁ ବିବାହକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି । ଏକାଧିକ ବିବାହକୁ ଆଇନଗତ ସ୍ବୀକୃତି ଦିଆଯାଇନାହିଁ ।

ଲିଭ୍-ଇନକୁ ଯଦିଓ ଗ୍ରହଣ କରାଯାଇଛି, କିନ୍ତୁ ଏଥିଲାଗି ପଞ୍ଜୀକରଣ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବା ଲାଗି ପ୍ରସ୍ତାବ ରହିଛି । ପ୍ରସ୍ତାବିତ ୟୁସିସିରେ ଉଭୟ ପୁଅ ଓ ଝିଅ ପାଇଁ ପୈତୃକ ସଂପତ୍ତିରେ ସମାନ ଅଧିକାରକୁ ମଧ୍ୟ ନ୍ୟାୟିକ ସ୍ବୀକୃତି ଦିଆଯାଇଛି । ୟୁସିସି ଦେଶର ସମସ୍ତ ନାଗରିକଙ୍କ ଲାଗି ଉଦ୍ଦିଷ୍ଟ ନିୟମାବଳୀ, ଯାହା କୌଣସି ନିର୍ଦ୍ଦିଷ୍ଟ ଧର୍ମ ଆଧାରିତ ନୁହେଁ । ମୁଖ୍ୟତଃ ବିବାହ, ବିବାହ ବିଚ୍ଛେଦ, ପାଳିତ ସନ୍ତାନ ଗ୍ରହଣ, ପୈତୃକ ସଂପତ୍ତିରେ ଭାଗୀଦାରୀ ଆଦି ବ୍ୟକ୍ତିଗତ ପ୍ରସଙ୍ଗର ପରିଚାଳନା ସଂପର୍କିତ ସାର୍ବଜନୀନ ନିୟମାବଳୀ ।

ସପ୍ତାହେ ପରେ ଉତ୍ତରାଖଣ୍ଡ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇ ସେଠାରେ ୟୁନିଫର୍ମ ସିଭିଲ କୋଡ ବିଲ୍ ପାରିତ ହେବ । ଏହାକୁ ଆଇନଗତ ମାନ୍ୟତା ଦିଆଯିବ । ଚିଠା ପ୍ରସ୍ତାବ ପ୍ରସ୍ତୁତି ସମୟରେ ବିଭିନ୍ନ ବର୍ଗର ୨ ଲକ୍ଷ ଲୋକଙ୍କର ମତାମତ ସଂଗ୍ରହ କରାଯାଇଛି ।

ବିଶ୍ବକପ୍: ଆଜି ଭାରତ-ନେଦରଲ୍ୟାଣ୍ଡସ ମୁକାବିଲା

ବେଙ୍ଗାଲୁରୁ: ବିଶ୍ବକପରେ ଆଜି ନେଦରଲ୍ୟାଣ୍ଡସକୁ ଭେଟିବ ଭାରତ । ୮ରୁ ୮ଟି ମ୍ୟାଚ ଜିତି ଭାରତ ପ୍ରଥମ ଦଳ ଭାବେ ସେମିଫାଇନାଲକୁ ପ୍ରବେଶ କରିଥିବା ବେଳେ, ନେଦରଲ୍ୟାଣ୍ଡସ୍ ବିଶ୍ବକପରୁ ବାହାର ହୋଇ ସାରିଛି । ଏମ. ଚିନାସ୍ବାମୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଆଜିର ମ୍ୟାଚ୍ କେବଳ ଏକ ଔପଚାରିକତା ହୋଇଥିବା ବେଳେ ଭାରତ ପାଇଁ ସେମିଫାଇନାଲ ପୂର୍ବରୁ ଏକ ଭଲ ଅଭ୍ୟାସର ସୁଯୋଗ ଦେଇଛି । ଆଜି ଭାରତ ନେଦରଲ୍ୟାଣ୍ଡସକୁ ହରାଇ ଅପରାଜୟ ଧାରା ଜାରି ରଖିବାକୁ ଚାହିଁବ । ସେପଟେ ଆଜିର ମ୍ୟାଚରେ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ । ନେଦରଲ୍ୟାଣ୍ଡସ ବିପକ୍ଷରେ କୋହଲି ଶତକ ମାରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଶତକ ରେକର୍ଡ ଭାଙ୍ଗିବାକୁ ଚାହିଁ ବସିଛନ୍ତି କ୍ରିକେଟ୍ ପ୍ରେମୀ ।

ସେପଟେ ଚଳିତ ବିଶ୍ବକପରେ ଚାରି ସେମିଫାଇନାଲିଷ୍ଟ ସ୍ପଷ୍ଟ ହୋଇସାରିଛି । ପ୍ରଥମ ସେମିଫାଇନାଲ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ୧୫ ତାରିଖରେ ଖେଳାଯିବ । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ସେହିପରି ଦ୍ବିତୀୟ ସେମିଫାଲଇନା ୧୬ ତାରିଖରେ ଦ୍ବିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ ।

ତେବେ ନ୍ୟୁଜିଲାଣ୍ଡ ସହ ମ୍ୟାଚକୁ ଚାହିଁ ବସିଛନ୍ତି କ୍ରିକେଟ ପ୍ରେମୀ । ୨୦୧୯ରେ ଭାରତ ଓ ନ୍ୟୁଜିଲାଣ୍ଡ ବିଶ୍ୱକପ ସେମିରେ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ଭାରତ ପରାଜିତ ହୋଇ ବିଶ୍ବକପରୁ ବାହାର ହୋଇ ଯାଇଥିଲା । ଏବେ ମୁମ୍ବାଇରେ ଏହାର ପ୍ରତିଶୋଧ ନେବାକୁ ଭାରତ ପାଖରେ ସୁଯୋଗ ରହିଛି । ଚଳିତ ବିଶ୍ୱକପର ଗ୍ରୁପ ଷ୍ଟେଜରେ ଭାରତ ବେଶ ସହଜରେ ନ୍ୟୁଜିଲାଣ୍ଡକୁ ହରାଇଥିଲା । ଦୀର୍ଘ ୨୦ ବର୍ଷ ପରେ କୌଣସି ଆଇସିସି ଇଭେଣ୍ଟରେ ଭାରତ କ୍ୱିୱି ଟିମକୁ ହରାଇବାର ରେକର୍ଡ ମଧ୍ୟ କରିଥିଲା । ଏବେ ସେମିରେ ପୁଣି ନ୍ୟୁଜିଲାଣ୍ଡର ଟକ୍କର ଭାରତ ସହ ହେବ । ୨୦୧୫ ଦିନିକିଆ ବିଶ୍ୱକପରେ ଯେଉଁ ୪ ଦଳ ସେମି ଫାଇନାଲକୁ ଯାଇଥିଲେ, ୨୦୨୩ରେ ସେହି ୪ ଦଳ ଟପ ୪ରେ ରହିଛନ୍ତି ।