ନନ୍ଦିଘୋଷ ବ୍ୟୁରୋ : ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ୱେବସାଇଟକୁ ହ୍ୟାକ କରାଯାଇଥିବାର ଅଭିଯୋଗ ହୋଇଛି। ଏହି ୱେବସାଇଟ୍ ଖୋଲିଲେ ସେଥିରେ ବାହାରୁଛି ପାକିସ୍ତାନୀ ପତାକା। ତେଣୁ ଆଶଙ୍କା କରାଯାଉଛି ଏହି କାମ ପାକିସ୍ତାନୀ ହ୍ୟାକର କରିଥାଇପାରନ୍ତି। ଆଗରୁ ମଧ୍ୟ ଥରେ ଏହି ୱେବସାଇଟ ହ୍ୟାକ କରାଯାଇଥିଲା। GMU ର ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଏହି ୱେବ୍ ସାଇଟରେ ଥିବାରୁ ସେହି ସବୁ ଡାଟା ଚୋରି ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଖାତା କଲମ ବଦଳରେ ଶିଶୁ ଶ୍ରମିକଙ୍କୁ ନିର୍ମାଣ କାର୍ଯ୍ୟରେ ଲଗାଇଲେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ
ନନ୍ଦିଘୋଷ ବ୍ୟୁରୋ : ସରକାରୀ ନିର୍ମାଣ କାର୍ଯ୍ୟରେ ଶିଶୁ ଶ୍ରମିକ। ଖାତା କଲମ ବଦଳରେ ଶିଶୁ ଶ୍ରମିକଙ୍କୁ ନିର୍ମାଣ କାର୍ଯ୍ୟରେ ଲଗାଇଲେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ। ନନ୍ଦିଘୋଷ ଟିଭି ହାତରେ ଲାଗିଛି ଏହାର ଏକ୍ସକ୍ଲୁସିଭ ଭିଜୁଆଲ। ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକରେ ସରକାରୀ ନିୟମ କାନୁନର ଧଜିଆ ଉଡାଇ ଶିଶୁ ଶ୍ରମିକଙ୍କୁ ସରକାରୀ ବିଦ୍ୟାଳୟରେ ସ୍କୁଲ କୋଠା ନିର୍ମାଣ କାର୍ଯ୍ୟରେ ନିଯୋଜିତ କରିଛି ଜିଲ୍ଲା ଶିକ୍ଷାଧିକାରୀ ତଥା ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟ। ବାହାନଗା ବ୍ଲକ ଗୋପାଳପୁର ମଣିଭଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ବିଭାଗ ପକ୍ଷରୁ ପିଏମଶ୍ରୀ ଯୋଜନାରେ ୧୮.୩୩ ଲକ୍ଷ ଟଙ୍କା ଅନୁଦାନରେ କମ୍ପୁଟର ଦ୍ଵାରା ଭାଷା ଶିକ୍ଷା ଲାବ ଗୃହ ନିର୍ମାଣ କାର୍ଯ୍ୟ ଖୋଦ ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟ ପକ୍ଷରୁ କାର୍ଯ୍ୟ ଜାରି ରଖିଛି। ଏପରି ସ୍ଥଳେ ୩ ଜଣ ଶିଶୁ ଶ୍ରମିକଙ୍କୁ ନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବେ ନିଯୋଜିତ କରାଯାଇଥିବାର ଦେଖିବାକୁ ମିଳିଥିଲା। ଏମିତି ରାତି ପର୍ଯ୍ୟନ୍ତ ଅନ୍ଧାରରେ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ କାର୍ଯ୍ୟର ତଦାରଖ ପାଇଁ କୌଣସି ବି ଅଧିକାରୀ ଉପସ୍ଥିତ ନଥିଲେ। କାର୍ଯ୍ୟରେ ଶ୍ରମିକ ଭାବେ ନିଯୋଜିତ ଥିବା ୩ ଜଣ ଶିଶୁ ଔପଦା ଅଞ୍ଚଳର ହୋଇଥିବା ବେଳେ ଜଣାପଡ଼ିଛି। ଶ୍ରମ ବିଭାଗ ମଧ୍ୟ ଶିଶୁଙ୍କୁ ଶ୍ରମିକ ଭାବେ କାର୍ଯ୍ୟ କରାଇବା ଆଇନଗତ ଅପରାଧ ବୋଲି ନିୟମ ପ୍ରଣୟନ ସହ ଡିଣ୍ଡିମ ପିଟୁଛନ୍ତି ସରକାର । ଏପରିସ୍ଥଳେ ଖୋଦ ଶିକ୍ଷା ବିଭାଗର ଜିଲ୍ଲା ମୁଖିଆଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯାଉଥିବା ନିର୍ମାଣ କାର୍ଯ୍ୟରେ ଶିଶୁ ଶ୍ରମିକଙ୍କୁ ନିଯୋଜିତ କରାଯିବା ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଛିଡା କରିଛି।
ଆଜିଠୁ ସ୍ବାଭାବିକ ହେବ ମଣ୍ଡି ; ଧାନ କିଣିବେ ମିଲର୍ସ
ନନ୍ଦିଘୋଷ ବ୍ୟୁରୋ : ଆଜିଠୁ ସ୍ବାଭାବିକ ହେବ ମଣ୍ଡି। ଧାନ କିଣିବେ ମିଲର୍ସ। ୪ ଦଫା ଦାବିରୁ ଗୋଟିଏ ଦଫା ଦାବିକୁ ମାନିଛନ୍ତି ସରକାର। ଏନେଇ ସୂଚନା ଦେଇଛି ଅଲ୍ ଓଡିଶା ରାଇସ୍ ମିଲର୍ସ ମହାସଂଘ। ରକ୍ଷଣାବେକ୍ଷଣ ବାବଦରେ ବକେୟା ଥିବା ୧୬୦ କୋଟି ଟଙ୍କା ତୁରନ୍ତ ପ୍ରଦାନ କରିବାକୁ ସରକାର ସହମତି ପ୍ରକାଶ କରିଛନ୍ତି। ଆସନ୍ତା ସପ୍ତାହକ ମଧ୍ୟରେ ସମସ୍ତ ମିଲର୍ସ ସେମାନଙ୍କ ପ୍ରାପ୍ୟ ପାଇବେ। ସେହିପରି ଟ୍ରାନ୍ସପୋର୍ଟେସନ ଚାର୍ଜ ଅର୍ଥାତ ମଣ୍ଡିରୁ ମିଲକୁ ଧାନ ଆସିବା ଏବଂ ମିଲରୁ ବିଭିନ୍ନ ଗୋଦାମକୁ ଧାନ ଯିବା ନେଇ ପରିବହନ ଖର୍ଚ୍ଚ ବାବଦରେ ବିଭାଗ ଅନୁଧ୍ୟାନ କରୁଛି। ଅରୁଆ ଧାନ ପାଇଁ ଡ୍ରାଇଜ ସମସ୍ୟାର ସମାଧାନ ପାଇଁ ମଧ୍ୟ ସରକାର ସମୟ ମାଗିଛନ୍ତି। ପୂର୍ବ ଦାବି ଅନୁସାରେ କ୍ଷତିଭରଣା ପାଇଁ ସଙ୍ଘ ଦାବି କରିଛି। ୧୫ ଦିନ ଭିତରେ ସମସ୍ତ ଦାବି ଉପରେ ଆଲୋଚନା କରି ସରକାର ସମାଧାନ କରିବେ ବୋଲି ଆଶା ରଖିଛି ସଂଘ। ଦାବି ପୂରଣ ନ ହେଲେ ଆଲୋଚନା କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସଙ୍ଘ କହିଛି।






